ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଶୀଘ୍ର ଖୋଲିବ ‘ସେଣ୍ଟର୍ ଫର୍ ଓଡ଼ିଆ ଷ୍ଟଡିଜ୍’

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟା କ୍ରମେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଶୀଘ୍ର ଖୋଲିବାକୁ ଯାଉଛି ଏକ ‘ସେଣ୍ଟର୍ ଫର୍ ଓଡ଼ିଆ ଷ୍ଟଡିଜ୍’। ଦେଶର ରାଜଧାନୀରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଷୟରେ ଉଚ୍ଚତର ଅଧ୍ୟୟନ ଓ ଗବେଷଣା ପାଇଁ ଏହା ପଥ ପ୍ରଶସ୍ତ କରିବ। ଦେଶର କୌଣସି ବିଶ୍ବବିଦ୍ୟାଳୟରେ ଗୋଟିଏ ଭାଷାର ଏହିଭଳି ସ୍ବତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ହେବା ଏହା ସର୍ବପ୍ରଥମ।
ଦିଲ୍ଲୀ ବିଶ୍ବବିଦ୍ୟାଳୟର ଡିନ୍ ବଳରାମ ପାଣି ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ଗୋଟିଏ ପ୍ରସ୍ତାବ ୟୁ.ଜି.ସିକୁ ପଠାଯାଇଛି। ଆବଶ୍ୟକ ମଞ୍ଜୁରୀ ପାଇବା ପରେ ଆସନ୍ତା ବର୍ଷଠାରୁ ଏହି କେନ୍ଦ୍ରରେ ଓଡ଼ିଆ ବିଷୟରେ ଏମ୍.ଏ, ପିଏଚ୍.ଡି ତଥା ପୋଷ୍ଟ-ପିଏଚ୍.ଡି ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଏହି ଅଧ୍ୟୟନ କେନ୍ଦ୍ର ବାବଦରେ ୩୯ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରହିଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟର କୁଳପତି ଯୋଗେଶ ସିଂହ ଏ ବିଷୟରେ ଏକ ବିବୃତି ଦେଇ କହିଛନ୍ତି ଯେ ଏହି କେନ୍ଦ୍ର ପ୍ରତିଷ୍ଠା ହେବାପରେ ଆଗାମୀ ପିଢ଼ି ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଅଧ୍ୟୟନ ଉଦ୍ଦେଶ୍ୟରେ ଏକ ନୂତନ ସୁଯୋଗ ସୃଷ୍ଟି ହେବ।
ଏଠାରେ ପ୍ରକାଶଯୋଗ୍ୟ ଯେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ସ୍ବର୍ଗତ ଖଗେଶ୍ବର ମହାପାତ୍ରଙ୍କ ଉପସ୍ଥିତିରେ ୧୯୭୧ ମସିହାଠାରୁ ଓଡ଼ିଆ ଭାଷାରେ ଏକ ସାର୍ଟିଫିକେଟ୍ ଓ ଡିପ୍ଲୋମା କାର୍ଯ୍ୟକ୍ରମ ଚାଲିଆସୁଥିଲା; କିନ୍ତୁ ପରବର୍ତ୍ତୀ କାଳରେ ଛାତ୍ର ଅଭାବରୁ ଏହା ବନ୍ଦ ହୋଇଯାଇଥିଲା। ପରବର୍ତ୍ତୀ କାଳରେ ସେହି ବିଶ୍ବବିଦ୍ୟାଳୟର ତୁଳନାତ୍ମକ ସାହିତ୍ୟ ବିଭାଗରେ ଅଧ୍ୟାପକ ପ୍ରକାଶ ପଟ୍ଟନାୟକଙ୍କ ଉଦ୍ୟମରେ ମଧ୍ୟ ଏ ଦିଗରେ କିଛି କାର୍ଯ୍ୟ ହୋଇଥିଲା। ଏହି ପ୍ରସଙ୍ଗରେ ମଧ୍ୟ ଲକ୍ଷ୍ୟ କରିବାର କଥା ଯେ ଦିଲ୍ଲୀର ଅନ୍ୟତମ ଅଗ୍ରଣୀ ବିଶ୍ବବିଦ୍ୟାଳୟ, ଜବାହାରଲାଲ ନେହେରୁ ୟୁନିଭରସିଟି (ଜେ.ଏନ୍.ୟୁ)ରେ ‘ବିଜୁ ପଟ୍ଟନାୟକ ସେଣ୍ଟର ଫର୍ ଓଡ଼ିଆ ଷ୍ଟଡିଜ୍’ ନାମକ ଏକ ସ୍ବତନ୍ତ୍ର କେନ୍ଦ୍ର ଖୋଲିବା ପାଇଁ ପୂର୍ବ ସରକାରଙ୍କ ଅମଳରେ ଏକ ରାଜିନାମା ସ୍ବାକ୍ଷରିତ ହୋଇସାରିଛି; କିନ୍ତୁ କେତେକ ପ୍ରତିବନ୍ଧକ କାରଣରୁ ଏହା ଆଜି ପର୍ଯ୍ୟନ୍ତ ଖୋଲାଯାଇ ପାରିନାହିଁ।
(ପ୍ରକାଶିତ: ୧୭ ଡିସେମ୍ବର, ୨୦୨୫)
ରାଜଧାନୀରେ ଆରମ୍ଭ ହେଲା ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବ

ଭୁବନେଶ୍ବରର ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ୧୨-ଦିନିଆ ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବ ଡିସେମ୍ବର ୬ ତାରିଖ ସନ୍ଧ୍ୟାରେ ଆରମ୍ଭ ହୋଇଛି। ଏହାକୁ ଉନ୍ମୋଚନ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସ୍ଥାନୀୟ ଏମ୍.ଏଲ୍.ଏ, ବାବୁ ସିଂ ଓ ସୁଲେଖିକା ପ୍ରତିଭା ରାୟ ମଧ୍ୟ ଉପସ୍ଥିତ ଥିଲେ।
ଚଳିତ ବର୍ଷ ଏହି ରାଜ୍ୟ ସ୍ତରୀୟ ପୁସ୍ତକମେଳାରେ ପୂର୍ବ ବର୍ଷ ଅପେକ୍ଷା ଷ୍ଟଲ୍ଗୁଡ଼ିକର ସଂଖ୍ୟା ବଢ଼ିଥିବାର ଲକ୍ଷ୍ୟ କରାଯାଇଛି। ମେଳା ପରିସରରେ ସ୍ଥାପନ କରାଯାଇଥିବା ୫୫୦ଟି ଷ୍ଟଲ୍ ସମୁଦାୟ ୧୭୫ ଜଣ ପ୍ରକାଶକ ଓ ୮ଟି ସରକାରୀ ସଂସ୍ଥାଙ୍କ ମଧ୍ୟରେ ଆବଣ୍ଟିତ ହୋଇଥିବା ଜଣାପଡ଼ିଛି। ଅନେକ ପ୍ରକାଶକ ଓ ଅନ୍ୟାନ୍ୟ ସଂସ୍ଥା ଏକାଧିକ ଷ୍ଟଲ୍ ନେଇଛନ୍ତି। ଏହି ମେଳାରେ ରାଜ୍ୟର ଅଧିକାଂଶ ପୁସ୍ତକ ପ୍ରକାଶକଙ୍କର ଉପସ୍ଥିତି ଦେଖିବାକୁ ମିଳିଛି। ମେଳାର ପ୍ରବେଶ ଦ୍ଵାର ନିକଟରେ ସବୁ ବର୍ଷ ପରି ପୁରୀ ଶ୍ରୀମନ୍ଦିରର ଏକ ଭବ୍ୟ ମଣ୍ଡପ ଦର୍ଶକମାନଙ୍କର ଦୃଷ୍ଟି ଆକର୍ଷଣ କରୁଛି। ଏଥର ମେଳା ପରିସରରେ ଷ୍ଟଲ୍ଗୁଡ଼ିକ ମଧ୍ୟରେ ଦର୍ଶକମାନଙ୍କର ଚଲାବୁଲା ପାଇଁ ପ୍ରଶସ୍ତ ସ୍ଥାନ ଛଡ଼ାଯାଇଥିବାରୁ ଏହା ସମସ୍ତଙ୍କ ପାଇଁ ସୁବିଧାଜନକ ହୋଇଛି। ପୁସ୍ତକମେଳା ଉପଲକ୍ଷେ ଖୋଲାଯାଇଥିବା ସୁଦୃଶ୍ୟ ଫୁଡ୍-କୋର୍ଟ ତଥା କୋରାପୁଟ କଫି କେନ୍ଦ୍ରରେ ହୋଇଥିବା ଜନଗହଳି ଲୋକମାନଙ୍କର ପୁସ୍ତକପ୍ରେମ ଅପେକ୍ଷା ଖାଦ୍ୟପ୍ରେମ ଅଧିକ ଥିବା ଦର୍ଶାଉଛି। ଏଥର ପୂର୍ବବର୍ଷମାନଙ୍କ ଭଳି ମେଳା ପରିସରରେ ଗାଡ଼ି ପାର୍କିଂର ଅନୁମତି ଦିଆନଯାଇ ନିକଟସ୍ଥ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ଉନ୍ମୋଚନ ଦିବସ ସୁଦ୍ଧା ଷ୍ଟଲ୍ଗୁଡ଼ିକର କ୍ରମସଂଖ୍ୟା ସୂଚାଉଥିବା ଫଳକଗୁଡ଼ିକ ଲଗାଯାଇ ନଥିବାରୁ ଅନେକ ଦର୍ଶକ ଅସୁବିଧାରେ ପଡ଼ିଥିବାର ଦେଖାଯାଇଥିଲା। ପ୍ରଥମ ଦିନର ଉନ୍ମୋଚନ ଉତ୍ସବ ଉପଲକ୍ଷେ କେବଳ ବିଶିଷ୍ଟ ଅତିଥିମାନେ ମେଳା ପରିସର ଭିତରେ ବୁଲିବା ପାଇଁ ଦୁଇଟି ବ୍ୟାଟରୀଚାଳିତ ଗାଡ଼ିର ବ୍ୟବସ୍ଥା କରାଯାଇଥିଲେ ହେଁ ପରବର୍ତ୍ତୀ ଦିନଗୁଡ଼ିକରେ ଏହା ସାଧାରଣ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଉପଲବ୍ଧ ହେବ କି ନାହିଁ ସେ ସମ୍ପର୍କରେ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇନାହାନ୍ତି।
(ପ୍ରକାଶିତ: ୬ ଡିସେମ୍ବର, ୨୦୨୫)
ଅନୁଷ୍ଠିତ ହେଲା ଦଶମ ଓଡ଼ିଶା କଳା ଓ ସାହିତ୍ୟ ମହୋତ୍ସବ

ତିନି-ଦିନିଆ ଓଡ଼ିଶା କଳା ଓ ସାହିତ୍ୟ ମହୋତ୍ସବର ଦଶମ ସଂସ୍କରଣ ଭୁବନେଶ୍ବରର ‘ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର’ର ସଭାଗାରରେ ଡିସେମ୍ବର ୫ ତାରିଖ ଦିନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମଟି ରାଜଧାନୀ ଭୁବନେଶ୍ବର ବ୍ୟତୀତ କଟକ ଓ ପୁରୀଠାରେ ମଧ୍ୟ ଆୟୋଜିତ ହୋଇଛି। ଦେଶର ବିମାନ ଚଳାଚଳ ବ୍ୟବସ୍ଥାରେ ହଠାତ୍ ବିଘ୍ନ ଘଟିଥିବାରୁ ଏହି ସମ୍ମିଳନୀକୁ ରାଜ୍ୟ ବାହାରୁ ଆସିବାକୁ ଥିବା କେତେକ ଲେଖକ ଭୁବନେଶ୍ବରରେ ପହଞ୍ଚିପାରି ନାହାନ୍ତି। ବିଶେଷତଃ ଶ୍ରୀଲଙ୍କାର ବୁକର୍ ପୁରସ୍କାର ବିଜୟୀ ଲେଖକ ଶେଷାନ କରୁଣାତିଳକ ଭାରତରେ ପହଞ୍ଚିସାରିଥିଲେ ହେଁ ଭୁବନେଶ୍ବର ପର୍ଯ୍ୟନ୍ତ ଆସିପାରି ନଥିଲେ। ଫଳରେ ସାହିତ୍ୟ ମହୋତ୍ସବର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ କିଛି ତ୍ୱରିତ ପରିବର୍ତ୍ତନ କରିବାକୁ ପଡ଼ିଛି।
ପାଞ୍ଚ ତାରିଖ ପୂର୍ବାହ୍ଣରେ ଅନୁଷ୍ଠିତ ଏହି ମହୋତ୍ସବର ଉନ୍ମୋଚନ ଅଧିବେଶନରେ ମଞ୍ଚ ଉପରେ ଉପସ୍ଥିତ ଥିଲେ ବର୍ଷୀୟାନ କବି ସୌଭାଗ୍ୟ ମିଶ୍ର, ସୁଲେଖକ ସତ୍ୟ ମହାନ୍ତି, କଥାକାର ଶ୍ୟାମାପ୍ରସାଦ ଚୌଧୁରୀ ଓ ସାହିତ୍ୟିକ ପ୍ରଦୋଷ ଚନ୍ଦ୍ର ମହାନ୍ତି। ସଂଯୋଗକୁ ମଞ୍ଚରେ ବସିଥିବା ଶେଷୋକ୍ତ ତିନିଜଣ ଏକଦା ଥିଲେ ସୌଭାଗ୍ୟ ମିଶ୍ରଙ୍କର ଛାତ୍ର। କବି ସୌଭାଗ୍ୟ ମିଶ୍ର ନିଜର ସ୍ବାସ୍ଥ୍ୟାବସ୍ଥା ଦୃଷ୍ଟିରୁ ବିଶେଷ କିଛି ବକ୍ତବ୍ୟ ରଖିପାରି ନଥିଲେ। ତେବେ ସତ୍ୟ ମହାନ୍ତି ଲେଖକମାନଙ୍କର ପ୍ରତିବଦ୍ଧତା ଉପରେ ଏକ ସାରଗର୍ଭକ ବକ୍ତୃତା ଦେଇଥିଲେ। କଥାକାର ଶ୍ୟାମାପ୍ରସାଦ ଚୌଧୁରୀ କହିଲେ ଯେ କବିତା ତିନିଜଣଙ୍କର ଆୟୁଷ ବଢ଼ାଇଦିଏ; ଯଥା, କବିର, କବିତାର ଓ କବିତା ଶୁଣୁଥିବା ବା ପଢ଼ୁଥିବା ଲୋକର। ପ୍ରଦୋଷ ଚନ୍ଦ୍ର ମହାନ୍ତି କବି ସୌଭାଗ୍ୟ ମିଶ୍ରଙ୍କ ସହ ତାଙ୍କର ସାନ୍ନିଧ୍ୟ ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମର ଆୟୋଜକ ମନୁ ଦାଶ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ସାତଗୋଟି ବହିର ଲୋକାର୍ପଣ ମଧ୍ୟ ହୋଇଥିଲା। କାର୍ଯ୍ୟକ୍ରମଟିର ଉପସ୍ଥାପନା କରିଥିଲେ ଯୁବକବି ଅଗ୍ନିବେଶ।
(ପ୍ରକାଶିତ: ୫ ଡିସେମ୍ବର ୨୦୨୫)
ସ୍ତମ୍ଭସାହିତ୍ୟ ବିଷୟକ ଆଲୋଚନାରେ ଭାଗ ନେଲେ ଅନେକ ବିଶିଷ୍ଟ ସ୍ତମ୍ଭକାର

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ‘ଶବ୍ଦସ୍ପର୍ଶ’ ଅନୁଷ୍ଠାନର ମିଳିତ ଆୟୋଜନକ୍ରମେ ଭୁବନେଶ୍ବରର ଗୀତଗୋବିନ୍ଦ ସଦନଠାରେ ଡିସେମ୍ବର ଚାରି ତାରିଖରେ ଓଡ଼ିଆ ସ୍ତମ୍ଭସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଅନେକ ସୁପରିଚିତ ସ୍ତମ୍ଭକାର ଯୋଗଦେଇ ସ୍ତମ୍ଭସାହିତ୍ୟ ବିଷୟରେ ହୋଇଥିବା ଏକ ଉପଯୋଗୀ ବିଚାର-ବିମର୍ଶରେ ଭାଗନେଇଥିଲେ। କିନ୍ତୁ ତିନୋଟି ଅଧିବେଶନରେ ଆୟୋଜିତ ହେବାକୁ ଥିବା ଏହି ଆଲୋଚନାଚକ୍ରଟିକୁ ସମୟାଭାବରୁ ମାତ୍ର ଦୁଇଟି ଅଧିବେଶନରେ ସୀମିତ କରିଦିଆଯାଇଥିଲା। ଫଳରେ ଅନେକ ସ୍ତମ୍ଭକାର ନିଜର ବକ୍ତବ୍ୟକୁ ସମ୍ପୂର୍ଣ୍ଣ ଭାବରେ ପରିପ୍ରକାଶ କରିପାରିନଥିଲେ। ପୂର୍ବାହ୍ଣ ୧୧ଟା ବେଳେ ଆରମ୍ଭ ହୋଇଥିବା ଏହି ଆଲୋଚନାଚକ୍ରରେ ରାଜ୍ୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦାନ କରିବାର କାର୍ଯ୍ୟକ୍ରମ ଥିଲେ ହେଁ କେତେକ କାରଣରୁ ସେ ସଭାରେ ଉପସ୍ଥିତ ହୋଇପାରିନଥିଲେ। ଉଦ୍ଘାଟନୀ ଅଧିବେଶନରେ ସର୍ବପ୍ରଥମେ ଅତିଥି ପରିଚୟ ପ୍ରଦାନ କରିଥିଲେ ‘ଶବ୍ଦସ୍ପର୍ଶ’ର ସମ୍ପାଦକ ପବିତ୍ର ମୋହନ ମହାରଥା। ତାହାପରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ଆଲୋଚନା ଆରମ୍ଭ କରି କହିଲେ ଯେ ସ୍ତମ୍ଭକାରମାନେ ହେଉଛନ୍ତି ଗଣତନ୍ତ୍ରର ପଞ୍ଚମ ପ୍ରହରୀ ଏବଂ ଏକ ବସ୍ତୁନିଷ୍ଠ ବିଶ୍ଳେଷଣ ହେଉଛି ସ୍ତମ୍ଭସାହିତ୍ୟର ଆଧାର। ‘ପ୍ରଗତିବାଦୀ’ର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ କହିଲେ ଯେ ସ୍ତମ୍ଭକୁ ସାହିତ୍ୟ ଭାବରେ ସ୍ବୀକୃତି ଦିଆଯାଇପାରିନଥିବା ପରିତାପର ବିଷୟ। ‘ଆହ୍ବାନ’ର ସମ୍ପାଦକ ବିଭୂତି ଭୂଷଣ କର କହିଲେ ଯେ ସ୍ତମ୍ଭକାରମାନେ ଜଣେ ଜଣେ ଗବେଷକ ଓ ମନୋବିଜ୍ଞାନୀ ମଧ୍ୟ। ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ଦେବପ୍ରସାଦ ଦାଶ ମତ ଦେଇଥିଲେ ଯେ ସମ୍ବାଦପତ୍ରର ସ୍ତମ୍ଭଗୁଡ଼ିକ ସାହିତ୍ୟର ଏକ ଅଂଶ ଭାବରେ ସ୍ବୀକୃତି ପାଇସାରିଛି। ବର୍ଷୀୟାନ ସ୍ତମ୍ଭକାର ଭଗବାନ ପ୍ରକାଶ ସ୍ତମ୍ଭସାହିତ୍ୟ ସାଧାରଣ ପାଠକଙ୍କ ପାଖରେ ସହଜରେ ପହଞ୍ଚିପାରିବାର ସାମର୍ଥ୍ୟ ରଖେ ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଲେ ଯେ ସ୍ତମ୍ଭକୁ ସାହିତ୍ୟର ମାନ୍ୟତା ଦେଇ ତାହାର ମୂଳ ଉଦ୍ଦେଶ୍ୟକୁ ଆମେ ବିଭ୍ରାନ୍ତ କରିବା ଉଚିତ ନୁହେଁ। ତାଙ୍କର ଏହି ମନ୍ତବ୍ୟକୁ ଆଲୋଚନାରେ ଭାଗନେଇଥିବା କେତେଜଣ ସ୍ତମ୍ଭକାର ନିଜର ବିତର୍କରେ ବିରୋଧ ମଧ୍ୟ କରିଥିବା ଦେଖାଯାଇଥିଲା। ସୁବିଦିତ ସାମ୍ବାଦିକ ଶ୍ରୀରାମ ଦାଶ ନିଜର ସ୍ତମ୍ଭରଚନା ଜନିତ ଅନୁଭୂତି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ସ୍ତମ୍ଭକାରମାନେ ହେଉଛନ୍ତି ‘ମାମୁ’ (ମାଗଣା ମୂଲିଆ) ଶ୍ରେଣୀୟ, କାରଣ ସେମାନଙ୍କୁ ସେମାନଙ୍କ ଲେଖାର ପାରିଶ୍ରମିକ ମିଳେନାହିଁ। ଏହି ଅଧିବେଶନଟିକୁ ପରିଚାଳନା କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ସହ-ସମ୍ପାଦକ ସଞ୍ଜୟ କୁମାର ଛୁଆଳସିଂହ।
ପରବର୍ତ୍ତୀ ଦୁଇଟି ଅଧିବେଶନର ବିଷୟ ଯଥାକ୍ରମେ ‘ସ୍ତମ୍ଭସାହିତ୍ୟ ସମାଜର ଦର୍ପଣ’ ତଥା ‘ସ୍ତମ୍ଭସାହିତ୍ୟ ସମାଜର ଦିଗଦର୍ଶକ’ ଥିଲେ ମଧ୍ୟ ଏତେ ଅଧିକ ସଂଖ୍ୟକ ସ୍ତମ୍ଭକାରଙ୍କୁ ନେଇ ଦୁଇଟି ଅଧିବେଶନ ଆୟୋଜନ କରିବା ପାଇଁ ଆଉ ସମୟ ନଥିବାରୁ ଉଭୟକୁ ମିଶାଇ ଗୋଟିଏ ମିଳିତ ଅଧିବେଶନରେ ପରିଣତ କରିଦିଆଯାଇଥିବାର ଦେଖାଯାଇଥିଲା। ଏହି ଅଧିବେଶନର ସଂଯୋଜକ ଥିଲେ ଜାନକୀଶ ବଡ଼ପଣ୍ଡା। ପ୍ରତ୍ୟେକ ସ୍ତମ୍ଭକାରଙ୍କୁ ତିନି ମିନିଟ୍ ମଧ୍ୟରେ ନିଜର ବକ୍ତବ୍ୟ ରଖିବା ପାଇଁ ସେ ବାରମ୍ବାର ଅନୁରୋଧ କରୁଥିଲେ ହେଁ ଅନେକ ବକ୍ତା ଏହି ସମୟସୀମାକୁ ଉଲ୍ଲଂଘନ କରିଥିବା ଦେଖାଯାଇଥିଲା। ଏହି ଅଧିବେଶନରେ ସ୍ବକୀୟ ବକ୍ତବ୍ୟ ରଖିଥିଲେ ନିରଞ୍ଜନ ପାଢ଼ୀ, ନଟବର ଖୁଣ୍ଟିଆ, ସାଗର ରଞ୍ଜନ ତ୍ରିପାଠୀ, ରୀନା ରାଉତରାୟ, ଚିତ୍ତ ରଞ୍ଜନ ମିଶ୍ର, ଉପେନ୍ଦ୍ର ବିଶ୍ବାଳ, ଛନ୍ଦା ମିଶ୍ର, ସତ୍ୟବ୍ରତ ପଣ୍ଡା, ଚିନ୍ମୟ ହୋତା, ଗୌରାଙ୍ଗ ଚରଣ ପରିଡ଼ା, ଗିରିଜା ଶଙ୍କର ଶର୍ମା, ଅଭୟ ଦ୍ବିବେଦୀ ଓ ଶ୍ରୁତକୀର୍ତ୍ତି ତ୍ରିପାଠୀ ପ୍ରମୁଖ। ସଭାଟିରେ ଏତେ ସଂଖ୍ୟକ ସ୍ତମ୍ଭକାରଙ୍କର ଏକ ବିରଳ ସମାଗମ ହୋଇଥିବା ଦୃଷ୍ଟିରୁ ଅଧିବେଶନଗୁଡ଼ିକର ସଂଖ୍ୟା ବଢ଼ାଇ ଏହାକୁ ଦୁଇଦିନରେ ସମ୍ପନ୍ନ କରିବା ଅଧିକ ଉଚିତ ହୋଇଥାଆନ୍ତା ବୋଲି ଶେଷକୁ ମତ ପ୍ରକାଶ ପାଇଥିଲା।
(ପ୍ରକାଶିତ: ୪ ଡିସେମ୍ବର, ୨୦୨୫)
ଭୁବନେଶ୍ବରରେ ଆରମ୍ଭ ହେଲା ସୋଆ ସାହିତ୍ୟ ମହୋତ୍ସବ

ସୋଆ ବିଶ୍ବବିଦ୍ୟାଳୟର ‘ପ୍ରାଚୀନ’ ଅନୁଷ୍ଠାନ ପକ୍ଷରୁ ବିଶ୍ବବିଦ୍ୟାଳୟ ପରିସରରେ ଏହି ଉତ୍ସବ ଦୁଇଦିନିଆ ସମାବେଶକୁ ନଭେମ୍ବର ୨୯ ତାରିଖ ଦିନ ଉଦଘାଟନ କରିଛନ୍ତି ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି। ଏହି ଦୁଇଦିନରେ ଭାଷା, ସାହିତ୍ୟ, ସଂସ୍କୃତି, ସମାଜ, ଶିକ୍ଷା, ଚଳଚ୍ଚିତ୍ର ଆଦି ବିଷୟରେ ବିଶେଷ ଭାବରେ ଆଲୋଚନା କରାଯିବ। ଏହି ମହୋତ୍ସବର ମୁଖ୍ୟ ଆଲୋଚ୍ୟ ବିଷୟ ରଖାଯାଇଛି ‘ସଂସ୍କୃତି, ସୃଜନଶୀଳତା ଓ କୃତ୍ରିମ ବୁଦ୍ଧିମତ୍ତା’। ଏହି ଅବସରରେ ତିରିଶଟି ଅଧିବେଶନରେ ପ୍ରାୟ ୧୦୦ ଜଣ ବକ୍ତା ନିଜନିଜର ବକ୍ତବ୍ୟ ପ୍ରଦାନ କରିବେ। ଏହାର ଉଦ୍ଘାଟନ ସମାରୋହରେ ପ୍ରଖ୍ୟାତ କବି ଓ ସଂଳାପ ଲେଖକ ଜାଭେଦ୍ ଅଖତର୍ଙ୍କୁ ସୋଆ ସାହିତ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରସ୍କାର ସ୍ୱରୂପ ତାଙ୍କୁ ସାତଲକ୍ଷ ଟଙ୍କା, ଉପଢୌକନ ଓ ମା ସରସ୍ବତୀଙ୍କ ରୌପ୍ୟ ମୂର୍ତ୍ତି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜାଭେଦ୍ ଅଖତର୍ କହିଥିଲେ ଯେ ସଭ୍ୟତାର ମୂଲ୍ୟବୋଧ ଶିଖାଏ ସାହିତ୍ୟ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ କୁଳପତି ପି.କେ. ଦାଶ। କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରାଚୀନ ମୁଖ୍ୟ ଗାୟତ୍ରୀବାଳା ପଣ୍ଡା। ଉଦଘାଟକ ରାଜ୍ୟପାଳ ହରିବାବୁ କମ୍ଭମପତି କହିଲେ ଯେ ସାହିତ୍ୟ ଏକ ପରିବର୍ତ୍ତନକାରୀ ଶକ୍ତି ଯାହା ଚରିତ୍ରକୁ ଆକାର ଦିଏ, ସହାନୁଭୂତିକୁ ପୋଷଣ କରେ ଏବଂ ଆମର ନୈତିକ କଳ୍ପନାକୁ ବିସ୍ତାର କରେ।
ସାହିତ୍ୟ ସମାରୋହର ଉଦଘାଟନୀ ଉତ୍ସବରେ ସୋଆ ପ୍ରତିଷ୍ଠାତା ସଦସ୍ୟ ମନୋଜ ରଞ୍ଜନ ନାୟକ, ସମ୍ମାନିତ ଅତିଥି ଭାବେ ସୋଆ ବିଶ୍ବବିଦ୍ୟାଳୟର ଉପସଭାପତି ଶାଶ୍ଵତୀ ଦାସ ତଥା ଅନ୍ୟତମ ସମ୍ମାନିତ ଅତିଥିଭାବେ ସାହିତ୍ୟ ଅକାଦେମିର ସଚିବ କେ ଶ୍ରୀନିବାସ ରାଓ ଯୋଗଦେଇଥିଲେ। ଅନେକ ସାରସ୍ଵତ ସାଧକ ଓ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିଶ୍ବବିଦ୍ୟାଳୟର ଡିନ୍ ଜ୍ୟୋତିରଂଜନ ଦାସ।
(ପ୍ରକାଶିତ: ୨୯ ନଭେମ୍ବର, ୨୦୨୫)
ପୁରୀରେ ଅଥର୍ସ ଗିଲ୍ଡ ଅଫ୍ ଇଣ୍ଡିଆର ବାର୍ଷିକ ଲେଖକ ସମ୍ମିଳନୀ

ଭାରତୀୟ ଲେଖକମାନଙ୍କର ପ୍ରମୁଖ ସଂଗଠନ ‘ଅଥର୍ସ ଗିଲ୍ଡ ଅଫ ଇଣ୍ଡିଆ’ ପକ୍ଷରୁ ନଭେମ୍ବର ୧୫ ତାରିଖରେ ପୁରୀର ଶ୍ରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବାର୍ଷିକ ଲେଖକ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ଦୁଇ ଦିନିଆ ସାହିତ୍ଯ ଉତ୍ସବରେ ଦେଶର ଛବିଶଟି ଭାଷାରୁ ଦେଢ଼ଶତାଧିକ ଲେଖକ, ସଂପାଦକ, ଅନୁବାଦକ, ଗବେଷକ, ସାହିତ୍ଯ କର୍ମୀ ଓ ସଂଗଠକ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀର ମୁଖ୍ୟ ଆଲୋଚ୍ୟ ବିଷୟ ରହିଛି, ‘ଲେଖକଙ୍କ ଅଧିକାର’। ଏହି କାର୍ଯ୍ୟକ୍ରମଟି ‘ଇଣ୍ଡିଆନ ରିପ୍ରୋଗ୍ରାଫି ପ୍ରୋଟେକ୍ସନ ଅର୍ଗାନାଇଜେସନ’ ଓ ‘ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ’ଙ୍କ ସହଯୋଗିତାରେ ଅନୁଷ୍ଠିତ ହେଉଛି।
ଅଥର୍ସ ଗିଲ୍ଡ ଅଫ ଇଣ୍ଡିଆର ମହାସଚିବ ଶିବଶଙ୍କର ଅବସ୍ତି, ସ୍ଥାନୀୟ ସଂଗଠକ ତଥା ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ବତନ ନିର୍ଦ୍ଦେଶକ ଓ କବି ମାନସ ରଂଜନ ମହାପାତ୍ର ତଥା ଦୂରଦର୍ଶନର ପୂର୍ବତନ ଉପ ମହାନିର୍ଦ୍ଦେଶକ ଉଦୟନାଥ ନାୟକଙ୍କ ପରିଚାଳନାରେ ଏହି ଉତ୍ସବ ଅନୁଷ୍ଠିତ ହେଉଛି। ଅଥର୍ସ ଗିଲ୍ଡ ଅଫ ଇଣ୍ଡିଆର ଉପାଧ୍ୟକ୍ଷ ମୁକେଶ କୁମାର ଅଗ୍ରୱାଲ, କାର୍ଯ୍ୟକାରୀ ସମିତିର ସଭ୍ଯ ଡକ୍ଟର ଅଶୋକ ଜ୍ଯୋତି, ହରିସିଂ ପାଲ୍ ତଥା ସ୍ଥାନୀୟ ଲେଖକ ତଥା ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଭାତ କୁମାର ମହାପାତ୍ର ଓ ବିଶିଷ୍ଟ କବି, ଆଲୋଚକ ଭଗବାନ ଜୟସିଂ ତଥା ଲେଖକ ବୀରେନ୍ଦ୍ର ମହାନ୍ତିଙ୍କ ସମେତ ସ୍ଥାନୀୟ ଲେଖକମାନେ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଛନ୍ତି। ଉତ୍ସବ ଅବସରରେ ୧୫ ନଭେମ୍ବର ସଂଧ୍ଯାରେ ଏକ ସର୍ବଭାରତୀୟ କବି ସମ୍ମିଳନୀ ମଧ୍ଯ ଅନୁଷ୍ଠିତ ହେବାକୁ ଯାଉଛି ଓ ତହିଁରେ ବିଶିଷ୍ଟ ଅତିଥି ଭାବେ ସ୍ଥାନୀୟ ଉପନିର୍ଦ୍ଦେଶକ (ସୂଚନା ଓ ଲୋକସଂପର୍କ) ତଥା କବି ସନ୍ତୋଷ କୁମାର ସେଠୀ ଯୋଗ ଦେବେ ବୋଲି ଆୟୋଜକମାନଙ୍କ ଠାରୁ ପ୍ରକାଶ।
(ପ୍ରକାଶିତ: ୧୫ ନଭେମ୍ବର, ୨୦୨୫)
ଆୟୋଜିତ ହେଲା ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍-ସଂଶୋଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଓଡ଼ିଶା ସରକାରଙ୍କ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ଆନୁକୂଲ୍ୟରେ ନଭେମ୍ବର ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଏକ ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍-ସଂଶୋଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବରର ସଂସ୍କୃତି ଭବନରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଶତାଧିକ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଛନ୍ତି।
କାର୍ଯ୍ୟକ୍ରମର ପ୍ରଥମ ଦିବସ ପ୍ରଥମ ଅଧିବେଶନରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ ଉଦ୍ଘାଟକ ଭାବରେ, ଉପ ନିର୍ଦ୍ଦେଶକ ଦେବଯାନୀ ଭୂୟାଁ ବକ୍ତା ଭାବରେ ତଥା ବିଶିଷ୍ଟ ଲେଖକ ବୈଷ୍ଣବ ଚରଣ ମହାନ୍ତି ଓ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀର ସ୍ମୃତି ରଞ୍ଜନ ମିଶ୍ର ପ୍ରଶିକ୍ଷକ ଭାବରେ ଯୋଗଦେଇଥିଲେ। ପ୍ରଥମ ଅଧିବେଶନରେ ପ୍ରୁଫ୍ ସଂଶୋଧନର ବିବର୍ତ୍ତନ ଧାରା ଓ ଚିହ୍ନ ପ୍ରୟୋଗ ବିଷୟରେ ବୈଷ୍ଣବ ଚରଣ ମହାନ୍ତିଙ୍କ ଦ୍ବାରା ପ୍ରଦତ୍ତ ପ୍ରଶିକ୍ଷଣ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କ ଦ୍ବାରା ଆଦୃତ ହୋଇଥିଲା। ଏହି ଦୁଇଦିନିଆ କାର୍ଯ୍ୟକ୍ରମର ଅନ୍ୟାନ୍ୟ ଅଧିବେଶନଗୁଡ଼ିକରେ କାହ୍ନୁ ଚରଣ ପାଢ଼ୀଙ୍କ ଦ୍ବାରା ‘ସମ୍ପାଦନାର ନିୟମ ଓ ପଦ୍ଧତି’ ଓ କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ଦ୍ବାରା ‘ଓଡ଼ିଆ ଭାଷାରେ ନିର୍ଭୁଲ ଲେଖାର ମୂଳ ସୂତ୍ର’ ବିଷୟରେ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
(ପ୍ରକାଶିତ: ୧୫ ନଭେମ୍ବର, ୨୦୨୫)
ଭୁବନେଶ୍ବରରେ ଆରମ୍ଭ ହେଲା ୨୫ତମ ରାଜଧାନୀ ପୁସ୍ତକ ମେଳା

ଭୁବନେଶ୍ବରର ଶହୀଦ ନଗରଠାରେ ଥିବା ଦୁର୍ଗାପୂଜା ପଡ଼ିଆରେ ୨୫ତମ ରାଜଧାନୀ ପୁସ୍ତକ ମେଳା ନଭେମ୍ବର ୧୪ ତାରିଖ ଦିନ ଆରମ୍ଭ ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୩୦୦ ଜଣ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଏଠାରେ ନିଜର ଷ୍ଟଲ୍ ଖୋଲିଛନ୍ତି। ୧୪ ତାରିuଖ ସନ୍ଧ୍ୟାରେ ଅନୁଷ୍ଠିତ ଏହି ପୁସ୍ତକମେଳାର ଉନ୍ମୋଚନ ଉତ୍ସବରେ ଉଦ୍ଘାଟକ ଭାବରେ ଯୋଗଦେଇଥିଲେ ବର୍ଷୀୟାନ ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟ। ଏଥିରେ ସଭାପତିତ୍ବ କରିଥିଲେ ଉପେନ୍ଦ୍ର କୁମାର ଜେନା, ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ସଂଘମିତ୍ରା ମିଶ୍ର ଏବଂ ମୁଖ୍ୟବକ୍ତା ଥିଲେ ପୀତବାସ ରାଉତରାୟ।
ଏହି ପୁସ୍ତକ ପ୍ରଦର୍ଶନୀରେ କଟକ ସହରର ଅଧିକାଂଶ ପ୍ରକାଶକ ଯୋଗ ଦେଇଥିବା ବେଳେ ଭୁବନେଶ୍ବରସ୍ଥିତ ଓଡ଼ିଶା ପ୍ରକାଶକ ସଂଘ ସହିତ ଅନୁବନ୍ଧିତ ଥିବା ପ୍ରକାଶକମାନଙ୍କ ମଧ୍ୟରୁ କେବଳ ଜଣେ ଯୋଗ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସଂସ୍ଥାମାନଙ୍କ ମଧ୍ୟରୁ ନ୍ୟାସନାଲ ବୁକ୍ ଟ୍ରଷ୍ଟ, ପବ୍ଲିକେସନ ଡିଭିଜନ, ଏନ୍.ସି.ଇ.ଆର୍.ଟି ପ୍ରମୁଖ ଯୋଗ ଦେଇଥିବା ବେଳେ ଓଡ଼ିଶା ରାଜ୍ୟ ସରକାରଙ୍କ ଅଧୀନରେ ଥିବା କୌଣସି ସଂସ୍ଥା ଯୋଗ ଦେଇନାହାନ୍ତି। ରାଜ୍ୟ ବାହାରର ପ୍ରମୁଖ ସଂସ୍ଥାମାନଙ୍କ ମଧ୍ୟରେ ଗୀତା ପ୍ରେସ୍, କଲ୍ୟାଣୀ ପବ୍ଲିକେଶନସ୍, ପେନଗୁଇନ୍ ରାନ୍ଡମ୍ ହାଉସ୍, ଅଷ୍ଟରିଚ୍, ହାର୍ପର କଲିନ୍ ପ୍ରଭୃତି ସଂସ୍ଥା ଏହି ମେଳାରେ ଉପସ୍ଥିତ ଅଛନ୍ତି। ଓଡ଼ିଶାର ଜଣାଶୁଣା ପ୍ରକାଶକଙ୍କ ମଧ୍ୟରୁ ଆମ ଓଡ଼ିଶା, ପକ୍ଷୀଘର, ଏ.କେ. ମିଶ୍ର, ଫ୍ରେଣ୍ଡସ୍ ପବ୍ଲିଶର୍ସ, ଓଡ଼ିଶା ବୁକ୍ ଷ୍ଟୋର, ଧର୍ମଗ୍ରନ୍ଥ ଷ୍ଟୋର ପ୍ରମୁଖ ମଧ୍ୟ ଯୋଗଦେଇଛନ୍ତି। କିଛି ଘରୋଇ ବିଶ୍ବବିଦ୍ୟାଳୟ ମଧ୍ୟ ଏଠାରେ ନିଜର ଷ୍ଟଲ୍ ଖୋଲିଛନ୍ତି। ପ୍ରଥମ ଦିନ ଏହି ମେଳାରେ ବିଶେଷ ଜନଗହଳି ନ ଥିଲେ ମଧ୍ୟ ପରବର୍ତ୍ତୀ ଦିନଠାରୁ ଏହା ବୃଦ୍ଧି ପାଇବ ବୋଲି ଆଶା କରାଯାଏ। ଏହି ପ୍ରଦର୍ଶନୀ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ।
(ପ୍ରକାଶିତ: ୧୪ ନଭେମ୍ବର, ୨୦୨୫)
ବାଲିଯାତ୍ରା ଉତ୍ସବରେ ଓଡ଼ିଆ ପୁସ୍ତକ ବଣ୍ଟନରେ ଅବ୍ୟବସ୍ଥା

ଐତିହାସିକ ବାଲିଯାତ୍ରା ଉପଲକ୍ଷେ କଟକରେ ଚାଲିଥିବା ସପ୍ତାହ ବ୍ୟାପୀ ଉତ୍ସବରେ ଓଡ଼ିଆ ସାହିତ୍ୟର ପ୍ରସାର ପାଇଁ ବହୁ ଆଡମ୍ବରରେ ଘୋଷଣା କରାଯାଇଥିବା ମାଗଣା ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମରେ କେତେକ ଅବ୍ୟବସ୍ଥା ଦୃଷ୍ଟିକୁ ଆସିଛି। ସରକାରଙ୍କ ପକ୍ଷରୁ ପୁସ୍ତକ ବଣ୍ଟନ ପାଇଁ ଖୋଲାଯାଇଥିବା ଷ୍ଟଲ୍ ସାମନାରେ ଆଶାୟୀ ସାହିତ୍ୟ ପ୍ରେମୀ, ବିଶେଷତଃ ଓଡ଼ିଆ ଛାତ୍ର ଓ ଛାତ୍ରୀମାନେ ସମୟ ପୂର୍ବରୁ ଧାଡ଼ି ବାନ୍ଧି ଅପେକ୍ଷା କରିଥିବା ସତ୍ତ୍ବେ ସେମାନଙ୍କୁ ଆଶାନୁରୂପ ପୁସ୍ତକ ମିଳିପାରୁ ନାହିଁ। ଫଳରେ ଅନେକ ବ୍ୟକ୍ତି ନିରାଶରେ ଫେରିଯାଉଥିବା ଦେଖିବାକୁ ମିଳୁଛି। ଏହି ଯାତ୍ରାରେ ବଣ୍ଟନ ହେବାକୁ ଥିବା ପୁସ୍ତକ କ୍ରୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଟେଣ୍ଡର ଡକୁମେଣ୍ଟ ଜାରି କରାଯାଇଛି, ତାହା ଅନୁସାରେ ୨୨ଜଣ ସ୍ରଷ୍ଟାଙ୍କ ୨୫ଟି କାଳଜୟୀ ପୁସ୍ତକ ଜନସାଧାରଣଙ୍କ ମଧ୍ୟରେ ବିତରିତ ହେବା କଥା। ଏହି ପୁସ୍ତକଗୁଡ଼ିକର ତାଲିକାରେ ରହିଛି ଫକୀରମୋହନ ସେନାପତିଙ୍କର ‘ଛ ମାଣ ଆଠ ଗୁଣ୍ଠ’ (୪୦୦୦) ଓ ‘ଲଛମା’ (୪୦୦୦), କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ‘ମାଟିର ମଣିଷ’ ୪୦୦୦), ଗୋପୀନାଥ ମହାନ୍ତିଙ୍କ ‘ପରଜା’ (୨୦୦୦) ଓ ‘ମାଟିମଟାଳ’ (୧୨୦୦), ଗୋବିନ୍ଦ ଚନ୍ଦ୍ର ଦାସଙ୍କର ‘ଅମାବାସ୍ୟାର ଚନ୍ଦ୍ର’ (୪୦୦୦), ପ୍ରତିଭା ରାୟଙ୍କର ‘ଯାଜ୍ଞସେନୀ’ (୧୫୦୦) ତଥା ଏହିଭଳି ଆହୁରି ଅନେକ ପୁସ୍ତକ। କିନ୍ତୁ ସୂଚିବଦ୍ଧ ହୋଇଥିବା ଏହି ପୁସ୍ତକଗୁଡ଼ିକ ମଧ୍ୟରୁ ଅନେକ ବହି ସେଠାରେ ଅପେକ୍ଷା କରିଥିବା ପାଠକମାନଙ୍କୁ ମିଳିପାରୁନଥିବା ଅଭିଯୋଗ ହୋଇଛି। ଏଥିପାଇଁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ପାଖାପାଖି ୯୨ ହଜାର ପୁସ୍ତକ ଟେଣ୍ଡର ମାଧ୍ୟମରେ ପ୍ରକାଶକମାନଙ୍କଠାରୁ କିଣିବା ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଏଥିରେ ଅନିୟମିତତା ହେତୁ ପୁସ୍ତକ ପ୍ରକାଶକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବହି ବଣ୍ଟନ ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ବିତରଣ ଷ୍ଟଲ୍ ଖୋଲିବାର ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସମୟ ମଧ୍ୟ ନାହିଁ; କେଉଁଦିନ ଅପରାହ୍ନ ୩ଟାରେ ତ କେଉଁଦିନ ୫ଟାରେ ଏହି ଷ୍ଟଲ୍ ଖୋଲାଯାଉଛି। ଏହା ସହ ଜଣେ ବ୍ୟକ୍ତିଙ୍କୁ କେତେଖଣ୍ଡ ପୁସ୍ତକ ଦିଆଯିବ ତାହାର ମଧ୍ୟ ତାଲିକା ନାହିଁ।
ଅନ୍ୟ ପକ୍ଷରେ ବାଲିଯାତ୍ରା ଉପଲକ୍ଷେ ସେଠାରେ ଖୋଲାଯାଇଥିବା ‘ଆମ ଭାଷା ଆମ ସାହିତ୍ୟ’ ନାମକ ଏକ ପରିସର ମଧ୍ୟରେ ଲଗାଯାଇଥିବା ପ୍ରଥିତଯଶା ଲେଖକ ଫତୁରାନନ୍ଦ, ଵିନୋଦ ନାୟକ ଓ ଗୁରୁପ୍ରସାଦ ମହାନ୍ତି ମହାପାତ୍ରଙ୍କ ଚିତ୍ର ସମ୍ବଳିତ ହୋର୍ଡିଂରେ ସେମାନଙ୍କ ଜନ୍ମ ତିଥି ସମେତ କେତେକ ତଥ୍ୟରେ ତ୍ରୁଟି ଥିବାର ମଧ୍ୟ ପରିଲକ୍ଷିତ ହୋଇଛି। ଏହା ଓଡ଼ିଆ ଭାଷା ଓ ସାହିତ୍ୟକୁ ଭଲ ପାଉଥିବା ବ୍ୟକ୍ତିବିଶେଷଙ୍କ ଭାବନା ପ୍ରତି କୁଠାରଘାତ କରିଛି।
(ପ୍ରକାଶିତ: ୯ ନଭେମ୍ବର, ୨୦୨୫)
ମୌଳିକ ଓଡ଼ିଆ ବ୍ୟାକରଣର ପ୍ରଣୟନ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା

ପାଣିନି ଟ୍ରଷ୍ଟ ଓ ସାହିତ୍ୟ ଚର୍ଚ୍ଚା ପକ୍ଷରୁ ବିଭିନ୍ନ ଲେଖକ, ଗବେଷକ, ଭାଷାବିତ୍ ଓ ବୈୟାକରଣମାନଙ୍କଠାରୁ ନିରୁତା ଓଡ଼ିଆ ଭାଷାର ମୌଳିକ ବ୍ୟାକରଣ ସମ୍ବଳିତ ପାଣ୍ଡୁଲିପି ଆମନ୍ତ୍ରଣ କରାଯାଇଛି। ଏଥିମଧ୍ୟରୁ ସର୍ବଶ୍ରେଷ୍ଠ ବିବେଚିତ ପାଣ୍ଡୁଲିପି ପାଇଁ ଏକ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବାର ବ୍ୟବସ୍ଥା ରହିଛି।
ଓଡ଼ିଆ ଭାଷାର କେବଳ ମୌଳିକ ଲକ୍ଷଣଗୁଡ଼ିକୁ ଆଧାର କରି ଏହି ବ୍ୟାକରଣ ପ୍ରଣୀତ ହେବା ଆବଶ୍ୟକ ଏବଂ ସଂସ୍କୃତ ଭାଷାର ବ୍ୟାକରଣ ଅବଲମ୍ବନରେ ରଚିତ ପାରମ୍ପରିକ ଓଡ଼ିଆ ବ୍ୟାକରଣର କୌଣସି ଧାରା ଏଥିରେ ସ୍ଥାନ ପାଇବ ନାହିଁ। ଏଥିରେ ତତ୍ସମ ଓ ତଦ୍ଭବ ଭଳି ସଂସ୍କୃତ ଜଡ଼ିତ କୌଣସି ଶବ୍ଦର ବିଶ୍ଳେଷଣ ନ ହୋଇ କେବଳ ନିରୁତା ବା ମୌଳିକ ଓଡ଼ିଆ ଶବ୍ଦ ହିଁ ଆଲୋଚନାର ପରିସରଭୁକ୍ତ ହେବ। ଆଗ୍ରହୀ ଲେଖକମାନେ ପ୍ରଥମେ ସେମାନଙ୍କ ପ୍ରସ୍ତାବିତ ପାଣ୍ଡୁଲିପିର ଏକ ସଂକ୍ଷିପ୍ତସାର ୧୦୦୦ ଶବ୍ଦ ମଧ୍ୟରେ ଲେଖି ଆସନ୍ତା ନଭେମ୍ବର ୨୦ ତାରିଖ ସୁଦ୍ଧା ଦାଖଲ କରିବାପାଇଁ ଅନୁରୋଧ କରାଯାଇଛି। (ପରବର୍ତ୍ତୀ ସମୟରେ ଏହି ଶେଷ ତାରିଖକୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବଢ଼ାଇଦିଆଯାଇଛି।) ଏହି ବିଷୟରେ ବିଶଦ ବିବରଣୀ ‘ସାହିତ୍ୟ ଚର୍ଚ୍ଚା’ର ଓ୍ବେବସାଇଟ୍ରେ ମଧ୍ୟ ଉପଲବ୍ଧ ଅଛି।
ଏହି ସମ୍ପର୍କରେ ସୂଚନା ଦେଇ ‘ପାଣିନି ଏଡୁକେଶନାଲ୍ ଏଣ୍ଡ ରିସର୍ଚ୍ଚ ଟ୍ରଷ୍ଟ’ର ସଭାପତି ସିନିରୁଦ୍ଧ ଦାଶ କହିଛନ୍ତି ଯେ ମୌଳିକ ଓଡ଼ିଆ ଭାଷାର କୌଣସି ବ୍ୟାକରଣ ଲେଖାଯାଇନାହିଁ ବୋଲି ଏବେ ଯେଉଁ ପରିଚର୍ଚ୍ଚା ଚାଲିଛି, ତାହାର ସମାଧାନ ପାଇଁ ଏହା ଏକ ସାମୂହିକ ପ୍ରଚେଷ୍ଟା। ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଚେୟାର୍ ପ୍ରଫେସର ଉଦୟନାଥ ସାହୁ ମତ ଦେଇଛନ୍ତି ଯେ ଏହା ଏକ ଉତ୍ତମ ପଦକ୍ଷେପ। ବିଶିଷ୍ଟ ଭାଷାବିତ୍ ପ୍ରଫେସର ପଞ୍ଚାନନ ମହାନ୍ତି କହିଛନ୍ତି ଯେ ମୌଳିକ ଓଡ଼ିଆ ଭାଷାର ବ୍ୟାକରଣ ପ୍ରଣୟନ ପାଇଁ ଏହା ଏକ ପ୍ରଶଂସନୀୟ ପଦକ୍ଷେପ। ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହୃଷୀକେଶ ମଲ୍ଲିକ ଏ ବିଷୟରେ ନିଜର ମତ ଦେଇ କହିଛନ୍ତି ଯେ ଏହା ଏକ ସ୍ବାଗତଯୋଗ୍ୟ ପ୍ରଚେଷ୍ଟା; କିନ୍ତୁ ସଂସ୍କୃତ ବ୍ୟାକରଣକୁ ପୂରାପୁରି ବାଦ ଦେଇ ଶତ ପ୍ରତିଶତ ଏକ ଓଡ଼ିଆ ବ୍ୟାକରଣର ପରିକଳ୍ପନା ନିଶ୍ଚୟ ଏକ ମଧୁର ସ୍ବପ୍ନ, ଯାହା ପୂରଣ ହେବା କାଠିକର। ବରିଷ୍ଠ ସାହିତ୍ୟ ଗବେଷକ ଗୌରାଙ୍ଗ ଚରଣ ଦାଶ କହିଛନ୍ତି ଯେ ଏହା ଏକ ଭଲ ପ୍ରସ୍ତାବ। ‘ସୃଜନିକା’ର ପ୍ରତିଷ୍ଠାତା ନିଖିଳ ମୋହନ ପଟ୍ଟନାୟକ କହିଛନ୍ତି ଯେ ଦଳଗତ ଆଲୋଚନା ମାଧ୍ୟମରେ ସହମତିଭିତ୍ତିକ ବ୍ୟାକରଣ ସୃଷ୍ଟି କରିବା ଏବେ ଜରୁରୀ। ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ସୂଚନା ଦେଇଛନ୍ତି ଯେ ଆଗ୍ରହୀ ଲେଖକମାନଙ୍କଠାରୁ ସେମାନଙ୍କ ପ୍ରସ୍ତାବିତ ପାଣ୍ଡୁଲିପିର ସଂକ୍ଷିପ୍ତସାର ପହଞ୍ଚିବା ପରେ କିଛି ନିର୍ଦ୍ଦିଷ୍ଟ ସଂଖ୍ୟକ ଭାଷାବିତ୍ ଓ ବୈୟାକରଣଙ୍କ ସହିତ ଏହାକୁ ନେଇ ଖୋଲା ଆଲୋଚନା ହେବ।
(ପ୍ରକାଶିତ: ୭ ନଭେମ୍ବର, ୨୦୨୫)
୪୬ତମ ଶାରଳା ପୁରସ୍କାରରେ ସମ୍ମାନିତ ହେଲେ ଦେବଦାସ ଛୋଟରାୟ

ଇଣ୍ଡିଆନ୍ ମେଟାଲସ୍ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ (ଇମ୍ପାକ୍ସ) ଦ୍ବାରା ଅକ୍ଟୋବର ୨୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ୪୬ ତମ ଶାରଳା ପୁରସ୍କାର ଗ୍ରହଣ କରି ସୁବିଦିତ ଗୀତିକବି ଓ କଥାକାର ଦେବଦାସ ଛୋଟରାୟ କହିଲେ ଯେ, ସେ ବୁଝି ହେଉନଥିବା ଉପଭୋକ୍ତାଙ୍କ ପାଇଁ ଲେଖନ୍ତି ନାହିଁ, ଯାହାଙ୍କ ଉପରେ ତାଙ୍କର କୌଣସି ବିଶ୍ବାସ ନାହିଁ। ବରଂ ସେ ନିଜ ପାଇଁ ଓ ସମୟ କାଟିବାର କ୍ଲେଶକୁ ଲାଘବ କରିବାପାଇଁ ଲେଖନ୍ତି। ତା’ଙ୍କ ଦ୍ବାରା ରଚିତ ‘ମ୍ୟାଟିନି ସୋ’ ଗଳ୍ପ ସଂକଳନ ପାଇଁ ତା’ଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ପୁରସ୍କାର ବାବଦରେ ତା’ଙ୍କୁ ତାମ୍ର ଫଳକ, ଉପାୟନ ସହିତ ସାତ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା।
ଏହି ଅବସରରେ ବର୍ଷୀୟାନ୍ ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ ଓ ପ୍ରସିଦ୍ଧ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଓ ତାମ୍ର ଫଳକ ସହ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ମଧ୍ୟ ପ୍ରଦାନ କରାଯାଇଥିଲା।
ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ହିନ୍ଦୀ କବି ଓ ଲେଖିକା ସବିତା ସିଂହ କହିଲେ ଯେ ସାହିତ୍ୟ ମଣିଷ ଦ୍ବାରା ନିଜସ୍ବ ଖୁସି ଓ ସୌଭାଗ୍ୟ ପାଇଁ ସୃଷ୍ଟି ହୁଏ ଏବଂ ଏହି ଖୁସି ବିଶ୍ବର ସମସ୍ତଙ୍କ ପାଇଁ ସୌନ୍ଦର୍ଯ୍ୟ ଓ ସାମାଜିକ ନ୍ୟାୟ ଅନୁସନ୍ଧାନ କରେ। ଉତ୍ସବରେ ଅଧ୍ୟକ୍ଷତା କରି ‘ଇମ୍ପାକ୍ଟ’ର ଟ୍ରଷ୍ଟି ପାରମିତା ପଣ୍ଡା କହିଲେ ଯେ ଶାରଳା ପୁରସ୍କାର ବିଜେତା ଦେବଦାସ ଛୋଟରାୟ ତାଙ୍କର ନିଆରା ଉପସ୍ଥାପନା ଶୈଳୀ ପାଇଁ ସବୁବେଳେ ପାଠକ ଓ ଶ୍ରୋତାଙ୍କର ଆଦର ଲାଭ କରିଆସିଛନ୍ତି। ସେ ମଧ୍ୟ କହିଲେ ଯେ ଓଡ଼ିଶାର କଳା ଓ ସାହିତ୍ୟକୁ ଏକ ସମ୍ମାନଜନକ ଉଚ୍ଚତାକୁ ନେବା ଦିଗରେ ଶାରଳା ପୁରସ୍କାର ଓଡ଼ିଆ ଅସ୍ମିତାକୁ ପ୍ରତିପାଦିତ କରିପାରିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ଲେଖକ ଓ ସାହିତ୍ୟପ୍ରେମୀ ଏହି ସଭାରେ ଯୋଗଦେଇଥିଲେ।
(ପ୍ରକାଶିତ: ୨୬ ଅକ୍ଟୋବର, ୨୦୨୫)
ପ୍ରଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡା ଆଉ ନାହାନ୍ତି

ସ୍ୱନାମଧନ୍ୟ କବି ରାଜେନ୍ଦ୍ର କିଶୋର ପଣ୍ଡା ଅକ୍ଟୋବର ୨୪ ତାରିଖ ପୂର୍ବାହ୍ନରେ ତାଙ୍କର ଭୁବନେଶ୍ବରସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ସେ ବହୁ ଦିନ ଧରି ଶଯ୍ୟାଶାୟୀ ଥାଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁର ମାତ୍ର ଦେଢ଼ ମାସ ପୂର୍ବରୁ ସେ ନିଜର ସହଧର୍ମିଣୀ ସୌଭାଗ୍ୟ ମଞ୍ଜରୀଙ୍କୁ ହରାଇଥିଲେ। ସେ ଦୁଇ କନ୍ୟାଙ୍କୁ ଛାଡ଼ି ଯାଇଛନ୍ତି।
କବି ରାଜେନ୍ଦ୍ର କିଶୋର ପଣ୍ଡା ଓଡ଼ିଆ କବିତାରେ ଆଧୁନିକ ଧାରାର ଅନ୍ୟତମ ଅଗ୍ରଦୂତ ଥିଲେ। ତାଙ୍କର ଜନ୍ମ ୧୯୪୪ ମସିହା ଜୁନ୍ ୨୪ ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ବାଟଲଗା ଗାଁ’ରେ ହୋଇଥିଲା। ସେ ୧୯୬୭ ମସିହାରେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ୍)ରେ ଯୋଗଦେଇଥିଲେ। ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଓ ସାରଳା ସମ୍ମାନରେ ଭୂଷିତ ହୋଇଛନ୍ତି। ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ୨୦୦୪ ମସିହାରେ ଡି.ଲିଟ୍ ଉପାଧିରେ ସମ୍ମାନିତ କରାଯାଇଥିଲା। ତାଙ୍କର ବହୁଚର୍ଚ୍ଚିତ କବିତା ସଂକଳନଗୁଡ଼ିକ ମଧ୍ୟରେ ‘ଗୌଣ ଦେବତା’, ‘ବହୁବ୍ରୀହି’ ଓ ‘ସତ୍ୟୋତ୍ତର’ ଅନ୍ୟତମ। ଏହା ବ୍ୟତୀତ ସେ ‘ଚିଦାଭାସ’ ନାମରେ ନିଜର ଏକମାତ୍ର ଉପନ୍ୟାସ ମଧ୍ୟ ଲେଖିଯାଇଛନ୍ତି।
(ପ୍ରକାଶିତ: ୨୪ ଅକ୍ଟୋବର, ୨୦୨୫)
ବିଶିଷ୍ଟ ଲେଖକ ଓ ଗବେଷକ ସୁରେନ୍ଦ୍ରନାଥ ଦାଶଙ୍କ ମହାପ୍ରୟାଣ

ସ୍ୱନାମଧନ୍ୟ ଲେଖକ, ଶ୍ରୀଜଗନ୍ନାଥ ଗବେଷକ ଓ ଉତ୍କଳ ବିଶ୍ବବିଦ୍ୟାଳୟ, ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରଫେସର, ସୁରେନ୍ଦ୍ରନାଥ ଦାଶ ଅକ୍ଟୋବର ୧୬ ତାରିଖ ରାତିରେ ନୂଆଦିଲ୍ଲୀଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସେ ବହୁଦିନ ଧରି ଅସୁସ୍ଥ ଥାଇ ଦିଲ୍ଲୀଠାରେ ଥିବା ତାଙ୍କ ପୁତ୍ରଙ୍କ ବାସଭବନରେ ରହି ଚିକିତ୍ସିତ ହେଉଥିଲେ।
ଓଡ଼ିଆ ଭାଷାର ପ୍ରବନ୍ଧ ସାହିତ୍ୟକୁ ସମୃଦ୍ଧ କରିବା ସହିତ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଗବେଷଣା ଓ ଅଧ୍ୟୟନ ପ୍ରତି ତାଙ୍କର ବିଶେଷ ଅବଦାନ ଥିଲା। ଭୁବନେଶ୍ବରର ସୁପ୍ରସିଦ୍ଧ ଗବେଷଣା ଭିତ୍ତିକ ଅନୁଷ୍ଠାନ, ‘ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ’ର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବରେ ସେ ନିଜର ସାଧନା ଜାରି ରଖିଥିଲେ। ତାଙ୍କ ରଚନାରେ ସଂସ୍କୃତିଗତ ସଂହତି, ଓଡ଼ିଶାର ସାମାଜିକ ଐତିହ୍ୟ ଓ ଶ୍ରୀଜଗନ୍ନାଥଙ୍କ ଉପାସନାର ମାନବବାଦୀ ଦୃଷ୍ଟିକୋଣର ରହସ୍ୟ ପାଠକମାନଙ୍କୁ ପ୍ରଭାବିତ କରୁଥିଲା। ସେ ୧୯୪୯ ମସିହାରେ ଖୋର୍ଦ୍ଧାସ୍ଥିତ କୁହୁଡ଼ି ନିକଟସ୍ଥ ରତନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରୁ ୧୯୭୩ ମସିହାରେ ସ୍ନାତକୋତ୍ତର ଉପାଧି ଲାଭ କରି କେନ୍ଦୁଝର ମହାବିଦ୍ୟାଳୟରେ ଅଧ୍ୟାପନା କାର୍ଯ୍ୟରେ ଯୋଗଦେଇଥିଲେ। ତା’ପରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଭାବରେ କିଛି ଦିନ କାର୍ଯ୍ୟ କରି ପୁନରାୟ ଅଧ୍ୟାପନା ବୃତ୍ତିକୁ ଫେରିଆସିଥିଲେ। ସେ ୨୦୦୯ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ତଥା ବିଭାଗାଧ୍ୟକ୍ଷ ଭାବରେ ଥାଇ ଅବସର ଗ୍ରହଣ କରିଥିଲେ। ‘ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ’ର ସେ ସମ୍ପାଦକ ଥିଲେ। ତାଙ୍କର ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ ‘କାଞ୍ଚିକାବେରୀ’, ‘ଲକ୍ଷ୍ମୀପୁରାଣ” (ସମ୍ପାଦନା), ‘ଶାକ୍ତଧର୍ମ ଓ ଶ୍ରୀଜଗନ୍ନାଥ’ ଓ ‘ଶ୍ରୀମନ୍ଦିର ଶବ୍ଦକୋଷ’ ଅନ୍ୟତମ। ୫୦ରୁ ଅଧିକ ସଂଖ୍ୟକ ଗବେଷକ ଓ ଗବେଷିକା ତାଙ୍କ ଅଧୀନରେ ଗବେଷଣା କରି ଏମ୍.ଫିଲ୍, ପିଏଚ୍.ଡି ତଥା ଡି.ଲିଟ୍ ଉପାଧି ଲାଭ କରିଛନ୍ତି।
(ପ୍ରକାଶିତ: ୧୭ ଅକ୍ଟୋବର, ୨୦୨୫)
ଉତ୍କଳ ସାହିତ୍ୟ ସମାଜର ନିର୍ବାଚନ: ବାଜିମାରିଲେ ଗୋବିନ୍ଦ ଚନ୍ଦ୍ର ଚାନ୍ଦ

ଓଡ଼ିଶା ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ, ‘ଉତ୍କଳ ସାହିତ୍ୟ ସମାଜ’ର ବହୁଚର୍ଚ୍ଚିତ ନିର୍ବାଚନର ଫଳାଫଳ ଅକ୍ଟୋବର ୧୩ ତାରିଖ ଦିନ ପ୍ରକାଶ ପାଇଛି। ଏଥିରେ ପୂର୍ବତନ ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସଭାପତି ଭାବରେ ପୁନଃନିର୍ବାଚିତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମାନନ୍ଦ ବିଶ୍ବାଳ ଉପସଭାପତି, ରାଜୀବ କୁମାର ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ, ଶଶିକାନ୍ତ ରାଉତ ସଂଗଠନ ସମ୍ପାଦକ, ବ୍ରହ୍ମାନନ୍ଦ ମହାନ୍ତି ପାଠାଗାର ସମ୍ପାଦକ ଓ ଦିଲ୍ଲୀପ କୁମାର ଦାସ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ବ୍ୟତୀତ କାର୍ଯ୍ୟକାରୀ ସମିତିକୁ ୧୧ ଜଣ ସଦସ୍ୟ ମଧ୍ୟ ନିର୍ବାଚିତ ହୋଇଛନ୍ତି।
ଏହି ନିର୍ବାଚନକୁ ନେଇ ରାଜ୍ୟର ସାହିତ୍ୟିକ ମହଲରେ କିଛି ଦିନ ଧରି ସରଗରମ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୈନିକ ‘ସମାଜ’ର ପୂର୍ବତନ ମୁଦ୍ରାକର ଓ ପ୍ରକାଶକ ତଥା ଲୋକସେବକ ମଣ୍ଡଳର ବର୍ତ୍ତମାନର ରାଷ୍ଟ୍ରୀୟ ସଚିବ ପ୍ରଭାସ କୁମାର ଆଚାର୍ଯ୍ୟ ନିଜେ ସଭାପତି ପଦ ପାଇଁ ଜଣେ ପ୍ରାର୍ଥୀ ହେବା ସହିତ ଅନ୍ୟ ସମସ୍ତ ପଦ ପାଇଁ ନିଜର ସମର୍ଥକମାନଙ୍କର ଏକ ପ୍ୟାନେଲ୍କୁ ଧରି ନିର୍ବାଚନର ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ଅପର ପକ୍ଷରେ ଅନୁଷ୍ଠାନର ପୂର୍ବତନ ସଭାପତି ତଥା ‘ପୌରୁଷ’ର ସହ-ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ମଧ୍ୟ ନିଜର ପ୍ୟାନେଲ୍ ସହ ଏହି ନିର୍ବାଚନରେ ଭାଗ ନେଇଥିଲେ। ଏହାପାଇଁ ଉଭୟ ପକ୍ଷରୁ ଗତ କିଛି ଦିନ ଧରି ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଥିଲା। ତେବେ ନିର୍ବାଚନ ଫଳାଫଳରୁ ଯାହା ଜଣାପଡ଼େ, ଭୋଟରମାନେ ଏଥର କୌଣସି ଗୋଟିଏ ପ୍ୟାନେଲ୍କୁ ସମ୍ପୂର୍ଣ୍ଣ ଭାବରେ ଜିତାଇନାହାନ୍ତି। ଉଭୟ ପକ୍ଷର ପ୍ରାର୍ଥୀ ବିଭିନ୍ନ ପଦ ପାଇଁ ବିଜୟୀ ହୋଇଛନ୍ତି। ଜଣାଯାଇଛି ଯେ ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦୁଇଜଣ ମୁଖ୍ୟ ପ୍ରତିଦ୍ଵନ୍ଦ୍ବୀଙ୍କ ବ୍ୟତୀତ ଆଉ ଜଣେ ତୃତୀୟ ପ୍ରାର୍ଥୀଙ୍କୁ ମଧ୍ୟ ପ୍ରକ୍ସି ଭାବରେ ସଭାପତି ପଦ ପାଇଁ ପ୍ରାର୍ଥୀ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ମାହାଙ୍ଗା ଓ ତାହାର ଆଖପାଖ ଅଞ୍ଚଳରୁ ପ୍ରଭାସ କୁମାର ଆଚାର୍ଯ୍ୟ ପାଇବାକୁ ଥିବା ଭୋଟକୁ ଭାଗ ଭାଗ କରିବା। ଏହି ରଣକୌଶଳ କିଛି ମାତ୍ରାରେ ସଫଳ ହୋଇଥିବା ମଧ୍ୟ ଜଣାପଡ଼ୁଛି। ନିର୍ବାଚନରେ ହାରି ଯାଇଥିବା ଜଣେ ପ୍ରାର୍ଥୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ କେବେ ହେଁ ସାହିତ୍ୟର ଧାର ଧରି ନ ଥିବା ବହୁ ବ୍ୟକ୍ତିଙ୍କୁ ଏଥର ଭୋଟର ତାଲିକାଭୁକ୍ତ କରାଯାଇଥିଲା। ତା’ଛଡ଼ା ସେ ମଧ୍ୟ କହିଛନ୍ତି ଯେ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା କର୍ମକର୍ତ୍ତାମାନେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ କାନଭାସିଂ କରିବା ଦେଖା ଯାଇଥିଲା।
ନବନିର୍ବାଚିତ ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ‘ସାହିତ୍ୟ ଚର୍ଚ୍ଚା’କୁ କହିଛନ୍ତି ଯେ ସାହିତ୍ୟ ସହିତ ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ବାନ୍ଧିରଖିବା ତାଙ୍କର ପ୍ରାଥମିକତା ହେବ। ସେ ମଧ୍ୟ କହିଛନ୍ତି ଯେ ନିଜର ପୂର୍ବ କାର୍ଯ୍ୟକାଳ ମଧ୍ୟରେ ସେ ଆରମ୍ଭ କରିଥିବା ଉତ୍କଳ ସାହିତ୍ୟ ସମାଜର ଏକ ବୃହତ୍ ଇତିହାସ ପ୍ରଣୟନର କାର୍ଯ୍ୟ ସେ ଏଥର ସମାପ୍ତ କରିବେ।
(ପ୍ରକାଶିତ: ୧୩ ଅକ୍ଟୋବର, ୨୦୨୫)
ୟୁନେସ୍କୋ ଆୟୋଜିତ ‘ଓ୍ବାର୍ଲ୍ଡ୍ କଂଗ୍ରେସ ଅଫ୍ ପୋଏଟ୍ସ୍’ରେ ଯୋଗଦେଲେ ଓଡ଼ିଆ କବୟିତ୍ରୀ

ୟୁନେସ୍କୋର ସଂସ୍ଥା ‘ଓ୍ବାର୍ଲ୍ଡ୍ ଏକାଡେମୀ ଅଫ୍ ଆର୍ଟସ୍ ଆଣ୍ଡ୍ କଲଚର’ ଦ୍ବାରା ଆମେରିକାର ମେକ୍ସିକୋ ସହରରେ ଆୟୋଜିତ ଏକ ମର୍ଯ୍ୟାଦାଜନକ ପାଞ୍ଚଦିନିଆ ବିଶ୍ବ କବି ସମ୍ମିଳନୀ (ଓ୍ବାର୍ଲ୍ଡ୍ କଂଗ୍ରେସ୍ ଅଫ୍ ପୋଏଟ୍ସ୍)ରେ ଯୋଗଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବିଶିଷ୍ଟ ଓଡ଼ିଆ କବୟିତ୍ରୀ ସୁଶ୍ରୀ ସଂଗୀତା ମିଶ୍ର। ସେହି ସମ୍ମିଳନୀରେ ସ୍ଥାନ ପାଇଥିବା ‘ମହାନ କବିମାନଙ୍କ କବିତା ପଛର ଦର୍ଶନ’ ବିଷୟକ ଏକ ଆଲୋଚନା ଅଧିବେଶନରେ ନିଜର ବକ୍ତବ୍ୟ ରଖିବା ପାଇଁ ଭାରତର ଏକମାତ୍ର କବୟିତ୍ରୀ ଭାବରେ ସେ ଆମନ୍ତ୍ରିତ ହୋଇଥିଲେ। ଏହି ଅଧିବେଶନର ମଞ୍ଚରେ ତା’ଙ୍କ ବ୍ୟତୀତ ସୋନ୍ୟା ଗାର୍ଜା ରାପୋର୍ଟ (ମଣ୍ଟେରୀ), ଡାନିଏଲ୍ ଗ୍ରାଗ୍ଲିଆ (ଚିଲି) ଓ ଡ଼ଟ୍ ଡ୍ରମ୍ହେଲର୍ (ନ୍ୟୁଜିଲାଣ୍ଡ) ମଧ୍ୟ ଉପସ୍ଥିତ ଥିଲେ।
ୟୁନୋସ୍କୋର ଆୟୋଜନକାରୀ ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରୁ ଜଣାଯାଇଛି ଯେ ସେପ୍ଟେମ୍ବର ୨୧ରୁ ୨୬ ପର୍ଯ୍ୟନ୍ତ ମେକ୍ସିକୋ ସହରର ଗ୍ରାନ୍ ହୋଟେଲ୍ ଆନ୍କିରାରେ ଆୟୋଜିତ ଏହି ବିଶାଳ ସମ୍ମିଳନୀରେ ୧୯ଟି ଦେଶର ୧୨୦ ଜଣ କବି ଓ କବୟିତ୍ରୀ ଯୋଗ ଦେଇଥିଲେ। ସୁଶ୍ରୀ ସଂଗୀତା ମିଶ୍ର ମୁଖ୍ୟତଃ ଇଂରାଜୀ ଭାଷାରେ କବିତା ଲେଖନ୍ତି। ଅଳ୍ପଦିନ ତଳେ ତାଙ୍କର ‘ଲାଇନ୍ ଅଫ୍ ଇଲୁମିନେସନ୍’ ନାମକ କବିତା ସଂକଳନ ପ୍ରକାଶ ପାଇ ପାଠକାଦୃତ ହୋଇଛି। ଏହା ପୂର୍ବରୁ ତା’ଙ୍କର ଦୁଇଟି ଓଡ଼ିଆ କବିତା ସଂକଳନ, ‘ନିରବତାର ଶବ୍ଦ’ ଓ ‘ନିସ୍ତବ୍ଧ ଆକାଶ’ ମଧ୍ୟ ପ୍ରକାଶ ପାଇଛି। ସେ ‘ସମାଜରେ ସାହିତ୍ୟର ଭୂମିକା’ ବିଷୟରେ ଗବେଷଣା ପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଫେଲୋସିପ ନିମନ୍ତେ ମଧ୍ୟ ମନୋନୀତ ହୋଇଛନ୍ତି। ସେ ବର୍ତ୍ତମାନ ଚେନ୍ନାଇ ସହରରେ ରହୁଛନ୍ତି।
(ପ୍ରକାଶିତ: ୮ ଅକ୍ଟୋବର, ୨୦୨୫)
ଓଡ଼ିଆ ଚରିତକୋଷର ପ୍ରଣେତା ନଗେନ ମହାନ୍ତି ଆଉ ନାହାନ୍ତି

ପ୍ରାଚୀନ ଯୁଗରୁ ନେଇ ଆଜି ପର୍ଯ୍ୟନ୍ତ ପ୍ରାୟ ବାର ହଜାର ଓଡ଼ିଆଙ୍କର ଜୀବନୀ ସମ୍ବଳିତ ‘ଓଡ଼ିଆ ଚରିତକୋଷ’ ନାମକ ବିରାଟ ଗ୍ରନ୍ଥ ରଚନା କରିଯାଇଥିବା ଦେଶର ବିଶିଷ୍ଟ ଗ୍ରନ୍ଥାଗାରିକ ଓ ଗବେଷକ ନଗେନ୍ଦ୍ର ନାଥ ମହାନ୍ତି ଆଉ ନାହାନ୍ତି। ଦିଲ୍ଲୀ ସନ୍ନିକଟ ନୋଇଡାଠାରେ ଥିବା ନିଜର ବାସଭବନରେ ସେପ୍ଟେମ୍ବର ୨୩ ତାରିଖ ଦିନ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡିତ ଥାଇ ଅନେକ ଦିନ ଧରି ଶଯ୍ୟାଶାୟୀ ଥିଲେ।
ସ୍ବର୍ଗତ ନଗେନ୍ଦ୍ର ନାଥ ମହାନ୍ତି ସାଧାରଣରେ ନଗେନ୍ ମହାନ୍ତି ଭାବରେ ମଧ୍ୟ ସୁପରିଚିତ ଥିଲେ। ୧୯୩୦ ମସିହାରେ ଜନ୍ମିତ ସ୍ବର୍ଗତ ମହାନ୍ତି ପ୍ରଥମେ ୧୯୫୨ ମସିହାରେ ରାଣୀହାଟ ହାଇସ୍କୁଲ୍ର ଜଣେ ଶିକ୍ଷକ ଭାବରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ୧୯୫୫ ମସିହାରେ କଲିକତାସ୍ଥିତ ନ୍ୟାସନାଲ ଲାଇବ୍ରେରୀର ଓଡ଼ିଆ ବିଭାଗରେ ଯୋଗଦେଇ, ସମୟକ୍ରମେ ସେଠାର ଉଚ୍ଚତର ପଦକୁ ପଦୋନ୍ନତି ଲାଭ କରିଥିଲେ। ଏହାପରେ ସେ ଯୁକ୍ତରାଷ୍ଟ୍ର ଆମେରିକା ଲାଇବ୍ରେରୀ ଅଫ୍ କଂଗ୍ରେସ୍ରେ ବରିଷ୍ଠ ଗ୍ରନ୍ଥାଗାରିକ ଭାବରେ ଯୋଗ ଦେଲେ। ‘ଓଡ଼ିଆ ଚରିତକୋଷ’ ବ୍ୟତୀତ ‘ଓଡ଼ିଆ ପତ୍ରପତ୍ରିକାମାନଙ୍କ ପରିଚୟ’, ‘ଓଡ଼ିଆ ଲିପି ଓ ବର୍ଣ୍ଣ ପରିଚୟ’ ଆଦି ମଧ୍ୟ ତାଙ୍କ ଦ୍ବାରା ରଚିତ ଅନୁପମ ପୁସ୍ତକଗୁଡ଼ିକ ମଧ୍ୟରୁ ଅନ୍ୟତମ। ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ବାରା ପ୍ରସ୍ତୁତ ‘ନ୍ୟାସନାଲ ବିବ୍ଲିଓଗ୍ରାଫି ଅଫ୍ ଇଣ୍ଡିଆନ୍ ଲିଟରେଚର୍’କୁ ସଂକଳନ କରିବାରେ ବିଶେଷ ଭୂମିକା ନେଇଥିଲେ। ସେ ଦିଲ୍ଲୀର ଓଡ଼ିଆମାନଙ୍କୁ ନେଇ ‘ସହୃଦୟ ସଭା’ ନାମକ ଏକ ଅନୁଷ୍ଠାନ ଗଢ଼ିଥିଲେ। ସ୍ବର୍ଗତ ମହାନ୍ତି ବିଶିଷ୍ଟ ଓଡ଼ିଆ ଲେଖିକା ପ୍ରତିଭା ରାୟଙ୍କର ଭିଣୋଇ ଅଟନ୍ତି।
(ପ୍ରକାଶିତ: ୨୪ ସେପ୍ଟେମ୍ବର ୨୦୨୫)
ସୁଚରିତା ପତ୍ରିକାର ବିନ୍ଧାଣି ତଥା ସୁଲେଖକ ହରିହର ପଣ୍ଡାଙ୍କର ଦେହାବସାନ

ସୁସାହିତ୍ଯିକ, ପ୍ରଶାସକ, ଅଧ୍ୟାପକ ତଥା ଅତୀତର ସୁବିଖ୍ୟାତ ପତ୍ରିକା ‘ସୁଚରିତା’ର ମୁଖ୍ୟ ପ୍ରେରଣାସ୍ରୋତ ହରିହର ପଣ୍ଡାଙ୍କର ଅଗଷ୍ଟ ୨୭ ତାରିଖ ଦିନ ଭୁବନେଶ୍ବରରେ ଦେହାବସାନ ଘଟିଛି। ମୃତ୍ୟୁ ବେଳକୁ ତା’ଙ୍କୁ ୯୩ ବର୍ଷ ବୟସ ହୋଇଥିଲା।
ନିଜର ଧର୍ମପତ୍ନୀ ସ୍ବର୍ଗତ ଶକୁନ୍ତଳା ପଣ୍ଡାଙ୍କ ସମ୍ପାଦକତ୍ବରେ ‘ସୁଚରିତା’ ପତ୍ରିକା ପ୍ରକାଶ କରି ସେ ଗୋଟିଏ ସମୟରେ ଏହାକୁ ଓଡ଼ିଆ ସାରସ୍ବତ ଜଗତର ଶୀର୍ଷକୁ ନେଇ ପାରିଥିଲେ। ସେ ଓ.ଏ.ଏସ୍ରେ ଯୋଗଦେଇ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। ପରେ ସେଥିରୁ ଇସ୍ତଫା ଦେଇ ନିଜର ପତ୍ରିକା ପ୍ରକାଶ କରିବା ସହ ଆଇନ କଲେଜରେ ଅଧ୍ୟାପନା କରିଥିଲେ। ତାଙ୍କର ପୁତ୍ର, ପୂର୍ବତନ ରାଷ୍ଟ୍ରଦୂତ ସଞ୍ଜୟ ପଣ୍ଡା, କନ୍ୟା, ସୁଲେଖିକା ସୁସ୍ମିତା ବାଗ୍ଚି ଓ ଜ୍ବାଇଁ, ବିଶିଷ୍ଟ ପ୍ରଶାସକ ଓ ଉଦ୍ୟୋଗପତି ସୁବ୍ରତ ବାଗ୍ଚି ମଧ୍ୟ ନିଜ ନିଜ କ୍ଷେତ୍ରରେ ସୁପ୍ରତିଷ୍ଠିତ।
ସ୍ବର୍ଗତ ପଣ୍ଡା ନିଜର ଆତ୍ମଜୀବନୀ ବ୍ୟତୀତ ଅନେକ ଉପନ୍ୟାସ ଓ ପ୍ରବନ୍ଧ ସଂକଳନ ମଧ୍ୟ ଲେଖିଯାଇଛନ୍ତି। ତାଙ୍କର ସୁପରିଚିତ ପୁସ୍ତକଗୁଡ଼ିକର ମଧ୍ୟରେ ‘ଗୋଧୂଳି’, ‘ସପ୍ତର୍ଷି’, ତଥା ‘ଅଥ ହୟଗ୍ରୀବୋପାଖ୍ଯାନମ୍’ ପ୍ରମୁଖ ଅନ୍ୟତମ। ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖୁଥିଲେ। ତାଙ୍କର କେତେକ ପୁସ୍ତକ ଇଂରାଜୀ ଭାଷାରେ ମଧ୍ୟ ଅନୂଦିତ ହୋଇଛି। ନିଜ ଲେଖାରେ ଭାଷାଗତ ଶୁଦ୍ଧତା ଉପରେ ସେ ବିଶେଷ ଗୁରୁତ୍ବ ଦେଉଥିଲେ। ତାଙ୍କର ବିୟୋଗରେ ଓଡ଼ିଶାର ସାହିତ୍ୟ ମହଲରେ ଶୋକର ଛାୟା ଖେଳିଯାଇଛି।
(ପ୍ରକାଶିତ: ୨୭ ଅଗଷ୍ଟ, ୨୦୨୫)
ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷା ପ୍ରତି ଦିଲ୍ଲୀର ଅଣଓଡ଼ିଆ ଛାତ୍ରମାନେ ଦେଖାଉଛନ୍ତି ଆଗ୍ରହ

ଦିଲ୍ଲୀରେ ବିଭିନ୍ନ ବିଷୟ ଅଧ୍ୟୟନ କରୁଥିବା ସ୍ନାତକ ଓ ସ୍ନାତକୋତ୍ତର ଅଣଓଡ଼ିଆ ଛାତ୍ର ଓ ଛାତ୍ରୀମାନେ ‘ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷା’କୁ ଏକ ଇଚ୍ଛାଧୀନ ବିଷୟ ଭାବରେ ନେଇ ଅଧ୍ୟୟନ କରିବାକୁ ଆଗ୍ରହ ଦେଖାଉଥିବା ଜଣାପଡ଼ିଛି। ଚଳିତ ବର୍ଷ ଜଓ୍ବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେ.ଏନ୍.ୟୁ)ର ଓଡ଼ିଆ ଶ୍ରେଣୀରେ ୨୨ ଜଣ ଅଣଓଡ଼ିଆ ସ୍ନାତକ ଶ୍ରେଣୀର ଛାତ୍ର ‘ଓଡ଼ିଆ ଭାଷା ଓ ସଂଚାର’ (ଓଡ଼ିଆ ଲାଙ୍ଗୁଏଜ୍ ଏଣ୍ଡ କମ୍ୟୁନିକେସନ୍)କୁ ଇଚ୍ଛାଧୀନ ବିଷୟ ଭାବରେ ନେଇଛନ୍ତି। ଏହି ପାଠ୍ୟକ୍ରମରେ ଓଡ଼ିଆ ଭାଷାର ଶିକ୍ଷା ସହ ତାହା ଜରିଆରେ ଭାବ ବିନିମୟ କରିବାର ଶିକ୍ଷା ଛାତ୍ରମାନଙ୍କୁ ଦିଆଯାଉଛି। ସେହିପରି ବିଭିନ୍ନ ବିଷୟର କିଛି ଛାତ୍ର ମଧ୍ୟ ସ୍ନାତକୋତ୍ତର ଶ୍ରେଣୀରେ ‘ଓଡ଼ିଆ ଭାଷା ଓ ସାହିତ୍ୟର ପରିଚୟ’ ନାମକ ବିଷୟକୁ ଏକ ଇଚ୍ଛାଧୀନ ବିଷୟ ଭାବରେ ନେଇଛନ୍ତି। ଏଥିରେ ସେମାନଙ୍କୁ ସାରଳା ଯୁଗଠାରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଚାଲିଆସିଥିବା ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ବିଷୟରେ ସୂଚନା ଦିଆଯାଉଛି।
ଏଠାରେ ପ୍ରକାଶ ଯୋଗ୍ୟ ଯେ ୨୦୨୪ ମସିହା ଫେବୃଆରୀ ମାସରେ ଆୟୋଜିତ ହୋଇଥିବା ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ଓଡ଼ିଶା ସରକାରଙ୍କ ସହିତ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଏକ ରାଜିନାମା (ଏମ୍.ଓ.ୟୁ) ସ୍ବାକ୍ଷରିତ ହୋଇ ସେଠାରେ ଓଡ଼ିଆ ଭାଷା ଓ ସାହିତ୍ୟରେ ଶିକ୍ଷା ଓ ଉଚ୍ଚତର ଗବେଷଣା ପାଇଁ ‘ବିଜୁ ପଟ୍ଟନାୟକ ସେଣ୍ଟର ଫର୍ ଓଡ଼ିଆ ଷ୍ଟଡ଼ିଜ୍’ ନାମକ ଏକ ସ୍ବତନ୍ତ୍ର କେନ୍ଦ୍ର ଖୋଲିବା କଥା ଘୋଷଣା କରାଯାଇଥିଲା। ଏ ବିଷୟରେ ତତ୍କାଳୀନ ସରକାରଙ୍କ ଦ୍ବାରା ରାଜ୍ୟ ତଥା ଦେଶର ବିଭିନ୍ନ ସମ୍ବାଦପତ୍ରରେ ପୂର୍ଣ୍ଣ ପୃଷ୍ଠାର ବିଜ୍ଞାପନ ଛପାଯାଇ ବ୍ୟାପକ ଭାବରେ ଡିଣ୍ଡିମ ମଧ୍ୟ ପିଟାଯାଇଥିଲା। ସେତେବେଳେ ଏହି ବିଜ୍ଞାପନ ବାବଦରେ ଯାହା ଖର୍ଚ୍ଚ ହୋଇଥିଲା, ସେତକ ଅନ୍ତତଃ ବିଶ୍ବବିଦ୍ୟାଳୟଟିକୁ ଦେଇଥିଲେ ଏ ଦିଗରେ ଯତ୍କିଂଚିତ୍ କାର୍ଯ୍ୟ ଆରମ୍ଭ କରାଯାଇ ପାରିଥାଆନ୍ତା। କିନ୍ତୁ ଏହାପରେ ଯେଉଁ କିଛି ମାସ ସେତେବେଳର ସରକାର କ୍ଷମତାରେ ରହିଲେ, ସେହି ମଧ୍ୟରେ ଏହି କେନ୍ଦ୍ର ସ୍ଥାପନ ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ କିମ୍ବା ଏଥିପାଇଁ ଆବଶ୍ୟକ ଅର୍ଥ ମଂଜୁର କରାଗଲା ନାହିଁ। ଏହାପରେ ରାଜ୍ୟରେ କ୍ଷମତାକୁ ଆସିଥିବା ନୂଆ ସରକାର ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଯାହା ଜଣାଯାଇଛି, ପୂର୍ବ ସରକାରଙ୍କ ଅମଳରେ ପ୍ରସ୍ତାବିତ ହୋଇଥିବା ଏହି ଓଡ଼ିଆ ଅଧ୍ୟୟନ କେନ୍ଦ୍ରଟିର ନାମ ସହିତ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାମ ଯୋଡ଼ାଯାଇଥିବାରୁ ଏବର ସରକାର ଆଉ ସେହି ପରିଯୋଜନା ପ୍ରତି ଆଗ୍ରହ ଦେଖାଉନାହାନ୍ତି। ଆଉ ମଧ୍ୟ ଜଣାଯାଇଛି ଯେ ‘ଜେ.ଏନ୍.ୟୁ’ର କୁଳପତି ମହୋଦୟା କିଛି ଦିନ ତଳେ ଓଡ଼ିଶା ସରକାର ଚାହିଁଲେ ବିଜୁ ପଟ୍ଟନାୟକଙ୍କ ନାମରେ ଖୋଲାହେବାକୁ ଥିବା ଏହି ସ୍ବତନ୍ତ୍ର କେନ୍ଦ୍ର ସ୍ଥାପନ ପାଇଁ ପୂର୍ବରୁ ହୋଇଥିବା ଚୁକ୍ତିନାମାରେ ଆବଶ୍ୟକ ପରିବର୍ତ୍ତନ ମଧ୍ୟ କରିପାରିବେ ବୋଲି ସୂଚାଇଛନ୍ତି। ତଥାପି ଏ ବିଷୟରେ ରାଜ୍ୟ ସରକାରଙ୍କ ଅନାଗ୍ରହ ଜାରି ରହିଛି। ଯେମିତି ମନେହୁଏ, ଏହି ପରିପ୍ରେକ୍ଷୀରେ ଆମର ପୁରାତନ ଢ଼ଗଢ଼ମାଳିରେ ଥିବା ‘ସ୍ବାମୀ ପଛକେ ମରନ୍ତୁ, ସଉତୁଣୀ ବିଧବା ହେଉ’ର ନୀତି ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର।
(ପ୍ରକାଶିତ: ୨୬ ଅଗଷ୍ଟ, ୨୦୨୫)
ଓଡ଼ିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ବନକ୍ଷତ୍ର ଦିବସ ପାଳିତ

ଓଡ଼ିଶା ସାହିତ୍ୟ ଏକାଡେମୀର ୬୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଜୁଲାଇ ୨୫ ତାରିଖ ପୂର୍ବାହ୍ନରେ ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ଏକ ସାରସ୍ବତ ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ସଭାରେ ଉଦ୍ଘାଟକ ଭାବରେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ, ସୂର୍ଯ୍ୟବଂଶୀ ସୂରଜ କହିଲେ ଯେ ଓଡ଼ିଶା ସାହିତ୍ୟ ଏକାଡେମୀ ଗତ ଦୀର୍ଘ ଏକ ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମମାନ ସକ୍ରିୟ ଭାବରେ ଆୟୋଜନ କରିଆସିଛି। ଏହା ସାହିତ୍ୟ ଜଗତରେ ଗୋଟିଏ ନୂତନ ପିଢ଼ି ଗଠନ କରିବାରେ ବ୍ରତୀ ଅଛି। ବର୍ତ୍ତମାନ ଏକାଡେମୀଟି କେବଳ କଟକ ଓ ଭୁବନେଶ୍ବର ମଧ୍ୟରେ ଆବଦ୍ଧ ହୋଇ ରହିନାହିଁ, ବରଂ ଓଡ଼ିଶାର ସମସ୍ତ କୋଣ, ଅନୁକୋଣରେ ପହଞ୍ଚିପାରିଛି। ନିଜର ଅଭିଭାଷଣ ପରେ ମନ୍ତ୍ରୀ ମହୋଦୟ ତାଙ୍କର କାର୍ଯ୍ୟବ୍ୟସ୍ତତା ହେତୁ ସଭାସ୍ଥଳ ପରିତ୍ୟାଗ କରିଥିଲେ ଏବଂ ତାହାପରେ ବିଶିଷ୍ଟ ସାହିତ୍ୟ ସାଧକ, ଶାନ୍ତନୁ କୁମାର ଆଚାର୍ଯ୍ୟ ପୋଡିଅମ୍କୁ ଆସି ନିଜର ବକ୍ତୃତା ଆରମ୍ଭ କରିଥିଲେ। କିନ୍ତୁ ଏହି ସମୟରେ ସଭାଗୃହର ବାହାରେ ପ୍ରସ୍ଥାନ ଅଭିମୁଖୀ ମନ୍ତ୍ରୀଙ୍କୁ ବିଦାୟ ଦେବାପାଇଁ ସେଠାରେ ନିୟୋଜିତ ହୋଇଥିବା ବାଦ୍ୟବାଦକମାନେ ଉଚ୍ଚଧ୍ବନିରେ ବାଜା ବଜାଇବାରୁ ଶାନ୍ତନୁ କୁମାର ଆଚାର୍ଯ୍ୟ ମହୋଦୟ ନିଜର ଭାଷଣକୁ ମଝିରେ ରୋକି, ପଚାରିଥିଲେ ଯେ, ଏ ସବୁ ଚାଲିଛି କଣ? ତା’ପରେ ସେ ନିଜର ବକ୍ତବ୍ୟ ଜାରି ରଖି ଏକାଡେମୀର ପୁରସ୍କାର ଚୟନ ପ୍ରକିୟାରେ ସୁଧାର ଉପରେ ଗୁରୁତ୍ବ ଦେଇଥିଲେ। ପ୍ରକାଶଯୋଗ୍ୟ ଯେ ଏହି ସଭାରେ କେବଳ ମନ୍ତ୍ରୀ ମହୋଦୟଙ୍କ ପ୍ରବେଶ ଓ ପ୍ରସ୍ଥାନ ବେଳେ ପ୍ରବେଶଦ୍ବାରରେ ପାରମ୍ପରିକ ବାଦ୍ୟକାରମାନଙ୍କ ଦ୍ବାରା ଏଭଳି ବାଜା ବଜାଇବାର ବ୍ୟବସ୍ଥା କରାଯାଇଥିଲା। ଏହାପରେ ସୁସାହିତ୍ୟିକ ନୀଳାଦ୍ରି ଭୂଷଣ ହରିଚନ୍ଦନ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରାଚୀନତା ଉପରେ ଏକ ତାତ୍ତ୍ବିକ ଅଭିଭାଷଣ ପ୍ରଦାନ କରିଥିଲେ। ତାଙ୍କର ଏହି ଅଭିଭାଷଣ କାଳରେ ମଞ୍ଚ ଉପରେ କେବଳ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ବ୍ୟତୀତ ଅନ୍ୟ କେହି ଉପସ୍ଥିତ ନ ଥିଲେ। ଏହି ସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ, ଦେବପ୍ରସାଦ ଦାସ ଏବଂ ଏହି ବିଭାଗର ନିର୍ଦ୍ଦେଶକ, ବିଜୟ କେତନ ଉପାଧ୍ୟାୟ ଯୋଗ ଦେଇଥିଲେ ହେଁ ସେମାନେ ନିଜର କୌଣସି ବକ୍ତବ୍ୟ ନ ରଖି ସଭା ମଝିରୁ ଚାଲିଯାଇଥିଲେ। ସଭାର ପ୍ରାରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଏହି କ୍ରମରେ ସେ କହିଥିଲେ ଯେ ଏକାଡେମୀର ସ୍ଵତନ୍ତ୍ର ସମ୍ବିଧାନ ରହିଛି, ସ୍ବତନ୍ତ୍ର କାର୍ଯ୍ୟକାରୀ କମିଟି ମଧ୍ୟ ରହିଛି। କିନ୍ତୁ ସେ ଏହା କହିବା ବେଳେ, ଏକାଡେମୀର ସମ୍ବିଧାନକୁ ସମ୍ପୂର୍ଣ୍ଣ ଅଣଦେଖା କରି ବର୍ତ୍ତମାନ ଏହାର କ୍ରିୟାକଳାପ ଚାଲିଛି ଏବଂ ଦୀର୍ଘ ଦୁଇବର୍ଷ ହେଲା ଏହାର କୌଣସି କାର୍ଯ୍ୟକାରୀ ପରିଷଦ ଗଠନ କରାଯାଇନାହିଁ ବୋଲି ଦର୍ଶାଇ ସଭାରେ ଥିବା କିଛି ଦର୍ଶକଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ଖେଳିଯାଇଥିଲା।
ଏହି ଅବସରରେ ଦଶଗୋଟି ପୁସ୍ତକର ଲୋକାର୍ପଣ ହୋଇଥିଲା; ଯେଉଁଥିରେ ‘କୋଣାର୍କ’ ପତ୍ରିକାର ତିନିଗୋଟି ସଂଖ୍ୟା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ବିଭିନ୍ନ ସାହିତ୍ୟ ଆଧାରିତ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୨୪ ଜଣ ଛାତ୍ର ଓ ଛାତ୍ରୀମାନଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।
(ପ୍ରକାଶିତ: ୨୫ ଜୁଲାଇ, ୨୦୨୫)
ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ପାଳନକୁ ନେଇ ପ୍ରଶ୍ନ ଉଠାଇଲେ ବହୁ ଗବେଷକ

ସାରଳା ସାହିତ୍ୟ ସଂସଦ ପକ୍ଷରୁ ଗତ ଜୁଲାଇ ୧୫ ତାରିଖ ଦିନ କଟକଠାରେ ମହାମାନ୍ୟା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ଆୟୋଜିତ ଆଦିକବି ସାରଳା ଦାସଙ୍କ ଜୟନ୍ତୀ ସମାରୋହର ସଭାମଞ୍ଚରେ ଏହା ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ବୋଲି ଲେଖାଯାଇଥିବାରୁ ରାଜ୍ୟର ଅନେକ ବିଶିଷ୍ଟ ଗବେଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଦିକବିଙ୍କର ପ୍ରକୃତ ଜନ୍ମତିଥି କିମ୍ବା ଜନ୍ମବର୍ଷକୁ ନେଇ ଏବେ ବି ଗବେଷଣା ଜାରି ରହିଥିବା ବେଳେ, ଏବଂ ଏ ନେଇ କୌଣସି ସହମତି ପ୍ରକାଶ ପାଇ ନ ଥିବା ସ୍ଥଳେ ୨୦୨୫ ମସିହା ଜୁଲାଇ ୧୫ ତାରିଖକୁ ମହାମାନ୍ୟା ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଭାବରେ ପାଳନ କରାଯିବା ଅନେକ ପ୍ରତିଷ୍ଠିତ ସାହିତ୍ୟିକ ନାପସନ୍ଦ କରିଛନ୍ତି।
ଏ ବିଷୟରେ ନିଜର ମତ ଦେଇ ବର୍ଷୀୟାନ ସମାଲୋଚକ ବୈଷ୍ଣବ ଚରଣ ସାମଲ କହିଛନ୍ତି ଯେ ସାରଳା ଦାସଙ୍କ ଜନ୍ମତିଥି ନେଇ କୌଣସି ପ୍ରାମାଣିକ ତଥ୍ୟ ନାହିଁ; ଏବଂ ତାଙ୍କର ଜନ୍ମ ବର୍ଷଟି କେବଳ ଅନୁମାନର ବିଷୟ। ସେ ଦୃଷ୍ଟିରୁ ଏହି ବର୍ଷଟିକୁ ତାଙ୍କ ଜନ୍ମର ୬୦୦ତମ ବର୍ଷ ବୋଲି ଲେଖିବା ଉଚିତ ହୋଇନାହିଁ। ବିଶିଷ୍ଟ ସାରଳା ସାହିତ୍ୟ ଗବେଷକ ଗୌରାଙ୍ଗ ଚରଣ ଦାଶ କହିଛନ୍ତି ଯେ ସାରଳାଙ୍କ ଜନ୍ମ ବର୍ଷକୁ ନେଇ ଏବେ ମଧ୍ୟ ବିତର୍କ ଚାଲିଛି; ଏପରିକି ନିଜେ କବି ମଧ୍ୟ ଏ ସମ୍ପର୍କରେ ନିରବତା ଅବଲମ୍ବନ କରିଛନ୍ତି; ଏଣୁ ୨୦୨୫ ମସିହାଟି ତାଙ୍କର ୬୦୦ ତମ ଜନ୍ମଜୟନ୍ତୀର ବର୍ଷ ବୋଲି ଆମେ ନିର୍ଦ୍ଦିଷ୍ଟ ଭାବରେ କହିପାରିବା ନାହିଁ । ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ‘ଆଦିକବି ସାରଳା ଦାସ ଚେଆର୍’ର ପ୍ରଫେସର ଉଦୟନାଥ ସାହୁ କହିଛନ୍ତି ଯେ ତାଙ୍କର ଜନ୍ମବର୍ଷ ସଂକ୍ରାନ୍ତରେ ଏମିତି ଲେଖାଯିବାର ଆଧାର କଣ, ତାହା ସ୍ପଷ୍ଟ ଜଣାପଡୁନାହିଁ; କାରଣ ଏହା ଏବେ ବି ବିତର୍କର ବିଷୟ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକ କହିଛନ୍ତି ଯେ ବିଭିନ୍ନ ଗବେଷକଗଣ ସାରଳାଙ୍କ ସମୟ ୯ମଠାରୁ ଆରମ୍ଭ କରି ୧୫ଶ ଶତାବ୍ଦୀ ମଧ୍ୟରେ ବୋଲି ଭିନ୍ନ ଭିନ୍ନ ପ୍ରକାର ମତ ଦେଉଥିବା ବେଳେ, ଭାରତର ରାଷ୍ଟ୍ରପତି ଓ ରାଜ୍ୟର ରାଜ୍ୟପାଳଙ୍କ ଉପସ୍ଥିତିରେ ଚଳିତ ବର୍ଷର ଜୁଲାଇ ୧୫ ତାରିଖଟିକୁ ତାଙ୍କର ୬୦୦ତମ ଜନ୍ମଜୟନ୍ତୀ ଭାବରେ ପାଳନ କରାଯିବା ଉଚିତ ହେଲାନାହିଁ। ଭୁବନେଶ୍ବରସ୍ଥିତ ‘ସାରଳାଦାସ ସ୍ମୃତି ସଂସଦ’ର ସମ୍ପାଦକ ପ୍ରଦୀପ୍ତ କୁମାର ବିଶ୍ବାଳ କହିଛନ୍ତି ଯେ କୌଣସି ତିଥିକୁ ସାରଳାଙ୍କ ଜନ୍ମତିଥି ଭାବରେ ସର୍ବମାନ୍ୟ ଭାବରେ ଗ୍ରହଣ କରାଯାଇନାହିଁ।
କୌତୁହଳର ବିଷୟ ହେଲା, ୨୦୨୧ ମସିହାର ଏପ୍ରିଲ୍ ୪ ତାରିଖ ଦିନ ମଧ୍ୟ କଟକର ଏହି ସାରଳା ସାହିତ୍ୟ ସଂସଦ ପକ୍ଷରୁ ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଭାବରେ ହିଁ ପାଳନ କରାଯାଇଥିଲା, ଯେଉଁ ସମାରୋହରେ ଭାରତର ତତ୍କାଳୀନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ଓଡ଼ିଶାର ରାଜ୍ୟପାଳ ଗଣେଶୀଲାଲ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ କଟକସ୍ଥିତ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା-ସଭାପତି ପ୍ରଭାକର ସ୍ୱାଇଁଙ୍କ ସହିତ ଯୋଗାଯୋଗ କରାଯିବାରୁ ସେ ସୂଚାଇଥିଲେ ଯେ, ପୂଜ୍ୟପୂଜା କରାଯିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା; ଏବଂ ତାଙ୍କର ଜନ୍ମ ବର୍ଷକୁ ଅନୁଷ୍ଠାନ ପକ୍ଷରୁ କେବଳ ଆନୁମାନିକ ଭାବରେ ବିଚାର କରାଯାଇଥିଲା। ସେ ମଧ୍ୟ ଦର୍ଶାଇଥିଲେ ଯେ ବିଶିଷ୍ଟ ଗବେଷକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ତାଙ୍କର ପୁସ୍ତକରେ ସାରଳା ଦାସଙ୍କ ଜନ୍ମ ୧୪୨୦ରୁ ୧୪୨୫ ମସିହା ମଧ୍ୟରେ ହୋଇଥିଲା ବୋଲି ମତ ଦେଇଛନ୍ତି।
(ପ୍ରକାଶିତ: ୧୬ ଜୁଲାଇ, ୨୦୨୫)
ଆମେରିକାରେ ଅନୁଷ୍ଠିତ ‘ଓସା’ ସମ୍ମିଳନୀରେ ସାହିତ୍ୟ ସେମିନାର ଓ କବିତା ପାଠୋତ୍ସବ

ଯୁକ୍ତରାଷ୍ଟ୍ର ଆମେରିକାର ଡାଲାସ୍ ସହରରେ ‘ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାସ୍’ (ଓସା) ଦ୍ବାରା ଆୟୋଜିତ ତିନି ଦିନିଆ ସମ୍ମିଳନୀର ଅଂଶ ସ୍ବରୂପ ଏହାର ତୃତୀୟ ଦିବସ, ଅର୍ଥାତ୍ ଜୁଲାଇ ୫ ତାରିଖ ସନ୍ଧ୍ୟାରେ ଏକ ସାହିତ୍ୟ ସେମିନାର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ‘ଆସ ପାଠକଟିଏ ହେବା’ ଶୀର୍ଷକରେ କନକ ହୋତାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ସାହିତ୍ୟ ସେମିନାରରେ ତାପସୀ ମହାପାତ୍ର ଉପେନ୍ଦ୍ର ଭଞ୍ଜଙ୍କ ରଚିତ ବୈଦେହୀଶ ବିଳାସର ପ୍ରାରମ୍ଭିକ ଛାନ୍ଦଗୁଡ଼ିକୁ ସୁର ଓ ବ୍ୟାଖ୍ୟା ସହିତ ଆଲୋଚନା କରିଥିଲେ। ଉପେନ୍ଦ୍ର ଭଞ୍ଜଙ୍କ ପ୍ରଭୁ ଶ୍ରୀରାମଙ୍କର ପ୍ରତି ଭକ୍ତି ଓ ପ୍ରେମକୁ ସେ ସୁନ୍ଦର ଭାବରେ ବ୍ୟାଖ୍ୟା କରିଥିଲେ।
ଏହି ଅଧିବେଶନର ପୂର୍ବରୁ ଆୟୋଜିତ କବିତା ପାଠୋତ୍ସବରେ ୨୯ ଜଣ କବି ଓ ସାହିତ୍ଯାନୁରାଗୀ କବିତା ପାଠ କରିଥିଲେ। ‘ଓସା’ର ଏହି ତିନିଦିନିଆ ସମ୍ମିଳନୀରେ ଉତ୍ତର ଆମେରିକାର ବିଭିନ୍ନ ଦେଶରେ ବସବାସ କରୁଥିବା ବହୁ ଓଡ଼ିଆଭାଷୀ ଯୋଗ ଦେଇଥିଲେ।
(ପ୍ରକାଶିତ: ୭ ଜୁଲାଇ, ୨୦୨୫)
ଫକୀରମୋହନଙ୍କ ପ୍ରକୃତ ଆତ୍ମଚରିତ ଲୋକଲୋଚନକୁ ଆସିବ କେବେ?

ଏବେ ବ୍ୟାସକବି ଫକୀରମୋହନଙ୍କର ‘ଆତ୍ମଚରିତ’ ନାମରେ ଯେଉଁ ପୁସ୍ତକଟି ତାଙ୍କର ଅନୁରାଗୀ ପାଠକ, ଗବେଷକ, ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ବହୁ କାଳ ହେଲା ପଠିତ ଓ ଚର୍ଚ୍ଚିତ ହୋଇଆସୁଛି, ତାହା ଯେ ତାଙ୍କର ସମ୍ପୂର୍ଣ୍ଣ ଓ ପ୍ରକୃତ ଆତ୍ମଚରିତ ନୁହେଁ ଏକଥା ଅନେକଙ୍କୁ ଅଜଣା। ଫକୀରମୋହନ ତାଙ୍କର ଜୀବଦ୍ଦଶାରେ ଯେଉଁ ଆତ୍ମଚରିତଟି ରଚନା କରିଥିଲେ ତାହା କଟକର ବାଖରାବାଦରେ ଥିବା ତାଙ୍କର ବାସଭବନର ଅନ୍ଧାରି କୋଣରେ ଗୋଟିଏ ସିନ୍ଦୁକ ଭିତରେ ତାଲା ପଡ଼ି ରହିଛି। ଏହା ଅଦାଲତି ମାମଲା, ପ୍ରକାଶନ ଜନିତ ବିବାଦ ତଥା ଫକୀରମୋହନଙ୍କ ଦାୟାଦଙ୍କ ଖିଆଲର ଜ୍ୱାଳାରେ ଭସ୍ମହୋଇ ଚିରଦିନ ପାଇଁ ହଜିଯିବାକୁ ବସିଛି। ତଥାପି ଏଥିପ୍ରତି ନା ଓଡ଼ିଶା ସରକାର, ନା ଓଡ଼ିଶାର ସାହିତ୍ୟ ଜଗତ, କାହାର ବି ଦୃଷ୍ଟି ପଡ଼ୁନାହିଁ।
ଫକୀରମୋହନଙ୍କ ଦେହାନ୍ତ ପରେ ତାଙ୍କର ଆତ୍ମଜୀବନୀ ବା ‘ଆତ୍ମଚରିତ’ ପ୍ରକାଶିତ ହେବା ପୂର୍ବରୁ ତାଙ୍କର ପୁତ୍ର ମୋହିନୀ ମୋହନ ସେନାପତି ନିଜେ ସେଥିର କେତେକାଂଶ ପରିବର୍ତ୍ତନ କରିଦେଇଥିଲେ। ତାଙ୍କ ପିତାଙ୍କର ଭାବମୂର୍ତ୍ତିକୁ ନିର୍ମଳ କରିବା ଉଦ୍ଦେଶ୍ୟରେ ସେ ଏହା କରିଥିଲେ ବୋଲି କୁହାଯାଉଛି। ଏହା ସହିତ ସେ ସେହି ଆତ୍ମଚରିତର ମୂଳ ପାଣ୍ଡୁଲିପିଟି ଲୋକଲୋଚନକୁ ନ ଆଣି ନିଜ ଅଧୀନରେ ରଖିଥିଲେ। ଏବେ ସେହି ମୂଳ ପାଣ୍ଡୁଲିପି ଫକୀରମୋହନଙ୍କ ଅଣନାତୁଣୀ ମିନାକ୍ଷୀ ଦତ୍ତଙ୍କ ଅକ୍ତିଆରରେ ତାଙ୍କର କଟକସ୍ଥିତ ବାସଭବନରେ ରଖାଯାଇଛି। କିନ୍ତୁ ‘ସାହିତ୍ୟ ଚର୍ଚ୍ଚା’କୁ ସୂଚନା ମିଳିଛି ଯେ ବର୍ତ୍ତମାନ ସେହି ପାଣ୍ଡୁଲିପି ଏକାନ୍ତ ଜର୍ଜର ଅବସ୍ଥାକୁ ଆସିଗଲାଣି, ଏବଂ ଏହା ଆଉ ବେଶି ଦିନ ତିଷ୍ଠିବ ନାହିଁ। ତଥାପି ଫକୀରମୋହନଙ୍କ ଅଣନାତୁଣୀ ତାହାର ପ୍ରକାଶନ ପାଇଁ ଆଗ୍ରହ ଦେଖାଉନାହାନ୍ତି।
ଏ ସଂକ୍ରାନ୍ତରେ ଘଟଣାକ୍ରମରୁ ଜଣାଯାଏ ଯେ ୨୦୧୯ ମସିହା ବେଳକୁ ମିନାକ୍ଷୀ ଦତ୍ତ ସେହି ମୂଳ ପାଣ୍ଡୁଲିପିଟିକୁ ବର୍ଷୀୟାନ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରି ଏହାର ସମ୍ପାଦନା ଓ ଡିଜିଟାଇଜେସନ୍ ପାଇଁ ଅନୁରୋଧ କରିଥିଲେ, ଏବଂ ଏହାର ଖର୍ଚ୍ଚ ତୁଲାଇବା ପାଇଁ ତାଙ୍କୁ ପ୍ରାୟ ଏକ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ। ଏଥିସହିତ ସେ ତାଙ୍କୁ ଫକୀରମୋହନଙ୍କ ଆଉ ଦୁଇଟି ଅପ୍ରକାଶିତ ପୁସ୍ତକ ‘ମହାଭାରତ’ ଓ ‘ଖିଳ ହରିବଂଶ’ର ପାଣ୍ଡୁଲିପି ମଧ୍ୟ ଦେଇଥିଲେ। ଏହି ସମ୍ପାଦନା କାର୍ଯ୍ୟରେ ବିଶିଷ୍ଟ ଅଭିଲେଖବିତ୍ ଲଲାଟେନ୍ଦୁ ଦାସ ମହାପାତ୍ର ସହଯୋଗ କରୁଥିଲେ। କିନ୍ତୁ ପରେ ଶ୍ରୀଯୁକ୍ତ ପଟ୍ଟନାୟକ ଏଗୁଡ଼ିକର ସମ୍ପାଦନା କରିବା ସହିତ ‘ଆତ୍ମଚରିତ’ ପୁସ୍ତକଟିକୁ ‘ଆମ ଓଡ଼ିଶା’ ସଂସ୍ଥା ଜରିଆରେ ପ୍ରକାଶ କରାଇବାକୁ ଚେଷ୍ଟିତ ଥିବା କଥା ଜାଣିପାରି ମିନାକ୍ଷୀ ଦତ୍ତ ତାଙ୍କ ବିରୋଧରେ ତଳ କୋର୍ଟରେ ଏକ ମାମଲା ଦାୟର କରିଥିଲେ। ଏହା ପୂର୍ବରୁ ନିଖିଳ ମୋହନ ପଟ୍ଟନାୟକଙ୍କ ନିକଟରେ ମଧ୍ୟ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସୂତ୍ରରୁ ସେହି ପାଣ୍ଡୁଲିପିଟି ପହଞ୍ଚିଥିଲା, ଯାହାର କିଛି ଅଂଶ ସେ ‘ସୃଜନିକା’ର ଓ୍ବେବସାଇଟ୍ରେ ପ୍ରକାଶ କରିଦେଇଥିଲେ; କିନ୍ତୁ ପରେ ଏଥିନେଇ ବିବାଦ ଦେଖା ଯିବାରୁ ସେ ତାହାକୁ ସେଠାରୁ ହଟାଇ ଦେଇଥିଲେ। ୨୦୨୧ ମସିହାରେ ଏ ସଂକ୍ରାନ୍ତରେ ଅଦାଲତଙ୍କ ରାୟ ପ୍ରକାଶ ପାଇଥିଲା ଏବଂ ପାଣ୍ଡୁଲିପିଟିକୁ ପ୍ରକାଶ ନ କରି ମୀନାକ୍ଷୀ ଦତ୍ତଙ୍କୁ ତାହା ଫେରସ୍ତ କରିଦେବାପାଇଁ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ କାଳରେ କଟକର ଜିଲ୍ଲା କୋର୍ଟରେ ଏହି ରାୟର ପୁନର୍ବିଚାର ପାଇଁ ଏକ ମାମଲା ଦାୟର ହୋଇଥିଲା, ଯାହା ଏବେ ବିଚାରାଧୀନ ଅଛି, କିନ୍ତୁ ଏହା ବିଶେଷ ବାଟ ଆଗେଇ ପାରିନାହିଁ।
ବିଶେଷ ସୂତ୍ରରୁ ଜଣାଯାଇଛି, ଏବେ ମୋହିନୀ ମୋହନ ସେନାପତିଙ୍କ ଦ୍ବାରା ପରିବର୍ତ୍ତିତ ହୋଇଥିବା ଫକୀରମୋହନଙ୍କ ଆତ୍ମଚରିତଟି ଯେଉଁ ରୂପରେ ବଜାରରେ ଉପଲବ୍ଧ ଅଛି, ସେଥିରେ ମୂଳ ପାଣ୍ଡୁଲିପିର ପ୍ରାୟ ୫୦ ପ୍ରତିଶତ ଭାଗ ସହିତ କୌଣସି ସାମ୍ୟ ନାହିଁ। ବିଶେଷତଃ ଫକୀର ମୋହନଙ୍କ କେନ୍ଦୁଝର ରହଣି ସମୟ ବିଷୟରେ ଥିବା ତଥ୍ୟକୁ କାଣ୍ଟଛାଣ୍ଟ କରାଯାଇଛି। ଫକୀରମୋହନ ନିଜର ଜୀବଦ୍ଦଶାରେ ନିଜ ଜୀବନାନୁଭୂତିକୁ ପ୍ରକୃତରେ କେଉଁ ଭାବରେ ଲେଖିଯାଇଛନ୍ତି ତାହା ଜାଣିବାର ଅଧିକାର ସମଗ୍ର ଓଡ଼ିଆ ଜାତିର ଅଛି। ଏ ଦୃଷ୍ଟିରୁ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସେହି ଅପ୍ରକାଶିତ ପାଣ୍ଡୁଲିପିଟିକୁ ନିଜ ଅକ୍ତିଆରକୁ ଆଣି ଓଡ଼ିଆ ସାହିତ୍ୟର ବୃହତ୍ତର ହିତ ଦୃଷ୍ଟିରୁ ଏହାକୁ ପ୍ରକାଶ କରାଇବାର ଆବଶ୍ୟକତା ଅଛି।
(ପ୍ରକାଶିତ: ୪ ଜୁଲାଇ, ୨୦୨୫)