ଭାଷାଗତ ବିସଂଗତି ଓ ସାହିତ୍ୟ

ଓଡ଼ିଆ ଭାଷା ଯେ ବର୍ତ୍ତମାନ କତିପୟ ଭାଷାଗତ ବିସଂଗତି ଓ ଦ୍ବନ୍ଦ୍ବର ସମ୍ମୁଖୀନ ଏଥିରେ ସନ୍ଦେହ ନାହିଁ। ସାହିତ୍ୟ ଜଗତ ହେଉଛି ମୁଖ୍ୟତଃ ଶବ୍ଦାଶ୍ରୟୀ ଏବଂ ଭାଷାର ସ୍ଥିତି ଓ ସଂକଟ ସହିତ ତାହାର ନିବିଡ଼ ସଂପର୍କ ରହିଛି। ତେଣୁ ଏହି ପ୍ରସଙ୍ଗରେ ଲେଖକ ସମାଜର ଉଦ୍ବେଗ ଯଥାର୍ଥ। ଏଭଳି ଵିସଂଗତିଗୁଡ଼ିକର ଅବିଳମ୍ବ ସମାଧାନ ଆମର ଭାଷା ଓ ସାହିତ୍ୟର ଅଗ୍ରଗତିରେ ଵିଶେଷ ସହାୟକ ହେବ। ଓଡ଼ିଆ ବର୍ଣ୍ଣମାଳାର ସଠିକ ଅକ୍ଷର ସଂଖ୍ୟା ଏ ପର୍ଯ୍ୟନ୍ତ ନିରୂପଣ ହୋଇପାରିନାହିଁ ଏବଂ ଏ ବିଷୟ ନେଇ ଏ ପର୍ଯ୍ୟନ୍ତ ବି ବିତର୍କ ଚାଲିଛି। ‘ଜ୍ଞ’ ଅକ୍ଷରଟି ଏ ପର୍ଯ୍ୟନ୍ତ ଆମ ବର୍ଣ୍ଣମାଳାରେ ସାମିଲ୍ ହୋଇପାରିନାହିଁ। ଅଥଚ ବ୍ୟାବହାରିକ ଉପଯୋଗିତା ନ ଥିବା କେତେକ ଲୁପ୍ତପ୍ରାୟ ଅକ୍ଷର ତଥା ଯୁକ୍ତାକ୍ଷର ଶିଖିବା ପାଇଁ ଆମ ପିଲାଏ ବାଧ୍ୟ ହେଉଛନ୍ତି। ଏଣେ ଆମ କମ୍ପ୍ୟୁଟର କିବୋର୍ଡ଼୍ ରେ ମଧ୍ୟ ୱ ନାମକ ଅକ୍ଷରଟିର ଅନୁପ୍ରବେଶ ଘଟିଲାଣି।

ଏଭଳି ଅନେକ ବିସଂଗତି ମଧ୍ୟ ଦେଇ ଗତି କରୁଛି ଆମର ଭାଷା। ଦ୍ବିତୀୟତଃ ଲିଖିତ ଭାଷା ଓ ସାହିତ୍ୟରେ କ୍ଲିଷ୍ଟ ଓ ଆଭିଧାନିକ ଶବ୍ଦର ବହୁଳ ବ୍ୟବହାର ସାଧାରଣ ପାଠକମାନଙ୍କୁ ସାହିତ୍ୟଠାରୁ କ୍ରମଶଃ ଦୂରେଇ ନେଉଛି। ଫଳରେ ସାହିତ୍ୟ ଆଜି ଅଭିଜାତ ଶ୍ରେଣୀର ସଂପତ୍ତି ସାଜି ନିଜର ସୀମିତ ଗୁମ୍ଫା ମଧ୍ୟରେ ବନ୍ଦୀ ହୋଇ ରହିଛି। ଯେତେଦିନ ପର୍ଯ୍ୟନ୍ତ ଆମେ ଆମର ସାହିତ୍ୟକୁ ଶ୍ରେଣୀ-ସାହିତ୍ୟରୁ ଗଣ-ସାହିତ୍ୟରେ ପରିବର୍ତ୍ତିତ ନ କରିପାରିବା ସେତେଦିନ ପର୍ଯ୍ୟନ୍ତ ଏହାର ଭବିଷ୍ୟତ ଅନିଶ୍ଚିତ ହୋଇ ରହିଥିବ।

ଏଠାରେ ଅବଶ୍ୟ ଆମେ ଆମ ଐତିହ୍ୟ ସଂପନ୍ନ ପୁରାତନ ସାହିତ୍ୟର ଅପୂର୍ବ ଶାବ୍ଦିକ ଓ ଭାଷାଗତ ସମ୍ଭାରକୁ ଅଣଦେଖା କରିବାର କଥା କହୁନାହୁଁ। ଏହାତ ଆମ ସାହିତ୍ୟର ଗୌରବମୟ ସମ୍ପଦ ଏବଂ ଏହାକୁ ଜୀବିତ ରଖି ରୁଦ୍ଧିମନ୍ତ ଓ ପ୍ରସାରିତ କରିବା ଆମର ପବିତ୍ର କର୍ତ୍ତବ୍ୟ। କିନ୍ତୁ ଏହା ସେଭଳି ସାହିତ୍ୟରେ ରୁଚି ରଖୁଥିବା ଲେଖକ ଓ ପାଠକଙ୍କ ମଧ୍ୟରେ ବିକଶିତ ହେଉ। ଏହା ସହିତ ସାମନ୍ତରିକ ଭାବରେ ସାହିତ୍ୟକୁ ଗଣଙ୍କ ମଧ୍ୟରେ ଆଦୃତ କରିବାପାଇଁ ଦେଶଜ ଓ କଥିତ ଭାଷାରେ ସାହିତ୍ୟ ସୃଷ୍ଟିକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉ।

ସାଦର
ନିହାର ଶତପଥୀ
ସମ୍ପାଦକ

2 thoughts on “ଭାଷାଗତ ବିସଂଗତି ଓ ସାହିତ୍ୟ

  1. ନିଶ୍ଚୟ। ଅତି ଉତ୍ତମ ପ୍ରସ୍ତାବ।

  2. The editor’s efforts for the cause of literature are commendable. His sincere involvement for the cause of literature is quite inspiring for us. This new venture is a token of the latest love that Nihar babu has for literature. The editorial is a reflection of his positivity to move with his efforts. The selections are testimony to that effect.

Leave a Reply

Your email address will not be published. Required fields are marked *