ଦେବତା

ଲେଖକଙ୍କ ଜୀବନରେ ଘଟିଥିବା ଏକ ବାସ୍ତବ ଘଟଣାର ଛାୟାରେ ଲିଖିତ ଗଳ୍ପଟିଏ।

ବିମଳ ଚନ୍ଦ୍ର ମହାପାତ୍ର

ଜୁନ ମାସର ଉଦୁଉଦିଆ ଦି’ପହର। ସୂର୍ଯ୍ୟ ଦେବତା ତାଙ୍କ ପ୍ରଖର କିରଣର ଫୁଆରା ନିଧଡ଼କ ଖୋଲିଦେଇ ପୃଥିବୀମୁହାଁ କରିଦେଇଥିଲେ। ଶଗଡ଼ ଗୁଳାପରି ସରୁ, ଉତ୍ତଳ, ଅବତଳ ଧୂଳିଭର୍ତ୍ତି ରାସ୍ତାରେ ଜିପ୍‌ଟି ଚାଲିଥିଲା। ପନ୍ଦର ବର୍ଷର ବୟୋବୃଦ୍ଧ ସରକାରୀ ଜିପ୍‌ଟି ଚାରିଜଣ ଆରୋହୀଙ୍କୁ ପେଟରେ ଧରି ଗର୍ଭିଣୀ ଗାଈଟି ପରି ଧଇଁ ସଇଁ ହୋଇ ଉଠିପଡ଼ି କଚ୍ଛପ ଗତିରେ ଆଗକୁ ବଢ଼ୁଥିଲା ମେଞ୍ଚାଏ ହତାଶାର ଧୂଳି ଉଡ଼େଇ ଉଡ଼େଇ। ଗାଡ଼ି ପେଟ ଭାରି, ଗାଡ଼ି ଭିତରେ ଆମେ ଚାରିଜଣ ଖାଲି ପେଟ, ହାଉଁ ହାଉଁ ଭୋକରେ ପେଟ ଭିତରେ ମୂଷିକ ଦୌଡ଼। ଡ୍ରାଇଭର, ଫର୍ମାସିଷ୍ଟ, ନର୍ସ ଆଉ ମୁଁ। ସକାଳ ସାତଟାରେ ଖିଆ ଜଳଖିଆ ଜଳହୋଇ ବହି ସାରିଥିଲା।
ସେତେବେଳର ଢେଙ୍କାନାଳ ଜିଲ୍ଲା ଓ ବର୍ତ୍ତମାନର ଅନୁଗୁଳ ଜିଲ୍ଲାର ବଇଣ୍ଡା ପରେ ହାଇୱେରୁ ଭିତରକୁ ଅଙ୍କାବଙ୍କା ପ୍ରାୟ ୨୦ କିଲୋମିଟର ଭିତରକୁ ଏକ ନିପଟ ମଫସଲ ଗାଁ’କୁ ସରକାରୀ କାମରେ ବିଡ଼ି ଶ୍ରମିକଙ୍କ ସର୍ବେକ୍ଷଣ ଓ ଚିହ୍ନଟ ତଥା ମୋବାଇଲ ଡାକ୍ତରୀ ସେବା ଦେବା ପାଇଁ ଯାଇଥିଲୁ। ଯମରାଜ ଓ ଇଲେକ୍ସନ ଗାଡ଼ି ଛଡ଼ା ଆଉ କାହାକୁ ଭେଟୁନଥିବା ସରଳ ଗାଉଁଲି ମଣିଷଗୁଡ଼ିକ ସରକାରୀ ଲୋକ ଦେଖି, ସରକାରୀ ସହାୟତା ଯୋଜନା ଗନ୍ଧ ବାରି ଆମକୁ ଘେରିଯାଇ ଏତେ ଦୁଃଖ ବଖାଣିବାକୁ ଲାଗିଲେ ଯେ ସେଇଠି ତିନିଟା ବାଜିଗଲା। ଅବଶ୍ୟ ସେମାନଙ୍କ ସଯତ୍ନେ ପ୍ରସ୍ତୁତ ସ୍ୱଳ୍ପ ଗୁଣ୍ଡ କ୍ଷୀର ଓ ମାତ୍ରାଧିକ ଚିନିଯୁକ୍ତ ପାଣିଆ ଚା’ ତଥା ଗାଁ ଦୋକାନର ସେଲେପା ଟାଇଗର ମାର୍କା ବିସ୍କୁଟ ଦେଢ଼ଟା ବେଳେ ପେଟବିକଳରେ କଷ୍ଟେମଷ୍ଟେ ଆତ୍ମସ୍ଥ କରିଥିଲୁ। କିନ୍ତୁ ତାହା ଜଠରାଗ୍ନିକୁ ଅଧିକ ପ୍ରଜ୍ୱଳିତ କରିଥିଲା ମାତ୍ର। ଜାଲ ଭଳି ବିଛେଇ ହୋଇଥିବା ଗୁଳା ମାଟି ରାସ୍ତାରେ ରାସ୍ତା ଭୁଲି ଶେଷରେ ଏକ ଅନାମଧେୟ ଜାଗାରେ ଥିବା ହାଇୱେରେ ପହଞ୍ôଚଲୁ। ଭୋକରେ ଆଉଟୁପାଉଟୁ ଚାରି ପ୍ରାଣୀ ଚାରିଯୋଡ଼ା ଚକ୍ଷୁରେ ରାସ୍ତା ଆଗକୁ କୌଣସି ଢାବା ଦେଖିବା ପାଇଁ ଆଖି ଦୌଡ଼ାଉ ଥାଉ। ଅଧଘଣ୍ଟା ପରେ ରାସ୍ତାକଡ଼ ଛୋଟ ଗାଁ ମୁଣ୍ଡରେ ଝୁମ୍ପୁଡ଼ି ଘର ଆଗରେ ଖଣ୍ଡେ ଟିଣରେ ଅଙ୍କାବଙ୍କା ହାତଲେଖା “ହୋଟେଲ” ଶବ୍ଦ ଦେଖି କୋଟିନିଧି ପାଇଲା ପରି ଲାଗିଲା। ଗାଡ଼ି ରଖି ଖପଖାପ ଡେଇଁ ଭିତରେ ପଶିଲୁ। ପଚାରିଲୁ: ଖାଇବାକୁ କିଛି ଅଛି?
ବିଚରା ହୋଟେଲ ମାଲିକ କିଛିଟା ଅପ୍ରସ୍ତୁତ ହୋଇ କହିଲା : ଆମର ତ ଗାଉଁଲି ହୋଟେଲ, ଅଳପ ରାନ୍ଧୁ, ଅବେଳ ହେଲାଣି, ସରି ଆସିଲାଣି। ଭାତ, ଡାଲି, ଭଣ୍ଡା (ଅମୃତଭଣ୍ଡା) ତରକାରି ଅଛି, କିରା ଚଳିବ କି? ଭାତ, ଡାଲି, ତରକାରି – ଭୋକିଲା ମଣିଷର ଆଉ କ’ଣ ଦରକାର? ତୁରନ୍ତ କହିଲୁ: ଭାଇ ଦୌଡ଼ିବ, ଜଲଦି ବାଢ଼।

ଦୁଇ ଚାରି ଗୁଣ୍ଡା ବଗଡ଼ା ଭାତ ପେଟରେ ପଡ଼ି ମସ୍ତିଷ୍କକୁ ଶର୍କରା ଉପଲବ୍ଧ ହେବାପରେ ଚାରିଆଡ଼କୁ ଆମ ନିଘାଗଲା। ଆମଛଡ଼ା କେବଳ ଅନ୍ୟ ଦୁଇଟି ଲୋକ ଖାଉଥିଲେ। ସେମାନଙ୍କ ମଧ୍ୟରୁ ଜଣେ କିଛି ଦୂରରେ ଆଉ ଏକ କାଠପଟା ବେଞ୍ଚରେ ମଇଳା କୋତରା ଲୁଗାଖଣ୍ଡେ ପିନ୍ଧି ଫୁଙ୍ଗୁଳା ଦେହରେ ବସି ଭାତରେ ଡାଲି ତରକାରି ଏକାଠି ଗୋଳେଇ ହାତରେ ଗୁଣ୍ଡା ଧରି ଗପାଗପ ଖାଇ ଚାଲିଛି। ପେଜୁଆ କାକର ତଳିତଳିଆ ଭାତ, ଛେରାପାଣିଆ ଡାଲି, ଅମୃତଭଣ୍ଡାରେ କାଁ ଭାଁ ଖଣ୍ଡେ ଅଧେ ଆଳୁ ପଡ଼ିଛି। ସମ୍ଭବତଃ ତଥାକଥିତ ଡାଲି ଓ ତରକାରିର ଗରାଖଙ୍କ ଦ୍ୱାରା ଅଧିକ ଉପଯୋଗର ସମ୍ଭାବନାକୁ ନିୟନ୍ତ୍ରିତ କରିବା ପାଇଁ ଲଙ୍କା ଗୁଣ୍ଡର ହାତ ଖୋଲି ପ୍ରୟୋଗ କରାଯାଇଛି। ଆମେ ଦି’ ଚାରି ଗୁଣ୍ଡା କୌଣସିମତେ ଗଳାଧଃକରଣ କରି ପେଟର ନିଆଁ ଶାନ୍ତ କରିବାପରେ ପାଣି ତେଣ୍ଡିତେଣ୍ଡି ପାଟିରେ ଜଳୁଥିବା ନିଆଁ ଲିଭାଉଲିଭାଉ ଉଠିବାକୁ ବାହାରୁଥିଲୁ, ହେଲେ ସେଇ ଲୋକଟିର ହାବଭାବ ଦେଖି କେଜାଣି କାହିଁକି ଅଟକିଗଲୁ। ତା’ର କିନ୍ତୁ କୁଆଡ଼କୁ ନଜର ନାହିଁ। ଭାତ, ଡାଲି ଆଉ ତରକାରିକୁ ଗୋଳାଇ ଶ୍ରାଦ୍ଧର ପିଣ୍ଡ ପରି ପତ୍ର ମଝିରେ ମାଣ୍ଡୁ ଆକାରରେ ଗଦା କରିଥିଲା ଏବଂ କେଇ ସେକେଣ୍ଡର ଅନ୍ତରରେ କ୍ରିକେଟ ବଲ ଆକାରର ଗୁଣ୍ଡାଗୁଡ଼ିକ ଗୋଟିକ ପରେ ଗୋଟିଏ ମୁହଁରେ ପଶି ଗଳାରେ ଏକ ତରଙ୍ଗ ସୃଷ୍ଟିି କରି ଉଭେଇ ଯାଉଥିଲେ। କେଇ ମୁହୂର୍ତ୍ତରେ ପତ୍ରରୁ ମାଣ୍ଡୁଟି ଶେଷ ହେଇଗଲା। ଗୋଟି ଗୋଟି କରି ଆଙ୍ଗୁଠିକୁ ପାଟିରେ ପୂରାଇ ଚାଟୁଚାଟୁ ଅସ୍ପଷ୍ଟ ସ୍ୱରରେ ପୁଣି ଭାତ ମାଗିଲା। ଏଥର ଡେକ୍‌ଚି, ମଗ ପୋଛି ହୋଟେଲବାଲା ଯାହା କିଛି ବା ଥିଲା ସବୁ ତା’ ପତ୍ରରେ ଅଜାଡ଼ି ଦେଲା। ନିମିଷକରେ ତାହା ମଧ୍ୟ ସରିଗଲା। ଏଉଡ଼ିଟେ ମାରି ହାତ ଧୋଇ ହୋଟେଲ ମାଲିକ ଟେବୁଲ ପାଖକୁ ଯାଇ ମୁହଁ ତଳକୁ ପୋତି ଠିଆ ହେଲା। ଲଜ୍ଜା, ସଙ୍କୋଚ ଓ ଆତ୍ମଗ୍ଲାନି ଭରା ଧିମା କଣ୍ଠରେ ଥଙ୍ଗେଇ ଥଙ୍ଗେଇ କହିଲା :
: ମୋ’ ପାଖରେ ପଇସା ନାହିଁ ଆଜ୍ଞା।
: ଏଠି ସେ ଚାଲ୍‌ବାଜି ଚଳିବନି।
: ସତରେ, କାଣୀକଉଡ଼ିଟିଏ ନାହିଁ…
: ତେବେ ଗେଫା ମାରିବାକୁ ବସିପଡ଼ିଲୁ କିଆଁ ?
: ତିନି ଦିନ ହେଲା ଖାଇ ନଥିଲି ….
: ସେଇଥିପାଇଁ ଏଠି ଅନ୍ନଛତ୍ର ଦେଖି ଚାଲି ଆସିଲୁ?
କାନ୍ଦୁଣୁ ମାନ୍ଦୁଣୁ ହେଇ ଲୋକଟି କହିଲା: ଆମର ଥିଲା ଘର ଆଜ୍ଞା। ହେଲେ ଘରେ ବହୁତ କ୍ଳେଶ, ବହୁତ ଅଶାନ୍ତି। ସେଥିପାଇଁ ଘର ଛାଡ଼ି ପଳେଇ ଆସିଛି। ଜଣେ ଟ୍ରକ୍‌ବାଲା ଦୟାକରି ବଇଣ୍ଡା ପର୍ଯ୍ୟନ୍ତ ନେଇ ଆସିଲା, ସେଠୁ ଚାଲି ଚାଲି ଆସୁଛି। ଖାଲିପେଟ, ଖରାବେଳ, ମୁଣ୍ଡ ବୁଲେଇ ଦେଲା, ଚାଲି ପାରିଲିନି ….. ସେଉଠୁ …
: ହେଲେ, ଏଇଟା କୋଉ ହୋଟେଲରେ ଲେଖା! କିବା ରୋଜଗାର ! ଆମ ପେଟ ପୂରୁନି। ଦାନ ଧର୍ମ କରିବି କୋଉଠୁ?
: ଭୋକ ବିକଳରେ ଜୀବନ ଯାଉଥିଲା। ଏଠି ଖାଇ ଦେଲି, ଏବେ ମତେ ମାଡ଼ ମାରିବ ତ ମାର, କାମ କରେଇବ ତ କରାଅ।
ରାଗିଯାଇ ହୋଟେଲବାଲା କହିଲା: ତୁ’ଟା ମୋର କି କାମ କରିବୁ। କେଇଟା ଲୋକ ଏଠିକୁ ଆସୁଛନ୍ତି! ଆମ ସ୍ୱାମୀ ସ୍ତିରୀ ଦି ପ୍ରାଣୀଙ୍କୁ ନିଅଁଣ୍ଟ। ପଇସା ଥିଲେ ନୋକ ରଖିନଥାନ୍ତୁ। ଆଉ ତତେ ବାଡ଼େଇଲେ କିସ ମୋ’ ପଇସା ମତେ ମିଳିଯିବ? ମତେ ମୋ’ ପଇସା ଦରକାର; ଯୁ’ଠୁଁ ଆଣି ଦଉଚୁ ଦେ। ଉଭୟ ନଛୋଡ଼ବନ୍ଧା। କ୍ରମଶଃ କଥା କଟାକଟି ଚାଲିଲା।
ପାଖରେ ବସିଥିବା ଆମ ଡ୍ରାଇଭର ଫୁସଫୁସ କହିଲା: ଆଜ୍ଞା, ଖାଲି ନାଟକ। ପଇସା ନଦେଇ ମାଗଣା ଖାଇବା ପାଇଁ ଏକେତ ଗୁଣ୍ଡାମି କରି ଢାବାବାଲାଙ୍କୁ ଡରେଇ ଧମକେଇ ଖାଇବେ ନହେଲେ ଏଇଭଳି ବିଚରା ହେବାର ଅଭିନୟ କରିବେ। କେଜାଣି କାହିଁକି ମୋ’ ଭିତରେ ଲୋକଟି ପ୍ରତି କିଞ୍ଚିତ ସମବେଦନା ଜାଗୁଥିବା ବେଳେ ଡ୍ରାଇଭର କଥା ଶୁଣି ବିଶ୍ୱାସ ଲାଗିଲା ଯେ ଲୋକଟି ପେଖନା କାଢୁଛି, ମାଗଣାଖିଆ କୋଢ଼ି କେଉଁଠିକାର!
ଏ ମଧ୍ୟରେ ଅନ୍ୟ ଲୋକଟି ଖାଇବା ସାରି ହୋଟେଲ ମାଲିକ ଟେବୁଲ୍ ଆଡ଼କୁଗଲା। ଆମେ ମଧ୍ୟ ପ୍ରକୃତିସ୍ଥ ହେଇ ଯିବାକୁ ବାହାରିଲୁ। ଭିତରେ ହାତ ଧୋଇସାରି ପଇସା ଦେବାକୁ ଆସି ଦେଖିଲୁ ସରଗରମ ନାଟକୀୟ ପରିସ୍ଥିତିରେ ଯବନିକା ପଡ଼ିଛି। ନାଟର ଗୋବର୍ଦ୍ଧନ ସେଇ ଲୋକଟି ରାସ୍ତା କଡ଼ ବରଗଛର ଚାନ୍ଦିନୀ ଉପରେ ଲମ୍ବା ହୋଇ ଶୋଇଛି। ଭାତ ନିଦ ଘୋଟି ଆସୁଚି କି ତାକୁ! ହୋଟେଲବାଲାକୁ ପଇସା ଦେଉ ଦେଉ ପଚାରିଲି
: ଲୋକଟାକୁ ପଇସା ନନେଇ ଛାଡିଦେଲ ନାଁ କ’ଣ।
: ସତ ହଉ ବା ମିଛ, ଦି’ମୁଠା ଭାତର କଥା ବାବୁ। ପଇସା ନବାକୁ କ’ଣ ମୋ’ ମନ କହୁଥିଲା ! ହେଲେ ଅଭାବରୁ ସ୍ୱଭାବ ନଷ୍ଟ ବାବୁ ! ଘରେ ପାଞ୍ଚ ପ୍ରାଣୀ କୁଟୁମ୍ବ, ଗୋଟିଏ ଗୋଟିଏ ପଇସା ମୋ’ ପାଇଁ ବଡ଼। ସେଥିପାଇଁ…
: ତା’ହେଲେ?
: ତା’ ପଇସା ରଘୁ ଦେଇଦେଲା।
: ରଘୁ କିଏ ?
ହୋଟେଲ ମାଲିକ ଆଙ୍ଗୁଠି ଦେଖାଇ କହିଲା: ହେଇ ଯେ ଯାଉଚି…
ତା’ ଆଙ୍ଗୁଠିର ଦିଗକୁ ଚାହିଁ ଦେଖିଲୁ ଚୁପଚାପ ବସି ଖାଉଥିବା ସେଇ ଦ୍ୱିତୀୟ ଲୋକଟି, ଯେ ଆମ ପୂର୍ବରୁ ଉଠିଯାଇଥିଲା। ଆମେ ଚାରିଜଣ ପରସ୍ପର ମୁହଁ ଚହାଁଚୁହିଁ ହେଲୁ। ନିଶବ୍ଦରେ ଆମ ବାର୍ତ୍ତା ଥିଲା : ବୁଦ୍ଦୁଟା କେଉଁଠିକାର! ଠକଟାକୁ ମୁହଁବଢ଼ିଆ କଲା!
ରଘୁ ଠିଆହୋଇ ଗାମୁଛାରେ ମୁହଁରୁ ଝାଳ ପୋଛୁଥିଲା ଓ ଯିବାକୁ ବାହାରିଲା। କଥାଟା ମତେ ଟିକେ ଅବୁଝା ଲାଗିଲା। ତରତରରେ ପଇସା ଦେଇ ମୁଁ ତା’ ଆଡ଼କୁ ଚାଲିଲି। ଗଛ ମୂଳକୁ ଯାଇ ଛାଇରେ ରଖିଥିବା ରିକ୍‌ସାର ତାଲା ଖୋଳୁଥିଲା ଲୋକଟି। ଓଃ! ରଘୁ ତା’ହେଲେ ରିକ୍‌ସାବାଲା!
ପାଖକୁ ଯାଇ ତାକୁ ପଚାରିଲି:
: ଆରେ ଭାଇ ତୁମେ ଏଇ ଗାଁ ଲୋକ?
: ଆଜ୍ଞା
: ଏଠି ରିକ୍‌ସା ବେପାର ଚାଲୁଚି? ଦିନକୁ କେତେ ପଇସା ମିଳୁଛି?
: କଷ୍ଟେମଷ୍ଟେ, ଯାହିତାହି ଚାଲିଛି ଆଜ୍ଞା। ବାହାରୁ ଚାକିରିଆ କିଏ ପିଲାପିଚିକା, ଜିନିଷ ଧରି ଗାଁ’କୁ ଫେରିଲେ ବସରୁ ଓହ୍ଲାଇ ରିକ୍‌ସାକରି ଗାଁକୁ ଯାନ୍ତି। ଦିନକୁ କୋଡ଼ିଏ ପଚିଶ ଯାହା ମିଳିଲା ଯେତେବେଳେ।
: ତୁମେ ନିଜେ ଅଭାବୀ ଲୋକ, ତୁମ ଦିନକର ରୋଜଗାରରୁ ତିନି ଭାଗରୁ ଭାଗେ ସେ ଲୋକଟାର ଖାଇବା ପାଇଁ ଦେଇଦେଲ…..
: ଆପଣଙ୍କୁ କିଏ କହିଲା ଆଜ୍ଞା?
: ହୋଟେଲବାଲା…
ଲୋକଟିର ମୁହଁରେ ଅସନ୍ତୋଷ ଓ ବିରକ୍ତିର ଭାବ ସ୍ପଷ୍ଟ ଦିଶୁଥିଲା। ଏକଥା କେହି ଜାଣୁ ଏହା ଯେପରି ସେ ଚାହୁଁନଥିଲା। ସେଥିପାଇଁ ହୁଏତ ମନେ ମନେ ହୋଟେଲ ମାଲିକ ଉପରେ ବିରକ୍ତ ହେଉଥିଲା ସେ।
: ଛାଡ଼ନ୍ତୁ ସେକଥା ଆଜ୍ଞା… କଥାକୁ ଟାଳିଦେବାକୁ ଚାହୁଁଥିଲା ସେ।
: ମତେ ଲାଗୁଚି ସେ ଯେଉଁ ଗପ ଶୁଣାଉଥିଲା ସବୁ ଡ୍ରାମା, ବୁଦ୍ଦୁ ବନେଇବା ପାଇଁ। ସତରେ ଭୋକିଲା ବୋଲି କେମିତି ଜାଣିଲ? – ମୁଁ ତାକୁ ଟିହାଇବାକୁ ଚେଷ୍ଟାକରି ତା’ଠୁ ଜବାବ ଆଦାୟ କରିବାକୁ ଚାହୁଁଥିଲି।
ରିକ୍‌ସାବାଲା ଆଖିରେ ଆଖି ମିଶେଇ କିଛିକ୍ଷଣ ସିଧା ମୋ’ ମୁହଁକୁ ଚାହିଁଲା, କହିଲା,
: ଆପଣ ତ ବଡ଼ଲୋକ, ବାବୁ। କେବେ ଅଭାବରେ ଭୋକ ଉପାସରେ ରହିନଥିବେ। ତେବେ କେବେ ବ୍ରତ ବା ପୂଜା ପେଇଁ ଓପାସ କରିଛନ୍ତି?
ମନେ ପକେଇଲି। ନା ତ, ମୁଁ ଈଶ୍ୱର ବିଶ୍ୱାସୀ ଯଦିଓ ତେବେ କର୍ମକାଣ୍ଡ, ବ୍ରତ ଓପାସ କେବେ କରେନି। ମୁଣ୍ଡ ହଲେଇ ମନା କଲି।
ସେ କହିଲା: ଓପାସିଆ ଲୋକର ଆଖିର ଭାଷା ନିଆରା ଆଜ୍ଞା! ଯିଏ ଭୋକ ଓପାସ ଅଙ୍ଗେ ନିଭେଇଛି ସେଇ କେବଳ ପଢ଼ିପାରିବ! ଲୋକଟିର କଥା ମିଛ ହେଇପାରେ, ସାରେ। କିନ୍ତୁ ତା’ ଭୋକ କେବେ ମିଛ ନୁହେଁ। ବହୁକୁଟୁମ୍ବୀ ଗରିବ ଘରେ ଜନ୍ମହେଇ କେତେଥର ଭୋକରେ ରହିଛି ପିଲାବେଳେ… ଆପଣ ସେ ସବୁ ବୁଝିପାରିବେନି!
ତରତର ହୋଇ ରିକ୍‌ସା ସିଟରେ ଚଢ଼ି ସେ କହିଲା: ଷ୍ଟାଣ୍ଡ୍‌ରେ ବସ୍ ଲାଗିଲାଣି ଆଜ୍ଞା, ଦେଖେ କାଳେ କିଏ ରିକ୍‌ସା ଖୋଜୁଥିବ।
ପେଡ଼ାଲ ମୋଡ଼ି ସିଏ ଚାଲିଗଲା। ଡ୍ରାଇଭର ଜିପ ଷ୍ଟାର୍ଟକଲା। ଲେଉଟାଣି ବାଟରେ ମୁଁ ଭାବୁଥିଲି, ଅଧାଦିନ ଭୋକରେ ଆମର ଅବସ୍ଥା କ’ଣ ହେଲା ! ସାତଟା ଟଙ୍କାର କଥା! ବିନା ସତ୍ୟାସତ୍ୟର ତର୍ଜମାକରି ମୁଁ ସେ ଭୋକିଲା ଲୋକର ଖାଇବା ପଇସା କାହିଁକି ବା ନଦେଲି। ରିକ୍‌ସାବାଲାର ବିପରୀତ ସେ ପଇସାର ମୂଲ୍ୟ ତ ମୋ’ ପାଇଁ କିଛି ବି ନୁହେଁ। କିଏ ଜଣେ ମହାନ ବ୍ୟକ୍ତି ସତ କହିଥିଲେ- ମଣିଷପଣିଆ ଓ ଆର୍ôଥକ ସମ୍ପନ୍ନତା ପରସ୍ପର ପ୍ରତୀପାନୁପାତିକ। ନିଜକୁ ବହୁତ ଛୋଟ ମନେ କରୁଥିଲି ଗାଉଁଲି ରିକ୍‌ସାବାଲା ତୁଳନାରେ। କୌଣସି ପ୍ରତ୍ୟାଶା ପ୍ରଦର୍ଶନ ବିନା ସହଜ ଓ ନିର୍ବିକାର ଭାବେ ଅଭାବୀ ଲୋକଟି ଯୋଉ ତ୍ୟାଗ କରିପାରିଲା ତାହା କେବଳ ଯେ ସମ୍ବେଦନା, ସହାନୁଭୂତି ବା ମାନବିକତା ପଦବାଚ୍ୟ ତାହା ନୁହେଁ, ବରଂ ଅତିମାନବିକତା। ହାତଯୋଡ଼ି ପ୍ରଣାମ କଲି। ଷ୍ଟାଫ୍‌ମାନେ ମତେ ପ୍ରଣାମ କରିବା ଦେଖି ରାସ୍ତା କଡ଼କୁ ଚାହିଁ ହୁଏତ ଖୋଜୁଥିଲେ, କାଇଁ କେଉଁଠି ମନ୍ଦିର ତ ଦିଶୁନି! ମୋ’ ମୁହଁରେ ସାମାନ୍ୟ ସ୍ମିତହାସ୍ୟ ଦେଖାଦେଇ ଲିଭିଗଲା। ଦେବତ୍ୱ କ’ଣ କେବଳ ମନ୍ଦିର ଭିତରେ ଥାଏ!

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

One thought on “ଦେବତା

  1. ଏହି କ୍ଷୁଦ୍ରଗଳ୍ପଟି ବହୁତ ଭଲ ଲାଗିଲା। ସତ୍ୟ ଅନୁଭୂତି ଭଳି ଲାଗିଲା।

Leave a Reply

Your email address will not be published. Required fields are marked *