ମାନଗୋବିନ୍ଦ ହୋତା •
ମାନଗୋବିନ୍ଦ ହୋତାଙ୍କ ଜନ୍ମ ବିବରଣୀ ଠିକ କହି ହେବନାହିଁ । ଆନୁମାନିକ ସମୟ ଉନବିଂଶ ଶତାବ୍ଦି ର ପ୍ରଥମାର୍ଦ୍ଧ ହୋଇପାରେ। ଜନ୍ମ ସ୍ଥାନ ପୁରୀ ଜିଲ୍ଲା ବାଲିପାଟଣା ଥାନା ନିକଟ ଗାରେଡିପାଞ୍ଚଣ ଗ୍ରାମରେ। ଚାଟଶାଳୀ ପର୍ଯ୍ୟନ୍ତ ପାଠ। ଗରିବ ଅବସ୍ଥା ରୁ ଗାଈ ଜଗି ପେଟ ପାଳୁଥିଲେ , ସେହି ଗାଈ ଜଗିବା ସମୟରେ ଗାଇଯାଆନ୍ତି ଅନେକ ଗୀତ ଯାହାକୁ ପରେ କିଏ କାଗଜ କଲମ ରେ ରୁପ ଦେଇଛନ୍ତି କହି ହେବ ନାହିଁ।
ଲୋକଲୋଚନକୁ ଆସିପାରିନଥିବା ପୁରାତନ କବିମାନଙ୍କ ଲେଖା ପାଠକମାନଙ୍କ ଦୃଷ୍ଟିକୁ ଆଣିବା ଉଦ୍ଦେଶ୍ୟରେ ଆମେ ଏହି କବିତାଟି ଏଠାରେ ପ୍ରକାଶ କରୁଛୁ। ଲେଖାଟି ସଂଗ୍ରହ କରି ଆମ ନିକଟକୁ ପଠାଇଥିବାରୁ ଡ଼. ଅଭୟ କୁମାର ଦାଶଙ୍କୁ ବିଶେଷ ଧନ୍ୟବାଦ।
ପୀକ ପଞ୍ଚମ ସ୍ବନ ଡାକିଲା ଘନ ଘନ ସାରସ ମୟୁର ବୋଇଲା
କଖ୍ଖଟି ବୋଲେ ହରି ରଖଟି ଏ ଚାତୁରୀ ଦେଖଟି ଜଟିଳା ଅଇଲା।
ପୀକ ପଂଚମ ସ୍ବନ (ଘୋଷା )
ନନ୍ଦ ମନ୍ଦିରେ ପୁଣି ଶୁଭେ କି ଦ୍ବନ୍ଦ ବାଣୀ ନଗରେ ପ୍ରମାଦ ହୋଇଲା
ଉଠ ମଠ ନକର ଶଠ ରସିକବର ପଡ଼ି ରହିଲେ ଶେଯେ ବୁଡି ଯିବ ଟି ଘର
ବୃଷଭାନୁ ପାଳିକା ସିନା କୁଳ ପାଳିକା ତୁମ୍ଭର କି ଯିବ କି ଦମ୍ଭ ଏ ବେନିକର ହେ ମୋହନ।
ପୀକ ପଂଚମ ସ୍ବନ …
ବାନରୀ ବାଣୀ ଶୁଣି ବଜ୍ର ପରାୟ ମଣି ବେନି ଚିତ୍ତ ଶଂକିତ ହେଲା
ଚଞ୍ଚଳ ନୀଳ ପୀକ ଅଂଚଳ ବିପରିତ ହେଲା ହେ ଦଣ୍ଡ ଭୟ ଦେଲା।
ବନ୍ଦୀ ହେବାରୁ ମନ କାନ୍ଦିଲା କି ନୟନ, ଛନ୍ଦି ଗଳାକୁ ଭୁଜେ ବାନ୍ଧି କମର ରାଜେ
ମନ୍ଦିରକୁ ସେ ରାଜ ନନ୍ଦିନୀ ସଖୀ ସଂଗେ, ମୋହନ ସେ ବହନ ମିଳିଲେ ସେହି ରଂଗେ
ହେ ମୋହନ
ପୀକ ପଂଚମ ସ୍ବନ …
ମଞ୍ଜରୀ ସଖୀ ବୃନ୍ଦ , ନିଜ ସେବା ସମ୍ପଦ ଦ୍ରବ୍ୟ ଘେନି ସେ କଲେ ବିଜେ
ପୁରେ ହେଲେ ଶ୍ରୀମତୀ , ଡରେ କମ୍ପଇ ଛାତି ସୁଚିରେ ଶୟନ ଶେଯେ।
ଡରଡର ଶ୍ୟାମ ଘନ ଥର ଥର ଅପଘନ ଗର ଗର ପ୍ରେମେ ମନ, ଦିଶେ ନଗର ନୀର୍ଜନ
ପାଦେ ପଡୁଛନ୍ତି ଝୁଣ୍ଟି ନିଦେ ଘୁର୍ଣ୍ଣାୟିତ ଦୃଷ୍ଟି
ବନ୍ଦୀ ମନ ରାଧା ପାଶ , ମନ୍ଦିରେ ହେଲେ ପ୍ରବେଶ।
ପୀକ ପଂଚମ ସ୍ବନ …
ସୁତୁଳିକା ସୁଖ ଶେଯ ସୁଚିଲେ ମୋହନ ରାଜ
ସୁର ସେ କ୍ଷଣି ଉଦେ ହେଲେ
ଶ୍ୟାମ ଦରଶନେ ମନ ପୂର୍ଣମାସୀ ସେ ଦିନ
ନନ୍ଦ ମନ୍ଦିରେ ପ୍ରବେଶିଲେ।
ରାଣୀ ତାଂକ ଚରଣ ପଡୁ ପଢିଲେ ବାଣୀ
ଶତାୟୁ ହୋଇ ଥାଉ ମୋ ପ୍ରାଣ ବଂଶୀ ପାଣି
ଶ୍ରୀମୁଖ ଦେଖିବାକୁ ଆସିଛି ଆସ ଯିବା
କିହୋ ମୋହନ ଉଠ ନାଗର ହେଲା ଦିବା ହେ ମୋହନ।
ପୀକ ପଂଚମ ସ୍ବନ …
ସେକାଳେ ଯଶୋମତି ପଲଙ୍କ ତଳେ ସ୍ଥିତି
ଶ୍ରୀଅଂଗେ ହସ୍ତ ଦେଇ ବୋଲେ
ଆହା ମୋ ନୀଳମଣି ଅଙ୍ଗ କି ହୋଇ ଲାଣି
ନ ଖାଏ ଲବଣୀ ଦେଲେ।
ବୋଲେ ମାନଗୋବିନ୍ଦ ବୁଡି ମଲି ମୁଁ ମନ୍ଦ
ଶୁଣି ହସିବେ ମୋତେ ବ୍ରଜ ରସିକ ବୃନ୍ଦ
ଯହିଁ ରେ କବିରାଜ ଗୋସ୍ବାମୀ ଗ୍ରନ୍ଥକାର
ତହିଁ ବର୍ଣିବସିଲି ଦେଖ ମୋ ଅହଂକାର
କଲେ ସାଧୁ ଧିକ୍କାର ସେହି ମୋତେ ସତ୍କାର
ମୁନି ପରି ହେ ଘେନି , କରୁ ଅଛି ଫୁତକାର ହେ ମୋହନ
ପୀକ ପଂଚମ ସ୍ବନ ….
ଡାକିଲା ଘନ ଘନ ସାରସ ମୟୁର ବୋଇଲା
କଖ୍ଖଟି ବୋଲେ ହରି ରଖଟି ଏ ଚାତୁରୀ ଦେଖଟି ଜଟିଳା ଅଇଲା।