ଖରାଛୁଟି

ସୁକାନ୍ତି ମହାପାତ୍ର

ଦ୍ବାଦଶ ଶ୍ରେଣୀ ପରୀକ୍ଷା ସରି ଯାଇଥାଏ। ମନରେ ଉଲ୍ଲାସ ଓ ଉନ୍ମାଦନା। ରେଜଲ୍ଟ ବାହାରିବା ଯାଏ ଲମ୍ବା ଛୁଟି। ମୋର ସେଇ ତାଳ, ତମାଳର ଗାଆଁ, ଅମିତ ସ୍ବାଧିନତା, ଧୂ ଧୂ ଦ୍ଵିପ୍ରହରେ ସାଙ୍ଗମାନଙ୍କ ସହ ତାସ୍ ଖେଳ। କବିତା, ଗଳ୍ପ, ଉପନ୍ୟାସ ପଢ଼ା, ତଦୁପରି ଗାଁ ପୁଷ୍କରିଣୀ ରେ ଦୀର୍ଘ ସମୟ ସନ୍ତରଣ। ସଞ୍ଜବେଳେ ଆମ ମନ୍ଦିରରେ ସନ୍ଧ୍ୟା ଆରତୀ, ଏସବୁ ମିଶି ମନକୁ ପୁଲକିତ କରି ତୋଳୁଥିଲା। 
ଘରକୁ ଛୁଟିରେ ଆସିବାର ଚତୁର୍ଥ ଦିନ। ନିଛାଟିଆ ଖରାବେଳ ଯେତେବେଳେ ପ୍ରାଣକୁ ଅକାରଣେ ଉଦବେଳ କରିବାକୁ ଲାଗିଲା, ମୁଁ ଚାଲିଲି ମୋର ତାସ୍ ପାର୍ଟନର ମାନଙ୍କୁ ଡାକିବାକୁ, ମଝିଆଁ ଠାକୁରବାପା ଙ୍କ ଘରକୁ। ଘର ଭିତରକୁ ପଶିଲା ବେଳକୁ ଶୁଣିଲି ତାଙ୍କର ଡାକ। ନାତି, ନାତୁଣୀ ମାନଙ୍କ ନାଁ ଧରି ଜଣ ପରେ ଜଣକୁ ଡାକୁଥାନ୍ତି। କାହାକୁ ଆସିବାର ନ ଦେଖି ମୁଁ ନିଜେ ଗଲି। 
ଏଇଠି ଠାକୁରବାପାଙ୍କ ସମ୍ବନ୍ଧରେ କିଛି କହିରଖେ। ସେ ଥିଲେ କାଏଦା ଦୁର୍ଗାପୁର ( ଆମ ଗାଆଁ) ର ଶେଷ ଜମିଦାରଙ୍କ ମଧ୍ୟମ ପୁତ୍ର, ରମେଶଚନ୍ଦ୍ର ମାନଧାତା ମଙ୍ଗରାଜ ମହାପାତ୍ର। ମୋ ଜନ୍ମ ବେଳକୁ ଯେହେତୁ ଜମିଦାରୀ ଉଚ୍ଛେଦ ହୋଇ ସାରିଥିଲା, ମୋ ପାଇଁ ସେ ସବୁ ଗରିମାମୟ ଐତିହ୍ୟ କାହାଣୀ ମାତ୍ର। ଠାକୁରବାପା ଥିଲେ ଅସୁସ୍ଥ, ଚଳତଶକ୍ତିକ୍ଷମ। ବୟସ ଶତାଅଶୀ। ବୟସ ଓ ରୋଗର ପ୍ରଭାବରେ ଶରୀର ବାଙ୍କି ଯାଇଥିଲା, ଆଖି ଦୁଇଟି ନିଷ୍ପ୍ରଭ। ସେ ଅଞ୍ଚଳର ପ୍ରଚୁର ପ୍ରତିଭାବାନ, ପ୍ରଭାବଶାଳୀ, ଜ୍ଞାନୀ, ଗୁଣୀ ବ୍ୟକ୍ତି। 


ସେ ବସିଥିଲେ ତାଙ୍କ ଟ୍ରେଜେରୀ ବଙ୍ଗଳାରେ। ମୁଁ ଆସି ତାଙ୍କ ଆଗରେ ଆଣ୍ଠୁମାଡ଼ି ବସିପଡ଼ିଲି। ଭାବିଲି, ସେ ଏତେ ଡାକୁଛନ୍ତି, କିଛି ନିଶ୍ଚୟ ଦରକାର ଥିବ। ପଚାରିଲି,” ଠାକୁରବାପା, କାହିଁକି ଡାକୁଥିଲେ?” ସେ ମୋ ଆଡ଼କୁ କିଛି ସମୟ ଚାହିଁଲେ, ହୁଏତ ଭାବୁଥିଲେ, କହିବେ କି ନାହିଁ, ମୋର ବ୍ୟଗ୍ରତା ଓ ଆଗ୍ରହ ଦେଖି ଶେଷରେ କହିଲେ,” ପୁଅ ମୋ ପାଇଁ ଲାଇବ୍ରେରୀ ରୁ ବହି ଆଣିଦେଇଛି, ମୋତେ କେହି ପଢ଼ି ଶୁଣାଇଦେବେ, ମୁଁ ସେଥିପାଇଁ ଡାକୁଛି।”  ଆଙ୍ଗୁଠି ଠାରି ସେ ମୋତେ ବହି ଦେଖାଇଦେଲେ। ଆର୍ତ୍ତତ୍ରାଣ ମିଶ୍ରଙ୍କର ଭ୍ରମଣକାହାଣୀ ” ତୁଷାରତୀର୍ଥ ଅମରନାଥ”। ବହିଟି ହାତରେ ଧରି କି ଏକ ପ୍ରେରଣାରେ ମୁଁ ତାଙ୍କୁ କହିଲି, ” ଠାକୁରବାପା, ମୁଁ ପଢ଼ି ଶୁଣେଇଦେବି?” ସେ ମୋତେ ପୁଣିଥରେ ଚାହିଁଲେ। ସେ ଆଖିରେ କୃତଜ୍ଞତା ଥିଲା। ସେ ମୁଣ୍ଡ ହଲାଇ ସ୍ବୀକୃତି ଦେଲେ। ମୁଁ ଭୁଲିଗଲି ମୋର ତାସ୍ ଖେଳିବାର ଥିଲା। ମୁଁ ବହି ପଢ଼ିବାକୁ ଲାଗିଲି। ସେ ଖୁବ୍ ମନଦେଇ ଶୁଣୁଥିଲେ। ମଝିରେ ଠାକୁରମାଆ ବି ଆସି ପାଖରେ ବସିଲେ। ଦିନର ଆଲୁଅ ସରିଆସିଲା, ମନ୍ଦିରରେ ଆରତୀ ଘଣ୍ଟା ବାଜିଲା। ଠାକୁରବାପା ଜାଣନ୍ତି ମୁଁ ଆରତୀ ବେଳେ ଅନୁପସ୍ଥିତ ରହେ ନାହିଁ। ସେ କହିଲେ, ” ସୁକାନ୍ତି, ଯାଆ। କିନ୍ତୁ ଆରତୀପରେ ଆସିବୁ”।


ମୁଁ ଆସିଲି। ଘରେ ଖାଲି ମାଆଙ୍କୁ କହି ଆସିଥିଲି। କିନ୍ତୁ ଠାକୁରବାପାଙ୍କ ଘରକୁ ପଶିଯାଇ ଅବାକ୍ ହୋଇଗଲି। ଏତେ ଲୋକ? ଏତେ ଲୋକ କ’ଣ ପାଇଁ? ପରେ ଜାଣିଲି ଠାକୁରବାପା ଅସୁସ୍ଥ ହେବାପରେ ସବୁଦିନ ସନ୍ଧ୍ୟାରେ ତାଙ୍କ ପାଖକୁ ଗାଆଁର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଆସନ୍ତି। ତାଙ୍କ ସହ ବିଭିନ୍ନ କଥା ଆଲୋଚନା କରନ୍ତି। ସେଦିନ ସେମାନଙ୍କୁ ଦେଖି ମୁଁ ସଂକୋଚ ଅନୁଭବ କଲି, ଫେରିଯିବି ଭାବୁଥିଲି, ଠାକୁରବାପା ଡାକିଲେ, ” ସୁକାନ୍ତି, ଆ.. ଫେରିଯାଉଛୁ କୁଆଡେ଼?” ସମସ୍ତଙ୍କ ଆଖି ଏକାସାଙ୍ଗରେ ମୋ ଆଡ଼କୁ ଆସିଲା। ମୁଁ ଥିରକିନା ଯାଇ ଠାକୁରବାପାଙ୍କ ପାଖରେ ବସିଲି। ସେ ମୋତେ ନିର୍ଦ୍ଦେଶ ଦେଲେ ବହି ପଢିବାକୁ।
ମୁଁ ପଢୁଥାଏ, ସମସ୍ତେ ଶୁଣୁଥାନ୍ତି। ସେଇ ସମାବେଶରେ ଜଣେ ଶିକ୍ଷାବିତ୍ ଥିଲେ, ମୋର ଜଣେ ବନ୍ଧୁର ବାପା। ସେ ପ୍ରସ୍ତାବ ଦେଲେ, ଯେହେତୁ ସନ୍ଧ୍ୟାରେ ଅନେକ ଜନସମାବେଶ ହେଉଛି, ମୁଁ କିଛି   ଏପରି ବହି ପଢ଼ିବା ଦରକାର, ଯାହା ସମସ୍ତଙ୍କ ହୃଦୟଗ୍ରାହୀ ହେବ। ସର୍ବସମ୍ମତିକ୍ରମେ ସ୍ଥିର ହେଲା ପଢିବି ମହାତ୍ମା ତୁଳସୀ ଦାସଙ୍କ ରାମଚରିତ ମାନସ। କେବଳ ସନ୍ଧ୍ୟା ବେଳେ। ଅନ୍ୟସମୟରେ ମୁଁ ଆଉକିଛି ପଢିପାରେ।
ଏ କାହାଣୀ ଏକ ସାଧାରଣ କାହାଣୀ ନୁହେଁ। ମୋ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅନୁଭୂତି। ଅଧ୍ୟାତ୍ମ ଜଗତ ଭିତରକୁ ମୋର ସନିର୍ବନ୍ଧ ପ୍ରବେଶ। ବ୍ୟାସାସନ ଉପରେ ରାମଚରିତ ମାନସ ରଖି ପଢ଼ା ଆରମ୍ଭ କରିବା ପୂର୍ବରୁ ଠାକୁରବାପା ମୋତେ କହିଥିଲେ ହାତଯୋଡି ଆଖି ବନ୍ଦକରି ପ୍ରଭୁ ରାମଚନ୍ଦ୍ର ଙ୍କୁ ଧ୍ୟାନ କରିବାକୁ। ବୋଲିବାକୁ… ରାମଲକ୍ଷ୍ମଣ ପୂର୍ବଜମ୍ ରଘୁବରଂ ସୀତାପତିଂ ସୁନ୍ଦରମ୍…। ସେ ଅନୁଭବ ଅବର୍ଣ୍ଣନୀୟ। ମୋ ସମ୍ମୁଖରେ ଏକ ସୁଧୀ ଶ୍ରୋତା ମଣ୍ଡଳୀ। ମୁଁ ସତର ବର୍ଷର ଝିଅ। ହଜିଯାଇଛି ଅନ୍ତରକୁ ଆପ୍ଳୁତ କରୁଥିବା ସେ ଦୋହା ମଧ୍ୟରେ। ଏକ ନିରବ ଆଧ୍ୟାତ୍ମିକ ପରିବେଶ ଭିତରେ।
ମୋର ଖରାଛୁଟି ଏମିତି ବିତିଥିଲା ସେ ବର୍ଷ। ସକାଳ ଛଅଟା ହୋଇନଥାଏ ଠାକୁରମାଆ ଡାକ ପକାନ୍ତି, ” ସୁକାନ୍ତି, ଶୀଘ୍ର ଆ, ଠାକୁରବାପା ଡାକୁଛନ୍ତି”। ସେତେବେଳକୁ ମୋର ଫୁଲତୋଳା, ସ୍ନାନ, ପ୍ରାତରାଶ ସରି ଯାଇଥାଏ। ମୁଁ ଆସି ବସେ ଠାକୁରବାପାଙ୍କ ପାଖରେ। ସେ ବହୁତ ମଜା ମଜା କଥା କହନ୍ତି, ମୁଁ ହସି ହସି ଗଡି ଯାଏ। ମୁଁ ବହି ପଢ଼ି ଶୁଣାଏ, ସୁରେନ୍ଦ୍ର ମହାନ୍ତିଙ୍କ ନୀଳଶୈଳ, ନୀଳାଦ୍ରି ବିଜୟ, ମହତାବଙ୍କ ଓଡ଼ିଶା ଇତିହାସ। କେବେ କେବେ ବହି ବନ୍ଦ କରି ଆମେ କଥା ହେଉ। ଏକାଠି ହସୁ। ଠାକୁରମାଆଙ୍କ ସହ ମଜା କରନ୍ତି ଠାକୁର ବାପା। ତାଙ୍କ ନାଆଁ ସୁଭଦ୍ରା। ତାଙ୍କୁ କାଳିଆ ଭଉଣୀ ଡାକନ୍ତି। ଠାକୁରମାଆ କେବେକେବେ ତାଙ୍କ ରୂପା ନାଶଦାନି ଘର ଭିତରୁ ଆଣି ଦେବାକୁ କହନ୍ତି। ଠାକୁରବାପା ସେତେବେଳେ ହସି ହସି କହନ୍ତି, ” ଡେରି କରନା ସୁକାନ୍ତି, ଜାଣିନୁ, ଦୋକ୍ତା, ମୁକ୍ତା ଦ୍ଵୟୋର୍ମଧ୍ୟେ ଦୋକ୍ତା ଏବ ଗରିୟସୀ?” ସେ ମଧୁର ପରିହାସ ଏତେ ବୟସରେ ବି ତାଙ୍କ ଅନାବିଳ ଦାମ୍ପତ୍ୟ ପ୍ରେମର ନିଦର୍ଶନ ଥିଲା। ଠାକୁରମାଆ ଲାଜେଇ ଯାଉଥିଲେ। ମୁଁ ଉପଭୋଗ କରୁଥିଲି। ଠାକୁରମାଆ କହନ୍ତି, ବିଗତ ସାତବର୍ଷ ଧରି ଠାକୁରବାପା ଆଦୌ ହସିନଥିଲେ। 
ଯେଉଁଦିନ ମୋ ପରୀକ୍ଷା ଫଳ ବାହାରିବା ଖବର ପାଇଲି, ଠାକୁରବାପା କହିଲେ, ଆଖି ବନ୍ଦକରି ରାମଚରିତ ମାନସ ଖୋଲିବାକୁ। ଆଖି ଖୋଲି ଯେଉଁ ଦୋହା ଉପରେ ପ୍ରଥମ ଦୃଷ୍ଟି ପଡୁଛି ପଢ଼ିବାକୁ। ସେ ଦୋହା ରାମଚନ୍ଦ୍ର ଙ୍କ ବିଜୟ ସମ୍ବାଦ ସୀତାଙ୍କ ପାଖରେ ପହଞ୍ଚିବାର ଦୋହା। ଠାକୁରବାପା କହିଲେ, ତୋର ପରୀକ୍ଷା ଫଳ ବହୁତ ଭଲ ହେବ। ମୁଁ ପ୍ରଥମଶ୍ରେଣୀରେ ପାସ୍ କରିଥିଲି, ଫକୀରମୋହନ କଲେଜରେ ସେ ବର୍ଷ ୨୫୬ ପିଲାଙ୍କ ଭିତରୁ ୧୧ ଜଣ ମାତ୍ର ଫାଷ୍ଟକ୍ଳାସ୍ ପାଇଥିଲେ।
ତିନିମାସ ରୁ ଉର୍ଦ୍ଧ୍ବ ସମୟ ମୋର ବିତିଥିଲା ଠାକୁରବାପାଙ୍କ ସହିତ। ବି.ଏ ପଢ଼ିବାକୁ ହଷ୍ଟେଲ ଯିବା ଦିନ ଯେତେବେଳେ ପ୍ରଣାମ କଲି, ମୋ ମଥାରେ ହାତରଖି ଭୋ ଭୋ ହୋଇ କାନ୍ଦିଉଠିଲେ ସେ। ମୋର ସମସ୍ତ ପଥ ଧୂମାଭ ହୋଇଯାଇଥିଲା ସେଦିନ।

Leave a Reply

Your email address will not be published. Required fields are marked *