ଭାଷା ଓ ସାହିତ୍ୟର ସମ୍ବାଦ:

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ: ଓଡ଼ିଶାରୁ ପାଇଲେ ଗିରିଜାକୁମାର ବଳୀୟାରସିଂହ

ଚାରିମାସ ହେଲା ଅଟକିରହିଥିଲା ଘୋଷଣା

ବିବାଦରେ ଛନ୍ଦିହୋଇ ରହିଥିବା କେନ୍ଦ୍ର ସାହିତ୍ୟ ଏକାଡେମୀର ପୁରସ୍କାର ଚାରି ମାସ ଧରି ଅଟକି ରହିବା ପରେ ଶେଷକୁ ମାର୍ଚ୍ଚ ୧୬ ତାରିଖ ମଧ୍ୟାହ୍ନରେ ଘୋଷିତ ହୋଇଛି। ଏକାଡେମୀର ସଚିବ ପଲ୍ଲବୀ ପ୍ରଶାନ୍ତ ହୋଲକରଙ୍କ ଦ୍ବାରା ଜାରି ହୋଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ ୨୪ଟି ବିଭିନ୍ନ ଭାଷାର ଲେଖକମାନଙ୍କ ପାଇଁ ୨୦୨୫ ମସିହାର ପୁରସ୍କାର ବିଜେତାଙ୍କ ତାଲିକା ପ୍ରକାଶ ପାଇଛି। ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ଅଛନ୍ତି ବିଶିଷ୍ଟ କବି ଗିରିଜାକୁମାର ବଳୀୟାରସିଂହ। ସେ ନିଜର କବିତା ପୁସ୍ତକ ‘ପାଦ ପୂରଣ’ ପାଇଁ ଏହି ପୁରସ୍କାର ପାଇବେ। ଏହି ପୁରସ୍କାର ଘୋଷଣାର ଖବର ଶୁଣିବା ପରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇ ଶ୍ରୀ ବଳୀୟାରସିଂହ ‘ସାହିତ୍ୟ ଚର୍ଚ୍ଚା’କୁ କହିଛନ୍ତି, “ପାଠକର ସ୍ମୃତିରେ ଥିଲେ ଯେଉଁ ଆନନ୍ଦ ମିଳେ, ପୁରସ୍କାର ପ୍ରାପ୍ତିରେ କ’ଣ ସେହି ଆନନ୍ଦ ଥାଏ?”
ପ୍ରକାଶ ଥାଉ କି, ଗତ ଡିସେମ୍ବର ମାସ ୧୯ ତାରିଖରେ ବିଭିନ୍ନ ଭାଷାର ପୁରସ୍କାର ଘୋଷଣା ପାଇଁ ଡକାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀକୁ କୌଣସି କାରଣ ନ ଦର୍ଶାଇ ମାତ୍ର ଏକ ଘଣ୍ଟା ପୂର୍ବରୁ ହଠାତ୍ ବାତିଲ କରି ଦିଆଯାଇଥିଲା। ପୁରସ୍କାର ଘୋଷଣା ପାଇଁ ସାହିତ୍ୟ ଏକାଡେମୀ ନେଇଥିବା ନିଷ୍ପତ୍ତିକୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ନାପସନ୍ଦ କରିବାରୁ ଏହା ଘଟିଥିଲା ବୋଲି କୁହାଯାଉଛି। ପୁରସ୍କାର ନିୟମାବଳୀରେ କେନ୍ଦ୍ର ସରକାର କିଛି ପରିବର୍ତ୍ତନ କରିବା ପରେ ଏହା ଘୋଷଣା କରାଯିବ ବୋଲି ସେତେବେଳେ ଏକାଡେମୀ ପକ୍ଷରୁ କୁହାଯାଇଥିଲା। ଏବେ ଦୀର୍ଘ ଚାରି ମାସ ପରେ ସ୍ଥଗିତ ରଖାଯାଇଥିବା ସେହି ପୁରସ୍କାରଗୁଡ଼ିକ ଘୋଷଣା କରାଯାଇଛି।
ସେତେବେଳେ ପୁରସ୍କାର ଘୋଷଣା ସ୍ଥଗିତ ରହିବା ବେଳଠାରୁ ହିଁ ଓଡ଼ିଶାରୁ ସ୍ୱନାମଧନ୍ୟ କବି ଗିରିଜାକୁମାର ବଳୀୟାରସିଂହଙ୍କ ନାମ ପୁରସ୍କାର ତାଲିକାରେ ରହିଥିବା କଥା ସୋସିଆଲ ମିଡ଼ିଆରେ ଚର୍ଚ୍ଚିତ ହେଉଥିଲା। ଏହି ପୁରସ୍କାର ଚୟନ ପାଇଁ ଓଡ଼ିଆ ବିଭାଗର ବିଚାରକ ମଣ୍ଡଳୀରେ ଥିଲେ ଗାୟତ୍ରୀ ସରାଫ, ଜୟନ୍ତୀ ରଥ ଓ ଶ୍ୟାମା ପ୍ରସାଦ ଚୌଧୁରୀ। ଓଡ଼ିଆ ବିଭାଗ ପାଇଁ ସର୍ବମୋଟ ଦଶଗୋଟି ବହିକୁ ସର୍ଟଲିଷ୍ଟ୍ କରାଯାଇଥିଲା। ଗିରିଜାକୁମାର ବଳୀୟାରସିଂହଙ୍କ ବ୍ୟତୀତ ଅନ୍ୟ ଯେଉଁମାନଙ୍କ ବହି ଏହି ସର୍ଟଲିଷ୍ଟେଡ୍ ତାଲିକାରେ ଥିଲା ସେମାନେ ହେଲେ ପ୍ରଦୀପ କୁମାର ପଣ୍ଡା, ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ବିଜୟ କୁମାର ଶତପଥୀ, ହୃଦାନନ୍ଦ ପାଣିଗ୍ରାହୀ, ଅରବିନ୍ଦ ରାୟ, ରଞ୍ଜିତା ପଟ୍ଟନାୟକ, ଚିତ୍ତରଞ୍ଜନ ଚିରଂଜିତ, ରବି ପଣ୍ଡା ଓ ହରିଶ୍ଚନ୍ଦ୍ର ବେହେରା। ଏମାନଙ୍କ ମଧ୍ୟରୁ ଦୁଇଜଣ, ଅର୍ଥାତ୍ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଓ ବିଜୟ କୁମାର ଶତପଥୀ ନିଜେ କେନ୍ଦ୍ର ସାହିତ୍ୟ ଏକାଡେମୀରେ କେନ୍ଦ୍ରୀୟ ପରିଷଦର ସଦସ୍ୟ ମଧ୍ୟ ଅଛନ୍ତି।
ପୁରସ୍କାର ପାଇଁ ମନୋନୀତ ହୋଇଥିବା ଗିରିଜାକୁମାର ବଳୀୟାରସିଂହ ଓଡ଼ିଶାର ସୁବିଦିତ କବି। ସେ ୧୯୫୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ‘ଭାରତବର୍ଷ’ ନାମକ ନିଜର କାବ୍ୟକୃତି ପାଇଁ ସେ ୨୦୦୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ। ସେ ଓଡ଼ିଆ ସନେଟ୍-ସାହିତ୍ୟରେ ଏକ ଅଭିନବ ଧାରାର ପ୍ରବର୍ତ୍ତକ ଏବଂ ଅଦ୍ୟାବଧି ତାଙ୍କର ପ୍ରାୟ ୧୫ଟି ପୁସ୍ତକ ପ୍ରକାଶ ପାଇଛି।
(ପ୍ରକାଶିତ: ୧୬ ମାର୍ଚ୍ଚ, ୨୦୨୬)

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଉପଲକ୍ଷେ ଭୁବନେଶ୍ବରରେ ଭାଷାବିମର୍ଶ

ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ କେନ୍ଦ୍ରରେ ସଭା

ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ଭାବରେ ସ୍ବୀକୃତି ଦେଇ ଭାରତ ସରକାର ନିଜ ଗେଜେଟ୍‌ରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ ୧୧ ମାର୍ଚ୍ଚ, ୨୦୧୪ ତାରିଖରେ। ଏହି ଦିବସଟିକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏହି ଦିନଟିକୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଭାବରେ ପାଳନ କରାଯାଏ। ଏହି ଅବସରରେ ଚଳିତ ମାର୍ଚ୍ଚ ମାସ ୧୧ ତାରିଖ ଦିନ ଭୁବନେଶ୍ବରସ୍ଥିତ ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ରଠାରେ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଯାଇଛି।
ଏହି ସମାରୋହର ଉଦ୍‌ଘାଟନ ଅଧିବେଶନରେ ଅଧ୍ୟକ୍ଷତା କରି ଏହି କେନ୍ଦ୍ରର ପରାମର୍ଶଦାତା ବସନ୍ତ କୁମାର ପଣ୍ଡା ଜାତୀୟ ଶିକ୍ଷା ନୀତି ବିଷୟରେ ଆଲୋଚନା କରିବା ସହିତ ଭାରତୀୟ ଜ୍ଞାନ ପରମ୍ପରାକୁ ବ୍ୟାପକ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଶାସ୍ତ୍ରୀୟ ଓଡ଼ିଆ ଭାଷା ଅଧ୍ୟୟନରେ ସାରଳା ଦାସଙ୍କ ମହାଭାରତ, ବଳରାମ ଦାସଙ୍କ ରାମାୟଣ ଓ ଜଗନ୍ନାଥ ଦାସଙ୍କ ଭାଗବତର ଗୁରୁତ୍ବ ବିଷୟରେ ସେ ଉଲ୍ଲେଖ କରିଥିଲେ। ମୁଖ୍ୟ ଅତିଥି, ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପ୍ରଫେସର, ଅଜିତ ମହାନ୍ତି କହିଲେ ଯେ ଶାସ୍ତ୍ରୀୟ ମାନ୍ୟତା ପାଇବା ଦ୍ବାରା ଗୋଟିଏ ଭାଷା କେତେକ ନିର୍ଦ୍ଦିଷ୍ଟ ନିୟମାବଳୀ ଭିତରେ ବାନ୍ଧି ହୋଇପଡ଼େ। ବର୍ଷୀୟାନ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ପ୍ରମୁଖ କାରଣଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ।
ଏହି ସଭାରେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ ଉତ୍କର୍ଷ କେନ୍ଦ୍ରର ଭାରପ୍ରାପ୍ତ ନିର୍ଦ୍ଦେଶକ ସଞ୍ଜୟ କୁମାର ବାଗ ଓ ବାର୍ଷିକ ବିବରଣୀ ପାଠ କରିଥିଲେ ଗୋବିନ୍ଦ ଚନ୍ଦ୍ର ପେଣ୍ଠୋଇ। ଏହାପରେ ଅନୁଷ୍ଠିତ ହୋଇଥିବା ଆକାଡେମିକ୍ ଅଧିବେଶନଗୁଡ଼ିକରେ ୧୩ ଜଣ ବିଭିନ୍ନ ଗବେଷକ ‘ଶାସ୍ତ୍ରୀୟ ଓଡ଼ିଆ ଭାଷାର ଡିଜିଟାଇଜେସନ୍’, ‘ସାରଳା ମହାଭାରତରେ ଯୋଗାଚାର ଦର୍ଶନ’ ଓ ‘ଓଡ଼ିଆ ବ୍ୟାକରଣର ନୂତନ ପରିଭାଷା’ ପ୍ରଭୃତି ବିଷୟରେ ସ୍ବରଚିତ ପ୍ରବନ୍ଧ ପାଠ କରିବା ସହ ଚର୍ଚ୍ଚାରେ ଭାଗନେଇଥିଲେ।
(ପ୍ରକାଶିତ: ୧୧ ମାର୍ଚ୍ଚ, ୨୦୨୬)

ସୁଦକ୍ଷ ଗାଳ୍ପିକ ଓ ‘ପ୍ରତିବେଶୀ’ର କଳା ସମ୍ପାଦକ ଅତୁଳ ବଳ ଆଉ ନାହାନ୍ତି

୬୩ ବର୍ଷ ବୟସରେ ଆଖି ବୁଜିଲେ

ବିଶିଷ୍ଟ ଗାଳ୍ପିକ ତଥା ‘ପ୍ରତିବେଶୀ’ ପତ୍ରିକାର କଳା ସମ୍ପାଦକ ଅତୁଳ ବଳ ମାର୍ଚ୍ଚ ୫ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। କିଛି ଦିନ ଧରି ସେ ଅସୁସ୍ଥ ଥିଲେ।
ସେ ଅଧ୍ୟାପନା ବୃତ୍ତିରୁ ଅବସର ନେଇଥିଲେ ଏବଂ ରାଜନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ ଥିଲେ। ‘ମୁକ୍ତିର ବର୍ଣ୍ଣବୋଧ’ ତାଙ୍କ ଦ୍ବାରା ରଚିତ ଗଳ୍ପଗୁଡ଼ିକର ଏକ ପାଠକାଦୃତ ସଂକଳନ। ଏହା ବ୍ୟତୀତ ସେ ‘କାଳଜୟୀ ଓଡ଼ିଆ କ୍ଷୁଦ୍ରଗଳ୍ପ’ ନାମକ ଏକ ସଂକଳନର ସମ୍ପାଦନା ମଧ୍ୟ କରିଥିଲେ। ‘ପ୍ରତିବେଶୀ’ ସହିତ କଳା ସମ୍ପାଦକ ଭାବରେ ସେ ପ୍ରାୟ ୧୫ ବର୍ଷ ଧରି ଜଡ଼ିତ ଥିଲେ। ସେ ‘ଶୈଳଜ’ ନାମରେ ନିଜ ଦ୍ବାରା ସମ୍ପାଦିତ ଏକ ପତ୍ରିକା ମଧ୍ୟ ପ୍ରକାଶ କରୁଥିଲେ। ‘ବନଫୁଲ’ ପତ୍ରିକା ହେଉଛି ତାଙ୍କର ଅନ୍ୟତମ ମାନସ ସନ୍ତାନ। ସେ ଜଣେ ଆଦର୍ଶ ଅଧ୍ୟାପକ ଭାବରେ ନିଜର ଛାତ୍ରଛାତ୍ରୀମାନଙ୍କର ଅତ୍ୟନ୍ତ ପ୍ରିୟପାତ୍ର ଥିଲେ।
(ପ୍ରକାଶିତ: ୫ ମାର୍ଚ୍ଚ, ୨୦୨୫)

ଓଡ଼ିଶାର ସର୍ବତ୍ର ପାଳିତ ହେଲା ବିଶ୍ବ ମାତୃଭାଷା ଦିବସ

ରାଜ୍ୟର ସମସ୍ତ ବିଦ୍ୟାଳୟରେ ମଧ୍ୟ ପାଳିତ ହେଲା ମାତୃଭାଷା ଦିବସ

ଫେବ୍ରୁଆରୀ ୨୧ ତାରିଖ ଦିନ ସମଗ୍ର ବିଶ୍ବରେ ମାତୃଭାଷା ଦିବସ ପାଳିତ ହେଉଥିବା ବେଳେ ଓଡ଼ିଶାର ସର୍ବତ୍ର ମଧ୍ୟ ଏହା ଯଥାଯୋଗ୍ୟ ମର୍ଯ୍ୟାଦାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବାହ୍ଣରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ମିଳିତ ସହଯୋଗରେ ସଂସ୍କୃତି ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମ ଅବସରରେ ମଞ୍ଚରେ ଉପସ୍ଥିତ ଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ, ଭାଷା ଓ ସାହିତ୍ୟ ଗବେଷକ ଅନ୍ତର୍ଯ୍ୟାମୀ ମିଶ୍ର, ସାହିତ୍ୟିକ ଦାଶ ବେନହୁର, ସ୍ବତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା। ସେହିପରି ଭୁବନେଶ୍ବରସ୍ଥିତ କେଦାରନାଥ ଗବେଷଣା କେନ୍ଦ୍ରରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ଉପସ୍ଥିତ ଥିଲେ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ସଂସ୍କୃତଜ୍ଞ ଓ ବ୍ୟାକରଣବିତ୍ ସିନିରୁଦ୍ଧ ଦାଶ, ପ୍ରାକ୍ତନ ପ୍ରଶାସକ ରଘୁନାଥ ମିଶ୍ର, ଶିକ୍ଷାବିତ୍ କାହ୍ନୁଚରଣ ପାଢ଼ୀ ପ୍ରମୁଖ।ଏହା ବ୍ୟତୀତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ରେଭେନ୍‌ସା ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପ୍ରଭୃତି ଉଚ୍ଚ ଶିକ୍ଷାନୁଷ୍ଠାନରେ ମଧ୍ୟ ଏହି ଦିନ ବିଶ୍ବ ମାତୃଭାଷା ଦିବସ ପାଳିତ ହୋଇଥିବାର ସୂଚନା ମିଳିଛି। ରାଜ୍ୟ ବିଦ୍ୟାଳୟ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଏହି ଦିନ ଓଡ଼ିଶାର ଅଧିକାଂଶ ବିଦ୍ୟାଳୟରେ ମଧ୍ୟ ଏହି ଦିବସ ପାଳିତ ହୋଇଥିଲା। ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସଙ୍କ ଦ୍ବାରା ଫେବ୍ରୁଆରି ୧୬ ତାରିଖରେ ଜାରି ହୋଇଥିବା ଏକ ପରିପତ୍ରରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବାପାଇଁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ତଥା ଏହା ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ପାଇଁ ବିଦ୍ୟାଳୟ ପିଛା ଟ.୩୦୦୦ ହିସାବରେ ମୋଟ ୧୨.୭୮ କୋଟି ଟଙ୍କା ମଂଜୁର ହୋଇଥିଲା ବୋଲି ଜଣାପଡ଼ିଛି। ଏହାର ପ୍ରଭାବରେ ଛାତ୍ରଛାତ୍ରୀମାନଙ୍କୁ ବିଶ୍ବ ମାତୃଭାଷା ଦିବସରେ ଭାଷଣ ଦେବାକୁ ଓ ପ୍ରବନ୍ଧ ଲେଖିବାକୁ ତୁରନ୍ତ ପ୍ରସ୍ତୁତ କରିବା ପାଇଁ ୟୁ‌-ଟିଉବ୍‌ ଓ ଇଣ୍ଟରନେଟ୍ ଜରିଆରେ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ଦ୍ବାରା ଅସଂଖ୍ୟ ପୂର୍ବ ପ୍ରସ୍ତୁତ ଭାଷଣ ଓ ପ୍ରବନ୍ଧ ଲିଖନର ଚିଠା ଯୋଗାଇଦିଆଯାଇଥିବା ଦେଖାଯାଇଥିଲା।
(ପ୍ରକାଶିତ: ୨୧ ଫେବ୍ରୁଆରି, ୨୦୨୬)

ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ଥାଣୁ ଅବସ୍ଥା ଦୂର ହେବ କେବେ?

୨୦୧୭ ମସିହାରୁ ଦିଆଯାଇନାହିଁ ପୁରସ୍କାର

ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦର କାର୍ଯ୍ୟକାଳ ଶେଷ ହୋଇଛି ଜୁଲାଇ ୨୦୨୩ ମସିହାରୁ। ଏହାର ସଭାପତି ଓ ଉପସଭାପତିଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି ମେ ୨୦୨୪ରୁ। ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବାର ପ୍ରକ୍ରିୟା ସ୍ଥଗିତ ରହିଛି ୨୦୧୭ ମସିହାରୁ। ତଥାପି ବର୍ଷ ବର୍ଷ ଧରି ନା ସାଧାରଣ ପରିଷଦ ଗଠିତ ହୋଇପାରୁଛି, ନା ନିଯୁକ୍ତ ହୋଇପାରୁଛନ୍ତି ନୂଆ ସଭାପତି ବା ଉପସଭାପତି, ନା ଦିଆଯାଇପାରୁଛି ଏକାଡେମୀ ପୁରସ୍କାର, ଯଦିଓ ଏଥିପାଇଁ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ। ଏଭଳି ଅଚଳ ଅବସ୍ଥା ଆମ ଦେଶରେ ଥିବା ଅନ୍ୟ କୌଣସି ରାଜ୍ୟର ସାହିତ୍ୟ ଏକାଡେମୀରେ କେବେ ସୃଷ୍ଟି ହୋଇନାହିଁ। ଏଥିରେ ବ୍ୟଥିତ ହୋଇ ଓଡ଼ିଶାର ଜଣେ ସାହିତ୍ୟପ୍ରେମୀ ତଥା ଆଇନଜୀବୀ, ପ୍ରବୀର କୁମାର ଦାସ ଏକାଡେମୀର ଏହି ଅଚଳାବସ୍ଥା ବିରୋଧରେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଅଗଷ୍ଟ ୧ ତାରିଖ, ୨୦୨୫ରେ ରୁଜୁ ହୋଇଥିବା ଏହି ମାମଲାରେ ଶ୍ରୀ ଦାସ ଏକାଡେମୀରେ ସଭାପତି ଓ ଉପସଭାପତିଙ୍କର ନିଯୁକ୍ତି ତଥା ସାଧାରଣ ପରିଷଦ ଓ କାର୍ଯ୍ୟକାରୀ ସମିତିର ଗଠନ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି। ଏଥିରେ ସେ ୨୦୧୭ରୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇନଥିବା କଥା ମଧ୍ୟ ଉଚ୍ଚତମ ନ୍ୟାୟାଳୟର ଦୂଷ୍ଟିକୁ ଆଣିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ବିଚାରପତି ଜଷ୍ଟିସ୍ ଏମ୍.ଏସ୍.ରମଣଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି ଏହି ସମ୍ପର୍କରେ ନିଜର ଶପଥପତ୍ର ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ଏହାର ମିଆଦ ଦୁଇଥର ଗଡ଼ି ସାରିଥିଲେ ହେଁ ରାଜ୍ୟ ସରକାର ଏ ବିଷୟରେ ନିଜର କୌଣସି ଶପଥପତ୍ର ଦାଖଲ ନ କରି ଟାଳଟୁଳ ନୀତି ଅବଲମ୍ବନ କରିବାରେ ଲାଗିଛନ୍ତି।
ଅପର ପକ୍ଷରେ କିଛି ବର୍ଷ ପୂର୍ବେ ରାଜ୍ୟ ସରକାରଙ୍କ ଦ୍ବାରା ଏକପାଖିଆ ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ଚୟନ ନିୟମାବଳୀରେ ହୋଇଥିବା ସଂଶୋଧନକୁ ବିରୋଧ କରି ସାହିତ୍ୟିକ ନୃସିଂହ ଚରଣ ଷଡ଼ଙ୍ଗୀ ଓଡ଼ିଶା ହାଇକୋର୍ଟରେ ଦାଏର କରିଥିବା ଏକ ମାମଲା ଏବେ ମଧ୍ୟ ବିଚାରାଧୀନ ଅଛି। କିନ୍ତୁ ରାଜ୍ୟ ସାହିତ୍ୟ ଏକାଡେମୀର ପୁରସ୍କାର ପ୍ରଦାନ ପ୍ରକ୍ରିୟା ଉପରେ ବର୍ତ୍ତମାନ କୌଣସି ରହିତାଦେଶ ନାହିଁ। ଏଣୁ କର୍ତ୍ତୃପକ୍ଷ ଚାହିଲେ ସର୍ତ୍ତମୂଳକ ଭାବରେ ଏକାଡେମୀର ବାକି ଥିବା ପୁରସ୍କାରଗୁଡ଼ିକ ପ୍ରଦାନ କରିପାରିବେ। ଏହି ନୀତି ଅନୁସରଣ କରି ୨୦୨୩ ମସିହାରେ ଗୋଟିଏ ଦିନରେ ହିଁ ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର ଓ ଶ୍ରୀନିବାସ ଉଦ୍‌ଗାତା, ଏହି ତିନି ଜଣଙ୍କୁ ସର୍ତ୍ତମୂଳକ ଭାବେ ଅତିବଡ଼ୀ ପୁରସ୍କାର ପ୍ରଦାନ କରାଯାଇପାରିଥିଲା। ଏବେ ସେହି ସମାନ ନୀତି ଅବଲମ୍ବନ କରି ରାଜ୍ୟ ସରକାର ବାକି ପଡ଼ିଥିବା ଏକାଡେମୀ ପୁରସ୍କାର ଗୁଡ଼ିକ କାହିଁକି ପ୍ରଦାନ କରୁନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅବଶ୍ୟ ଗତ ବର୍ଷ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ପୂର୍ବତନ ସଚିବ ସ୍ବର୍ଗତ ପ୍ରବୋଧ କୁମାର ରାଉତଙ୍କ ଅମଳରୁ ସର୍ଟଲିଷ୍ଟେଡ୍ ହୋଇ ପଡ଼ିରହିଥିବା ପ୍ରତ୍ୟେକ ବିଭାଗର ୨୦ଟି ଲେଖାଏଁ ବହିରୁ ପାଞ୍ଚଟି ଲେଖାଏଁ ବହି ବାଛିବାର ଏକ ପ୍ରକ୍ରିୟା ଆରମ୍ଭ କରିଥିଲେ। କିନ୍ତୁ ଏକାଡେମୀର ସାଧାରଣ ପରିଷଦ ନ ଥିବାରୁ ଏହି ପୁରସ୍କାରଗୁଡ଼ିକ ଦିଆଇବାପାଇଁ ସେ କିଭଳି ଭାବରେ ଯୋଜନା କରିଥିଲେ ତାହା ସନ୍ଦେହ ସୃଷ୍ଟି କରିଛି। ଅବଶ୍ୟ ତାଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଏବେ ସ୍ଥଗିତ ଅଛି।
ଏବେ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକଳାପ ମୁଖ୍ୟତଃ ପ୍ରମୁଖ ସାହିତ୍ୟ ସ୍ରଷ୍ଟାମାନଙ୍କର ଜୟନ୍ତୀ ତଥା ଶ୍ରାଦ୍ଧୋତ୍ସବ ପାଳନ ଓ ବେସରକାରୀ ସଂସ୍ଥାମାନଙ୍କ ମିଶି କିଛି ସାହିତ୍ୟସଭାର ଆୟୋଜନ ମଧ୍ୟରେ ହିଁ ସୀମିତ ଅଛି। ଓଡ଼ିଶା ସାହିତ୍ୟ ଏକାଡେମୀ ତାହାର ହରାଇଥିବା ସ୍ଥିତି ଫେରିପାଇବ କେବେ? ଏ ବିଷୟରେ ନିଜର ମୁହଁ ଖୋଲିବାରୁ ବିରତ ରହିଛନ୍ତି ଆମ ରାଜ୍ୟର ମୁଖ୍ୟ ଗଣମାଧ୍ୟମ, ରାଜନେତାଗଣ ତଥା ସାହିତ୍ୟ ଜଗତର ମୁଣ୍ଡିଆଳମାନେ। ଗତ ନଅ ବର୍ଷ ମଧ୍ୟରେ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଯୋଗ୍ୟ ବୋଲି ସାଧାରଣରେ ମନେହେଉଥିବା ଅନେକ ବର୍ଷୀୟାନ ସାହିତ୍ୟିକ ସେ ପୁରକୁ ଚାଲିଗଲେଣି। ବସ୍ତୁତଃ ସରକାରଙ୍କ ଉଦାସୀନତା କାରଣରୁ ଓଡ଼ିଶାରେ ସାହିତ୍ୟିକମାନଙ୍କର ଗୋଟିଏ ପିଢ଼ି ଏକାଡେମୀ ପୁରସ୍କାରରୁ ଯେ ବଞ୍ଚିତ ହୋଇସାରିଲେଣି, ଏହାକୁ ଆମ ସାହିତ୍ୟର ଇତିହାସ କେବେ କ୍ଷମା ଦେବନାହିଁ।
(ପ୍ରକାଶିତ: ୧୫ ଫେବ୍ରୁଆରି, ୨୦୨୬)

କଟକର ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟରେ ଆୟୋଜିତ ହେଲା ଜାତୀୟ ଅନୁବାଦକ ସମ୍ମିଳନୀ

ବହୁ ସଂଖ୍ୟକ ଅନୁବାଦକଙ୍କ ଯୋଗଦାନ

କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଶ୍ରୁତି ଭବନଠାରେ ‘ଶ୍ରୀ ଶ୍ରୀ ଅନୁବାଦ ଓ ବ୍ୟାଖ୍ୟା କେନ୍ଦ୍ର’ ତଥା ‘ଭାରତୀୟ ଅନୁବାଦ ସାହିତ୍ୟ’ର ମିଳିତ ଉଦ୍ୟମରେ ଦୁଇଦିନିଆ ‘୪ର୍ଥ ଜାତୀୟ ଅନୁବାଦକ ସମ୍ମିଳନୀ’ ଫେବ୍ରୁଆରି ୨ ତାରିଖ ଦିନ ଆରମ୍ଭ ହୋଇଛି।ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ଅନେକ ଅନୁବାଦକ, ଗବେଷକ ତଥା ଛାତ୍ରଛାତ୍ରୀ ଯୋଗଦେଇଛନ୍ତି।
ଦୁଇ ତାରିଖ ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଦିବା ଏହାର ଉଦ୍‌ଘାଟନ ଅଧିବେଶନରେ ସ୍ବାଗତ ସମ୍ଭାଷଣ ଦେଇଥିଲେ ଡଃ. ରିନ୍ଦନ କୁଣ୍ତୁ। ଏହାପରେ ସମ୍ମିଳନୀଟି ସେହି ବିଶ୍ବବିଦ୍ୟାଳୟର ଡାଇରେକ୍‌ଟର ଅଫ୍ ଅପରେସନ୍ସ ସ୍ବାମୀ ସତ୍ୟଚୈତନ୍ୟଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା। ଏହି ଅବସରରେ ମଞ୍ଚରେ ଉପସ୍ଥିତ ଥାଇ ନିଜର ବକ୍ତବ୍ୟ ମଧ୍ୟ ରଖିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା, ବିଶ୍ବବିଦ୍ୟାଳୟର ଡିନ୍ ପ୍ରଫେସର କେଶରୀ, ଗୁରୁ ରତିକାନ୍ତ ମହାପାତ୍ର, ଜାତୀୟ ଦକ୍ଷତା ବିକାଶ ନିଗମର ପରାମର୍ଶଦାତା ଧ୍ୟାନେଶ୍ୱର ମୁଲେ, ବିଶିଷ୍ଟ ଅନୁବାଦକ ଯତୀନ୍ଦ୍ର କୁମାର ନାୟକ, ଯାଦବପୁର ବିଶ୍ବବିଦ୍ୟାଳୟର ପ୍ରଫେସର ସାୟାନ୍ତନ ଦାସଗୁପ୍ତ ପ୍ରମୁଖ। ସଭାରେ ନିଜର ଅଭିଭାଷଣ କ୍ରମରେ ‘ଭାରତୀୟ ଅନୁବାଦ ସାହିତ୍ୟ’ର ସମ୍ପାଦକ, ଶରତ ଆଚାର୍ଯ୍ୟ କହିଲେ ଯେ ଅନୁବାଦ ସାହିତ୍ୟକୁ ଆହୁରି ବ୍ୟାପକ କରିବାକୁ ସଂସ୍ଥା ପକ୍ଷରୁ ୩୩ଟି ଅନଲାଇନ୍ କାର୍ଯ୍ୟକ୍ରମ କରାଯାଇଛି ଏବଂ ଏ ଯାବତ୍ ୨୫୦ ଜଣ ସଦସ୍ୟ ଏହି ସଂସ୍ଥା ସହ ଯୋଡ଼ି ହୋଇଛନ୍ତି। ଏହି ଅବସରରେ ବିଶିଷ୍ଟ ଅନୁବାଦକ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନଙ୍କୁ ‘ଭାରତୀୟ ଅନୁବାଦ ସାହିତ୍ୟ ସମ୍ମାନ – ୨୦୨୬’ ପ୍ରଦାନ କରାଯାଇଥିଲା। ଶେଷରେ ନିର୍ଲିପ୍ତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ୫ଟି ବୈଷୟିକ ଅଧିବେଶନ ଓ ୩ଟି ପ୍ୟାନେଲ୍ ଭିତ୍ତିକ ଆଲୋଚନା ମଧ୍ୟ ଅନ୍ତର୍ଭୁକ୍ତ ହେବ।
(ପ୍ରକାଶିତ: ୨ ଫେବ୍ରୁଆରି, ୨୦୨୬)

ଉପନ୍ୟାସ ସାହିତ୍ୟ ଉପରେ ଆଲୋଚନା ସହ ଆରମ୍ଭ ହେଲା ‘ସମ୍ବାଦ ସାହିତ୍ୟ ପକ୍ଷ

ସାହିତ୍ୟିକ ବିମର୍ଶର ଏକ ନିଆରା ମଞ୍ଚ

ସମ୍ବାଦ ପରିବାର ପକ୍ଷରୁ ଆୟୋଜିତ ୧୫-ଦିନିଆ ‘ସମ୍ବାଦ ସାହିତ୍ୟ ପକ୍ଷ’ର ପ୍ରଥମ ଦିବସରେ ଫେବ୍ରୁଆରି ଏକ ତାରିଖ ସନ୍ଧ୍ୟାରେ ୟୁନିଟ୍-୮, ଭୁବନେଶ୍ଵରରେ ଅବସ୍ଥିତ ‘ଆମ ଓଡ଼ିଶା’ର ନୂଆ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା ଉପନ୍ୟାସ ସାହିତ୍ୟ ସମ୍ପର୍କରେ ଏକ ଭାବଗର୍ଭକ ଆଲୋଚନା।
କାର୍ଯ୍ୟକ୍ରମର ଆରମ୍ଭରେ ସଭାମଞ୍ଚ ସମୀପରେ ଥିବା ଏକ ପୁଷ୍ପବୃକ୍ଷରେ ଜଳଦାନ କରିଥିଲେ ପ୍ରଖ୍ୟାତ ଔପନ୍ୟାସିକା ପ୍ରତିଭା ରାୟ। ନିଜର ଉଦ୍‌ଘାଟନୀ ଅଭିଭାଷଣରେ ‘ସମ୍ବାଦ’ ପରିବାରର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ ସମସ୍ତ ଅତିଥି ଓ ସାହିତ୍ୟପ୍ରେମୀମାନଙ୍କୁ ସ୍ବାଗତ କରି କହିଲେ ଯେ ‘ସମ୍ବାଦ’ ଓ ସାହିତ୍ୟର ସମ୍ପର୍କ ଏହି ସମ୍ବାଦପତ୍ରର ଜନ୍ମକାଳରୁ ନିବିଡ଼ ଥିଲା। ଏହାର ପ୍ରଥମ ସମ୍ପାଦକ ସୁରେନ୍ଦ୍ର ମହାନ୍ତି ସାହିତ୍ୟର ମଞ୍ଜି ମୂଳରୁ ହିଁ ବୁଣିଦେଇ ଯାଇଛନ୍ତି। ସମ୍ବାଦର ସମ୍ପାଦିକା ତନୟା ପଟ୍ଟନାୟକ କହିଲେ ଯେ ଏହି ମଞ୍ଚ ଜରିଆରେ ସାହିତ୍ୟ ଓ ସଂସ୍କୃତିରେ ପରିବର୍ତ୍ତନର ସ୍ବର ଝଙ୍କୃତ ହେବ। ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟ ଉତ୍ସବର ପରିବେଶ ପ୍ରତି ଲକ୍ଷ୍ୟ କରି ସେ କହିଲେ ଯେ ସାହିତ୍ୟରେ ଶୀତ ନାହିଁ, ଏଠାରେ ଚିର ବସନ୍ତ। ଉପନ୍ୟାସ ସାହିତ୍ୟ ସମ୍ପର୍କରେ ନିଜର ମତ ଦେଇ ସେ କହିଲେ ଯେ ଉପନ୍ୟାସ ହେଉଛି ଜୀବନ ଏବଂ ଜୀବନ ହେଉଛି ଉପନ୍ୟାସ। ସେ ମଧ୍ୟ କହିଲେ ଯେ ‘ଯାଜ୍ଞସେନୀ’କୁ ତାଙ୍କର ଶ୍ରେଷ୍ଠ ଉପନ୍ୟାସ ବୋଲି ଯାହା କୁହାଯାଉଛି, ସେଥିସହିତ ସେ ଏକମତ ନୁହନ୍ତି। ଅବଶ୍ୟ ତାଙ୍କର ବକ୍ତବ୍ୟ ସେତେ ସାରଗର୍ଭକ ହୋଇପାରିନଥିଲା।
ଏହାପରେ ଅନୁଷ୍ଠିତ ହୋଇଥିଲା ଉପନ୍ୟାସ ସାହିତ୍ୟ ସମ୍ପର୍କରେ ଏକ ଆଳାପର ପର୍ବ, ଯେଉଁଥିରେ “ଆଜିକାଲି ବଡ଼ କଳେବର ଯୁକ୍ତ ଓଡ଼ିଆ ଉପନ୍ୟାସ ଆଉ ଆସୁନାହିଁ କାହିଁକି?” ବିଷୟରେ ହୋଇଥିବା ଏକ ରୋଚକ ଆଳାପରେ ଭାଗ ନେଇଥିଲେ ସ୍ୱନାମଧନ୍ୟ ଔପନ୍ୟାସିକା ଯଶୋଧାରା ମିଶ୍ର ଓ ସୁସାହିତ୍ଯିକା ପ୍ରଜ୍ଞା ପ୍ରବର୍ତ୍ତିକା ଦାସ। ତେବେ ଯଶୋଧାରା ମିଶ୍ରଙ୍କଠାରୁ ଏହାର କୌଣସି ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ ଉତ୍ତର ଆସିପାରିନଥିଲା। ସେ ବରଂ କହିଲେ ଯେ ଉପନ୍ୟାସର କଳେବର ବଡ଼ କିମ୍ବା ଛୋଟ ହେବାକୁ ସେ ଏତେ ମହତ୍ତ୍ବପୂର୍ଣ୍ଣ ବୋଲି ମନେକରନ୍ତି ନାହିଁ। ପ୍ରଜ୍ଞା ପ୍ରବର୍ତ୍ତିକା ଦାସ କହିଲେ ଯେ ଏବର ଔପନ୍ୟାସିକମାନେ ପାଠକମାନଙ୍କୁ ବାନ୍ଧିରଖିବାର କ୍ଷମତା ହରାଇଥିବା ଏହାର ଏକ କାରଣ ହୋଇପାରେ। ଏହା ପରେ “ସାମ୍ପ୍ରତିକ ଓଡ଼ିଆ ଉପନ୍ୟାସରେ ଚରିତ୍ର ଅଛି, ଚିତ୍ର ନାହିଁ,” ବିଷୟରେ ହୋଇଥିବା ଏକ ଆଲୋଚନାରେ ଭାଗ ନେଇଥିଲେ ଜ୍ୟୋତି ନନ୍ଦ, ମାନସୀ ଦାସ, ବିୟତ୍‌‌ପ୍ରଜ୍ଞା ତ୍ରିପାଠୀ ଓ ସ୍ୱାଗତିକା ସ୍ୱାଇଁ। ଏହାର ସ୍ପଷ୍ଟ ଉତ୍ତର ରଖି ସୁବିଦିତ ଲେଖକ ଜ୍ୟୋତି ନନ୍ଦ କହିଲେ ଯେ ଆମେ ଚରିତ୍ରକୁ ଗତିଶୀଳତା ପ୍ରଦାନ କରିପାରୁ ନାହୁଁ ବୋଲି ଆଜି ଉପନ୍ୟାସରେ ଚରିତ୍ରମାନେ ଉପଯୁକ୍ତ ଭାବରେ ଚିତ୍ରିତ ହୋଇପାରୁନଥିବାର ପ୍ରଶ୍ନଟି ଉଠୁଛି। ପରିଶେଷରେ ମନୁଆ ଦାସ, ପିନାକୀ ଦାସ ଓ ବିଚିତ୍ର ବିଶ୍ବାଳ ସଭାମଞ୍ଚରେ ସ୍ବରଚିତ କବିତା ଆବୃତ୍ତି କରିଥିଲେ।
ଏହି ଅବସରରେ ମଞ୍ଚସ୍ଥ ହୋଇଥିଲା ପ୍ରତିଭା ରାୟଙ୍କ ‘ଯାଜ୍ଞସେନୀ’ ଉପନ୍ୟାସର ମାତ୍ର ୧୨ ମିନିଟ୍ ଅବଧିର ଏକ ନାଟ୍ୟରୂପ। ଏହି କାର୍ଯ୍ୟକ୍ରମର ଏକ ଲକ୍ଷଣୀୟ ଦିଗ ଥିଲା ବକ୍ତାମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ବକ୍ତବ୍ୟ ଶେଷ କରିବାପାଇଁ ଚେତାଇ ଦେବାକୁ ମଞ୍ଚ ସାମନାରେ ଥିବା ଏକ ସ୍କ୍ରିନ୍‌ରେ ସମୟ-ସୂଚକ ‘ଟାଇମର୍’ର ବ୍ୟବସ୍ଥା। ଏହି ବ୍ୟବସ୍ଥା ଗତବର୍ଷ ଅନୁଷ୍ଠିତ ହୋଇଥିବା ‘ସମ୍ବାଦ ସାହିତ୍ୟ ପକ୍ଷ’ର କାର୍ଯ୍ୟକ୍ରମରେ ମଧ୍ୟ ଲାଗୁ କରାଯାଇଥିଲା, ଯାହାକୁ ଏକ ଅତି ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେତେବେଳେ ‘ସାହିତ୍ୟ ଚର୍ଚ୍ଚା’ରେ ପ୍ରକାଶିତ ଏକ ସମ୍ପାଦକୀୟରେ କୁହାଯାଇଥିଲା। ତେବେ ଚଳିତ କାର୍ଯ୍ୟକ୍ରମର ପ୍ରଥମ ଦିନର ଉଦ୍‌ଘାଟନ ସମାରୋହରେ ନିଜର ବକ୍ତବ୍ୟ ରଖିବା ବେଳେ ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟ ବୋଧହୁଏ ଏହି ‘ଟାଇମର୍’ର ବନ୍ଧନରୁ ମୁକ୍ତ ଥିଲେ।
ଏହି ସାହିତ୍ୟ ପକ୍ଷ କାର୍ଯ୍ୟକ୍ରମ ଆସନ୍ତା ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ସାହିତ୍ୟ ଓ ସାହିତ୍ୟ-ଜଗତ ସହିତ ଜଡ଼ିତ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟ ଉପରେ ପ୍ରତିଦିନର ଆଲୋଚନା କେନ୍ଦ୍ରିତ ହେବ।
(ପ୍ରକାଶିତ: ୧ ଫେବ୍ରୁଆରି, ୨୦୨୬)

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ ଲୋକସାହିତ୍ୟବିତ୍ ମହେନ୍ଦ୍ର କୁମାର ମିଶ୍ର

ଓଡ଼ିଶାରୁ ଚାରିଜଣ ପାଇବେ ପଦ୍ମ ପୁରସ୍କାର

ଓଡ଼ିଶାର ବିଶିଷ୍ଟ ଲୋକସାହିତ୍ୟବିତ୍ ଓ ଲୋକ ସଂସ୍କୃତି ଗବେଷକ ମହେନ୍ଦ୍ର କୁମାର ମିଶ୍ର ଚଳିତ ବର୍ଷର ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି। ସେହିପରି ସାନ୍ତାଳୀ ଭାଷାର ସାହିତ୍ୟ ପ୍ରତି ନିଜର ଅବଦାନ ପାଇଁ ଏହି ସମ୍ମାନ ପାଇବାକୁ ଓଡ଼ିଶାରୁ ମନୋନୀତ ହୋଇଛନ୍ତି ଚରଣ ହେମ୍ବ୍ରମ। କଳା କ୍ଷେତ୍ରରେ ଅବଦାନ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି ଶରତ କୁମାର ପାତ୍ର (ବାନ୍ଧ କଳା) ଓ ସୀମାଞ୍ଚଳ ପାତ୍ର (ଲୋକନାଟ୍ୟ କଳା)।
ଓଡ଼ିଶାର ଲୋକସାହିତ୍ୟରେ ଗବେଷଣା ପାଇଁ ଏହି ସମ୍ମାନ ପାଇବାକୁ ବିବେଚିତ ହୋଇଥିବା ମହେନ୍ଦ୍ର କୁମାର ମିଶ୍ର ନିଜର ପ୍ରବନ୍ଧ ସାହିତ୍ୟ ପାଇଁ ୧୯୯୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କୃତ ହୋଇଥିଲେ। ୨୦୨୩ ମସିହାରେ ତା’ଙ୍କୁ ୟୁନେସ୍କୋ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା। ସେ ପଶ୍ଚିମ ଓଡ଼ିଶା, ବିଶେଷ କରି କଳାହାଣ୍ଡିର ଲୋକସାହିତ୍ୟ ଓ ଲୋକସଂସ୍କୃତି ବିଷୟରେ ଅନେକ ପୁସ୍ତକ ପ୍ରଣୟନ କରିଛନ୍ତି। ସମ୍ପ୍ରତି ସେ ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାୟପୁର ସହରରେ ନିବାସ କରୁଛନ୍ତି।
(ପ୍ରକାଶିତ: ୨୫ ଜାନୁଆରୀ, ୨୦୨୬)

ବିଶିଷ୍ଟ ଲେଖକ ଓ ସମ୍ପାଦକ ରବି କାନୁନଗୋଙ୍କ ଦେହାନ୍ତ

୮୦ ବର୍ଷ ବୟସରେ ପରଲୋକ

ବିଶିଷ୍ଟ ଲେଖକ ଓ ସମ୍ପାଦକ ରବି କାନୁନଗୋ ଜାନୁଆରୀ ୨୧ ତାରିଖର ବିଳମ୍ବିତ ରାତିରେ ଭୁବନେଶ୍ବରର ଏକ ଘରୋଇ ହାସପାତାଳରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ବର୍ଷ ଧରି ଅସୁସ୍ଥ ଥିଲେ ଏବଂ ରାଉରକେଲାରେ ରହୁଥିଲେ।
ସ୍ବର୍ଗତ କାନୁନଗୋ ଜଣେ ସ୍ତମ୍ଭକାର, ପ୍ରାବନ୍ଧିକ ଓ କଥାକାର ଭାବରେ ସୁପରିଚିତ ଥିଲେ ଏବଂ ଦୈନିକ ସମ୍ବାଦପତ୍ର ‘ସୂର୍ଯ୍ୟପ୍ରଭା’ର ସମ୍ପାଦକ ମଧ୍ୟ ଥିଲେ। ତାଙ୍କର ଲୋକପ୍ରିୟ ସ୍ତମ୍ଭ ଗୁଡ଼ିକ ମଧ୍ୟରେ ‘ବାଟେଘାଟେ’ (ପ୍ରଜାତନ୍ତ୍ର), ‘କଥା କିଞ୍ଚିତ’ (ସମ୍ବାଦ), ଓ ‘ମନେଥାଉ ସେମିତି ସେମିତି’ (ସମାଜ) ପ୍ରଭୃତି ଅନ୍ୟତମ ଥିଲା। ‘କଥା କିଞ୍ଚିତ’, ‘କାଗଜ ବାଘ’ ଓ ‘କେଶବତୀ କନ୍ୟା’ ସମେତ ତାଙ୍କର ବହୁ ଗଳ୍ପ ସଂକଳନ ମଧ୍ୟ ପ୍ରକାଶ ପାଇଛି। ସେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ବାରା ନିଜର ସାରସ୍ବତ କୃତି ପାଇଁ ସମ୍ମାନିତ ହୋଇଥିଲେ।
(ପ୍ରକାଶିତ: ୨୨ ଜାନୁଆରୀ, ୨୦୨୬)

ଓଡ଼ିଆ ସମେତ ସାତଟି ଭାଷାର ସାହିତ୍ୟ ପାଇଁ ପୁରସ୍କାର ଦେବେ ତାମିଲନାଡ଼ୁ ସରକାର

ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ ନ ହେବାର ପ୍ରତିକ୍ରିୟା

କିଛି ଦିନ ତଳେ ସମସ୍ତ ଭାରତୀୟ ଭାଷାର ସାହିତ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର‌ ଘୋଷଣା ହେବାର ମାତ୍ର କିଛି କ୍ଷଣ ପୂର୍ବରୁ ତାହା ବାତିଲ ହୋଇଯିବାର ପ୍ରତିକ୍ରିୟାରେ ତାମିଲନାଡ଼ୁ ସରକାର ‘ସେମୋଝି ପୁରସ୍କାର’ ନାମରେ ବିଭିନ୍ନ ସାତଟି ଭାଷାର ସାହିତ୍ୟ ପାଇଁ ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି। ଏଥିରେ ଓଡ଼ିଆ ଭାଷା ମଧ୍ୟ ଅନ୍ତର୍ଭୁକ୍ତ ଅଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍ ଘୋଷଣା କରିଛନ୍ତି ଯେ ତାଙ୍କର ସରକାର ପକ୍ଷରୁ ତାମିଲ୍, ତେଲୁଗୁ, କନ୍ନଡ଼, ମାଲୟାଲାମ୍, ଓଡ଼ିଆ, ବଙ୍ଗଳା ଓ ମରାଠୀ ଭାଷାର ସାହିତ୍ୟ ପାଇଁ ପୁରସ୍କାର ଦିଆଯିବ। ପ୍ରତ୍ୟେକଟି ଭାଷାର ସାହିତ୍ୟ ପାଇଁ ପୁରସ୍କାର ରାଶି ସ୍ବରୂପ ପାଞ୍ଚ ଲକ୍ଷ ଟଙ୍କା ପ୍ରଦତ୍ତ ହେବ। ଲକ୍ଷ୍ୟ କରାଯାଇପାରେ ଯେ କେବଳ ଅଣହିନ୍ଦୀ ଶ୍ରେଣୀର ଭାଷାଗୁଡ଼ିକ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ସାହିତ୍ୟ ଏକାଡେମୀର ପୁରସ୍କାର ଘୋଷଣା ବାତିଲ ହେବାକୁ ନିନ୍ଦା କରି ଶ୍ରୀ ଷ୍ଟାଲିନ୍ କହିଛନ୍ତି ଯେ ଏହା ଏକ ବିପଜ୍ଜନକ ନିଷ୍ପତ୍ତି। ସେ ମଧ୍ୟ କହିଛନ୍ତି ଯେ ଏହି ଘୋଷଣା ବାତିଲ କରାଯିବା ପରେ ଏ ସମ୍ପର୍କରେ ବିହିତ ପଦକ୍ଷେପ ନେବାପାଇଁ କେତେଜଣ ସାହିତ୍ୟିକ ତା’ଙ୍କୁ ଅନୁରୋଧ କରିଥିଲେ।
ଏହି ସମ୍ପର୍କରେ ଉଲ୍ଲେଖ କରାଯାଇପାରେ ଯେ ଗତ ଡିସେମ୍ବର ମାସରେ ସାହିତ୍ୟ ଏକାଡେମୀର ପୁରସ୍କାର ଘୋଷଣାକୁ ଶେଷ ମୁହୂର୍ତ୍ତରେ ବାତିଲ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସାହିତ୍ୟ ଏକାଡେମୀକୁ ପଠାଯାଇଥିବା ଏକ ଚିଠିରେ କୁହାଯାଇଥିଲା ଯେ ସରକାରଙ୍କ ଦ୍ବାରା ବିଭିନ୍ନ ଏକାଡେମୀର ପୁରସ୍କାର ପାଇଁ ନୀତି ଓ ଦିଶାନିର୍ଦ୍ଦେଶ ପ୍ରଣୟନ ହେବାପରେ ହିଁ ପୁରସ୍କାରଗୁଡ଼ିକ ଘୋଷିତ ହେବ। କିନ୍ତୁ ନୀତି ପ୍ରଣୟନରେ ଅଯଥା ବିଳମ୍ବ ହେଉଥିବାରୁ ତାମିଲନାଡ଼ୁ ଭଳି ବିରୋଧୀଦଳର ଅଧୀନରେ ଥିବା ରାଜ୍ୟ ସରକାରମାନେ ଗୋଳିଆ ପାଣିରୁ ଫାଇଦା ଉଠାଇବାର ସୁଯୋଗ ପାଇଛନ୍ତି। ଅନ୍ୟ ଏକ ସୂତ୍ରରୁ ଜଣାଯାଏ ଯେ ଏହାର ପୂର୍ବ ବର୍ଷ ଏକ ନିର୍ଦ୍ଦିଷ୍ଟ ବଙ୍ଗୀୟ ପୁସ୍ତକକୁ ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କୃତ ପୁସ୍ତକର ତାଲିକାରେ ରଖାଯାଇଥିବାରୁ ଶେଷ ମୁହୂର୍ତ୍ତରେ କେନ୍ଦ୍ର ସରକାରଙ୍କ ଚାପରେ ସେହି ବର୍ଷ ବଙ୍ଗଳା ଭାଷା ପାଇଁ ପୁରସ୍କାରର ଘୋଷଣା ସ୍ଥଗିତ ରଖାଯାଇଥିଲା। ଏ ବର୍ଷ ସାହିତ୍ୟ ଏକାଡେମୀର ପୁରସ୍କାର ସମ୍ପୂର୍ଣ୍ଣ ଭାବରେ ବାତିଲ ହେବା ପଛରେ ମଧ୍ୟ ସେମିତି ଏକ ଘଟଣାର ପୁନରାବୃତ୍ତି ଥାଇପାରେ ବୋଲି କିଛିଜଣ ସାହିତ୍ୟିକ ଆଶଙ୍କା ପ୍ରକାଶ କରୁଛନ୍ତି। ତେବେ ଏବେ ତାମିଲନାଡୁ ସରକାରଙ୍କ ଦ୍ବାରା ପ୍ରସ୍ତାବିତ ପୁରସ୍କାର ମଧ୍ୟ ଯେ ବିରୋଧୀ ଦଳର ସମର୍ଥକ ସାହିତ୍ୟିକମାନଙ୍କୁ ପୁରସ୍କୃତ କରିବାର ଏକ ଅସ୍ତ୍ର ଭାବରେ ବ୍ୟବହୃତ ନ ହେବ, ତାହା କହିହେବ ନାହିଁ।
(ପ୍ରକାଶିତ: ୨୦ ଜାନୁଆରୀ, ୨୦୨୬)

ନୃସିଂହ ଷଡ଼ଙ୍ଗୀ ପାଇବେ ଓଡ଼ିଶା ସରକାରଙ୍କ ବ୍ୟାସକବି ଫକୀରମୋହନ ଭାଷା ପୁରସ୍କାର

ପାଞ୍ଚ ବର୍ଷ ପରେ ଘୋଷିତ ହେଲା ୨୦୨୧ର ପୁରସ୍କାର

ଓଡ଼ିଶା ସରକାରଙ୍କ ମର୍ଯ୍ୟାଦାଜନକ ‘ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ’ ପାଇବା ପାଇଁ ମନୋନୀତ ହୋଇଛନ୍ତି ବିଶିଷ୍ଟ ସାହିତ୍ୟ ସମାଲୋଚକ ନୃସିଂହ ଚରଣ ଷଡ଼ଙ୍ଗୀ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ଜାରି ହୋଇଥିବା ଏକ ବିଜ୍ଞପ୍ତିରୁ ଜଣା ପଡ଼ିଛି ଯେ ଶ୍ରୀ ଷଡ଼ଙ୍ଗୀ ୨୦୨୧ ମସିହା ପାଇଁ ଏହି ପୁରସ୍କାର ପାଇବେ। ଏହାର ପୂର୍ବ ବର୍ଷ ମଧ୍ୟ ଶ୍ରୀ ଷଡ଼ଙ୍ଗୀ ଅନ୍ୟ ଜଣେ ସାହିତ୍ୟିକଙ୍କ ସହ ଯୌଥ ଭାବରେ ଏହି ପୁରସ୍କାର ପାଇଁ ଚୟନିତ ହୋଇଥିଲେ; କିନ୍ତୁ ଶେଷ ମୁହୂର୍ତ୍ତରେ ଚୂଡାନ୍ତ ବିଚାର ହୋଇ ତାଙ୍କୁ ଏଥିରୁ ବଞ୍ଚିତ କରାଯାଇଥିଲା।
୨୦୧୮ ମସିହାରୁ ଏହି ପୁରସ୍କାର ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇ ଆସୁଛି। କିନ୍ତୁ ଗତ କିଛି ବର୍ଷ ହେଲା ଏହି ପୁରସ୍କାର ପ୍ରଦାନ ପ୍ରକ୍ରିୟା ନିତାନ୍ତ ଅନିୟମିତ ହୋଇଯିବା ଫଳରେ ୨୦୨୧ ମସିହାର ପୁରସ୍କାର ଦୀର୍ଘ ପାଞ୍ଚ ବର୍ଷ ପରେ, ଅର୍ଥାତ୍ ୨୦୨୬ ମସିହାରେ ଘୋଷଣା କରାଯାଇଛି। ଏହି ପୁରସ୍କାର ବାବଦରେ ଶ୍ରୀ ଷଡ଼ଙ୍ଗୀ ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇବେ। ଆସନ୍ତା ଜାନୁଆରୀ ୧୪ ତାରିଖ ଦିନ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉପସ୍ଥିତିରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ସଭାଗାରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ବତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡିଛି।
(ପ୍ରକାଶିତ: ୧୨ ଜାନୁଆରୀ, ୨୦୨୬)

ଉତ୍ତର ଆମେରିକାରେ ଶୀତକାଳୀନ ସାହିତ୍ୟ ସଭା: ‘ଆମ ଓଡ଼ିଆ ଉପନ୍ୟାସ’

ଆମେରିକୀୟ ଓଡ଼ିଆଙ୍କ ସାହିତ୍ୟ ଆଲୋଚନା

ଏବେ ଉତ୍ତର ଆମେରିକାରେ କେଉଁଠି ତୁଷାରପାତ ତ କେଉଁଠି ଶୀତୁଆ ପାଗ ସହିତ ଝିପି ଝିପି ବର୍ଷା। କହିବାକୁ ଗଲେ ପ୍ରାୟ ଛୁଟି ଦିନମାନଙ୍କରେ ଅନେକେ ଘରର ଚାରିକାନ୍ଥ ଭିତରେ ଆବଦ୍ଧ। ଏହାର ସୁଯୋଗ ନେଇ ଜାନୁଆରୀ ୧୦ ତାରିଖ ସଂଧ୍ୟାରେ ‘ଓସା’ (ଓଡ଼ିଶା ସୋସାଇଟି ଅଫ୍ ଆମେରିକାସ୍) ଅନୁଷ୍ଠାନ ତରଫରୁ ଆଭାସୀ ମାଧ୍ୟମରେ ଏକ ଶୀତକାଳୀନ ସାହିତ୍ୟ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଆଲୋଚନାର ବିଷୟବସ୍ତୁ ଥିଲା, “ଆମ ଓଡ଼ିଆ ଉପନ୍ୟାସ”। ଏହାକୁ ‘ଓସା’ର ସାହିତ୍ୟ ଓ ସଂସ୍କୃତି ବିଭାଗର ସଦସ୍ୟ ପ୍ରଶାନ୍ତ ଭୂୟାଁ, ତାପସୀ ମହାପାତ୍ର ଓ ଗଗନ ପାଣିଗ୍ରାହୀ ପରିଚାଳନା କରିଥିଲେ।
ଏହି ସଭାରେ ଯୋଗ ଦେଇ ସର୍ବପ୍ରଥମେ ‘ଓସା’ର ସଭାପତି ନାଗେଶ ରାଜନାଲା ଏହାର ଉଦ୍ଦେଶ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
କାନାଡ଼ା ଓ ଆମେରିକାରୁ ଯେଉଁମାନେ ବିଭିନ୍ନ ସ୍ୱାଦର ଉପନ୍ୟାସ ଉପରେ ଆଲୋଚନା କଲେ ସେମାନେ ହେଲେ ଚନ୍ଦ୍ରା ମିଶ୍ର (‘କାଳୀବୋହୂ’- କୁନ୍ତଳାକୁମାରୀ ସାବତ), ସଂଯୁକ୍ତା ଶତପଥୀଙ୍କ ଅନୁପସ୍ଥିତିରେ ତାଙ୍କ ପାଇଁ ଅଶୋକ ପାଣିଗ୍ରାହୀ (‘ନିଜ ନିଜ ପାନିପଥ’ -ଜଗଦୀଶ ମହାନ୍ତି), କନକ ହୋତା (‘ପୁନର୍ନବା’-ଦୀନନାଥ ପାଠୀ), କୁକୁ ଦାଶ (‘ପଗଡ଼ି ପୁରୁଷ’- ଦାଶ ବେନହୁର), ସଲୋନୀ ମହାନ୍ତି (‘ଅପରିଚିତା’-ପ୍ରତିଭା ରାୟ), ଶ୍ୱେତପଦ୍ମା ଦାଶ (‘ବୁନ୍ଦାଏ ପାଣି’- ଗୋପୀନାଥ ମହାନ୍ତି), ପ୍ରଦୀପ ମହାପାତ୍ର (‘ଏଇଠି ଆକାଶ”-ରାମଚନ୍ଦ୍ର ବେହେରା), ସୁନନ୍ଦା ମିଶ୍ର ପଣ୍ଡା (‘ଅମୃତର ସନ୍ତାନ’- ଗୋପୀନାଥ ମହାନ୍ତି), ସାନ୍ତ୍ୱନା ଦାଶ (‘ମାମୁଁ’- ଫକୀର ମୋହନ ସେନାପତି), ସୁମିତ୍ରା ପାଢ଼ୀ (‘ପ୍ରେମପଥେ’- ଗୋଦାବରୀଶ ମହାପାତ୍ର), ସୁବ୍ରତ ମହାନ୍ତି (‘କଳାବତୀ’-ଅପର୍ଣ୍ଣା ପଣ୍ଡା) ଓ ଗଗନ ପାଣିଗ୍ରାହୀ (‘ଅନ୍ଧ ଦିଗନ୍ତ’- ସୁରେନ୍ଦ୍ର ମହାନ୍ତି)।
ସମସ୍ତେ ଅତି ସୁନ୍ଦର ଭାବରେ ସୀମିତ ସମୟ ମଧ୍ୟରେ ଉପନ୍ୟାସର ଚରିତ୍ର ଓ କଥାବସ୍ତୁ ଉପରେ ଆଲୋଚନା କରିଥିଲେ।
ଉପନ୍ୟାସ ଆଲୋଚନା ଶେଷରେ ତାପସୀ ମହାପାତ୍ର ଉପନ୍ୟାସ କ’ଣ ଓ କିପରି ତାଙ୍କ ଉପରେ ଏହା ପ୍ରଭାବ ପକାଇଥିଲା ସେ ବିଷୟରେ ସେ ଆଲୋଚନା କରି ନିଜର ଅଭିଜ୍ଞତା ଅତି ସୁନ୍ଦର ଓ ସାବଲୀଳ ଭାବରେ ଉପସ୍ଥାପନା କରିଥିଲେ। ସବୁକୁ ଏକତ୍ର କରି ଶେଷରେ ପ୍ରଶାନ୍ତ ଭୂୟାଁ ଉପନ୍ୟାସର ଅର୍ଥ, ଓଡ଼ିଆ ଉପନ୍ୟାସର ଆରମ୍ଭ, ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ଉପରେ ସାରଗର୍ଭକ ମନ୍ତବ୍ୟ ରଖିଥିଲେ।
ସର୍ବଶେଷରେ ‘ଓସା’ର ଉପସଭାପତି ଉତ୍କଳ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସାହିତ୍ୟ ସଭାରେ ଅନେକ ବୟୋଜ୍ୟେଷ୍ଠ ସାହିତ୍ୟପ୍ରେମୀ, ଯଥା, ବିଜୟ ମିଶ୍ର, ହର ପାଢ଼ୀ, ଲାଲୁ ମାନସିଂ, ଶ୍ରୀଗୋପାଳ ମହାନ୍ତିଙ୍କ ସମେତ ଉତ୍ତର ଆମେରିକାର ବିଭିନ୍ନ ସ୍ଥାନରୁ ଆହୁରି ଅନେକ ବ୍ୟକ୍ତି ଶ୍ରୋତା ହିସାବରେ ଯୋଗଦାନ କରିଥିଲେ।
(ପ୍ରକାଶିତ: ୧୨ ଜାନୁଆରୀ,୨୦୨୬)

ବ୍ୟଙ୍ଗସାହିତ୍ୟ ଉପରେ ଆଲୋଚନା: ହାସ୍ୟମେବ ଜୟତେ

ହାସ୍ୟରସ ବିଷୟରେ ଆଲୋଚନାଚକ୍ର

ଲେଖକ ସାମ୍ମୁଖ୍ୟ, ଓଡ଼ିଶା, ପକ୍ଷରୁ ଜାନୁଆରୀ ୧୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରର ରାଜଧାନୀ କଳା ସଂସଦ ସଭାଗୃହରେ ‘ହାସ୍ୟମେବ ଜୟତେ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟଙ୍ଗସାହିତ୍ୟ ସହିତ ସମ୍ପୃକ୍ତ ଛଅ ଜଣ ପ୍ରତିଭାଧର ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ଆଲୋଚନା ଆରମ୍ଭ କରି ବିଶିଷ୍ଟ କଥାକାର ଓ ରମ୍ୟରଚନାକାର ପୀତବାସ ରାଉତରାୟ କହିଲେ ଯେ ବହୁ ବର୍ଷ ତଳେ ହିନ୍ଦୀ ପତ୍ରିକା, ‘ସାରିକା’ରେ ପ୍ରକାଶିତ ଏକ ରଚନା ପଢ଼ି ସେ ବ୍ୟଙ୍ଗସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ। ସେ ମଧ୍ୟ କହିଲେ ଯେ ଗୋଟିଏ ଧାଡ଼ିର ବ୍ୟଙ୍ଗରେ ଅମାପ ଶକ୍ତି ଭରିରହିଥାଏ। ହାସ୍ୟରସ ମାଧ୍ୟମରେ କେତେକ ବ୍ୟାଧିରୁ ଉପଶମ ମଧ୍ୟ ସମ୍ଭବ ହୋଇଥାଏ।
ଲୋକପ୍ରିୟ ବ୍ୟଙ୍ଗଶିଳ୍ପୀ ଜ୍ଞାନ ହୋତା ‘ମଞ୍ଚରେ ବ୍ୟଙ୍ଗକବିତାର ସ୍ଥାନ’ ବିଷୟରେ ଉପଯୋଗୀ ବ୍ୟାଖ୍ୟା ରଖିଥିଲେ। ସେ କହିଲେ ଯେ ହାସ୍ୟ ହେଉଛି ବ୍ୟଙ୍ଗ ପାଇଁ ଏକ ପ୍ରବେଶପଥ। ସେ ମତ ଦେଇଥିଲେ ଯେ ବ୍ୟଙ୍ଗରସ ପରିବେଷିତ ହେଉଥିବା ମଞ୍ଚରେ ଆମେ ସାହିତ୍ୟ ଖୋଜିଲେ ମିଳିବନାହିଁ। ବିଶିଷ୍ଟ ବ୍ୟଙ୍ଗ ସାହିତ୍ୟିକ ଅଜୟ କୁମାର ମିଶ୍ର ନିଜର ଆଲୋଚନାରେ ‘ଲୋକବାଣୀ ଓ ଢ଼ଗଢ଼ମାଳିରେ ହାସ୍ୟବ୍ୟଙ୍ଗ’ ଉପରେ ଆଲୋକପାତ କରିଥିଲେ। ସେ କହିଲେ ଯେ ପ୍ରତ୍ୟେକ ବ୍ଯଙ୍ଗକାର ହେଉଛନ୍ତି ସମାଜର ଦୁଷ୍ଟ ବ୍ରଣମାନଙ୍କର ଚିକିତ୍ସା କରିବା ପାଇଁ ଜଣେ ଜଣେ ଶଲ୍ୟ ଚିକିତ୍ସକ। ‘ରମ୍ୟ ରଚନାରେ ହାସ୍ୟରସ’ ବିଷୟରେ ଚର୍ଚ୍ଚା କରି ସୁଲେଖକ ବୈଷ୍ଣବ ଚରଣ ମହାନ୍ତି କହିଲେ ଯେ ପ୍ରବନ୍ଧସାହିତ୍ୟ ବୁଢ଼ା ହୋଇଗଲାଣି। ଯେତେବେଳେ ପ୍ରବନ୍ଧ ଟୋକା ହେବାପାଇଁ ଚେଷ୍ଟା କଲା, ତାହା ରମ୍ୟରଚନା ହୋଇଗଲା। ଯଦି ଗୋଟିଏ ପ୍ରବନ୍ଧ ପଢ଼ି ଜଣେ ହସିଲା, ତାହା ହେଉଛି ରମ୍ୟରଚନା। ସୁବିଦିତ ବ୍ୟଙ୍ଗକବି ସତ୍ୟାନାଶ ଗୋଟିଏ ହାସ୍ୟକବିତାର ଆବୃତ୍ତିରୁ ନିଜର ବକ୍ତବ୍ୟ ଆରମ୍ଭ କରି ବିଭିନ୍ନ ଉଦାହରଣ ମାଧ୍ୟମରେ ‘ପ୍ୟାରୋଡି’ ବା ଲାଳିକାର ମହତ୍ତ୍ବ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ଚଳଚ୍ଚିତ୍ର ବିଶେଷଜ୍ଞ ପ୍ରିୟବ୍ରତ ପଣ୍ଡା ଆଲୋଚ୍ୟ ବିଷୟଟିକୁ ଚଳଚ୍ଚିତ୍ର ଓ ଟେଲିଭିଜନ ପରଦାର ଦିଗକୁ ଆଗେଇନେଇ ମତ ଦେଇଥିଲେ ଯେ ସିନେମା ଏକ ପରିପୂରକ ସାହିତ୍ୟ। ଏହି ପ୍ରସଙ୍ଗରେ ସେ କେତୋଟି ବ୍ୟଙ୍ଗ ଆଧାରିତ ଚଳଚ୍ଚିତ୍ରର ଉଦାହରଣ ଦେଇଥିଲେ।
କାର୍ଯ୍ୟକ୍ରମଟିରେ ସଭାପତିତ୍ବ କରିଥିଲେ ଲେଖକ ସାମ୍ମୁଖ୍ୟର ସଭାପତି ସୁର୍ଯ୍ୟମଣି ତ୍ରିପାଠୀ। ଅତିଥି ପରିଚୟ ପ୍ରଦାନ କରିଥିଲେ ଅନୁଷ୍ଠାନର ସମ୍ପାଦକ ଅଭୟ ନାୟକ। ଏହି ସମାରୋହରେ ପ୍ରାୟ ୬୦ ଜଣ ସାହିତ୍ୟପ୍ରେମୀ ଶ୍ରୋତାଙ୍କର ସମାଗମ ହୋଇଥିଲା। ତେବେ ଉପସ୍ଥିତ ଶ୍ରୋତାମାନେ ବ୍ୟଙ୍ଗ ସାହିତ୍ୟ ଉପରେ ଏକ ଗମ୍ଭୀର ଆଲୋଚନା ଅପେକ୍ଷା ବରଂ ଜ୍ଞାନ ହୋତାଙ୍କ ମୁହଁରୁ ହସକଥା ଓ ଅଜୟ କୁମାର ମିଶ୍ରଙ୍କଠାରୁ ହାସ୍ୟୋଦ୍ଦୀପକ ଢ଼ଗଢ଼ମାଳି ଶୁଣିବାକୁ ଅଧିକ ପସନ୍ଦ କରିଥିବାର ଲକ୍ଷ୍ୟ କରାଯାଇଥିଲା। କାର୍ଯ୍ୟକ୍ରମର ଆଭିମୁଖ୍ୟକୁ ନେଇ ମଧ୍ୟ କିଛିଟା ଦ୍ୱନ୍ଦ୍ବ ଦେଖିବାକୁ ମିଳିଥିଲା; କାରଣ ସଭାର ନିମନ୍ତ୍ରଣପତ୍ରରେ ଏହାକୁ ହାସ୍ୟବ୍ୟଙ୍ଗର ଏକ ଅଧିବେଶନ ବୋଲି ସୂଚନା ଦିଆଯାଇଥିଲା ଏବଂ ଆରମ୍ଭରେ ଅନୁଷ୍ଠାନର ସମ୍ପାଦକ ମଧ୍ୟ ନିଜର ବକ୍ତବ୍ୟରେ ମନ୍ତବ୍ୟ ଦେଇଥିଲେ ଯେ ‘ଏହି ସଭା ହେଉଛି ହସିବାର ବେଳ।’ କିନ୍ତୁ ବାସ୍ତବରେ ଏହା ହାସ୍ୟରସ ପରିବେଷଣ ଜନିତ ଏକ ଅବସର ନହୋଇ ହାସ୍ୟରସ ବିଷୟରେ ଏକ ଗମ୍ଭୀର ଆଲୋଚନା ସଭା ଥିଲା।
(ପ୍ରକାଶିତ: ୧୧ ଜାନୁଆରୀ,୨୦୨୬)

ଉନ୍ମୋଚିତ ହେଲା ଚାରିଦିନିଆ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ

ପାଞ୍ଚଟି ଦେଶରୁ ବହୁ ସାହିତ୍ୟିକଙ୍କ ଯୋଗଦାନ

ସୁବିଦିତ ସାହିତ୍ୟ ମହୋତ୍ସବ ‘କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ୍‌’ର ଦ୍ବାଦଶ ଅଧ୍ୟାୟ ଭୁବନେଶ୍ବରର ମେ’ଫେଆର୍ କନଭେନ୍‌ସନ୍‌ରେ ଜାନୁଆରୀ ୮ ତାରିଖ ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଆରମ୍ଭରେ ଅନୁଷ୍ଠାନର ସି.ଇ.ଓ ଅଶୋକ କୁମାର ବଳ ଓ ପ୍ରତିଷ୍ଠାତା ନିର୍ଦ୍ଦେଶକ ରଶ୍ମୀରଂଜନ ପରିଡ଼ା ଅତିଥିମାନଙ୍କର ସ୍ୱାଗତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏହି ଉପଲକ୍ଷେ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ ଶ୍ରୀଲଙ୍କାର ଗ୍ରାମ ଉନ୍ନୟନ ଓ ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ, ଉପାଲି ପାନିଲାଗି, ରାଜ୍ୟର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପାର୍ଲିଆମେଣ୍ଟ ସଦସ୍ୟ ସୁଜିତ କୁମାର, ବିଶିଷ୍ଟ ସ୍ଥାପତ୍ୟ ଶିଳ୍ପୀ ସୁଦର୍ଶନ ସାହୁ, ପ୍ରସିଦ୍ଧ ଲେଖିକା ପ୍ରତିଭା ରାୟ ଓ ‘ସମ୍ବାଦ’ର ସମ୍ପାଦିକା ତନୟା ପଟ୍ଟନାୟକ। କେ.ଏଲ୍.ଏଫ୍ ପକ୍ଷରୁ ବର୍ଷୀୟାନ ଲେଖକ ଅଚ୍ୟୁତାନନ୍ଦ ପତିଙ୍କୁ ତା’ଙ୍କ ଅନୁପସ୍ଥିତିରେ ‘ଲିଭିଙ୍ଗ ଲିଜେଣ୍ଡ’ ପୂରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଅନ୍ୟ ପ୍ରତିଭାଧରମାନେ ମଧ୍ୟ ସମ୍ମାନିତ ହୋଇଥିଲେ।
ଉଦ୍‌ଘାଟନ ସଭାରେ ଅନେକ ସାହିତ୍ୟିକ ଓ ସାହିତ୍ୟପ୍ରେମୀଙ୍କ ଦ୍ବାରା ମେ’ଫେଆର୍ ସଭାଗାରଟି ଭରପୁର ହେବାର ଦେଖାଯାଇଥିଲା। ଏହି ଚାରିଦିନିଆ ମହୋତ୍ସବରେ ଅନୁଷ୍ଠିତ ହେବାକୁ ଥିବା ପ୍ରାୟ ୧୦୦ଟି ଅଧିବେଶନରେ ପାଞ୍ଚଟି ଦେଶର ପ୍ରାୟ ୫୦୦ ଜଣ ବକ୍ତା ବିବିଧ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।
(ପ୍ରକାଶିତ: ୮ ଜାନୁଆରୀ ୨୦୨୬)

ବିଚ୍ଛିନ୍ନାଞ୍ଚଳରେ ବେସରକାରୀ ଉଦ୍ୟମରେ ଚାଲିଛି ୬୦ଟି ଓଡ଼ିଆ ଚାଟଶାଳୀ

ଓଡ଼ିଆ ଭାଷାଶିକ୍ଷାର ସରକାରୀ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଝାରଖଣ୍ଡ ରାଜ୍ୟର ସିଂହଭୁମ, ଷଢେ଼ଇକଳା, ଖରସୁଆଁ ଓ ଛତିଶଗଡ଼ ରାଜ୍ୟର ରାୟଗଡ଼ା, ମହାସମୁଦ ଆଦି ଅଞ୍ଚଳରେ ଭୁବନେଶ୍ବରର ଏକ ବେସରକାରୀ ତଥା ନିଷ୍ଠାପର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ’ ପକ୍ଷରୁ ସେଠାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷାକୁ ବଞ୍ଚାଇରଖିବା ପାଇଁ ୬୦ଟି ଚାଟଶାଳୀ ପରିଚାଳିତ ହେଉଛି। ଅନୁଷ୍ଠାନର ସଦସ୍ୟମାନେ ନିଜର ବ୍ୟକ୍ତିଗତ ଦାନ ବଳରେ ପାଣ୍ଠି ସଂଗ୍ରହ କରି ଏହି ଚାଟଶାଳୀର ଶିକ୍ଷାଦାତାମାନଙ୍କୁ ଯତ୍‌ସାମାନ୍ୟ ମାନଧନ ଦେଉଛନ୍ତି। ଏହି ଚାଟଶାଳୀଗୁଡ଼ିକ ପାଇଁ ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ସହଯୋଗୀ ପରିବାର ନିଜ ଘର ଭିତରେ ସ୍ଥାନ ଦେବା ସହିତ ଛାତ୍ରଛାତ୍ରୀମାନଙ୍କୁ ଏକତ୍ର କରି ସେହି ପରିବାରର ବୟସ୍କ ସଦସ୍ୟମାନେ ପ୍ରତିଦିନ ସମୟ ଦାନ ପୂର୍ବକ ପିଲାଙ୍କୁ ଓଡ଼ିଆ ଭାଷା ପଢ଼ାଉଛନ୍ତି। ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ପକ୍ଷରୁ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କଠାରୁ ସଂଗୃହୀତ ଦାନ ବଳରେ ଗତ ବର୍ଷ ୧୦ ହଜାର ଖଣ୍ଡ ବର୍ଣ୍ଣବୋଧ ବହି ଛପାଯାଇ ବିଚ୍ଛିନ୍ନାଞ୍ଚଳରେ ବଣ୍ଟା ଯାଇଛି। ଏହା ଛଡ଼ା ଏହି ଅନୁଷ୍ଠାନ ପକ୍ଷରୁ ସେହି ଅଞ୍ଚଳରେ ପ୍ରାୟ ୩୦୦ଟି ଭାଗବତ ଟୁଙ୍ଗି ମଧ୍ୟ ପରିଚାଳିତ ହେଉଛି। ଭୁବନେଶ୍ବରରେ ରହୁଥିବା ୯୨ ବର୍ଷ ବୟସ୍କ ଭାଷାପ୍ରେମୀ ପର୍ଶୁରାମ ଦ୍ବିବେଦୀ ହେଉଛନ୍ତି ଏହି ଅନୁଷ୍ଠାନ ପଛର ମୁଖ୍ୟ ପ୍ରେରଣା।
ଅପର ପକ୍ଷରେ ସେହି ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଐଚ୍ଛିକ ଭାବରେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦେବାପାଇଁ ନିଯୁକ୍ତ ହୋଇଥିବା ଓଡ଼ିଆ ଭାଷା ଶିକ୍ଷକମାନଙ୍କୁ ଉତ୍କଳ ସମ୍ମିଳନୀ ଜରିଆରେ ଦରମା ଦେବାପାଇଁ ଓଡ଼ିଶା ସରକାର କିଛି ବର୍ଷ ପୂର୍ବେ ଯେଉଁ ବ୍ୟବସ୍ଥା ଆରମ୍ଭ କରିଥିଲେ ତାହା ବିପର୍ଯ୍ୟସ୍ତ ହୋଇଛି। ଗତ ଦୁଇବର୍ଷ ହେଲା ଏହି ଶିକ୍ଷକମାନଙ୍କୁ ସରକାର କିମ୍ବା ଉତ୍କଳ ସମ୍ମିଳନୀ ସେମାନଙ୍କର ମାସିକ ଦେୟ ପ୍ରଦାନ କରିପାରିନାହାନ୍ତି। ପୂର୍ବରୁ ସେମାନେ ମାସିକ ଟ.୩୦୦୦ ଟଙ୍କା ଦରମା ପାଉଥିଲେ; କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାୟ ବର୍ଷକ ତଳେ ନିଜର ଝାରଖଣ୍ଡ ଗସ୍ତ କାଳରେ ଏହାକୁ ଟ.୬୦୦୦କୁ ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ। ଅଥଚ ଏହି ବର୍ଦ୍ଧିତ ଦରମା ମିଳିବା ତ ଦୂରର କଥା, ଗତ ଦୁଇବର୍ଷ ହେଲା କୌଣସି ଶିକ୍ଷକ କିଛି ହିଁ ପ୍ରାପ୍ୟ ପାଇନାହାନ୍ତି। ଫଳରେ ସେଠାକାର ଓଡ଼ିଆ ଭାଷା ଶିକ୍ଷକମାନେ ନିରୁତ୍ସାହିତ ଅବସ୍ଥାରେ ଅଛନ୍ତି। ଅନ୍ୟ ଏକ ସୂତ୍ରରୁ ଜଣାଯାଏ ଯେ ଉତ୍କଳ ସମ୍ମିଳନୀର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ କାରଣରୁ ଏହା ତିନିଭାଗ ହୋଇଯିବା ଫଳରେ ଅନୁଷ୍ଠାନଟି ଜରିଆରେ ସରକାରଙ୍କ ଦ୍ବାରା ଓଡ଼ିଆ ଭାଷା ଶିକ୍ଷକଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯିବାରେ ସମସ୍ୟା ଉପୁଜିଛି।
(ପ୍ରକାଶିତ: ୨୫ ଡିସେମ୍ବର, ୨୦୨୫)

ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଶୀଘ୍ର ଖୋଲିବ ‘ସେଣ୍ଟର୍ ଫର୍ ଓଡ଼ିଆ ଷ୍ଟଡିଜ୍’

ଦେଶରେ ହେବ ସର୍ବପ୍ରଥମ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟା କ୍ରମେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଶୀଘ୍ର ଖୋଲିବାକୁ ଯାଉଛି ଏକ ‘ସେଣ୍ଟର୍ ଫର୍ ଓଡ଼ିଆ ଷ୍ଟଡିଜ୍’। ଦେଶର ରାଜଧାନୀରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଷୟରେ ଉଚ୍ଚତର ଅଧ୍ୟୟନ ଓ ଗବେଷଣା ପାଇଁ ଏହା ପଥ ପ୍ରଶସ୍ତ କରିବ। ଦେଶର କୌଣସି ବିଶ୍ବବିଦ୍ୟାଳୟରେ ଗୋଟିଏ ଭାଷାର ଏହିଭଳି ସ୍ବତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ହେବା ଏହା ସର୍ବପ୍ରଥମ।
ଦିଲ୍ଲୀ ବିଶ୍ବବିଦ୍ୟାଳୟର ଡିନ୍ ବଳରାମ ପାଣି ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ଗୋଟିଏ ପ୍ରସ୍ତାବ ୟୁ.ଜି.ସିକୁ ପଠାଯାଇଛି। ଆବଶ୍ୟକ ମଞ୍ଜୁରୀ ପାଇବା ପରେ ଆସନ୍ତା ବର୍ଷଠାରୁ ଏହି କେନ୍ଦ୍ରରେ ଓଡ଼ିଆ ବିଷୟରେ ଏମ୍.ଏ, ପିଏଚ୍.ଡି ତଥା ପୋଷ୍ଟ-ପିଏଚ୍.ଡି ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଏହି ଅଧ୍ୟୟନ କେନ୍ଦ୍ର ବାବଦରେ ୩୯ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରହିଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟର କୁଳପତି ଯୋଗେଶ ସିଂହ ଏ ବିଷୟରେ ଏକ ବିବୃତି ଦେଇ କହିଛନ୍ତି ଯେ ଏହି କେନ୍ଦ୍ର ପ୍ରତିଷ୍ଠା ହେବାପରେ ଆଗାମୀ ପିଢ଼ି ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଅଧ୍ୟୟନ ଉଦ୍ଦେଶ୍ୟରେ ଏକ ନୂତନ ସୁଯୋଗ ସୃଷ୍ଟି ହେବ।
ଏଠାରେ ପ୍ରକାଶଯୋଗ୍ୟ ଯେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ସ୍ବର୍ଗତ ଖଗେଶ୍ବର ମହାପାତ୍ରଙ୍କ ଉପସ୍ଥିତିରେ ୧୯୭୧ ମସିହାଠାରୁ ଓଡ଼ିଆ ଭାଷାରେ ଏକ ସାର୍ଟିଫିକେଟ୍ ଓ ଡିପ୍ଲୋମା କାର୍ଯ୍ୟକ୍ରମ ଚାଲିଆସୁଥିଲା; କିନ୍ତୁ ପରବର୍ତ୍ତୀ କାଳରେ ଛାତ୍ର ଅଭାବରୁ ଏହା ବନ୍ଦ ହୋଇଯାଇଥିଲା। ପରେ ସେହି ବିଶ୍ବବିଦ୍ୟାଳୟର ତୁଳନାତ୍ମକ ସାହିତ୍ୟ ବିଭାଗରେ ଅଧ୍ୟାପକ ପ୍ରକାଶ ପଟ୍ଟନାୟକଙ୍କ ଉଦ୍ୟମରେ ମଧ୍ୟ ଏ ଦିଗରେ କିଛି କାର୍ଯ୍ୟ ହୋଇଥିଲା। ଏହି ପ୍ରସଙ୍ଗରେ ଲକ୍ଷ୍ୟ କରିବାର କଥା ଯେ ଦିଲ୍ଲୀର ଅନ୍ୟତମ ଅଗ୍ରଣୀ ବିଶ୍ବବିଦ୍ୟାଳୟ, ଜବାହାରଲାଲ ନେହେରୁ ୟୁନିଭରସିଟି (ଜେ.ଏନ୍.ୟୁ)ରେ ‘ବିଜୁ ପଟ୍ଟନାୟକ ସେଣ୍ଟର ଫର୍ ଓଡ଼ିଆ ଷ୍ଟଡିଜ୍’ ନାମକ ଏକ ସ୍ବତନ୍ତ୍ର କେନ୍ଦ୍ର ଖୋଲିବା ପାଇଁ ପୂର୍ବ ସରକାରଙ୍କ ଅମଳରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା; କିନ୍ତୁ କେତେକ ପ୍ରତିବନ୍ଧକ କାରଣରୁ ଏହା ଆଜି ପର୍ଯ୍ୟନ୍ତ ଖୋଲାଯାଇ ପାରିନାହିଁ।
(ପ୍ରକାଶିତ: ୧୭ ଡିସେମ୍ବର, ୨୦୨୫)

ସ୍ତମ୍ଭସାହିତ୍ୟ ବିଷୟକ ଆଲୋଚନାରେ ଭାଗ ନେଲେ ଅନେକ ବିଶିଷ୍ଟ ସ୍ତମ୍ଭକାର

ସୁବିଦିତ ସ୍ତମ୍ଭକାରମାନଙ୍କ ସମାଗମ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ‘ଶବ୍ଦସ୍ପର୍ଶ’ ଅନୁଷ୍ଠାନର ମିଳିତ ଆୟୋଜନକ୍ରମେ ଭୁବନେଶ୍ବରର ଗୀତଗୋବିନ୍ଦ ସଦନଠାରେ ଡିସେମ୍ବର ଚାରି ତାରିଖରେ ଓଡ଼ିଆ ସ୍ତମ୍ଭସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଅନେକ ସୁପରିଚିତ ସ୍ତମ୍ଭକାର ଯୋଗଦେଇ ସ୍ତମ୍ଭସାହିତ୍ୟ ବିଷୟରେ ହୋଇଥିବା ଏକ ଉପଯୋଗୀ ବିଚାର-ବିମର୍ଶରେ ଭାଗନେଇଥିଲେ। କିନ୍ତୁ ତିନୋଟି ଅଧିବେଶନରେ ଆୟୋଜିତ ହେବାକୁ ଥିବା ଏହି ଆଲୋଚନାଚକ୍ରଟିକୁ ସମୟାଭାବରୁ ମାତ୍ର ଦୁଇଟି ଅଧିବେଶନରେ ସୀମିତ କରିଦିଆଯାଇଥିଲା। ଫଳରେ ଅନେକ ସ୍ତମ୍ଭକାର ନିଜର ବକ୍ତବ୍ୟକୁ ସମ୍ପୂର୍ଣ୍ଣ ଭାବରେ ପରିପ୍ରକାଶ କରିପାରିନଥିଲେ। ପୂର୍ବାହ୍ଣ ୧୧ଟା ବେଳେ ଆରମ୍ଭ ହୋଇଥିବା ଏହି ଆଲୋଚନାଚକ୍ରରେ ରାଜ୍ୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦାନ କରିବାର କାର୍ଯ୍ୟକ୍ରମ ଥିଲେ ହେଁ କେତେକ କାରଣରୁ ସେ ସଭାରେ ଉପସ୍ଥିତ ହୋଇପାରିନଥିଲେ। ଉଦ୍‌ଘାଟନୀ ଅଧିବେଶନରେ ସର୍ବପ୍ରଥମେ ଅତିଥି ପରିଚୟ ପ୍ରଦାନ କରିଥିଲେ ‘ଶବ୍ଦସ୍ପର୍ଶ’ର ସମ୍ପାଦକ ପବିତ୍ର ମୋହନ ମହାରଥା। ତାହାପରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ଆଲୋଚନା ଆରମ୍ଭ କରି କହିଲେ ଯେ ସ୍ତମ୍ଭକାରମାନେ ହେଉଛନ୍ତି ଗଣତନ୍ତ୍ରର ପଞ୍ଚମ ପ୍ରହରୀ ଏବଂ ଏକ ବସ୍ତୁନିଷ୍ଠ ବିଶ୍ଳେଷଣ ହେଉଛି ସ୍ତମ୍ଭସାହିତ୍ୟର ଆଧାର। ‘ପ୍ରଗତିବାଦୀ’ର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ କହିଲେ ଯେ ସ୍ତମ୍ଭକୁ ସାହିତ୍ୟ ଭାବରେ ସ୍ବୀକୃତି ଦିଆଯାଇପାରିନଥିବା ପରିତାପର ବିଷୟ। ‘ଆହ୍ବାନ’ର ସମ୍ପାଦକ ବିଭୂତି ଭୂଷଣ କର କହିଲେ ଯେ ସ୍ତମ୍ଭକାରମାନେ ଜଣେ ଜଣେ ଗବେଷକ ଓ ମନୋବିଜ୍ଞାନୀ ମଧ୍ୟ। ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ଦେବପ୍ରସାଦ ଦାଶ ମତ ଦେଇଥିଲେ ଯେ ସମ୍ବାଦପତ୍ରର ସ୍ତମ୍ଭଗୁଡ଼ିକ ସାହିତ୍ୟର ଏକ ଅଂଶ ଭାବରେ ସ୍ବୀକୃତି ପାଇସାରିଛି। ବର୍ଷୀୟାନ ସ୍ତମ୍ଭକାର ଭଗବାନ ପ୍ରକାଶ ସ୍ତମ୍ଭସାହିତ୍ୟ ସାଧାରଣ ପାଠକଙ୍କ ପାଖରେ ସହଜରେ ପହଞ୍ଚିପାରିବାର ସାମର୍ଥ୍ୟ ରଖେ ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଲେ ଯେ ସ୍ତମ୍ଭକୁ ସାହିତ୍ୟର ମାନ୍ୟତା ଦେଇ ତାହାର ମୂଳ ଉଦ୍ଦେଶ୍ୟକୁ ଆମେ ବିଭ୍ରାନ୍ତ କରିବା ଉଚିତ ନୁହେଁ। ତାଙ୍କର ଏହି ମନ୍ତବ୍ୟକୁ ଆଲୋଚନାରେ ଭାଗନେଇଥିବା କେତେଜଣ ସ୍ତମ୍ଭକାର ନିଜର ବିତର୍କରେ ବିରୋଧ ମଧ୍ୟ କରିଥିବା ଦେଖାଯାଇଥିଲା। ସୁବିଦିତ ସାମ୍ବାଦିକ ଶ୍ରୀରାମ ଦାଶ ନିଜର ସ୍ତମ୍ଭରଚନା ଜନିତ ଅନୁଭୂତି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ସ୍ତମ୍ଭକାରମାନେ ହେଉଛନ୍ତି ‘ମାମୁ’ (ମାଗଣା ମୂଲିଆ) ଶ୍ରେଣୀୟ, କାରଣ ସେମାନଙ୍କୁ ସେମାନଙ୍କ ଲେଖାର ପାରିଶ୍ରମିକ ମିଳେନାହିଁ। ଏହି ଅଧିବେଶନଟିକୁ ପରିଚାଳନା କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ସହ-ସମ୍ପାଦକ ସଞ୍ଜୟ କୁମାର ଛୁଆଳସିଂହ।
ପରବର୍ତ୍ତୀ ଦୁଇଟି ଅଧିବେଶନର ବିଷୟ ଯଥାକ୍ରମେ ‘ସ୍ତମ୍ଭସାହିତ୍ୟ ସମାଜର ଦର୍ପଣ’ ତଥା ‘ସ୍ତମ୍ଭସାହିତ୍ୟ ସମାଜର ଦିଗଦର୍ଶକ’ ଥିଲେ ମଧ୍ୟ ଏତେ ଅଧିକ ସଂଖ୍ୟକ ସ୍ତମ୍ଭକାରଙ୍କୁ ନେଇ ଦୁଇଟି ଅଧିବେଶନ ଆୟୋଜନ କରିବା ପାଇଁ ଆଉ ସମୟ ନଥିବାରୁ ଉଭୟକୁ ମିଶାଇ ଗୋଟିଏ ମିଳିତ ଅଧିବେଶନରେ ପରିଣତ କରିଦିଆଯାଇଥିବାର ଦେଖାଯାଇଥିଲା। ଏହି ଅଧିବେଶନର ସଂଯୋଜକ ଥିଲେ ଜାନକୀଶ ବଡ଼ପଣ୍ଡା। ପ୍ରତ୍ୟେକ ସ୍ତମ୍ଭକାରଙ୍କୁ ତିନି ମିନିଟ୍ ମଧ୍ୟରେ ନିଜର ବକ୍ତବ୍ୟ ରଖିବା ପାଇଁ ସେ ବାରମ୍ବାର ଅନୁରୋଧ କରୁଥିଲେ ହେଁ ଅନେକ ବକ୍ତା ଏହି ସମୟସୀମାକୁ ଉଲ୍ଲଂଘନ କରିଥିବା ଦେଖାଯାଇଥିଲା। ଏହି ଅଧିବେଶନରେ ସ୍ବକୀୟ ବକ୍ତବ୍ୟ ରଖିଥିଲେ ନିରଞ୍ଜନ ପାଢ଼ୀ, ନଟବର ଖୁଣ୍ଟିଆ, ସାଗର ରଞ୍ଜନ ତ୍ରିପାଠୀ, ରୀନା ରାଉତରାୟ, ଚିତ୍ତ ରଞ୍ଜନ ମିଶ୍ର, ଉପେନ୍ଦ୍ର ବିଶ୍ବାଳ, ଛନ୍ଦା ମିଶ୍ର, ସତ୍ୟବ୍ରତ ପଣ୍ଡା, ଚିନ୍ମୟ ହୋତା, ଗୌରାଙ୍ଗ ଚରଣ ପରିଡ଼ା, ଗିରିଜା ଶଙ୍କର ଶର୍ମା, ଅଭୟ ଦ୍ବିବେଦୀ ଓ ଶ୍ରୁତକୀର୍ତ୍ତି ତ୍ରିପାଠୀ ପ୍ରମୁଖ। ସଭାଟିରେ ଏତେ ସଂଖ୍ୟକ ସ୍ତମ୍ଭକାରଙ୍କର ଏକ ବିରଳ ସମାଗମ ହୋଇଥିବା ଦୃଷ୍ଟିରୁ ଅଧିବେଶନଗୁଡ଼ିକର ସଂଖ୍ୟା ବଢ଼ାଇ ଏହାକୁ ଦୁଇଦିନରେ ସମ୍ପନ୍ନ କରିବା ଅଧିକ ଉଚିତ ହୋଇଥାଆନ୍ତା ବୋଲି ଶେଷକୁ ମତ ପ୍ରକାଶ ପାଇଥିଲା।
(ପ୍ରକାଶିତ: ୪ ଡିସେମ୍ବର, ୨୦୨୫)

ଆୟୋଜିତ ହେଲା ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍‌-ସଂଶୋଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଶତାଧିକ ପ୍ରଶିକ୍ଷାର୍ଥୀଙ୍କ ଯୋଗଦାନ

ଓଡ଼ିଶା ସରକାରଙ୍କ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ଆନୁକୂଲ୍ୟରେ ନଭେମ୍ବର ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଏକ ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍-ସଂଶୋଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବରର ସଂସ୍କୃତି ଭବନରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଶତାଧିକ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଛନ୍ତି।
କାର୍ଯ୍ୟକ୍ରମର ପ୍ରଥମ ଦିବସ ପ୍ରଥମ ଅଧିବେଶନରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ ଉଦ୍‌ଘାଟକ ଭାବରେ, ଉପ ନିର୍ଦ୍ଦେଶକ ଦେବଯାନୀ ଭୂୟାଁ ବକ୍ତା ଭାବରେ ତଥା ବିଶିଷ୍ଟ ଲେଖକ ବୈଷ୍ଣବ ଚରଣ ମହାନ୍ତି ଓ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀର ସ୍ମୃତି ରଞ୍ଜନ ମିଶ୍ର ପ୍ରଶିକ୍ଷକ ଭାବରେ ଯୋଗଦେଇଥିଲେ। ପ୍ରଥମ ଅଧିବେଶନରେ ପ୍ରୁଫ୍ ସଂଶୋଧନର ବିବର୍ତ୍ତନ ଧାରା ଓ ଚିହ୍ନ ପ୍ରୟୋଗ ବିଷୟରେ ବୈଷ୍ଣବ ଚରଣ ମହାନ୍ତିଙ୍କ ଦ୍ବାରା ପ୍ରଦତ୍ତ ପ୍ରଶିକ୍ଷଣ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କ ଦ୍ବାରା ଆଦୃତ ହୋଇଥିଲା। ଏହି ଦୁଇଦିନିଆ କାର୍ଯ୍ୟକ୍ରମର ଅନ୍ୟାନ୍ୟ ଅଧିବେଶନଗୁଡ଼ିକରେ କାହ୍ନୁ ଚରଣ ପାଢ଼ୀଙ୍କ ଦ୍ବାରା ‘ସମ୍ପାଦନାର ନିୟମ ଓ ପଦ୍ଧତି’ ଓ କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ଦ୍ବାରା ‘ଓଡ଼ିଆ ଭାଷାରେ ନିର୍ଭୁଲ ଲେଖାର ମୂଳ ସୂତ୍ର’ ବିଷୟରେ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
(ପ୍ରକାଶିତ: ୧୫ ନଭେମ୍ବର, ୨୦୨୫)

ବାଲିଯାତ୍ରା ଉତ୍ସବରେ ଓଡ଼ିଆ ପୁସ୍ତକ ବଣ୍ଟନରେ ଅବ୍ୟବସ୍ଥା

ଘୋଷିତ ସୁଚୀ ଅନୁସାରେ ପୁସ୍ତକ ମିଳୁନାହିଁ

ଐତିହାସିକ ବାଲିଯାତ୍ରା ଉପଲକ୍ଷେ କଟକରେ ଚାଲିଥିବା ସପ୍ତାହ ବ୍ୟାପୀ ଉତ୍ସବରେ ଓଡ଼ିଆ ସାହିତ୍ୟର ପ୍ରସାର ପାଇଁ ବହୁ ଆଡମ୍ବରରେ ଘୋଷଣା କରାଯାଇଥିବା ମାଗଣା ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମରେ କେତେକ ଅବ୍ୟବସ୍ଥା ଦୃଷ୍ଟିକୁ ଆସିଛି। ସରକାରଙ୍କ ପକ୍ଷରୁ ପୁସ୍ତକ ବଣ୍ଟନ ପାଇଁ ଖୋଲାଯାଇଥିବା ଷ୍ଟଲ୍ ସାମନାରେ ଆଶାୟୀ ସାହିତ୍ୟ ପ୍ରେମୀ, ବିଶେଷତଃ ଓଡ଼ିଆ ଛାତ୍ର ଓ ଛାତ୍ରୀମାନେ ସମୟ ପୂର୍ବରୁ ଧାଡ଼ି ବାନ୍ଧି ଅପେକ୍ଷା କରିଥିବା ସତ୍ତ୍ବେ ସେମାନଙ୍କୁ ଆଶାନୁରୂପ ପୁସ୍ତକ ମିଳିପାରୁ ନାହିଁ। ଫଳରେ ଅନେକ ବ୍ୟକ୍ତି ନିରାଶରେ ଫେରିଯାଉଥିବା ଦେଖିବାକୁ ମିଳୁଛି। ଏହି ଯାତ୍ରାରେ ବଣ୍ଟନ ହେବାକୁ ଥିବା ପୁସ୍ତକ କ୍ରୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଟେଣ୍ଡର ଡକୁମେଣ୍ଟ ଜାରି କରାଯାଇଛି, ତାହା ଅନୁସାରେ ୨୨ଜଣ ସ୍ରଷ୍ଟାଙ୍କ ୨୫ଟି କାଳଜୟୀ ପୁସ୍ତକ ଜନସାଧାରଣଙ୍କ ମଧ୍ୟରେ ବିତରିତ ହେବା କଥା। ଏହି ପୁସ୍ତକଗୁଡ଼ିକର ତାଲିକାରେ ରହିଛି ଫକୀରମୋହନ ସେନାପତିଙ୍କର ‘ଛ ମାଣ ଆଠ ଗୁଣ୍ଠ’ (୪୦୦୦) ଓ ‘ଲଛମା’ (୪୦୦୦), କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ‘ମାଟିର ମଣିଷ’ ୪୦୦୦), ଗୋପୀନାଥ ମହାନ୍ତିଙ୍କ ‘ପରଜା’ (୨୦୦୦) ଓ ‘ମାଟିମଟାଳ’ (୧୨୦୦), ଗୋବିନ୍ଦ ଚନ୍ଦ୍ର ଦାସଙ୍କର ‘ଅମାବାସ୍ୟାର ଚନ୍ଦ୍ର’ (୪୦୦୦), ପ୍ରତିଭା ରାୟଙ୍କର ‘ଯାଜ୍ଞସେନୀ’ (୧୫୦୦) ତଥା ଏହିଭଳି ଆହୁରି ଅନେକ ପୁସ୍ତକ। କିନ୍ତୁ ସୂଚିବଦ୍ଧ ହୋଇଥିବା ଏହି ପୁସ୍ତକଗୁଡ଼ିକ ମଧ୍ୟରୁ ଅନେକ ବହି ସେଠାରେ ଅପେକ୍ଷା କରିଥିବା ପାଠକମାନଙ୍କୁ ମିଳିପାରୁନଥିବା ଅଭିଯୋଗ ହୋଇଛି। ଏଥିପାଇଁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ପାଖାପାଖି ୯୨ ହଜାର ପୁସ୍ତକ ଟେଣ୍ଡର ମାଧ୍ୟମରେ ପ୍ରକାଶକମାନଙ୍କଠାରୁ କିଣିବା ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଏଥିରେ ଅନିୟମିତତା ହେତୁ ପୁସ୍ତକ ପ୍ରକାଶକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବହି ବଣ୍ଟନ ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ବିତରଣ ଷ୍ଟଲ୍ ଖୋଲିବାର ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସମୟ ମଧ୍ୟ ନାହିଁ; କେଉଁଦିନ ଅପରାହ୍ନ ୩ଟାରେ ତ କେଉଁଦିନ ୫ଟାରେ ଏହି ଷ୍ଟଲ୍ ଖୋଲାଯାଉଛି। ଏହା ସହ ଜଣେ ବ୍ୟକ୍ତିଙ୍କୁ କେତେଖଣ୍ଡ ପୁସ୍ତକ ଦିଆଯିବ ତାହାର ମଧ୍ୟ ତାଲିକା ନାହିଁ।
ଅନ୍ୟ ପକ୍ଷରେ ବାଲିଯାତ୍ରା ଉପଲକ୍ଷେ ସେଠାରେ ଖୋଲାଯାଇଥିବା ‘ଆମ ଭାଷା ଆମ ସାହିତ୍ୟ’ ନାମକ ଏକ ପରିସର ମଧ୍ୟରେ ଲଗାଯାଇଥିବା ପ୍ରଥିତଯଶା ଲେଖକ ଫତୁରାନନ୍ଦ, ଵିନୋଦ ନାୟକ ଓ ଗୁରୁପ୍ରସାଦ ମହାନ୍ତି ମହାପାତ୍ରଙ୍କ ଚିତ୍ର ସମ୍ବଳିତ ହୋର୍ଡିଂରେ ସେମାନଙ୍କ ଜନ୍ମ ତିଥି ସମେତ କେତେକ ତଥ୍ୟରେ ତ୍ରୁଟି ଥିବାର ମଧ୍ୟ ପରିଲକ୍ଷିତ ହୋଇଛି। ଏହା ଓଡ଼ିଆ ଭାଷା ଓ ସାହିତ୍ୟକୁ ଭଲ ପାଉଥିବା ବ୍ୟକ୍ତିବିଶେଷଙ୍କ ଭାବନା ପ୍ରତି କୁଠାରଘାତ କରିଛି।
(ପ୍ରକାଶିତ: ୯ ନଭେମ୍ବର, ୨୦୨୫)

୪୬ତମ ଶାରଳା ପୁରସ୍କାରରେ ସମ୍ମାନିତ ହେଲେ ଦେବଦାସ ଛୋଟରାୟ

ରାମହରି ଦାସ ଓ ବଳଦେବ ମହାରଥାଙ୍କୁ କଳାସମ୍ମାନ

ଇଣ୍ଡିଆନ୍ ମେଟାଲସ୍ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ (ଇମ୍ପାକ୍ସ) ଦ୍ବାରା ଅକ୍ଟୋବର ୨୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ୪୬ ତମ ଶାରଳା ପୁରସ୍କାର ଗ୍ରହଣ କରି ସୁବିଦିତ ଗୀତିକବି ଓ କଥାକାର ଦେବଦାସ ଛୋଟରାୟ କହିଲେ ଯେ, ସେ ବୁଝି ହେଉନଥିବା ଉପଭୋକ୍ତାଙ୍କ ପାଇଁ ଲେଖନ୍ତି ନାହିଁ, ଯାହାଙ୍କ ଉପରେ ତାଙ୍କର କୌଣସି ବିଶ୍ବାସ ନାହିଁ। ବରଂ ସେ ନିଜ ପାଇଁ ଓ ସମୟ କାଟିବାର କ୍ଲେଶକୁ ଲାଘବ କରିବାପାଇଁ ଲେଖନ୍ତି। ତା’ଙ୍କ ଦ୍ବାରା ରଚିତ ‘ମ୍ୟାଟିନି ସୋ’ ଗଳ୍ପ ସଂକଳନ ପାଇଁ ତା’ଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ପୁରସ୍କାର ବାବଦରେ ତା’ଙ୍କୁ ତାମ୍ର ଫଳକ, ଉପାୟନ ସହିତ ସାତ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା।
ଏହି ଅବସରରେ ବର୍ଷୀୟାନ୍ ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ ଓ ପ୍ରସିଦ୍ଧ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଓ ତାମ୍ର ଫଳକ ସହ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ମଧ୍ୟ ପ୍ରଦାନ କରାଯାଇଥିଲା।
ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ହିନ୍ଦୀ କବି ଓ ଲେଖିକା ସବିତା ସିଂହ କହିଲେ ଯେ ସାହିତ୍ୟ ମଣିଷ ଦ୍ବାରା ନିଜସ୍ବ ଖୁସି ଓ ସୌଭାଗ୍ୟ ପାଇଁ ସୃଷ୍ଟି ହୁଏ ଏବଂ ଏହି ଖୁସି ବିଶ୍ବର ସମସ୍ତଙ୍କ ପାଇଁ ସୌନ୍ଦର୍ଯ୍ୟ ଓ ସାମାଜିକ ନ୍ୟାୟ ଅନୁସନ୍ଧାନ କରେ। ଉତ୍ସବରେ ଅଧ୍ୟକ୍ଷତା କରି ‘ଇମ୍ପାକ୍ଟ’ର ଟ୍ରଷ୍ଟି ପାରମିତା ପଣ୍ଡା କହିଲେ ଯେ ଶାରଳା ପୁରସ୍କାର ବିଜେତା ଦେବଦାସ ଛୋଟରାୟ ତାଙ୍କର ନିଆରା ଉପସ୍ଥାପନା ଶୈଳୀ ପାଇଁ ସବୁବେଳେ ପାଠକ ଓ ଶ୍ରୋତାଙ୍କର ଆଦର ଲାଭ କରିଆସିଛନ୍ତି। ସେ ମଧ୍ୟ କହିଲେ ଯେ ଓଡ଼ିଶାର କଳା ଓ ସାହିତ୍ୟକୁ ଏକ ସମ୍ମାନଜନକ ଉଚ୍ଚତାକୁ ନେବା ଦିଗରେ ଶାରଳା ପୁରସ୍କାର ଓଡ଼ିଆ ଅସ୍ମିତାକୁ ପ୍ରତିପାଦିତ କରିପାରିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ଲେଖକ ଓ ସାହିତ୍ୟପ୍ରେମୀ ଏହି ସଭାରେ ଯୋଗଦେଇଥିଲେ।
(ପ୍ରକାଶିତ: ୨୬ ଅକ୍ଟୋବର, ୨୦୨୫)

ଉତ୍କଳ ସାହିତ୍ୟ ସମାଜର ନିର୍ବାଚନ: ବାଜିମାରିଲେ ଗୋବିନ୍ଦ ଚନ୍ଦ୍ର ଚାନ୍ଦ

ଘମାଘୋଟ ନିର୍ବାଚନ ଅଭିଯାନର ଘଟିଲା ଅନ୍ତ

ଓଡ଼ିଶା ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ, ‘ଉତ୍କଳ ସାହିତ୍ୟ ସମାଜ’ର ବହୁଚର୍ଚ୍ଚିତ ନିର୍ବାଚନର ଫଳାଫଳ ଅକ୍ଟୋବର ୧୩ ତାରିଖ ଦିନ ପ୍ରକାଶ ପାଇଛି। ଏଥିରେ ପୂର୍ବତନ ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସଭାପତି ଭାବରେ ପୁନଃନିର୍ବାଚିତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମାନନ୍ଦ ବିଶ୍ବାଳ ଉପସଭାପତି, ରାଜୀବ କୁମାର ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ, ଶଶିକାନ୍ତ ରାଉତ ସଂଗଠନ ସମ୍ପାଦକ, ବ୍ରହ୍ମାନନ୍ଦ ମହାନ୍ତି ପାଠାଗାର ସମ୍ପାଦକ ଓ ଦିଲ୍ଲୀପ କୁମାର ଦାସ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ବ୍ୟତୀତ କାର୍ଯ୍ୟକାରୀ ସମିତିକୁ ୧୧ ଜଣ ସଦସ୍ୟ ମଧ୍ୟ ନିର୍ବାଚିତ ହୋଇଛନ୍ତି।
ଏହି ନିର୍ବାଚନକୁ ନେଇ ରାଜ୍ୟର ସାହିତ୍ୟିକ ମହଲରେ କିଛି ଦିନ ଧରି ସରଗରମ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୈନିକ ‘ସମାଜ’ର ପୂର୍ବତନ ମୁଦ୍ରାକର ଓ ପ୍ରକାଶକ ତଥା ଲୋକସେବକ ମଣ୍ଡଳର ବର୍ତ୍ତମାନର ରାଷ୍ଟ୍ରୀୟ ସଚିବ ପ୍ରଭାସ କୁମାର ଆଚାର୍ଯ୍ୟ ନିଜେ ସଭାପତି ପଦ ପାଇଁ ଜଣେ ପ୍ରାର୍ଥୀ ହେବା ସହିତ ଅନ୍ୟ ସମସ୍ତ ପଦ ପାଇଁ ନିଜର ସମର୍ଥକମାନଙ୍କର ଏକ ପ୍ୟାନେଲ୍‌କୁ ଧରି ନିର୍ବାଚନର ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ଅପର ପକ୍ଷରେ ଅନୁଷ୍ଠାନର ପୂର୍ବତନ ସଭାପତି ତଥା ‘ପୌରୁଷ’ର ସହ-ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ମଧ୍ୟ ନିଜର ପ୍ୟାନେଲ୍ ସହ ଏହି ନିର୍ବାଚନରେ ଭାଗ ନେଇଥିଲେ। ଏହାପାଇଁ ଉଭୟ ପକ୍ଷରୁ ଗତ କିଛି ଦିନ ଧରି ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଥିଲା। ତେବେ ନିର୍ବାଚନ ଫଳାଫଳରୁ ଯାହା ଜଣାପଡ଼େ, ଭୋଟରମାନେ ଏଥର କୌଣସି ଗୋଟିଏ ପ୍ୟାନେଲ୍‌କୁ ସମ୍ପୂର୍ଣ୍ଣ ଭାବରେ ଜିତାଇନାହାନ୍ତି। ଉଭୟ ପକ୍ଷର ପ୍ରାର୍ଥୀ ବିଭିନ୍ନ ପଦ ପାଇଁ ବିଜୟୀ ହୋଇଛନ୍ତି। ଜଣାଯାଇଛି ଯେ ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦୁଇଜଣ ମୁଖ୍ୟ ପ୍ରତିଦ୍ଵନ୍ଦ୍ବୀଙ୍କ ବ୍ୟତୀତ ଆଉ ଜଣେ ତୃତୀୟ ପ୍ରାର୍ଥୀଙ୍କୁ ମଧ୍ୟ ପ୍ରକ୍ସି ଭାବରେ ସଭାପତି ପଦ ପାଇଁ ପ୍ରାର୍ଥୀ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ମାହାଙ୍ଗା ଓ ତାହାର ଆଖପାଖ ଅଞ୍ଚଳରୁ ପ୍ରଭାସ କୁମାର ଆଚାର୍ଯ୍ୟ ପାଇବାକୁ ଥିବା ଭୋଟକୁ ଭାଗ ଭାଗ କରିବା। ଏହି ରଣକୌଶଳ କିଛି ମାତ୍ରାରେ ସଫଳ ହୋଇଥିବା ମଧ୍ୟ ଜଣାପଡ଼ୁଛି। ନିର୍ବାଚନରେ ହାରି ଯାଇଥିବା ଜଣେ ପ୍ରାର୍ଥୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ କେବେ ହେଁ ସାହିତ୍ୟର ଧାର ଧରି ନ ଥିବା ବହୁ ବ୍ୟକ୍ତିଙ୍କୁ ଏଥର ଭୋଟର ତାଲିକାଭୁକ୍ତ କରାଯାଇଥିଲା। ତା’ଛଡ଼ା ସେ ମଧ୍ୟ କହିଛନ୍ତି ଯେ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା କର୍ମକର୍ତ୍ତାମାନେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ କାନଭାସିଂ କରିବା ଦେଖା ଯାଇଥିଲା।
ନବନିର୍ବାଚିତ ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ‘ସାହିତ୍ୟ ଚର୍ଚ୍ଚା’କୁ କହିଛନ୍ତି ଯେ ସାହିତ୍ୟ ସହିତ ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ବାନ୍ଧିରଖିବା ତାଙ୍କର ପ୍ରାଥମିକତା ହେବ। ସେ ମଧ୍ୟ କହିଛନ୍ତି ଯେ ନିଜର ପୂର୍ବ କାର୍ଯ୍ୟକାଳ ମଧ୍ୟରେ ସେ ଆରମ୍ଭ କରିଥିବା ଉତ୍କଳ ସାହିତ୍ୟ ସମାଜର ଏକ ବୃହତ୍ ଇତିହାସ ପ୍ରଣୟନର କାର୍ଯ୍ୟ ସେ ଏଥର ସମାପ୍ତ କରିବେ।
(ପ୍ରକାଶିତ: ୧୩ ଅକ୍ଟୋବର, ୨୦୨୫)

ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷା ପ୍ରତି ଦିଲ୍ଲୀର ଅଣଓଡ଼ିଆ ଛାତ୍ରମାନେ ଦେଖାଉଛନ୍ତି ଆଗ୍ରହ

ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ସାଜିଛି ପ୍ରତିବନ୍ଧକ

ଦିଲ୍ଲୀରେ ବିଭିନ୍ନ ବିଷୟ ଅଧ୍ୟୟନ କରୁଥିବା ସ୍ନାତକ ଓ ସ୍ନାତକୋତ୍ତର ଅଣଓଡ଼ିଆ ଛାତ୍ର ଓ ଛାତ୍ରୀମାନେ ‘ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷା’କୁ ଏକ ଇଚ୍ଛାଧୀନ ବିଷୟ ଭାବରେ ନେଇ ଅଧ୍ୟୟନ କରିବାକୁ ଆଗ୍ରହ ଦେଖାଉଥିବା ଜଣାପଡ଼ିଛି। ଚଳିତ ବର୍ଷ ଜଓ୍ବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେ.ଏନ୍.ୟୁ)ର ଓଡ଼ିଆ ଶ୍ରେଣୀରେ ୨୨ ଜଣ ଅଣଓଡ଼ିଆ ସ୍ନାତକ ଶ୍ରେଣୀର ଛାତ୍ର ‘ଓଡ଼ିଆ ଭାଷା ଓ ସଂଚାର’ (ଓଡ଼ିଆ ଲାଙ୍ଗୁଏଜ୍ ଏଣ୍ଡ କମ୍ୟୁନିକେସନ୍)କୁ ଇଚ୍ଛାଧୀନ ବିଷୟ ଭାବରେ ନେଇଛନ୍ତି। ଏହି ପାଠ୍ୟକ୍ରମରେ ଓଡ଼ିଆ ଭାଷାର ଶିକ୍ଷା ସହ ତାହା ଜରିଆରେ ଭାବ ବିନିମୟ କରିବାର ଶିକ୍ଷା ଛାତ୍ରମାନଙ୍କୁ ଦିଆଯାଉଛି। ସେହିପରି ବିଭିନ୍ନ ବିଷୟର କିଛି ଛାତ୍ର ମଧ୍ୟ ସ୍ନାତକୋତ୍ତର ଶ୍ରେଣୀରେ ‘ଓଡ଼ିଆ ଭାଷା ଓ ସାହିତ୍ୟର ପରିଚୟ’ ନାମକ ବିଷୟକୁ ଏକ ଇଚ୍ଛାଧୀନ ବିଷୟ ଭାବରେ ନେଇଛନ୍ତି। ଏଥିରେ ସେମାନଙ୍କୁ ସାରଳା ଯୁଗଠାରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଚାଲିଆସିଥିବା ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ବିଷୟରେ ସୂଚନା ଦିଆଯାଉଛି।
ଏଠାରେ ପ୍ରକାଶ ଯୋଗ୍ୟ ଯେ ୨୦୨୪ ମସିହା ଫେବୃଆରୀ ମାସରେ ଆୟୋଜିତ ହୋଇଥିବା ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ଓଡ଼ିଶା ସରକାରଙ୍କ ସହିତ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଏକ ରାଜିନାମା (ଏମ୍.ଓ.ୟୁ) ସ୍ବାକ୍ଷରିତ ହୋଇ ସେଠାରେ ଓଡ଼ିଆ ଭାଷା ଓ ସାହିତ୍ୟରେ ଶିକ୍ଷା ଓ ଉଚ୍ଚତର ଗବେଷଣା ପାଇଁ ‘ବିଜୁ ପଟ୍ଟନାୟକ ସେଣ୍ଟର ଫର୍ ଓଡ଼ିଆ ଷ୍ଟଡ଼ିଜ୍’ ନାମକ ଏକ ସ୍ବତନ୍ତ୍ର କେନ୍ଦ୍ର ଖୋଲିବା କଥା ଘୋଷଣା କରାଯାଇଥିଲା। ଏ ବିଷୟରେ ତତ୍‌କାଳୀନ ସରକାରଙ୍କ ଦ୍ବାରା ରାଜ୍ୟ ତଥା ଦେଶର ବିଭିନ୍ନ ସମ୍ବାଦପତ୍ରରେ ପୂର୍ଣ୍ଣ ପୃଷ୍ଠାର ବିଜ୍ଞାପନ ଛପାଯାଇ ବ୍ୟାପକ ଭାବରେ ଡିଣ୍ଡିମ ମଧ୍ୟ ପିଟାଯାଇଥିଲା। ସେତେବେଳେ ଏହି ବିଜ୍ଞାପନ ବାବଦରେ ଯାହା ଖର୍ଚ୍ଚ ହୋଇଥିଲା, ସେତକ ଅନ୍ତତଃ ବିଶ୍ବବିଦ୍ୟାଳୟଟିକୁ ଦେଇଥିଲେ ଏ ଦିଗରେ ଯତ୍‌କିଂଚିତ୍ କାର୍ଯ୍ୟ ଆରମ୍ଭ କରାଯାଇ ପାରିଥାଆନ୍ତା। କିନ୍ତୁ ଏହାପରେ ଯେଉଁ କିଛି ମାସ ସେତେବେଳର ସରକାର କ୍ଷମତାରେ ରହିଲେ, ସେହି ମଧ୍ୟରେ ଏହି କେନ୍ଦ୍ର ସ୍ଥାପନ ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ କିମ୍ବା ଏଥିପାଇଁ ଆବଶ୍ୟକ ଅର୍ଥ ମଂଜୁର କରାଗଲା ନାହିଁ। ଏହାପରେ ରାଜ୍ୟରେ କ୍ଷମତାକୁ ଆସିଥିବା ନୂଆ ସରକାର ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଯାହା ଜଣାଯାଇଛି, ପୂର୍ବ ସରକାରଙ୍କ ଅମଳରେ ପ୍ରସ୍ତାବିତ ହୋଇଥିବା ଏହି ଓଡ଼ିଆ ଅଧ୍ୟୟନ କେନ୍ଦ୍ରଟିର ନାମ ସହିତ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାମ ଯୋଡ଼ାଯାଇଥିବାରୁ ଏବର ସରକାର ଆଉ ସେହି ପରିଯୋଜନା ପ୍ରତି ଆଗ୍ରହ ଦେଖାଉନାହାନ୍ତି। ଆଉ ମଧ୍ୟ ଜଣାଯାଇଛି ଯେ ‘ଜେ.ଏନ୍.ୟୁ’ର କୁଳପତି ମହୋଦୟା କିଛି ଦିନ ତଳେ ଓଡ଼ିଶା ସରକାର ଚାହିଁଲେ ବିଜୁ ପଟ୍ଟନାୟକଙ୍କ ନାମରେ ଖୋଲାହେବାକୁ ଥିବା ଏହି ସ୍ବତନ୍ତ୍ର କେନ୍ଦ୍ର ସ୍ଥାପନ ପାଇଁ ପୂର୍ବରୁ ହୋଇଥିବା ଚୁକ୍ତିନାମାରେ ଆବଶ୍ୟକ ପରିବର୍ତ୍ତନ ମଧ୍ୟ କରିପାରିବେ ବୋଲି ସୂଚାଇଛନ୍ତି। ତଥାପି ଏ ବିଷୟରେ ରାଜ୍ୟ ସରକାରଙ୍କ ଅନାଗ୍ରହ ଜାରି ରହିଛି। ଯେମିତି ମନେହୁଏ, ଏହି ପରିପ୍ରେକ୍ଷୀରେ ଆମର ପୁରାତନ ଢ଼ଗଢ଼ମାଳିରେ ଥିବା ‘ସ୍ବାମୀ ପଛକେ ମରନ୍ତୁ, ସଉତୁଣୀ ବିଧବା ହେଉ’ର ନୀତି ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର।
(ପ୍ରକାଶିତ: ୨୬ ଅଗଷ୍ଟ, ୨୦୨୫)

ଓଡ଼ିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ବନକ୍ଷତ୍ର ଦିବସ ପାଳିତ

ପୁରସ୍କୃତ ହେଲେ କୃତୀ ଛାତ୍ରଛାତ୍ରୀ

ଓଡ଼ିଶା ସାହିତ୍ୟ ଏକାଡେମୀର ୬୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଜୁଲାଇ ୨୫ ତାରିଖ ପୂର୍ବାହ୍ନରେ ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ଏକ ସାରସ୍ବତ ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ସଭାରେ ଉଦ୍‌ଘାଟକ ଭାବରେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ, ସୂର୍ଯ୍ୟବଂଶୀ ସୂରଜ କହିଲେ ଯେ ଓଡ଼ିଶା ସାହିତ୍ୟ ଏକାଡେମୀ ଗତ ଦୀର୍ଘ ଏକ ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମମାନ ସକ୍ରିୟ ଭାବରେ ଆୟୋଜନ କରିଆସିଛି। ଏହା ସାହିତ୍ୟ ଜଗତରେ ଗୋଟିଏ ନୂତନ ପିଢ଼ି ଗଠନ କରିବାରେ ବ୍ରତୀ ଅଛି। ବର୍ତ୍ତମାନ ଏକାଡେମୀଟି କେବଳ କଟକ ଓ ଭୁବନେଶ୍ବର ମଧ୍ୟରେ ଆବଦ୍ଧ ହୋଇ ରହିନାହିଁ, ବରଂ ଓଡ଼ିଶାର ସମସ୍ତ କୋଣ, ଅନୁକୋଣରେ ପହଞ୍ଚିପାରିଛି। ନିଜର ଅଭିଭାଷଣ ପରେ ମନ୍ତ୍ରୀ ମହୋଦୟ ତାଙ୍କର କାର୍ଯ୍ୟବ୍ୟସ୍ତତା ହେତୁ ସଭାସ୍ଥଳ ପରିତ୍ୟାଗ କରିଥିଲେ ଏବଂ ତାହାପରେ ବିଶିଷ୍ଟ ସାହିତ୍ୟ ସାଧକ, ଶାନ୍ତନୁ କୁମାର ଆଚାର୍ଯ୍ୟ ପୋଡିଅମ୍‌କୁ ଆସି ନିଜର ବକ୍ତୃତା ଆରମ୍ଭ କରିଥିଲେ। କିନ୍ତୁ ଏହି ସମୟରେ ସଭାଗୃହର ବାହାରେ ପ୍ରସ୍ଥାନ ଅଭିମୁଖୀ ମନ୍ତ୍ରୀଙ୍କୁ ବିଦାୟ ଦେବାପାଇଁ ସେଠାରେ ନିୟୋଜିତ ହୋଇଥିବା ବାଦ୍ୟବାଦକମାନେ ଉଚ୍ଚଧ୍ବନିରେ ବାଜା ବଜାଇବାରୁ ଶାନ୍ତନୁ କୁମାର ଆଚାର୍ଯ୍ୟ ମହୋଦୟ ନିଜର ଭାଷଣକୁ ମଝିରେ ରୋକି, ପଚାରିଥିଲେ ଯେ, ଏ ସବୁ ଚାଲିଛି କଣ? ତା’ପରେ ସେ ନିଜର ବକ୍ତବ୍ୟ ଜାରି ରଖି ଏକାଡେମୀର ପୁରସ୍କାର ଚୟନ ପ୍ରକିୟାରେ ସୁଧାର ଉପରେ ଗୁରୁତ୍ବ ଦେଇଥିଲେ। ପ୍ରକାଶଯୋଗ୍ୟ ଯେ ଏହି ସଭାରେ କେବଳ ମନ୍ତ୍ରୀ ମହୋଦୟଙ୍କ ପ୍ରବେଶ ଓ ପ୍ରସ୍ଥାନ ବେଳେ ପ୍ରବେଶଦ୍ବାରରେ ପାରମ୍ପରିକ ବାଦ୍ୟକାରମାନଙ୍କ ଦ୍ବାରା ଏଭଳି ବାଜା ବଜାଇବାର ବ୍ୟବସ୍ଥା କରାଯାଇଥିଲା। ଏହାପରେ ସୁସାହିତ୍ୟିକ ନୀଳାଦ୍ରି ଭୂଷଣ ହରିଚନ୍ଦନ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରାଚୀନତା ଉପରେ ଏକ ତାତ୍ତ୍ବିକ ଅଭିଭାଷଣ ପ୍ରଦାନ କରିଥିଲେ। ତାଙ୍କର ଏହି ଅଭିଭାଷଣ କାଳରେ ମଞ୍ଚ ଉପରେ କେବଳ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ବ୍ୟତୀତ ଅନ୍ୟ କେହି ଉପସ୍ଥିତ ନ ଥିଲେ। ଏହି ସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ, ଦେବପ୍ରସାଦ ଦାସ ଏବଂ ଏହି ବିଭାଗର ନିର୍ଦ୍ଦେଶକ, ବିଜୟ କେତନ ଉପାଧ୍ୟାୟ ଯୋଗ ଦେଇଥିଲେ ହେଁ ସେମାନେ ନିଜର କୌଣସି ବକ୍ତବ୍ୟ ନ ରଖି ସଭା ମଝିରୁ ଚାଲିଯାଇଥିଲେ। ସଭାର ପ୍ରାରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଏହି କ୍ରମରେ ସେ କହିଥିଲେ ଯେ ଏକାଡେମୀର ସ୍ଵତନ୍ତ୍ର ସମ୍ବିଧାନ ରହିଛି, ସ୍ବତନ୍ତ୍ର କାର୍ଯ୍ୟକାରୀ କମିଟି ମଧ୍ୟ ରହିଛି। କିନ୍ତୁ ସେ ଏହା କହିବା ବେଳେ, ଏକାଡେମୀର ସମ୍ବିଧାନକୁ ସମ୍ପୂର୍ଣ୍ଣ ଅଣଦେଖା କରି ବର୍ତ୍ତମାନ ଏହାର କ୍ରିୟାକଳାପ ଚାଲିଛି ଏବଂ ଦୀର୍ଘ ଦୁଇବର୍ଷ ହେଲା ଏହାର କୌଣସି କାର୍ଯ୍ୟକାରୀ ପରିଷଦ ଗଠନ କରାଯାଇନାହିଁ ବୋଲି ଦର୍ଶାଇ ସଭାରେ ଥିବା କିଛି ଦର୍ଶକଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ଖେଳିଯାଇଥିଲା‌।
ଏହି ଅବସରରେ ଦଶଗୋଟି ପୁସ୍ତକର ଲୋକାର୍ପଣ ହୋଇଥିଲା; ଯେଉଁଥିରେ ‘କୋଣାର୍କ’ ପତ୍ରିକାର ତିନିଗୋଟି ସଂଖ୍ୟା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ବିଭିନ୍ନ ସାହିତ୍ୟ ଆଧାରିତ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୨୪ ଜଣ ଛାତ୍ର ଓ ଛାତ୍ରୀମାନଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।
(ପ୍ରକାଶିତ: ୨୫ ଜୁଲାଇ, ୨୦୨୫)

ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ପାଳନକୁ ନେଇ ପ୍ରଶ୍ନ ଉଠାଇଲେ ବହୁ ଗବେଷକ

ଆଦିକବିଙ୍କ ଜନ୍ମତିଥିକୁ ନେଇ ଏବେବି ସହମତି ନାହିଁ

ସାରଳା ସାହିତ୍ୟ ସଂସଦ ପକ୍ଷରୁ ଗତ ଜୁଲାଇ ୧୫ ତାରିଖ ଦିନ କଟକଠାରେ ମହାମାନ୍ୟା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ଆୟୋଜିତ ଆଦିକବି ସାରଳା ଦାସଙ୍କ ଜୟନ୍ତୀ ସମାରୋହର ସଭାମଞ୍ଚରେ ଏହା ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ବୋଲି ଲେଖାଯାଇଥିବାରୁ ରାଜ୍ୟର ଅନେକ ବିଶିଷ୍ଟ ଗବେଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଦିକବିଙ୍କର ପ୍ରକୃତ ଜନ୍ମତିଥି କିମ୍ବା ଜନ୍ମବର୍ଷକୁ ନେଇ ଏବେ ବି ଗବେଷଣା ଜାରି ରହିଥିବା ବେଳେ, ଏବଂ ଏ ନେଇ କୌଣସି ସହମତି ପ୍ରକାଶ ପାଇ ନ ଥିବା ସ୍ଥଳେ ୨୦୨୫ ମସିହା ଜୁଲାଇ ୧୫ ତାରିଖକୁ ମହାମାନ୍ୟା ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଭାବରେ ପାଳନ କରାଯିବା ଅନେକ ପ୍ରତିଷ୍ଠିତ ସାହିତ୍ୟିକ ନାପସନ୍ଦ କରିଛନ୍ତି।
ଏ ବିଷୟରେ ନିଜର ମତ ଦେଇ ବର୍ଷୀୟାନ ସମାଲୋଚକ ବୈଷ୍ଣବ ଚରଣ ସାମଲ କହିଛନ୍ତି ଯେ ସାରଳା ଦାସଙ୍କ ଜନ୍ମତିଥି ନେଇ କୌଣସି ପ୍ରାମାଣିକ ତଥ୍ୟ ନାହିଁ; ଏବଂ ତାଙ୍କର ଜନ୍ମ ବର୍ଷଟି କେବଳ ଅନୁମାନର ବିଷୟ। ସେ ଦୃଷ୍ଟିରୁ ଏହି ବର୍ଷଟିକୁ ତାଙ୍କ ଜନ୍ମର ୬୦୦ତମ ବର୍ଷ ବୋଲି ଲେଖିବା ଉଚିତ ହୋଇନାହିଁ। ବିଶିଷ୍ଟ ସାରଳା ସାହିତ୍ୟ ଗବେଷକ ଗୌରାଙ୍ଗ ଚରଣ ଦାଶ କହିଛନ୍ତି ଯେ ସାରଳାଙ୍କ ଜନ୍ମ ବର୍ଷକୁ ନେଇ ଏବେ ମଧ୍ୟ ବିତର୍କ ଚାଲିଛି; ଏପରିକି ନିଜେ କବି ମଧ୍ୟ ଏ ସମ୍ପର୍କରେ ନିରବତା ଅବଲମ୍ବନ କରିଛନ୍ତି; ଏଣୁ ୨୦୨୫ ମସିହାଟି ତାଙ୍କର ୬୦୦ ତମ ଜନ୍ମଜୟନ୍ତୀର ବର୍ଷ ବୋଲି ଆମେ ନିର୍ଦ୍ଦିଷ୍ଟ ଭାବରେ କହିପାରିବା ନାହିଁ । ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ‘ଆଦିକବି ସାରଳା ଦାସ ଚେଆର୍‌’ର ପ୍ରଫେସର ଉଦୟନାଥ ସାହୁ କହିଛନ୍ତି ଯେ ତାଙ୍କର ଜନ୍ମବର୍ଷ ସଂକ୍ରାନ୍ତରେ ଏମିତି ଲେଖାଯିବାର ଆଧାର କଣ, ତାହା ସ୍ପଷ୍ଟ ଜଣାପଡୁନାହିଁ; କାରଣ ଏହା ଏବେ ବି ବିତର୍କର ବିଷୟ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକ କହିଛନ୍ତି ଯେ ବିଭିନ୍ନ ଗବେଷକଗଣ ସାରଳାଙ୍କ ସମୟ ୯ମଠାରୁ ଆରମ୍ଭ କରି ୧୫ଶ ଶତାବ୍ଦୀ ମଧ୍ୟରେ ବୋଲି ଭିନ୍ନ ଭିନ୍ନ ପ୍ରକାର ମତ ଦେଉଥିବା ବେଳେ, ଭାରତର ରାଷ୍ଟ୍ରପତି ଓ ରାଜ୍ୟର ରାଜ୍ୟପାଳଙ୍କ ଉପସ୍ଥିତିରେ ଚଳିତ ବର୍ଷର ଜୁଲାଇ ୧୫ ତାରିଖଟିକୁ ତାଙ୍କର ୬୦୦ତମ ଜନ୍ମଜୟନ୍ତୀ ଭାବରେ ପାଳନ କରାଯିବା ଉଚିତ ହେଲାନାହିଁ। ଭୁବନେଶ୍ବରସ୍ଥିତ ‘ସାରଳାଦାସ ସ୍ମୃତି ସଂସଦ’ର ସମ୍ପାଦକ ପ୍ରଦୀପ୍ତ କୁମାର ବିଶ୍ବାଳ କହିଛନ୍ତି ଯେ କୌଣସି ତିଥିକୁ ସାରଳାଙ୍କ ଜନ୍ମତିଥି ଭାବରେ ସର୍ବମାନ୍ୟ ଭାବରେ ଗ୍ରହଣ କରାଯାଇନାହିଁ।
କୌତୁହଳର ବିଷୟ ହେଲା, ୨୦୨୧ ମସିହାର ଏପ୍ରିଲ୍ ୪ ତାରିଖ ଦିନ ମଧ୍ୟ କଟକର ଏହି ସାରଳା ସାହିତ୍ୟ ସଂସଦ ପକ୍ଷରୁ ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଭାବରେ ହିଁ ପାଳନ କରାଯାଇଥିଲା, ଯେଉଁ ସମାରୋହରେ ଭାରତର ତତ୍‌କାଳୀନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ଓଡ଼ିଶାର ରାଜ୍ୟପାଳ ଗଣେଶୀଲାଲ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ କଟକସ୍ଥିତ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା-ସଭାପତି ପ୍ରଭାକର ସ୍ୱାଇଁଙ୍କ ସହିତ ଯୋଗାଯୋଗ କରାଯିବାରୁ ସେ ସୂଚାଇଥିଲେ ଯେ, ପୂଜ୍ୟପୂଜା କରାଯିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା; ଏବଂ ତାଙ୍କର ଜନ୍ମ ବର୍ଷକୁ ଅନୁଷ୍ଠାନ ପକ୍ଷରୁ କେବଳ ଆନୁମାନିକ ଭାବରେ ବିଚାର କରାଯାଇଥିଲା। ସେ ମଧ୍ୟ ଦର୍ଶାଇଥିଲେ ଯେ ବିଶିଷ୍ଟ ଗବେଷକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ତାଙ୍କର ପୁସ୍ତକରେ ସାରଳା ଦାସଙ୍କ ଜନ୍ମ ୧୪୨୦ରୁ ୧୪୨୫ ମସିହା ମଧ୍ୟରେ ହୋଇଥିଲା ବୋଲି ମତ ଦେଇଛନ୍ତି।
(ପ୍ରକାଶିତ: ୧୬ ଜୁଲାଇ, ୨୦୨୫)

ଫକୀରମୋହନଙ୍କ ପ୍ରକୃତ ଆତ୍ମଚରିତ ଲୋକଲୋଚନକୁ ଆସିବ କେବେ?

ଅସଲ ‘ଆତ୍ମଚରିତ’ବନ୍ଦି ହୋଇ ପଡ଼ିରହିଛି କଟକରେ

ଏବେ ବ୍ୟାସକବି ଫକୀରମୋହନଙ୍କର ‘ଆତ୍ମଚରିତ’ ନାମରେ ଯେଉଁ ପୁସ୍ତକଟି ତାଙ୍କର ଅନୁରାଗୀ ପାଠକ, ଗବେଷକ, ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ବହୁ କାଳ ହେଲା ପଠିତ ଓ ଚର୍ଚ୍ଚିତ ହୋଇଆସୁଛି, ତାହା ଯେ ତାଙ୍କର ସମ୍ପୂର୍ଣ୍ଣ ଓ ପ୍ରକୃତ ଆତ୍ମଚରିତ ନୁହେଁ ଏକଥା ଅନେକଙ୍କୁ ଅଜଣା। ଫକୀରମୋହନ ତାଙ୍କର ଜୀବଦ୍ଦଶାରେ ଯେଉଁ ଆତ୍ମଚରିତଟି ରଚନା କରିଥିଲେ ତାହା କଟକର ବାଖରାବାଦରେ ଥିବା ତାଙ୍କର ବାସଭବନର ଅନ୍ଧାରି କୋଣରେ ଗୋଟିଏ ସିନ୍ଦୁକ ଭିତରେ ତାଲା ପଡ଼ି ରହିଛି। ଏହା ଅଦାଲତି ମାମଲା, ପ୍ରକାଶନ ଜନିତ ବିବାଦ ତଥା ଫକୀରମୋହନଙ୍କ ଦାୟାଦଙ୍କ ଖିଆଲର ଜ୍ୱାଳାରେ ଭସ୍ମହୋଇ ଚିରଦିନ ପାଇଁ ହଜିଯିବାକୁ ବସିଛି। ତଥାପି ଏଥିପ୍ରତି ନା ଓଡ଼ିଶା ସରକାର, ନା ଓଡ଼ିଶାର ସାହିତ୍ୟ ଜଗତ, କାହାର ବି ଦୃଷ୍ଟି ପଡ଼ୁନାହିଁ।
ଫକୀରମୋହନଙ୍କ ଦେହାନ୍ତ ପରେ ତାଙ୍କର ଆତ୍ମଜୀବନୀ ବା ‘ଆତ୍ମଚରିତ’ ପ୍ରକାଶିତ ହେବା ପୂର୍ବରୁ ତାଙ୍କର ପୁତ୍ର ମୋହିନୀ ମୋହନ ସେନାପତି ନିଜେ ସେଥିର କେତେକାଂଶ ପରିବର୍ତ୍ତନ କରିଦେଇଥିଲେ। ତାଙ୍କ ପିତାଙ୍କର ଭାବମୂର୍ତ୍ତିକୁ ନିର୍ମଳ କରିବା ଉଦ୍ଦେଶ୍ୟରେ ସେ ଏହା କରିଥିଲେ ବୋଲି କୁହାଯାଉଛି। ଏହା ସହିତ ସେ ସେହି ଆତ୍ମଚରିତର ମୂଳ ପାଣ୍ଡୁଲିପିଟି ଲୋକଲୋଚନକୁ ନ ଆଣି ନିଜ ଅଧୀନରେ ରଖିଥିଲେ। ଏବେ ସେହି ମୂଳ ପାଣ୍ଡୁଲିପି ଫକୀରମୋହନଙ୍କ ଅଣନାତୁଣୀ ମିନାକ୍ଷୀ ଦତ୍ତଙ୍କ ଅକ୍ତିଆରରେ ତାଙ୍କର କଟକସ୍ଥିତ ବାସଭବନରେ ରଖାଯାଇଛି। କିନ୍ତୁ ‘ସାହିତ୍ୟ ଚର୍ଚ୍ଚା’କୁ ସୂଚନା ମିଳିଛି ଯେ ବର୍ତ୍ତମାନ ସେହି ପାଣ୍ଡୁଲିପି ଏକାନ୍ତ ଜର୍ଜର ଅବସ୍ଥାକୁ ଆସିଗଲାଣି, ଏବଂ ଏହା ଆଉ ବେଶି ଦିନ ତିଷ୍ଠିବ ନାହିଁ। ତଥାପି ଫକୀରମୋହନଙ୍କ ଅଣନାତୁଣୀ ତାହାର ପ୍ରକାଶନ ପାଇଁ ଆଗ୍ରହ ଦେଖାଉନାହାନ୍ତି।
ଏ ସଂକ୍ରାନ୍ତରେ ଘଟଣାକ୍ରମରୁ ଜଣାଯାଏ ଯେ ୨୦୧୯ ମସିହା ବେଳକୁ ମିନାକ୍ଷୀ ଦତ୍ତ ସେହି ମୂଳ ପାଣ୍ଡୁଲିପିଟିକୁ ବର୍ଷୀୟାନ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରି ଏହାର ସମ୍ପାଦନା ଓ ଡିଜିଟାଇଜେସନ୍ ପାଇଁ ଅନୁରୋଧ କରିଥିଲେ, ଏବଂ ଏହାର ଖର୍ଚ୍ଚ ତୁଲାଇବା ପାଇଁ ତାଙ୍କୁ ପ୍ରାୟ ଏକ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ। ଏଥିସହିତ ସେ ତାଙ୍କୁ ଫକୀରମୋହନଙ୍କ ଆଉ ଦୁଇଟି ଅପ୍ରକାଶିତ ପୁସ୍ତକ ‘ମହାଭାରତ’ ଓ ‘ଖିଳ ହରିବଂଶ’ର ପାଣ୍ଡୁଲିପି ମଧ୍ୟ ଦେଇଥିଲେ। ଏହି ସମ୍ପାଦନା କାର୍ଯ୍ୟରେ ବିଶିଷ୍ଟ ଅଭିଲେଖବିତ୍ ଲଲାଟେନ୍ଦୁ ଦାସ ମହାପାତ୍ର ସହଯୋଗ କରୁଥିଲେ। କିନ୍ତୁ ପରେ ଶ୍ରୀଯୁକ୍ତ ପଟ୍ଟନାୟକ ଏଗୁଡ଼ିକର ସମ୍ପାଦନା କରିବା ସହିତ ‘ଆତ୍ମଚରିତ’ ପୁସ୍ତକଟିକୁ ‘ଆମ ଓଡ଼ିଶା’ ସଂସ୍ଥା ଜରିଆରେ ପ୍ରକାଶ କରାଇବାକୁ ଚେଷ୍ଟିତ ଥିବା କଥା ଜାଣିପାରି ମିନାକ୍ଷୀ ଦତ୍ତ ତାଙ୍କ ବିରୋଧରେ ତଳ କୋର୍ଟରେ ଏକ ମାମଲା ଦାୟର କରିଥିଲେ। ଏହା ପୂର୍ବରୁ ନିଖିଳ ମୋହନ ପଟ୍ଟନାୟକଙ୍କ ନିକଟରେ ମଧ୍ୟ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସୂତ୍ରରୁ ସେହି ପାଣ୍ଡୁଲିପିଟି ପହଞ୍ଚିଥିଲା, ଯାହାର କିଛି ଅଂଶ ସେ ‘ସୃଜନିକା’ର ଓ୍ବେବସାଇଟ୍‌ରେ ପ୍ରକାଶ କରିଦେଇଥିଲେ; କିନ୍ତୁ ପରେ ଏଥିନେଇ ବିବାଦ ଦେଖା ଯିବାରୁ ସେ ତାହାକୁ ସେଠାରୁ ହଟାଇ ଦେଇଥିଲେ। ୨୦୨୧ ମସିହାରେ ଏ ସଂକ୍ରାନ୍ତରେ ଅଦାଲତଙ୍କ ରାୟ ପ୍ରକାଶ ପାଇଥିଲା ଏବଂ ପାଣ୍ଡୁଲିପିଟିକୁ ପ୍ରକାଶ ନ କରି ମୀନାକ୍ଷୀ ଦତ୍ତଙ୍କୁ ତାହା ଫେରସ୍ତ କରିଦେବାପାଇଁ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ କାଳରେ କଟକର ଜିଲ୍ଲା କୋର୍ଟରେ ଏହି ରାୟର ପୁନର୍ବିଚାର ପାଇଁ ଏକ ମାମଲା ଦାୟର ହୋଇଥିଲା, ଯାହା ଏବେ ବିଚାରାଧୀନ ଅଛି, କିନ୍ତୁ ଏହା ବିଶେଷ ବାଟ ଆଗେଇ ପାରିନାହିଁ।
ବିଶେଷ ସୂତ୍ରରୁ ଜଣାଯାଇଛି, ଏବେ ମୋହିନୀ ମୋହନ ସେନାପତିଙ୍କ ଦ୍ବାରା ପରିବର୍ତ୍ତିତ ହୋଇଥିବା ଫକୀରମୋହନଙ୍କ ଆତ୍ମଚରିତଟି ଯେଉଁ ରୂପରେ ବଜାରରେ ଉପଲବ୍‌ଧ ଅଛି, ସେଥିରେ ମୂଳ ପାଣ୍ଡୁଲିପିର ପ୍ରାୟ ୫୦ ପ୍ରତିଶତ ଭାଗ ସହିତ କୌଣସି ସାମ୍ୟ ନାହିଁ। ବିଶେଷତଃ ଫକୀର ମୋହନଙ୍କ କେନ୍ଦୁଝର ରହଣି ସମୟ ବିଷୟରେ ଥିବା ତଥ୍ୟକୁ କାଣ୍ଟଛାଣ୍ଟ କରାଯାଇଛି। ଫକୀରମୋହନ ନିଜର ଜୀବଦ୍ଦଶାରେ ନିଜ ଜୀବନାନୁଭୂତିକୁ ପ୍ରକୃତରେ କେଉଁ ଭାବରେ ଲେଖିଯାଇଛନ୍ତି ତାହା ଜାଣିବାର ଅଧିକାର ସମଗ୍ର ଓଡ଼ିଆ ଜାତିର ଅଛି। ଏ ଦୃଷ୍ଟିରୁ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସେହି ଅପ୍ରକାଶିତ ପାଣ୍ଡୁଲିପିଟିକୁ ନିଜ ଅକ୍ତିଆରକୁ ଆଣି ଓଡ଼ିଆ ସାହିତ୍ୟର ବୃହତ୍ତର ହିତ ଦୃଷ୍ଟିରୁ ଏହାକୁ ପ୍ରକାଶ କରାଇବାର ଆବଶ୍ୟକତା ଅଛି।
(ପ୍ରକାଶିତ: ୪ ଜୁଲାଇ, ୨୦୨୫)