ମୋର ଦୃଢ଼ ବିଶ୍ୱାସ ହେଲା ଯେ ଆଜି କିଛି ଅଘଟଣ ହେବାକୁ ଯାଉଛି।

ପାରାମାନେ ଘର ଛାଡ଼ି ଉଡ଼ିଗଲେ ବିପଦ ମାଡ଼ିଆସେ ବୋଲି ପ୍ରବାଦ ଅଛି। ଆଉ ଆଜି ମୋ’ ସହିତ ତାହା ହିଁ ଘଟିଛି। ମୋ’ ଘରେ ଅନେକ ପାରା ଆସି ରହନ୍ତି। ତାଙ୍କ ଘୁମୁ ଘୁମୁ ଡାକରେ ହିଁ ସକାଳେ ମୋ’ ନିଦ ଭାଙ୍ଗେ। ଆଜି ସକାଳେ କିନ୍ତୁ ସେମିତି ଘଟିଲାନି। ଆଜିର ସକାଳଟି ସେଦିଗରୁ ଥିଲା ଭିନ୍ନ ଏବଂ ଏକ ବ୍ୟତିକ୍ରମ। ନିଦରୁ ଉଠି ଦେଖିଲି ଯେ ଘରେ ଗୋଟିଏ ବି ପାରା ନାହିଁ। ଆକାଶକୁ ଘୋଟି ରଖିଥିଲା ବାଦଲ। ପରିବେଶ କେମିତି କେମିତି ନିଃସ୍ପୃହ ଏବଂ ଉଦାସ ଲାଗୁଥିଲା। ମୋର ଦୃଢ଼ ବିଶ୍ୱାସ ହେଲା ଯେ ଆଜି କିଛି ଅଘଟଣ ହେବାକୁ ଯାଉଛି।
ମନ ଅସ୍ଥିର ହୋଇଉଠିଲା। ଆଶଙ୍କାର କଳାବାଦଲ ଘୋଟିଗଲା ମୋ’ ହୃଦୟ ଆଉ ଚେହେରା ଉପରେ। ମୁଁ ଗୁମ୍ ମାରି ବସି ରହିଲି। ମୋ’ର ଏଭଳି ରୂପ ଦେଖି ଚକିତ ହେଲେ ମୋ’ର ଘରଣୀ। ମୋ’ ସ୍ତ୍ରୀ ମୋ’ ପାଖକୁ ଆସି ମୁଣ୍ଡ ବାଳକୁ ସାଉଁଳେଇ ଦେଇ ପଚାରିଲେ- କ’ଣ ହେଲା? କାହିଁକି ଏମିତି ଦିଶୁଚ ଯେ? କ’ଣ କିଛି ହେଇଛି!
ମୁଁ ତାଙ୍କ ଡୋଳାରେ ମୋ’ ଡୋଳାକୁ ସ୍ଥିର ରଖି କହିଲି- ମୋ’ ମନ କହୁଛି କିଛି ବଡ଼ ଧରଣର ଅଘଟଣ ଘଟିବାକୁ ଯାଉଛି? ମୋ’ କଥା ନ ସରୁଣୁ ସେ ଏକ ଅଜଣା ଆଶଙ୍କାରେ ଚମକି ଉଠିଲେ। ତା’ ପରେ ଅତି ପାଖକୁ ଲାଗି ଆସି ମୋ’ ପାଟିରେ ହାତ ରଖି କହିଲେ-ଥାଉ। ଆଉ ଆଗକୁ କିଛି କୁହନି।
ମୋ’ ସ୍ତ୍ରୀଙ୍କ ଏଭଳି ଆଚରଣ ବିଷୟରେ ମୁଁ ଆଗରୁ ଅବଗତ ଅଛି। କଥା କ’ଣ କି ମୋ’ ଜିଭରେ କଳାଜାଇ ଅଛି। ଯାହା ଜିଭରେ କଳାଜାଇ ଥାଏ, ସେ କୁଆଡ଼େ ଅଶୁଭ। ଅର୍ଥାତ ସେ ଯାହା ଅଶୁଭ କଥା କହିବ, ତାହା ଆପେ ଆପେ ଫଳିଯିବ। ପ୍ରାଗ୍ ଐତିହାସିକ କାଳରୁ ଚଳି ଆସୁଥିବା ଏଭଳି ଏକ ଆପ୍ତ ବାକ୍ୟରେ ସମସ୍ତଙ୍କ ଭଳି ମୋ’ସ୍ତ୍ରୀଙ୍କର ମଧ୍ୟ ଅଟଳ ବିଶ୍ୱାସ ରହିଛି। ମୁଁ ଯାହା କହିବି, ତାହା ସତ ହେଇଯିବ ବୋଲି ସେ ବିଶ୍ୱାସ କରନ୍ତି। ତେଣୁ ମୁଁ କାଳେ କିଛି ଆସନ୍ନ ବିପଦ କଥା କହିଦେବି ଆଉ ତାହା ଆପେ ଆପେ ଫଳିଯିବ, ଏଭଳି ଆଶଙ୍କାକରି ସେ ମୋତେ ଚୁପ୍ ରହିବାକୁ ପରାମର୍ଶ ଦେଲେ। ମୁଁ ବି ତାଙ୍କ କଥା ମାନି ଚୁପ୍ ରହିଲି।
କିଛି ସମୟ ପରେ ମୁଁ ଚା’ ପିଉଚି ଏଇ ସମୟରେ ଫୋନ୍ ରିଙ୍ଗ ହେଲା। ମୋ’ର ଜଣେ ବନ୍ଧୁ ଫୋନ୍ କରିଥିଲେ। ସେତେବେଳେ ମୋ’ ୪ ବର୍ଷର ପୁଅ ମୋ’ କମ୍ପ୍ୟୁଟର୍ ଟେବୁଲରେ ବସି ଗେମ ଖେଳୁଥିଲା। ମୁଁ ମୋ’ ମୋବାଇଲ୍ ଫୋନ୍ଟିକୁ ଚାର୍ଜିଂ କରିବା ପାଇଁ କମ୍ପ୍ୟୁଟର୍ ଟେବୁଲ ଉପରେ ରଖିଥିଲି, ତେଣୁ ମୁଁ ଫୋନ୍ ନେବାକୁ ଆସିଲି। ମୁଁ ମୋ’ ପୁଅର ଖେଳ ଦେଖୁଥିବା ଅବସ୍ଥାରେ ବନ୍ଧୁଙ୍କ ସହ କଥା ହୋଇଚାଲିଲି। ଆମେ ବହୁତ ସମୟଧରି କଥାବାର୍ତ୍ତା ହେଲୁ। ସେ ଟିକେ ଅଧିକ ନିରାଶ ଥିଲା ଭଳି ଲାଗୁଥିଲା। ସେ ତାଙ୍କ ଆଖପାଖର ଲୋକଙ୍କଠାରୁ ଅନେକଥର ପ୍ରତାରଣାର ଶିକାର ହୋଇଥିଲେ। ତେଣୁ ସେ ସେମାନଙ୍କୁ ଘୃଣା କରୁଥିଲେ ଏବଂ ଅତି ହତାଶାରେ ମୋତେ କହିଲେ ଯେ ଆଜିକାଲି ଲୋକମାନେ ପୂରା ମାଙ୍କଡ଼ପରି ହୋଇଗଲେଣି। ତାଙ୍କ ମନକୁ ଟିକେ ହାଲୁକା କରିବା ଏବଂ ତାଙ୍କୁ ସାମାନ୍ୟ ଶାନ୍ତ କରିବା ପାଇଁ ମୁଁ କହିଲି, “ଆମେ ତ ବାନରରୁ ବିକଶିତ ହୋଇ ମଣିଷ ହେଇଛେ ନା…। ତୁମର ତ ଡାରୱିନଙ୍କ ଥିଓରୀ ମନେଥିବ। ତାଙ୍କ ବିବର୍ତ୍ତନ ତତ୍ତ୍ୱରୁ ତ ଆମେ ଏଇଆ ଶିଖିଛୁ ନା… ହା ହା ହା…।”
ଏହା ପରେ ଆମେ ବିଷୟ ପରିବର୍ତ୍ତନ କରି ଆମ ଅଞ୍ଚଳର ସାମ୍ପ୍ରତିକ ରାଜନୈତିକ ଘଟଣାବଳୀ ବିଷୟରେ କଥାବାର୍ତ୍ତା ହେଲୁ। ଏମିତି ଇଆଡୁସିଆଡୁ ଗପୁଗପୁ ପୁଣିଥରେ ସେ ଗମ୍ଭୀର ହୋଇଉଠି କହିଲେ, “ମୁଁ ଲକ୍ଷ୍ୟ କରୁଛି ଯେ ୫୦-୬୦ ବର୍ଷ ପୂର୍ବେ ଯାହା ଘଟିଥିଲା, ତାହା ପୁଣିଥରେ ଏବେ ଘଟୁଛି। କିଛି ବି ପରିବର୍ତ୍ତନ ହୋଇନାହିଁ।” ମୁଁ କହିଲି, “ବନ୍ଧୁ, ଏହି କଥାଟି ଭୁଲିଯାଅ ନାହିଁ- ହିଷ୍ଟ୍ରି ରିପିଟ୍ସ୍ ଇଟ୍ସେଲଫ।” ତା’ପରେ ଆମେ ବହୁତ ସମୟ ଧରି କଥା ହେଲୁ, ଯଦିଓ ଅଧିକାଂଶ ଆମ କଥାବାର୍ତ୍ତା ଅର୍ଥହୀନ ଥିଲା।
ମୁଁ କଥା ହେଉଥିବା ସମୟରେ ଭଲ ଭାବରେ ଲକ୍ଷ୍ୟ କରିଛି ଯେ ମୋ’ ପୁଅ ମୋତେ ଦୁଇଥର ଅତି ରହସ୍ୟମୟ ଭାବରେ ଚାହିଁଥିଲା। ତଥାପି, ମୁଁ ଏହାକୁ ଅଧିକ ଗୁରୁତ୍ୱ ଦେଇ ନଥିଲି। ଏଠାରେ, ମୁଁ କହିରଖିବାକୁ ଚାହେଁ ଯେ ମୋ’ ପୁଅ ଏକ ପ୍ରତିଭାବାନ ପିଲା। ଯାହାକୁ କହନ୍ତି ଚାଇଲ୍ଡ ପ୍ରଡିଜି। ତା’ର ଏମିତି ଆଶ୍ଚର୍ଯ୍ୟ ହୋଇ ମୋତେ ଚାହିଁବା ପଛରେ ଯେ କିଛି କାରଣ ରହିଥିବ ଏକଥାରେ ମୁଁ ନିଶ୍ଚିତ।
ମୁଁ ଏଠି ଆଉ ଗୋଟେ କଥା କହିରଖିବାକୁ ଚାହେଁ। ମୁଁ ଏକ ୩ ରୁମ୍ ବିଶିଷ୍ଟ ଘରେ ରହେ। ଘରକୁ ଭିତରକୁ ପଶିବା ମାତ୍ରେ ଏକ ବଡ଼ ହଲ୍ ରହିଛି। ହଲ୍ର ଗୋଟିଏ କୋଣରେ ମୋ’ର କମ୍ପ୍ୟୁଟର ଟେବୁଲ ରହିଛି। ଏଇଠାରେ ହିଁ ମୁଁ ମୋ’ ବନ୍ଧୁଙ୍କ ସହିତ ଫୋନ୍ରେ କଥା ହେଉଥିଲି। ଏତିକି ବେଳେ ମୋ’ ପୁଅର ଭିଡିଓ ଗେମ୍ ମଧ୍ୟ ଜାରି ରହିଥିଲା। ଆମ ରୋଷେଇ ଘରଟି ହଲକୁ ଲାଗି ରହିଛି। ରୋଷେଇ ଘରର ଦ୍ୱାର ହଲରେ ଖୋଲେ। ହଲ୍ ଦେଇ ଯିବା ସମୟରେ ରୋଷେଇ ଘରଟି ବାମପଟେ ପଡ଼େ। ରୋଷେଇ ଘର ପାଖରେ ଏକ ଅତିଥି କୋଠରି ଅଛି। ଯାହା ଅଧିକାଂଶ ସମୟରେ ବନ୍ଦ ରହିଥାଏ। ତା’ ପାଖରେ ରହିଛି ଟଏଲେଟ୍ ବା ଶୌଚାଳୟ। ଶେଷରେ ଦୁଇଟି କୋଠରି ଅଛି। ଗୋଟିଏ ମୋ’ ଶୟନ କକ୍ଷ, ଏବଂ ଅନ୍ୟଟି ମୋ’ ପୁଅର କୋଠରି। ଏହା ମୋ’ ହିଁ ଘରର ମୌଳିକ ସଂରଚନା।

ମୋ’ ବନ୍ଧୁଙ୍କ ସହ କଥାହେବା ପରେ, ମୁଁ ମୋ’ ଫୋନକୁ ପୁଣି ଚାର୍ଜିଂରେ ବସାଇଦେଲି। ମୋ’ ପୁଅ ଏବେ ବି ତା’ ଖେଳରେ ବ୍ୟସ୍ତ ଥିଲା। ମୁଁ ତାକୁ ଟିକେ ଦେଖିଲି ଏବଂ ତା’ପରେ ବିଶ୍ରାମ ନେବା ପାଇଁ ମୋ’ ଶୋଇବା ଘରକୁ ଯିବାକୁ ଲାଗିଲି। ଯିବା ସମୟରେ ମୁଁ ଦେଖିଲି ଯେ ମୋ’ ସ୍ତ୍ରୀ ରୋଷେଇ ଘରେ ବ୍ୟସ୍ତ ଅଛନ୍ତି। ରବିବାର ଥିଲେ ମଧ୍ୟ, ସେ ମଧ୍ୟାହ୍ନ ଭୋଜନ ପାଇଁ କିଛି ଅତିରିକ୍ତ ଜିନିଷ ପ୍ରସ୍ତୁତ କରିଥାନ୍ତି। ଏହାପରେ ମୁଁ ମୋ’ ଶୋଇବା ଘରକୁ ଯାଇ ଟିକେ ଶୋଇପଡ଼ିଲି। ମୁଁ ଭାବୁଛି ମୁଁ ପ୍ରାୟ ୩୦ ମିନିଟ୍ ହେବ ଶୋଇଥିବି। ମୁଁ ଆହୁରି ଶୋଇଥାନ୍ତି, କିନ୍ତୁ ହଠାତ୍ ମୋ’ ସ୍ତ୍ରୀର କାନ୍ଦିବା ସ୍ୱର ମୋ’ ନିଦ ଭାଙ୍ଗିଦେଲା। ଭୟଭୀତ ହୋଇ ମୁଁ ଅତିଶୀଘ୍ର ହଲ୍ ଭିତରକୁ ଦୌଡ଼ିଆସିଲି। ମୁଁ ଜାଣିବାକୁ ଚାହୁଁଥିଲି କ’ଣ ହେଲା ? ଆଉ ସେ କାହିଁକି ଭୟଭୀତ ହୋଇ କାନ୍ଦୁଛନ୍ତି।
ହଲ୍ ଭିତରକୁ ଆସିବା ମାତ୍ରେ ମୁଁ ଦେଖିଲି ଯେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ମୁହଁ ଫିକା ପଡ଼ିଯାଇଛି ଓ ଭୟରେ କଳାକାଠ ପଡିଯାଇଛି। ତାଙ୍କ ଗାଲ ଦେଇ ଲୁହ ବହିଯାଉଛି ଏବଂ ସେ ଥରୁଛନ୍ତି। ସେ କିଛି କହିବାକୁ ଚାହୁଁଛନ୍ତି କିନ୍ତୁ ଠିକ୍ ଭାବରେ କିଛି କହିପାରୁ ନାହାନ୍ତି। ସତେକି ତାଙ୍କ ତଣ୍ଟିକୁ କିଏ ଜୋର୍ କରି ଚିପି ଧରିଛି। ତାଙ୍କୁ ଏମିତି ଅବସ୍ଥାରେ ଦେଖି ମୁଁ ତାଙ୍କୁ ଜୋରରେ ଜାବୁଡ଼ି ଧରି ପଚାରିଲି, “କ’ଣ ହେଇଛି ? ସବୁ ଠିକ୍ ତ?” ସେ କହିବାକୁ ବହୁତ ଚେଷ୍ଟାକଲେ, କିନ୍ତୁ ତାଙ୍କ ପାଟିରୁ କୌଣସି ଶବ୍ଦ ବାହାରିଲା ନାହିଁ। ଶେଷରେ ସେ ତାଙ୍କ ହାତ ଉଠାଇ ସିଲିଂ ଫ୍ୟାନ୍ ଆଡ଼କୁ ମୋତେ ଇଙ୍ଗିତ କରି ଦେଖାଇଲେ।
ଛୋଟ ମାଙ୍କଡ଼ଟିଏ ସିଲିଂ ଫ୍ୟାନର ଗୋଟିଏ ବ୍ଲେଡ୍ ଉପରେ ବସିରହିଥିଲା ଓ ତା’ର ଲାଞ୍ଜ ତଳକୁ ଝୁଲିରହିଥିଲା। ତାକୁ ସେଠାରେ ସେମିତି ବସିରହିଥିବା ଦେଖି ମୁଁ ରାଗିଉଠିଲି। କାନ୍ଥରେ ଶୋ’ପିସ୍ ଭାବରେ ଶୋଭା ପାଉଥିବା ବଙ୍କୁଲି ବାଡ଼ି ଆଣି ତାକୁ ଉଞ୍ଚାଇ ଧରିଲି। ଯେମିତି ମୁଁ ସେ ମାଙ୍କଡ଼କୁ ପିଟିବାକୁ ଯାଉଛି ସେମିତି କଲି। କେବଳ ତାକୁ ଭୟଭୀତ କରି ଘରୁ ତଡ଼ିବା ପାଇଁ ମୁଁ ସେମିତି କଲି।
ମୁଁ ଏମିତି କରିବା ଦେଖି ମୋ’ ସ୍ତ୍ରୀ ପୂରା ଚିହିଙ୍କି ଉଠିଲେ। ତାଙ୍କ ପ୍ରତିକ୍ରିୟାରୁ ମୁଁ ବୁଝିପାରୁଥିଲି ଯେ କିଛି ଗୋଟାଏ ଭୁଲ୍ ହୋଇଗଲା। ମୁଁ କିଛି ପଚାରିବା ପୂର୍ବରୁ ସେ ହଠାତ ଚିତ୍କାର କରିଉଠି କହିଲେ, “ସେମିତି କରନି। ନା ସେମିତି କରନି। ସେ ଆମରି ପୁଅ!’ ଏହା ଶୁଣି ମୁଁ ପୂରା ଅବାକ୍ ହୋଇପଡ଼ିଲି। ମୁଁ ଚଟ୍କରି କମ୍ପ୍ୟୁଟର ସାମ୍ନାରେ ପଡ଼ିଥିବା ଚେୟାର ଆଡ଼କୁ ଚାହିଁଲି। ଯେଉଁଠି ବସି କିଛି ସମୟ ପୂର୍ବରୁ ମୋ’ ପୁଅ ଖେଳୁଥିଲା। ହେଲେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଯେ ଚୌକିଟି ଏବେ ଖାଲି ଥିଲା। ମୁଁ ନିଜ ଭିତରେ ଏକ ଅଜବ ଅସ୍ୱସ୍ତି ଅନୁଭବ କଲି। କିନ୍ତୁ ମୋ’ ସ୍ତ୍ରୀଙ୍କୁ ଶାନ୍ତ ରଖିବା ପାଇଁ କହିଲି- “ଚିନ୍ତା କରନି,” ମୁଁ କହିଲି, “ସେ ବୋଧହୁଏ ଏଇଠି କେଉଁଠି ଥିବ। ହୁଏତ ସେ ଟଏଲେଟ୍ ଯାଇଥିବ।”
ମୋ’ ସ୍ତ୍ରୀ ମୋତେ ଆଗକୁ ଆଉ କିଛି କହିବାକୁ ଦେଲେନାହିଁ। ଭୟଭୀତ କଣ୍ଠରେ ସେ କହିଲେ, “ମୁଁ ରୋଷେଇ ଘରେ ଥିଲି ଗୋଟେ ଜୋରଦାର ଶବ୍ଦ ଶୁଣିଲି। ସତେ ଯେମିତି କେଉଁଠୁ କିଛି ଡେଇଁପଡ଼ିଲା ଏବଂ କୌଣସି ସ୍ଥାନରେ ଯାଇ ବସିପଡ଼ିଲା…। ଆଉ ତା’ ସହ ମୁଁ ଗୋଟିଏ ମାଙ୍କଡ଼ର ଚିତ୍କାର ଶୁଣିଲି।” ମୋ’ ଛାତି ଥରିଗଲା। ମୁଁ ଭାବିଲି ଘର ଭିତରକୁ ମାଙ୍କଡ଼ ବୋଧେ ପଶି ଆସିଛି। କାଳେ ସେ ଆମ ପୁଅକୁ କାମୁଡ଼ି ଦେବ ଏଇଆ ଭାବି ମୁଁ ଦଉଡ଼ି ଆସିଲି।
ଯେତେବେଳେ ମୁଁ ଏଠିକୁ ଆସିଲି, ଜାଣିଚ ମୁଁ କ’ଣ ଦେଖିଲି? ତା’ ପରେ ସେ ଆଉ କିଛି କହିପାରିଲେ ନାହିଁ। ତାଙ୍କ କଣ୍ଠ ରୁନ୍ଧି ହୋଇଗଲା। ତା’ ପରେ ସେ ଏକରକମ ଦ୍ୱନ୍ଦ୍ୱରେ ଥାଇ କେବଳ ସିଲିଂ ଫ୍ୟାନ୍ ଆଡ଼କୁ ଇଙ୍ଗିତ କରିରହିଲେ। ଆଉ ଥର ଥର କଣ୍ଠରେ କହିଲେ, “ସେ… ସେ… ସେ ହେଉଛି ଆମ ପୁଅ! ସେଇ ମାଙ୍କଡ଼… ମାନେ ମୁଁ କହୁଛି, ସେ ଯୋଉ ସେଠି ବସିଚି ସେ ହିଁ ହେଉଛି ଆମ ପୁଅ… ଆମ ପୁଅ ଗୋଟେ ମାଙ୍କଡ଼ ପାଲଟି ଯାଇଛି!”
ମୁଁ ମୋ’ ସ୍ତ୍ରୀଙ୍କ କଥା ଶୁଣି ହତଭମ୍ବ ହୋଇଗଲି। “ଏ ତୁମେ କଣ କହୁଚ? ମୁଁ କିଛି ବୁଝିପାରୁନି। ଏ ତୁମର କି ପ୍ରକାର ପାଗଳାମୀ।” ମୁଁ ପ୍ରାୟ ଚିତ୍କାର କରିଉଠିଲି। ଏତିକିରେ ମୋ’ ସ୍ତ୍ରୀ ଥର ଥର କଣ୍ଡରେ କହିଲେ , “ଯେତେବେଳେ ମୁଁ ଶବ୍ଦ ଶୁଣି ହଲ ଭିତରକୁ ଦୌଡ଼ି ଆସିଲି, ସେଇ ସମୟରେ ମୁଁ ତାକୁ ପ୍ରଥମେ ଦେଖିଲି। ଜାଣିଚ ସେ ମୋତେ ଡାକିଲା – ‘ମା, ମା!’ ମୁଁ ଭଲ ଭାବରେ ଶୁଣିଚି। ମୁଁ ତା’ ସ୍ୱରକୁ ଚିହ୍ନିଛି। ମୁଁ ନିଶ୍ଚିତ ଯେ ସେ… ସେ ହିଁ ଆମର ପୁଅ… କିନ୍ତୁ ଏବେ ସେ ଏକ ମାଙ୍କଡ଼ ହେଇଯାଇଚି।” ଏସବୁ କହିବା ସମୟରେ ସେ ନିରନ୍ତର ଭାବରେ ସିଲିଂ ଫ୍ୟାନ୍ ଆଡ଼କୁ ହାତଟେକି ଇଙ୍ଗିତକରି ରହିଥିଲେ।
ମୋ’ ସ୍ତ୍ରୀଙ୍କ ଏମିତି ଇଙ୍ଗିତରେ ସେ ଛୋଟ ମାଙ୍କଡ଼ଟି, ଯିଏ କିଛି ସମୟ ପୂର୍ବରୁ ମୋର ପୁଅ ଥିଲା – ସେ ମୋ’ ସ୍ତ୍ରୀ ଉପରକୁ ଡେଇଁପଡ଼ିଲା। ତା’ର ଏମିତି ହଠାତ ବ୍ୟବହାରରେ ମୋ’ ସ୍ତ୍ରୀ ଭୟରେ ଚିତ୍କାର କରିଉଠିଲେ। ମୁଁ ବି ପୂରା ଭୟଭୀତ ହୋଇଉଠିଲି। ଆମ ପ୍ରତିକ୍ରିୟା ଦେଖି ଆମ ମାଙ୍କଡ଼ – ପୁଅ ଅର୍ଥାତ ବାନର-ପୁଅ ଦୁଃଖି ହୋଇପଡ଼ିଲା। ସେ ଏଣେତେଣେ ଡେଇଁ ଡେଇଁ ଦୌଡ଼ିବାକୁ ଲାଗିଲା। ତା’ର ଆଚରଣ, ବ୍ୟବହାର ସମ୍ପୂର୍ଣ୍ଣ ଅଦ୍ଭୁତ ଏବଂ ଅସ୍ୱାଭାବିକ ଥିଲା। ସତେ ଯେମିତି ସେ କେଉଁଠି ହଜିଯାଇଛି। ଏମିତି ଭାବ ନେଇ ସେ ଚାରିଆଡ଼କୁ ଦେଖିନେଉଥିଲା। ସେହି ମୁହୂର୍ତ୍ତରେ ମୁଁ ଏବଂ ମୋ’ ସ୍ତ୍ରୀ ଉଭୟେ ବୁଝିପାରିଲୁ ଯେ ସେ କ’ଣ କରିବାକୁ ଚାହୁଁଛି। ସେ ଘର ଛାଡ଼ି ଚାଲିଯିବାକୁ ଚାହୁଁଥିଲା। ସବୁଦିନ ପାଇଁ ଘରଛାଡ଼ି ବାହାର ଦୁନିଆକୁ ପଳାଇବାକୁ ଚାହୁଁଥିଲା…।
ପରିସ୍ଥିତିର ଗୁରୁତ୍ୱକୁ ବୁଝିପାରି, ମୁଁ ଘରର ମୁଖ୍ୟ କବାଟକୁ ବନ୍ଦ କରିବାକୁ ଦୌଡ଼ିଗଲି। ମୁଁ ଯେତେବେଳେ ଘରେ ଥାଏ, ମୁଁ ସାଧାରଣତଃ ସତେଜ ଅନୁଭବ କରିବା ପାଇଁ କବାଟ ଖୋଲା ରଖିଥାଏ। କିନ୍ତୁ ମୁଁ କବାଟ ବନ୍ଦ କରିବାକୁ ସେଠି ପହଞ୍ଚିବା ପୂର୍ବରୁ, ମୋ’ ମାଙ୍କଡ-ପୁଅ ଗୋଟିଏ ଡିଆଁରେ ବାହାରକୁ ପଳାଇଗଲା। ଯିବା ପୂର୍ବରୁ ସେ ତା’ର ଡାହାଣ ହାତକୁ ଏମିତି ଭାବରେ ହଲାଇଲା ଯେ ମନେ ହେଉଥିଲା ସତେ ଯେପରି ସେ ଆମକୁ ସବୁଦିନ ପାଇଁ ବିଦାୟ କହୁଛି … କହୁଛି ସବୁଦିନ ପାଇଁ ବିଦାୟ ପାପା, ସବୁଦିନ ପାଇଁ ବିଦାୟ ମାମା…।
ଆମ ମାଙ୍କଡ଼-ପୁଅ ଘରୁ ବାହାରକୁ ଦୌଡ଼ି ପଳାଇବା ଦେଖି, ମୋ’ ସ୍ତ୍ରୀ ଭୟରେ ଚିତ୍କାର କରିଉଠି କହିଲେ, “ଯାଅ! ତାକୁ ଧର!” ଏତିକି କହିବା ଭିତରେ ସେ ଲଥ କରି ତଳେ ପଡ଼ିଗଲେ। ସତେଯେମିତି କଟା ଗଛଟିଏ ଖସିପଡ଼ିଲା, ସେମିତି। ଏତେବେଳକୁ ତାଙ୍କର ପ୍ରାୟ ଅଚେତ ପ୍ରାୟ ଅବସ୍ଥା। ତାଙ୍କ ଅବସ୍ଥା ଦେଖି ମୁଁ ଦ୍ୱନ୍ଦ୍ୱରେ ପଡ଼ିଗଲି। ମୁଁ ଏବେ କ’ଣ କରିବି ? ମୋ’ ବାନର ପୁଅକୁ ଧରିବାକୁ ଦୌଡ଼ିବି, ନା ମୋ’ ସ୍ତ୍ରୀଙ୍କର ଯତ୍ନ ନେବି?
ଏମିତି ଭାବିବା ଭିତରେ ମୁଁ ମୋ’ ସ୍ତ୍ରୀଙ୍କ ପାଖକୁ ଯାଇ ତାଙ୍କର ଯତ୍ନ ନେବାକୁ ନିଷ୍ପତ୍ତି ନେଲି। ଯେତେବେଳେ ମୁଁ ତାଙ୍କ ପାଖରେ ଆଣ୍ଠୁମାଡ଼ି ବସିଲି, ସିଏ ସେମିତି ତଳେ ପଡ଼ିରହି ମୋତେ ଅତି ଦୁର୍ବଳ ଏବଂ ଯନ୍ତ୍ରଣାଦାୟକ ସ୍ୱରରେ କହିଲେ, “ଏମିତି ସମୟ ନଷ୍ଟ କରନି। ଯାଅ, ଆଉ ଆମପୁଅକୁ ନେଇ ଆସ। ଆମେ ତା’ ବିନା ବଞ୍ଚିପାରିବାନି। ଯାଅ… ଯାଅ…।” ସେ ମୋତେ ଅତି ଆକୁଳ ହୋଇ ଅନୁରୋଧ କରୁଥିଲେ। ଆମ ପୁଅକୁ ରକ୍ଷା କରିବାକୁ ବିକଳ ହୋଇଉଠୁଥିଲେ।
ତେଣୁ ମୁଁ ଶୀଘ୍ର ବାହାରକୁ ଯାଇ ଆମ ମାଙ୍କଡ-ପୁଅକୁ ଖୋଜିବାକୁ ନିଷ୍ପତ୍ତି ନେଲି। ଆଉ ସଙ୍ଗେ ସଙ୍ଗେ ରାସ୍ତା ଉପରକୁ ଆସି ଚାରିଆଡ଼କୁ ନଜର ପକାଇଲି। କିନ୍ତୁ ମୋ’ ବାନର ପୁଅ କେଉଁଠି ଦେଖାଗଲାନାହିଁ। ତାକୁ ଖୋଜିବା ଲକ୍ଷ୍ୟ ନେଇ ମୋ’ ଘରର ଆଖପାଖ ଅଞ୍ଚଳରେ ବୁଲିବାକୁ ଲାଗିଲି। ଅନେକ ଚେଷ୍ଟା କଲି। କିନ୍ତୁ ସବୁକିଛି ବ୍ୟର୍ଥ ଥିଲା। ମୁଁ ତାକୁ କୋଉଠି ପାଇଲି ନାହିଁ। ବହୁତ ସମୟ ଧରି ତାକୁ ଖୋଜିବା ପରେ ତାକୁ ନପାଇ, ହତାଶ ହୋଇ ଭଙ୍ଗା ହୃଦୟରେ ବାଟ ଚାଲିବାକୁ ଲାଗିଲି। ଆଗକୁ ମୋତେ କ’ଣ କରିବା ଉଚିତ ଏମିତି ଚିନ୍ତାକରି ମୁଁ ଟିକେ ଅଟକିଗଲି। ଆଉ ଏଇ ସମୟରେ ସ୍ତ୍ରୀ ଅବସ୍ଥା କଥା ମୋ’ର ମନେପଡ଼ିଗଲା। ତେଣୁ ଶୀଘ୍ର ଶୀଘ୍ର ମୁଁ ଘରକୁ ଫେରିବାକୁ ଲାଗିଲି। ସେତେବେଳେ ମୋ’ ମନର ଅବସ୍ଥା ଯେ କିପରି ଥିଲା ତାକୁ ମୁଁ ଉଚିତ ଭାଷାରେ ବର୍ଣ୍ଣନା କରିପାରିବିନି।

ଫେରିବା ସମୟରେ ମୁଁ ମୋ’ ସ୍ତ୍ରୀଙ୍କ କଥା ଭାବୁଥାଏ। ମୋତେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ପଡ଼ିପାରେ। ତାଙ୍କ ଅବସ୍ଥା ବିଷୟରେ ଭାବୁଭାବୁ ମୁଁ ଘର ଭିତରକୁ ପ୍ରବେଶ କଲି। ଘର ଭିତରେ ଆଉ ଏକ ଦୁଃଖଦ ଆଶ୍ଚର୍ଯ୍ୟ ମୋ’ ପାଇଁ ଅପେକ୍ଷା କରିରହିଥିଲା। ଭିତରକୁ ଆସି ମୁଁ ଦେଖିଲି ଯେ ମୋ’ ସ୍ତ୍ରୀ ହଲର ଯେଉଁ ଜାଗାରେ ପଡ଼ିରହିଥିଲେ, ସେଇ ଜାଗାରେ ଗୋଟିଏ ବଡ଼ ମାଈ ମାଙ୍କଡ଼ ବସିରହିଛି। ତା’ ଆଖିକୁ ଚାହିଁରହି ମୁଁ ବୁଝିପାରିଲି ଯେ ସେ ହିଁ ମୋ’ ସ୍ତ୍ରୀ। ଏବେ ସେ ମଧ୍ୟ ଏକ ମାଙ୍କଡ଼ରେ ରୂପାନ୍ତରିତ ହୋଇଯାଇଛନ୍ତି।
ମୋତେ ଘରକୁ ଏକା ଫେରିବା ଦେଖି, ମୋ ମାଙ୍କଡ଼-ସ୍ତ୍ରୀ ଦୁଃଖିତ ଚାହାଣୀରେ ମୋ’ ଆଡ଼କୁ ଚାହିଁରହିଲେ। ଧାର ଧାର ଲୁହ ତାଙ୍କ ଗାଲଦେଇ ବୋହିଯାଉଥିଲା। ତାଙ୍କର ଏପରି ଅବସ୍ଥା ଦେଖି ତାଙ୍କୁ ସାନ୍ତ୍ୱନା ଦେବା ଲକ୍ଷ୍ୟ ନେଇ ମୁଁ ଧୀର ଏବଂ ଶାନ୍ତ ସ୍ୱରରେ କହିଲି- “ଶୁଣ, ମୁଁ ତାକୁ ଯେମିତି ହେଲେ ଖୋଜି ଆଣିବି। ଯାହାବି ହେଉନା କାହିଁକି, ମୁଁ ତାକୁ ଫେରାଇ ଆଣିବି। ଦୁଃଖ କରନି, ମୁଁ ସବୁକିଛି ଠିକ୍ କରିଦେବି। ମୋ’ ଉପରେ ବିଶ୍ୱାସ ରଖ। ମୁଁ ତୁମମାନଙ୍କ ପାଇଁ ସବୁ କିଛି କରିପାରିବି।”
ଏକଥା ଶୁଣି ମୋ’ ବାନର ସ୍ତ୍ରୀ କେମିତି ଗୋଟେ ଗୁଁ ଗୁଁ ଶବ୍ଦକରି ମୋ’ ଉପରେ ଚିତ୍କାର କରିଉଠିଲେ। ତା’ପରେ ସେ କେମିତି ଏକ ପ୍ରକାର ଘୃଣା ଦୃଷ୍ଟିରେ ମୋ’ ଆଡ଼କୁ ଚାହିଁ ରହିଲେ। ଏହି ସମୟରେ ତାଙ୍କ ଗାଲଦେଇ ଲୁହ ବହିଯାଉଥିଲା। ତା’ପରେ ସେ ହଠାତ ସେ ତାଙ୍କର ପଛ ଦୁଇଗୋଡ଼ରେ ଠିଆ ହେଲେ। ଆମ ପୁଅ ଘରୁ ବାହାରି ଯାଉଥିବା ସମୟରେ ଯେପରି ପୂର୍ବରୁ କରିଥିଲା, ଠିକ୍ ସେଇମିତି ମୋ’ ସ୍ତ୍ରୀ ମଧ୍ୟ ସମାନ ଭାବରେ ବ୍ୟବହାର କରିବାକୁ ଲାଗିଲେ। ତାଙ୍କ ଡାହାଣ ହାତକୁ ଏପରି ଭାବରେ ହଲାଇଲେ ଯେପରି ମନେ ହେଉଥିଲା ଯେ ସେ ମୋତେ ବିଦାୟ କହୁଛନ୍ତି। ଏହା ପରେ ସେ ମୁଖ୍ୟ କବାଟ ଦେଇ ବାହାରକୁ ଦୌଡ଼ି ପଳାଇଗଲେ।
ତାକୁ ଦୌଡ଼ି ଯାଉଥିବାର ଦେଖି, ମୁଁ ତୁରନ୍ତ ତାଙ୍କ ପଛରେ ଦୌଡ଼ିବାକୁ ଲାଗିଲି। ସେ ମୁଖ୍ୟ ରାସ୍ତାରେ ପହଞ୍ଚି ନିରନ୍ତର ଭାବରେ ଦୌଡ଼ି ଚାଲିଥିଲେ। ମୁଁ ତାଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଲି। କିନ୍ତୁ ସେ ଏତେ ଦ୍ରୁତ ଗତିରେ ଦୌଡୁଥିଲେ ଯେ ମୁଁ ତାଙ୍କୁ ଧରିପାରିବା ସମ୍ଭବ ନଥିଲା। ଧୀରେ ଧୀରେ ସେ ମୋ ଦୃଷ୍ଟିରୁ ଅଦୃଶ୍ୟ ହୋଇଗଲେ।
ଯଦିଓ ମୁଁ ତାଙ୍କୁ ମୋ’ ସାମ୍ନାରେ ଦେଖିପାରୁନଥାଏ, ତଥାପି ମୁଁ ଆଶା ନଛାଡ଼ି ଦୌଡ଼ିବାରେ ଲାଗିଥାଏ। ହୁଏତ ମୁଁ ତାଙ୍କୁ ଆଖପାଖରେ କୌଣସି ସ୍ଥାନରେ ପାଇଯିବି। ମୁଁ ସହରର ମୁଖ୍ୟ ରାସ୍ତାରେ ପୂର୍ଣ୍ଣ ଗତିରେ ଦୌଡୁଥାଏ। ମୋ’ ପାଖଦେଇ ଗୋଟିଏ ପରେ ଗୋଟିଏ ଅନେକ ଗାଡ଼ି ଚାଲିଯାଉଥିଲା – କାର୍, ବାଇକ୍, ବସ୍, ଅଟୋରିକ୍ସା, ଏବଂ ଆହୁରି ଅନେକ। ସେ ଆଡ଼କୁ ଧ୍ୟାନ ଦେବାକୁ ମୋ’ ପାଖରେ ସମୟ ନଥିଲା। ମୁଁ କେବଳ ଦୌଡ଼ି ଚାଲିଥାଏ। ଆଉ ଏଇ ସମୟରେ ମୋ’ର ପୁଅ କଥା ମନେପଡ଼ିଗଲା। ଥରେ ସେ ମୋତେ ପଚାରିଥିଲା ଆମେ କ’ଣ ପ୍ରଥମେ ମାଙ୍କଡ ଥିଲୁ? ଆଉ ଦିନେ ପଚାରି ଥିଲା ଇତିହାସର ଯଦି ପୁନରାବୃତ୍ତି ହେଉଛି ତାହେଲେ ଆମେ କ’ଣ ଦିନେ ସତରେ ମାଙ୍କଡ ହେଇଯିବାନା କ’ଣ? ମୁଁ ଆଗରୁ କହିଛି ଯେ ମୋ’ ପୁଅ ଜଣେ ଚାଇଲ୍ଡ ପ୍ରୋଡିଜି। ଏବେ ମୁଁ ବୁଝିପାରୁଥିଲି ଯେ ମୁଁ ମୋ’ ସାଙ୍ଗ ସହିତ କଥାହେଲା ବେଳେ ସେ କାହିଁକି ରହସ୍ୟମୟ ଭାବରେ ମୋତେ ଦୁଇଥର ଚାହିଁଥିଲା।
ଏହି ସମୟରେ ଏକ ମର୍ସିଡିଜ୍ କାର ମୋ’ ପାଖ ଦେଇ ଚାଲିଗଲା। ହଠାତ୍ ମୋ’ ନଜର କାରର ବାମ ପାର୍ଶ୍ୱ ଦର୍ପଣ ଉପରେ ପଡ଼ିଲା। ମୁଁ ମୋ’ ମେରୁଦଣ୍ଡରେ ଏକ ଶୀତଳ ପ୍ରବାହ ଅନୁଭବ କଲି। ମୁଁ ଦର୍ପଣକୁ ଚାହିଁଲି ଆଉ ସେଥିରେ ଏକ ମାଙ୍କଡର ମୁହଁ ଦେଖିଲି। ମୁଁ ଭାବିଲି ଏହା ଏକ ଭ୍ରମ ହୋଇପାରେ। ଏବେ ବି ମୁଁ ଦୌଡ଼ିବା ଜାରି ରଖିଥାଏ। ମୁଁ ପୁଣିଥରେ ଆଇନାକୁ ଚାହିଁଲି। ରାସ୍ତାରେ ଗୋଟିଏ ମାଙ୍କଡ଼ ଦୌଡ଼ୁଥିବାର ମୁଁ ଦେଖିଲି। ତଥାପି ମନରେ ସନ୍ଦେହ ଥାଏ। ତେଣୁ ନିଶ୍ଚିତ କରିବା ପାଇଁ ମୁଁ ମୋର ହାତ ଉଠାଇଲି। ଏଥର ଦର୍ପଣରେ ଥିବା ମାଙ୍କଡ଼ଟି ମଧ୍ୟ ତା’ର ହାତ ଉଠାଇଲା। ଏବେ ମୁଁ ନିଶ୍ଚିତ ହୋଇଗଲି ଯେ ଯେମିତି ମୋ’ ପୁଅ ଏବଂ ମୋ’ ସ୍ତ୍ରୀ ମାଙ୍କଡରେ ରୂପାନ୍ତରିତ ହୋଇଗଲେ, ମୁଁ ମଧ୍ୟ ଠିକ ସେମିତି ୟା’ଭିତରେ ଏକ ବୟସ୍କ ବାନରରେ ପରିଣତ ହୋଇସାରିଛି।
ଏବେବି ମୁଁ ରାସ୍ତାରେ ଦୌଡ଼ି ଚାଲିଥିଲି, ଯଦିଓ ମୁଁ ଭିତରୁ ଗୁରୁତର ଭାବରେ ଆଘାତ ପାଇଥିଲି। ବହୁତ ଦୂରରେ ରାସ୍ତା କଡ଼ରେ ଗୋଟେ ଗଛ ଥିବାର ମୋତେ ଦେଖାଗଲା। ଗଛର ଡାଳରେ ବସିଥିବା ଏକ ଛୁଆ ମାଙ୍କଡ଼ ଉପରେ ପ୍ରଥମେ ମୋର ଦୃଷ୍ଟି ପଡ଼ିଲା। କିଛି ସମୟ ପରେ, ମୁଁ ଦେଖିଲି ଯେ ଶିଶୁ ମାଙ୍କଡ଼ ପାଖରେ ଗୋଟିଏ ବୟସ୍କ ମା’ ମାଙ୍କଡ଼ ମଧ୍ୟ ବସିଛି। ଏବେ ମୁଁ ନିଶ୍ଚିତ ହୋଇଗଲି ଯେ ସେଇମାନେ ହିଁ ମୋ’ ପରିବାର।
ଏଥର ଖୁସିର ସହିତ ମୁଁ ମୋର ଗତି ବଢ଼ାଇଦେଲି। ଯଥାଶୀଘ୍ର ସେମାନଙ୍କ ସହିତ ମିଶିବାକୁ ମୁଁ ଆଗ୍ରହୀ ହୋଇଉଠୁଥିଲି। ସେହି ମୁହୂର୍ତ୍ତରେ ମୁଁ ମୋ’ ମୁଣ୍ଡକୁ ୧୮୦ ଡିଗ୍ରୀ ବୁଲାଇଲି। ଆଶ୍ଚର୍ଯ୍ୟର କଥା ହେଲା, ମୁଁ ଦେଖିଲି ଯେ ଏବେ ସମସ୍ତେ ମାଙ୍କଡରେ ପରିଣତ ହୋଇସାରିଛନ୍ତି। ମାଙ୍କଡ଼ମାନେ କାର୍, ବସ୍, ଅଟୋ ଚଲାଉଛନ୍ତି। ଏପରିକି ପାଦଚଲା ଯାତ୍ରୀମାନେ ମଧ୍ୟ ମାଙ୍କଡ଼ରେ ରୂପାନ୍ତରିତ ହୋଇସାରିଛନ୍ତି। ଏତେବେଳକୁ ମୁଁ ବୁଝିସାରିଥିଲି ଯେ ଏବେ ଏହା ଏକ ମାଙ୍କଡ଼ର ଦୁନିଆରେ ପରିବର୍ତ୍ତିତ ହୋଇସାରିଛି। ଏହା ଭାବି ମୁଁ ଜୋରରେ ହସିଉଠିଲି- ହା ହା ହା ହା…।
(ଗଳ୍ପଟି ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୫ ସଂଖ୍ୟାରେ ପ୍ରକାଶିତ।)
ବିଶିଷ୍ଟ ଅନୁବାଦକ ସୁକୋମଳ ଦାଶଙ୍କ ଦ୍ବାରା ଉପରୋକ୍ତ ଗଳ୍ପର ଏକ ଇଂରାଜୀ ଅନୁବାଦ ମଧ୍ୟ ଆପଣ ତଳେ ଦିଆଯାଇଥିବା ଲିଂକ୍ରେ ପଢ଼ିପାରନ୍ତି।
ଗଳ୍ପରେ ଜାକିର୍ ବାବୁଙ୍କ ନିଜ ସ୍ୱତନ୍ତ୍ର ସ୍ୱାକ୍ଷର ସ୍ପଷ୍ଟ। ଆଉ କେହି ଏପରି ଲେଖି ପାରନ୍ତେ ନାହିଁ।
ଗଳ୍ପଟିକୁ ଗୋଟିଏ ଫ୍ଲୋରେ ପୁରା ପଢ଼ିନେଲି .କିନ୍ତୁ ପାଠକ/ପାଠିକାଙ୍କୁ କି ପ୍ରକାର ସନ୍ଦେଶ ଦେବାକୁ ଚାହିଁଛନ୍ତି ବୁଝିହେଲା ନାହିଁ . ଟିକିଏ ଉଦ୍ଭଟ ଲାଗିଲା .ଆଜିର ସମାଜ ଓ ମଣିଷ ମାନଙ୍କ ଅଜବ ସ୍ୱଭାବକୁ ଦେଖାଇବା ନିମନ୍ତେ ସରଳ ଭାବରେ ବି ଲେଖା ଯାଇପାରେ ଓ ସରଳତା ହିଁ ସୁନ୍ଦର .
ଅବଶ୍ୟ ମୁଁ ନିଜକୁ ଜଣେ ଆସାହିତ୍ୟିକ ମନେକରି ଥାଏ !