ମୋ ରାଣ, ଏଭଳି ପବିତ୍ର ଦିବସକୁ ଆଉ ମୂର୍ଖ ଦିବସ ବନେଇ ମାରା କରନ୍ତୁନି।

ଏପ୍ରିଲ ୦୧ = ମାର୍ଚ୍ଚ ୩୨ ତାରିଖ।
ଏମିତି ଏକ ମଜାକଥା ରହିଥିଲା ମାତାଜୀ ଓ ବାବାଜୀ କାହାଣୀ (‘ଦି ନନ୍ସ୍ ପ୍ରିଷ୍ଟ୍ସ୍ ଟେଲ୍’)ରେ। ଏ କାହାଣୀଟି ଇଂରାଜୀ ସାହିତ୍ୟିକ ଜିଓଫ୍ରି ଚସର୍ଙ୍କ ଦ୍ଵାରା ପାଖାପାଖି ୧୪୦୦ ଖ୍ରୀଷ୍ଟାବ୍ଦରେ ରଚିତ ଏକ ବିଶେଷ କାହାଣୀମାଳା(‘ଦି କ୍ୟାଣ୍ଟରବରୀ ଟେଲ୍ସ୍)ର ଏକ କାହାଣୀ। ଏଥିରେ ଲିଖିତ ‘ମାର୍ଚ୍ଚ ପରବର୍ତ୍ତୀ ବତିଶି ଦିନ’କୁ ପାଠକେ ମାର୍ଚ୍ଚ ୩୨ତାରିଖ ବୋଲି ଧରି ନେଇ ନିଜକୁ ବୋକା ବନାଇ ଥିଲେ। ମାର୍ଚ୍ଚମାସ ତ ଏକତିରିଶିଠାରେ ଶେଷ। ତେଣୁ,ବତିଶ ଶବ୍ଦଟି ବୋକା ଵନାଇବାର ଶବ୍ଦ- ଏପ୍ରିଲ ୦୧ଟି ବୋକାଦିବସ। ଗୋଟିଏ ମୁଦ୍ରଣପ୍ରମାଦ ହେଉ ବା ଅବଧାରଣା ତ୍ରୁଟି ହେଉ – ଚସରଙ୍କୁ ବିଖ୍ୟାତ (ଅଖ୍ୟାତ)କରିଦେଲା।
ଆହା ଏପ୍ରିଲ୍ଟି ଗୋଟିଏ ଋତୁମତୀ ପୃଥିବୀର ମାସ ଥିଲା – ବୋକାର ମାସ ହୋଇଗଲା ଯାହା!
ଆଉକଥାଟେ ବି ନଜରକୁ ଆସେ: ଏପ୍ରିଲ୍ ଫୁଲ୍ ଦିବସ ୧୩୮୧ରେ ସମ୍ଭବତଃ ଆରମ୍ଭ ହୋଇଥିଲା। କଥିତ ଅଛି ଯେ ସେହି ସମୟରେ କିଙ୍ଗ୍ ରିଚାର୍ଡ ଏବଂ ବୋହେମିଆର ରାଣୀ ଆନ୍ ଘୋଷଣା କରିଥିଲେ ଯେ ସେମାନେ ମାର୍ଚ୍ଚ ୩୨, ୧୩୮୧ ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଯୋଗଦାନର ଖବର ଶୁଣି ଜନସାଧାରଣ ଆନନ୍ଦରେ ନାଚିଗଲେ। କିନ୍ତୁ ମାର୍ଚ୍ଚ ୩୧, ୧୩୮୧ ରେ, ଲୋକମାନେ ବୁଝିଲେ ଯେ ମାର୍ଚ୍ଚ ୩୨କେବେ ବି ଆସେ ନାହିଁ। ଏଣୁ ସେମାନେ ବୋକା ବନିଗଲେ। ମୂର୍ଖ ବନିଗଲେ।

ବିଚରା, ଚାଲି ନଜାଣି ଵାଟର ଦୋଷ! ଏ ମୂର୍ଖତା ଗୋଟିଏ ତାରିଖ ଉପରେ ଲଦା ଯାଇ ପାରିବ କି?ଆମେ କେତେ ସହଜରେ ଖୁଣଗୁଡ଼ାକ ମନେ ରଖୁ – ଗୁଣଗୁଡ଼ାକ ପାଶୋରି ଦେଉ ସତେ!
ଆଉକଥାଏ:
୧୫୬୪ବେଳର କଥା।
ୟୁରୋପୀୟ ଦେଶମାନଙ୍କରେ ପ୍ରଥମେ ବର୍ଷ ଆରମ୍ଭ ଏପ୍ରିଲ ୦୧ରେ ହେଉଥିଲା। କିନ୍ତୁ, ଯେତେବେଳେ ପୋପ୍ ଗ୍ରେଗୋରୀ ଏକ ନୂତନ କ୍ୟାଲେଣ୍ଡର ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଲେ, ଜାନୁଆରୀ ୧ ରୁ ନୂତନ ବର୍ଷ ପାଳନ ଆରମ୍ଭ ହେଲା। କିଛି ଲୋକ ଏପର୍ଯ୍ୟନ୍ତ ନୂତନ ବର୍ଷକୁ ୧ ଏପ୍ରିଲରେ ପାଳନ କରୁଥିଲେ। ତା’ପରେ ଏହିପରି ଲୋକମାନେ ସେମାନଙ୍କୁ ମୂର୍ଖ ବୋଲି ଭାବି ଥଟ୍ଟା କଲେ | ଏହିପରି ଏପ୍ରିଲ ପହିଲାକୁ ମୂର୍ଖ ଦିବସ ଭାବରେ ପାଳିବା ଆରମ୍ଭ ହେଲା ଊନବିଂଶ ଶତାବ୍ଦୀ ବେଳକୁ। ଫ୍ରାନ୍ସ ପ୍ରଥମେ ଏହି କ୍ୟାଲେଣ୍ଡରକୁ ଗ୍ରହଣ କଲା। କିନ୍ତୁ ୟୁରୋପର ଅନେକ ଦେଶ ଏହି କ୍ୟାଲେଣ୍ଡରକୁ ଗ୍ରହଣ କରିନଥିଲେ। ଏହି କାରଣରୁ, ନୂତନ କ୍ୟାଲେଣ୍ଡର ଆଧାରରେ ନୂତନ ବର୍ଷ ପାଳନ କରୁଥିବା ଲୋକମାନେ ପୁରୁଣା ଢଙ୍ଗରେ ଏପ୍ରିଲରେ ନୂଆ ବର୍ଷ ପାଳନ କରୁଥିବା ଲୋକମାନଙ୍କ ବିଷୟରେ ଚିନ୍ତା କରିବାକୁ ଲାଗିଲେ ଏବଂ ସେହି ଦିନଠାରୁ ଏପ୍ରିଲ୍ ଫୁଲ୍ କହି ଚିଡ଼େଇବାକୁ ଆରମ୍ଭ କଲେ।ଜର୍ମାନ ଏବଂ ଜାପାନରେ ଏହି ଦିନ ସମସ୍ତ ବ୍ୟକ୍ତି ମନଇଛା ସମସ୍ତଙ୍କ ସହିତ ଥଟ୍ଟାମଜା କରିଥାନ୍ତି। ସେହିଭଳି ସ୍କର୍ଟଲ୍ୟାଣ୍ଡରେ ଏପ୍ରିଲ ଫୁଲ୍ ୨ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ଫ୍ରାନ୍ସରେ ଏପ୍ରିଲ ଫୁଲ୍ ଦିବସକୁ ମାଛ ଦିବସ (ଫିସ୍ ଡ଼େ)ମଧ୍ୟ କହିଥାନ୍ତି । ଏହି ଦିନ ପରସ୍ପରର ପିଠିରେ କାଗଜ ତିଆରି ମାଛ ଲଗାଇ ଏହାକୁ ପାଳନ କରାଯାଇଥାଏ। ଏହାପୂର୍ବରୁ ଏହି ଦିନ କେବଳ ଫ୍ରାନ୍ସ ଏବଂ ଅନ୍ୟ କେତେକ ୟୁରୋପୀୟ ଦେଶରେ ପାଳନ କରାଯାଉଥିଲା, କିନ୍ତୁ ଧୀରେ ଧୀରେ ଏପ୍ରିଲ୍ ଫୁଲ ଦିବସ ସମଗ୍ର ବିଶ୍ୱରେ ପାଳିତ ହେବାକୁ ଲାଗିଲା।
ଏ ଚିଡ଼ାଚିଡ଼ି ମଣିଷ ପାଇଁ ଥିଲା ନା ଇତିହାସରେ ଏହିପରି କଳଙ୍କିତ ଦିବସଟିଏ ଯୋଡ଼ିବାର ଥିଲା!
ଆଉଗୋଟିଏ ‘ଧାଇଁ ଆସ ହୋ’ ଗପ:
୧୬୮୬ ମସିହାରେ ସଂଯୁକ୍ତରାଜ୍ୟର ଚରିତକାର ଜନ୍ ଔବେରୀ ଏହାକୁ ଏକ ଦୁଷ୍ଟାମିରୁ ଆରମ୍ଭ କରିଥିଲେ। ୧୬୯୮ ଏପ୍ରିଲ ୦୧ରେ ସେ ଏକ ଭୟଙ୍କର ଗୁଜବ ସୃଷ୍ଟି କରି ଲୋକଙ୍କୁ ଟାୱାର ଅଫ୍ ଲଣ୍ଡନ୍ରେ ଏକାଠି କରାଇଥିଲେ। କିନ୍ତୁ ଯେତେବେଳେ ଲୋକେ ଟାୱାର ନିକଟରେ ପହଞ୍ଚିଥିଲେ ସେଠାରେ ସବୁକିଛି ସାଧାରଣ ଥିଲା।ଲୋକେ ଛି’ ଛାକର କଲେ।ବାହୁଡ଼ିଲେ।
ଗୋଟିଏ ମିଛୁଆରାଧୁଆ ଗପ ଗୋଟିଏ ଦିନ ମୁହଁରେ କଳା ବୋଳିଦେଲା ଯାହା।
କାହାଣୀ ଏମିତି ଅନେକ। କିନ୍ତୁ ସବୁକିଛି ଅମର୍ଯ୍ୟାଦାଜନକ।
ଆମ ଓଡ଼ିଶା ପ୍ରଦେଶ ଗଠନ ଖସଡ଼ା ୧୯୩୬ ଜାନୁଆରୀ ୨୧ରୁ ଆରମ୍ଭ ହୋଇ ସାକାର ହୋଇଥିଲା ୧୯୩୬ ଏପ୍ରିଲ ୦୧ରେ। ଏଥିପାଇଁ କୁଳବୃଦ୍ଧ ମଧୁସୂଦନଙ୍କ ସହ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଫକୀରମୋହନ ସେନାପତି, ଗଙ୍ଗାଧର ମେହେର, ବାସୁଦେବ ସୁଢଳଦେବ, ପଣ୍ଡିତ ନୀଳକଣ୍ଠ ଦାସ, ଗୋପବନ୍ଧୁ ଦାସ ଆଦି ଆପ୍ରାଣ ଉଦ୍ୟମ କରିଥିଲେ।୧୫୬୮ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ରାଜା ମୁକୁନ୍ଦଦେବଙ୍କ ମୃତ୍ୟୁ ପରେ ଏହା ଥିଲା ପ୍ରଥମ ଭାଷାଭିତ୍ତିକ ପ୍ରଦେଶଗଠନ ଦିବସ।ବିହାର ଓଡ଼ିଶା ପ୍ରଦେଶରୁ ସ୍ବତନ୍ତ୍ର ଓଡ଼ିଶା ବାହାରି ଏହିଦିନ ଛଅଟି ଜିଲାରେ ଆତ୍ମପ୍ରକାଶ କରିଥିଲା। ସେଗୁଡ଼ିକ ହେଲା କଟକ,ପୁରୀ, ବାଲେଶ୍ଵର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ। ଏହି ପ୍ରଦେଶର ରାଜଧାନୀ କଟକ ବୋଲି ଘୋଷଣା କରାଗଲା। ଏହାର ପ୍ରଥମ ଗଭର୍ଣ୍ଣର ଥିଲେ ସାର୍ ଜନ ଅଷ୍ଟିନ ହବାକ।
ଏତେ କଷ୍ଟରେ ମିଳିଥିବା ଏଇ ତାରିଖଟିକୁ ଆମେ ବ୍ରିଟିଶ ଆଇଁଷ ଦେଇ ମାରା କରିଦେବାଟା ଲାଜର କଥା ନୁହେଁ ଆଜ୍ଞା।
ମୋ ରାଣ! ଏଭଳି ପବିତ୍ର ଦିବସକୁ ଆଉ ମୂର୍ଖ ଦିବସ ବନେଇ ମାରା କରନ୍ତୁନି।ମୋ ଓଡ଼ିଶାରେ କ’ଣ ନାହିଁ ବା ନଥିଲା ଯେ ଆମେ ହୀନମୂର୍ଖ ବୋଲି ପରିଗଣିତ ହେବା!
ଚମତ୍କାର ଅଭିବ୍ୟକ୍ତି! ଓଡ଼ିଆ ଜାତିର ସ୍ୱାଭିମାନକୁ ନେଇ ଯେଉଁ ଦିଗଟିକୁ ଦର୍ଶାଯାଇଛି, ତାହା ପ୍ରଶଂସନୀୟ। ଆମ ସଂସ୍କୃତି ଓ ଇତିହାସର ମହତ୍ତ୍ୱକୁ ବୁଝିବା ନିହାତି ଜରୁରୀ।
ଲେଖାଟିରେ ଐତିହାସିକ ତଥ୍ୟ ଏବଂ ଆବେଗର ଏକ ସୁନ୍ଦର ସମନ୍ୱୟ ରହିଛି।
ବିଶେଷ କରି ‘ବ୍ରିଟିଶ ଆଇଁଷ’ ଶବ୍ଦଟି ମାନସିକ ଗୋଲାମୀ ପ୍ରତି ଏକ ଶକ୍ତ ପ୍ରହାର।
ଜୟ ଜଗନ୍ନାଥ, ଜୟ ଓଡ଼ିଶା
ବହୁତ ଧନ୍ୟବାଦ