ଅଭିମନ୍ୟୁ ସାମନ୍ତସିଂହାରଙ୍କ ସ୍ୱଳ୍ପ ଜୀବନ କାଳରେ ଘଟଣା କ୍ରମ ବଡ଼ ବିଚିତ୍ର । ଅଷ୍ଟାଦଶ ଶତଦ୍ଦୀରେ ଓଡ଼ିଶାରେ ଯେତେବେଳେ ମୋଗଲ ଶାସନର ପତନ ଓ ମରହଟ୍ଟା ଶାସନର ଆଗମନ ହେଉଥାଏ ( ୧୭୫୧), ସେତେବେଳେ ଅଭିମନ୍ୟୁ ଙ୍କ ଜନ୍ମ ହୁଏ ୧୭୬୦ ମସିହାରେ । ସେହିପରି ଯେତେବେଳେ ମରହଟ୍ଟା ଶାସନର ପତନ ଅବଶ୍ୟମ୍ଭାବୀ ଓ ଇଂରେଜମାନେ ଶାସନ ଭାର ଦାୟିତ୍ୱ ନେଲେ ( ୧୮୦୩) ତା’ର ମାତ୍ର ୩ବର୍ଷ ଭିତରେ ଅଭିମନ୍ୟୁ ଙ୍କ ଦେହାନ୍ତ ହେଲା। ପ୍ରାୟ ଅର୍ଦ୍ଧଶତାବ୍ଦୀର ମରହଟ୍ଟା ଶାସନ (୧୭୫୧-୧୮୦୩) ଓଡ଼ିଶାକୁ ଅସ୍ତବ୍ୟସ୍ତ କରିପକାଇଥାଏ । ଯୁଦ୍ଧ, ହତ୍ୟା, ଲୁଣ୍ଠନ, ଆତଙ୍କ ଓ ଟିକସ ପାଇଁ ରାଜ୍ୟବାସୀ ମାନେ ହତାଶ ହୋଇପଡ଼ିଥାନ୍ତି । ଲୋକମାନେ ନିଜର ଘରେ ରହିବାକୁ ଶ୍ରେୟ ମଣୁଥାନ୍ତି । ଏଇ ସାମାଜିକ ପୃଷ୍ଠଭୂମିରେ ଅଭିମନ୍ୟୁଙ୍କ ଆବିର୍ଭାବ ଦେବପ୍ରେରିତ । ସମାଜରେ ବିଧର୍ମୀଙ୍କ ଠାରୁ ପ୍ରଜାମାନଙ୍କୁ ଦୂରେଇ ରଖିବା ଓ ରାଜ୍ୟରେ ଧର୍ମ ରକ୍ଷା କରିବା ପାଇଁ ବୈଷ୍ଣବ କାବ୍ୟ କବିତା ଲେଖି ସମାଜକୁ ବାନ୍ଧି ରଖିବାର ଏଭଳି ପ୍ରୟାସ ଦେଶରେ ଖୁବ୍ କ୍ୱଚିତ ଦେଖିବାକୁ ମିଳେ ।
ବଙ୍ଗଳାର ଶାସକ ଅଲ୍ଲୀବର୍ଦି ଖାଁଙ୍କୁ ପରାସ୍ତ କରି ମରହଟ୍ଟା ଶାସକ ମାନେ ଓଡ଼ିଶାକୁ ୧୭୫୧ରେ ଅକ୍ତିଆର କଲେ । ଇଂରେଜମାନଙ୍କ ହାତରେ ଶାସନ ଭାର ଅର୍ପଣ ପର୍ଯ୍ୟନ୍ତ ମରହଟ୍ଟାମାନେ ରାଜ୍ୟରେ ଏକ ଶୃଙ୍ଖଳିତ ଶାସନ ବ୍ୟବସ୍ଥା ପ୍ରଚଳନ କରିପାରିନଥିଲେ । ଏ କଥା ଡ଼ଃ ହରେକୃଷ୍ଣ ମହାତାବ୍ ତାଙ୍କ ଲିଖିତ ‘ଓଡ଼ିଶା ଇତିହାସ’ରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ‘ ମରହଟ୍ଟା ଶାସନ କହିଲେ ଓଡ଼ିଶାରେ ଅତ୍ୟାଚାର ଏକ ପ୍ରତିଶବ୍ଦ ବୋଲି ବ୍ୟବହୃତ ହୁଏ । ଆଜି ସୁଦ୍ଧା ସେ ଶାସନର ଭୟ ଜନସୃତିରେ ଜୀବିତ ଅଛି । ଅର୍ଥ ଆହରଣ ପାଇଁ ଯେ ନିଷ୍ଠୁର ଅତ୍ୟାଚାର କରାଯାଉଥିଲା, ତାହା ଆଜିସୁଦ୍ଧା ଲୋକମୁଖରୁ ଶୁଣାଯାଏ’ । ମରହଟ୍ଟା ଶାସକମାନେ ଓଡ଼ିଶାର ଭାଷା ଓ ପରମ୍ପରା ଜାଣି ନଥିବାରୁ ପରୋକ୍ଷ ଶାସନରେ ବିଶ୍ୱାସ କରୁଥିଲେ । ଫଳରେ କ୍ଷମତା ଲୋଭ ଓ ସ୍ଵାର୍ଥ ପାଇଁ ଶାସନ ଅତ୍ୟନ୍ତ ଦୁର୍ବଳ ଥିଲା । ଅନ୍ୟ ପକ୍ଷରେ ଲକ୍ଷ ଲକ୍ଷ ଓଡ଼ିଶାବାସୀ ଅତ୍ୟନ୍ତ ଦୁର୍ଦ୍ଦିନରେ କାଳାତିପାତ କରୁଥିଲେ ।
ଅଭିମନ୍ୟୁଙ୍କ କବିତ୍ୱ ଉପରେ ନାନା ପ୍ରକାର ମତ ଶୁଣିବାକୁ ମିଳେ । ମାତ୍ର ଏ କଥା ସତ୍ୟ ଯେ, ତତ୍କାଳୀନ ଓଡ଼ିଶାର ସାମାଜିକ, ରାଜନୈତିକ ତଥା ସଂସ୍କୃତିକ ଅବକ୍ଷୟ ତାଙ୍କୁ ଅଧିକ ଆନ୍ଦୋଳିତ କରିଥିଲା । ଏଥିସହିତ ମାତ୍ର ୧୯ବର୍ଷ ବୟସରେ ପିତୃ ବିୟୋଗ ଚିନ୍ତାରେ ସେ ସଂସାର ପ୍ରତି ଉଦାସିନ ହୋଇପଡ଼ିଲେ ଓ ତାଙ୍କୁ ସାଂସାରିକ ମାୟା ମମତା ଓ ଲୋଭ ବାନ୍ଧି ପାରିଲା ନାହିଁ । ତେଣୁ ସେ ନିଜ ସାନଙ୍କ ଉପରେ ରାଜ ଦାୟିତ୍ବ ହସ୍ତାନ୍ତର କରି ଇଷ୍ଟଦେବ ଶ୍ରୀ ରାଧମୋହନଙ୍କ ଉପାସନାରେ ଓ ବୈଷ୍ଣବ ଧର୍ମି କାବ୍ୟ କବିତା ଲେଖିଲେ । ଏଥିପାଇଁ ସେ ନିଜର ଜନ୍ମସ୍ଥାନ ବାଲିଆରେ ୮୪ ଏକର ପରିମିତ ସ୍ଥାନରେ ୮୪କୋଷ ଆୟତନ ବୃନ୍ଦାବନର ପରିକଳ୍ପନା କରି ସେଥିରେ ରାଧାମାଧବ ବିଗ୍ରହ ପ୍ରତିଷ୍ଠା କଲେ । ମୋଗଲ ଓ ମରହଟ୍ଟାଙ୍କ ଘନ ଘନ ଆକ୍ରମଣରେ ସାମନ୍ତମାନଙ୍କ ପାଖରେ ଶକ୍ତି ଓ ସାମର୍ଥ ନଥିଲା ତେଣୁ ସେମାନେ ନିଜ ଅଂଚଳରେ ପ୍ରଜାମାନଙ୍କ ଏକାଠି କରି ରଖିବାପାଇଁ କାବ୍ୟ କବିତା ରଚନା କରୁଥିଲେ । ଅଭିମନ୍ୟୁ ଜଣେ କେବଳ ରାଜା ଓ କବି ନଥିଲେ, ସେ ଜଣେ ଦେଶ ନାୟକ ଥିଲେ ତାଙ୍କର ଆବିର୍ଭାବ ଥିଲା ସମୟର ଆହ୍ୱାନ ଓ ସେ ସମୟ ଚାପରେ କେବଳ କାବ୍ୟ କବିତା ରଚନା କରିନାହାନ୍ତି ବରଂ ଆଧୁନିକ ଓଡ଼ିଶାର ଅସ୍ତିତ୍ୱ ପରିଚିତି ପାଇଁ ରାସ୍ତା ଦେଖାଇଯାଇଛନ୍ତି । ତାଙ୍କର କାବ୍ୟ କବିତା ଓଡ଼ିଶାର ଭାଷା ସଙ୍କଟ ସମୟରେ ଓଡ଼ିଶାର ଆଶା ଆକାଙ୍ଖ୍ୟା କୁ ବାସ୍ତବତାର ରୂପ ଦେଇଛି । ଫକୀର ମୋହନ ସେନାପତି ଅଭିମନ୍ୟୁ ଙ୍କ ଭଳି କାଳଜୟୀ ସ୍ରଷ୍ଟା ମାନଙ୍କର କୃତିକୁ ନେଇ ଆଧୁନିକ ଓଡ଼ିଶାର ମୂଳଦୁଆ ସୁଦୃଢ କରିପାରିଥିଲେ ।
ସିପାହୀବିଦ୍ରୋହ ପରେ ପରେ ଓଡ଼ିଶାରେ ବଙ୍ଗାଳୀ ଭାଷାର ପ୍ରାଦୁର୍ଭାବ ବଢିଲା ତାର ଏକ ଜ୍ବଳନ୍ତ ନମୁନା ବାଲେଶ୍ୱର କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ “ଓଡ଼ିଆ ଏକ ଭାଷା ନଏ” । ଓଡ଼ିଆ ଭାଷାର ଜନକ ଫକୀର ମୋହନ ସେନାପତିଙ୍କ ତତ୍ପରତା କାହାକୁ ବା ଅଜଣା । ଫକୀରମୋହନ ତାଙ୍କ ଅତ୍ମ ଆତ୍ମଜୀବନୀରେ ଅଭିମନ୍ୟୁଙ୍କ ଅବଦାନ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, “ ପୂଜ୍ୟପାଦ ଜଗନ୍ନାଥ ଦାସ , ମହାକବି ଉପେନ୍ଦ୍ର ଭଞ୍ଜ, କବିବର ଅଭିମନ୍ୟୁ ଓ ଦୀନକୃଷ୍ଣ ଦାସଙ୍କ ସ୍ୱର୍ଗଗତ ପବିତ୍ର ଅତ୍ମାମାନଙ୍କ ଉଦେଶ୍ୟରେ ଭକ୍ତି ପୂର୍ବକ ବାରମ୍ବାର ନମସ୍କାର କରୁଅଛି । ପ୍ରକୃତରେ ଏହି ମହାତ୍ମାଗଣ ଉତ୍କଳ – ସାହିତ୍ୟ ରକ୍ଷାକାରୀ ଅଟନ୍ତି ଏମାନଙ୍କ ରଚିତ ପୁସ୍ତକାବଳୀ ଉତ୍କଳଭାଷାର ମୂଳ ଦୁଆ ଅଟେ । ଯାବତ୍ ଉତ୍କଳ ଭାଷା ଥିବ, ତାବତ୍ ଏହି ମହାତ୍ମାମାନଙ୍କ ମହିମାନ୍ୱିତ ନାମ ଉତ୍କଳରେ ବିରାଜିତ ରହିଥିବ” । (ଫକୀର ମୋହନଙ୍କ ଆତ୍ମଚରିତ)
ସିପାହୀ ବିଦ୍ରୋହର ବର୍ଷ କେଇଟା ପରେ ଓଡ଼ିଶାରେ ୧୮୬୬ ମସିହାରେ ନଅଙ୍କଦୁର୍ବିକ୍ଷ ଭୟାବହ ରୂପ ନେଲା । ରେଭେନ୍ସା ସାହେବ୍ ଅତ୍ୟନ୍ତ ମ୍ରିୟମାଣ ଓ ଆତ୍ମଗ୍ଲାନିରେ ଥାନ୍ତି। ଏତିକି ବେଳେ କାନ୍ତିଚନ୍ଦ୍ର ଭଟ୍ଟଚାର୍ଯ୍ୟଙ୍କ କଟାକ୍ଷ ଓ ଧମକ, ବାଲେଶ୍ୱରରେ ଜନ୍ ବିମ୍ସଙ୍କ ଜିଲ୍ଲାପାଳ ଦାୟତ୍ୱ ଗ୍ରହଣ, ଫକୀର ମୋହନଙ୍କ ଦ୍ୱାରା ଓଡ଼ିଆ ଛାପାଖାନା ପ୍ରତିଷ୍ଠା ଘଟଣାକୁ ଅଧିକ ଜଟିଳ କରିପକାଇଥାଏ । ଫକୀର ମୋହନଙ୍କ ମୁଣ୍ଡରେ ମଧ୍ୟଯୁଗ କବିମାନଙ୍କ ଲେଖା ମାନ ଆଶାର ସଂଚାର କଲା । ଭାଷାତତ୍ୱବିତ୍ ଭାବେ ବାଲେଶ୍ୱରର ଜିଲ୍ଲାପାଳ ଜନ୍ ବିମ୍ସଙ୍କ ପାଇଁ, କବି ମାନଙ୍କ ଲେଖା ପଢିବାପରେ କୌଣସି ସନ୍ଦେହର ଅବକାଶ ରହିଲା ନାହିଁ । ଫକିରମୋହନ ଓ ଜନ୍ ବିମ୍ସଙ୍କ ଉଦ୍ୟମରେ ରେଭେନ୍ସା ସାହେବ ଓଡ଼ିଆ ଭାଷାକୁ ବଂଚାଇ ରଖିଲେ ।
ମୋଗଲମାନେ ଓଡ଼ିଶାରେ ଧାର୍ମିକ ଅନୁଷ୍ଠାନମାନଙ୍କରେ ବ୍ୟାପକ କ୍ଷୟକ୍ଷତି କରିଥିଲାବେଳେ ମରହଟ୍ଟାମାନେ ଉଦାର ଥିଲେ। ମାତ୍ର ମରହଟ୍ଟାମାନେ ରାଜନୀତି ଓ ଅର୍ଥନୀତିକୁ ବ୍ୟାପକ ବିପର୍ଯ୍ୟୟ ଆଡ଼କୁ ଠେଲିଦେଇଥିଲେ । ଫଳରେ ପରିବାର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଆଡ଼େ ଭୟ ଓ ଆତଙ୍କ ବାତାବରଣ ସୃଷ୍ଟି ହୋଇଥିଲା । ଏହାକୁ ଚିତ୍ରଣ କରିବାକୁ ଯାଇ ଅଭିମନ୍ୟୁ ତାଙ୍କର ଅନନ୍ୟ କାବ୍ୟ ବିଦଗ୍ଧ ଚିନ୍ତାମଣି ରେ ଲେଖିଛନ୍ତି:
“ଘରେ ତ ବସିଲେ ସରେତ ଭାଇ ଅଚଳ ନିଧି,
ଉପାୟ ନ କଲେ କେ ପାଏ କାହିଁ କେଉଁ ସମୃଦ୍ଧି” । (ଛାନ୍ଦ ୧୩)
ଅଭିମନ୍ୟୁ ତାଙ୍କର ଏହି କାବ୍ୟ ଦ୍ଵାରା ସାରା ଓଡ଼ିଶାବାସୀଙ୍କୁ ପ୍ରେରଣା ଦେଇଛନ୍ତି । କବି ଅଭିମନ୍ୟୁଙ୍କ ଦେଶପ୍ରେମର ପ୍ରମାଣ ତାଙ୍କ ସୁଯୋଗ୍ୟ ସନ୍ତାନ ରାମକୃଷ୍ଣ ସାମନ୍ତସିଂହାରଙ୍କ ଠାରେ ଦେଖିବାକୁ ମିଳେ । ୧୮୫୭ ମସିହାରେ ସିପାହି ବିଦ୍ରୋହ ବେଳେ ଶାସନରେ ଅତିଷ୍ଠ ହୋଇ ସାମନ୍ତମାନଙ୍କୁ ଏକାଠି କରି ଇଂରେଜମାନଙ୍କ ବିରୋଧରେ ସଶସ୍ତ୍ର ବିଦ୍ରୋହ ଭାରତ ସ୍ୱାଧିନତା ସଂଗ୍ରାମର ଏକ ବିରଳ ଘଟଣା । ଆଜି ସ୍ୱାଧୀନ ଭାରତ ବର୍ଷରେ ଓଡ଼ିଶା ଅର୍ଥନୈତିକ ବିକାଶ ଜାହିର କରୁଥିବାବେଳେ ସାମାଜିକ ରାଜନୈତିକ ଦୁର୍ଦ୍ଦିନ ଦେଇ ଗତିକରୁଛି । ଏବେ ବି ଅଭିମନ୍ୟୁଙ୍କ ନେତୃତ୍ୱ ଓ ଦିଗଦର୍ଶନ ଆମକୁ ବାଟ ଦେଖାଉଛି ।
Excellent compilation .Rejuvenates the memory of readers. Expect more such writings from the writer.
Thanks Ananta Babu
ଚମତ୍କାର।
Excellent writing and very informative at the same time. Looking forward to read many more of your writing. My best wishes… 🙏
Could know about Odiya Literature and history of our culture and “Bidagdha Chiltamani” of our great writer Srijukta Abhimanyu Samata Singhara. Beautiful narration indeed.
ସାମନ୍ତ ସିଂହାରଙ୍କ କୃତି ବର୍ଣ୍ଣନା ବହୁ ଉଚ୍ଚକୋଟିର।ଧନ୍ୟବାଦ ହୃଦୟରୁ
ପ୍ରୀୟ ଭାଇ ପ୍ରକାଶ ନାୟକଙ୍କୁ।