Updated on 25 June 2025
ରାଜ୍ୟସ୍ତରୀୟ ଜୟନ୍ତୀରେ କଥାକାର କନ୍ହେଇଲାଲଙ୍କ ପ୍ରତି ସାରସ୍ବତ ଶ୍ରଦ୍ଧାଞ୍ଜଳି

ଅତ୍ୟନ୍ତ ସ୍ବଳ୍ପ ଜୀବନକାଳ ମଧ୍ୟରେ ଓଡ଼ିଆ ସାହିତ୍ୟରେ ନିଜର ଅମ୍ଳାନ ଛାପ ଛାଡ଼ି ଯାଇଥିବା କଥାକାର କନ୍ହେଇଲାଲ ଦାସଙ୍କର ୭୮ତମ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ତଥା ‘କନ୍ହେଇଲାଲ ଦାସ ସ୍ମୃତି ସଂସଦ’ର ମିଳିତ ସହଯୋଗରେ ଜୁନ୍ ୨୫ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରର ଗୀତଗୋବିନ୍ଦ ଭବନରେ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ନିଜର ସ୍ବାଗତ ଅଭିଭାଷଣରେ କହିଲେ ଯେ କନ୍ହେଇଲାଲ ସବୁବେଳେ ନିଜକୁ ସ୍ବପ୍ନସମ୍ରାଟ ବୋଲି କହୁଥିଲେ। ଅଜସ୍ର ସାହିତ୍ୟିକ ସମ୍ଭାବନା ଥିବା ଏହି ଅନନ୍ୟ ପ୍ରତିଭାଧର ମାତ୍ର ୨୮ ବର୍ଷ ବୟସରେ ଆମମାନଙ୍କଠାରୁ ଚିର ବିଦାୟ ନେଇଗଲେ। ମୁଖ୍ୟ ଅତିଥି ବର୍ଷୀୟାନ୍ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ କହିଲେ ସେ କନ୍ହେଇଙ୍କଠାରୁ ବୟସରେ ବଡ଼; ତାଙ୍କର ଜନ୍ମ ୧୯୩୩ ମସିହାରେ ଏବଂ କନ୍ହେଇଙ୍କର ୧୯୪୭ ମସିହାରେ। ସେ ସ୍ବାଧୀନତା ପରେ ଜନ୍ମ ହୋଇଥିବାରୁ ତାଙ୍କର ଚିନ୍ତାଧାରା ଭିନ୍ନ ପ୍ରକାର ଥିଲା, ଯାହା ତାଙ୍କ ଗଳ୍ପରେ ପ୍ରତିଫଳିତ ହେଉଥିଲା। ସେ ତାଙ୍କ ଯୁଗର ଜଣେ ଦିଗବାରେଣି ଥିଲେ।
ମୁଖ୍ୟ ବକ୍ତା ଅଜୟ ସ୍ବାଇଁ କନ୍ହେଇଙ୍କ ସାରସ୍ବତ ଜୀବନର କେତେକ ସ୍ମୃତିଚାରଣ କରିଥିଲେ। ସେ ମଧ୍ୟ କହିଲେ ଯେ ଜୀବନର ଅନ୍ତିମ ପର୍ଯ୍ୟାୟରେ କନ୍ହେଇ ଅନେକ ଦୁଃଖ ଓ ଯନ୍ତ୍ରଣାର ସାମନା କରିଥିଲେ। ତଥାପି ସେ ନିର୍ଭୟରେ ଓଡ଼ିଆ ଗଳ୍ପକୁ ଗୋଟିଏ ଦିଗ ଦେଇଥିଲେ। କିନ୍ତୁ ନିଜର ଅଧୁରା ସ୍ବପ୍ନ ନେଇ ସେ ହଠାତ୍ ଚାଲିଗଲେ। ଭୋଗରାଇର ବିଧାୟକ ଗୌତମ ବୁଦ୍ଧ ଦାସ କହିଲେ ଯେ ପିଲାଦିନୁଁ କନ୍ହେଇଲାଲଙ୍କ ରଚନା ପଢ଼ି ସେ ଉଦ୍ବୁଦ୍ଧ ହୋଇଛନ୍ତି। କନ୍ହେଇଙ୍କ ଜୀବଦ୍ଦଶାରେ ତାଙ୍କର ଗୋଟିଏ ମଧ୍ୟ ପୁସ୍ତକ ପ୍ରକାଶିତ ହୋଇନଥିଲା ଏବଂ ସେ କେବଳ ପତ୍ରପତ୍ରିକାରେ ହିଁ ଲେଖୁଥିଲେ। ସମ୍ମାନିତ ଅତିଥି କବୟିତ୍ରୀ ଅପର୍ଣ୍ଣା ମହାନ୍ତି କହିଲେ ଯେ ସାହିତ୍ୟ ତାଙ୍କୁ ଅସମ୍ଭବ ଦୁଃଖରୁ ମୁକ୍ତି ଦେଇଥିବା କଥା କନ୍ହେଇ ନିଜେ ସ୍ବୀକାର କରିଥିଲେ।
ଏହି ଅବସରରେ ସାହିତ୍ୟିକ ସରୋଜ ବଳଙ୍କୁ ‘କନ୍ହେଇ କଥା ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। କନ୍ହେଇଲାଲ ସ୍ମୃତି ସଂସଦର ସଭାପତି ସୁବାସ ଚନ୍ଦ୍ର ପାତ୍ର, କାର୍ଯ୍ୟକାରୀ ସଭାପତି କୃଷ୍ଣକୁମାର ମହାନ୍ତି, ସମ୍ପାଦକ ଉତ୍କଳ ମହାନ୍ତି ତଥା ସାହିତ୍ୟିକ ସରୋଜ ବଳ ପ୍ରମୁଖ ମଧ୍ୟ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସହ-ସମ୍ପାଦକ ସଞ୍ଜୟ କୁମାର ଛୁଆଳସିଂ କାର୍ଯ୍ୟକ୍ରମଟିର ପରିଚାଳନା କରିଥିଲେ।
(ପ୍ରକାଶିତ: ୨୫ ଜୁନ୍, ୨୦୨୫)
ଅଚ୍ୟୁତାନନ୍ଦ ପତିଙ୍କର ୯୯ତମ ଜନ୍ମଦିନରେ ୭୫ ବର୍ଷର ବ୍ୟବଧାନ ପରେ ତାଙ୍କର କାବ୍ୟ ପୁସ୍ତକ ପ୍ରକାଶିତ

ଓଡ଼ିଆ ସାହିତ୍ୟ ଜଗତର ବରିଷ୍ଠ ତଥା ବୟୋଜ୍ୟେଷ୍ଠ କଥାକାର ଅଚ୍ୟୁତାନନ୍ଦ ପତିଙ୍କର ୯୯ ତମ ଜନ୍ମ ଦିବସ ଅବସରରେ, ଅଗ୍ରଣୀ ପ୍ରକାଶନ ସଂସ୍ଥା ବି.କେ ପବ୍ଲିକେଶନ ଆନୁକୁଲ୍ୟରେ ତାଙ୍କର ପ୍ରଥମ କବିତା ସଙ୍କଳନ ‘କାହାଣୀ ନୁହେଁ’ର ଦ୍ଵିତୀୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି।
ଏହି ଉପଲକ୍ଷେ ଜୁନ୍ ୨୨ ତାରିଖ ପୂର୍ବାହ୍ଣରେ ଶ୍ରୀ ପତିଙ୍କ ବାସଭବନରେ ସମ୍ପୂର୍ଣ୍ଣ ଅନୌପଚାରିକ ଢଙ୍ଗରେ ତାଙ୍କର କିଛିଜଣ ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ଉପସ୍ଥିତିରେ ବହିଟି ଲୋକାର୍ପିତ ହୋଇଥିଲା। ଏହି ଅବସରରେ ଉପସ୍ଥିତ ଥିଲେ ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନ, ଗାଳ୍ପିକ ରବି ପଣ୍ଡା, ଗାଳ୍ପିକ ପ୍ରଦୋଷ ମିଶ୍ର, ଔପନ୍ୟାସିକା ସ୍ଵର୍ଣ୍ଣଲତା ମହାପାତ୍ର ଓ ସୁଲେଖିକା ସୁପ୍ରିୟା ପଣ୍ଡା ପ୍ରମୁଖ।
ଦୀର୍ଘ ୭୫ ବର୍ଷର ବ୍ୟବଧାନ ପରେ ତା’ଙ୍କ ସ୍ୱରଚିତ ପ୍ରଥମ କାବ୍ୟପୁସ୍ତକର ଦ୍ଵିତୀୟ ସଂସ୍କରଣ ପ୍ରକାଶ ପାଇବା ଏକ ସ୍ଵତନ୍ତ୍ର ଅନୁଭବ ବୋଲି ଶ୍ରୀ ପତି ମତବ୍ୟକ୍ତ କରିବା ସହିତ ପ୍ରକାଶକ ବିଜୟ ମହାପାତ୍ରଙ୍କୁ ଶ୍ରଦ୍ଧା ଓ ଶୁଭେଚ୍ଛା ଜଣାଇଥିଲେ।
ଗାଆଁରେ ରହୁଥିବା ଗୋଟିଏ ପରିବାରର ଦୁଃଖସୁଖକୁ ନେଇ ରଚିତ ହୋଇଥିବା ଏହି ଦୀର୍ଘ କବିତାଟିରେ ହଜି ଯାଉଥିବା ଗାଉଁଲି ଶବ୍ଦର ପ୍ରୟୋଗ ସହିତ ଶ୍ରୀ ପତିଙ୍କର କାବ୍ୟିକ ଭାବଧାରାର ଅପୂର୍ବ ସଂଗମ ସବୁ ବର୍ଗର ପାଠକମାନଙ୍କୁ ଆକୃଷ୍ଟ କରିବ ବୋଲି ପ୍ରକାଶକ ଶ୍ରୀ ମହାପାତ୍ର ଆଶା ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ପତିଙ୍କ ଏହି କାବ୍ୟ ପୁସ୍ତକ, ‘କାହାଣୀ ନୁହେଁ’ ୧୯୫୧ ମସିହାରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଥିଲା ଏବଂ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏହାର ମୁଖବନ୍ଧ ଲେଖିଥିଲେ।
(ପ୍ରକାଶିତ: ୨୨ ଜୁନ୍, ୨୦୨୫)
‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ସୁରେନ୍ଦ୍ର ମହାନ୍ତିଙ୍କ ୧୦୪ତମ ଜୟନ୍ତୀ ପାଳିତ

ପ୍ରଖ୍ୟାତ କଥା-ସାହିତ୍ୟିକ ତଥା ‘ସମ୍ବାଦ’ ଖବରକାଗଜର ପ୍ରଥମ ସମ୍ପାଦକ ସୁରେନ୍ଦ୍ର ମହାନ୍ତିଙ୍କ ୧୦୪ତମ ଜୟନ୍ତୀ ଉପଲକ୍ଷେ ଜୁନ୍ ୨୧ ତାରିଖ ପୂର୍ବହ୍ଣରେ ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଏକ ଭବ୍ୟ ସାରସ୍ବତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସୁରେନ୍ଦ୍ର ମହାନ୍ତିଙ୍କ ଦୁଇ ଅମର କୃତି ‘ଓଡ଼ିଆ ସାହିତ୍ୟର ଆଦି ପର୍ବ’ ତଥା ‘ଓଡ଼ିଆ ସାହିତ୍ୟର ମଧ୍ୟ ପର୍ବ ଓ ଉତ୍ତର-ମଧ୍ୟ ପର୍ବ’ର ସଦ୍ୟତମ ସଂସ୍କରଣ ମଧ୍ୟ ଲୋକାର୍ପିତ ହୋଇଥିଲା।
ସଭାରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ‘ପୌରୁଷ’ର ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟିକ ଅସିତ ମହାନ୍ତି। ଆଲୋଚନାର ସୂତ୍ରପାତ କରି ‘କଥା’ର ସମ୍ପାଦକ ତଥା କେନ୍ଦ୍ର ସାହିତ୍ୟ ସାହିତ୍ୟ ଏକାଡେମୀ, ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଗୌରହରି ଦାସ କହିଲେ ଯେ ସୁରେନ୍ଦ୍ର ମହାନ୍ତି ଯାହାକୁ ଛୁଇଁଛନ୍ତି ତାହା ସୁନା ପାଲଟିଯାଇଛି। ସେ ଅତ୍ୟନ୍ତ ଶୃଂଖଳିତ ଓ ସ୍ଵାଭିମାନୀ ଥିଲେ; ତାଙ୍କର ରଚନା ମଧ୍ୟ ଜୀବନବାଦୀ ଥିଲା। ରାଜ୍ୟ ମହିଳା କମିଶନର ପ୍ରାକ୍ତନ ଅଧ୍ୟକ୍ଷା ତଥା ସୁରେନ୍ଦ୍ର ମହାନ୍ତିଙ୍କ କନ୍ୟା ଲୋପାମୁଦ୍ରା ମହାନ୍ତି କହିଲେ ଯେ ସୁରେନ୍ଦ୍ର ମହାନ୍ତିଙ୍କ ଅଗଣିତ ମୁଗ୍ଧ ପାଠକ ହେଉଛନ୍ତି ତାଙ୍କର ପ୍ରକୃତ ସନ୍ତାନ। ପାଠକଙ୍କୁ ନେଇ ହିଁ ଲେଖକଟିଏ ବଞ୍ଚିଥାଏ। ବିଶିଷ୍ଟ ସାହିତ୍ୟ ସମାଲୋଚକ ତଥା ଅନୁବାଦକ ଯତୀନ୍ଦ୍ର କୁମାର ନାୟକ ସୁରେନ୍ଦ୍ର ମହାନ୍ତିଙ୍କ ସର୍ଜନଧାରାର କେତେକ ଦିଗ ବିଷୟରେ ଆଲୋଚନା କରିଥିଲେ। ଏହି ସମାରୋହରେ ସଭାପତିତ୍ବ କରିଥିବା ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ, ଏବଂ କହିଥିଲେ ଯେ ସମ୍ବାଦ ଅନୁଷ୍ଠାନ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରତି ସଦା କୃତଜ୍ଞ ରହିବ।
ସଭାରେ ସୁରେନ୍ଦ୍ର ମହାନ୍ତିଙ୍କ ଦ୍ବାରା ରଚିତ ‘ମାଂସର କୋଣାର୍କ’ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା। ଏହି ଅବସରରେ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଳସାହିତ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଶିଶୁ-ସାହିତ୍ୟିକ ରାଜ କିଶୋର ପାଢ଼ୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଉତ୍କଳ ସାହିତ୍ୟ ସମାଜର ସଭାପତି ତଥା ‘ଆମ ଓଡ଼ିଶା’ର ଅନ୍ୟତମ କର୍ମକର୍ତ୍ତା ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
(ପ୍ରକାଶିତ: ୨୧ ଜୁନ୍, ୨୦୨୫)
‘ସମାଜ’ର ପୂର୍ବତନ ସମ୍ପାଦକ ନିରଞ୍ଜନ ରଥଙ୍କ ମହାପ୍ରୟାଣ

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ଦୈନିକ ଓଡ଼ିଆ ଖବରକାଗଜ ‘ସମାଜ’ର ପୂର୍ବତନ ସମ୍ପାଦକ ନିରଞ୍ଜନ ରଥ ଜୁନ୍ ୧୯ ତାରିଖ ମଧ୍ୟରାତ୍ରିରେ କଟକର ଏକ ଘରୋଇ ହାସପାତାଳରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସେ ଅବିବାହିତ ଥିଲେ।
ନିଜର ଏମ୍.ଏ, ଏଲ୍.ଏଲ୍.ବି ଶିକ୍ଷା ସମାପ୍ତ କରିବା ପରେ ସେ ଆଠଗଡ଼ରୁ ‘ନ୍ୟାୟବତୀ’ ନାମକ ଏକ ପାକ୍ଷିକ ପତ୍ରିକା ପ୍ରକାଶ କରି ନିଜର ପତ୍ରକାରିତା ଜୀବନ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ କାଳରେ ଲୋକ ସେବକ ମଣ୍ଡଳରେ ଜଣେ ସଭ୍ୟ ଭାବରେ ଯୋଗ ଦେଇ ସମୟକ୍ରମେ ଏହାର ବିଭିନ୍ନ ଉଚ୍ଚ ପଦବୀ ମଣ୍ଡନ କରିଥିଲେ। କିଛି କାଳ ପାଇଁ ସେ ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ଭାବରେ ଦାୟିତ୍ବ ନିର୍ବାହ କରିଥିଲେ। ଏହି ଖବରକାଗଜର ସମ୍ପାଦକୀୟ ପୃଷ୍ଠାରେ ସେ ‘ବେଙ୍ଗ କହେ ବେଙ୍ଗୁଲି ଲୋ’ ନାମକ ଏକ ସ୍ତମ୍ଭ ଲେଖୁଥିଲେ। ସେ ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ସମ୍ପାଦକ ମଧ୍ୟ ଥିଲେ।
ଅନୁଷ୍ଠାନର କେତେକ କାର୍ଯ୍ୟରେ ଅନିୟମିତତାର ଅଭିଯୋଗ କ୍ରମେ କିଛି ମାସ ତଳେ ତାଙ୍କୁ ଲୋକସେବକ ମଣ୍ଡଳର ବିଭିନ୍ନ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଥିଲା। କିନ୍ତୁ ପରେ ପୁଣି କାର୍ଯ୍ୟରେ ଯୋଗଦେଇ ସେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ।
(ପ୍ରକାଶିତ: ୨୦ ଜୁନ୍, ୨୦୨୫)
ସାହିତ୍ୟ ଏକାଡେମୀର ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଜୁନ ୧୮ ତାରିଖ ଦିନ ୨୦୨୫ ମସିହା ପାଇଁ ଯୁବସାହିତ୍ୟ ପୁରସ୍କାର ଏବଂ ବାଳସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ସମୁଦାୟ ୨୩ଟି ଭାରତୀୟ ଭାଷା ପାଇଁ ଚଳିତବର୍ଷ ଯୁବ ପୁରସ୍କାର ଘୋଷଣା କରାଯାଇଛି। କେବଳ ଡୋଗ୍ରି ଭାଷା ପାଇଁ ଏ ବର୍ଷର ଯୁବ ପୁରସ୍କାର ଘୋଷଣା କରାଯାଇନାହିଁ।
ଓଡ଼ିଆ ଯୁବଲେଖକ ସୁବ୍ରତ କୁମାର ସେନାପତିଙ୍କ ଗଳ୍ପ ପୁସ୍ତକ ‘କଦମ୍ବବନ’ ଯୁବ ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ଓଡ଼ିଆ ବିଭାଗର ଏହି ଯୁବ ପୁରସ୍କାର ପାଇଁ ବିଚାରକ ମଣ୍ଡଳୀରେ ରହିଥିଲେ ଯଶୋଧାରା ମିଶ୍ର, ରବି ସ୍ୱାଇଁ ଓ ସୁବାଷ ଚନ୍ଦ୍ର ଶତପଥୀ। ଏହି ପୁରସ୍କାର ସ୍ୱରୂପ ୫୦୦୦୦ ଟଙ୍କା ପ୍ରଦାନ କରାଯିବ।
ସେହିପରି ୨୩ଟି ଭାରତୀୟ ଭାଷା ପାଇଁ ଏ ବର୍ଷର ବାଳସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀଙ୍କୁ ତାଙ୍କର ପୁସ୍ତକ ‘କେତେ ଫୁଲ ଫୁଟିଛି’ ପାଇଁ ଏହି ବାଳସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାରର ବିଚାରକ ମଣ୍ଡଳୀରେ ନିଳାଦ୍ରୀ ଭୂଷଣ ହରିଚନ୍ଦନ, ଶକୁନ୍ତଳା ବଳିଆର ସିଂହ ଓ ରାମଚନ୍ଦ୍ର ନାୟକ ରହିଥିଲେ। ଏହି ପୁରସ୍କାର ସ୍ୱରୂପ ତାଙ୍କୁ ୫୦୦୦୦ ଟଙ୍କା ପ୍ରଦାନ କରାଯିବ।
(ପ୍ରକାଶିତ: ୧୮ ଜୁନ୍, ୨୦୨୫)
ତ୍ରିଧାରା ସାହିତ୍ୟ ସଂସଦର ଗଳ୍ପ ଖସଡ଼ା କାର୍ଯ୍ୟକ୍ରମ

ବ୍ରହ୍ମପୁରସ୍ଥିତ ତ୍ରିଧାରା ସାହିତ୍ୟ ସଂସଦ ପକ୍ଷରୁ ଗୁଗୁଲ ମିଟ୍ ମାଧ୍ୟମରେ ଜୁନ୍ ୧୫ ତାରିଖ ସନ୍ଧ୍ୟାରେ ଏକ ‘ଅନ୍ତର୍ଜାତୀୟ ଗଳ୍ପ ଖସଡ଼ା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାଳ୍ପିକମାନଙ୍କୁ ନେଇ ଗଳ୍ପ ସର୍ଜନାର ଏକ ନୂତନ ସମ୍ଭାବନା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।
ଏହି ଅବସରରେ ଆଲୋଚିତ ବିଷୟଗୁଡିକ ମଧ୍ୟରେ ଥିଲା, ଓଡ଼ିଆ ସାହିତ୍ୟରେ ପାଠକ ଅଭାବ ଓ ପ୍ରକାଶନ ସଂସ୍ଥାମାନଙ୍କ ପକ୍ଷରୁ ଲେଖକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା। ଏଥିରେ ମତ ପ୍ରକାଶ ପାଇଥିଲା ଯେ ଆଜିକାଲି ପତ୍ରପତ୍ରିକାରେ ସମୀକ୍ଷା ଓ ପତ୍ରାଳାପ ପ୍ରାୟତଃ ନାହିଁ। ଲେଖକଙ୍କୁ ସ୍ବୀକୃତି ଦେବାପାଇଁ ସରକାରୀ ଯୋଜନା ମଧ୍ୟ ନାହିଁ। ତଥାପି ଏହି ନାହିଁ ନାହିଁର ପରିବେଶରେ ସାହିତ୍ୟପ୍ରେମୀମାନେ ଅନିଶ୍ଚିତ ବାତାବରଣ ନେଇ ସୃଷ୍ଟି କରୁଛନ୍ତି ନିଜସ୍ବ ସୃଷ୍ଟି ସମ୍ଭାର। ସାହିତ୍ୟର ଲୋକପ୍ରିୟ ବିଭାଗଗୁଡ଼ିକ ମଧ୍ୟରେ ଗଳ୍ପର ପ୍ରାଧାନ୍ୟ ରହିଛି। ଗଳ୍ପ ସାହିତ୍ୟର ଚରିତ୍ର ଜୀବନ୍ତ ହେବା ଦରକାର; ଏବଂ ଘଟଣା ଆଖି ଆଗରେ ନାଚି ଉଠିଲେ ହିଁ କୌଣସି ଗଳ୍ପ କାଳଜୟୀ ହୋଇପାରେ।
ଏହି କାର୍ଯ୍ୟକ୍ରମରେ ଭି ରାଜେନ୍ଦ୍ର ରାଜୁ, ମୁଖ୍ୟ ଅତିଥି ତଥା ଜ୍ୟୋତି ବିହାରର ଗଣିତ ବିଭାଗର ପ୍ରଫେସର ଅରୁଣ କୁମାର ତ୍ରିପାଠୀ ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରି ଗଳ୍ପର ଶୈଳୀ, ଗଠନ କୌଶଳ ଓ ଉପସ୍ଥାପନା ଆଦି ସମ୍ପର୍କରେ ଏକ ଭାବଗର୍ଭକ ଭାଷଣ ପ୍ରଦାନ କରିବା ସହ ନିଜ ସାରସ୍ବତ ଅନୁଭୁତି ବର୍ଣ୍ଣନା କରିଥିଲେ। ସଂସଦର ଉପ-ସଭାପତି ତଥା ଶ୍ରୀଭରତ ପତି ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଶୋକ କୁମାର ପଣ୍ଡା ସଭାପତି ଭାବେ ମଞ୍ଚାସୀନ ହୋଇ ସାଂପ୍ରତିକ ସ୍ଥିତିରେ ଗଳ୍ପର ଆବଶ୍ୟକତା ଓ ପାଠକୀୟ ଶ୍ରଦ୍ଧା ସମ୍ପର୍କରେ ଆଲୋଚନା କରିଥିଲେ। ‘ସ୍ବାଭିମାନ’ ଓ ‘ସମଦୃଷ୍ଟି’ର ସମ୍ପାଦକ ବିଘ୍ନେଶ୍ୱର ସାହୁ ମଞ୍ଚ ସଞ୍ଚାଳନ କରିଥିଲେ। ସଂସଦର ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସଂସଦର ସହ-ସମ୍ପାଦକ ତଥା କଥାକାର ଗାୟତ୍ରୀ ପାଣିଗ୍ରାହୀ ସଭାରେ ପଠିତ ଗଳ୍ପଗୁଡ଼ିକର ସମୀକ୍ଷା କରିଥିଲେ। ପରିଶେଷରେ କବୟିତ୍ରୀ ବନ୍ଦନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
(ପ୍ରକାଶିତ: ୧୬ ଜୁନ୍, ୨୦୨୫)
ପ୍ରକାଶିତ ହେବ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସର ପ୍ରାମାଣିକ ଇଂରାଜୀ ଅନୁବାଦ

ଓଡ଼ିଆ ଜାତି ତଥା ଓଡ଼ିଆ ସାହିତ୍ୟ ପ୍ରେମୀଙ୍କର ଦୀର୍ଘକାଳର ଆକାଂକ୍ଷା – କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କୃତ ‘ବୈଦେହୀଶ ବିଳାସ’ର ଇଂରାଜୀ ଭାଷାରେ ଏକ ପ୍ରାମାଣିକ ଅନୁବାଦ, ଖୁବ୍ ଶୀଘ୍ର ସାର୍ଥକ ହେବାକୁ ଯାଉଛି। ଏହି ଅନୁବାଦ କାର୍ଯ୍ୟଟି ସମ୍ପନ୍ନ କରିଛନ୍ତି ଆମେରିକାସ୍ଥିତ ଉଇସ୍କନ୍ସିନ୍ ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ଦ୍ବୟ ଅମ୍ରିତା ଚୌଧୁରୀ ଓ ଉଜାନ୍ ଘୋଷ। ଏହି ମହତ୍ତ୍ବପୂର୍ଣ୍ଣ ଅନୁବାଦ-ପରିଯୋଜନାର ଯୋଗସୂତ୍ର ସ୍ଥାପନ କରିଛନ୍ତି କଲିକତାରେ ଅବସ୍ଥାନ କରୁଥିବା ବିଶିଷ୍ଟ ଅନୁବାଦକ କମଳାକାନ୍ତ ମହାପାତ୍ର। ପୁସ୍ତକଟି ଆଉ ମାତ୍ର ମାସକ ମଧ୍ୟରେ ‘ଓ୍ବାଇଡ୍ ଓପନ୍ ଓ୍ବିଣ୍ଡୋ ବୁକ୍ସ’ ପ୍ରକାଶନ ସଂସ୍ଥା ଦ୍ବାରା ଲୋକାର୍ପିତ ହେବ ବୋଲି ଜଣାପଡ଼ିଛି।
ପ୍ରକାଶ ଅପେକ୍ଷାରେ ଥିବା ଏହି ଅନୁବାଦ ପୁସ୍ତକଟି ଉପରେ ନିଜର ମତ ଦେଇ ଆମେରିକାର ସୁପ୍ରସିଦ୍ଧ ଇଣ୍ଡୋଲୋଜିଷ୍ଟ (ଭାରତବିତ୍) ଓ୍ବେଣ୍ଡି ଡୋନିଗର୍ କହିଛନ୍ତି ଯେ ‘ଏହା ହେଉଛି ଏକ ଅସାମାନ୍ୟ କାବ୍ୟର ଅସାମାନ୍ୟ ଅନୁବାଦ।’ ଏହା ପୂର୍ବରୁ, ଗତ ଶତାବ୍ଦୀର ପଞ୍ଚମ ଦଶନ୍ଧି ବେଳକୁ ଭଞ୍ଜ ସାହିତ୍ୟର ଅଗ୍ରଣୀ ଗବେଷକ ବିଚ୍ଛନ୍ଦ ଚରଣ ପଟ୍ଟନାୟକ ବୈଦେହୀଶ ବିଳାସର ଅଳ୍ପ କିଛି ଅଂଶ ଇଂରାଜୀରେ ଅନୁବାଦ କରିବାକୁ ଚେଷ୍ଟା କରିଥିଲେ। ଏବେ ପ୍ରକାଶ ଅପେକ୍ଷାରେ ଥିବା ଅନୁବାଦ ପୁସ୍ତକଟି ଉପେନ୍ଦ୍ର ଭଞ୍ଜଙ୍କ ରଚନା ପ୍ରତି ବୈଶ୍ବିକ ରୁଚି ଜାଗ୍ରତ କରିବାରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି।
(ପ୍ରକାଶିତ: ୫ ଜୁନ୍, ୨୦୨୫)
ଚଳନ୍ତା ରେଳରେ କବିତାପାଠର ଅନନ୍ୟ କାର୍ଯ୍ୟକ୍ରମ: ନେଇଯା’ରେ ରେଳ ମୋତେ

ଜୟପୁର ସାହିତ୍ୟ ପରିଷଦ ଦ୍ବାରା ଆୟୋଜିତ ଚଳନ୍ତା ଟ୍ରେନ୍ ଭିତରେ କବିତା ପାଠର ଏକ ଅନନ୍ୟ କାର୍ଯ୍ୟକ୍ରମ ମଇ ୨୭ ତାରିଖ ଦିନ ଜୟପୁରରୁ ଜଗଦଳପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ୍ରେ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଜୟପୁର ସହରର ୩୬ ଜଣ ବିଶିଷ୍ଟ କବି ଓ ଲେଖକ ଟ୍ରେନ୍ରେ ଜଗଦଳପୁର ଅଭିମୁଖେ ସେମାନଙ୍କର ଯାତ୍ରା ଆରମ୍ଭ କରିଥିଲେ; ଏବଂ ସେଠାକୁ ଯିବା ଓ ଫେରିବା ଉଭୟ ଅବସରରେ ଟ୍ରେନ ଭିତରେ ହିଁ ସମସ୍ତେ ନିଜର କବିତା ପାଠ କରିଥିଲେ। କାର୍ଯ୍ୟକ୍ରମଟିରେ ଭାଗନେଇଥିବା ସମସ୍ତ ସାହିତ୍ୟିକଙ୍କ ପାଇଁ ଏହା ଏକ ଅପୂର୍ବ ଅନୁଭବ ଥିଲା।
ସମସ୍ତେ ଟ୍ରେନ୍ ଯୋଗେ ଯାଇ ଜଗଦଳପୁରଠାରେ ପହଞ୍ଚିବା ପରେ ସେଠାକାର ଉତ୍କଳ ଭବନଠାରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସଭାପତିତ୍ବ କରିଥିଲେ ଛତିଶଗଡ଼ର ସୁପରିଣ୍ଟେଣ୍ଡିଂ ଆନ୍ଥ୍ରୋପୋଲୋଜିଷ୍ଟ ପୀୟୂଷ ରଞ୍ଜନ ସାହୁ। ସଭାରେ ଛତିଶଗଡ଼ ଓ ଓଡ଼ିଶା ରାଜ୍ୟ ଦ୍ବୟ ମଧ୍ୟରେ ଥିବା ସାରସ୍ବତ ସମ୍ପର୍କ ଉପରେ ଆଲୋକପାତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସୁଲେଖିକା ଉର୍ମିଳା ଆଚାର୍ଯ୍ୟ, ଜୟପୁର ସାହିତ୍ୟ ପରିଷଦର ସଭାପତି ହରିହର ସୁଧା ପଟ୍ଟନାୟକ, ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ ପ୍ରମୁଖ ମଧ୍ୟ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ବିଜୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ‘ପରଜାପତି’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ଉପସଭାପତି ମଧୁସୂଦନ ମିଶ୍ର।
(ପ୍ରକାଶିତ: ୨୭ ମଇ, ୨୦୨୫)
ଓଡ଼ିଶା ସାହିତ୍ୟ ଏକାଡେମୀର ଯୁବ ଗାଳ୍ପିକ ସମାବେଶ

ମଇ ୨୪ ତାରିଖ ଦିନ ଭୁବନେଶ୍ବରରସ୍ଥିତ ‘ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର’ର ସଭାଗାରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ଭବ୍ୟ ଯୁବଗାଳ୍ପିକ ସମାବେଶ ଆୟୋଜିତ ହୋଇଯାଇଛି। ସମଗ୍ର ରାଜ୍ୟରୁ ପ୍ରାୟ ୭୮ ଜଣ ଯୁବ ଗାଳ୍ପିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ନିମନ୍ତ୍ରିତ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରୁ ଏଥିରେ ଯୋଗ ଦେଇଥିଲେ ୫୭ ଜଣ।
ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ସମାବେଶର ଶୁଭାରମ୍ଭ କରିବା ପରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସଚିବ ଚନ୍ଦ୍ରଶେଖର ହୋତା। ଏହି ସମାରୋହର ବିଭିନ୍ନ ଅଧିବେଶନରେ ମିହିର କୁମାର ସାହୁ, ଅରବିନ୍ଦ ରାୟ, ହିରଣ୍ମୟୀ ମିଶ୍ର ଓ ଶରତ ଆତାର୍ଯ୍ୟ ପ୍ରମୁଖ ଯୋଗଦେଇ ଯୁବ ଗାଳ୍ପିକମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ। ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁସାରେ ଏହି ଅବସରରେ ଉଦ୍ଘାଟକ ଭାବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତଥା ମୁଖ୍ୟ ଅତିଥି ଭାବରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଦେବ ପ୍ରସାଦ ଦାସ ଯୋଗ ଦେବେ ବୋଲି ସୂଚନା ଦିଆଯାଇଥିଲେ ହେଁ ସେମାନେ ଏହି ଅବସରରେ ଉପସ୍ଥିତ ନ ଥିଲେ। ୫୭ ଜଣ ନିମନ୍ତ୍ରିତ ଯୁବ ଗାଳ୍ପିକମାନଙ୍କୁ ଛାଡ଼ିଦେଲେ, ଏହି ସମାରୋହର ହଲ୍ ମଧ୍ୟରେ ଶ୍ରୋତାମଣ୍ଡଳୀ ମଧ୍ୟରେ ବସିଥିଲେ ମାତ୍ର ୧୦ ଜଣ, ଯେଉଁମାନଙ୍କ ମଧ୍ୟରେ କେତେଜଣ ସାମ୍ବାଦିକ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ।
ପ୍ରଥମ ଅଧିବେଶନରେ ‘ଆଜିର ଗଳ୍ପରେ ଗାଳ୍ପିକର କାନଭାସ୍’ ବିଷୟରେ ଆଲୋଚନା କରାଯାଇଥିଲା, ଯାହାର ସଂଯୋଜନା କରିଥିଲେ ମିୟୋଗ ରଞ୍ଜନ ପାତ୍ର। ଏଥିରେ ୧୨ ଜଣ ଯୁବ ଗାଳ୍ପିକ ଭାଗ ନେଇଥିଲେ। ଏହାପରେ କ୍ଷୀରୋଦ ବିଶ୍ବାଳଙ୍କ ଦ୍ବାରା ସଂଯୋଜିତ ‘ଆମ ଗଳ୍ପର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଅଧିବେଶନରେ ଯୋଗଦେଇଥିଲେ ୧୧ ଜଣ ଯୁବ ଗାଳ୍ପିକ। ୧୩ ଜଣ ଯୁବ ଗାଳ୍ପିକଙ୍କୁ ନେଇ ଅନୁଷ୍ଠିତ ତୃତୀୟ ଅଧିବେଶନର ବିଷୟ ଥିଲା ‘ସମକାଳୀନ ଓଡ଼ିଆ ଗଳ୍ପରେ ଓଡ଼ିଆପଣ’ ଯାହାର ସଂଯୋଜନା କରିଥିଲେ ସଞ୍ଜୟ ପଣ୍ଡା। ପରବର୍ତ୍ତୀ ଅଧିବେଶନ ଆରମ୍ଭ ହେବାର ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀର ସହ ସଚିଵ ସଞ୍ଜୟ କୁମାର ଛୁଆଳସିଂହ ସମାବେଶକୁ ସମ୍ବୋଧିତ କରିଥିଲେ। ଚତୁର୍ଥ ଅଧିବେଶନର ବିଷୟ ଥିଲା ‘ଓଡ଼ିଆ ଗଳ୍ପରେ ଅସ୍ମିତାର ଚିତ୍ର ଓ ଚରିତ୍ର ’ ଯେଉଁଥିରେ ୧୧ ଜଣ ଗାଳ୍ପିକ ଉପସ୍ଥିତ ଥିଲେ। ଏହାର ସଂଯୋଜନା କରିଥିଲେ ଶିବାନନ୍ଦ ବାରିକ। ପଞ୍ଚମ ଅଧିବେଶନରେ ‘ସାମ୍ପ୍ରତିକ ଓଡ଼ିଆ ଗଳ୍ପର ଧାରାରେ ମୋ ଗଳ୍ପ’ ବିଷୟରେ ଆଲୋଚନା ହୋଇଥିଲା। ଏହାକୁ ସଂଯୋଜନା କରିଥିଲେ ବେଦ ପ୍ରକାଶ ନାୟକ। ଏଥିରେ ମଞ୍ଚାସୀନ ଥିଲେ ୧୦ ଜଣ। ଏହି ସମସ୍ତ ଆଲୋଚନା ମଞ୍ଚ ଉପରେ ପ୍ରଶ୍ନୋତ୍ତର ଛଳରେ ଅନୁଷ୍ଠିତ ହୋଇଥିଲା।
ଯୁବ ଗାଳ୍ପିକଙ୍କର ଏହି ସମାରୋହଟି ୧୯୭୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ସ୍ବର୍ଗତ ସଚ୍ଚିଦାନନ୍ଦ ରାଉତରାୟଙ୍କ ସଭାପତିତ୍ବ କାଳରେ କଟକର ଓ୍ବାଇ.ଏମ୍.ସି.ଏ ସଭାଗାରରେ ଅନୁଷ୍ଠିତ ହୋଇଥିବା ଏକ ତିନିଦିନିଆ ‘ଯୁବ ଗଳ୍ପ ଲେଖକ କର୍ମଶାଳା’ର ସ୍ମୃତି ମନକୁ ଆଣିଥିଲା, ଯେଉଁଥିରେ ଓଡ଼ିଶାର କେତେଜଣ ବରିଷ୍ଠ ଓ ବିଶିଷ୍ଟ ଲେଖକ ଉପସ୍ଥିତ ରହି ସ୍ବତନ୍ତ୍ର ଭାବରେ ଚୟନିତ ହୋଇଥିବା ଓଡ଼ିଶାର ପ୍ରାୟ ୩୦ ଜଣ ଯୁବ ଗାଳ୍ପିକଙ୍କୁ ତିନି ଦିନ କାଳ ଗହନ ଭାବରେ ତାଲିମ ଦେଇଥିଲେ। ସେଦିନର ତାଲିମପ୍ରାପ୍ତ ସେହି ଯୁବ ଗାଳ୍ପିକମାନେ ଆଜି ଓଡ଼ିଆ ସାହିତ୍ୟର ପ୍ରବୀଣ ଲେଖକ ଭାବରେ ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ। ଏବେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ଯୁବ ଗାଳ୍ପିକଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ପୂର୍ବର ସେହି କର୍ମଶାଳା ସହ ତୁଳନୀୟ ନ ଥିଲା।
(ପ୍ରକାଶିତ: ୨୪ ମଇ, ୨୦୨୫)
ଫକୀରମୋହନଙ୍କ ଗଳ୍ପ ଆଧାରରେ ନିର୍ମିତ ଚଳଚ୍ଚିତ୍ରର ନାମ ବଦଳିଲା: ବିବାଦର ଅବସାନ

ବ୍ୟାସକବି ଫକୀରମୋହନଙ୍କ ସୁପ୍ରସିଦ୍ଧ ଗଳ୍ପ ‘ରାଣ୍ଡୀପୁଅ ଅନନ୍ତା’ ଉପରେ ଆଧାରିତ ଚଳଚ୍ଚିତ୍ରର ନାମରେ ‘ରାଣ୍ଡୀ’ ଶବ୍ଦ ରହିବା ଉଚିତ କି ନୁହେଁ, ସେଥିନେଇ ଗତ କିଛି ମାସ ଧରି ଚାଲିଥିବା ବିବାଦର ଅବସାନ ଘଟିଛି। କେବଳ ‘ଅନନ୍ତା’ ଭାବରେ ଏହାର ନାମକରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ମେ ୧୭ ତାରିଖ ଦିନ ଏକ ଟୁଇଟ୍ ଜରିଆରେ ବିବୃତି ଦେଇ ସେ କହିଛନ୍ତି ଯେ, ବ୍ୟାସକବିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡୀପୁଅ ଅନନ୍ତା’କୁ ନେଇ ସିନେମା କରିବା ସମୟରୁ, ସେହି ନାଁ କୁ ନେଇ ଅନେକ ଚର୍ଚ୍ଚା ଓ ବିବାଦ ଲାଗିରହିଛି। ତାଙ୍କର ମୂଳ ଲକ୍ଷ୍ୟ ଥିଲା, କେମିତି ସମଗ୍ର ଓଡିଶା ଏହି ସିନେମା ଦେଖି ସେଥିରେ ଲୁଚିଥିବା ବ୍ୟାସକବିଙ୍କ ବଳିଷ୍ଠ ବାର୍ତ୍ତାକୁ ବୁଝନ୍ତୁ। ହେଲେ ତାଙ୍କର ଚିନ୍ତା ହେଲା, ଗଳ୍ପଟିର ନାମ ଆଜି ଯେଉଁମାନଙ୍କୁ ଅସହଜ ଲାଗୁଛି ସେମାନେ କେବେ ହେଲେ ମୁକ୍ତ କଣ୍ଠରେ ଏହି ସିନେମାକୁ ସମର୍ଥନ କରି ପାରିବେ ନାହିଁ। ତେଣୁ ଅନେକ ସାହିତ୍ୟିକ ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରି ବ୍ୟାସକବି ଫକୀରମୋହନ ସେନାପତିଙ୍କ ‘ରାଣ୍ଡୀପୁଅ ଅନନ୍ତା’ ଅବଲମ୍ବନରେ ନିର୍ମିତ ଏହି ଚଳଚ୍ଚିତ୍ରଟିର ନାମ କେବଳ ‘ଅନନ୍ତା’ ରଖିବାର ନିଷ୍ପତ୍ତି ନିଆଯାଇଛି। ସେ ମଧ୍ୟ କହିଛନ୍ତି ଯେ ସାହିତ୍ୟକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ; ତେଣୁ ପ୍ରତ୍ୟେକ ସ୍ଥାନରେ ବ୍ୟାସକବିଙ୍କ ସୃଷ୍ଟିକୁ ସମ୍ମାନ ଦେଇ ‘ରାଣ୍ଡୀପୁଅ ଅନନ୍ତା’ ଅବଲମ୍ବନରେ ଚଳଚ୍ଚିତ୍ରଟି ନିର୍ମିତ ବୋଲି ଲେଖାଯିବ, କିନ୍ତୁ ସିନେମାର ଶୀର୍ଷକଟି ରହିବ କେବଳ ‘ଅନନ୍ତା’। ନିର୍ଦ୍ଦେଶକ କହିଛନ୍ତି ଯେ ବ୍ୟାସକବିଙ୍କ ଏହି ଗଳ୍ପକୁ ବୁଝୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଗଳ୍ପର ଆତ୍ମା, ତାହାର ନାମଠାରୁ ଅନେକ ଊର୍ଦ୍ଧ୍ବରେ।
ପ୍ରକାଶ ଥାଉ କି ଗତ ବର୍ଷ ନଭେମ୍ବର ମାସରେ ବିଶିଷ୍ଟ ଅଭିନେତା ମନୋଜ ମିଶ୍ର ଏହି ନିର୍ମାଣାଧୀନ ଚଳଚ୍ଚିତ୍ରର ନାମରେ ଥିବା ‘ରାଣ୍ଡୀପୁଅ’ ଶବ୍ଦକୁ ନେଇ ଆପତ୍ତି ପ୍ରକାଶ କରିବା ପରେ ଏହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା।
(ପ୍ରକାଶିତ: ୧୮ ମଇ, ୨୦୨୫)
ଓଡ଼ିଶା ସାହିତ୍ୟ ଏକାଡେମୀ ଆୟୋଜନ କଲା ‘ଦେଶଭକ୍ତି କାବ୍ୟାଞ୍ଜଳି’

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ମଇ ୧୫ ତାରିଖ ଦିନ ଭୁବନେଶ୍ବରର ବୁଦ୍ଧ ମନ୍ଦିର ସଭାଗାରରେ ‘ଦେଶ ଭକ୍ତି କାବ୍ୟଞ୍ଜଳି’ ଶୀର୍ଷକ ଦେଶାତ୍ମବୋଧକ କବିତା ଉପରେ ଆଧାରିତ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଶିଷ୍ଟ ସାହିତ୍ୟିକ ଭୁବନାନନ୍ଦ ତ୍ରିପାଠୀ ତଥା କାନନବାଳା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବରେ ନିଜର ବକ୍ତବ୍ୟ ରଖିଥିଲେ ଡ. ସନ୍ତୋଷ କୁମାର ମହାପାତ୍ର। ଓଡିଶା ସାହିତ୍ୟ ଏକାଡେମୀର ସଚିବ ତଥା ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ଡ. ଚନ୍ଦ୍ର ଶେଖର ହୋତା ମଧ୍ୟ ଏହି ସଭାରେ ଅତିଥି ଭାବରେ ଉପସ୍ଥିତ ଥିଲେ। ଓଡିଶା ସାହିତ୍ୟ ଏକାଡେମୀ ଏବଂ ‘ଫିଲମୟେ’ ଅନୁଷ୍ଠାନର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ କବି ଓ ସାହିତ୍ୟିକଗଣ ଉପସ୍ଥିତ ଥିଲେ। ଏହି ଅବସରରେ ୭୦ରୁ ଉର୍ଦ୍ଧ୍ବ କବି ଦେଶାତ୍ମବୋଧକ କବିତା ପାଠ କରି ସଭାର ପରିବେଶକୁ ଦେଶପ୍ରେମରେ ଉଦ୍ବୁଦ୍ଧ କରିଦେଇଥିଲେ। କବିମାନଙ୍କୁ ସମ୍ମାନିତ କରିବା ସହିତ ତିନି ଜଣ ବିଶିଷ୍ଟ ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରବୀଣ କୁମାର ପ୍ରଧାନ (ଅବସର ପ୍ରାପ୍ତ ଆର୍ମି ଅଫିସର), ବ୍ରିଗେଡ଼ିଅର ଅଭିମନ୍ୟୁ ରାଉତ ଓ ଗ୍ରୁପ କ୍ୟାପଟେନ ରଞ୍ଜନ ମଲ୍ଲଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଥିଲା, ସାହିତ୍ୟ ଜଗତରେ ରାଷ୍ଟ୍ରଭକ୍ତିକୁ ଗୁରୁତ୍ୱ ଦେଇ ଦେଶର ସୈନିକ ଓ ଦେଶଭକ୍ତମାନଙ୍କ ମନରେ ସାହସ ଭରିବା ସହ ସେମାନଙ୍କୁ ଉତ୍ସାହିତ କରିବା।
(ପ୍ରକାଶିତ: ୧୬ ମଇ, ୨୦୨୫)
ବରିଷ୍ଠ ସାହିତ୍ୟିକ ବଳରାମ ଦାସଙ୍କ ମହାପ୍ରୟାଣ

ବର୍ଷୀୟାନ୍ ସାହିତ୍ୟିକ ବଳରାମ ଦାସ ମଇ ୧୨ ତାରିଖ ରାତିରେ ପୁରୀଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ୧୩ ତାରିଖ ଅପରାହ୍ନରେ ପୁରୀର ସ୍ଵର୍ଗଦ୍ଵାରଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି।
ସ୍ବର୍ଗତ ଦାସ ଉତ୍କଳ ବିଶ୍ବବିଦ୍ୟାଳୟରୁ ସ୍ବର୍ଣ୍ଣ ପଦକ ସହ ସ୍ନାତକୋତ୍ତର ଅଧ୍ୟୟନ ସମାପନ କରିଥିଲେ; ଏବଂ ତତ୍ପରେ ଗବେଷଣା କରି ଏମ୍.ଫିଲ୍ ତଥା ପିଏଚ୍.ଡି ଉପାଧି ମଧ୍ୟ ହାସଲ କରିଥିଲେ। ଏହାପରେ ସେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବରେ ବିଭିନ୍ନ ଅଗ୍ରଣୀ କଲେଜରେ ଅଧ୍ୟାପନା କରିଥିଲେ। ତାଙ୍କ ଅଧୀନରେ ଗବେଷଣା କରି ୬ଜଣ ଗବେଷକ ପିଏଚ.ଡି ତଥା ଜଣେ ଡି.ଲିଟ୍ ଉପାଧି ପ୍ରାପ୍ତ ହୋଇଛନ୍ତି।
ତାଙ୍କ ଦ୍ବାରା ଲିଖିତ ସାହିତ୍ୟ ସମାଲୋଚନାମୂଳକ ପୁସ୍ତକଗୁଡ଼ିକ ମଧ୍ୟରେ ‘ଭଂଜ ସାହିତ୍ୟ ଓ ଓଡ଼ିଶାର ସଂସ୍କୃତି’ (୧୯୮୧) ଓ ‘ଗୀତି କବିତାର ରୂପ ଓ ରୂପାନ୍ତର’ (୧୯୯୨) ଲୋକପ୍ରିୟତା ଅର୍ଜନ କରିଥିଲା। ଏହା ବ୍ୟତୀତ ସେ ଅନେକ ଗଳ୍ପ, କବିତା ଓ ଅନୁବାଦ ପୁସ୍ତକ ମଧ୍ୟ ରଚନା କରି ଯାଇଛନ୍ତି। ସେ କିଛି ବର୍ଷ ଧରି ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ପୁରସ୍କାର ପାଇଁ ବିଚାରକ ଭାବରେ ମଧ୍ୟ ଦାୟିତ୍ବ ନିର୍ବାହ କରିଥିଲେ।
(ପ୍ରକାଶିତ: ୧୩ ମଇ, ୨୦୨୫)
ଉନ୍ମୋଚିତ ହେଲା ପୁରୀ ଲିଟେରାରୀ ଫେଷ୍ଟିଭାଲ

ପୁରୀସ୍ଥିତ ‘ତାଜ୍ ପୁରୀ ରିଜର୍ଟ’ରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଓଡ଼ିଶା ସରକାରଙ୍କ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପୃଷ୍ଠପୋଷକତାରେ ଆୟୋଜିତ ତିନିଦିନିଆ ‘ପୁରୀ ଲିଟେରାରୀ ଫେଷ୍ଟିଭାଲ’ ଏପ୍ରିଲ୍ ୧୮ ତାରିଖ ପୂର୍ବାହ୍ନରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କୁମ୍ଭମ୍ପତିଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି। ଆଧ୍ୟାତ୍ମିକ ଓ ସାଂସ୍କୃତିକ ଭାବରେ ସମୃଦ୍ଧ ପୁରୀ ସହରରେ ପୁରୀ ସାହିତ୍ୟ ମହୋତ୍ସବର ଉଦଘାଟନ ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ରାଜ୍ୟପାଳ ମହୋଦୟ କହିଥିଲେ। ସେ ମଧ୍ୟ କହିଥିଲେ ଯେ ପୁରୀ କେବଳ ଏକ ଭୌଗୋଳିକ ସ୍ଥାନ ନୁହେଁ; ଏହା ଭାରତର କାଳଜୟୀ ଆଧ୍ୟାତ୍ମିକ ଏବଂ କଳାତ୍ମକ ପରମ୍ପରାର ଏକ ଜୀବନ୍ତ ପ୍ରତୀକ। ଏହି ଉପଲକ୍ଷେ ମଞ୍ଚରେ ପାର୍ଲିଆମେଣ୍ଟ ସଦସ୍ୟ ସଂବିତ୍ ପାତ୍ର ଉପସ୍ଥିତ ଥିଲେ। ସଭାମଞ୍ଚରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡ଼ିଓ ବାର୍ତ୍ତା ମଧ୍ୟ ପରିବେଷଣ କରାଯାଇଥିଲା। ପୁରୀ ସାହିତ୍ୟ ମହୋତ୍ସବର ଅଧ୍ୟକ୍ଷ ଶ୍ରୀ ଓମ ପ୍ରିୟଦର୍ଶୀ ଛୋଟରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେଶନରେ ଅନ୍ୟତମ ଅଧ୍ୟକ୍ଷ ଶିବମ ରଘୁବଂଶୀ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଶଶାଙ୍କ ଶେଖର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଉଦଘାଟନୀ ସମାରୋହରେ ପ୍ରାୟ ତିନିଶହ ଦର୍ଶକ ବା ଶ୍ରୋତା ଉପସ୍ଥିତ ଥିବା ଦେଖାଯାଇଥିଲା, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ପୁରୀର ସ୍ଥାନୀୟ ଅଧିବାସୀ, ଛାତ୍ରଛାତ୍ରୀ ଓ କିଛି ସଂଖ୍ୟକ ସାହିତ୍ୟପ୍ରେମୀ। ଉଦ୍ଘାଟନ ଅଧିବେଶନ ପରେ ବିଭିନ୍ନ ବିଷୟବସ୍ତୁ ଉପରେ ଏହି ମହୋତ୍ସବର ଅନ୍ୟ ନିର୍ଦ୍ଧାରିତ ଅଧିବେଶନ ଗୁଡ଼ିକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ତେବେ ଏହି ମହୋତ୍ସବରେ ଭାଗନେଇଥିବା ଜଣେ ପ୍ରବୀଣ ସାହିତ୍ୟପ୍ରେମୀ ‘ସାହିତ୍ୟ ଚର୍ଚ୍ଚା’କୁ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମଟିକୁ ଏକ ‘ଲିଟେରାରୀ ଫେଷ୍ଟିଭାଲ୍’ ପରିବର୍ତ୍ତେ ‘ଲିଟେରୋ-କଲ୍ଚରାଲ୍-ପଲିଟିକାଲ୍ ଫେଷ୍ଟିଭାଲ୍’ ବୋଲି କହିବା ଅଧିକ ସମୀଚୀନ ହେବ।
(ପ୍ରକାଶିତ: ୧୮ ଏପ୍ରିଲ, ୨୦୨୫)
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ପଦ୍ମ ପୁରସ୍କାର ବିରୋଧରେ ମାମଲା ହାଇକୋର୍ଟରେ ଖାରଜ ହେଲା

ସାହିତ୍ୟ ଓ ଶିକ୍ଷା ପାଇଁ ୨୦୨୩ ମସିହାରେ ଭାରତ ସରକାରଙ୍କର ଦ୍ବାରା ପଣ୍ଡିତ ଅନ୍ତର୍ଯ୍ଯମୀ ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବା ବିରୋଧରେ ଓଡ଼ିଶା ହାଇକୋର୍ଟରେ ଦାୟର ହୋଇଥିବା ମକଦ୍ଦମା ଏପ୍ରିଲ୍ ୧୬ ତାରିଖ ଦିନ ଓଡ଼ିଶା ହାଇକୋର୍ଟରେ ଖାରଜ ହୋଇଯାଇଛି। ଏହି ପୁରସ୍କାର ତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଦାବି କରି ଭୁବନେଶ୍ବରର ସମାନ ନାମଧାରୀ ଅନ୍ୟ ଜଣେ ଲେଖକ, ଡ. ଅନ୍ତର୍ଯ୍ୟାମୀ ମିଶ୍ର ଓଡ଼ିଶା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।
ଏଭଳି ଏକ ମାମଲା ରୁଜୁ କରି କୋର୍ଟର ସମୟ ନଷ୍ଟ କରିଥିବାରୁ ହାଇକୋର୍ଟ ଆବେଦନକାରୀଙ୍କୁ ଦଶ ହଜାର ଟଙ୍କା ଜୋରିମାନା ଦେବାପାଇଁ ମଧ୍ୟ ଆଦେଶ ଦେଇଛନ୍ତି। ଏହି ଜୋରିମାନା ଅର୍ଥ ଆସନ୍ତା ତିନି ମାସ ମଧ୍ୟରେ ହାଇକୋର୍ଟ ବାର୍ ଆସୋସିଏସନ୍ କଲ୍ୟାଣ ପାଣ୍ଠିରେ ଜମା କରିବାକୁ ଅଦାଲତଙ୍କ ପକ୍ଷରୁ ଆଦେଶ ଦିଆଯାଇଛି। ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ତରଫରୁ ଆଡଭୋକେଟ୍ ସୂର୍ଯ୍ୟସୁନ୍ଦର ଦାସ ଏହି ମାମଲା ପରିଚାଳନା କରୁଥିଲେ।
(ପ୍ରକାଶିତ: ୧୭ ଏପ୍ରିଲ, ୨୦୨୫)
କବି ଚାରୁଦତ୍ତ ପାଣିଗ୍ରାହୀ ପାଇଲେ ମର୍ଯ୍ୟାଦାଜନକ ‘ଏମିଲି ଡିକିନ୍ସନ୍ ପୁରସ୍କାର’

ଓଡ଼ିଶାର ବିଶିଷ୍ଟ ଲେଖକ ଓ ବୁଦ୍ଧିଜୀବି ଚାରୁଦତ୍ତ ପାଣିଗ୍ରାହୀ ତାଙ୍କ ଦ୍ବାରା ରଚିତ ଇଂରାଜୀ କବିତା ସଂକଳନ ‘ସ୍ବିର୍ଲ୍ ଏଣ୍ଡ ଷ୍ଟିଲ୍’ ପାଇଁ ଆମେରିକାର ମର୍ଯ୍ୟାଦାଜନକ ‘ଏମିଲି ଡିକିନ୍ସନ୍’ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆମେରିକାର ଉନବିଂଶ ଶତାବ୍ଦୀର ବିଶିଷ୍ଟ କବୟିତ୍ରୀ ଏମିଲି ଡିକିନ୍ସନ୍ଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରତିବର୍ଷ ‘ପୋଏଟ୍ରି ସୋସାଇଟି ଅଫ୍ ଆମେରିକା’ର ସଦସ୍ୟମାନଙ୍କୁ ଦିଆଯାଇଥାଏ। ଏ ବର୍ଷ ଓଡ଼ିଶାର ଚାରୁଦତ୍ତ ପାଣିଗ୍ରାହୀଙ୍କୁ ନିଜ କବିତା ଜରିଆରେ ଆନ୍ତଃସାଂସ୍କୂତିକ ଭାବ ବିନିମୟକୁ ଏକ ସାର୍ଥକ ରୂପ ଦେଇଥିବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ପାଣିଗ୍ରାହୀ ତାଙ୍କର ‘ଡସ୍କ ଆଟ୍ ରାୟଗଡ଼ା’, ‘ମଣ୍ଟି ମ୍ୟୁଜିକ୍’ଓ ‘ସ୍ବର୍ଲ ଏଣ୍ଡ ଷ୍ଟିଲ୍’ ଆଦି ପୁସ୍ତକ ପାଇଁ ପାଠକ ମହଲରେ ସୁପରିଚିତ।
(ପ୍ରକାଶିତ: ୧୨ ଏପ୍ରିଲ, ୨୦୨୫)
କର୍ପୋରେଟ୍ ଶୈଳୀରେ ଅନୁଷ୍ଠିତ ହେବ ‘ପୁରୀ ଲିଟେରାରୀ ଫେଷ୍ଟିଭାଲ୍’

ଆସନ୍ତା ଏପ୍ରିଲ୍ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀଠାରେ ଥିବା ‘ତାଜ୍ ହୋଟେଲ୍ ଓ ସ୍ପା’ରେ କର୍ପୋରେଟ୍ ଶୈଳୀରେ ଏକ ବିରାଟ ସାହିତ୍ୟ ମହୋତ୍ସବର ଆୟୋଜନ ପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ପ୍ରସ୍ତୁତି ଚାଲିଛି। ଏମାନଙ୍କ ବ୍ୟତୀତ ଏହି ସମାରୋହର ଅନ୍ୟ କେତେକ କର୍ପୋରେଟ୍ ସହଯୋଗୀ ମଧ୍ୟ ରହିଛନ୍ତି। ‘ପୁରୀ ଲିଟେରାରୀ ଫେଷ୍ଟିଭାଲ୍’ ନାମକ ଏହି ସାହିତ୍ୟ ମହୋତ୍ସବରେ ଯୋଗଦେବାପାଇଁ ଇଚ୍ଛୁକ ସାହିତ୍ୟପ୍ରେମୀମାନେ ‘ବୁକ୍-ମାଇ-ଶୋ’ର ଓ୍ବେବ୍ସାଇଟ୍କୁ ଯାଇ ପ୍ରବେଶ ଟିକେଟ୍ କିଣିବା ପାଇଁ ପରାମର୍ଶ ଦିଆଯାଇଛି।
ଏହି ସାହିତ୍ୟ ସମାରୋହର ମଞ୍ଚରେ ଦେଶର ବିଭିନ୍ନ ସ୍ଥାନରୁ ୧୧୦ ଜଣ ବିଶିଷ୍ଟ ବକ୍ତା ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ଅଛି, ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ସିନେ-ଅଭିନେତ୍ରୀ କଙ୍ଗନା ରନାଓ୍ବତ, ଲୋକ-ଗାୟିକା ମାଳିନୀ ଅବସ୍ଥି, ଅଭିନେତା ପ୍ରଜକ୍ତ କୋଲି ଓ ଅଭିନେତା ଅନୁଭବ ସିଂ ବସ୍ସି ପ୍ରମୁଖ। ଏହି ମହୋତ୍ସବରେ ଜାତୀୟ ସ୍ତରର ୧୧ଟି ପ୍ରକାଶନ ସଂସ୍ଥା ମଧ୍ୟ ଭାଗନେବେ। ଅବଶ୍ୟ ଏହି ଅବସରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ଅଧିବେଶନର ତାଲିକା ଦେଖିଲେ ଜଣାପଡ଼େ ଯେ ‘ଏକବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ,’ ‘ପୁସ୍ତକ ପ୍ରକାଶନର ଦୃଶ୍ୟପଟ’, ‘ସାମାଜିକ ପରିବର୍ତ୍ତନରେ ଲେଖକଙ୍କ ଭୂମିକା’, ନାମକ କେବଳ ତିନୋଟି ଅଧିବେଶନକୁ ଛାଡ଼ିଦେଲେ ଅନ୍ୟ ୧୨ଗୋଟି ଅଧିବେଶନର ବିଷୟ ସହିତ ସାହିତ୍ୟର କୌଣସି ସମ୍ପର୍କ ନାହିଁ।
ଏହି ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ସେଖାଓ୍ବତ, କେନ୍ଦ୍ର ବନ୍ଦର ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ୍ ଓ ଓଡ଼ିଶାର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗଦେବେ। ଓଡ଼ିଶାର ବହୁ ଆଗ୍ରହୀ ବ୍ୟକ୍ତି ଏହି ମହୋତ୍ସବର ଟିକେଟ କିଣି ସେଥିରେ ଯୋଗଦେବାକୁ ଅପେକ୍ଷା କରିଥିବା ଜଣାଯାଇଛି।
(ପ୍ରକାଶିତ: ୧୦ ଏପ୍ରିଲ, ୨୦୨୫)
ଅପର୍ଣ୍ଣା ମହାନ୍ତି ପାଇଲେ ଏ ବର୍ଷର ବିଷୁବ ପୁରସ୍କାର

ବିଶିଷ୍ଟ କବୟିତ୍ରୀ ତଥା ସାହିତ୍ୟ ସମାଲୋଚକ ଅପର୍ଣ୍ଣା ମହାନ୍ତି ଚଳିତ ବର୍ଷର ବିଷୁବ ପୁରସ୍କାର ପାଇବେ ବୋଲି ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଘୋଷଣା କରାଯାଇଛି। ତା’ଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ତାମ୍ରଫଳକ ସହ ପୁରସ୍କୃତ କରାଯିବ।
ଏହା ବ୍ୟତୀତ ପ୍ରବନ୍ଧ ପାଇଁ ବେଣୂଧର ପାଢ଼ି, କବିତା ପାଇଁ ରଂଜିତା ନାୟକ ଓ ଗଳ୍ପ ପାଇଁ କ୍ଷୀରୋଦ ଦାସଙ୍କୁ ଚଳିତ ବର୍ଷର ଝଙ୍କାର ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ବାବଦରେ ସେମାନଙ୍କୁ ୨୫ ହଜାର ଟଙ୍କା ଓ ତାମ୍ରଫଳକ ପ୍ରଦାନ କରାଯିବ। ଏହି ଅବସରରେ ବିଶିଷ୍ଟ ଅନୁବାଦିକା କମଳା ଶତପଥୀଙ୍କୁ ମଧ୍ୟ ‘ଝଙ୍କାର ଅନୁବାଦ ଭାରତୀ’ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲ୍ ୧୪ ତାରିଖ ଦିନ ପ୍ରଜାତନ୍ତ୍ର ପରିସରରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ସମାବର୍ତ୍ତନ ସମାରୋହରେ ଏହି ପୁରସ୍କାରଗୁଡ଼ିକ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।
(ପ୍ରକାଶିତ: ୯ ଏପ୍ରିଲ, ୨୦୨୫)
‘ଏକାନ୍ତ ରମାକାନ୍ତ’: ସ୍ମୃତିସଭାରେ କବି ରମାକାନ୍ତଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବରର ଜୟଦେବ ଭବନରେ ଏପ୍ରିଲ୍ ମାସ ତିନି ତାରିଖ ସନ୍ଧ୍ୟାରେ ‘ଓଡ଼ିଆ ମିଡିଆ’ ଦ୍ବାରା ଆୟୋଜିତ ‘ଏକାନ୍ତ ରମାକାନ୍ତ’ ଶୀର୍ଷକ ଏକ ଭବ୍ୟ ସ୍ମୃତିସଭାରେ କବି ରମାକାନ୍ତ ରଥଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓଡ଼ିଆ ସାରସ୍ବତ ଜଗତର କେତେଜଣ ପ୍ରତିଷ୍ଠିତ ପ୍ରତିଭାଧର। କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିଜର ସ୍ମୃତିଅର୍ଘ୍ୟ ଅର୍ପଣ କରି ବର୍ଷୀୟାନ କବି ସୀତାକାନ୍ତ ମହାପାତ୍ର ରେଭେନ୍ସା କଲେଜ ପୂର୍ବ ଛାତ୍ରାବାସର ମୁଖପତ୍ର ‘ଜାଗରଣ’ର ସମ୍ପାଦକ ଥିବାବେଳର କେତେକ ସ୍ମରଣୀୟ ଘଟଣା ବର୍ଣ୍ଣନା କରିଥିଲେ। ସେ କବି ରମାକାନ୍ତ ତାଙ୍କ ପାଖକୁ ଲେଖିଥିବା ଏକ ପତ୍ରର କିଛି ଅଂଶ ମଧ୍ୟ ପାଠକରିଥିଲେ। ଆଧୁନିକ ଓଡ଼ିଆ କବିତାର ଅନ୍ୟତମ ଅଗ୍ରଣୀ ପ୍ରବର୍ତ୍ତକ ସୌଭାଗ୍ୟ ମିଶ୍ର କହିଲେ ଯେ ରମାକାନ୍ତ ରଥଙ୍କ କବିତା ପଢ଼ି ଆମେ ଯେତିକି ବାଉଳା ହେଉଥିଲୁ, ସେତିକି ବିହ୍ବଳ ମଧ୍ୟ। ‘କଥା’ ପତ୍ରିକାର ସମ୍ପାଦକ ଗୌରହରି ଦାସ କହିଲେ ଯେ ଏଭଳି କବି ଅନେକ ଯୁଗ ପରେ ଆସନ୍ତି। ରାଜ୍ୟର ସଂସ୍କୂତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ଯେ କବିଙ୍କର କୃତିସମଗ୍ର ଆମର ସାରସ୍ବତ ବିଭବକୁ ସମୃଦ୍ଧ କରିଛି। ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର କହିଲେ, “ପ୍ରାଣୀର ଭଲମନ୍ଦ ବାଣୀ, ମରଣ କାଳେ ତାହା ଜାଣି।” ସୁପରିଚିତ କବି ହରପ୍ରସାଦ ଦାସ କହିଲେ ଯେ ସାହିତ୍ୟରେ ନିଜର ଯୁଗ ରମାକାନ୍ତ ନିଜେ ହିଁ ନିର୍ଦ୍ଧାରଣ କରିଥିଲେ। ପ୍ରସିଦ୍ଧ ଗୀତିକବି ଦେବଦାସ ଛୋଟରାୟ କହିଲେ ଯେ ରମାକାନ୍ତ ଥିଲେ ଚିର ଶାଶ୍ବତ। ବିଶିଷ୍ଟ କଥାକାର ତରୁଣକାନ୍ତି ମିଶ୍ର କହିଲେ ଯେ ବିଶ୍ବାସ ହେଉନାହିଁ, ରମାକାନ୍ତ ରଥ ଆଉ ପାର୍ଥିବ ଶରୀରରେ ନାହାନ୍ତି; ସେ ଥିଲେ ଜଣେ ବିସ୍ମୟ ପୁରୁଷ।
କାର୍ଯ୍ୟକ୍ରମଟି ସୁପରିଚିତ ଉପସ୍ଥାପକ ମୃତ୍ୟୁଞ୍ଜୟ ରଥଙ୍କ ଦ୍ବାରା ସଂଯୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ରମାକାନ୍ତ-ପ୍ରେମୀଙ୍କ ସହ କବିଙ୍କର ଧର୍ମପତ୍ନୀ ଓ ପରିବାରବର୍ଗ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ‘ଏକାନ୍ତ ରମାକାନ୍ତ’ ନାମକ ଏକ କଫିଟେବଲ୍ ପୁସ୍ତକର ଉନ୍ମୋଚନ ମଧ୍ୟ ହୋଇଥିଲା।
(ପ୍ରକାଶିତ: ୩ ଏପ୍ରିଲ, ୨୦୨୫)
ଭୁବନେଶ୍ବରରେ ଆରମ୍ଭ ହେଲା ଏକାଦଶତମ କଳିଙ୍ଗ ସାହିତ୍ୟ ଉତ୍ସବ

ସୁବିଦିତ ସାହିତ୍ୟ ଉତ୍ସବ ‘କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ୍’ର ଏକାଦଶ ସଂସ୍କରଣ ମାର୍ଚ୍ଚ ୨୧ ତାରିଖ ଦିନ ଭୁବନେଶ୍ବରସ୍ଥିତ ମେ’ଫେୟାର୍ ହୋଟେଲ୍ର ସେଣ୍ଟ୍ରାଲ୍ ହଲ୍ରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପତିଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି। ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ, ନୂଆଦିଲ୍ଲୀରେ ଅବସ୍ଥାପିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା ଏଚ୍. କୃଷ୍ଣମୂର୍ତ୍ତି, ପଦ୍ମ ବିଭୂଷଣ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସ୍ଥାପତ୍ୟ ଶିଳ୍ପୀ ସୁଦର୍ଶନ ସାହୁ ତଥା ସାହିତ୍ୟ ଏକାଡେମୀର ସଚିବ କେ. ଶ୍ରୀନିବାସ ରାଓ।
ଏହି ଅବସରରେ ଇଂରାଜୀ ଭାଷାର ବିଶିଷ୍ଟ କବୟିତ୍ରୀ ମମତା କାଲିଆଙ୍କୁ ‘କଳିଙ୍ଗ ଲିଟେରାରୀ ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ଡ. ଶ୍ରୀନିରୁଦ୍ଧ ଦାଶ ଓ ଡ. ମମତା ମିଶ୍ରଙ୍କୁ ଅନ୍ତର୍ ଜାତୀୟ କଳିଙ୍ଗ ସାହିତ୍ୟ ପୁରସ୍କାର ତଥା ନେପାଳର ବୁଦ୍ଧିସାଗରଙ୍କୁ କଳିଙ୍ଗ ଯୁବଲେଖକ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା। ‘ଓଡ଼ିଶା ଲିଭିଙ୍ଗ୍ ଲିଜେଣ୍ଡ ଆଓ୍ବାର୍ଡ’ରେ ସମ୍ମାନିତ ହୋଇଥିଲେ ବିଶିଷ୍ଟ ସ୍ଥପତି ପି.କେ.ଦାଶ, ପ୍ରସ୍ତର କଳା ଶିଳ୍ପୀ ସୁଦର୍ଶନ ସାହୁ ଓ ଉଦ୍ୟୋଗପତି ଡ଼. ସୌମ୍ୟ ରଂଜନ ସାମଲ।
ଏହି ସାହିତ୍ୟ ଉତ୍ସବର ବିଭିନ୍ନ ଅଧିବେଶନ ପାଞ୍ଚଟି ସ୍ଥାନରେ ତିନିଦିନ ଧରି ଚାଲିବ। ମେ’ଫେୟାର୍ ସଂସ୍ଥାର ଚାରିଗୋଟି ବିଭିନ୍ନ ହଲ୍ ବ୍ୟତୀତ ରାଜଧାନୀର କେନ୍ଦ୍ର ସ୍ଥଳରେ ଥିବା କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ସଭାଗାରରେ ଏହି ଅଧିବେଶନଗୁଡ଼ିକ ଅନୁଷ୍ଠିତ ହେବ। ଏହି ସଭାଗାରରେ ଆୟୋଜିତ ହେବାକୁ ଥିବା ଅଧିବେଶନଗୁଡ଼ିକର ବିଷୟବସ୍ତୁ ହେଉଛି, ‘ସାମ୍ପ୍ରତିକ ଓ ଭବିଷ୍ୟତର ସାହିତ୍ୟରେ ନାରୀଙ୍କ ସ୍ବର’, ‘ଓଡ଼ିଆ ଗଳ୍ପ କଥନ କଳା’, ‘ଗପର ଗଭୀରତା’, ‘ଦୈନନ୍ଦିନ ଜୀବନରେ ଜଗନ୍ନାଥ’, ‘ଓଡ଼ିଆ ସାମ୍ବାଦିକତାରେ ସାହିତ୍ୟ’ ଓ ‘ଓଡ଼ିଆ କବିତାରେ ନୂଆ ସ୍ବର’ ପ୍ରଭୃତି। ଏହି ତିନିଦିନିଆ ସାହିତ୍ୟ ମହୋତ୍ସବରେ ଦଶଗୋଟି ଭାଷାର ପାଖାପାଖି ୫୦୦ ଜଣ ବକ୍ତା, ଓ ୧୦୦ ଜଣ କଳାକାର ଯୋଗଦେବା ସହ ଏହି ଅବସରରେ ୧୦୦ଟି ପୁସ୍ତକ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
(ପ୍ରକାଶିତ:୨୧ ମାର୍ଚ୍ଚ, ୨୦୨୫)
ଲେଖା ଚୋରି ଅଭିଯୋଗରେ ଗିରଫ ହେଲେ ତପି ମିଶ୍ର

ଗୋଟିଏ ଓଡ଼ିଆ ପୁସ୍ତକରେ ପ୍ରକାଶିତ ସଂସ୍କୃତ ଶ୍ଲୋକର ଓଡ଼ିଆ ଅନୁବାଦକୁ ଚୋରିକରି ତାହାକୁ ନିଜର ଲେଖା ଭାବରେ ଦର୍ଶାଇବା ସହ ଏକ ଭିଡିଓରେ ବ୍ୟବହାର କରିଥିବାରୁ ସଂପୃକ୍ତ ଲେଖିକାଙ୍କ ଅଭିଯୋଗକ୍ରମେ ଜଣାଶୁଣା ୟୁଟିଉବର୍ ତପି ମିଶ୍ର ମାର୍ଚ୍ଚ ୧୯ ତାରିଖ ଦିନ ଭୁବନେଶ୍ବରଠାରେ ପୋଲିସ ଦ୍ବାରା ଗିରଫ ହୋଇଛନ୍ତି। ଲେଖିକା ବନସ୍ମିତା ଦେବୀଙ୍କ ‘ଅଗ୍ନି ପରୀକ୍ଷା’ ନାମକ ପୁସ୍ତକରେ ପ୍ରକାଶିତ ସଂସ୍କୃତ ‘ଶିବ ତାଣ୍ଡବ’ର ଓଡ଼ିଆ ଅନୁବାଦଟିକୁ ତପି ମିଶ୍ର ଲେଖିକାଙ୍କ ବିନା ଅନୁମତିରେ ନିଜ ନାମରେ ଉପସ୍ଥାପନ କରିଥିଲେ। ଏହା ସହିତ ସେ ନିଜର ଫେସବୁକ୍ ପୋଷ୍ଟ୍ରେ ଲେଖିକା ବନସ୍ମିତାଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ବ୍ୟବହାର କରିବା ସହ ତାଙ୍କୁ ଧମକ ଦେଇଥିବାର ଅଭିଯୋଗ ମଧ୍ୟ ହୋଇଛି। ଏହା ବିରୋଧରେ ଲେଖିକା ଅଦାଲତର ଦ୍ବାରସ୍ଥ ହୋଇଛନ୍ତି।
‘ଅଗ୍ନି ପରୀକ୍ଷା’ ହେଉଛି ବାଲ୍ମିକୀ ରାମାୟଣର ଏକ ଅନୁବାଦ ପୁସ୍ତକ ଏବଂ ଏହା ଭୁବନେଶ୍ବରର ବି.କେ.ପବ୍ଲିକେସନ୍ ଦ୍ବାରା ୨୦୨୩ ମସିହା ଅକ୍ଟୋବର ମାସରେ ପ୍ରକାଶିତ ହୋଇଛି।
(ପ୍ରକାଶିତ:୨୦ ମାର୍ଚ୍ଚ, ୨୦୨୫)
ଅନୁଷ୍ଠିତ ହେଲା ଆନ୍ତଃରାଜ୍ୟ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର

ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ମାର୍ଚ୍ଚ ୧୫ ତାରିଖ ସନ୍ଧ୍ୟାରେ ଦଶଟି ରାଜ୍ୟର ୧୬ ଜଣ କବି ଓ ଅନୁବାଦକମାନଙ୍କୁ ନେଇ ‘ଭାରତୀୟ ଅନୁବାଦ ସାହିତ୍ୟ’ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଜାତୀୟସ୍ତରର କାବ୍ୟପାଠ ଓ ଆଲୋଚନାଚକ୍ର। ଏହି କାର୍ଯ୍ୟକ୍ରମରେ କେରଳ, ନାଗାଲାଣ୍ଡ, ଓଡ଼ିଶା, ମହାରାଷ୍ଟ୍ର,ଆସାମ,ପଞ୍ଜାବ, ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟଣା, ପଶ୍ଚିମ ବଙ୍ଗର ପ୍ରତିଷ୍ଠିତ କବିମାନେ ପ୍ରତିନିଧିତ୍ଵ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଭାରତୀୟ ଲେଖକ ପ୍ରଫେସର କହ୍ନେୟା ତ୍ରିପାଠୀ ଯୋଗଦେଇ କହିଲେ ଯେ ସମକାଳୀନ କବିମାନେ ନିରନ୍ତର କବିତା ପାଠ କରିବା ମଧ୍ୟ ଆବଶ୍ୟକ। ଏହାଦ୍ୱାରା ଆମେ ଭାରତୀୟ କବିତା ଏବଂ ପ୍ରାନ୍ତୀୟ ସାହିତ୍ୟ ବିଷୟରେ ଅବଗତ ହୋଇପାରିବା। ବିଭିନ୍ନ ଦେଶର କ୍ଳାସିକ ସାହିତ୍ୟ ମଧ୍ୟ ପଢ଼ିବାର ଆବଶ୍ୟକତା ରହିଛି। କୃତ୍ରିମ ବୁଦ୍ଧିମତା ଦ୍ଵାରା କବିତା ସୃଜନ କିମ୍ବା ଅନୁବାଦ ସମ୍ଭବ ନୁହେଁ କାରଣ କବିତା ହେଉ ବା ଅନୁବାଦ, ଏହା ଏକ ଭାବାତ୍ମକ କଳା।
କାର୍ଯ୍ୟକ୍ରମ ଆରମ୍ଭରେ ଅସମିୟା ଭାଷାର କବି ଶିଖାମଣି ଶର୍ମା ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଅନୂଦିତ କାବ୍ୟପାଠର ସଂଯୋଜନା କରିଥିଲେ ଓଡିଶାର କବୟିତ୍ରୀ ଜୟଶ୍ରୀ ଦୋରା। ‘ଭାରତୀୟ ଅନୁବାଦ ସାହିତ୍ୟ’ ତରଫରୁ ଅନୁବାଦ ପାଇଁ ଅନୁବାଦକଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କୁ ଉତ୍ସାହିତ କରିବା ଏବଂ ବିଭିନ୍ନ ଭାଷାର ଅନୁବାଦ ପୁସ୍ତକ ପ୍ରକାଶନ ଦିଗରେ ନିରନ୍ତର ପ୍ରୟାସ କରାଯାଉଛି ବୋଲି ୩୦ ତମ ଅନଲାଇନ୍ ଆଲୋଚନାଚକ୍ରରେ ‘ଭାରତୀୟ ଅନୁବାଦ ସାହିତ୍ୟ’ର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ପ୍ରକାଶ କରିଥିଲେ। ଏହି ଆଲୋଚନାରେ ବରିଷ୍ଠ ଅନୁବାଦକ ରାଧୁ ମିଶ୍ର, କୃଷ୍ଣଚନ୍ଦ୍ର ଗୈାଡ, ଯୁବକବି ଜିତୁ ପ୍ରଧାନ, ମନିଷା ଆନନ୍ଦ ପାଟିଲ୍ ,ବର୍ଣ୍ଣାଳୀ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବହୁଭାଷୀ କବିତା ପାଠ କରିଥିଲେ ମୈତ୍ରେୟୀ କମିଳା, ସୁକୋମଳ ଦାଶ, ଅକ୍ଷୟ ଭୋସଲେ, ସନାତନ ମହାକୁଡ଼, ମଂଜୁଳା ଆସ୍ଥାନା, ଲକ୍ଷ୍ମୀପ୍ରିୟା ଓଝା,ନମିତା ପାଇକରାୟ,ବର୍ଣ୍ଣାଳୀ ଡେକା, ସତ୍ୟଜିତ ଦାସ ପ୍ରମୁଖ କବିମାନେ। ଧନ୍ୟବାଦ ପ୍ରଦାନ କରିଥିଲେ ମିତା ପଟ୍ଟନାୟକ।
(ପ୍ରକାଶିତ: ୧୬ ମାର୍ଚ୍ଚ, ୨୦୨୫)
ପ୍ରଥିତଯଶା କବି ରମାକାନ୍ତ ରଥଙ୍କ ମହାପ୍ରୟାଣ

ଓଡ଼ିଆ କବିତାର ପ୍ରବାଦ ପୁରୁଷ ରମାକାନ୍ତ ରଥ ଆଉ ନାହାନ୍ତି। ମାର୍ଚ୍ଚ ୧୬ ତାରିଖ ପୂର୍ବାହ୍ନରେ ତାଙ୍କର ଭୁବନେଶ୍ବରସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ ବହୁଦିନ ଧରି ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡ଼ିତ ଥିଲେ।ଆଧୁନିକ ଓଡ଼ିଆ କବିତାର ଜଣେ ଯୁଗ-ପ୍ରବର୍ତ୍ତକ ଭାବରେ ରମାକାନ୍ତ ରଥଙ୍କୁ ପରିଗଣିତ କରାଯାଏ। ‘ଭାରତୀୟ ପ୍ରଶାସନିକ ସେବା’ରେ ଯୋଗଦେଇ ସେ ଓଡ଼ିଶାର ମୁଖ୍ୟ ସଚିବ ଭାବରେ ୧୯୯୨ ମସିହାରେ ଅବସର ଗ୍ରହଣ କରିଥିଲେ। ୨୦୦୬ ମସିହାରେ ଭାରତ ସରକାର ତା’ଙ୍କୁ ପଦ୍ମଭୂଷଣ ସମ୍ମାନରେ ଭୂଷିତ କରିଛନ୍ତି। ଏହା ବ୍ୟତୀତ ସେ ସରସ୍ୱତୀ ସମ୍ମାନ, ଅତିବଡୀ ସମ୍ମାନ, ଶାରଳା ପୁରସ୍କାର ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଭଳି ବହୁ ମର୍ଯ୍ୟାଦାବନ୍ତ ସମ୍ମାନରେ ମଧ୍ୟ ଭୂଷିତ ହୋଇଥିଲେ। ୧୯୯୮ରୁ ପାଞ୍ଚ ବର୍ଷକାଳ ସେ ନୂଆଦିଲ୍ଲୀ ସ୍ଥିତ ‘କେନ୍ଦ୍ର ସାହିତ୍ୟ ଏକାଡେମୀ’ର ସଭାପତି ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ।
କବିଙ୍କ ବିୟୋଗରେ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି ଯେ, ପଦ୍ମ ଭୂଷଣ ପୁରସ୍କାରପ୍ରାପ୍ତ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ସାହିତ୍ୟିକ ରମାକାନ୍ତ ରଥଙ୍କ ଦେହାନ୍ତ ବିଷୟରେ ଜାଣି ସେ ଅତୀବ ଦୁଃଖିତ। ଭାରତୀୟ ପ୍ରଶାସନିକ ସେବା ସହ ସାହିତ୍ୟ ଜଗତରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନିଆଯାଇଛି।
(ପ୍ରକାଶିତ: ୧୬ ମାର୍ଚ୍ଚ, ୨୦୨୫)
ସାହିତ୍ୟ ଅକାଦେମୀର ଅନୁବାଦ ପୁରସ୍କାର ଘୋଷିତ: ମନୋନୀତ ହେଲେ ସୁଭାଷ ଶତପଥୀ

କେନ୍ଦ୍ର ସାହିତ୍ୟ ଅକାଦେମୀ ପକ୍ଷରୁ ମାର୍ଚ୍ଚ ସାତ ତାରିଖ ଦିନ ବିଭିନ୍ନ ଭାଷାର ୨୧ଟି ଅନୁବାଦ ପୁସ୍ତକ ପାଇଁ ମର୍ଯ୍ୟାଦାଜନକ ଅନୁବାଦ ପୁରସ୍କାର ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ଅଛନ୍ତି ବିଶିଷ୍ଟ ଅନୁବାଦକ ସୁଭାଷ ଶତପଥୀ। ମାର୍ଚ୍ଚ ସାତ ତାରିଖ ଦିନ ସାହିତ୍ୟ ଅକାଦେମୀର ସଭାପତି ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅକାଦେମୀର କାର୍ଯ୍ୟକାରୀ ସମିତି ବୈଠକରେ ଏହି ପୁରସ୍କାର ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।
ଅନୁବାଦକ ସୁଭାଷ ଶତପଥୀ ‘କୋକିଶିଆଳିର ଏକକ ନୃତ୍ୟ’ ଶୀର୍ଷକ ବିଶିଷ୍ଟ ଇଂରାଜୀ ଲେଖକ ରସ୍କିନ୍ ବଣ୍ଡ୍ଙ୍କ ଆତ୍ମଜୀବନୀର ଅନୁବାଦ ପାଇଁ ଏହି ପୁରସ୍କାର ପାଇବେ। ପ୍ରାରମ୍ଭିକ ସ୍ତରରେ ଓଡ଼ିଆ ବିଭାଗର ସମୁଦାୟ ୧୦ଟି ଅନୁବାଦ ପୁସ୍ତକକୁ ଏହି ପୁରସ୍କାର ପାଇଁ ‘ସର୍ଟଲିଷ୍ଟ’ କରାଯାଇଥିଲା ବୋଲି ଜଣାପଡ଼ିଛି। ଓଡ଼ିଆ ବିଭାଗର ଏହି ପୁରସ୍କାର ନିର୍ଣ୍ଣୟ ପାଇଁ ସାହିତ୍ୟ ଅକାଦେମୀ ପକ୍ଷରୁ ଗଠିତ ବିଚାରକ ମଣ୍ଡଳୀରେ ଥିଲେ ଅମରେଶ ପଟ୍ଟନାୟକ, ପ୍ରବାସିନୀ ମହାକୁଡ଼ ଓ ମୋନାଲିସା ଜେନା। ଏହି ପୁରସ୍କାରର ଘୋଷଣାଟି ଶୁଣିବା ପରେ ‘ସାହିତ୍ୟ ଚର୍ଚ୍ଚା’କୁ ନିଜର ପ୍ରତିକ୍ରିୟା ଦେଇ ସୁଭାଷ ଶତପଥୀ କହିଛନ୍ତି, “ଏହା ମୋ ପାଇଁ ଗୋଟିଏ ଖୁସିର କଥା।” ରସ୍କିନ୍ ବଣ୍ଡ୍ଙ୍କ ପୁସ୍ତକକୁ ସେ କାହିଁକି ଅନୁବାଦ ପାଇଁ ବାଛିଲେ, ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ, ଭାରତରେ ଯେତେ ଲୋକପ୍ରିୟ ଲେଖକ ଅଛନ୍ତି, ସେମାନଙ୍କ ମଧ୍ୟରେ ଯିଏ ସବୁ ବର୍ଗର ପାଠକଙ୍କ ପାଖରେ ଗ୍ରହଣୀୟ ହୋଇପାରିଛନ୍ତି; ଏବଂ ଆର.କେ ନାରାୟଣଙ୍କ ପରେ ଯଦି କାହାର ନାମ ଆସେ, ସେ ହେଉଛନ୍ତି ରସ୍କିନ ବଣ୍ଡ। ପ୍ରକାଶ ଥାଉ କି ସୁଭାଷ ଶତପଥୀ ବାଣୀବିହାରର ଇଂରାଜୀ ବିଭାଗରୁ ୧୯୮୩ ମସିହାରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ; ଏବଂ ସେ ବର୍ତ୍ତମାନ ଦୈନିକ ସମ୍ବାଦପତ୍ର ‘ପ୍ରମେୟ’ରେ ଫିଚର୍ ସମ୍ପାଦକ ଭାବରେ କାର୍ଯ୍ୟରତ ଅଛନ୍ତି।
(ପ୍ରକାଶିତ: ୭ ମାର୍ଚ୍ଚ, ୨୦୨୫)
ଦେଶର ଶହେଟି ଚୟନିତ ଗଳ୍ପର ତାଲିକାରେ ସର୍ବାଗ୍ରେ ସ୍ଥାନିତ ହେଲା ‘ରେବତୀ’

ଜାତୀୟ ସ୍ତରର ସୁବିଦିତ ପ୍ରକାଶନ ସଂସ୍ଥା ‘ଆଲେଫ୍ ବୁକ୍ କମ୍ପାନୀ’ ଦ୍ବାରା ଉନବିଂଶ ଶତାବ୍ଦୀରୁ ନେଇ ଏକବିଂଶ ଶତାବ୍ଦୀ ମଧ୍ୟରେ ରଚିତ ବିଭିନ୍ନ ଭାଷାର ୧୦୦ଟି ଶ୍ରେଷ୍ଠ ଗଳ୍ପ ଇଂରାଜୀ ଭାଷାରେ ଅନୂଦିତ ହୋଇ ‘ଓ୍ବାନ୍ ହଣ୍ଡ୍ରେଡ୍ ଇଣ୍ଡିଆନ୍ ଷ୍ଟୋରୀଜ୍’ ନାମରେ ପ୍ରକାଶ ପାଇଛି। ଏହାର ସମ୍ପାଦନା କରିଛନ୍ତି ଏ .ଜେ.ଟମାସ୍ ଏବଂ ଅଗ୍ରଲେଖ ଲେଖିଛନ୍ତି ରସ୍କିନ୍ ବଣ୍ଡ୍ । ଏହି ସଂକଳନରେ ଥିବା ୧୦୦ଟି ଗଳ୍ପର ସୂଚୀରେ ଫକୀରମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରେବତୀ’ ସର୍ବାଗ୍ରେ ସ୍ଥାନ ପାଇଥିବା ବେଳେ ରବୀନ୍ଦ୍ରନାଥ ଠାକୁର, ପ୍ରମଥ ଚୌଧୁରୀ, ଶରତ ଚନ୍ଦ୍ର ଚାଟାର୍ଜୀ ଓ ମୁନ୍ସି ପ୍ରେମଚାନ୍ଦଙ୍କ ଭଳି ସ୍ବନାମଧନ୍ୟ ଲେଖକମାନଙ୍କ ଗଳ୍ପଗୁଡ଼ିକ ତାହାର ତଳକୁ ସ୍ଥାନିତ କରାଯାଇଛି। ପ୍ରକାଶକଙ୍କ ପକ୍ଷରୁ ଆମାଜନ୍ରେ ଦିଆଯାଇଥିବା ଏକ ଟିପ୍ପଣୀରେ ରବୀନ୍ଦ୍ରନାଥଙ୍କ ସହ ଫକୀରମୋହନଙ୍କୁ ସାରସ୍ବତ ଦିଗ୍ଗଜ (ଲିଟାରାରୀ ଜାଏଣ୍ଟ୍) ବୋଲି ଆଖ୍ୟା ଦିଆଯାଇଛି। ବିଭିନ୍ନ ଭାରତୀୟ ଭାଷାକୁ ପ୍ରତିନିଧିତ୍ବ କରୁଥିବା ଏହି ସଂକଳନର ଗଳ୍ପ ତାଲିକାରେ ପ୍ରଥିତଯଶା ଓଡ଼ିଆ କଥାକାର ମନୋଜ ଦାସଙ୍କର ଗୋଟିଏ ଗଳ୍ପ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।
ପୁସ୍ତକଟିରେ ପ୍ରକାଶିତ ହୋଇଥିବା ‘ରେବତୀ’ ଗଳ୍ପଟିକୁ ଓଡ଼ିଆ ଭାଷାରୁ ଇଂରାଜୀକୁ ଅନୁବାଦ କରିଛନ୍ତି ବିଶିଷ୍ଟ ଅନୁବାଦକ ତ୍ରୟ ଲୀଳାବତୀ ମହାପାତ୍ର, ପଲ୍ ପିଅର୍ ଓ କମଳାକାନ୍ତ ମହାପାତ୍ର। ଏହି ବହିଟି ଏ ଯାବତ୍ ପ୍ରକାଶ ପାଇଥିବା ଏହି ସ୍ତରୀୟ ସର୍ବବୃହତ ତଥା ଏକ ମର୍ଯ୍ୟାଦାଜନକ ସଂକଳନ ହୋଇଥିବାରୁ ଏହା ଫକୀରମୋହନଙ୍କୁ ବିଶ୍ବସାହିତ୍ୟର ପ୍ରେକ୍ଷାପଟରେ ଆହୁରି ଅଧିକ ସୁବିଦିତ କରାଇପାରିବ ବୋଲି ଆଶା କରାଯାଏ।
(ପ୍ରକାଶିତ: ୪ ମାର୍ଚ୍ଚ, ୨୦୨୫)
ସୁପରିଚିତ ସାହିତ୍ୟସାଧକ ମହମ୍ମଦ ଆୟୁବ କାବୁଲିଙ୍କ ଦେହାନ୍ତ

ସୁପରିଚିତ ସାହିତ୍ୟସାଧକ ମହମ୍ମଦ ଆୟୁବ ‘କାବୁଲି’ଙ୍କ ଫେବ୍ରୁଆରି ୨୭ ତାରିଖ ଦିନ କଟକଠାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା।
ମହମ୍ମଦ ଆୟୁବ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପନ କରିବା ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପି.ଏଚ.ଡି ଉପାଧି ଲାଭ କରିଥିଲେ। ସେ ଓଡ଼ିଆ ଭାଷାରେ ବହୁ କବିତା, ପ୍ରବନ୍ଧ, ଗଳ୍ପ ଓ ଗଜଲ୍ ରଚନା କରିଯାଇଛନ୍ତି। ତାଙ୍କ ଦ୍ବାରା ପ୍ରଣୀତ ‘ଓଡ଼ିଆ ସାହିତ୍ୟରେ ମୁସଲମାନ ସାରସ୍ବତ ସାଧକ’ ନାମକ ଗ୍ରନ୍ଥଟି ଓଡ଼ିଆ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟକୁ ଏକ ଅମୂଲ୍ୟ ଅବଦାନ। ତାଙ୍କର ଅନ୍ୟାନ୍ୟ ପ୍ରମୁଖ ପୁସ୍ତକଗୁଡ଼ିକ ମଧ୍ୟରେ ‘ସ୍ମୃତି ଲହରୀ’, ‘ଓଡ଼ିଆ ଗଜଲ୍ର ସଂକ୍ଷିପ୍ତ ଇତିହାସ’, ଓ ‘ଓଡ଼ିଆ ସାହିତ୍ୟରେ ମୁସଲମାନ ସୃଷ୍ଟି ଆଲୋଚନା’ ଆଦି ଅନ୍ତର୍ଭୁକ୍ତ। ତାଙ୍କ ମହାପ୍ରୟାଣର କିଛି ଦିନ ପୂର୍ବରୁ ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଆଗାମୀ ସଂଖ୍ୟାରେ ପ୍ରକାଶିତ ହେବାକୁ ଥିବା ଡ. ପ୍ରତୀଚୀ ନନ୍ଦଙ୍କ ଦ୍ବାରା ଲିଖିତ ‘ଇସଲାମ ଧର୍ମାବଲମ୍ବୀ ସ୍ରଷ୍ଟାଙ୍କ କଲମରେ ଓଡ଼ିଆ ସାହିତ୍ୟ’ ଶୀର୍ଷକ ପ୍ରବନ୍ଧରେ ନିଜର ସାହିତ୍ୟକୃତି ବିଷୟରେ ଆଲୋଚନା ପାଇଁ ଆବଶ୍ୟକ ତଥ୍ୟ ପ୍ରଦାନ କରିବାରେ ମହମ୍ମଦ ଆୟୁବ କାବୁଲି ପୂର୍ଣ୍ଣ ସହଯୋଗ କରିଥିଲେ। ସେ କଟକ ମହାନଗର ନିଗମର ଜଣେ କର୍ପୋରେଟର ଭାବରେ କାର୍ଯ୍ୟ କରିଛନ୍ତି।
(ପ୍ରକାଶିତ: ୨୭ ଫେବ୍ରୁଆରି, ୨୦୨୫)
ବିଶିଷ୍ଟ କବି ଓ ସମ୍ପାଦକ ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ପରଲୋକ

ବିଶିଷ୍ଟ କବି ଓ ସମ୍ପାଦକ ପ୍ରହରାଜ ସତ୍ୟନାରାୟଣ ନନ୍ଦ ଫେବ୍ରୁଆରି ୨୬ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।
ରେଭେନ୍ସା କଲେଜରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ସେ କଟକରୁ ସେତେବେଳେ ପ୍ରକାଶ ପାଉଥିବା ଦୈନିକ ସମ୍ବାଦପତ୍ର ‘ନିଉଜ୍ ଅଫ୍ ଦି ଓ୍ବାର୍ଲ୍ଡ’, ଓ କଲିକତାରୁ ପ୍ରକାଶ ପାଉଥିବା ‘ଅମୃତ ବଜାର ପତ୍ରିକା’ର ସମ୍ପାଦନା ବିଭାଗରେ ବହୁ ବର୍ଷ ଧରି କାର୍ଯ୍ୟ କରିଥିଲେ। ଏହାପରେ ସେ ଓଡ଼ିଶା ସରକାରଙ୍କ ‘ଉତ୍କଳ ପ୍ରସଙ୍ଗ’ର ପରିଚାଳନା ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଓଡ଼ିଆ କବିତାରେ ସନେଟ୍ର ଧାରାକୁ ସେ ଏକ ନୂଆ ପରିଚୟ ଦେଇଥିଲେ। ‘ଶବ ସଙ୍ଗମ ଓ ଅନ୍ୟାନ୍ୟ କବିତା’ ତାଙ୍କର ଏକ ବହୁଚର୍ଚ୍ଚିତ କବିତା ସଂକଳନ।
(ପ୍ରକାଶିତ: ୨୬ ଫେବ୍ରୁଆରି, ୨୦୨୫)
ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସଚିବ ଭାବରେ ନିଯୁକ୍ତ ହେଲେ ଚନ୍ଦ୍ରଶେଖର ହୋତା

ବିଶିଷ୍ଟ ପ୍ରାବନ୍ଧିକ ତଥା ଓଡ଼ିଶା ପୋଲିସ୍ ସେବାର ବରିଷ୍ଠ ଅଧିକାରୀ ଡ. ଚନ୍ଦ୍ରଶେଖର ହୋତାଙ୍କୁ ରାଜ୍ୟ ସରକାର ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସଚିବ ଭାବରେ ନିଯୁକ୍ତ କରିଛନ୍ତି। ଏହି ଦାୟିତ୍ବ ସହିତ ଅନ୍ୟାଦେଶ ପର୍ଯ୍ୟନ୍ତ ସେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀର ସଚିବ ଭାବରେ ମଧ୍ୟ ଦାୟିତ୍ବ ତୁଲାଇବେ ବୋଲି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଫେବ୍ରୁଆରି ୨୫ ତାରିଖ ଦିନ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି। ସେ ଫେବ୍ରୁଆରି ୨୮ ତାରିଖରେ ଏହି ନୂଆ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାଯାଇଛି।
ଡ. ହୋତା ୨୦୦୭ ମସିହାରେ ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ନିଜର ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ। ସେ ନିଜର ପ୍ରବନ୍ଧ ସଂକଳନ ‘ଚେତନାର ଅନ୍ବେଷଣ’ ପାଇଁ ୨୦୨୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବଲେଖକ ପୁରସ୍କାରରେ ସମ୍ମାନିତ ହୋଇଥିଲେ।
(ପ୍ରକାଶିତ: ୨୫ ଫେବ୍ରୁଆରି, ୨୦୨୫)
ଭୁବନେଶ୍ଵରରେ ଅନୁଷ୍ଠିତ ହେଲା ଦୁଇଦିନିଆ ମାତୃଭାଷା ମହାକୁମ୍ଭ

ବିଶ୍ବ ମାତୃଭାଷା ଦିବସ ଓ ଶାସ୍ତ୍ରୀୟ ଭାଷା ଭାବରେ ଓଡ଼ିଆ ଭାଷାର ସ୍ବୀକୃତିକୁ ସ୍ମରଣ କରିବା ପାଇଁ ଫେବ୍ରୁଆରି ୨୦ ତାରିଖ ଦିନ ଭୁବନେଶ୍ବରର ସ୍ବସ୍ତି ପ୍ରିମିୟମ୍ ହୋଟେଲ୍ରେ ନୂଆଦିଲ୍ଲୀସ୍ଥିତ ‘ଦି ଇଣ୍ଟେଲେକ୍ଟସ୍’ ସଂସ୍ଥା ପକ୍ଷରୁ ଆରମ୍ଭ ହୋଇଛି ଦୁଇଦିନିଆ ମାତୃଭାଷା ମହାକୁମ୍ଭ। ୨୦ ତାରିଖ ପୂର୍ବାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ଅଧିବେଶନର ମଞ୍ଚରେ ଉପସ୍ଥିତ ଥିଲେ ବିଶିଷ୍ଟ ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟ, ସ୍ବନାମଧନ୍ୟ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ଭାଷା ଓ ସଂସ୍କୃତି ଚିନ୍ତକ ଡ଼. ଭଗବାନ ପ୍ରକାଶ, ସୁସାହିତ୍ଯିକ ଦାଶ ବେନହୁର ଓ ଭାଷା ଡିଜିଟାଲାଇଜେସନ୍ ବିଶେଷଜ୍ଞ ଡ. ମହେଶ କୁଲକର୍ଣ୍ଣୀ।
ଏଥିରେ ସଭାପତିତ୍ବ କରିଥିଲେ ଡ. ଭଗବାନ ପ୍ରକାଶ। ପ୍ରଥମେ ‘ଦି ଇଣ୍ଟେଲେକ୍ଟସ୍’ର ଆବାହକ ଦେବେନ୍ଦ୍ରନାଥ ରାଉତ ଅତିଥିମାନଙ୍କୁ ସ୍ବାଗତ କରି କହିଲେ ଯେ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ମାତୃଭାଷା ଦିବସ ଉପଲକ୍ଷେ ଏହି ସମ୍ମିଳନୀ ପ୍ରତି ବର୍ଷ ନୂଆଦିଲ୍ଲୀଠାରେ ପାଳନ କରାଯାଇଥାଏ; ଚଳିତ ବର୍ଷ ଏହା ଭୁବନେଶ୍ଵରରେ ଅନୁଷ୍ଠିତ ହେଉଛି। ଡ. ଶାନ୍ତନୁ କୁମାର ଆଚାର୍ଯ୍ୟ ନିଜର ଉଦ୍ଘାଟନ ଅଭିଭାଷଣରେ କହିଲେ ଯେ ଓଡ଼ିଆ ଜାତିର ଆତ୍ମ ପରିଚୟକୁ ନେଇ ସମସ୍ତ ଦ୍ବନ୍ଦ୍ବ ଦୂର ହେବା ଉଚିତ। ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ ସେ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ଯେ ଓଡ଼ିଆ ଭାଷା ମରିଯିବ; ଭାଷାକୁ ଯେତେ ଅଧିକ ବ୍ୟବହାର କରାଯିବ ତାହା ସେତିକି ସୁଦୃଢ଼ ହେବ। ଡ. ଦେବୀପ୍ରସନ୍ନ ପଟ୍ଟନାୟକ କହିଲେ ଯେ ଯୌଥ ପରିବାର ପ୍ରଥା ଭାଙ୍ଗିଯିବା ଆମ ଭାଷା ସଙ୍କଟର ଅନ୍ୟତମ କାରଣ। ଦାଶ ବେନହୁର କହିଲେ ଯେ ଆସନ୍ତାକାଲି ସମଗ୍ର ବିଶ୍ଵରେ ପାଳନ କରାଯାଉଥିବା ମାତୃଭାଷା ଦିବସ ପ୍ରେକ୍ଷାପଟରେ ନିଜ ଭାଷାର ସଂରକ୍ଷଣ ଦାବିରେ ବଙ୍ଗଳାଦେଶ ପ୍ରାଣବଳୀ ଦେଇଥିବା ଭାଷାପ୍ରେମୀମାନଙ୍କୁ ସ୍ମରଣ କରିବାର ବେଳ ଆସିଛି।
ଏହି ସଭାରେ ଡ଼. ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ‘ଆମ ଗୌରବ’ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରଥମ ଦିବସର ପରବର୍ତ୍ତୀ ଅଧିବେଶନଗୁଡ଼ିକରେ ‘ଓଡ଼ିଆ ଭାଷାର ମାନକୀକରଣରେ ବୈଷୟିକ ବିଦ୍ୟାର ଭୂମିକା’, ‘କୃତ୍ରିମ ମେଧା ଓ ଓଡ଼ିଆ ଭାଷା’, ‘ଡିଜିଟାଲ୍ ପବ୍ଲିସିଂ’, ‘ଆମ ଭାଷାର ଡିଜିଟାଲ୍ ରେଡିନେସ୍’ ଆଦି ବିଷୟରେ ଆଲୋଚନାର କାର୍ଯ୍ୟକ୍ରମ ରହିଛି।
(ପ୍ରକାଶିତ: ୨୦ ଫେବ୍ରୁଆରି, ୨୦୨୫)
ବିଶିଷ୍ଟ କଥାଶିଳ୍ପୀ ନବକିଶୋର ରାଜଙ୍କ ଦେହାବସାନ

ସୁବିଦିତ କଥାଶିଳ୍ପୀ ତଥା ଅନୁବାଦକ ନବକିଶୋର ରାଜ ଫେବ୍ରୁଆରି ୧୩ ତାରିଖ ରାତି ୯.୩୦ ମିନିଟ୍ ସମୟରେ କଟକଠାରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୮୦ ବର୍ଷ ବୟସ ହୋଇଥିଲା। କିଛିଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଫେବ୍ରୁଆରି ୧୪ ତାରିଖ ସନ୍ଧ୍ୟାରେ ପୁରୀର ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜନ୍ମଜନ୍ମାନ୍ତରବାଦ ଉପରେ ଆଧାରିତ ତାଙ୍କର ଉପନ୍ୟାସ ‘ଛାୟାପୁରୁଷ’ ପାଇଁ ସେ ୨୦୧୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଏହାବ୍ୟତୀତ ତାଙ୍କ ଦ୍ବାରା ରଚିତ ‘ସୁବର୍ଣ୍ଣ କଳସ’, ‘ମାୟାନଦୀ’, ‘ବିତରାଗ’, ‘କାଳାଗ୍ନି’ ଓ ‘ପୌର୍ଣ୍ଣମାସୀ’ ପ୍ରଭୃତି ଉପନ୍ୟାସ ମଧ୍ୟ ପାଠକାଦୃତ ହୋଇଥିଲା। ‘ଭାରତର ସାଧକ’ ଓ ଅନ୍ୟାନ୍ୟ ଆଧ୍ୟାତ୍ମିକ ପୁସ୍ତକଗୁଡ଼ିକର ଅନୁବାଦ ପାଇଁ ମଧ୍ୟ ସେ ସୁପରିଚିତ ଥିଲେ। ସେ ୧୯୭୦ ମସିହାରେ ସରକାରୀ ଚାକିରୀରେ ଯୋଗଦାନ କରିଥିଲେ ଏବଂ ନିଜ କର୍ତ୍ତବ୍ୟନିଷ୍ଠାର ପ୍ରଦର୍ଶନ କରି ୨୦୦୪ ମସିହାରେ ଅର୍ଥ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ପଦବୀରେ ଥାଇ ସେବାନିବୃତ୍ତ ହୋଇଥିଲେ।
(ପ୍ରକାଶିତ: ୧୪ ଫେବ୍ରୁଆରି, ୨୦୨୫)
ରାଜଧାନୀର ଅକ୍ଷରଭୂମିରେ ଓଡ଼ିଆ ଭାଷାକୁ ଖତେଇ ହେଉଛି ଏକ ବିକୃତ ଅକ୍ଷର

ଗତ ବର୍ଷ ଅନୁଷ୍ଠିତ ହୋଇଥିବା ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ଉପଲକ୍ଷେ ଭୁବନେଶ୍ବରର କେନ୍ଦ୍ରସ୍ଥଳରେ କୋଟି କୋଟି ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିଲା ‘ଅକ୍ଷରଭୂମି’, ଯେଉଁଠାରେ କେତୋଟି ପଥର ଫଳକରେ ଓଡ଼ିଆ ବର୍ଣ୍ଣମାଳାକୁ ଖୋଦେଇ କରାଯାଇଛି ମାତ୍ର। ସତେ ଯେମିତି ଓଡ଼ିଆ ଭାଷା ଅଚିରେ ଲୋପ ପାଇଯିବ, ଏହି ଦୁରାଶାର ବଶବର୍ତ୍ତୀ ହୋଇ ସେକାଳର ସରକାର ଓଡ଼ିଆ ଅକ୍ଷରମାଳାକୁ ଏକ ମ୍ୟୁଜିଅମ୍ର ବସ୍ତୁ ଭାବରେ ସଂରକ୍ଷଣ କରିବାକୁ ଗଢ଼ିଥିଲେ ଏହି ଅକ୍ଷରଭୂମି। କିନ୍ତୁ ଏଥିରେ ଥିବା ଅକ୍ଷରମାଳାରେ ଓଡ଼ିଶା ସରକାରଙ୍କ ଦ୍ବାରା ୡ ବର୍ଣ୍ଣଟିକୁ ଅତ୍ୟନ୍ତ ଖାମଖିଆଲି ଭାବରେ ବିକୃତ କରି ଲେଖାଯାଇଥିବା ଦେଖାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ବର୍ଷାଧିକ କାଳ ବିତିଯାଇଥିଲେ ହେଁ, ନା ସେବର ସରକାର, ନା ଏବର ସରକାର, ଏହାକୁ ସଂଶୋଧନ କରିବା ପାଇଁ କେହି ଆଗ୍ରହ ଦେଖାଉନାହାନ୍ତି।
ଗତ ଫେବ୍ରୁଆରି ଦୁଇ ତାରିଖ ଦିନ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରକାଶିତ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧର ସଂଶୋଧିତ ପୁନଃମୁଦ୍ରଣ। ଏଥିରେ ମୂଳ ବର୍ଣ୍ଣବୋଧରେ ଥିବା ଅନୁସାରେ ୡ ବର୍ଣ୍ଣର ଉପଯୁକ୍ତ ରୂପକୁ ସ୍ଥାନ ଦିଆଯାଇଛି। କିନ୍ତୁ ସରକାରଙ୍କ ଦ୍ବାରା ସ୍ଥାପିତ ଅକ୍ଷରଭୂମିରେ ଏହି ବର୍ଣ୍ଣର ଗୋଟିଏ ରୂପ ଓ ସରକାରଙ୍କ ଦ୍ବାରା ମୁଦ୍ରିତ ବର୍ଣ୍ଣବୋଧରେ ଏଥିର ଆରେକ ରୂପ ସ୍ଥାନ ପାଇଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେମିତି ମନେହେଉଛି, ଅକ୍ଷରଭୂମିରେ ଥିବା ତ୍ରୁଟିପୂର୍ଣ୍ଣ ୡ ଅକ୍ଷରଟି ଓଡ଼ିଆ ଭାଷାକୁ ଖତେଇ ହେଉଛି। ପ୍ରକାଶଥାଉକି ଯଦିଓ ଆଜିକାଲିର ଓଡ଼ିଆ ଭାଷାରେ ଏହି ୡ ବର୍ଣ୍ଣର ବିଶେଷ ପ୍ରୟୋଗ ନାହିଁ, ପୂର୍ବକାଳୀନ ଅନେକ ଅକ୍ଷରଶିକ୍ଷା ବହିରେ ଏହାକୁ ସ୍ଥାନ ଦିଆଯାଇଛି; ଏବଂ ଓଡ଼ିଶା ସରକାର ମଧ୍ୟ ନିଜର ନବ ପ୍ରକାଶିତ ବହିରେ ଏହାର ଅନୁସରଣ କରିଛନ୍ତି। ଏପରିକି ୨୦୧୪ ମସିହାରେ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରାଯାଇଥିବା ଓଡ଼ିଶା ସରକାରଙ୍କ ଯେଉଁ ଦସ୍ତାବେଜ ବଳରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା, ସେଥିରେ ଦିଆଯାଇଥିବା ଓଡ଼ିଆ ବର୍ଣ୍ଣମାଳାର ତାଲିକାରେ ମଧ୍ୟ ୡ ବର୍ଣ୍ଣଟି ଅଛି। ଅଥଚ ଅକ୍ଷରଭୂମିରେ ଥିବା ସେହି ତ୍ରୁଟିପୂର୍ଣ୍ଣ ବର୍ଣ୍ଣଟିକୁ ସୁଧାରିବା ପାଇଁ ସରକାର କୌଣସି ପଦକ୍ଷେପ ନ ନେବା ପରିତାପର ବିଷୟ। ଏପରିକି ପୂର୍ବର ବି.ଜେ.ଡ଼ି ସରକାର ବିଶ୍ବ ଓଡ଼ିଆ ସମ୍ମିଳନୀ ଉପଲକ୍ଷେ ଜଣେ ଘରୋଇ ପ୍ରକାଶକଙ୍କ ସହଭାଗିତାରେ ଯେଉଁ କଫି-ଟେବୁଲ୍ ବହି ପ୍ରକାଶ କରିଥିଲେ ସେଥିରେ ଥିବା ଅକ୍ଷର ଭୂମିର ଫଳକର ଯେଉଁ ଧାଡ଼ିରେ ଏହି ତ୍ରୁଟିପୂର୍ଣ୍ଣ ୡ ବର୍ଣ୍ଣଟି ଅଛି, ତାହାକୁ ଲୁଚାଇବା ପାଇଁ ଚତୁରତାର ସହ ସେହି ଧାଡ଼ିଟିକୁ ଲିଭାଇ ଦିଆଯାଇଥିଲା। ତାହାର ଅନୁରୂପ ଏବର ସରକାର ମଧ୍ୟ ଏହି ତ୍ରୁଟିଟି ଦେଖିନଥିବାର ଅଭିନୟ କରୁଛନ୍ତି। ଏବେ ସେହି ଅକ୍ଷରଭୂମି ସନ୍ନିକଟ ବିସ୍ତୀର୍ଣ୍ଣ ଜମିରେ ଏକ ବିରାଟ ‘ଓଡ଼ିଆ ଅସ୍ମିତା ଭବନ’ ନିର୍ମାଣର ଯୋଜନା ଚାଲିଛି। ଏହା ସମ୍ପୂର୍ଣ ହୋଇଗଲେ ବିଶ୍ବର ବିଭିନ୍ନ ଅନୁକୋଣରୁ ଆସିବାକୁ ଥିବା ଅସଂଖ୍ୟ ଦର୍ଶକମାନଙ୍କ ସାମନାରେ ଓଡ଼ିଆ ଅସ୍ମିତାର କି ଯେ ଚିତ୍ର ପ୍ରଦର୍ଶିତ ହେବ ତାହା ଅନୁମାନ କରାଯାଇପାରେ। ଯେଉଁ ଜାତି ନିଜର ବର୍ଣ୍ଣମାଳାକୁ ସମ୍ମାନ କରି ଜାଣେନାହିଁ ତାହାର ଅସ୍ମିତାର ସ୍ତର ବିଷୟରେ ବିଶ୍ବର ଜନମାନସରେ କି ଧାରଣା ହେବ?
ଏଣେ ରାଜ୍ୟର ଅସଂଖ୍ୟ ଭାଷାବିତ୍ ଓ ଗଣମାଧ୍ୟମ ମଧ୍ୟ ଏ ବିଷୟରେ ନିରବତା ଅବଲମ୍ବନ କରୁଛନ୍ତି; ଯେମିତିକି ହିନିମାନିଆ ଓଡ଼ିଆ ଭାଷାଟିର ନିଜର ବୋଲି କେହି ନାହିଁ ଏବଂ ତା’କୁ ଯିଏ ଯେମିତି ଚାହିଁବେ ଦୁର୍ବ୍ୟବହାର କରିପାରିବେ। ଅବଶ୍ୟ ବର୍ତ୍ତମାନ କେବଳ ବିଶିଷ୍ଟ ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତି ତାଙ୍କର ବିଭିନ୍ନ ଭିଡିଓ ଓ ଲେଖା ମାଧ୍ୟମରେ ଏହା ବିରୋଧରେ ସ୍ବର ଉତ୍ତୋଳନ କରି ଜନସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି।
(ପ୍ରକାଶିତ: ୫ ଫେବ୍ରୁଆରି, ୨୦୨୫)
ଅଶେଷ ଧନ୍ୟବାଦ ଓ ସମ୍ମାନ ଜଣାଉଛି
An excellent initiative & innovation Congratulations!
ଖୁବ ସୁନ୍ଦର ପ୍ରୟାସ , ବହୁତ ବହୁତ ଧନ୍ୟବାଦ।
ସାହିତ୍ୟ ସମାଚାର ମାଧ୍ୟମରେ ସାହିତ୍ୟ ବିଷୟରେ ତଥ୍ୟ ମିଳି ପାରୁଛି।
ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଗତି କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବନାହିଁ।ସାହିତ୍ୟର ପ୍ରତିଟି ଖବର ଏଥିରେ ଦୃଶ୍ୟମାନ।
ଖୁବ ଉପାଦେୟ, ଧନ୍ୟବାଦ ପ୍ରଣାମ |
ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା
‘ସାହିତ୍ୟଚର୍ଚ୍ଚା’ ପରି ନିରୋଳା ସାହିତ୍ୟ ସଂପୃକ୍ତି ସମ୍ପ୍ରତି ବିରଳ! ନୂଆ ପରିକଳ୍ପନା ସହ ସାହିତ୍ୟର ଦୈନନ୍ଦିନୀକୁ ସାଉଁଟି ଆଣି ପାଠକଙ୍କ ପାଖରେ ରଖିବା କମ କଷ୍ଟକର ନୁହେଁ।
ଏଥି ନିମନ୍ତେ ସଂପାଦକ ମହୋଦୟଙ୍କୁ ସାଧୁବାଦ ଜଣାଉଛି।
ମୋତେ ଏହି ପୃଷ୍ଠାଟି ବହୁତ ଭଲ ଲାଗିଲା । ସାହିତ୍ୟ ଜଗତର ସବୁ ଖବର ଏଥିରେ ଗଚ୍ଛିତ । ଧନ୍ୟବାଦ ସାହିତ୍ୟ ଚର୍ଚ୍ଚା।
ଓଡ଼ିଆ ଭାଷା,ସାହିତ୍ୟ ବିଦେଶ ର ମାଟିରେ ବି ଓଡ଼ିଆ ର ସଂସ୍କାର ସଂସ୍କୃତିକୁ ଜୀବିତ କରିରଖିଛି। ଓଡ଼ିଆ ସାହିତ୍ୟର ନିଶ୍ଚିନ୍ତ ଜୟ ହୋଇଛି ।ଏହିପରି କାର୍ଯ୍ୟକ୍ରମ ଜାରି ରହୁ।
ସାହିତ୍ୟ ଓ ସାହିତ୍ୟିକ ଉଭୟଙ୍କ ମନୋବଳକୁ ଏହା ଦ୍ବିଗୁଣିତ କରିବା ପାଇଁ ସହାୟକ ହେବ।
ସୁଦୂର ପ୍ରାନ୍ତରେ ରହି ଓଡ଼ିଆ ସାହିତ୍ୟ ଜଗତର ଖବର ଜାଣିପାରୁଛୁ। ଅନେକ ତଥ୍ୟ ବିଷୟରେ ମଧ୍ୟ ଅବଗତ ହୋଇପାରୁଛୁ।
‘ସାହିତ୍ୟ ଚର୍ଚ୍ଚା’ର ସମସ୍ତ ବାର୍ତ୍ତାବାହକ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
ଖୁବ୍ ଉପାଦେୟ ତଥ୍ଯ ପୋଷ୍ଟ କରାଯାଇଛି ସାର୍— ଧନ୍ୟବାଦ🙏
ବେଶ୍ ଉପାଦେୟ ଆଲେଖ୍ୟ ସବୁ, ଅଶେଷ ଅଭିନନ୍ଦନ
Beautiful information, I like them
ଓଡିଆରେ ଏପରି ନିରୋଳା ସାହିତ୍ୟ ସମାଚାର ପତ୍ରିକାଖଣ୍ଡେ ଦରକାରଥିଲା ତାହା ପୂରଣ କରିଛି “ସାହିତ୍ୟ ଚର୍ଚ୍ଚା”।
ପ୍ରକାଶକଙ୍କୁ ଅଭିନନ୍ଦନ
ଏ ସଂଖ୍ୟା ର ସମସ୍ତ ଖଵର ସତେଜ ଓ ଉପାଦେୟ। ସମ୍ପାଦକ ମହାଶୟଙ୍କୁ ଅଶେଷ ଧନ୍ୟବାଦ।
ସୁନ୍ଦର କାର୍ଯକ୍ରମ। ଅଭିନନ୍ଦନ ଓ ଶୁଭେଚ୍ଛା।
ଯା’ହେଉ ସାହିତ୍ଯ ଚର୍ଚ୍ଚାର ଏହା ଏକ ସୁନ୍ଦର ପ୍ରୟାସ।
We got so many informations regarding Odia language and writers
ସବୁ ଖବର ପଢି ଅନେକ ନୂଆ କଥା ଆମ ଓଡ଼ିଆ ସାହିତ୍ୟ ବିଷୟରେ ଜାଣିଲି l
ନିଜର କର୍ମମୟ ଜୀବନ ଭିତରେ ଗତି କରୁ କରୁ ଏମିତି କିଛି ଖବର ଜାଣି ହୁଏ ନାହିଁ। ଆଜି ଏଥିରୁ ଜାଣିବା ସୁଯୋଗ ପାଇଲି। ସାଧୁ ଉଦ୍ୟମ ପାଇଁ ଧନ୍ୟବାଦ 🙏
SAMBAD ON ODIA SAHITYA IS AN INNOVATION.THAT TOO DIGITAL.CONGRATULATIONS.
Puri Literature Festival was held on 15th/16th February 2025 at Puri.
I participated in the P L F.
It is expected to be in the line of Jaipur Literature Festival/ Banaras Literature Festival.
The innovative initiative is commendable.It gives all Literature news at one place. THANK YOU for making it possible.
ସାହିତ୍ୟ ଚର୍ଚ୍ଚାର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ଓ ପ୍ରେରଣାଦାୟୀ।
Great initiative