ସାହିତ୍ୟ ଆଉ ସାହିତ୍ୟ ହୋଇ ନାହିଁ

ଶିବ ପ୍ରସାଦ ବାହିନୀପତି

ସାହିତ୍ୟ ଯାହା ସଦାସର୍ବଦା ସଙ୍ଗତରେ ଥାଏ । ସହିତ ଶବ୍ଦରେ ‘ୟ’ ପ୍ରତ୍ଯୟ ଯୋଗ କରି ସାହିତ୍ଯ ଶବ୍ଦର ଉତ୍ପତ୍ତି ହୋଇଛି । ନିଜ ସାଙ୍ଗରେ ତଥା ଏଇ ସମାଜ ସଙ୍ଗରେ ଓତଃପ୍ରୋତ ଭାବେ ଜଡ଼ିତ ଥାଏ । ଆଉ ଏକ ଚ଼ିନ୍ତାଧାରାରେ ବିଚ଼ାର କଲେ ସହଜରେ ବୁଝି ହେବ । ଯିଏ ହିତ ସାଧନ କରେ ସେ ସାହିତ୍ଯ । ସମାଜର ହିତ ସାଧନରେ ବିନିଯୋଗ , କେବଳ ନିଜର ନୁହେଁ । ନିଜ ହିତ ସାଧିତ ହେଲେ ସମାଜର ହିତ ସାଧନ ହୋଇ ପାରିବନି ; କିନ୍ତୁ ସମାଜର ମଙ୍ଗଳରେ ନିଜର ମଙ୍ଗଳ ହୁଏ । ସାହିତ୍ଯ ଏକ ଈଶ୍ୱର ଦତ୍ତ କଳା , ଈଶ୍ୱରଙ୍କର ଇଚ୍ଛା ପୂଣ୍ଣ କରିବାର ବରଦାନ । ସମାଜରେ ଧର୍ମ , କର୍ମ , କର୍ତ୍ତବ୍ୟ ପରାୟଣତା , ଆନ୍ତରିକତା , ଭକ୍ତି , ପ୍ରେମ ଭାବର ଏକ ନିବିଡ଼ ବନ୍ଧନ ହେଲା ସାହିତ୍ଯ । ଏସବୁକୁ ବଜାୟ ରଖି ସମାଜରେ ଶୃଙ୍ଖଳା ରକ୍ଷା କରି ଏ ସୃଷ୍ଟିକୁ ଦୀର୍ଘଜୀବୀ କରିବା ଈଶ୍ୱରଙ୍କର ମୁଖ୍ଯ ଜିଜ୍ଞାସା । ତେଣୁ ସାହିତ୍ଯ ତା’ର ଏକ ମାଧ୍ୟମ ଅଟେ । ପ୍ରତି କ୍ଷେତ୍ରରେ ସାହିତ୍ୟ ଆମ ସହ ଜଡ଼ିତ । 
     ସମସ୍ତେ ସାହିତ୍ଯିକ ହୋଇ ନପାରନ୍ତି , କିନ୍ତୁ ପ୍ରତ୍ୟେକ ବ୍ଯକ୍ତି ଠାରେ ସାହିତ୍ଯର କଳା ଅବସ୍ଥାନ କରିଛି । କିଛି ନା କିଛି କାର୍ଯ୍ଯ ବା ଗୁଣ ରହିଛି ଯାହା ସାହିତ୍ଯ ଶ୍ରେଣୀ ଅନ୍ତର୍ଭୁକ୍ତ । ସେ ସାହିତ୍ଯ କ’ଣ ନଜାଣୁ ପଛେ , ମଧୁର ସଙ୍ଗୀତଟିଏ ଶୁଣିଲା ମାତ୍ରେ ଟିକେ ସମୟ ଅଟକି ଯାଏ ; ତେଣୁ ଏ ବ୍ଯକ୍ତିଙ୍କୁ ସାହିତ୍ଯିକ ନକହିଲେ ବି ସାହିତ୍ଯ ପ୍ରତି ରୁଚି ରହିଛି ବୋଲି କୁହାଯାଏ । ଅର୍ଥାତ ସାହିତ୍ଯାନୁରାଗୀ ବୋଲି ବିବେଚ଼ନା କରାଯାଏ । ସେମିତି କବିତା ନଲେଖୁ ପଛେ , କିମ୍ବା ସାହିତ୍ଯ ସୃଷ୍ଟି ନକରୁ ପଛେ , କ’ଣ ଗୋଟେ ବି ତ ପଢ଼ୁଛି ନା । ସ୍ରଷ୍ଟା ନହେଲେ ନାହିଁ ଦ୍ରଷ୍ଟାଟିଏ ତ । ପାଠକ ବି ଜଣେ ଉତ୍ତମ ସାହିତ୍ଯିକ ଏକଥା ଭୁଲ୍‌ ନୁହେଁ । ତେଣୁ ପ୍ରତ୍ଯେକଙ୍କର କିଛି ନା କିଛି ସାହିତ୍ୟିକ ଗୁଣ ରହିଛି । ସେହି ଗୁଣ ଗୁଡ଼ିକୁ କାମରେ ଲଗାଇ ପାରିଲେ ସେ ବି ଜଣେ ସୁସାହିତ୍ଯିକ ହୋଇ ବାହାରି ପାରିବ । ଜଣେ ଯଦି ସବୁଦିନ କିଛି ନା କିଛି ପଠନ କରେ , ତେବେ ସେ ନୂତନ କିଛି ସୃଷ୍ଟି କରିପାରେ । ଏକଥାକୁ କେହି ଏଡ଼ାଇ ଦେଇପାରିବେ ନାହିଁ । ସେତେବେଳେ ବୁଢ଼ାବୁଢ଼ୀ ମାନେ ସାହିତ୍ଯ କ’ଣ ଜାଣି ନଥିଲେ , କିନ୍ତୁ ତାଙ୍କ କଣରୁ ଝରି ପଡୁଥିବା ରୁଢ଼ି ଆଉ ଓଡ଼ିଆ ଢ଼ଗଢ଼ମାଳି ଏକ ନିଆରା ସାହିତ୍ଯ ସୃଷ୍ଟି କରୁଥିଲା । ପାଠ ନପଢ଼ି ଆଉ ସାହିତ୍ଯର ସଠିକ୍‌ ଅର୍ଥ ନଜାଣି ଚ଼ଷାପୁଅଟି କ୍ଷତରେ , ମାଝି ଘରର ପୁଅଟି ନଦୀରେ ଡ଼ଙ୍ଗା ଉପରେ ଗାଉଥିବା ଗୀତ କ’ଣ ସାହିତ୍ୟ ନୁହେଁ କି ? ତେବେ ତାକୁ କାହିଁକି ସାହିତ୍ଯିକ ବୋଲି ଅଭିହିତ କରି ନହେବ ? ପିଲାଦିନେ ବୋହୂବୋହୂକା , ଚ଼ୋର-ପୁଲିସି ଆଦି ଖେଳରେ କିଏ ଲୁଚ଼ିବ ଅବା କିଏ ଚ଼ୋର ଆଉ କିଏ ପୁଲିସି ହେବ , ନିଣ୍ଣୟ କରିବାକୁ ଛୋଟ ପିଲାମାନେ ଚ଼ାରିପଟେ ଘେରି ରହି ଛୋଟ ପଦ୍ଯାଂଶ ମାଧ୍ଯମରେ ସମସ୍ତଙ୍କୁ ଛୁଇଁ ଗଣୁଥିଲେ  ; ଯିଏ ବଳକା ରହୁଥିଲା ସେ ଚ଼ୋର ହେଉଥିଲା । ତେବେ ସେମାନେ ଜାଣିଥିଲେ କି ସାହିତ୍ୟ କ’ଣ ? ସେମାନେ ସାହିତ୍ଯିକ ନହୋଇ ବି ସାହିତ୍ଯ ସୃଷ୍ଟି କରିପାରୁଥିଲେ  । 
     ତେବେ ସେ ସବୁ ସାହିତ୍ଯ ନିଆରା ଥିଲା , ଯାହା ନିଜ ମନକୁ ଶାନ୍ତି ଦେଉଥିଲା ଓ ମନୋରଞ୍ଜନର ମାଧ୍ଯମ ଥିଲା । କିନ୍ତୁ ସାହିତ୍ଯର ଅଗ୍ରଗତି ହୋଇ ଅନେକ ପଥ ଅତିକ୍ରମ କରି ଆସିଛି । ସେତେବେଳେ ସାହିତ୍ଯ ଖାଲି ମନୋରଞ୍ଜନ ନଥିଲା , ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖୁଥିଲା । ପରସ୍ପର ମଧ୍ଯେ ସ୍ନେହ , ଶ୍ରଦ୍ଧା ଓ ଭଲପାଇବାକୁ ଜାଗ୍ରତ କରୁଥିଲା । ଢ଼ଗଢ଼ମାଳି ଭିତରେ ଜ୍ଞାନ , ବିଜ୍ଞାନ , ମନୋରଞ୍ଜନ , ହିତୋପଦେଶ ଆଦି ବହୁ କିଛି ପୂରି ରହିଥିଲା ଯାହା ସମାଜୋପଯୋଗୀ ଥିଲା । ସମାଜରେ ଏକ ଶୃଙ୍ଖଳାର ବଳୟ ସୃଷ୍ଟିି କରୁଥିଲା । ବେଦ , ପୁରାଣ , ଉପନିଷଦ ଆଦି ସମାଜର ଚ଼ାଲିଚ଼ଳଣି ଓ ନୀତିଗତି ଉପରେ ତଥା ସମାଜକୁ ଶୃଙ୍ଖଳାର ବେଡ଼ିରେ ବନ୍ଧନ କରି ରଖିବା ଉଦ୍ଦେଶ୍ଯରେ ରଚ଼ିତ ହୋଇଥିଲା । ମାର୍ଗ ଦର୍ଶକ ଭାବରେ କାର୍ଯ୍ୟ କରୁଥିଲା ଏବଂ କରୁଛି ମଧ୍ଯ । ସେତେବେଳର ସେ ସାହିତ୍ଯ ଥିଲା ସରଳ , ବୋଧଗମ୍ୟ ; କିନ୍ତୁ ଆଧୁନିକ ସହିତ୍ୟର ଅନୁପ୍ରବେଶ ପରେ ତାହା ଜଟିଳ ଓ ଅବୋଧ୍ଯ ହୋଇଗଲା । ଲିଖନ କ୍ଷେତ୍ରରେ ବହୁ ସାହିତ୍ୟିକ ଓ ସମାଲୋଚ଼କ ଅନେକ ଉଦ୍ୟମ ମାନ କରିଛନ୍ତି । ଆମ ଭାଷା ଆମ ସାହିତ୍ୟକୁ ଚ଼ିରଞ୍ଜିବୀ କରିବାକୁ ପୂର୍ବସୂରୀ ମାନଙ୍କ ପ୍ରଚ଼େଷ୍ଟା ଓ ଉଦ୍ଯମ ସର୍ବଦା ପ୍ରଶଂସନୀୟ । 


     ବିନାୟକ ମିଶ୍ର , ନୀଳକଣ୍ଠ ଦାସ , ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାଶ , ସୁରେନ୍ଦ୍ର ମହାନ୍ତି , ମାୟାଧର ମାନସିଂହ , ନଟବର ସାମନ୍ତରାୟ , ବଂଶୀଧର ମହାନ୍ତି , ନୀଳମଣି ମିଶ୍ର , ବୃନ୍ଦାବନ ଆଚ଼ାର୍ଯ୍ଯ  , ଗୋପାଳଚ଼ନ୍ଦ୍ର ପ୍ରହରାଜ , ପଠାଣି ପଟ୍ଟନାୟକ ଆଦି ଲେଖକଙ୍କ ଭୂମିକା ଗୁରୁତ୍ତ୍ବପୂର୍ଣ୍ଣ । ଓଡ଼ିଆ ସାହିତ୍ଯର ସମୟକାଳ ନାନାଦି ବିଭାବକୁ ନେଇ ବିଭିନ୍ନ ବିଭାଗ କରାଯାଇଛି । ପ୍ରାକ୍‌ ସାରଳା ଓ ପୁରାଣ ସାହିତ୍ଯ (ଚ଼ର୍ଯ୍ଯା ସାହିତ୍ଯ) , ରୀତି ସାହିତ୍ଯ , ପୁରାତନ ଗଦ୍ଯ ସାହିତ୍ଯ , ଆଳଙ୍କାରିକ କାବ୍ଯ ଓ କଥା ସାହିତ୍ୟ , ଆଧୁନିକ ସହିତ୍ୟ ଆଦି ବିଭାଗୀକରଣ ହୋଇଛି । ଫକୀରମୋହନ  , ନନ୍ଦକିଶୋର  , କୁନ୍ତଳା କୁମାରୀ , ଗୋଦାବରୀଶ , ହରେକୃଷ୍ଣ , ରାମ ପ୍ରସାଦ ସିଂହ , ଅନନ୍ତ ପ୍ରସଦ ପଣ୍ଡା , ଲକ୍ଷ୍ମୀଧର ନାୟକ ଆଦି ସ୍ରଷ୍ଟାମାନେ ତାଙ୍କର ପ୍ରତ୍ଯେକଟି ଲେଖାରେ ସମାଜକୁ ସୁନ୍ଦର ସୁନ୍ଦର ବାର୍ତ୍ତା ଦେବା ସହ ପାଠକ ମହଲରେ କର୍ମ , ଚ଼େତନା , କର୍ତ୍ତବ୍ୟର ବୀଜ ବପନ କରି ଭାଷା ସାହିତ୍ଯ ଜଗତକୁ ରୁଦ୍ଧିମନ୍ତ କରି ରଖିଥିଲେ  । ଭାରତ ସ୍ବାଧୀନ ହେବା ପରେ ପାଠକ ମହଲରେ ପୁଲକ ସୃଷ୍ଟିି କରିଥିଲେ କାହ୍ନୁଚରଣ ମହାନ୍ତି  , ରାଜକିଶୋର ପଟ୍ଟନାୟକ , ନିତ୍ଯାନନ୍ଦ ଶତପଥି , ଗୋପୀନାଥ ମହାନ୍ତି , ସୁରେନ୍ଦ୍ର ମହାନ୍ତି , ଜ୍ଞାନୀନ୍ଦ୍ର ବର୍ମା , ଗୋକୁଳାନନ୍ଦ ମହାପାତ୍ର , ନରସିଂହ ସାହୁ , ମହାପାତ୍ର ନୀଳମଣି ସାହୁ , ବସନ୍ତ କୁମାରୀ ପଟ୍ଟନାୟକ , ଶାନ୍ତନୁ ଆଚ଼ାର୍ଯ୍ଯ ପ୍ରମୁଖ  । ଏତତ୍ ବ୍ୟତୀତ ଗୋପବନ୍ଧୁ ଦାଶ , ମଧୁସୁଦନ ରାଓ , ଗଙ୍ଗାଧର ମେହେର , ଲକ୍ଷ୍ମୀକାନ୍ତ ମହାପାତ୍ର ଆଦି ଓଡ଼ିଆ ସାହିତ୍ଯ ଜଗତରେ ମହାମହିମ ସ୍ରଷ୍ଟା । ଲେଖା ମାଧ୍ଯମରେ ସମାଜକୁ ଦେଇ ଯାଇଛନ୍ତି ମହାନ ବାର୍ତ୍ତା  । 
     ସେତେବେଳର ସାହିତ୍ଯ ଓ ଆଜିର ସାହିତ୍ଯ ଭିତରେ ଅନେକ ତଫାତ ପରିଲକ୍ଷିତ । ସେତେବେଳେ ବି ଏତେ ସୁବିଧା ନଥିଲା , ଯାହା ଏବେ ଅଛି । ତାଳପତ୍ର ପୋଥିରୁ ଆରମ୍ଭ କରି କାଗଜ ପର୍ଯ୍ୟନ୍ତ ସେ ସାହିତ୍ଯ କେବଳ ଦେଇ ଚ଼ାଲିଥିଲା ନୀତିଶିକ୍ଷା ; କାଗଜ କଲମ ଧରିବା ପର ଠାରୁ ଆରମ୍ଭ ହେଲା ଅନ୍ୟାୟ ବିରୁଦ୍ଧରେ ସାରସ୍ବତ ସ୍ବର ଉତ୍ତୋଳନ । କବିସୂର୍ଯ୍ୟ ବଳଦେବ ରଥ , ଉପେନ୍ଦ୍ର ଭଞ୍ଜ , କବି ଯଦୁମଣି ଆଦିଙ୍କ ରଚ଼ନା ସାରସ୍ବତ ସମୃଦ୍ଧିରେ ସହାୟକ ଥିଲା । କିନ୍ତୁ ଆଜିର ଇଣ୍ଟରନେଟ୍‌ ଯୁଗରେ ସେଭଳି ସାହିତ୍ଯର ହ୍ରାସ ଘଟିଛି କହିଲେ ଅତ୍ଯୁକ୍ତି ହେବ ନାହିଁ । ଭାଷା ସାହିତ୍ଯର ସୁରକ୍ଷା ପାଇଁ ସେତେବେଳର ଉଦ୍ଯମ ଆଉ ଆଜି ନାହିଁ । 


       ସାରସ୍ୱତ ସ୍ରଷ୍ଟା ଓ ସୃଷ୍ଟିିର ବୃଦ୍ଧି ଘଟିଥିଲେ ବି ମାନ କିନ୍ତୁ କ୍ଷୂର୍ଣ୍ଣ । ଏବେ ଅନେକ ସ୍ରଷ୍ଟା ସାମାଜିକ ଗଣମାଧ୍ୟମରେ ସକ୍ରିୟ ; କିନ୍ତୁ କାଁ ଭାଁ ହାତଗଣତି କିଛି ସାହିତ୍ୟିକଙ୍କୁ ଛାଡ଼ି ଦେଲେ ବାକି ଯେତେ ସମସ୍ତେ ସାହିତ୍ଯର ଉନ୍ନତି ନାମରେ ଅବନତି କରିବାରେ ଲାଗିଛନ୍ତି । ଆଉ ନାହିଁ ସେ ଭଞ୍ଜ ସାହିତ୍ଯ , ଚ଼ର୍ଯ୍ଯାଗୀତି , ଛାନ୍ଦ , ଚ଼ମ୍ପୁ କି ଫକୀରମୋହନଙ୍କର ସେହି “ଲୋ… ରେବ , ଲୋ.. ଚୂଲି , ଲୋ… ନିଆଁ” ପରି ଶବ୍ଦ ସମୂହ । ଆଉ ଦେଖିବାକୁ ମିଳୁନି ସେ ପୁରାତନ ଢ଼ଗଢ଼ମାଳି କି “ଛ’ ମାଣ ଆଠଗୁଣ୍ଠ” ଆଉ “ମାମୁଁ” ଓ “ଲଛମା” ପରି କାଳଜୟୀ ଉପନ୍ୟାସ । “ଜହ୍ନମାମୁଁ” ପତ୍ରିକାର ସେହି “ବିକ୍ରମ ବେତାଳ” ପରି କାହାଣୀ ଏବେ ସାତ ସ୍ବପ୍ନ କହିଲେ ଚ଼ଳେ ଏବଂ ଓଡ଼ିଆ ସଂସ୍କୃତିର ପଲ୍ଲୀଗୀତ ଆଉ ଶିଶୁ ସାହିତ୍ୟ ଏବେ ବହୁ ମାତ୍ରାରେ ହ୍ରାସପ୍ରାପ୍ତ । ଶସ୍ତା ସାହିତ୍ୟର ସୂକ୍ଷ୍ମ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି ଏବେକାର ସ୍ରଷ୍ଟା । 
     ସଂସ୍କାର , ସଂସ୍କୃତି , ଚ଼ାଲିଚ଼ଳଣି ଓ ରୀତିନୀତିରେ ବହୁ ପରିବର୍ତ୍ତନ ହେବା ପରି ଓଡ଼ିଆ ସାହିତ୍ଯରେ ବି ଅନେକ ପରିବର୍ତ୍ତନ ହୋଇଛି , ଯାହା ଆମ ଭାଷା ସାହିତ୍ଯର ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରୁଛି । ସମସ୍ତେ ନିଜ ହାତରେ ନିଜେ ଚ଼ଉଦ ପା’ ; ପଢ଼ିବାକୁ କାହା ପାଖରେ ସମୟ ନାହିଁ । ଯାହା ମନକୁ ଆସିଲା ଗାରେଇ ଦେଇ ସାମାଜିକ ଗଣମାଧ୍ୟମରେ ଛାଡ଼ି ନିଜେ ନିଜର ପ୍ରଶଂସା ଗାନ କରିବାରେ ଲାଗିଛନ୍ତି । ଏଠି “ତୁ ମତେ ଦେ’ ଆଉ ମୁଁ ତତେ ଦେବି”ର ନ୍ଯାୟ ପ୍ରଚ଼ଳିତ ; କଥାରେ ଅଛି “ଦିଆକୁ ଦିଆ , ଅଦିଆକୁ ଦୁଆର ଦିଆ” । ଲେଖାରେ ଅନେକ ତ୍ରୁଟି ଥିଲେ ବି କାହାର ନଜରକୁ ଆସେନି, ଆସିଲେ ବି ତ୍ରୁଟି ଦର୍ଶାଇବାକୁ ଚ଼ାହାନ୍ତିନି । ଏହାର ପ୍ରଥମ କାରଣ ହେଉଛି , ନିଜର ପ୍ରଶଂସା ହ୍ରାସ ଏବଂ ମନ୍ତବ୍ୟ ମିଳିବା ଜଟିଳ । ଏଠାରେ ତ୍ରୁଟି ଦର୍ଶାଇବା ଅର୍ଥ ବିଦ୍ବେଷ ଭାବ ସୃଷ୍ଟି କରିବା ସାର । ସେ ଯାହା ଲେଖିଛି ଠିକ୍‌ ଲେଖିଛି ବୋଲି ଉତ୍ତର ମିଳିବ ନତୁବା ଯେତେ ଭଲ ଲେଖିଥିଲେ ବି ମନ୍ତବ୍ୟ ମିଳିବ ନାହିଁ ; ଏଇ ଭାବନା ହେତୁ ସାରସ୍ବତ ସଂସାରଟି ବିଶେଷ ଭାବରେ ପ୍ରଭାବିତ ହୋଇ ନିମ୍ନଗାମୀ ହେବାରେ ଲାଗିଛି । 
    ସାହିତିକ ବି ଜଣେ ସମାଜସେବୀ , ଏକଥା ଭୁଲିଯିବା ଅନୁଚିତ । କଥାରେ ଅଛି – “ବଲମ ଠାରୁ କଲମର ଶକ୍ତି ଅଧିକ” ; କଲମ ଯାହା କରିପାରିବ , ବଲମ ଅର୍ଥାତ୍ ଖଡ୍ଗ ତାହା କରିପାରିବ ନାହିଁ । ସମାଜରେ ଘଟୁଥିବା ଅନ୍ଯାୟ , ଅନୀତିର ପ୍ରତିରୋଧ କେବଳ ଏଇ କଲମ ଦ୍ବାରା ସମ୍ଭବ । ସମାଜକୁ ସୁଶିକ୍ଷା ମୂଳକ ବାର୍ତ୍ତା ଏଇ କଲମ ମୁନରୁ ହିଁ ଝରିପଡ଼େ । ନିଜର ସାରସ୍ବତ ସାଧନା , ଅଧ୍ଯବସାୟ ଦ୍ବାରା ସମାଜରେ ଶାନ୍ତି ପ୍ରତିଷ୍ଠା କରିହେବ । ତେଣୁ ସାହିତ୍ଯିକକୁ ଜଣେ ସମାଜସେବୀ ଭାବରେ ଗ୍ରହଣ କରିବା ଯଥୋଚିତ । ସମାଜର ସୁଖ ଦୁଃଖରେ ସମଭାଗୀ ହେବା , ସହାର୍ଦ୍ଦ୍ଯପୂର୍ଣ୍ଣ ମନୋଭାବ ରଖିବା ଜଣେ ସାହିତ୍ଯିକ ତଥା ସମାଜସେବୀର ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ । ସନ୍ଥକବି ଭୀମଭୋଇଙ୍କ ଭାଷାରେ –
     “ପ୍ରାଣୀଙ୍କ ଆରତ     ଦୁଃଖ ଅପ୍ରମିତ             ଦେଖୁ ଦେଖୁ କେବା ସହୁ       ମୋ’ ଜୀବନ     ନର୍କେ ପଡ଼ିଥାଉ              ଜଗତ ଉଦ୍ଧାର ହେଉ ।”ଗୋପବନ୍ଧୁ ଦାଶଙ୍କର ରଚ଼ନାରୁ ପଦୁଟିଏ ମନେପଡ଼େ –        “ମିଶୁ ମୋର ଦେହ ଏ ଦେଶ ମାଟିରେ          ଦେଶବାସୀ ଚ଼ାଲି ଯାଆନ୍ତୁ ପିଠିରେ         ଦେଶର ସ୍ବରାଜ-ପଥେ ଯେତେ ଗାଡ଼         ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ ।”
        ଭୀମ ଭୋଇ ହୁଅନ୍ତୁ କି ଉତ୍କଳମଣି ଗୋପବନ୍ଧୁ ଦାଶ , ନିଜକୁ ସମର୍ପଣ କରିଦେଇଥିଲେ ଏଇ ସମାଜ ପାଖରେ । ତାଙ୍କ ଲେଖାର ମାଧୁର୍ଯ୍ୟତା , ସମର୍ପଣ ଭାବ , ଜନ ପ୍ରୀତି , ଦେଶ ପ୍ରୀତି ଆଜିର ଲେଖାରେ ଦୃଶ୍ଯମାନ ହେଉନାହିଁ । ଆଜିର ସାହିତ୍ଯରେ ଏ ସ୍ବର ଆଉ ଶୁଭୁ ନାହିଁ । ଏଭଳି ସମର୍ପଣ ଭାବର ଆଲେଖ୍ୟ ଏବେ ଦୁଷ୍ପ୍ରାପ୍ୟ ପ୍ରାୟ । କେବଳ ନିଜର ନାଁ କମେଇବା ପାଇଁ ଶସ୍ତା ସାହିତ୍ୟ ସର୍ଜନା କରି ଦଳବଦ୍ଧ ଭାବରେ ଅର୍ଥ ପିପାସୁ ସାଜି ଲୁଟି ଚ଼ାଲିଛନ୍ତି ସାରସ୍ବତ ସ୍ରଷ୍ଟାଙ୍କୁ । ସାରସ୍ବତ ଜଗତରେ ସୃଷ୍ଟି ହେବାକୁ ଯାଉଛି କଳଙ୍କମୟ ଇତିହାସ । ଓଡ଼ିଆ ଭାଷା ସାହିତ୍ଯରେ ବିଭିନ୍ନ ଭାଷାକୁ ମିଶ୍ରଣ କରି କଦର୍ଥ ରୂପରେ ପ୍ରକଟିତ କରାଯାଉଛି ସାମାଜିକ ଗଣମାଧ୍ୟମ ଫେସବୁକ , ହ୍ବାଟ୍ସ୍‌ଆପ୍‌ ଆଦି ମାଧ୍ଯମରେ । ସାହିତ୍ଯର ‘ସ’ ଅକ୍ଷର ଜାଣି ନଥିବା ବ୍ୟକ୍ତି ଆଜି ସମ୍ମାନର ଅଧିକାରୀ , ପ୍ରକୃତ ସ୍ରଷ୍ଟା କିନ୍ତୁ ଶୂନ୍ଯହସ୍ତ । ଗଦା ଗଦା ଅନୁଷ୍ଠାନ , ଗଦା ଗଦା ସମ୍ବର୍ଦ୍ଧନା ; ସାହିତ୍ୟ କିନ୍ତୁ ସ୍ଥିତିହରା । ପଣ୍ଯ ଦ୍ରବ୍ଯ ପାଲଟି ଯାଇଛି ସାହିତ୍ଯ ; ଅର୍ଥ ବଦଳରେ ସ୍ବାର୍ଥ ହାସଲ । ଅନୁଷ୍ଠାନ ଗଢ଼ି ନିଜ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହେବାକୁ ବି କୁଣ୍ଠାବୋଧ ନାହିଁ । ଚ଼ାଲିଛି ଏକ ପ୍ରକାର ରାଜନୀତି ଓ ଶୋଷଣ ।
    ସାହିତ୍ଯ ଆଉ ସାହିତ୍ୟ ହୋଇ ନାହିଁ , ସମସ୍ତେ ପ୍ରାୟ ଦିଗହରା । ଭାଷା ସାହିତ୍ଯ ପ୍ରତି ମମତା ରଖିଥିବା ହାତଗଣତି କିଛି ବିଶିଷ୍ଟ ସାରସ୍ବତ ସ୍ରଷ୍ଟା ନିଜ ସମ୍ମାନକୁ ଜଗି ନିରବ । ଏଠି ପ୍ରତିବାଦ ବଦଳରେ ଅପମାନ । ଆତ୍ମଘୋଷିତ ଉପାଧି , କିଣା ମାନପତ୍ର , ପତ୍ରପତ୍ରିକାରେ ପ୍ରକାଶିତ ଟଙ୍କା ଦିଆ ଲେଖା ଏବେ ପ୍ରାଧାନ୍ୟ ବିସ୍ତାର କରିଛି । ଆମ ଭାଷା ଆମ ସାହିତ୍ୟ ଆଜି ସନ୍ତାପିତ , ରୁଗ୍ଣ ଓ କଦର୍ଥନ । କାହିଁକି ? କାହା ପାଇଁ ? ସମାଜରେ ରୁଗ୍ଣ ମାନସିକତା ସମ୍ପନ୍ନ କିଛି ହିଂସ୍ରିକ , ରାଜେନ୍ଦ୍ରାସନ ଆଶାୟୀ , ରାତାରାତି କୋରଡ଼ପତି ନିଶାସକ୍ତ ସାହିତ୍ଯ ବେପାରୀ ମାନଙ୍କ ପାଇଁ ଆଜି ଆମ ଭାଷା ସାହିତ୍ଯ ତା’ର ମର୍ଯ୍ୟାଦା ହରାଇ ଚ଼ାଲିଛି । ଧାଡ଼ିଏ ଓଡ଼ିଆ ସଳଖି ଲେଖି ପାରୁନଥିବା ଲୋକଟି କହୁଛି , “ମୋ’ ଠାରୁ ବଳି ସାହିତ୍ୟିକ ଏ ସଂସାରରେ କେହି ନାହିଁ ।” ସେ ପୁଣି ମହାମହିମ ଉପାଧିରେ ଭୂଷିତ ହୋଇ ନିଜ ଫୁଲମାଳ ଓ ଉତ୍ତରୀୟକୁ ନିଜ ଗଳାରେ ଲମ୍ବାଇ ନିଜର ଡ଼ିଣ୍ଡିମ ନିଜେ ପିଟି ଚ଼ାଲିଛି । ଏସବୁ ଦେଖି ତା’ର ପ୍ରଶଂସକଙ୍କ ସଂଖ୍ଯା ବୃଦ୍ଧି ଘଟୁଛି ଏବଂ ନିଜକୁ ପ୍ରତିଷ୍ଠିତ କରାଇବା ପାଇଁ ସାହିତ୍ଯ ବେପାରୀଙ୍କ ଚ଼ରଣରେ ଶରଣ ଯାଉଛନ୍ତି ଅନେକ ସଂଖ୍ୟାରେ । ସତ୍ଯ ଉଗାଳିଲେ ସମର , ଅଶାଳୀନ ବ୍ଯବହାର ଓ ସମ୍ଭାଷଣ ; ସେ ଦୂରଭାଷରେ ହେଉ କି ସାମାଜିକ ଗଣମାଧ୍ୟମରେ । ବଡ଼ , ସାନ କି ବିଜ୍ଞ କିଛି ବି ଫରକ ପଡ଼େନି । 
      ଏଇ ହେଉଛି ଆମ ଓଡ଼ିଆ ସାହିତ୍ଯ ଜଗତ ଅଧୁନା ଯୁଗର । ଭାଷା ସାହିତ୍ଯ ପ୍ରତି କେତେ ମମତା ଅଛି , ସ୍ପଷ୍ଟ ବାରି ହୋଇପଡୁଛି । ଗଙ୍ଗାଧର ମେହେର କହିଥିଲେ – 


      “ମାତୃଭୂମି ମାତୃ –     ଭାଷାରେ ମମତା                  ଯା’ ହୃଦେ ଜନମି ନାହିଁ         ତାକୁ ଯଦି ଜ୍ଞାନୀ     ଗଣରେ ଗଣିବା                ଅଜ୍ଞାନ ରହିବେ କାହିଁ ?”ବେଶି କିଛି କହିବିନି ; ଖାଲି ଏତିକି କହିବି ଯେ- “ଆମ ଭାଷା ସାହିତ୍ଯର ସୁରକ୍ଷା ପାଇଁ ଆମକୁ ଆଗକୁ ବଢ଼ିବାକୁ ହେବ ଆଉ ସାହିତ୍ଯ ବେପାରୀଙ୍କ ବିରୁଦ୍ଧରେ ଲଢ଼ିବାକୁ ହେବ । ନହେଲେ ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ଯ ଡ଼ାଇନୋସର ପରି ବିଲୁପ୍ତ ହେବା ନିଶ୍ଚିତ । ଲେଖା ମୋର ବିଚ଼ାର ପ୍ରତ୍ଯେକଟି ଓଡ଼ିଆ ଭାଷା ସାହିତ୍ଯ ପ୍ରେମୀ ମାନଙ୍କର । 

Leave a Reply

Your email address will not be published. Required fields are marked *