ରଜ ଗୀତରେ କଲମ କୀଳା

ଶିବ ପ୍ରସାଦ ବାହିନୀପତି

ବନସ୍ତେ ଡ଼ାକିଲା ଗଜ ,
ସାହିତ୍ଯ ବେପାରୀ କଲେ ମଉଜ ,
କଲେ ମଉଜ ଲୋ
ମୁଖେ ନାହିଁ ଟିକେ ଲାଜ ।।

ରଜ ଦୋଳି କଟମଟ ,
ମାନପତ୍ର ବିକ୍ରି ହେଲା ବିଭ୍ରାଟ ,
ହେଲା ବିଭ୍ରାଟ ଲୋ
ଗାଆଁରୁ ସହର ନାଟ ।।

ରାଶିରୁ ଛାଡ଼ିଲା ଚ଼ୋପା ,
ସାଧୁବାଣୀ ଶୁଣି ଚ଼ୋରଙ୍କ ଖପା ,
ଚ଼ୋରଙ୍କ ଖପା ଲୋ
ଗଣମାଧ୍ୟମରେ ଢ଼ପା ।।

ଉଡ଼ିଲା ଶୁଆ ନାହାକା ,
ଶୋଷଣକାରୀଏ ଦେଲେକ ଡ଼କା ,
ଦେଲେକ ଡ଼କା ଲୋ
ରୁଣ୍ଡ ହେଲେ ବୋପା-କକା ।।

ପାଚ଼ିଲା ବଇଁଚ଼ କୋଳି ,
କରୋନା ଭାଙ୍ଗିଛି ସବୁରି ମେଳି ,
ସବୁରି ମେଳି ଲୋ
କାଗଜପତ୍ରରେ ଖାଲି ।।

ପଣସ ପାଚ଼ିଲା ବନେ ,
ଲବି କରି କବି ଆପଣା ମନେ ,
ଆପଣା ମନେ ଲୋ
ସଂସାରେ ହସନ୍ତି ଜନେ ।।

ଶଙ୍ଖ ମଲମଲ ଗିନା ,
ଉପରରୁ ତଳ ସବୁ ଅସନା ,
ସବୁ ଅସନା ଲୋ
କହିଲେ ଯେତେ ସରେନା ।।

ନିମ୍ବର ବୁକେ ଚ଼ନ୍ଦନ ,
ନିଜ ଅନୁଷ୍ଠାନୁ ନିଜେ ସମ୍ମାନ ,
ନିଜେ ସମ୍ମାନ ଲୋ
ନିଜ ସ୍ବାକ୍ଷରରେ ପୁଣ ।।

ଢ଼ମଣା ଛାଡ଼ିଲା କାତି ,
ସାହିତ୍ୟ କରୋନା ଉଠିଲେ ମାତି ,
ଉଠିଲେ ମାତି ଲୋ
ଭାଙ୍ଗି ସରକାର ନୀତି ।।

ଚ଼ାନ୍ଦରେ କଳଙ୍କ ଚ଼ିହ୍ନ ,
ପର ପାଦ ଚ଼ାଟି ସରଇ ଦିନ ,
ସରଇ ଦିନ ଲୋ
ସାହିତ୍ୟର କ୍ଷୂର୍ଣ୍ଣ ମାନ ।।

ପୋଖରୀ ତୁଠ ପଥର ,
ପାଠଶାଠ ନାହିଁ ହେଲେ ଡ଼କ୍ଟର ,
ହେଲେ ଡ଼କ୍ଟର ଲୋ
ଖବର ହେଲା ପ୍ରଚ଼ାର ।।

ସାହାଡ଼ା ଗଛର ଛାଇ ,
ବଡ଼ ଲୋକଙ୍କୁ ତ ଉତ୍ତର ନାହିଁ ,
ଉତ୍ତର ନାହିଁ ଲୋ
କଳିଯୁଗ ରୀତି ଏଇ ।।

ଖୋସାରେ ଖୋସିଲି ଫୁଲ ,
ସାହିତ୍ୟରେ ଦେଖ କେତେ ଦଲାଲ ,
କେତେ ଦଲାଲ ଲୋ
ସ୍ରଷ୍ଟାଙ୍କୁ କରନ୍ତି ଖୋଳ ।।

ନଈର ଶୁଖିଲା ବାଲି ,
ମୁଖା ଖୋଲିଗଲେ ହୋ’ନ୍ତି ବାଉଳି ,
ହୋ’ନ୍ତି ବାଉଳି ଲୋ
ଗଣମାଧ୍ୟମରେ ବୋଲି ।।

ବାଜିଲା ତେଲିଙ୍ଗି ବାଜା ,
ଭଣ୍ଡ ମାନଙ୍କର ଭାଣ୍ଡାମି ତାଜା ,
ଭାଣ୍ଡାମି ତାଜା ଲୋ
ଓଳିଆରୁ ପଡ଼ି ଗଜା ।।

ଲୁଚ଼ିଗଲା ମେଘେ ଚ଼ାନ୍ଦ ,
କେହି କହୁନାହିଁ ଦଲାଲ ବାନ୍ଧ ,
ଦଲାଲ ବାନ୍ଧ ଲୋ
ସମାଜେ ଛୁଟୁ ସୁଗନ୍ଧ ।।

ଦୋଳି ହୁଏ ରଟରଟ ,
ବେହିଆଙ୍କ ପାଇଁ କଲମ ଛାଟ ,
କଲମ ଛାଟ ଲୋ
ପାଇବେନି ଜମା ବାଟ ।।

2 thoughts on “ରଜ ଗୀତରେ କଲମ କୀଳା

Leave a Reply

Your email address will not be published. Required fields are marked *