(ଅ) ସାହିତ୍ୟିକର ପରିଚୟ

ସୌମ୍ୟଶ୍ରୀ ପାଣିଗ୍ରାହୀ

ଗତକାଲି ଏକ ପ୍ରମୁଖ ସମ୍ବାଦପତ୍ରରେ ଲେଖାଟିଏ ପଢିଲି। ଏବେର ନୂଆ ନୂଆ ଲେଖକମାନଙ୍କୁ ଲକ୍ଷ୍ୟକରି ଖୁବ୍ ଶାଣିତ ବ୍ୟଙ୍ଗ ମାଧ୍ୟମରେ ପ୍ରକାରାନ୍ତରେ ଧିକ୍କାର କରିଛନ୍ତି ସେ। ପ୍ରକୃତରେ ଏବେ ନାଁ ନେବାରେ ପ୍ରତିଯୋଗିତା ଚାଲିଛି, କିଏ କୋତୋଟି କବିତା ଲେଖିଲା, କୋତୋଟି ଖବରକାଗଜ ଓ ପତ୍ରପତ୍ରିକାରେ ବାହାରିଲା, କେଇଟା କବିତା/ଗପ ହେଇଗଲେ ବହିଟିଏ କରିବା, ଖୁବ୍ ଜାକଯକମରେ ଉଦ୍‌ଘାଟନ କରିବା ଏବଂ ପୁରସ୍କାର ଗୋଟେ ଅଧେ ଯେମିତି ବି ହେଉ ହାସଲ କରିବା। ଏତିକି ପର୍ଯ୍ୟନ୍ତ ସେମାନଙ୍କର ସ୍ୱପ୍ନ । ଆଉ ଏବେର ଇଣ୍ଟରନେଟ ଯୁଗରେ ଫେସବୁକ୍‌ରେ ଫଟୋ ଛାଡ଼ି ଲାଇକ୍ ଓ ସେୟାର କରିବା ହିଁ ସେମାନଙ୍କର ମୂଳମନ୍ତ୍ର। ସେଠି ନା କବିତାର ଚିହ୍ନବର୍ଣ୍ଣ ଅଛି ନା ସାହିତ୍ୟର ରୁଚିଶୀଳ ସମ୍ଭ୍ରାନ୍ତ ପରିଚୟ ଅଛି। ଅଛି ଖାଲି ଶସ୍ତା ଲୋକପ୍ରିୟତା ହାତେଇବାର ପ୍ରତିଯୋଗିତା। ଏମାନଙ୍କୁ ସାହିତ୍ୟିକରମର୍ଯ୍ୟାଦା ଦେଇ ମୁଣ୍ଡରେ ବସେଇ ହବ କି?
ଏଇଠି ମୋର ଜଣେ ସାଙ୍ଗର କଥା ମନେ ପଡୁଛି। ମୁଁ କଲେଜରେ ପଢିଲା ବେଳେ କେବେ କେମିତି କବିତା, ଗପ ଆଦି ଲେଖାଲେଖି କରୁଥିଲି। ନିଜକୁ କେବେ କବି ବୋଲାଇବାର ଧୃଷ୍ଟତା ମୁଁ କରିନଥିଲି। ମାତ୍ର ଦୈବାତ କୌଣସି ପତ୍ରିକାରୁ ମୋର କବିତାଟିଏ ପଢି ସେ ସାଙ୍ଗଟି ମୋ ପାଖରେ ଆସି ପହଞ୍ଚିଲା। ଏକା ଜିଦ୍ ତା’ର ସେ ବି କବିତା ଲେଖିବ। ନୁଆ ନୁଆ ପ୍ରେମ କରୁଥିବାରୁ ରୋମାଣ୍ଟିକ କବିତାରୁ ସେ ଲେଖା ଆରମ୍ଭ କରିବ ଓ ମୁଁ ତା’କୁ କବିତା ଲେଖାର କଳା କୌଶଳ ସବୁ ଶିଖେଇବି। ମୁଁ ଯେତେ ବୁଝେଇଲେ ବି ସେ ଯେତେବେଳେ ନବୁଝିଲା, ବାଧ୍ୟ ହୋଇ ମୁଁ ରାଜି ହେଲି। ରାତିରେ ଏକୁଟିଆ ବେଳେ ଆସିବାକୁ କହି ବିଦାକଲି।
ରାତିରେ ମୁଁ ଖାଇସାରି ମୋ ରୁମକୁ ଫେରିଲା ବେଳକୁ ସେ ମୋ ରୁମ୍ ସାମ୍ନାରେ ବସିଛି। ପଚାରିବାରୁ କହିଲା, କବିତା ଲେଖିବା ପରା। ମୁଁ ଭାବିଲି, ୟା ମୁଣ୍ଡକୁ ପୁଣି କବିତା ଭୁତ ଚଢିଛି। ହଉ, ନିରୋଳା ଜାଗାଟେକୁ ଯିବା। ଛାତ ଉପରେ ଯାଇ ବସିଲୁ। ମୁଁ ବୁଝେଇଲି, କବିତା ଲେଖିବା ପାଇଁ ଭାବନା ଲୋଡ଼ା। ପ୍ରକୃତି ଓ ପରିବେଶ ସହ ନିଜକୁ ଏକାକାର କରିବାକୁ ହେବ, ତା’ପରେ ମନରେ ଥିବା ଚିନ୍ତାକୁ ଶବ୍ଦର ରୂପ ଦେବାକୁ ହେବ, ପୁଣି ଶବ୍ଦକୁ ଶବ୍ଦ ଯୋଡ଼ି ଆଗକୁ ଗଢିବାକୁ ହେବ, ପଦ ପରେ ପଦ। ଏସବୁ କଥା ସେ ବୁଝିଗଲା ପରି ମୁଣ୍ଡ ଟୁଙ୍ଗାରିଲା ଓ ଉପରକୁ ମୁଣ୍ଡ କରି ଦୀର୍ଘଶ୍ୱାସଟେ ପକେଇଲା।


ଶରତ ଋତୁର ଆକାଶ। ମେଘ ଉହାଡରେ ଜହ୍ନ ଲୁଚକାଳି ଖେଳୁଥାଏ। ହଠାତ୍ ସେ କହିଲା, ‘ଆହ କି ସୁନ୍ଦର ଜହ୍ନରାତି’। ମୁଁ କହିଲି, ଅତି ସୁନ୍ଦର। ପ୍ରଥମ ଧାଡ଼ି ମିଳିଗଲା ଏବେ ୟା ସହ ତାଳ ଦେଲାପରି ଆଉ ଗୋଟେ ଧାଡ଼ି ଦରକାର। ଏଥର ଢେର ସମୟ ନୀରବ ରହିଲା ପରେ ସେ ଯେଉଁ ପଦଟି କହିଲା, ମୁଁ ହସ ସମ୍ଭାଳି ପାରିଲି ନାହିଁ। ପ୍ରଥମ ଧାଡ଼ିର ଶେଷ ଶବ୍ଦ ‘ଜହ୍ନରାତି’ ସହ ପଦ ମିଳେଇବା ପାଇଁ ସେ ଯେଉଁ ଶବ୍ଦଟି ବାଛିଥିଲା, ଆପଣ ବି ଶୁଣିଲେ ହସିବେ। କହିବା ବାହୁଲ୍ୟ ଯେ, ତା’ର ପ୍ରଥମ କବିତାର ପଦଟି ଥିଲା, ‘ଆହା କି’ ସୁନ୍ଦର ଜହ୍ନରାତି … ଉଡ଼ି ଯାଉଛନ୍ତି ଦଳେ ହାତୀ ..!!
ମାନୁଛି, କବିର କଳ୍ପନା ଅଦ୍ଭୁତ। ମାତ୍ର ତା’ବୋଲି ଯେ ହାତୀ ବି ଉଡ଼ିଯିବେ, ଏକଥା ମୁଁ ଗ୍ରହଣ କରିପାରିବି ନାହିଁ। ତାକୁ ବୁଝେଇଲି, ଖାଲି ଶବ୍ଦକୁ ଶବ୍ଦ ଯୋଡ଼ିଦେଲେ କବିତା ହୋଇଯାଏନା, ସେଥିପାଇଁ ଭାବନା ଲୋଡ଼ା, ଶବ୍ଦ ଉପରେ ନିୟନ୍ତ୍ରଣ ଲୋଡ଼ା ପୁଣି ପାଠକ ବା ଶ୍ରୋତାମାନଙ୍କର ଗ୍ରହଣୀୟତା ମଧ୍ୟ ଲୋଡ଼ା। ଯାହା ତାହା ଲେଖି ଛାପିଦେଲେ ପାଠକଟେ କାହିଁକି ପଢିବ? ୧୦ଟି ବହି ଜେରକ୍ସ କରି ଉଦ୍‌ଘାଟନ କରିଦେଇ ରାଜା ରାମମୋହନ ରାୟ ଲାଇବ୍ରେରୀର ଚୟନକୁ ଅନେଇ ବସିଥିବେ। ସେତିକି ହୋଇଗଲେ ବାକି ବହି ଛପାଯିବ, ନହେଲେ ସେ ବହିର ଯାତ୍ରା ସେଇ ୧୦ଟିରେ ସମାପ୍ତ।
ଧିକ୍ ଏମିତି କବି ଓ ଲେଖକଙ୍କୁ, ଯେଉଁମାନେ କେବଳ ସଂଖ୍ୟାର ପ୍ରତିଯୋଗିତାରେ ବିଶ୍ୱାସ କରନ୍ତି। ନିକଟରେ ଜଣେ ଲେଖକଙ୍କୁ ଭେଟିଥିଲି, ଯାହାଙ୍କର ସମୁଦାୟ ପ୍ରକାଶିତ ବହି ସଂଖ୍ୟା ୭୨୩ ଏବଂ ୨୨ଟି ବହି ମୁଦ୍ରଣ ଅପେକ୍ଷାରେ ଅଛି। ମୁଁ ଏ କଥା ଶୁଣିବା ପରେ ଚକିତ ହେଲି ଯେ, ଏତେ ସଂଖ୍ୟକ ବହି ସେ ଲେଖିଲେ କେମିତି ଏବଂ ସେ ସବୁ ବହିକୁ କେହି ପଢନ୍ତି ନା ସେ କେବଳ ପ୍ରକାଶ କରି ନିଜ ପାଖରେ ରଖନ୍ତି? ଯଦି ଅନୁସନ୍ଧାନ ପରେ ଏହା ସତ୍ୟ ହୋଇଥାଏ ତେବେ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ‘ନୋବେଲ ପୁରସ୍କାର’ ମଧ୍ୟ ତାଙ୍କ ପ୍ରତିଭା ଆଗରେ ଛୋଟ ପଡ଼ିଯିବ। ନିଜକୁ କବି, ପ୍ରାବନ୍ଧିକ, ଗାଳ୍ପିକ, ସାହିତ୍ୟିକ ଓ ସଂଗଠକ ଆଦି ସବୁକିଛି ବୋଲାଉଥିବା ଏପରି ଭଣ୍ଡ ସାହିତ୍ୟିକମାନଙ୍କୁ ମୋର ଦୂରରୁ ଥାଇ ଭୂମିଷ୍ଠ ପ୍ରଣାମ। ଏମାନଙ୍କୁ ଯଦି ସାହିତ୍ୟିକ ମର୍ଯ୍ୟାଦା ଦେଇ ଆସନରେ ବସାଇ ସମ୍ମାନ ଦେବା, ତେବେ ଭାଷାର ଅପମାନ ହେବା ହିଁ ସାର ହେବ। ଆଉ କିଛି ନୁହେଁ।

One thought on “(ଅ) ସାହିତ୍ୟିକର ପରିଚୟ

  1. ଲେଖାଟି ବହୁତ ମଜା ଲାଗିଲା। ବର୍ତ୍ତମାନ କାଳରେ ସାହିତ୍ୟରେ ଏମିତି ଦୂରବସ୍ଥା ଦେଖା ଦେଇଛି। ସୁନ୍ଦର ଉପସ୍ଥାପନା କଲେ।

Leave a Reply

Your email address will not be published. Required fields are marked *