ବାଲକନିରେ ସଂଜବତୀ

ଯଶୋଧାରା ମିଶ୍ର

ବାଲକନି ଚଉରାରେ ସଂଜବତୀ ଦିଏ
ସାଲୁଆର ସୁଟ୍‍ ପିନ୍ଧା ବୋହୂଟିଏ
ବାଦୁଡ଼ିମାନେ ଘଉଡ଼ିଦେଉଥାନ୍ତି ଆକାଶରୁ
ସଂଜର ଶେଷ ନାଲି ଟିକକ
ଏବର୍ଷ ପତ୍ର ଝାଡ଼ିନଥିବା ଗଛଟି
ଗଳି ମୁଣ୍ଡ ଗ୍ୟାରେଜ ସାମ୍ନାରେ ମୁଣ୍ଡପୋତି
ବସିଥାଏ ମଇଳା ଚାଦର ଘୋଡିହେଇ
ବିମର୍ଷ ବୁଢ଼ାଲୋକଟିଏ ଭଳି।

ଗମଲା ତୁଳସୀ ତଳେ ଓଢ଼ଣୀ ବେକରେ
ହାତ ଯୋଡ଼ ଥି ଡାକୁ ଡାକୁ ଆସନ୍ତା
ଇଣ୍ଟରଭିଉରେ ଡାକରା ଲାଗି
ନୂଆ ଗାଡ଼ି ଖଣ୍ଡେ ହେଉ ବୋଲି
ପୁଅର ଇଂଲିଶ ସ୍କୁଲରେ ସିଟ ଲାଗି,
ମାଗୁଣୀ ଧାଡ଼ିରେ ଠେଲିପେଲି ମୁହଁ ଦେଖାନ୍ତି
ପେନସନରୁ କାଟି ପରଘରୀ ଝିଅପାଇଁ
ଋଣ ଶୁଝୁଥିବା ବୁଢ଼ାଟିଏ
ଗାଁ ପୋଖରୀ ପଙ୍କ ମଝିରେ
ଡେମ୍ଫନୋଇଁଥିବା ପଦ୍ମ କଢ଼ଟିଏ ।

One thought on “ବାଲକନିରେ ସଂଜବତୀ

  1. ଆଉ ଟିକେ ଭଲ ଲେଖିବା ପାଇଁ ଚେଷ୍ଟା କରାଯାଇପାରିଥାନ୍ତା।

Leave a Reply

Your email address will not be published. Required fields are marked *