ବୟସ ବୃଦ୍ଧି ଓ ସାମାଜିକ ସହୃଦୟତା

ଡ଼.ପଦାରବିନ୍ଦ ରଥ

ସମୟ ବୃକ୍ଷରୁ ମୁହୂର୍ତ୍ତ ଗୁଡ଼ିକ ପତ୍ର ପରି ପ୍ରତି ମୂହୂର୍ତ୍ତରେ ଝଡ଼ି ପଡ଼ୁଥାନ୍ତି । ବୟସ ବଢିଲେ ଅବଶେଷ ଆୟୁ କ୍ରମାଗତ ଭାବରେ ଛିଡ଼ୁଥାଏ। ଏହା ଗୋଟିଏ ନିରାଟ ସତ୍ୟ କଥା । କିନ୍ତୁ ବୟସର ଆଧିକ୍ୟରେ ଅନୁଭୂତି ସହିତ ତାଳ ଦେଇ ଶରୀରକଷ୍ଟ ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଭାବରେ ବଢ଼ି ଯାଏ । ସେପରି ଏକ ଦୁର୍ବଳ ମୂହୂର୍ତ୍ତରେ ମଣିଷକୁ ଅସହାୟ ଲାଗିବା ସ୍ୱଭାବିକ କଥା । କିନ୍ତୁ ସେତିକି ବେଳେ ହିଁ ବ୍ୟକ୍ତିଗତ ଭାବରେ ଘରର ବାକି ସଦସ୍ୟ ମାନଙ୍କର ଏବଂ ସାମୂହିକ ଭାବରେ ସମାଜର ପ୍ରତିଟି ବ୍ୟକ୍ତିର ସହୃଦୟତାର ପରୀକ୍ଷା ନିଆଯାଏ । ଜୀବନ ଯେତେବେଳେ ଭରିଥାଏ ଯୌବନର ଉଦ୍ଦୀପନାରେ, ସେତେବେଳେ ଚଲାପଥ ଲାଗେ ଏକ ଛନ୍ଦାୟୀତ ଗୀତ ଟିଏ ପରି । କିନ୍ତୁ ଗୋଡ଼ ଯେତେବେଳେ ଦେହର ଓଜନ ଉଠାଇବାକୁ ଅସମର୍ଥ ହୁଅନ୍ତି, ହାତରେ ଧରିଥିବା ବାଡ଼ି ଯେତେବେଳେ ଥରି ଥରି ମନର ବିଶ୍ୱାସକୁ ଦୋହଲାଉଥାଏ ସେତେବେଳେ କୁଟା ଖିଅ ପ୍ରାୟ ସହାୟତା ବି ଅଭୟ ସଦୃଶ ପ୍ରତୀତ ହୋଇଥାଏ ।

ଡାକ୍ତରଖାନାରେ ଔଷଧ ନେବା ପାଇଁ ଲାଗିଥିବା ଲମ୍ବା ଧାଡ଼ିର କଥା ଟିଏ ମନେ ପଡ଼େ । ଗୋଟିଏ ଧାଡ଼ି ହୋଇଥାଏ ଅଳ୍ପ ବୟସ୍କ ମାନଙ୍କ ପାଇଁ ଏବଂ ଆଉ ଗୋଟିଏ ଧାଡ଼ି ହୋଇଥାଏ ବରିଷ୍ଠ ନାଗରିକଙ୍କ ପାଇଁ । ପାଳି କରି ପ୍ରତି ଲାଇନରୁ ଜଣକୁ ଲେଖାଏଁ ଔଷଧ ଦିଆ ଯାଉଥାଏ । ସ୍ୱାଭାବିକ ଭାବରେ ବରିଷ୍ଠ ନାଗରିକଙ୍କ ଧାଡ଼ିରେ କମ୍ ଲୋକ ଥିବାରୁ ସେ ଧାଡ଼ିଟି ଶୀଘ୍ର ଶୀଘ୍ର ଆଗକୁ ବଢ଼ିଲା ଭଳି ଲାଗୁଥାଏ । ଅଳ୍ପ ବୟସ୍କ ମାନଙ୍କ ଧାଡ଼ିରେ ପଛରେ ଥିବା ଜଣେ ମଧ୍ୟ ବୟସ୍କ ଯୁବକ ହଠାତ୍ ଉତ୍ତେଜିତ ହୋଇ ପଡ଼ିଲେ ଏବଂ କହିଲେ “ଆଜିକାଲି ବରିଷ୍ଠ ନାଗରିକଙ୍କୁ ସବୁଠି ଆରକ୍ଷଣ ଦରକାର । ଟ୍ରେନ୍ ଟିକେଟ୍ ଠାରୁ ଆରମ୍ଭ କରି ଔଷଧର ଲାଇନ ପର୍ଯ୍ୟନ୍ତ ସବୁଠି ଏମାନଙ୍କୁ ଭାଉ ଦରକାର । କି କାମରେ ଆସନ୍ତି ଏମାନେ ସମାଜର ? ଏମାନଙ୍କୁ ସବୁ ବର୍ଡର୍ କୁ ପଠାଇ ହାତରେ ବନ୍ଧୁକ ଧରାଇଦେବା କଥା । ବନ୍ଧୁକ ଉଠାଇ ପାରିଲେ ଜଣେ ଅଧେ ଙ୍କୁ ମାରିବେ, ନହେଲେ ମରିବେ । ଯେତିକି ଦିନ ବଞ୍ଚିବା କଥା ବଞ୍ଚି ସାରିଲେଣି, ଆଉ ଅଧିକ ବଞ୍ଚି କଣଟା ବା ଅଧିକ କରି ପକାଇବେ । ବରଂ ଦେଶ ପାଇଁ କାମ କରି ମଲେ ଶେଷ ସମୟରେ ଆତ୍ମ ସନ୍ତୋଷ ମିଲିବ” । ମୁଁ ତାଙ୍କ ଠାରୁ ଦୁଇ ଜଣଙ୍କ ଆଗରେ ଠିଆ ହେଇ ଥାଏ । ଆଉ ସହି ନପାରି କହିଲି, ଭାଇ, ଦୟାକରି ଏପରି କଥା କୁହନ୍ତୁ ନାହିଁ, ଆପଣ ମୋ ଯାଗାକୁ ଚାଲି ଆସନ୍ତୁ, ମୁଁ ଆପଣଙ୍କ ଯାଗାକୁ ଚାଲି ଯାଉଛି । କିନ୍ତୁ ବୁଝିବା ତ ଦୂରେ ଥାଉ, ସେ ଆହୁରି ଅଧିକ ବରିଷ୍ଠ ନାଗରିକଙ୍କ ବିରୁଦ୍ଧରେ କହି ଚାଲିଲେ । ବାଧ୍ୟ ହୋଇ ମୁଁ ତାଙ୍କ ପାଖକୁ ଗଲି ଏବଂ ତାଙ୍କ ବୟସ ପଚାରିଲି । କହିଲେ ଚାଳିଶି ବର୍ଷ । କହିଲି, “ଠିକ୍ ଅଛି । ଆଜିର କଥାକୁ ମନେ ରଖିଥାନ୍ତୁ । ଆଉ କୋଡ଼ିଏ ବର୍ଷ ପରେ ଆପଣ ଯେତେବେଳେ ଚାକିରୀରୁ ଅବସର ନେବେ ସତେବେଳେ ମୁଁ ଆପଣଙ୍କୁ ଏଇ ପ୍ରଶ୍ନ ପଚାରିବି । ଆପଣ ଭାରତର ସୀମାରେ କେଉଁ ରେଜିମେଣ୍ଟରେ ଭାଗ ନେବାକୁ ଚାହୁଁଥିବେ ମତେ ଟିକେ  କହିବେ । ମୋର ସମସ୍ତ ସାମର୍ଥ୍ୟ ଲଗାଇ ମୁଁ ଆପଣଙ୍କୁ ସେଠାରେ ପୋଷ୍ଟିଂ କରାଇ ଦେବା ପାଇଁ ଚେଷ୍ଟା କରିବି” । ତା ପରେ ତ ବନ୍ଧୁଙ୍କ କଥା ଏକାଥରକେ ବନ୍ଦ ହୋଇଗଲା । ପୁଣି କହିଲି, ଭାଇ, ଏବେ ବଳ ବୟସ ଅଛି ବୋଲି ପ୍ରାପ୍ତ ବୟସର ଦୁଃଖ ଆମେ ଅନୁଭବ କରି ପାରୁନେ । କିନ୍ତୁ ହାତର ବାଡ଼ି, ଚାଲିବା ପାଇଁ ବି ସାହାଯ୍ୟ କରି ନପାରିଲା ବେଳେ ଆପଣ ହାତରେ ବନ୍ଧୁକ ଧରି ଯୁଦ୍ଧ କରିବା କଥା କହୁଛନ୍ତି” ?

ଜୀବନସଂଧ୍ୟାରେ ମୃତ୍ୟୁ

ଭାବିଲେ ସତରେ କେତେ ଦୁଃଖ ଲାଗେ । ଯେଉଁ ହାତ ଆମ ଜୀବନର ପ୍ରଥମ ପଦକ୍ଷେପରେ ସହାୟତା କଲା, ଯିଏ ଆମକୁ ବଡ଼ କରୁ କରୁ ନିଜେ ବୁଢ଼ା ହୋଇଗଲା, ଆଜି ଜୀବନସଂଧ୍ୟାରେ ଆମେ ତାକୁ ଅଦରକାରୀ ଭାବି, ତାର ମୃତ୍ୟୁକୁ ଅପେକ୍ଷା କରୁଛେ ! ଇଏ କି ପ୍ରକାର ସଂସ୍କାର, ଯାହା ଆମକୁ ଧିରେ ଧିରେ ରସାତଳଗାମୀ କରୁଛି । ସରକାରୀ କାର୍ଯ୍ୟରେ 2011 ମସିହାରେ ବାରଣାସୀ ଏବଂ ବୃନ୍ଦାବନର ଅନେକ ବୃଦ୍ଧାଶ୍ରମ ଭ୍ରମଣ କରିବାର ଅବସର ମିଳିଥିଲା । ଆଜି ବି ମନେ ପଡେ କେତୋଟି କୋଟରଗତ ଚକ୍ଷୁ, ଏବଂ ନୀରବରେ ସେଥିରୁ ବହିଯାଉଥିବା ଅବିରତ ଅଶୃ । ଅନେକଙ୍କର ପିଲା ମାନେ ଉଚ୍ଚ ଶିକ୍ଷିତ, ଉଚ୍ଚ ପଦରେ ଅଧିଷ୍ଠିତ ସଫଳ ଜୀବନ ଅତିବାହିତ କରୁଥିଲେ । ଅତି ନିକଟରେ ଥାଇ ମଧ୍ୟ ବାପା-ମା ଙ୍କୁ ଆଣି ବୃଦ୍ଧାଶ୍ରମରେ ଛାଡ଼ି ଦେଇ ଯାଇଥିଲେ । ଘର ଅପେକ୍ଷା ଏଠାରେ କାଳେ ତାଙ୍କର ଦେଖା ରଖା ଅଧିକ ଭଲ ଭାବରେ ହେବ – ଏପରି କହିଥିଲେ । ସେ ପରିସ୍ଥିତି କିପରି ହୋଇଥିବ ଯେତେବେଳେ ପିଲା ମାନେ ବାପା-ମା ଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଇ ଯାଇଥିବେ, ମୁଁ ହୁଏତ କଳ୍ପନା କରି ପାରିଲିନି, କିନ୍ତୁ ଥକିଯାଇ ଥିବା ଦେହ ଆଉ ଦୁଃଖ ଜର୍ଜରିତ ମନର କୋହ ବେଶ୍ ପଢ଼ି ପାରିଲି ।

ଏବେ ଆସନ୍ତୁ, କିଛି ତଥ୍ୟ ଉପରେ ଧ୍ୟାନ ଦେବା । ଆଜି ସମଗ୍ର ଭାରତରେ ଦଶ କୋଟିରୁ ଉର୍ଦ୍ଧ୍ୱ  ବରିଷ୍ଠ ନାଗରିକ (60 ବର୍ଷ ବା ଅଧିକ)  ଅଛନ୍ତି ଯାହା କି ଦେଶର ମୋଟ ଜନ ସଂଖ୍ୟାର ପାଖାପାଖି ନଅ ପ୍ରତିଶତ । ବିଗତ ଚାରି ଦଶନ୍ଧି ଭିତରେ ଦେଖା ଯାଇଛି ଏହି ପ୍ରତିଶତ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ମିଳିତ ଜାତିସଂଘ କଳନା କରିଛି ଭାରତରେ ଏହି ପ୍ରତିଶତ 2050 ମସିହା ବେଳକୁ ଯଥେଷ୍ଟ ବଢ଼ିଯିବ ଏବଂ କର୍ମକ୍ଷମ (15 ରୁ 59 ବର୍ଷ ବୟସ) ଜନସଂଖ୍ୟା ହ୍ରାସ ପାଇବ । ଅର୍ଥାତ୍ ବିଜ୍ଞାନର ଉନ୍ନତି ଏବଂ ତଦ୍ ଜନିତ ସ୍ୱାସ୍ଥ୍ୟରେ ଉନ୍ନତି ଯୋଗୁଁ ମଣିଷର ପରମାୟୁ ବଢ଼ିବାରେ ଲାଗିଛି ଏବଂ  ଆଗକୁ ଆହୁରି ବଢ଼ିବ । କିନ୍ତୁ ଭିତ୍ତିଭୂମି ସ୍ତରରେ ଆମ ସମାଜ ଏବଂ ମାନସିକ ସ୍ତରରେ ଆମେ ନିଜେ ଏପରି ଏକ ଅବଶ୍ୟମ୍ଭାବୀ ଭବିଷ୍ୟତ ପାଇଁ ପ୍ରସ୍ତୁତ ଅଛୁ କି ? ବରିଷ୍ଠ ନାଗରିକଙ୍କର ଜନସଂଖ୍ୟା ବଢ଼ିଲେ ଶେଷ ଜୀବନରେ ଏକାକୀ ପଣ, ବିଷାଦ, ବିକଳାଙ୍ଗତା, ସୁରକ୍ଷା ଭିତ୍ତିକ ଚିନ୍ତା ଇତ୍ୟାଦି ମଧ୍ୟ ସମାନୁପାତରେ ବଢ଼ିବ । ସେ ସବୁ ପରିସ୍ଥିତିର ସାମନା କରିବାକୁ ଆମେ ଇଚ୍ଛୁକ କି ? ଯଦି ଇଚ୍ଛୁକ, ତେବେ ଅନେକ କିଛି ପଦକ୍ଷେପ ଆମକୁ ଅବିଳମ୍ବେ ଆରମ୍ଭ କରିବାକୁ ହେବ ।

ସହାୟତା ଓ ସହୃଦୟତା

ଦିଲ୍ଲୀ ଭଳି ବଡ଼ ବଡ଼ ସହର ମାନଙ୍କରେ ଦେଖା ଯାଉଛି, ଏମିତି ଅନେକ ବରିଷ୍ଠ ନାଗରିକ ଅଛନ୍ତି ଯେଉଁ ମାନଙ୍କ ପିଲାମାନେ ବିଦେଶରେ ରହିଛନ୍ତି ଏବଂ ବୃଦ୍ଧ ପିତା କିମ୍ବା ମାତା କିମ୍ବା ଉଭୟେ ବିରାଟ ବଡ଼ ପ୍ରାସାଦରେ ଏକ ପ୍ରକାର ବନ୍ଦୀ ଜୀବନ ଜାପନ କରୁଛନ୍ତି । ଏହି ପରିସ୍ଥିତିର ଫାଇଦା ଉଠାଇ ଅନେକେ ଅସାମାଜିକ ବ୍ୟକ୍ତି କୌଣସି କାମରେ ସାହାଯ୍ୟ କରିବା ବାହାନା କରି ଘର ଭିତରକୁ ପଶୁଛନ୍ତି ଏବଂ ଉକ୍ତ ବରିଷ୍ଠ ନାଗରିକଙ୍କୁ ହତ୍ୟା କରି ସମସ୍ତ ସମ୍ପତ୍ତି ଲୁଟ୍ କରି ନେଇ ଯାଉଛନ୍ତି । ଘରେ ଥିବା ଚାକର ଚାକରାଣୀ ଏପରି ଘୃଣ୍ୟ କାମରେ ଅପରାଧୀ ମାନଙ୍କର ସହାୟତା କରୁଛନ୍ତି । ଭାବିଲେ ଦେଖି, ସମାଜରେ କେତେ ଦୂର ନୈତିକ ଅଧୋପତନ ହେଲାଣି !

ସଡ଼କ ପାରି ହେବା ଠାରୁ ଆରମ୍ଭ କରି ଔଷଧ ପାଇଁ ଲାଇନ୍ ଲଗାଇବା ପର୍ଯ୍ୟନ୍ତ, ଅନେକ ଛୋଟ ଛୋଟ କାମ ପାଇଁ ଆଜି ସେମାନେ ସମାଜଠାରୁ ସହାୟତାର ଅପେକ୍ଷାରେ ଅଛନ୍ତି । ସେମାନଙ୍କର ସବୁଠାରୁ ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ ଆଶା ହେଉଛି ସହୃଦୟତା । ଜୀବନ ସଂଗ୍ରାମରେ ଲଢ଼ି ଲଢ଼ି ଆଜି ସେମାନେ କ୍ଳାନ୍ତ । ଉତ୍ତର ପୁରୁଷକୁ ସମର୍ଥ କରୁ କରୁ ଆଜି ନିଜର ଛୋଟ ଛୋଟ ଆବଶ୍ୟକତା ପୁରଣ କରିବାକୁ ସେମାନେ ଅସମର୍ଥ । ପିଲା ମାନଙ୍କ ଭବିଷ୍ୟତର ସ୍ୱପ୍ନ ଦେଖୁ ଦେଖୁ ଆଜି ସେମାନଙ୍କ ଆଖିରେ ପରଳ । ଏପରି ସମୟରେ ତାଙ୍କୁ ଅଲୋଡ଼ା ଭାବି ତାଙ୍କ ମୃତ୍ୟୁକୁ ଅପେକ୍ଷା କରିବାର ଚିନ୍ତା କେବେ ବି କରିହେବ କି ? କଣ ଲାଭ ପଞ୍ଚତାରକା ହୋଟେଲ୍ ର ଶୀତତାପ ନିୟନ୍ତ୍ରିତ କୋଠରୀରେ ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯଦି ଜୀବିତ ଥିଲା ବେଳେ ସହୃଦୟତାର କଥା ପଦେ ତାଙ୍କ ସଙ୍ଗେ ହୋଇ ନପାରିଲେ ? କଣ ଲାଭ, ତାଙ୍କ ଗଲା ପରେ ତାଙ୍କ ନାଆଁର  ବିରାଟ ସ୍ମାରକୀରେ, ଯଦି ଜୀବିତ ଅବସ୍ଥାରେ ତାଙ୍କୁ ଆମେ ଆମ ଜୀବନର ଏକ ଅବିଚ୍ଛିନ୍ନ ଅଙ୍ଗ ବୋଲି ଧାରଣା ଦେଇ ନପାରିଲେ ?

ସମୂହିକ ସ୍ତରରେ ସରକାର ଏ ଦିଗରେ କଣ ସବୁ କରୁଛନ୍ତି ବା କରି ପାରିବେ ସେ ବିଷୟରେ ଆଲୋଚନା କରିବା ଏ ଲେଖାର ଲକ୍ଷ୍ୟ ନଥିଲା । କେବଳ ବ୍ୟକ୍ତିଗତ ସ୍ତରରେ ଏକ ସହୃଦୟ ବାତାବରଣ ସୃଷ୍ଟି କରି ପାରିଲେ ଜୀବନ ସଂଧ୍ୟାରେ ଉପନୀତ ଏଇ ବରେଣ୍ୟ ବ୍ୟକ୍ତି ସମୁହଙ୍କ ମୁହଁରେ ନିଶ୍ଚିତ ଭାବରେ ହସ ଫୁଟି ପାରିବ ।

One thought on “ବୟସ ବୃଦ୍ଧି ଓ ସାମାଜିକ ସହୃଦୟତା

  1. This is a good website which help a reader to update oneself about Odia Sahitya in the point of need. It’s short cut but elaborate… truely it’s helpful for a Literature lover..

Leave a Reply

Your email address will not be published. Required fields are marked *