ଗୁନ୍ଥନ

ଅନୀତା ଦାଶ

କୁସୁମ ଗୁନ୍ଥିଲେ ହାର,
ଭାବ ଗୁନ୍ଥିଲେ ଈଶ୍ବର ,
ବିଶ୍ୱାସ ଗୁନ୍ଥିଲେ ସଂପର୍କ ସୁନ୍ଦର,
ସଂପର୍କ ଗୁନ୍ଥିଲେ ଘର। [୧]

ଲହରୀ ଗୁନ୍ଥି ସାଗର,
ପ୍ରେମ ଗୁନ୍ଥି ପରିବାର,
ସହାନୁଭୂତି ଓ ଆନ୍ତରିକତାରେ
ପର ହୁଏ ଆପଣାର । [୨]

ପଂଚଭୂତ ଗୁନ୍ଥି ଜୀବନ ସର୍ଜନ,
ପ୍ରଶ୍ୱାସ ଗୁନ୍ଥିଲେ ପ୍ରାଣ,
ବିଦ୍ୱେଷ ଗୁନ୍ଥିଲେ ଘୃଣା ଉପୁଜଇ,
ଅନୁକମ୍ପାରୁ କାରୁଣ୍ୟ । [୩]

ଦଣ୍ଡକୁ ଯୋଡି ସମୟ ,
ଦୁର୍ବଳତା ଆଣେ ଭୟ ,
ଆତ୍ମସଂଯମରେ ଆତ୍ମବଳ ଗୁନ୍ଥି-
ଅଜୟକୁ କର ଜୟ। [୪]

ଜ୍ଞାନକୁ ଗୁନ୍ଥିଲେ ବୁଦ୍ଧି ,
ଧ୍ୟାନ ଗୁନ୍ଥିଲେ ସମାଧି ,
ସତ୍ କର୍ମ କଲେ ଜୀବନ ମଧୁର,
ସାଧନା ରୁ ମିଳେ ସିଦ୍ଧି । [୫]

ଚେତନା ଗୁନ୍ଥି ବିବେକ,
ବାସନା ଜନ୍ମାଏ ପାପ,
ଫୁଲ ରେଣୁ ଗୁନ୍ଥି ସୁମଧୁର ମଧୁ
ଧୀରେ ସଂଚଇ ମଧୁପ । [୬]

କିରଣକୁ ଗୁନ୍ଥି ଖରା,
ବରଷାକୁ ଗୁନ୍ଥି ଧାରା,
ଜଳଧାରା ଗୁନ୍ଥି ପାହାଡ ପିଠିରେ
ନାଚଇ ନିର୍ଝର ଝରା । [୭]

ସନ୍ତୋଷ ଗୁନ୍ଥିଲେ ସୁଖ,
ଅସନ୍ତୋଷ ଆଣେ ଦୁଃଖ,
ଦୁର୍ଲଭ ମଣିଷ ଜନମ ପାଇଛ
ଖୁସିରେ ରହିବା ଶିଖ। [୮]

ହିଂସା ଶୋଷଣକୁ ଛାଡି,
ସ୍ୱାର୍ଥ କୁସଂସ୍କାର ଫେଡି,
ମାନବବାଦରେ ଭାତୃଭାବ ଯୋଡି
ଚଢିଯା ଜୀବନ ସିଡି । [୯]

5 thoughts on “ଗୁନ୍ଥନ

Leave a Reply

Your email address will not be published. Required fields are marked *