
ଆମ ଭାଷାର ଆଧୁନିକ କବିତା ସମ୍ଭାରକୁ ଲକ୍ଷ୍ୟ କଲେ ଯେ କେହି ପାଇବେ ଯେ ସେଥିରୁ ଅଧିକାଂଶଟିରେ କଥକ ଜଣକ ପ୍ରତିଭାତ ହୋଇଥା’ନ୍ତି ପ୍ରଥମ ପୁରୁଷ ଏକ ବଚନ ରୂପରେ। ଅର୍ଥାତ୍ କବିଙ୍କର ‘ମୁଁ’ ହିଁ କବିତାଟିର ଥିମ୍ କୁ ପାଠକଙ୍କ ସମକ୍ଷରେ ଉପସ୍ଥାପନା କରିଥାଏ। ଉଦାହରଣଟିଏ ନିଆଯାଉ।
“ମୁଁ ହଜିଅଛି ଆଜି ଝଡ଼ର ଚକ୍ରବ୍ୟୂହେ
ହତାଶାର ଅଗ୍ନି ଆଉ ସହନୀୟ ନୁହେଁ,
ଭାଳଇ ମୁଁ ଜୀବନର ଘଟାଇବି ଇତି
ନଦୀ ବକ୍ଷେ ଝାସ ଦେଇ ପାଇବି ମୁକତି।“
ଏମନ୍ତ କବିତାଟିଏ କୌଣସି ପତ୍ରପତ୍ରିକା ବା ଫେସବୁକ୍ରେ ପ୍ରକାଶିତ ହୁଅନ୍ତେ ଖେଳିଯାଏ ହାହାକାର। ଆହା, ଅମୁକ କବିଙ୍କ ଜୀବନରେ କି ଗୋଟିଏ ସଂକଟ ଘୋଟିଆସିଲା ହୋ ! ଏ ଜୁଆନ ବୟସରେ ପ୍ରାଣ ହାରିବାକୁ ଯାଉଛନ୍ତି ବିଚରା!
କଥାଟି ହେଲା, କବିତାଟିଏର କାବ୍ୟ-ଚରିତ୍ର ଅବା କଥକ ଜଣକ ଯେ କବିଙ୍କ ବ୍ୟକ୍ତିସତ୍ତାଠାରୁ ଭିନ୍ନ ଏକ ଅସ୍ତିତ୍ବ ଏହା ବୁଝିବାକୁ ଅଧିକାଂଶ ପାଠକେ ନାରାଜ। ଏଭଳି ‘ମୁଁ’ମାନଙ୍କୁ କବିତାର ଇଲାକା ମଧ୍ୟରେ କବିଙ୍କର ଏକ ଅଭିନୟ ମାତ୍ର ହିସାବରେ ଅଧିକାଂଶ ପାଠକ ଗ୍ରହଣ କରିପାରନ୍ତି ନାହିଁ। ପ୍ରଥମ ପୁରୁଷ ଏକବଚନରେ କବିମାନେ ନିଜ ଭାବ ବ୍ୟକ୍ତ କରିବାବେଳେ ନିଜର ପ୍ରକୃତ ବ୍ୟକ୍ତିତ୍ବଠାରୁ ବସ୍ତୁନିଷ୍ଠ ଦୂରତା ବଜାୟ ରଖିବା ପ୍ରତି ମଧ ଯଥାଯଥ ଦୃଷ୍ଟି ଦିଅନ୍ତି ନାହିଁ। ଫଳରେ ଅଧିକାଂଶ କବିତାରେ ସେମାନଙ୍କ ବାସ୍ତବ ଜୀବନର ଛବି ସିଧାସଳଖ ଝଟକୁଥାଏ। ଏହାକୁ କବିତାଟିର ଗଠନ ରୀତି ବା ଟେକନିକ୍ର ବିଫଳତା ବୋଲି କୁହାଯାଇପାରେ।
ଆଉ ମଧ୍ୟ ଲକ୍ଷ୍ୟ କରିବାର କଥା ଯେ ଓଡ଼ିଶାର ଅନେକ ସମକାଳୀନ କବି ନିଜର ବ୍ୟକ୍ତିଗତ ଅନୁଭୂତି, ଅର୍ଥାତ୍ ନିଜର ହିଁ ପ୍ରେମ, ନିଜର ବିରହ ଓ ନିଜର ସମସ୍ୟା ଆଦିକୁ କବିତାରେ ପ୍ରକାଶ କରି ହାଲୁକା ହୋଇଯିବାକୁ ଚେଷ୍ଟା କରନ୍ତି; କିନ୍ତୁ ଏହା ଯେ କବିତାର ଏକମାତ୍ର ଧର୍ମ ନୁହେଁ, ସେ କଥା ଭୁଲିଯାଆନ୍ତି। ଏପରିକି ସାମନାରେ ଥିବା ଅପର ଜଣେ ମଣିଷର ବ୍ୟଥା ମଧ୍ୟ ସେମାନଙ୍କ କବିତାରେ ସ୍ଥାନ ପାଏନାହିଁ, ନା ଥାଆନ୍ତି ଈଶ୍ବର, ନା ସମାଜ, ନା ପ୍ରକୃତି; କେବଳ ମୁଁ, ମୁଁ, ଆଉ ମୁଁ।
ଇଂରାଜୀ ସାହିତ୍ୟତତ୍ତ୍ବରେ ‘ପର୍ସନ୍’ ଓ ‘ପର୍ସୋନା’ ମଧ୍ୟରେ ପ୍ରଭେଦ ସ୍ପଷ୍ଟ କରିଦିଆଯାଇଛି। ସେହି ଦୃଷ୍ଟିରୁ ଦେଖିଲେ କବିତାମାନଙ୍କରେ ଥିବା ‘ମୁଁ’ ଯେ କବିଙ୍କର ପ୍ରକୃତ ବ୍ୟକ୍ତିତ୍ବ (ପରସନ୍) ନୁହେଁ, ବରଂ ହେବା କଥା ମୁଁ ନାମକ ବ୍ୟକ୍ତିସତ୍ତା (‘ପରସୋନା’)ର ଏକ ଅଭିନୟଟିଏ ମାତ୍ର, ଏହା ଆମେ ସ୍ବୀକାର କରିବା ଉଚିତ।
କବିତାର ଏହି ସଂବେଦନଶୀଳ ଦିଗଟି ବିଷୟରେ ସଚେତନ ହେବା ଆଧୁନିକ ଯୁଗର ଉଭୟ, କବି ଓ ପାଠକଙ୍କ ପକ୍ଷରେ ସମୀଚୀନ ହେବ।
ନିହାର ଶତପଥୀ
Absolutely. If Odia kabita today sounds hackneyed it is only because of this. Truthfully speaking Odia kabita writing needs complete rehash, a shake. ‘Persona’ and ‘personal’ making a lot of difference. Today there is hardly any difference between the writings, not even innovative use of words. Thanks for getting this out so articulately.
ମନୁଷ୍ୟ ନୈର୍ବ୍ୟକ୍ତିକ କଳ୍ପନାକାରୀ ହୋଇଥିବା ଯୋଗୁଁ ସେ ବ୍ୟବହାର କରୁଥିବା ସର୍ବନାମଗୁଡ଼ିକୁ ପ୍ରତୀକ ରୂପେ ହିଁ ଗ୍ରହଣ କରାଯାଏ।
ଗୋଟିଏ ଗୁରୁତ୍ବଭରା ପ୍ରସଂଗ ଉଠାଇଛଂତି ଆପଣ। ଏହାର ବହୁସ୍ତରୀୟ ଆଲୋଚନା ଆବଶ୍ୟକ।