ଆମ ଭାଷା ଯେତେ ଅଶୁଦ୍ଧ ଓ ଅଶିଷ୍ଟ ହେଉ ନା କାହିଁକି, ଏହା ଯେ ଆମର ବାଚନିକ ଜୀବନ୍ତତାର ସଂକେତ ଏଥିରେ କୌଣସି ସନ୍ଦେହ ନାହିଁ।

ଗଳ୍ପ, ଉପନ୍ୟାସ, ପ୍ରବନ୍ଧାଦି ଲେଖିବା ବେଳେ ସାହିତ୍ୟକାରମାନେ ଯେଉଁ ଓଡ଼ିଆ ଭାଷା ବ୍ୟବହାର କରନ୍ତି, ଭଦ୍ରମଣ୍ଡଳୀରେ କଥାବାର୍ତ୍ତା ବେଳେ ବା ସଭା ମଞ୍ଚରେ ଠିଆହୋଇ ଭାଷଣ ଦେବାବେଳେ ଶିକ୍ଷିତ ଲୋକେ ଯେଉଁ ଓଡ଼ିଆ କହନ୍ତି, ଯେଉଁ ଓଡ଼ିଆ ଭାଷା ବ୍ୟବହାର କରି ଶ୍ରେଣୀ କକ୍ଷରେ ଶିକ୍ଷକ ଓ ଅଧ୍ୟାପକବୃନ୍ଦ ପାଠ ପଢ଼ାନ୍ତି, ସେଇ ଓଡ଼ିଆଠାରୁ ସର୍ବତୋମୁଖୀ ଭାବରେ ପୃଥକ୍ ଏକ ପ୍ରକାର ଓଡ଼ିଆ ଅଛି, ଯାହା ବିଭିନ୍ନ ସ୍ତରରେ ବହୁଳ ଭାବରେ ବ୍ୟବହୃତ। ଏ ପ୍ରକାର ଓଡ଼ିଆରେ ଯେଉଁ ଶବ୍ଦମାନ ବ୍ୟବହାର କରାଯାଏ, ସେଗୁଡ଼ିକର ଉତ୍ପତ୍ତି ନିର୍ଣ୍ଣୟ କରିବା ଅନେକ କ୍ଷେତ୍ରରେ ବଡ଼ କଠିନ। ତେବେ ଶୁଣିବାକୁ ଏ ଓଡ଼ିଆ ରୁଚିକର ବୋଧ ହୁଏନାହିଁ।
ସୀମିତ ପରିସର ମଧ୍ୟରେ ନିଜର ବନ୍ଧୁ ମେଳରେ ଏ ପ୍ରକାର ଓଡ଼ିଆ କହିଲେ ଚଳିପାରେ, ମାତ୍ର ଏହାର ବ୍ୟବହାରକର୍ତ୍ତା ମଧ୍ୟ ଜାଣନ୍ତି ଯେ, ସେ ଏ ପ୍ରକାର ଭାଷାକୁ ସାଧାରଣ ସ୍ତରରେ ଚଳାଇ ନେଇପାରିବେ ନାହିଁ। ଏ ପ୍ରକାର ଭାଷାକୁ ଅଶିଷ୍ଟ ଭାଷା କିମ୍ବା ଅପସଂସ୍କୃତିର ଭାଷା ବୋଲି ନାମିତ କରାଯାଇପାରେ। ଶିକ୍ଷିତ, ଅଶିକ୍ଷିତ ସମସ୍ତେ ଏ ପ୍ରକାର ଭାଷା ଏକ ନିର୍ଦ୍ଦିଷ୍ଟ ପରିବେଶ ମଧ୍ୟରେ ବ୍ୟବହାର କରନ୍ତି। ନିରୋଳା ଭାଷାତାତ୍ତ୍ୱିକ ଦୃଷ୍ଟିରୁ ଏହାର ଯଥେଷ୍ଟ ଗୁରୁତ୍ୱ ଥିଲେ ହେଁ ଏବଂ ଏହାର ଅଧ୍ୟୟନ ଅତି ଆମୋଦଦାୟକ ହୋଇଥିଲେ ହେଁ, ଓଡ଼ିଶାରେ କେହି ଏଥିପ୍ରତି ଦୃଷ୍ଟି ଦେଇଥିବା ଭଳି ମନେ ହେଉନାହିଁ।
ଭାଷାର ବିଭିନ୍ନତା
ଗୋଟିଏ ନିର୍ଦ୍ଦିଷ୍ଟ ଭାଷା ବ୍ୟବହାର କରୁଥିବା ସମସ୍ତ ଲୋକ ପରସ୍ପର ସହ କଥାବାର୍ତ୍ତା କରିପାରିବା ଆଦୌ ସମ୍ଭବ ନୁହେଁ। ଭୌଗୋଳିକ ଗୁରୁତ୍ୱ, ଗମନାଗମନର ଅସୁବିଧା, ଅର୍ଥନୈତିକ ବୈଷମ୍ୟ; ସାମାଜିକ ସ୍ତରରେ ବିଭିନ୍ନତା ଇତ୍ୟାଦି ଅନେକ କାରଣରୁ ସମସ୍ତେ ସମସ୍ତଙ୍କ ସହ ମିଳାମିଶା କରି କଥାବାର୍ତ୍ତା କରିପାରିବା ଆଦୌ ସମ୍ଭବ ନୁହେଁ। ଏଣୁ ଗୋଟିଏ ଭାଷା ମଧ୍ୟରେ ବିଭିନ୍ନତା ପ୍ରକାଶପାଇଥାଏ। ‘ଯେ ଜାଗା ଯାଇ, ସେ ଫଳ ଖାଇ’ କଥାଟି ନିଶ୍ଚୟ ସତ। କିନ୍ତୁ ‘ଯେ ଜାଗା ଯାଇ, ସେ କଥା କହି’ – ଏ କଥା ମଧ୍ୟ ସତ।

ସେଇଥିପାଇଁ ମଦଭାଟିରେ ଯେଉଁ ପ୍ରକାର ଭାଷା ବ୍ୟବହାର କରାଯାଏ, ମାଲଗୋଦାମରେ ସେଇ ପ୍ରକାର ଭାଷା ବ୍ୟବହାର କରାଯାଏନାହିଁ। ସେଇ ଏକା ଓଡ଼ିଆ। ମାତ୍ର ସ୍କୁଲ କଲେଜ ବାରଣ୍ଡାରେ ଗୋଟିଏ ପ୍ରକାର ଶୁଭେ ତ ବେଶ୍ୟା ଗଳିରେ ଆଉ ଏକ ପ୍ରକାର। ଚୋରମାନଙ୍କର ସାଂକେତିକ ଭାଷା ବୁଝିବାକୁ ପୁଲିସ୍ ଅକ୍ଷମ, ତେଣେ ଡାକ୍ତରମାନଙ୍କ ଭାଷା ରୋଗୀ। ଗୋଟିଏ ପ୍ରଦେଶର ବାସିନ୍ଦା ହୋଇଥିଲେ ହେଁ ଅଭ୍ୟାସ ଯୋଗରୁ ହେଉ ବା ଅଭାବ ଯୋଗରୁ ହେଉ, ଜଣେ ଲୋକର ବ୍ୟବହୃତ ଭାଷା ଅନ୍ୟ ଲୋକ ପାଇଁ ଅବୋଧ୍ୟ ହୋଇପଡ଼େ। ଗ୍ରାମବାସୀ ସାଧାରଣ ଲୋକେ ବହିର୍ଜଗତ ସହ ସଂପର୍କଶୂନ୍ୟ ହୋଇ ନିଜର ସାରା ଜୀବନ ବିତାଇଦିଅନ୍ତି। ଏମାନେ କେବଳ ଦୁଇ, ପାଞ୍ଚ ବା ଆଠ ବର୍ଗ କିଲୋମିଟର ପୃଥିବୀ ସହିତ ପରିଚିତ। ଏଣୁ ଏମାନେ ଯେଉଁ ଭାଷା ବ୍ୟବହାର କରନ୍ତି, ତହିଁରେ ଆଧୁନିକ ଜ୍ଞାନ ବିଜ୍ଞାନର ଶବ୍ଦରାଜିର ପ୍ରୟୋଗ ଶୁଣିବାକୁ ମିଳେନାହିଁ।
ହାତଗୋଡ଼ ଚାଲିଲେ ହୁଏତ ପେଟକୁ ଦାନା ଓ ପିଠିକୁ କନା ଜୁଟିପାରେ, ମାତ୍ର ପାଟି ନ ଫିଟାଇ ମନ ଅଭ୍ୟନ୍ତରର ଗୋପନ ଭାବରାଜି ପ୍ରକାଶ କରିହେବ କିପରି? ସମାଜର ପ୍ରତ୍ୟେକ ସ୍ତରର ମଣିଷ ନିଜକୁ ବ୍ୟକ୍ତ କରିବାକୁ ଚାହାନ୍ତି ଏବଂ ଏଥିପାଇଁ ଭାଷାକୁ ମାଧ୍ୟମ ରୂପରେ ବ୍ୟବହାର କରନ୍ତି। ପ୍ରତ୍ୟେକ ସ୍ତରରେ ବ୍ୟବହୃତ ଭାଷାର ନିଜସ୍ୱ ସ୍ୱାତନ୍ତ୍ର୍ୟ ରହିଛି। ଏହି ସ୍ୱାତନ୍ତ୍ର୍ୟ ଜାଣିବାକୁ ହେଲେ ସେଇ ସ୍ତରରେ ବାସ କରୁଥିବା ଲୋକଙ୍କର ପ୍ରତ୍ୟକ୍ଷ ସଂସର୍ଗରେ ଆସିବାକୁ ହେବ।
ଜ୍ଞାନ ବିଜ୍ଞାନର ବିଭିନ୍ନ ବିଭାଗ ଯଥା: ତର୍କଶାସ୍ତ୍ର, ଜ୍ୟୋତିଷ ଶାସ୍ତ୍ର, ହସ୍ତରେଖା ବିଜ୍ଞାନ, ପଦାର୍ଥ ବିଜ୍ଞାନ ଇତ୍ୟାଦିରେ ବିଭିନ୍ନ ପ୍ରକାର ପରିଭାଷା ଥିବା ଭଳି ସମାଜର ବିଭିନ୍ନ ଗୋଷ୍ଠୀ-ଭୁକ୍ତ (ଯଥା: କମାର, ଦର୍ଜି, ଚମାର, ତନ୍ତୀ) ଲୋକଙ୍କର ବ୍ୟବହୃତ ଭାଷାରେ ମଧ୍ୟ ଅନେକ ‘ପରିଶବ୍ଦ’ ବ୍ୟବହୃତ ହୋଇଥାଏ। ଏ ସ୍ତରର ଭାଷା ଓ ଶବ୍ଦ ଭଣ୍ଡାର ସାଧାରଣତଃ ହାଲୁକା ଓ ଲଘୁ ଏବଂ ଅଧିକାଂଶତଃ ଅଲିଖିତ ହୋଇ ରହିଯାଇଛି। ଲେଖକମାନେ ଏ ଶବ୍ଦଗୁଡ଼ିକ ସହ ଅପରିଚିତ। ଏଭଳିକି ଆମର ତଥାକଥିତ ‘ସାମାଜିକ’ ନାଟକ ଓ ଉପନ୍ୟାସରେ ମଧ୍ୟ ଏ ଶବ୍ଦଗୁଡ଼ିକର ସ୍ଥାନନାହିଁ। କାରଣ ଏହା ପ୍ରକୃତ ଓଡ଼ିଆ ନୁହେଁ, ଏହା ଏକ ଗୋଷ୍ଠୀ ଭାଷା। ‘ଏହା ସମସ୍ତଙ୍କର ବୋଧଗମ୍ୟ ନୁହେଁ, ଏଣୁ ଏ ଭାଷା ଚଳିବ ନାହିଁ।’ – ଏ ପ୍ରକାର ଯୁକ୍ତି ନିରର୍ଥକ। କାରଣ ଡାକ୍ତର ଯଦି ନିଜ ଶବ୍ଦ ଭଣ୍ଡାରର ଶବ୍ଦ ବ୍ୟବହାର ନ କରିବେ, ତା’ହେଲେ ତାଙ୍କର ଡାକ୍ତରତ୍ୱ ପ୍ରକାଶ ପାଇବ ନାହିଁ। ସାହିତ୍ୟରେ ସଂଳାପ ମାଧ୍ୟମରେ ଚରିତ୍ରର ପେଶା ଓ ସାମାଜିକ ସ୍ତର, ସୂଚାଇବାର ଖୁବ୍ କମ୍ ଚେଷ୍ଟା ହୋଇଛି। ଏ ଭାଷା ନିତ୍ୟକଥିତ ଓ ଜୀବନ୍ତ ଭାଷା ହୋଇଥିଲେ ହେଁ ଲିଖିତ ସାହିତ୍ୟ, ମଞ୍ଚିତ ସାହିତ୍ୟ ଓ ଏଭଳିକି ଚଳଚ୍ଚିତ୍ରୀକୃତ ସାହିତ୍ୟରେ ମଧ୍ୟ ଏହାର ସ୍ଥାନ ମୋଟେ ନାହିଁ କହିଲେ ଚଳେ। ଅବଶ୍ୟ ଓଡ଼ିଆରେ ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ଶାନ୍ତନୁ ଆଚାର୍ଯ୍ୟ ଓ ଫତୁରାନନ୍ଦ ନିଜ ନିଜର କେତେକ ରଚନାରେ ଏ ଅପସଂସ୍କୃତିର ଅଶିଷ୍ଟ ଭାଷା ପ୍ରୟୋଗକରି ସାହସର ପରିଚୟ ଦେଇଛନ୍ତି। ଏ ସ୍ତରୀୟ ଭାଷାର ଏକ ଉଲ୍ଲେଖନୀୟ ଲକ୍ଷଣ ହେଲା, ଏ ପ୍ରକାର ଭାଷା ମୁଖ୍ୟତଃ ସମାଜର ପୁରୁଷ ସଭ୍ୟମାନଙ୍କ ଦ୍ୱାରା ବ୍ୟବହୃତ ହୋଇଥାଏ।
ବିବିଧ ଶବ୍ଦ ଚୟନ
ଗୋଟିଏ ନିର୍ଦ୍ଦିଷ୍ଟ ଭାବକୁ ବ୍ୟକ୍ତ କରିବା ପାଇଁ ବିଭିନ୍ନ ବ୍ୟକ୍ତି ବିଭିନ୍ନ ପ୍ରକାର ଶବ୍ଦ ଚୟନ କରିଥାଆନ୍ତି। ଅଶିଷ୍ଟ ଭାଷା ପ୍ରୟୋଗରେ ଏହି ଶବ୍ଦ ଚୟନ ରୀତି, ଶିଷ୍ଟ ଭାଷା ପ୍ରୟୋଗଠୁ ଭିନ୍ନ।

-ପେଟ ପୋଡ଼ିଯାଉଛି
-ଭୋକ କରୁଚି
-ପେଟ୍ରୋଲ ଶେଷ, ଗାଡ଼ି ଚାଲୁନାହିଁ
-ପେଟରେ ମୂଷା
-ଏ ଦିଅ
-ବେଏରା ଲାଓ
-ପେଟପୂଜା ବେଳ ହୋଇଗଲା
-ଚାଲ ଚାଲ
-ବାଢ଼
-ଆଣ
-ମା’
ଉପରେ ଏଗାର ପ୍ରକାର ସଂଳାପ ପ୍ରୟୋଗକରି, ଏଗାର ଜଣ ଲୋକ କେବଳ ଗୋଟିଏ ଭାବ ପ୍ରକାଶ କରିଛନ୍ତି: କ୍ଷୁଧା। ଏ ପ୍ରତ୍ୟେକ ଶବ୍ଦ ପ୍ରୟୋଗର ଅର୍ଥ ଏକ ହେଲେ ହେଁ ଏହା ବିଭିନ୍ନ ଲୋକଙ୍କ ମୁହଁରୁ ଉଚ୍ଚାରିତ ହୋଇଛି।
ଏ ସଂଳାପ କେବଳ ଗୋଟିଏ ମାନବିକ ଭାବକୁ ନୁହେଁ, ଗୋଟିଏ ସାମାଜିକ ସ୍ତରକୁ ମଧ୍ୟ ବ୍ୟକ୍ତ କରିପାରେ। ଗୋଟିଏ ଶବ୍ଦର ଅନେକ ପ୍ରତିଶବ୍ଦ ଥାଇପାରେ। ମାତ୍ର ତନ୍ମଧ୍ୟରୁ ଅନେକ ସମାର୍ଥବୋଧକ ହୋଇଥିବାରୁ ସାହିତ୍ୟିକ କାର୍ଯ୍ୟ ପାଇଁ ଅନୁପଯୁକ୍ତ। କେବଳ ସ୍ତର ସୂଚକୀୟ ପ୍ରତିଶବ୍ଦ ବ୍ୟବହାର କରାଯାଇପାରେ। ଅପସଂସ୍କୃତିର ଭାଷାରେ ବ୍ୟବହୃତ ଅନେକ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଭାବକୈନ୍ଦ୍ରିକ। ଅଶିଷ୍ଟ ଭାଷାର ଅଧିକାଂଶ ଶବ୍ଦ, ନରନାରୀଙ୍କର ଶାରୀରିକ ସଂପର୍କ, ମାନସିକ ଅନଗ୍ରସରତା ଓ ସାମାଜିକ ବିଚାରରେ ଗର୍ହିତ କାର୍ଯ୍ୟାବଳୀ ସହିତ ସଂପୃକ୍ତ। ଅର୍ଥାତ୍ ଯେଉଁ ବିଷୟରେ କଥାବାର୍ତ୍ତା କଲେ ସମସ୍ତେ ବୁଝିପାରିବେ ବୋଲି ବକ୍ତାଙ୍କର ଭୟଥାଏ, ସେ ବିଷୟକୁ ବ୍ୟକ୍ତ କରିବା ପାଇଁ ଏହି ପ୍ରକାର ଅଳ୍ପଜ୍ଞାତ ଶବ୍ଦମାନ ବ୍ୟବହୃତ ହୁଏ।
ଏହା ହୁଏତ ଗୁପ୍ତଭାଷା। ଯଥା: ଆମର ଅଧିକାଂଶ ଗାଳି।
୧. ନରନାରୀଙ୍କର ଶାରୀରିକ ସଂପର୍କ ସୂଚକ: ହାରାମଜାଦା, ହାରାମୀ, ବାଡ଼ିପଶା, ବେଧେଇ, ବେଧୁଆ, ବେଧ, ବେହିପୋ, ଦାରିଆଣୀ, ଦାରି, ଚିନ୍ନାଳି, ଅସତୀ, କୁଳଟା, ବେଶ୍ୟା, ଜାରଜ, ସାଥୀ-ଶୁଅନ୍ତା, ବାରଦୁଆରୀ।
୨. ମାନସିକ ଅନଗ୍ରସରତା ସୂଚକ: ଅଭଦ୍ର, ଅସଭ୍ୟ, ଚଗଲା, ଦୁଷ୍ଟ, ବାଳୁଙ୍ଗା, କୁଳାଙ୍ଗାର, ଅକାଳକୁଷ୍ମାଣ୍ଡ, ବେଇମାନ, ଓଲୁ, ବୋକା, ଭକୁଆ, ବଜ୍ଜାତ।
୩. ବ୍ୟାଧି, ବିକୃତି ବା ମୃତ୍ୟୁ ସୂଚକ: ରୁଘା, ବରରୁଗିଆ, ପୁଖରା, କରହା, ରଇଖିଆ, ରଇଜଳା, ଗାଡ଼ଶୁଆ, ଗଜାବଇସିଆ, ବାଘଧରା, ଚୁଲିପଶା, ଗାତପଶା, ଅଳପେଇସା, ରବଆଖିଆ, ଠୁଠା, ମୁହଁପୋଡ଼ା, ପୋଡ଼ାମୁହାଁ, ପୋଡ଼ାମୁହିଁ, ପେଚାମୁହୀଁ, ଦୋମୁହୀଁ, ଆଡ଼ମୁହୀଁ, ଅଥାରମୁହୀଁ, ଭୁତମୁଖୀ, ଚାନ୍ଦମୁହୀଁ, ଉଞ୍ଚୁକପାଳୀ, ବାହାଡ଼ାବାଲି, ଡେଙ୍ଗୀ ସୋଡ଼ପି, ଚେପଟିନାକୀ।
୪. ଗର୍ହିତ କାର୍ଯ୍ୟ ବା ବ୍ୟବହାର ସୂଚକ: ସବାଖିଆ (ଖାଇ), ଛତରଖିଆ (ଖାଇ), ପରଭାତୋଈ, ହାଣ୍ଡିଖାଈ, ଅଖାଇନାନୀ, ଉଁଆସୀ, ବେହିଆ, ବଜାରୀ, ଛତରା, ଡହରା, ଚଣ୍ଡାଳ, ଆରତିକୁହା, ଆଗପତ୍ରୀ, ସତ୍ୟାନାଶୀ, ବାଡ଼ିପଡ଼ି, ଅଇଁଠାଖାଇ, ଉଜୁଳି, କଞ୍ଚାଡ଼ାହାଣୀ, କଞ୍ଚାଖାଇ, ବାହାପିଆ, ଫତୁରିଆ, ବର୍ମଶିଆ, ଭିକମଗା, ଭିକାରୀ, ଚାମ୍ଚା, ଲୁଙ୍ଗୁରୁ, ଭଗାରୀହସା, ଛନ୍କୀ, ଅଣ୍ଡିରାଚଣ୍ଡୀ, ଅଧୁଆମୁହୀଁ, କେରୁଆଭଣ୍ଡା।
୫. ଅଭକ୍ଷ ଭକ୍ଷଣ ସୂଚକ: ଗୁହଖିଆ, ଥୁକରଟା, ରକତ ପାଣିପିଆ।
ଏ ପ୍ରକାର ଗାଳିମାନ ନିତ୍ୟ ଅନେକ ଓଡ଼ିଆଙ୍କ ଦ୍ୱାରା ବ୍ୟବହୃତ। ଏଥିରୁ ବ୍ୟବହାର କର୍ତ୍ତାଙ୍କର ସାମାଜିକ ସ୍ୱର ନିର୍ଣ୍ଣୟ କରାଯାଇପାରେ କି? ନିରୋଳା ଭାଷାତାତ୍ତ୍ୱିକ ଦୃଷ୍ଟିରୁ ଅଧିକାଂଶ ଅଶ୍ଳୀଳ ପର୍ଯ୍ୟାୟଭୁକ୍ତ ଗାଳିରେ ବ୍ୟବହୃତ ଶବ୍ଦରୁ ହିଁ କଳିଦେଇ ହେବ ଯେ, ଗାଳି ଦେଉଥିବା ଲୋକଟି କେଉଁ ଶ୍ରେଣୀ ଓ ଧରଣର। ଗୋଟିଏ ଶବ୍ଦର ଉଚ୍ଚାରଣ ହିଁ ଗୋଟିଏ ମଣିଷର ଚରିତ୍ରକୁ ଉଦ୍ଭାସିତ କରିପକାଏ। ମାତ୍ର ଅନେକ ସମୟରେ ଗାଳିରେ ଏକ ମିଥ୍ୟା ଆରୋପ ହିଁ ଧ୍ୱନିତ ହୋଇଥାଏ। ନିଜକୁ ଅତି କଠୋର ଭାବରେ ବ୍ୟକ୍ତ କରିବାର ପ୍ରଚେଷ୍ଟାରେ ବିଫଳ ହେଲେ ମଣିଷ ପାଟିରୁ ଗାଳି ଖସିପଡ଼େ। ବେଳେ ବେଳେ ଅତି ଭଲ ପାଉଥିବା ବ୍ୟକ୍ତି ଗେଲରେ ଗେଲରେ ଗାଳିଦେଇ ପକାନ୍ତି।
ଗେଲରେ ଗେଲରେ ନାଁ ମଧ୍ୟ କରାଯାଏ। ଯଥା:
୧. ଜଣେ ରାଗୀ ଅଧ୍ୟାପକ – ଫାୟାର ବ୍ରିଗେଡ ଭାବରେ।
୨. ଜଣେ କୃପଣ ଶିକ୍ଷକ – ଗବା ନାମରେ।
୩. ଜଣେ ତରବରିଆ ଲୋକ – ଦମକଳ ନାମରେ ପରିଚିତ ହୋଇପାରନ୍ତି।
ଠିକ୍ ସେହିପରି
୪. ଚିଡ଼ିଚିଡ଼ା ସ୍ୱଭାବର ଛାତ୍ରୀ – ଫସ୍ଫରସ।
ଏକ ଗପୁଡ଼ି ଲୋକଟିଏ ଏ.ଆଇ.ଆର୍ ନାମରେ ପରିଚିତ ହୋଇପାରେ। ଏଠି ପ୍ରଯୁକ୍ତ ଶବ୍ଦଗୁଡ଼ିକ ଗୁଣ ବା ଠିକ୍ ବିଶେଷଣ ପର୍ଯ୍ୟାୟଭୁକ୍ତ। କେତେକ ପୌରାଣିକ ବ୍ୟକ୍ତି ମଧ୍ୟ ‘ବିଶେଷଣ’ ପାଲଟି ଯାଇଛନ୍ତି।
୧. ହନୁମାନ – ପ୍ରଭୁଭକ୍ତ
୨. ଶକୁନି – କଳିହୁଡ଼ା ଲୋକ
୩. ନାରଦ – କଳିହୁଡ଼ା ଲୋକ
୪. ମନ୍ଥରା – ମନ୍ଦ ପ୍ରକୃତିର ମାଇକିନା
୫. କୃଷ୍ଣ – ରସିକ
୬. ଆରୁଣି – ଗୁରୁଭକ୍ତ ଛାତ୍ର
ଇତିହାସରୁ ଗୃହୀତ କେତୋଟି ନାମ ମଧ୍ୟ ଗୁଣବାଚକ ବିଶେଷଣ ରୂପରେ ବ୍ୟବହୃତ।
୭. ହିଟଲର – ତୁମ୍ବିତୋଫାନ କରୁଥିବା ଲୋକ।
(ତୋ ଏ ହିଟଲରୀ ମୋ’ଠେଇଁ ଚଳିବ ନାହିଁ)।
୮. ଗାନ୍ଧୀ – ସରଳ, ନିଷ୍କପଟ, ନିରାଡ଼ମ୍ବର ଲୋକ।
୯. ଦେବାନନ୍ଦ – ସଜେଇ ହୋଇ ବାହାରୁଥିବା ଟୋକା। (ତୋର ଏ ଦେବାନନ୍ଦି ଚଳିବ ନାହିଁ)।
୬. ସ୍ତ୍ରୀମାନଙ୍କର କେତେକ ଶାରୀରିକ ଅବସ୍ଥା ସୂଚକ।
(କ) ଋତୁମତୀ ହେବା : ରେଡ୍ ଲେଟର ଡେ, ଧରମ ପଟ୍ଟି, ମନ୍ଥଲି ହୋଲି ଡେ, ଆଉଟ ଅଫ୍ ଅର୍ଡର, ନାଲିବତୀ, ରେଡ୍ ଟେପ୍।
(ଖ) ସୁନ୍ଦରୀ ଟୋକୀ – କଟକରେ ମାଛ, ଜରି, କାଚ, ସୁନା ନାମରେ; ପାରଳାରେ ଖଣ୍ଡା, ଗଞ୍ଜାମରେ ପେଣ୍ଠି, ସମ୍ବଲପୁରରେ ଗଣ୍ଠି, ଆଉ କେଉଁଠି ବା ଚଢ଼େଇ।
୭. ଲାଞ୍ଚ-ବ୍ୟଞ୍ଜକ ଅନେକ ଶବ୍ଦ ବ୍ୟବହାର କରାଯାଏ। ଯେଭଳି ଚା’ଖିଆ, ପାନଖିଆ, ଗୁଆଖିଆ, ଅଣ୍ଟାଗୁଞ୍ଜା, ଉପୁରି।
୮. ତୋଷାମଦ-ବ୍ୟଞ୍ଜକ ଶବ୍ଦ ପ୍ରୟୋଗ: ପମ୍ପ ଦେବା, ତେଲେଇବା, ମାଲିସ୍ କରିବା, ତେଲ ଦେବା, ଚାମଚାଗିରି କରିବା।
୯. ମିଥ୍ୟା-ବ୍ୟଞ୍ଜକ ଶବ୍ଦ ପ୍ରୟୋଗ: ବଣ୍ଡଲ ମାରିବା, ଡାବା – ପୁଡି, ଦେଢ଼ି ମାରିବା, ଫାୱା ମାରିବା।
୧୦. ନଷ୍ଟ ଚରିତ୍ରା-ବ୍ୟଞ୍ଜକ ଶବ୍ଦ: ଟେକ୍ସି, ଟ୍ରକ୍, ବାଜେଣୀ, ହାଓଡ଼ାପୋଲ, ମହାପକ୍କା ଖଲିପା।
ଏଭଳି ପର୍ଯ୍ୟାୟଭୁକ୍ତ କରିବା ଅପେକ୍ଷା ‘ଅପସଂସ୍କୃତିର ଭାଷା’ର ଏକ ଆଦ୍ୟ ଅଭିଧାନ ସଂକଳନ କରାଯାଇପାରେ। ମାତ୍ର ମୁଁ ସମ୍ଭବତଃ ସେତେ ବିରାଟ ଏକ ଦାୟିତ୍ୱ ତୁଲେଇପାରିବାର ଯୋଗ୍ୟ ନୁହେଁ। ତେଣୁ ମୁଁ ନିଜେ ଏକା କିମ୍ବା ବନ୍ଧୁବାନ୍ଧବ ମେଳରେ ମାଲଗୋଦାମ, କଲେଜ, ଅଫିସ୍ ଓ ରାସ୍ତାରେ ଶୁଣିଥିବା ଏଭଳି ଶବ୍ଦମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ନିଜର କର୍ତ୍ତବ୍ୟ ମାତ୍ର ସଂପାଦନ କରୁଛି।
ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଅପରାଧୀମାନେ କେମିତି ‘ଗୁପ୍ତଭାଷା’ ବ୍ୟବହାର କରନ୍ତି, ତାହା ମଧ୍ୟ ଏକ ଆମୋଦଦାୟକ ଅଧ୍ୟୟନ ହୋଇପାରେ। ପାଠକମାନଙ୍କ ମଧ୍ୟରୁ କେହି ଯଦି ନିମ୍ନଲିଖିତ ଅପରାଧୀ ହୋଇଥାନ୍ତି ବା ସେ ଧରଣର ଲୋକଙ୍କର ଘନିଷ୍ଠ ସଂପର୍କରେ ଆସିଥାଆନ୍ତି, ତା’ହେଲେ ସେମାନଙ୍କର ନିତିଦିନିଆ କଥାବାର୍ତ୍ତାରୁ ପାଞ୍ଚ/ଦଶ ବାକ୍ୟ ଲେଖି ମୋ ପାଖକୁ ପଠାନ୍ତୁ। ଏହା ମୋର ଅଧ୍ୟୟନ କାର୍ଯ୍ୟ ପାଇଁ ବ୍ୟବହାର କରିବି।
ଅପରାଧୀମାନଙ୍କୁ କେବଳ ଦୁଇ ଭାଗରେ ବିଭକ୍ତ କରାଯାଇପାରେ : ପେଶାଦାର ଓ ଅପେଶାଦାର। ସମାଜର ବିଭିନ୍ନ ଅପରାଧୀଙ୍କୁ ନିମ୍ନମତେ ବାଣ୍ଟି ଦିଆଯାଇପାରେ।
୧. ଚୋର, ଡକାୟତ, ତସ୍କର, ପକେଟମାର, ଚୋରା ମାଲ୍ର ବେପାରି, ପିଲାଚୋର, ଠକ, ଜାଲିୟାତ, ଭିକ୍ଷକ, ହିଂଜଡ଼ା ସଂପ୍ରଦାୟ, ଗଞ୍ଜେଇ ବେପାରି।
୨. ପତିତା, ପତିତାର ମାଲିକ/ମାଲିକାଣୀ, ପତିତାର ଦଲାଲ।
୩. ହିଂସାକାମୀ ଯୁବକ ଦଳ, ଚୋରାଚାଲାଣକାରୀ, ଅସାମାଜିକ ବ୍ୟବହାରକାରୀ।
ଏହି ଶ୍ରେଣୀର ଲୋକଙ୍କର କଥିତ ଭାଷାର ଅଧ୍ୟୟନ ଜରୁରି। କାରଣ ତାଙ୍କର, ଆଉ ଆମର ମଝିରେ ଏକ ଭାଷାର ପ୍ରାଚୀର ରହିଯାଉଥିବାରୁ ସେମାନେ ବେଳେ ବେଳେ ଆମର, ମାନବିକ ସମବେଦନାରୁ ବଞ୍ଚିତ ହୋଇପଡୁଛନ୍ତି। ଏଇ ଅପରାଧୀମାନେ ସୁଧୁରିଗଲେ ବି ସମାଜରେ ସ୍ଥାନ ପାଇପାରନ୍ତି ନାହିଁ।
ଶିଷ୍ଟତାବିରୋଧୀ
ଅପସଂସ୍କୃତି ଭାବରେ ପ୍ରଚଳିତ ଶବ୍ଦାବଳୀର ବ୍ୟବହାର ଶିଷ୍ଟତାବିରୋଧୀ ରୂପେ ବିବେଚିତ ହୋଇଥାଏ। ଶବ୍ଦ ନିଜସ୍ୱ ସତେଜତା ହରାଇବା ପରେ କିମ୍ବା ସାଧୁ ଭାଷାରେ ସାମିଲ ହୋଇସାରିବା ପରେ ହିଁ ଶିଷ୍ଟମଣ୍ଡଳୀ ଦ୍ୱାରା ବ୍ୟବହୃତ ହୁଏ। ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ସ୍ତ୍ରୀମାନେ ସାଧାରଣତଃ ସ୍ୱାମୀର ନାମୋଚ୍ଚାରଣ କରନ୍ତି ନାହିଁ। ଏଣୁ କେତେକ ଧ୍ୱନିକୁ ଊହ୍ୟ ରଖିବା ଉଦ୍ଦେଶ୍ୟରେ ହିଁ ଓଡ଼ିଆଣୀମାନେ ମୂଳଭାବକୁ ମୂଳ ନାମରେ ପ୍ରକାଶ କରିବାରେ ଅସମର୍ଥ ହୁଅନ୍ତି। ଯଥା: ସ୍ୱାମୀଙ୍କ ନାମ ଟଙ୍କଧର। ତାଙ୍କ ସ୍ତ୍ରୀ, ତେଣୁ ଟଙ୍କା ନ କହି ରୁପିଆ ବୋଲି କହନ୍ତି। ଯାହାହେଲେ ବି ସେ ମୋ ସ୍ୱାମୀ, ସେ ମୋ ଶ୍ୱଶୁର, ପୁଣି ସେ ମୋ ଦେଢ଼ଶୁର, ତାଙ୍କ ନାଁଟା କେମିତି ଧରିବି? ତୁଣ୍ଡରେ ମୋର ଘା’ ହୋଇଯିବ ନାହିଁ?
ଏହି ଭାବ ଯୋଗୁଁ ଅନେକ ଓଡ଼ିଆଣୀ ଜଗନ୍ନାଥ ନ କହି କହନ୍ତି, ପୁରୀ ମହାପ୍ରୁ, କାଳିଆ ବା ଚକାଡୋଳା। ଦଶରଥର ସ୍ତ୍ରୀ ୧୦ (ଦଶ) ନ କହି କହେ ନଅଟା ଗୋଟେ। ସୁରେଶର ସ୍ତ୍ରୀ ସୋରିଷ କହେନାହିଁ। ସୁନ୍ଦରର ଶ୍ରୀମତୀ ସିନ୍ଦୂର ନାଲି ବା ଲାଲି ବୋଲି କହନ୍ତି।
ଶିଶୁମାନେ ପ୍ରଥମେ ଭାଷା ଶିକ୍ଷା କଲାବେଳେ ଅଧିକାଂଶ ଦୋ-ଅକ୍ଷରୀ ଶବ୍ଦ ଘନ ଘନ ଉଚ୍ଚାରଣ କରି ନିଜକୁ ବ୍ୟକ୍ତ କରିବାକୁ ଚେଷ୍ଟା କରନ୍ତି। ଯଥା:-
ଗଗ – ମିଳା, ଅସନା
ଦଦ – ଦୁଧ, କ୍ଷୀର
ମାମ୍ ମାମ୍ – ଖାଦ୍ୟ
ଗ’ କରିବା – ମଳତ୍ୟାଗ
ଚି’ ଚି’ – ମୂତ୍ରତ୍ୟାଗ
ଜି ଜି – ମାଛ
ଗା ଗା – ଲୁଗା
ପଁ ପଁ – ମଟରଗାଡ଼ି
ଭୋ ଭୋ – କୁକୁର ଇତ୍ୟାଦି। ଏ ପ୍ରକାର ଭାଷା ପ୍ରୟୋଗକୁ ମଧ୍ୟ ଏ ଅଧ୍ୟୟନର ପରିସରଭୁକ୍ତ କରାଯାଇପାରେ। ତେବେ ତଦ୍ଦ୍ୱାରା ଯେ ଏହା ଶାଖା ପ୍ରଶାଖା ମେଲି ଅସମ୍ଭାଳ ଭାବରେ ବ୍ୟାପକ ହୋଇଯିବ ତହିଁରେ ସନ୍ଦେହ ନାହିଁ।
ତେଣୁ ସ୍ୱାମୀ ନାମ ପରିପ୍ରେକ୍ଷୀରେ ନାରୀ ଭାଷା ଓ ଶିଶୁଭାଷାର ଅଧ୍ୟୟନ ସ୍ଥଗିତ ରଖି, ପ୍ରଥମେ ସଂଗୃହୀତ ଶବ୍ଦଗୁଡ଼ିକୁ ଆଭିଧାନିକ ରୀତିରେ ସଜାଇ ରଖିବାକୁ ହେବ।
ଛାତ୍ରମାନେ ପରସ୍ପର ମଧ୍ୟରେ ଭାବ ବିନିମୟ କଲାବେଳେ ଅନେକ ଏଭଳି ଶବ୍ଦ ବ୍ୟବହାର କରନ୍ତି, ଯାହାକୁ ଅପସଂସ୍କୃତି ପର୍ଯ୍ୟାୟଭୁକ୍ତ କରାଯାଇପାରେ। ବିଦ୍ୟାଳୟର ଜଣେ ଶିକ୍ଷକ ଛୋଟା। ଛାତ୍ରମାନେ ତାଙ୍କୁ ଦେଢ଼ି ବା ଢେଙ୍କି ନାମରେ ଜାଣନ୍ତି। ସାହିତ୍ୟ ଶିକ୍ଷକ ଭଞ୍ଜ ଓ ସଂସ୍କୃତ ଶିକ୍ଷକ ଚୁଟି ଚାଣକ୍ୟ ନାମରେ ପରିଚିତ। ଏ ପ୍ରକାର ନାମକରଣ କରିବାରେ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ଯଥେଷ୍ଟ କଳ୍ପନାଶୀଳତାର ପରିଚୟ ଦିଅନ୍ତି। ତେବେ ଏହାର ବ୍ୟାପକତା ଓ ପରିବର୍ତ୍ତନଶୀଳତା ଯୋଗୁ, ଏ ଶବ୍ଦଗୁଡ଼ିକୁ ଅଭିଧାନଭୁକ୍ତ କରିବା ଅତ୍ୟନ୍ତ ଦୁରୂହ ବ୍ୟାପାର।
ଅପସଂସ୍କୃତିର ଭାଷାରେ ଅନ୍ୟ ଏକ ଲକ୍ଷଣୀୟ ବିଷୟ ହେଲା, ଅନେକ ଓଡ଼ିଆ କ୍ରିୟା ପଦର ଆଂଲୋକରଣ। କଥା କଥାକେ ଲୋକେ ଲାଫିଙ୍ଗ ନ କହି ହସିଂ ଓ ସିଟିଂ ନ କହି ବସିଂ ବୋଲି କହୁଛନ୍ତି। ବିଭିନ୍ନ କ୍ରିୟା ପଦରେ ‘ଫାଏ’ ଯୋଗ କରିବାର ରୀତି ମଧ୍ୟ କଥିତ ଭାଷାରେ ଲକ୍ଷ୍ୟ କରାଯାଇପାରେ। ଦି ବସ୍ ଇଜ୍ ବିଗଡ଼ିଫାଏଡ୍ (ବସଟା ବିଗିଡି ଯାଇଛି), ଦି ଥିଫ୍ ଇଜ୍ ପଳାଇଫାଏଡ୍ (ଚୋରଟି ପଳାଇଗଲା) ଭଳି ବାକ୍ୟମାନ ପ୍ରତିଦିନ ଏଠି ସେଠି ଶୁଣିବାକୁ ମିଳୁଛି। ଏହା ଯେତେ ଅଶୁଦ୍ଧ ଓ ଅଶିଷ୍ଟ ହେଉ ନା କାହିଁକି, ଏହା ଯେ ଆମର ବାଚନିକ ଜୀବନ୍ତତାର ସଂକେତ ଏଥିରେ କୌଣସି ସନ୍ଦେହ ନାହିଁ। ଅଭିବ୍ୟକ୍ତିକୁ ଅଧିକ ବଳଶାଳୀ କରିବା ଉଦ୍ଦେଶ୍ୟରେ ଭାଷା ସହିତ ଯଥେଚ୍ଛାଚାର, ଆଗ ବି ଚାଲିଥିଲା, ଏବେ ବି ଚାଲିଛି ଓ ଭବିଷ୍ୟତରେ ମଧ୍ୟ ଚାଲିଥିବ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୬ ସଂଖ୍ୟାରେ ପ୍ରକାଶିତ। )
ନିଜର ଅଭ୍ୟାସଗତ ହୋଇଯାଇଥିବା କେତେକ ଅଭିବ୍ୟକ୍ତି ଏହି ଲେଖାରେ ପଢିବାକୁ ମିଳିଲା । ପିଲାଦିନରୁ ଶୁଣି ଆସିଥିବା/ ବେଳେ ବେଳେ କହିଆସିଥିବା (କିନ୍ତୁ କେଉଁଠି ପଢିନଥିବା) ଭାଷା ସଂକଳିତ ହୋଇପାରିଲେ ଭଲ ହେବ ନିଶ୍ଚୟ । କରିବ କିଏ ?
ଶିକାରୀ ମାନଙ୍କର ବି ନିଜସ୍ଵ ଏକ ଭାଷା ଅଛି
ପରିବାଣୁଆ – ବାଣୁଆ ର ସହଯୋଗୀ
ଭୂତିଆ – ମଣିଷ ମଲେ ଭୂତ, ପଶୁ ମଲେ ଭୁତିଆ
ଏସବୁ ହଜି ଯାଉଥିବା ଶବ୍ଦାବଳୀ ଗୋଟିଏ ଜାଗାରେ ମିଳିବା ଉଚିତ୍
ଅନେକ ଅପ-ସଂସ୍କୃତିର ଭାଷା ଆମକୁ ଦ୍ଵନ୍ଦାତ୍ମକ ସ୍ଥିତିରୁ ରକ୍ଷା କରି ଆମ ମାନ ମହତ ବଢ଼ାଇ ଥାଏ | ଉଦାହରଣ ସ୍ୱରୂପ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ମିଳିବା ପଛରେ ଯେଉଁ ଦୃଢ ପ୍ରମାଣ ସବୁ ଏକତ୍ରିତ କରାଯାଇଥିଲା, ତାର ଏକ ଗୁରୁତ୍ୱପୂର୍ଣ ଅଙ୍ଗ ହେଉଛି ଚର୍ଯ୍ୟାଗୀତ | ନେପାଳ ରାଜା ପାଠାଗାରରେ ଏହି ପ୍ରାଚୀନ ପୋଥିକୁ ସର୍ବ ପ୍ରଥମେ ଦେଖିଥିବା ଗବେଷକ ଜଣେ ବଙ୍ଗାଳି ହୋଇ ଥିବାରୁ ନ ଖୋଲୁଣୁ ଦାବି କୃପାକାଇଲେ ଯେ ତାହା ବଙ୍ଗାଳି ଭାଷାର କୃତି | କିନ୍ତୁ ପଢିଲା ବେଳେ ଯେଉଁ ଶବ୍ଦ ସବୁ ବାହାରିଲା ବଙ୍ଗାଳି ଭାଷାରେ ତାହାର କୌଣସି ଅର୍ଥ ହିଁ ନାହିଁ | ଅଥଚ ଓଡ଼ିଆ ଭାଷାରେ ସେସବୁ ଏବେବି ବହୁଳ ବ୍ୟବହୃତ ଅପା-ସଂସ୍କୃତିର ଭାଷା ଯାହା ଏହି ପୋଷ୍ଟରେ ଲେଖିବାକୁ ବି ଇଛା ହେଉନାହିଁ | ଚର୍ଯ୍ୟା ଗୀତ ଯେ ଓଡିଶା ର ସାହିତ୍ୟ କୃତି ତାହା ପ୍ରମାଣିତ ହୋଇଗଲା ଓ ଭାଷା ଆମର ଶାସ୍ତ୍ରୀୟ ମାନ୍ୟତା ପାଇବାରେ ବଡ ସାହାଯ୍ୟ ମିଳିଲା | ତେଣୁ ଭାଷା ଭାଷାହିଁ ଅପସଂସ୍କୃତି ହେଲେବି ତାହା ଆମ ଭାଷାଭଣ୍ଡାରର ଏକ ବିଭବ |