ଶରତ ଋତୁର ପ୍ରବେଶ ହୁଅନ୍ତେ
ଇନ୍ଦିନ୍ଦର ଦେଖ ବାତୁଳ
ଓଡ୍ରପୁଷ୍ପ ଯେହ୍ନେ ଗୋଲାପ ପ୍ରାୟେକ
ହୃଦକୁ କରଇ ଆକୁଳ
ଶୁଣ ସୁଜନେ
ବୃକ୍ଷରାଜୀ ଲଭି କାକର
ଇନ୍ଦ୍ରଧନୁ ସତେ ଲୋଟି ପଡ଼ିଛି କି
ଆଜି ଅବନୀର ଅନ୍ତର।୧।
ଶ୍ୟାମଳା ଯୌବନା ଉତଳା ହୋଇଣ
ରଙ୍ଗବିରଙ୍ଗରେ ରଙ୍ଗଇ
ଯେଣେ ଦୃଷ୍ଟି ଯାଏ ଧରଣୀ ଉତ୍ପିଚ୍ଛ
ଆହା କି ବର୍ଣ୍ଣାଳୀ ଶୋଭଇ
ଶୁଣ ସୁଜନେ
ଋତୁ ଶରତର ନିଆରା କଥା
ଉତ୍ତାପ ସନ୍ତାପେ ଲଭିଣ କାକର
ଫୁଲ୍ଗୁତ୍ସବେ ବ୍ୟାପୃତ ବୃକ୍ଷଲତା।୨।
ପ୍ରଥମ ଦର୍ଶନ ସୃଷ୍ଟି ସମ୍ଭାରରେ
ଗବପତ୍ର ହୋଏ ଲୋହିତ
ଯେହ୍ନେ ହୋଏ ଫଳ ଉତ୍ତର କାଳରେ
ବର୍ଣ୍ଣ ବିବର୍ଣ୍ଣରେ ରଞ୍ଜିତ
ଶୁଣ ସୁଜନେ
ଏବେ ଶରତ ଆଗତ ହୋଇଲା
ଅବ୍ଭ୍ର ଅଂଶୁମାଳୀ ଲୁଚକାଳି ଖେଳ
ଅତସ ଶରଦି ବୋହିଲା।୩।
ବୁକେ ବୋକ ଦିଏ ଆହ୍ଲାଦେ ଡୁବାଇ
ପ୍ରକୃତି ରାଣୀରେ ଶରତ।
କର୍ବୁର ପଲ୍ଲବେ ଆଚ୍ଛାଦେ ଉରସ
ପୃଥ୍ବୀ ଯେହ୍ନେ ହୋଏ ଆରକ୍ତ॥
ଶୁଣ ସୁଜନେ
ଶରଦୃତୁର ଚିତ୍ତ ପ୍ରସନ୍ନତା;
ବିହ୍ବଳ ପ୍ରକୃତି ହର୍ଷ ସର୍ବେ ଅତି
ଅଭିବ୍ୟାପ୍ତ ସର୍ବତ୍ର ଦିବ୍ୟକୃପା ।୪।
ତାମ୍ବୁଳ ତାମ୍ରିମା ଦେଖ ସେ ଉପମା
ବିମ୍ବାଧରୀ ଯେହ୍ନେ ପଲ୍ଲବ;
ଯୌବନେ କିଅବା ଅତ୍ୟାରୁଢ଼ କାଳେ
ଶରତର ବର୍ଣ୍ଣ ବୈଭବ।
ଶୁଣ ସୁଜନେ
ଅବସ୍ଥାଚତୁଷ୍ଟୟ ଯେ ପର୍ଣ୍ଣର;
କେଅବା ଶ୍ୟାମଳ କେବା ପୀତବର୍ଣ୍ଣା
କେବା ନାଲି କିଏ ପିଙ୍ଗଳ।୫।
ଜୀବ ଉଦ୍ଭାସଇ ଜ୍ଞାନ ଓ ଚୈତନ୍ୟେ
ଅକାର୍ପଣ୍ୟେ ତ୍ୟାଗେ ଭୂଲୋକ;
ଦେହ ବିଦେହର ପ୍ରବହ୍ଲି ଗୋଚରେ
ପାଏ ଯେହ୍ନେ ମୋକ୍ଷ ଆଲୋକ।
ଶୁଣ ସୁଜନେ
ଉଚ୍ଛୁଳେ ରଙ୍ଗର ଫୁଆରା;
ଶରତ୍ପର୍ଣ୍ଣା ତେହ୍ନେ ହୋଏ ଚିତ୍ରକର୍ମ
ଅନୁସ୍ୱର୍ଗ ହୁଏ ଏ ଧରା।୬।
ଟିପ୍ପଣୀ :
ଇନ୍ଦିନ୍ଦର – ଭ୍ରମର,
ଓଡ୍ରପୁଷ୍ପ – ମନ୍ଦାର
ଉତଳା – ବ୍ୟଗ୍ର, ଉତ୍କଣ୍ଠିତ :
ଉତ୍ପିଚ୍ଛ – ଉଦ୍ଗ୍ରୀବ, ଆନନ୍ଦୋତ୍ଫୁଲ୍ଲ:
ଫୁଲ୍ଗୁତ୍ସବେ – ହୋରି ଖେଳ :
ବ୍ୟାପୃତ – ବ୍ୟସ୍ତ
ଗବ – ଜଡ଼ାଗଛ,କାଲଗଛ;
ଅବ୍ଭ୍ର – ମେଘ :
ଅଂଶୁମାଳୀ – ସୂର୍ଯ୍ୟ:
ଅତସ-ପବନ:
ଶରଦି – ଥଣ୍ଡା, କୋହୋଲା
ବୋକ – ଚୁମା
କର୍ବୁର-ଚିତ୍ରିତ, ଏକାଧିକ ବର୍ଣ୍ଣମିଶ୍ରିତ
ଉରସ- ବକ୍ଷସ୍ଥଳ, ହୃଦୟ
ଆରକ୍ତ- ବିଶେଷ ଅନୁରକ୍ତ ବା ସ୍ନେହ
ଅଭିବ୍ୟାପ୍ତ – ସବୁଆଡ଼େ ବ୍ୟାପିଥିବା
ତାମ୍ବୁଳ – ପାନ
ତାମ୍ରିମା – ତାମ୍ରବର୍ଣ୍ଣ, ରକ୍ତବର୍ଣ୍ଣ
ଉପମା – ସାଦୃଶ୍ୟ
ବିମ୍ବାଧରୀ – ରଙ୍ଗବର୍ଣ୍ଣ ଓଷ୍ଠବିଶିଷ୍ଟ ନାରୀ
କିଅବା-କିମ୍ବା, ଅଥବା
ଅତ୍ୟାରୁଢ଼ – ବୃଦ୍ଧାବସ୍ଥା
ଅବସ୍ଥାଚତୁଷ୍ଟୟ – ଜୀବନର ଚାରିଗୋଟି ଅବସ୍ଥା
ପର୍ଣ୍ଣ- ପତ୍ର
ପିଙ୍ଗଳ- ମାଟିଆ, ଧୂସର
ପ୍ରବହ୍ଲି – ପ୍ରହେଳିକା, ରହସ୍ୟ
ଅକାର୍ପଣ୍ୟ – କୃପଣତା ରହିତ
ଚିତ୍ରକର୍ମ – ରଙ୍ଗାଇବା କାର୍ଯ୍ୟ