ଓଡ଼ିଆ ସାହିତ୍ୟ, ସଂସ୍କୃତିର ସୁରକ୍ଷା ପାଇଁ ଯିଏ ଜୀବନ ଉତ୍ସର୍ଗ କରିଥିଲା, ତା’ର କ’ଣ ଏତିକି ପ୍ରାପ୍ୟ ନୁହେଁ?

ଡେଙ୍ଗା ସରସର ଗୋରାତକତକ ଦେହ। ପିନ୍ଧିଥାନ୍ତି ଖଣ୍ଡେ ଖୋର୍ଦ୍ଧା ଗାମୁଛା। ମୁଣ୍ଡରେ ଭିଡ଼ା ହୋଇଥାଏ ସେଇ ଗାମୁଛାର ଏକ ଠେକା। ହାତରେ ପାଞ୍ଚ ହାତିଆ ଗୋଟେ ଠେଙ୍ଗା। କାନ୍ଧରେ ଝୁଲୁଥାଏ ଖାକି କନାର ଗୋଟେ ବଡ଼ ବ୍ୟାଗ୍। କେତେବେଳେ କାନ୍ଧରେ, ମୁଣ୍ଡରେ ଜରିଅଖାରେ ବହି ବୋଝକୁ ମୁଣ୍ଡେଇ ତାଙ୍କୁ ଦେଖାଯାଏ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଆଦି ସହରମାନଙ୍କରେ। କେତେବେଳେ ପୁଣି ଖାଲି ବୁଲିବୁଲି ଲେଖକ ଲେଖିକାଙ୍କର ଘର ଖୋଜୁଥାନ୍ତି। ଉଦ୍ଦେଶ୍ୟ ବହିଭିକ୍ଷା ଖାଲି ନୁହେଁ, ଲେଖକ ଲେଖିକାଙ୍କୁ ନିଜର ସସ୍ନେହ ସମ୍ମାନ ଜଣାଇବା ପାଇଁ। ଲେଖକ ଲେଖିକାଙ୍କୁ ସମ୍ମାନ କରୁଥିବା ଏହି ବହି ପାଗଳ ନିରୁତା ପାଠକଜଣକ ଶୀର୍ଣ୍ଣକାୟ ବୃଦ୍ଧ। ସେ ଆମ ସମସ୍ତଙ୍କର ଅତିପ୍ରିୟ କଣା ଅଜା ଦାସିଆ। ପୂରା ନାମ ଦାଶରଥୀ ପଟ୍ଟନାୟକ। ଓଡ଼ିଶାରେ ପାଠାଗାର ଆନ୍ଦୋଳନର ପ୍ରଧାନ ପୁରୋଧା।
କଣା ଅଜା ଦାସିଆ। ଗାଁ ଗହଳର ମାମୁଲି ମଣିଷଟିଏ। ଅଥଚ ତାଙ୍କର କାର୍ଯ୍ୟଧାରା ଅସାଧାରଣ। ସହରରୁ ସହର ବୁଲି ଦଶ ପଇସା ଭିକ୍ଷାକରି ବହି ସଂଗ୍ରହ କରି କରି ଦୀର୍ଘଜୀବନ ବିତାଇଛନ୍ତି, ବହି ସହିତ ବିରଳ ସାମଗ୍ରୀ ସବୁ ସଂଗ୍ରହକରି ରଖିଛନ୍ତି, ତାଙ୍କ ଗାଁ ନୟାଗଡ଼ ନିକଟସ୍ଥ ନୂଆଗାଁ ବ୍ଲକର ଉଦୟପୁର ଗାଁରେ। ଗଢ଼ିଛନ୍ତି ତିନୋଟି ଅନୁଷ୍ଠାନ ସାହିତ୍ୟ ମନ୍ଦିର। ବାଞ୍ଛାନିଧି ପାଠାଗାର, ଯଦୁମଣି ସାହିତ୍ୟ ସଂସଦ ଓ ଅରବିନ୍ଦ ସଂଗ୍ରହାଳୟ। ବାଞ୍ଛାନିଧି ପାଠାଗାରରେ ଯେ ବହୁ ବିରଳ ବହି ରହିଛି, ପତ୍ରପତ୍ରିକା ଏବଂ ସ୍ୱାଧୀନତା ପୂର୍ବର ଖବରକାଗଜ ଇତ୍ୟାଦି। ଖବରକାଗଜ ସବୁ ଥାକ ଥାକ ହୋଇ ରହିଛି। ଧୂଳିରେ ଧୂସର। ସାହିତ୍ୟର ଗବେଷକମାନେ ଏହିଠାରେ ରହି ଗବେଷଣା କରନ୍ତି। ଅରବିନ୍ଦ ସଂଗ୍ରହାଳୟରେ ରହିଛି ବହୁ ସାମଗ୍ରୀ, ଯାହା ଆମ ଐତିହ୍ୟର ବାର୍ତ୍ତା ପ୍ରଦାନ କରୁଛନ୍ତି। ରାଜ୍ୟ ବାହାରର କିଛି ସାମଗ୍ରୀ ମଧ୍ୟ ରହିଛି ଏହି ସଂଗ୍ରହାଳୟରେ। ଏଗୁଡ଼ିକୁ ସଂଗ୍ରହ କରିବା ପାଇଁ ଏହି ବହି ପାଗଳ ବୃଦ୍ଧଜଣକ ଜୀବନକୁ ଉତ୍ସର୍ଗ କରିଦେଇଥିଲେ।

କଣା ଅଜା ଦାସିଆ
ତାଙ୍କ ନାମ ଦାଶରଥୀ ପଟ୍ଟନାୟକ ଥିଲେ ମଧ୍ୟ ସମସ୍ତେ ଡାକନ୍ତି ଅଜା। ତାଙ୍କ ପରିଚୟ କଣା ଅଜା ଦାସିଆ। ଗୋଟାଏ ଆଖି କଣା। ଗୋଟିଏ ଆଖିର ସୀମିତ ଦୃଷ୍ଟି ଧରି ମାଗ୍ନିଫ୍ଲାଇଙ୍ଗ ଗ୍ଲାସ୍ ବ୍ୟବହାର କରି ସେ ପ୍ରତିଟି ପତ୍ରିକା ବହି ପଢ଼ନ୍ତି। ସେ ଜଣେ ନିଷ୍ଠାପର ପାଠକ। ପଢ଼ିସାରି ପଢ଼ିଥିବା ଲେଖାଟିର ଲେଖକକୁ ଚିଠି ଲେଖିବା ତାଙ୍କର ଅନ୍ତରଙ୍ଗ ଅଭ୍ୟାସ। ଲେଖାର ଯେଉଁ ଧାଡ଼ିଟି ଭଲ ଲାଗିଥିବ ତାହା ଉଦ୍ଧାରକରି ତା’ତଳେ ନାଲିଗାର ଦେଇ ସେ ଚିଠି ଲେଖନ୍ତି। ଦିନକୁ ୬୦/୭୦ ଖଣ୍ଡ ପୋଷ୍ଟକାର୍ଡ ସେ ନିଶ୍ଚୟ ଲେଖନ୍ତି। ଲେଖକ ତାଙ୍କ ପାଇଁ ଈଶ୍ୱର। ସେ ଘର ଘର ବୁଲି ଲେଖକଙ୍କୁ ଠାବ କରନ୍ତି ଓ ସଂପର୍କ ଯୋଡ଼ନ୍ତି।
ଏହି ବହି ପାଗଳ ବୃଦ୍ଧଜଣକ ସହ ମୋର ଥିଲା ନିବିଡ଼ ସଂପର୍କ। ଏ ସଂପର୍କ ମୁଁ ରଖିନଥିଲି। ସେ ରଖିଥିଲେ। ତାଙ୍କ ସ୍ନେହରେ ମତେ ବାନ୍ଧିରଖି ମୋତେ ଋଣୀ କରିଦେଇଗଲେ। କେବଳ ମୁଁ ନୁହେଁ, ମୁଁ ଭାବେ ଆମେ ସବୁ ଲେଖକ ଲେଖିକା ତାଙ୍କ ପାଖେ ଋଣୀ। ଏ ଓଡ଼ିଆ ଜାତି, ଓଡ଼ିଆ ସାହିତ୍ୟ ଏମିତି ଜଣେ ଶ୍ରଦ୍ଧାଶୀଳ ନିଷ୍ଠାପର ପାଠକକୁ ଭବିଷ୍ୟତରେ ପ୍ରାପ୍ତ ହେବ କି ନା ଈଶ୍ୱର ଜାଣନ୍ତି।
ହଁ, ମୁଁ ଏଥର ତାଙ୍କ କଥା କହେ।
୧୯୭୮ ମସିହାରୁ ମୁଁ ନିୟମିତ ଭାବେ ଦି’ଖଣ୍ଡ ପୋଷ୍ଟକାର୍ଡ ପାଇଆସୁଥିଲି ମୋର ଦୁଇଜଣ ଶ୍ରଦ୍ଧାଳୁ ପାଠକଙ୍କଠାରୁ। ଜଣେ ବ୍ରହ୍ମପୁରର ଉପେନ୍ଦ୍ରନାଥ ସାହୁ, ଆଉଜଣେ ଉଦୟପୁରର ଦାଶରଥୀ ପଟ୍ଟନାୟକ। ସେତେବେଳେ ମୁଁ ତାଙ୍କୁ ଜାଣିନଥିଲି। ଏହି ନିୟମିତ ପାଠକୀୟ ସହୃଦୟତାର ଉତ୍ତର ମୁଁ ଦେଇପାରିନାହିଁ। ସେତେବେଳେ ମୋର ନିରନ୍ଧ୍ର ଜଞ୍ଜାଳ ତହିଁ ଉପରେ ଏଇ ଲେଖାଲେଖିର ଅଦଉତି ମତେ ଏମିତି ବାନ୍ଧିଥାଏ ଯେ ମୁଁ ଆଖି ଟେକି ଆଉକିଛି ଦେଖିବାକୁ ବେଳ ପାଉନଥିଲି। ଆଜି ମନେପଡ଼ିଲେ ନିଜ ଉପରେ କ୍ରୋଧ ଆସେ। ଧିକ୍କାର କରେ ନିଜକୁ। ଆତ୍ମଗ୍ଲାନିରେ ଶଢ଼େ। ସେମାନେ କିନ୍ତୁ ଉତ୍ତରକୁ ଅପେକ୍ଷା ନରଖି, ଲେଖା ପଢ଼ି ଚିଠି ଲେଖି ଚାଲିଥାନ୍ତି। ଏଇ ଜଣେ ପାଠକ ମୋର ନମସ୍ୟ ଏବଂ ତାଙ୍କ ପାଖରେ ମୁଁ ଋଣୀ। ତାଙ୍କ ପାଦତଳେ ଅଜସ୍ର ପ୍ରଣାମ।
୧୯୮୧-୮୨ ବେଳକୁ ମୁଁ ଖୋର୍ଦ୍ଧାରେ ରହିଲି। ଆମ ନିଜଘରେ। ହାଉସିଂବୋର୍ଡ କଲୋନୀରେ। ଲେଖା ତଳେ ଏହି ଠିକଣା ପ୍ରକାଶ ପାଉଥିଲା।
ଦିନେ ସକାଳେ ଗୋରାତକତକ ବୃଦ୍ଧ ଜଣେ ପହଞ୍ଚିଗଲେ ଘରେ। ନିଜର ପରିଚୟ ଦେଲେ। ଆମେ ଜାଣିଲୁ ୟେ ହିଁ ସେଇ ନିୟମିତ ପତ୍ର ଲେଖକ। ମୋର ଅନୁରାଗୀ ପାଠକ। ପ୍ରଣାମ କଲୁ ସମସ୍ତେ। ସେଇ ପ୍ରଥମ ସାକ୍ଷାତବେଳେ କହିଲେ, ତୋ’ଠୁଁ ତ କେବେ ଉତ୍ତର ପାଏନାହିଁ। କାହାଠାରୁ ମୁଁ ଉତ୍ତର ବି ଚାହେଁ ନାହିଁ। ଲେଖା ପଢ଼ି ମୁଁ ଚିଠି ଲେଖେ ସମସ୍ତଙ୍କୁ। ଝଂକାରରୁ ତୋର ଠିକଣା ଦେଖିଲି। ଖୋର୍ଦ୍ଧା ମୋ’ ଯିବାଆସିବା ବାଟ। ଘର ଖୋଜି ଖୋଜି ଆସିଲି। ଏଇ କଲୋନୀର ଜଣେ ବାବୁ ଖବରକାଗଜ ପଢ଼ୁଥିଲେ। ଇଂରାଜୀ କାଗଜ। ତାଙ୍କୁ ତୋ’ ଘର କେଉଁଟା ବୋଲି ପଚାରିଲି। ସେ ଜାଣି ନାହାନ୍ତି ବୋଲି କହିଲେ। ତା’ପରେ ମୁଁ କହିଲି, ଓଡ଼ିଆରେ ଜଣେ ଝିଅ ଲେଖୁଛି, ତମେ ଜାଣିନ। ଇଂରାଜୀ କାଗଜ ପଢ଼ୁଛ।
ଅଜା ସବୁବେଳେ ଏମିତି କଥା କହନ୍ତି। ସେଇଦିନଠୁ ଆରମ୍ଭ। ଖୋର୍ଦ୍ଧା ଅଜାଙ୍କର ଯିବାଆସିବା ବାଟ ଓ ରାତି ରହଣିର ସ୍ଥାନ। ରାତି ହେଲେ ସେ ବସଷ୍ଟାଣ୍ଡରେ ଥିବା ଟୁକ ମହାନ୍ତି ପ୍ରେସ୍ରେ ରୁହନ୍ତି। ମୁଁ ଖୋର୍ଦ୍ଧାରେ ରହିଲା ପରେ ସେ ଦିନଯାକ ମୋ’ ସହ ରହନ୍ତି, ରାତିରେ ଟୁକ ମହାନ୍ତି ପ୍ରେସ୍କୁ ଯାଆନ୍ତି। ରାତି ଖାଇବା ରୁଟି ଓ କଦଳୀ। ମୁଁ ପୁଅ ହାତରେ ପଠାଇଦିଏ।
ଅଜାଙ୍କ ଚଳଣି
ଅଜାଙ୍କ ଚଳଣି ନିଆରା। ସେ ଭାତ ଖାଆନ୍ତି ନାହିଁ, ଖାଆନ୍ତି ରୁଟି। କିନ୍ତୁ ତା’ସହ ଡାଲି, ତରକାରି, ଭଜା କିଛି ଖାଆନ୍ତି ନାହିଁ। କଦଳୀ, ଚିନି ଚକଟି ରୁଟି ଖାଆନ୍ତି ପାକୁଆ ପାଟିରେ। ଖରାବେଳେ ତାଙ୍କୁ ଭାତ ଖାଇବାକୁ ଡାକିଲେ ଖାଆନ୍ତି ନାହିଁ। ଚିନି ପାଣିରେ ରୁଟି ବତୁରାଇ ଖାଆନ୍ତି। ସେ କହନ୍ତି, ତାଙ୍କ ବ୍ୟାଗର ଭିତର ପକେଟରେ ରୁଟି ଖଣ୍ଡେ ଦି’ଖଣ୍ଡ ନିଶ୍ଚେ ଥିବ, ଚିନି ମଧ୍ୟ। ବାରଆଡ଼େ ବୁଲୁଥିବାରୁ ଦରକାର ବେଳେ ସେଇଆକୁ ସେ ଖାଆନ୍ତି। ସେ ଚା’ ଖାଆନ୍ତି ନାହିଁ। ଲେମ୍ବୁ ପାଣି ପିଅନ୍ତି। ମୁଁ ଗ୍ଲାସରେ ଲୁଣ, ଲେମ୍ବୁ ଚାମଚରେ ଗୋଳେଇ ଦେଲାବେଳେ ମତେ ରାଗି କହିଲେ, ଆଜିଯାଏଁ ଲେମ୍ବୁ ପାଣିକରି ଶିଖିନୁ? ଚାମଚରେ ଗୋଳାଉଛୁ କ’ଣ? ଆଣ, ଆଉ ଏକ ଗ୍ଲାସ୍ ମୁଁ ଆଣି ଦେଲି। ସେ ଲେମ୍ବୁପାଣିକୁ ଦି’ଟା ଗ୍ଲାସରେ ଭାଙ୍ଗି ଚାଲିଲେ, ଫେଣ ବଜ ବଜ ହେବା ଯାଏଁ। ମତେ କହିଲେ, ଲେମ୍ବୁପାଣି ଏମିତି ତିଆରିହୁଏ। ଯେତେ ଭାଙ୍ଗିବ, ପେଟକୁ ସେତେ ଉପକାରୀ।
ଖରାବେଳ ସାରା ମୋ’ ହାତରେ ଯେତେସବୁ ଚିଠି ଲେଖାଇବେ। ଦିନ ଦିନ ଧରି ତାଙ୍କ ସହ ମିଶିବା ଦ୍ୱାରା ଅନେକ କଥା ଜାଣିଲି ତାଙ୍କ ଜୀବନ ବିଷୟରେ ଓ ତାଙ୍କ ଜୀବନାଦର୍ଶ ବିଷୟରେ। ତାଙ୍କର ଜୀବନ ପ୍ରତି ଥିବା ଦୃଷ୍ଟିଭଙ୍ଗୀ ବିଷୟରେ। ଉଦୟପୁର ଗାଁରେ ତାଙ୍କର ଜନ୍ମ। ପାଠପଢ଼ା ୪ର୍ଥ କ୍ଲାସ୍ ପର୍ଯ୍ୟନ୍ତ। କିଛିଦିନ ପୋଲିସରେ, କିଛିଦିନ ଫରେଷ୍ଟରେ ଓ କିଛିିଦିନ ଶିକ୍ଷକ ଚାକିରି ପରେ ତାକୁ ଛାଡ଼ିଦେଲେ। ଗାଁରେ ଥିବା ଅନାବାଦି ଜମି ଚଷିଲେ। ଖରାବେଳେ ଖାଇସାରି ବିଶ୍ରାମ କଲାବେଳେ ମନ ଚାହିଁଲା ବହିଖଣ୍ଡେ ପଢ଼ିବାକୁ। ଏକ ଟିଣ ଟ୍ରଙ୍କରେ ଦି’ଖଣ୍ଡ ବହିଥିଲା, ଖୁଲଣା ସୁନ୍ଦରୀ କଥା ଓ ଟୀକା ଗୋବିନ୍ଦଚନ୍ଦ୍ର। ଏ ଦି’ଖଣ୍ଡ ଶେଷ ହୋଇଗଲା। ଅଫିମଖୋର୍ ନିଶାଡ଼ିପରି, ପୁଣି ମନ ବହି ଲୋଡ଼ିଲା, ଗାଁ ସ୍କୁଲର ମାଷ୍ଟରଙ୍କ ପାଖେ ଥିଲା ଦି’ଖଣ୍ଡ ବହି। ତା’ ମଧ୍ୟ ପଢ଼ା ସରିଗଲା। ଅଫିମଖିଆ ନିଶାଡ଼ିମନ ହାଉଳି ହେଲା, ଆଉ ବହି କାହିଁ? କେଉଁଠୁ ମିଳିବ? ଟିଣ ଟ୍ରଙ୍କରେ ଜଉର ଚାପଡ଼ଟାଏ କଷିଲେ। ମନର ଶପଥ ଆଜିଠୁ ବାହାରିବି ବହି ଅଭିଯାନରେ। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ବହିଭିକ୍ଷାର ଅଭିଯାନରେ ଲାଗି ରହିଥିଲେ। ସାରା ଓଡ଼ିଶା ବୁଲି ବହିଭିକ୍ଷା ପାଇଁ। ଗଢ଼ିଛନ୍ତି ଏତେବଡ଼ ପାଠାଗାର। ଯାହା ଆଜି ଗବେଷକମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଉଠିଛି। ଖାଲି ବହି ନୁହେଁ, ବହୁ ବିରଳ ପୋଥି ସେ ସଂଗ୍ରହ କରି ରଖିଛନ୍ତି। ଯିଏ ଦେଖିଛି, ସିଏ ଜାଣିଛି।

ଜୀବନାଦର୍ଶ
ଅଜାଙ୍କ ଚିତ୍ତବୃତ୍ତି ଓ ଜୀବନାଦର୍ଶ ଅଭିନନ୍ଦନୀୟ। ସେ କହନ୍ତି, ତମ ପିଲାମାନେ ମଣିଷ ହେଲା ପର୍ଯ୍ୟନ୍ତ ତମେ ସଂସାରରେ ରହିବ। ପିଲାଏ ମଣିଷ ହୋଇଗଲେ ତମେ ଆଉ ସଂସାରର ନୁହଁ। ତମେ ଦେଶର, ସମାଜର। ତମକୁ ଏ ମାଟି ଋଣ ଶୁଝିବାକୁ ହେବ।
ଏହି ମାଟି ଋଣ କଥା ପଦକରେ ମୋ’ ମନ ଭେଦକଲା। ଖାଲି ଭେଦିଲାନାହିଁ, ନିଆଁଝୁଲ ହେଇ ଚେଙ୍କିଲା। କିଛିବର୍ଷ ପରେ ‘ମାଟିଋଣ’ ବୋଲି ଏକ ଗଳ୍ପ ମୋର ପ୍ରକାଶ ପାଇଥିଲା ସତ୍ୟବାଦୀରେ। ଏ ‘ମାଟିଋଣ’ ଶବ୍ଦ ଅଜାଙ୍କଠୁ ଉଧାର ଆଣିଥିବା ଶବ୍ଦ।
ଅଜା ଥରେ କହିଲେ, ତାଙ୍କର ଅନୁଭୂତି। ରାଜ୍ୟ ସରକାର ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସଭାରେ ମୁଖ୍ୟମନ୍ତ୍ରୀ, ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ। ଅଜାଙ୍କ କୃତି ଉପରେ ମାନପତ୍ର ପାଠ କରାଗଲା। ମୁଖ୍ୟମନ୍ତ୍ରୀ ଅଜାଙ୍କ କାନ୍ଧରେ ଏକ ଶାଲ ପକାଇଦେଇ ପ୍ରଣାମ କଲେ। ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଅଜା ଶାଲଟିକୁ ଫେରାଇଦେଇ କହିଲେ, ଦଶ ପଇସା ଭିକ୍ଷା ମାଗୁଥିବା ମୁଁ ଫକୀରଟାଏ। ଏ ତିନିଶ ଟଙ୍କିଆ ସାଲ୍ ମୋର କ’ଣ ହେବ? ମତେ ତ ମୋର ଖାଦ୍ୟ ମିଳିଲା ନାହିଁ।
ଏ କ୍ଷୋଭର ତାତ୍ପର୍ଯ୍ୟ ଥିଲା। ସରକାର ଯେଉଁ ବାର୍ଷିକ ଅନୁଦାନ ଦେଉଥିଲେ, ତାହା ସମୁଦ୍ରକୁ ଶଙ୍ଖେ ପାଣି। ଅନୁଷ୍ଠାନରେ ଜଣେ କର୍ମଚାରୀ ଥିଲେ। ସେ ଅଜାଙ୍କ ଘରେ ଖାଇ ମାସିକ ୧୫୦ ଟଙ୍କା ନେଉଥିଲେ। ତାହା ଯଥେଷ୍ଟ ନଥିଲା। ଅଜାଙ୍କର ମଧ୍ୟ ଆଉ ସମ୍ବଳ ନଥିଲା। ଗୋଟାଏ ଅନୁଷ୍ଠାନକୁ ବଞ୍ଚାଇ ରଖିବା ପାଇଁ ଯେତେ ଅର୍ଥ ଦରକାର ତାହା ଯୋଗାଡ଼ ହୋଇପାରୁନଥିଲା। ସରକାରଙ୍କ ଅନୁଦାନ ଅଧିକ ହେଲେ ତାଙ୍କ ରାଜକୋଷ ତ ଶୂନ୍ୟ ହୋଇଯିବ ନାହିଁ। ଅର୍ଥ ଯଥାର୍ଥ ବିନିଯୋଗ ହେବ।
ଅଜାଙ୍କଠାରୁ ଖୁବ୍ ଗାଳି ଖାଇଛି ମୁଁ। ତାଙ୍କ ଗାଳି ମତେ ଭଲଲାଗେ। ଘରକୁ ପଶିଆସି କହିବେ, ଯେତେବେଳେ ଦେଖିଲି ରୋଷେଇଘରେ। ଛିଃ, ଏଇଟା ମଣିଷ ହେଲାନି।
ଅଜା ତାଙ୍କ ଅନୁଷ୍ଠାନ ଦ୍ୱାରା ମତେ ସମ୍ବର୍ଦ୍ଧିତ କରିଥିଲେ। ତା’ଛଡ଼ା ଗାଳ୍ପିକା କବିତା ବାରିକଙ୍କ ସହ ମୁଁ ତାଙ୍କ ଘରକୁ ପାଇଥିଲି। ତାଙ୍କ ଘରକୁ ଅନେକଥର ଯାଇଛି। ଅବେଳରେ ପହଞ୍ôଚଲେ ତାଙ୍କ ବୋହୂ ମୋ’ ଖାଇବା ପାଇଁ ତତ୍ପର ହେଲେ ଅଜା କହନ୍ତି, ତାକୁ ପଖାଳ ଦେ’। ସେ କୋଉ ବିଲାତରୁ ଆସିଛି କି?
ତାଙ୍କ ଘରେ ମୁଁ ଅନେକଥର ପଖାଳ ଖାଇଛି।
ସେ ମୋତେ ବିଭିନ୍ନ ସଭାକୁ ଯିବାକୁ ଡାକନ୍ତି। ମୁଁ ଯାଇପାରେନି। ଗାଳିଖାଏ ତାଙ୍କଠୁ। ସେ ରାଗିଲେ ଠେଙ୍ଗାଟାକୁ ଗ୍ରୀଲରେ ବାଡ଼େଇଦେଇ, ତୋ’ ଦୁଆର ମାଡ଼ିବିନି କହି, ଡଗଡଗ ହୋଇ ଚାଲିଯାନ୍ତି।
ଚାରିଦିନ ପରେ ପୁଣି ଆସନ୍ତି।
ଥରେ ଅଗଷ୍ଟ ପନ୍ଦରରେ ଟି.ଭି.ରେ ଦେଉଥିଲା ସିନେମା ‘ସତ୍ୟକାମ’। ଆମେ ବସି ଦେଖୁଥିଲୁ।
ହଠାତ ଅଜା ଘରକୁ ପଶିଆସିଲେ। ଚଟକରି ବୁଲିପଡ଼ିଲେ। ଗ୍ରୀଲରେ ବାଡ଼ିଟା ପିଟିଦେଇ କହିଲେ, ଟିକେ ଲାଜନାହିଁ ତତେ। ବାପା, ମା’, ପିଲାଙ୍କ ସହ ବସି ସିନେମା ଦେଖୁଚୁ। ଛିଃ।
ସେ ଫେରିଗଲେ।
ଆଉଥରକ କଥା। ଝିଅ ବାହାଘର ପାଇଁ ମୁଁ କିଣାକିଣି କରିବାକୁ କଟକ ଯାଇଥିଲି। ଅଜା ଆସି ଘରେ ୟାଙ୍କ ସହ କଥାବାର୍ତ୍ତା ହୋଇ ଯାଇଛନ୍ତି। ତାଙ୍କୁ ତ ଆମ ଘରେ ସମସ୍ତେ ଭଲପାଆନ୍ତି। ସେ ମଧ୍ୟ ଆମ ଘରର ଜଣେ ହୋଇଥାନ୍ତି।
ଝିଅ ବାହାଘରର କାର୍ଡ ସହ ଚିଠିଟିଏ ଲେଖିଥିଲି। ଅଜା, ନିଶ୍ଚୟ ଆସିବ।
ମୋ’ ଝିଅକୁ ସେ ଭଲପାଆନ୍ତି। ଝିଅ ତାଙ୍କ ବରାଦ ମୁତାବକ ବ୍ୟାଗ ସିଲେଇ କରିଦିଏ। ବଡ଼ ବ୍ୟାଗର ଭିତରପଟେ ତିନିଟା କରି ଦି’ ପାଖରେ ଛ’ଟା ପକେଟ୍। ରୁଟି, ଚିନି, ଲୁଣ, ଲେମ୍ବୁ ସବୁଥାଏ। ଆଉ ଗୋଟେ ପକେଟରେ ଖଣ୍ଡେ କାଗଜ ଓ ୨୫୦ ଟଙ୍କା ଥାଏ। ସେ କାଗଜରେ ଲେଖାଥାଏ। ମୁଁ ବାରବୁଲା ଫକୀର। ବାଟରେ ଘାଟରେ କେଉଁଠି ବି ମରିଯାଇପାରେ। ମୋ’ ମୃତଦେହ ଯିଏ ଦେଖିବ ଏତିକି ଟଙ୍କାରେ ମତେ ସତ୍କାର କରିବାକୁ ଅନୁରୋଧ। ମୋ’ ପରିବାରକୁ ଖବର ଦିଆଯିବନାହିଁ।
ଅଇଲେ ନାହିଁ ଅଜା
ଅଜା ଆସିଲେ ନାହିଁ ବାହାଘରକୁ।
ତିନିଦିନ ପରେ ଆସିଲେ। ମୁଁ ମୁହଁ ଫୁଲେଇ କହିଲି, ଏତେ ଭଲ ପାଉଥିଲ, ଆସିଲନାହିଁ।
ଏତିକିବେଳେ ମୋ’ ପୁଅ ଏକ ଥାଳିଆରେ କିଛି ମିଠା ଆଣି ଅଜାଙ୍କୁ ବଢ଼ାଇଦେଲା। ଅଜା ଥାଳିଆଟା ଫୋପାଡ଼ିଦେଲେ। ବାଡ଼ିଟା ଚଟାଣରେ ପିଟିଦେଇ କହିଲେ, ‘ତୁ ଲେଖୁଚୁ ଗୋଟେକଥା, କରୁଚୁ ଆଉଗୋଟେ କଥା। ଛିଃ ଛିଃ।’
ମୁଁ ବୁଝିପାରିଲି ନାହିଁ।
ଅଜା ସେମିତି ରାଗିଯାଇ କହିଲେ, ତୋ’ ଅଧ୍ୟାପିକା ଝିଅକୁ ତୁ ଯୌତୁକ ଦେଇ ବାହା କରିଚୁ? ନଈରେ ବୁଡ଼ାଇ ଦେଇଥାନ୍ତୁ।
ଏଥର ମୁଁ ବୁଝିଲି। ମୁଁ ନଥିଲାବେଳେ ଅଜା ଆସି ୟାଙ୍କଠାରୁ ସବୁ ଶୁଣି ଯାଇଛନ୍ତି। ଝିଅ ବାହାଘରରେ ତ ଉପହାର ଦିଆଯାଏ ନାଁ।
ମୁଁ ଅଜାଙ୍କୁ କହିପାରିଲି ନାହିଁ ଜୋରରେ ଯେ, ଅଜା ତମେ ସିନା ଖୁଣ୍ଟରୁ ଡୋର କାଟିଦେଇଛ। ମୁଁ ପରା ଖୁଣ୍ଟରେ ଜଭର ହୋଇ ବନ୍ଧାହୋଇଛି। ମୁଁ ଯାହା ଲେଖିଛି ତାହା ମନର କଥା, ସତକଥା। ଯାହା କରୁଛି ତାହା ନିରୁପାୟ ଅସହାୟତା।
ଏକାନବେ ମସିହାରୁ ଭୁବନେଶ୍ୱରରେ ରହିଲା ପରେ ଆଉ ଅଜାଙ୍କ ସହ ଦେଖାହୋଇନଥିଲା। ମଝିରେ ମଝିରେ ସେ ଚିଠି ଲେଖୁଥିଲେ। ସେ ମୋତେ ତିନୋଟି ଜିନିଷ ମାଗିଥିଲେ। ଖଣ୍ଡେ ଚାଦର, ଗୋଟେ କମଳ ଏବଂ କଷି ପାଣିକଖାରୁର ରାଇ। ଚାଦରଟିଏ ଦେଇଥିଲି, ବାକି ଦୁଇଟି ଦେଇପାରିଲି ନାହିଁ। ଭୁବନେଶ୍ୱରରେ ରହିଲି। ଆଉ ଦେଖାହୁଏନି। ଦିନେ ଖଣ୍ଡେ ଚିଠିରେ ଲେଖିଥିଲେ, ମୁଁ ନୂଆପଲ୍ଲୀରେ ଅମୁକ ଅଟାକଳ ପାଖ ଏତେ ନମ୍ବର ଘରେ ରହୁଛି। ଆସିବୁ।
ଘରର କାମଦାମ ସାରି ରିକ୍ସାଟିଏ କରିକି ବାହାରିଗଲି। ରାଜମହଲ ଛକରୁ କିଛି କଲମି ଆମ୍ବ ଓ ସେଉ, ଅଙ୍ଗୁର କିଣିନେଲି। ଘରେ ପହଞ୍ଚିଲା ବେଳେ ଅଜା-ଆଈ ଦୁହେଁ ବସିଥିଲେ।
ମୋତେ ଦେଖି ଖୁସି ହେଲେ। ମୋ’ ଫଳ ବ୍ୟାଗ ଦେଖି ତାକୁ ପେଲିଦେଇ କହିଲେ, ତୁ ଜାଣିଛୁ, ମୁଁ କଦଳୀ ଖାଇବାକୁ ଭଲପାଏ। ଏଗୁଡ଼ା କାହିଁକି ଆଣିଚୁ?
ତାଙ୍କର କଥା ରୋକଠୋକ୍।
ଆଈ କହିଲେ, ଓହୋ, ପିଲାଟା ଆଣିଛି। ତାକୁ ଏମିତି ଚିଡୁଛ କାହିଁକି? ଅଜା ହସିଲେ, କହିଲେ, ତାକୁ ରାଗେସିନା, ତାକୁ ମୁଁ ଭଲପାଏ।
ମୋ’ ଆଖି ଲୁହରେ ଓଦା ହେଲା।
ଏବେ ଲେଖିଲା ବେଳେ ବି ମୋ ଆଖି ଓଦା ହେଇଯାଉଛି।
ସେଇ ତାଙ୍କ ସହ ଶେଷଦେଖା।
ଆଉ ତାଙ୍କଠୁ ଚିଠି ପାଇନାହିଁ। ମନ ଘାଣ୍ଟିହୁଏ। ଝିଅ କହିଲା, ସେ ଅଜାଙ୍କୁ ସଚିବାଳୟରେ ଦେଖିଥିଲା। ମୋ’ ମନ ରୁଗୁରୁଗୁ ହୁଏ କମଳଟିଏ କେମିତି ପଠେଇବି। ଏ ଭିତରେ ମୋର ସ୍ୱାସ୍ଥ୍ୟଗତ କାରଣରୁ ମୁଁ ପ୍ର୍ରାୟ ଗୃହବନ୍ଦି।
ଅଜାଙ୍କର ଚିଠି ନଥିଲା। ମୋ’ ଚିଠିର ଉତ୍ତର ନଥିଲା। ସେ କେଉଁଠି ମୁଁ ଜାଣିପାରିଲି ନାହିଁ।
ଏକ ଦୁଃଖଦ ଅନ୍ତ
ଦିନେ ସଂଧ୍ୟାରେ ଟି.ଭି ସମ୍ବାଦରେ କୁହାଗଲା, କଣା ଅଜା ଦାସିଆଙ୍କ ମୃତଦେହ ଏକ ପରିତ୍ୟକ୍ତ ଶୁଖିଲା କୂଅରୁ ଉଦ୍ଧାର କରାଯାଇଛି। ତାଙ୍କ ହାତ ଓ ଗୋଡ଼ ବନ୍ଧାହୋଇଛି।
ମୁଁ ଥ’ ହୋଇ ବସିପଡ଼ିଲି। ମୋ’ ଛାତି ଫାଟିଗଲା ପରି ଲାଗିଲେ ମଧ୍ୟ ଫାଟିଗଲା ନାହିଁ। ମୁଁ କେବଳ ଭାବିଥିଲି ଏକ ଉତ୍ସର୍ଗୀକୃତ ସେବକର ପରିଣତି କ’ଣ ଏମିତି ଏକ ଭାଗ୍ୟ?
ପରିବାରର ପୁଅ-ଝିଅ ଛଡ଼ା, ବାହାରେ ତାଙ୍କର ବିଶାଳ ପରିବାର ଥିଲା। ପରିବ୍ୟାପ୍ତ ଲେଖକ ପରିବାର। ଯେଉଁମାନଙ୍କୁ ସେ ଅନ୍ତରଦେଇ ଭଲପାଆନ୍ତି, ସେ ସେଇ ଲେଖକମାନଙ୍କ କାନ୍ଧରେ, ସମାରୋହରେ ତାଙ୍କ ଶେଷଯାତ୍ରା ନିର୍ବାହ କରିଥାନ୍ତେ। ଅଜସ୍ର ଫୁଲରେ ପୋତି ହୋଇଥାନ୍ତେ। ଲେଖକମାନେ ଅଶ୍ରୁଳ କଣ୍ଠରେ କହୁଥାନ୍ତେ, ଦାସିଆ ଅଜା, ଅମର ରହେ, ଅମର ରହେ।
ଓଡ଼ିଆ ସାହିତ୍ୟ, ସଂସ୍କୃତିର ସୁରକ୍ଷା ପାଇଁ ଯିଏ ଜୀବନ ଉତ୍ସର୍ଗ କରିଥିଲା, ତା’ର କ’ଣ ଏତିକି ପ୍ରାପ୍ୟ ନୁହେଁ?
ତାର ପ୍ରାପ୍ୟ କ’ଣ ଗ୍ରନ୍ଥିବଦ୍ଧ ହୋଇ କୂଅରେ ନିପତିତ ହେବା? ଏଇ ତାର ପୁରସ୍କାର?
ମୁଁ ଭାବିପାରୁନଥିଲି, ଏଇ ବୃଦ୍ଧଜଣକ କାହାର କ’ଣ କ୍ଷତି କରିଥିଲା ଯେ, ସେ ନରାଧମ ତାକୁ ଏପରି ଭାବେ ଶେଷ କରିଦେଲା? କେଉଁ ଦୁର୍ବୃତ୍ତ ସେ?
ଛୋଟ ଖବରଟିଏ ହେଇ ଏହା ରାଜଧାନୀର ପବନରେ ମିଳେଇଗଲା। ଏହି ଅସ୍ୱାଭାବିକ ମୃତ୍ୟୁର ତଦନ୍ତ ହେଲା କି ନାହିଁ, ଏହି ଶବର ସତ୍କାର କିଏ କେଉଁଠି କଲା, ସେ କଥା ମୋର ଜାଣିବାର ବାଟ ନଥିଲା। ସମ୍ବାଦପତ୍ରରେ ବି ତା’ର ସୂଚନା ନଥିଲା।
ସାରା ଜୀବନ ସେ ଦୁଆର ଦୁଆର ବୁଲି ଦଶପଇସା ମାଗିଚନ୍ତି। ତା’ଠୁ ଅଧିକ ନୁହଁ। ବହିଭିକ୍ଷାକରି ବହିର ଏକ କୋଣାର୍କ ଗଢ଼ି ଦେଇଗଲେ। ଦି’ଖଣ୍ଡ ଗାମୁଛା, ଗୋଟାଏ ଠେଙ୍ଗା ଯାହାର ନିଜସ୍ୱ ସମ୍ପତ୍ତି। ତାଙ୍କ ଭାଷାରେ ସେ ହୁଏତ ବାରବୁଲା ଫକୀର। ମୁଁ କିନ୍ତୁ ସବୁବେଳେ ତାଙ୍କୁ କହେ, ଅଜା, ତମର ସାମ୍ରାଜ୍ୟ ନାହିଁ, ତମେ କିନ୍ତୁ ଦଶ ପଇସାର ସମ୍ରାଟ।
ତମକୁ ଶତକୋଟି ପ୍ରଣାମ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ମର୍ମସ୍ପର୍ଶୀ
ପାଠାଗାର ଆନ୍ଦୋଳନର ସ୍ରଷ୍ଟା ଦାସିଆ ଅଜାଙ୍କ ସମ୍ପର୍କରେ ଅନୁଭୂତିଟି ମର୍ମସ୍ପର୍ଶୀ ହୋଇଛି।
ଧର୍ଯ୍ୟର ସହ ପଢ଼ିଲି, ତାଙ୍କ ପୁଅଙ୍କ ସହ ମୋର ଗୋଟେ ଅନୁଷ୍ଠାନ ମାଧ୍ୟମରେ ଉତ୍ତମ ବନ୍ଧୁତା। ଲେଖାରେ ଆଈ ର ସାମାନ୍ୟ ଆବିର୍ଭାବ ବ୍ୟତୀତ ତାଙ୍କ ପରପିଢୀ କି ପାଠାଗାର ର ସାମ୍ପ୍ରତିକ କଥା କିଛି ବି ନାହିଁ। ତେବେ ଲେଖାଟି ଅତ୍ୟନ୍ତ ଭାବାବେଗ ପୂର୍ଣ୍ଣ ହୋଇଛି। ସାଧୁବାଦ ଦେଉଛି।