ଓଡ଼ିଆ ଭାଷାରେ ତେଫ

ଓଡ଼ିଆରେ ‘ତ୍‌’ ନିମନ୍ତେ ବ୍ୟବହୃତ ତେଫ ଚିହ୍ନଟି ଏକ ବହୁ ପ୍ରଚଳିତ, ପ୍ରାଚୀନ ଓ ସାର୍ଥକ ପ୍ରୟୋଗ।

ସଦାନଂଦ ନାୟକ

ଓଡ଼ିଆ ଲିପିମାଳା ଖୁବ୍ ବିଜ୍ଞାନସମ୍ମତ, ଅଳ୍ପ କେତୋଟି ଦିଗକୁ ବାଦ୍‌ଦେଲେ ଏହା ପ୍ରାୟତଃ ବୈଜ୍ଞାନିକ ରୀତିକୁ ଅନୁସରଣ କରିଥାଏ। ଅନ୍ୟ ପ୍ରକାରେ କହିଲେ, ଓଡ଼ିଆରେ ଯେମିତି କୁହାଯାଏ, ପ୍ରାୟତଃ ସେମିତି ଲେଖାଯାଏ। ଏହା କହିବା ଆଦୌ ଅତ୍ୟୁକ୍ତି ହେବନାହିଁ ଯେ, ଏହି ଲିପିରେ ପୃଥବୀର ଯେକୌଣସି ଭାଷାକୁ ଅବିକଳ ନ ହେଲେ ବି ପାଖାପାଖି ରୂପ ଦିଆଯାଇ ପାରିବ; ଏଥିନିମନ୍ତେ ଓଡ଼ିଆ ଲିପିରେ ବ୍ୟାପକ ବ୍ୟବସ୍ଥା ରହିଛି ଓ ଏହା ସେମିତି ସାମର୍ଥ୍ୟ ବହନକରେ। ଓଡ଼ିଆ ଲିପି ଉଭୟ ବର୍ଣ୍ଣମାଳାତ୍ମକ ଓ ଅକ୍ଷରାତ୍ମକ। ଏକାଧିକ ସ୍ୱର ଓ ବ୍ୟଂଜନ ବେଳେବେଳେ ଗୋଟିଏ ଧ୍ୱନି ଭାବରେ ଉଚ୍ଚାରିତ ହୋଇ ଗୋଟିକିଆ ଅକ୍ଷର ହୋଇଥାଏ, ଅଥବା ବିକଳ୍ପ ଲିଖନର ବ୍ୟାପକ ବ୍ୟବସ୍ଥା ମାଧ୍ୟମରେ ରୂପ ପାଇଥାଏ ଏଥିରେ। ଓଡ଼ିଆ ଲିପିରେ କେତେକ ଦୁର୍ବଳତା ରହିଥିବା ସତ୍ତ୍ୱେ ଏହା ଏକ ପ୍ରଗତିଶୀଳ ଲିପି, କାରଣ ଭବିଷ୍ୟତର ଅନେକ ଆହ୍ୱାନକୁ ସାମନା କରି ପ୍ରଗତି ପଥରେ ଆଗେଇ ଚାଲିବାର ଓ ତିଷ୍ଠି ରହିବାର ଶକ୍ତି, ସାମର୍ଥ୍ୟ ଏ ଲିପିମାଳା ବହନକରେ। ଦୁଇ ବା ତତୋଧିକ ଅକ୍ଷରର ସଂଯୋଗରେ ସଂଯୁକ୍ତ ଅକ୍ଷର ବା ଯୁକ୍ତାକ୍ଷରଟିଏ ଗଠିତ ହେବା ଏହି ଲିପିମାଳାର ବୈଶିଷ୍ଟ୍ୟ, ଏହି ସଂଯୋଗ ବିଧି ଚତୁର୍ବିଧ ଯଥା- ଉର୍ଧ୍ବଯୋଗ, ଅଧଃଯୋଗ, ପୂର୍ବଯୋଗ ଓ ପରଯୋଗ। ପୂର୍ବଯୋଗର ‘ତ-ଫଳା’ (ଉତ୍ସାହ, ଉତ୍କଳ, ଉତ୍ପାଦ ଇତ୍ୟାଦିର ‘ତ୍‌’) ଓଡ଼ିଆ ଲିପିମାଳାର ଏକ ବିଶେଷତ୍ୱ ହୋଇଥିଲେ ମଧ୍ୟ, ଏ ସଂପର୍କରେ ଆଲୋଚନା ପ୍ରାୟତଃ ନାହିଁ କହିଲେ କିଛି ଅଧିକ କଥା ହେବନାହିଁ। ଏ ସଂପର୍କରେ ଆଲୋଚନା କରି, ଏହାର ବୈଶିଷ୍ଟ୍ୟ ନିରୂପଣ ସହ ଏହାର ନାମକରଣ କରିବା ଏ ପ୍ରବଂଧର ଲକ୍ଷ୍ୟ।
ଓଡ଼ିଆ ଲିପିରେ ଫଳା
ଫଳା ହେଇଛି- “ବେଳେବେଳେ ଦୁଇ ବା ତଦୁର୍ଦ୍ଧ୍ୱ ବ୍ୟଂଜନ ମିଶି ଗୋଟିଏ ସଂୟୁକ୍ତବର୍ଣ୍ଣରେ ପରିଣତ ହୋଇ ଏକ ସିଲେବଲ୍ ଭାବରେ ଉଚ୍ଚାରିତ ହୋଇଥାନ୍ତି। ଏ କ୍ଷେତ୍ରରେ ଗୋଟିଏ ମୂଳ ବ୍ୟଂଜନ ସହିତ ଏକ ବା ଏକାଧିକ ବ୍ୟଂଜନର ସାଂକେତିକ ଚିହ୍ନର ସଂଯୋଗ ଘଟିଥାଏ। ଏହି ସାଂକେତିକ ଚିହ୍ନଗୁଡ଼ିକ ବର୍ଣ୍ଣର ଅଧା, ଫାଳେ ବା ବର୍ଣ୍ଣାଂଶ ହୋଇଥିବା ହେତୁ ଏହି ସାଂକେତିକ ଚିହ୍ନଗୁଡ଼ିକ ଫଳା ଭାବରେ ଅଭିହିତ। ଏହା ମୂଳବର୍ଣ୍ଣର ତଳେ, ଆଗରେ, ଉପରି ଭାଗର ଦକ୍ଷିଣ ପାଶ୍ୱର୍ରେ ସଂଯୁକ୍ତ ହୋଇଥାନ୍ତି।” (ନାୟକ ସଦାନଂଦ, ସ୍ୱର୍ଣ୍ଣ ଭାଷାମର୍ମ, ୨୦୨୨, ପ୍ର. ବିଦ୍ୟା ପ୍ରକାଶନ, କଟକ, ପୃଷ୍ଠା.୩୩, ଝଂକାର, ମାର୍ଚ୍ଚ, ୨୦୧୦, ପୃଷ୍ଠା. ୧୩୪୧-୧୩୪୯) ଓଡ଼ିଆ ଭାଷାରେ ବ୍ୟଂଜନ ବର୍ଣ୍ଣର ସଂଖ୍ୟା ଯେପରି ସ୍ଥିରୀକୃତ ହୋଇନାହିଁ, ସେହିପରି ଫଳାର ସଂଖ୍ୟା ମଧ୍ୟ ଅସ୍ଥିର, ପୁନଶ୍ଚ ତହିଁରେ ଏକରୂପତା ବି ପରିଲକ୍ଷିତ ହୋଇନଥାଏ। ସାଧାରଣରେ କୁହାଯାଏ, ଓଡ଼ିଆ ଭାଷାରେ ୧୩ ଗୋଟି ମାତ୍ରା ଓ ୧୮ ଗୋଟି ଫଳା (ତେଫକୁ ମିଶାଇ) ପ୍ରଚଳିତ, କିନ୍ତୁ ଓଡ଼ିଆ ଅକ୍ଷର ଶିକ୍ଷା ପୁସ୍ତକ, ବ୍ୟାକରଣଗୁଡ଼ିକରେ ଏଥିରେ ବୈବିଧ ପରିଲକ୍ଷିତ ହୋଇଥାଏ।
ଫଳାଗୁଡ଼ିକର ପ୍ରାୟୋଗିକ ଦିଗ ତଳେ ଦିଆଗଲା।

ଭାଷା ବା ଧ୍ୱନିକୁ ଅକ୍ଷର ଲିଖିତରୂପ ପ୍ରଦାନ କରେ। ଭାଷା-କୋଣାର୍କର ଗୋଟିଏ ଗୋଟିଏ ବୃହତ୍ ଶିଳା ହେଉଛି ବର୍ଣ, ଆଉ ସେହି ଶିଳା ମଧ୍ୟରେ ଅଂକିତ ମନୋରମ କାରୁକାର୍ଯ୍ୟ ହେଉଛି ମାତ୍ରା ଓ ଫଳା। ମୂଳବର୍ଣ, ମାତ୍ରା ଓ ଫଳାର ସଂଯୋଗରେ ଭାଷା ରୂପାୟିିତ ହୁଏ ରେଖା-ଭାଷାରେ। ଧ୍ୱନିର ବିବିଧ ବୈଚିତ୍ର୍ୟକୁ ଫଳାର ବିଭା କିପରି ଶବ୍ଦରୂପ ପ୍ରଦାନ କରିଥାଏ, ତାହା ଏଠାରେ ବିଚାର୍ଯ୍ୟ। ଯେପରି-କ-ଫଳା: ଚିକ୍କଣ, ଶୁଳ୍କ, ପୁରସ୍କାର; ଜ-ଫଳା: କବ୍ଚା, କଜ୍ଜଳ; ଣ-ଫଳା: କୃଷ୍ଣ, ବିଷ୍ଣୁ; ତ-ଫଳା (ପୂର୍ବଯୋଗ): ଉତ୍କଳ, ଉତ୍ପଳ, ଉଥିାନ; ତ-ଫଳା (ପରଯୋଗ): ଉକ୍ତ, ରକ୍ତ,ଦାନ୍ତ, ରପ୍ତାନି, ଶସ୍ତା; ଥ-ଫଳା: କାନ୍ଥ, ସ୍ଥାନ, ନ-ଫଳା: ଉନ୍ନତି, ଚିହ୍ନ, ନିମ୍ନ, ବିଘ୍ନ, ମଗ୍ନ , ରତ୍ନ; ମ-ଫଳା: ଆତ୍ମା, ପଦ୍ମ, ଯୁଗ୍ମ, ରଶ୍ମି, ସ୍ମରଣ; ୟ-ଫଳା: ବାକ୍ୟ, ଜ୍ୟୋତି, ପାଠ୍ୟ, ସତ୍ୟ, ବାଦ୍ୟ; ର-ଫଳା (ପୂର୍ବଯୋଗ): ଖର୍ବ, ବର୍ଗ, ମାର୍ଚ, ସ୍ୱର୍ଗ; ର-ଫଳା (ପରଯୋଗ): ଚକ୍ର, ବ୍ୟଗ୍ର, ପତ୍ର; ଋ-ଫଳା: କୃଷକ, ଗୃହ, ନୃପତି, ସ୍କୃ; ଳ-ଫଳା: ଶୁକ୍ଳ, ଗ୍ଳାନି, ମ୍ଳାନ; ଲ-ଫଳା: ଉଲ୍ଲାସ, ଗ୍ଲାସ, ପ୍ରହ୍ଲାଦ, ପ୍ଲାନ୍‌, ୱ-ଫଳା: ପକ୍ୱ, ଜ୍ୱର, ଦ୍ୱିତୀୟ; ହ-ଫଳା (ବିସର୍ଗ): ଅନ୍ତଃ, ସ୍ୱତଃ, ସାଧାରଣତଃ; ନାସିକ୍ୟ ଫଳା (ଅନୁସ୍ୱାର): ବାଂକ, ଚଂଚଳ, ମୁଂଡ, ନଂଦ, କଂପନ, ଅଂଶ, ସଂଯୋଗ, ସ୍ୱାଗତଂ; ଅନୁନାସିକ୍ୟ ଫଳା (ଚଂଦ୍ରବିଂଦୁ): କଅଁଳ, ବାଉଁଶ, ଗାଁ; ଅପୂର୍ଣ୍ଣ ଫଳା (ହଳନ୍ତ): ବାକ୍‌, ସତ୍‌, ବସ୍‌, ଉଦ୍‌ଘାଟନ ଇତ୍ୟାଦି।
‘ଅ’ ସହିତ ଯୋଗ ହୋଇ ବ୍ୟବହୃତ ହେଉଥିବା ହେତୁ ଅନୁସ୍ୱାର, ଚଂଦ୍ରବିଂଦୁ ଓ ବିସର୍ଗକୁ ଅଯୋଗବାହ ବୋଲି କୁହାଯାଏ।
ଓଡ଼ିଆ ଫଳାରେ ବୈଚିତ୍ର୍ୟ
ଓଡ଼ିଆ ଫଳା ବ୍ୟବହାର କ୍ଷେତ୍ରରେ ଅନେକ ବୈଚିତ୍ର‌୍ୟ ପରିଲକ୍ଷିତ ହୋଇଥାଏ, ସେଗୁଡ଼ିକ ହେଉଛି-
(୧) ଫଳାଗୁଡ଼଼ିକ ମୂଳବର୍ଣର ଆଗରେ, ପଛରେ, ତଳେ ଅଥବା ଉପରେ ସଂଯୁକ୍ତ ହୋଇଥାନ୍ତି। (ଏହା ମୋର ପୂର୍ବ ତଥା ଉଦ୍ଧୃତ ମତଠାରୁ ସାମାନ୍ୟ ଭିନ୍ନ)
(୨) କେବଳ ନାସିକ୍ୟଫଳା ମୂଳବର୍ଣ୍ଣର ପଛରେ ସଂଯୁକ୍ତ ହୋଇଥାଏ, ଅବସ୍ଥିତି ଅନୁସାରେ, ଅର୍ଥାତ୍ ପରବର୍ତ୍ତୀ ବ୍ୟଂଜନର ସ୍ଥିତି ଅନୁଯାୟୀ, ସେଗୁଡ଼ିକ ଙ୍‌, ଞ୍‌, ଣ୍‌, ନ୍‌. ଅଥବା ମ୍ ଧ୍ୱନିମୂଲ୍ୟ ବହନ କରିଥାନ୍ତି; ଯଥା- ବାଂକ (ଙ୍‌), ବାଂଛା (ଞ୍‌), ବେଂଟ (ଣ୍‌), ବଂଧ (ନ୍‌), ବାଂଫ (ମ୍‌), ବଂଶ (ନ୍‌) ଇତ୍ୟାଦି।
(୩) ମୂଳବର୍ଣର ଆଗରେ ବ୍ୟବହୃତ ଫଳାଗୁଡ଼ିକ, ‘ମୂଳବର୍ଣ+ଫଳାଧ୍ୱନିମୂଲ୍ୟ’ ହୋଇ ଉଚ୍ଚାରିତ ହୋଇଥାନ୍ତି; ଯେପରି- ବାକ୍ୟ (କ୍‌+ୟ), ଅନ୍ତତଃ (ତ୍‌+ଅହ୍‌), ସ୍ୱାଗତଂ (ତ୍‌+ଅମ୍‌)।
(୪) ମୂଳବର୍ଣର ତଳେ ବ୍ୟବହୃତ କେତେକ ଫଳା, ‘ମୂଳବର୍ଣ୍ଣ+ଫଳାଧ୍ୱନିମୂଲ୍ୟ’ ହୋଇ ଉଚ୍ଚାରିତ ହୋଇଥାନ୍ତି; ଯେପରି- ପରିଷ୍କାର (ଷ୍‌+କ), କୁବ୍ଚା (ବ୍‌+ଜ), ବୈଷ୍ଣବ (ଷ୍‌+ଣ), ସପ୍ତ (ପ୍‌+ତ), ସୁସ୍ଥ (ସ୍‌+ଥ), ଜହ୍ନ (ହ୍‌+ନ), ବିସ୍ମୟ (ସ୍‌+ମ), ବିପ୍ର (ପ୍‌+ର), ଶୃଗାଳ (ଶ୍‌+ଋ), ବିପ୍ଳବ (ପ୍‌+ଳ), କ୍ଲାସ୍ (କ୍‌+ଲ), ସ୍ୱର (ସ୍‌+ୱ) ଇତ୍ୟାଦି।
(୫) ମୂଳବର୍ଣର ଉପରେ ବ୍ୟବହୃତ ଅନୁନାସିକ୍ୟ ଫଳା ବା ଚଂଦ୍ରବିଂଦୁ, ‘ମୂଳବର୍ଣ+ ଫଳାଧ୍ୱନିମୂଲ୍ୟ’ ହୋଇ ଉଚ୍ଚାରିତ ହୋଇଥାଏ; ଯେପରି- ନାଁ (ନ୍‌+ଆ+ଅନୁନାସିକତା), ମୁଁ (ମ୍‌+ଉ+ଅନୁନାସିକତା)।
(୬) ମୂଳବର୍ଣର ଉପରେ ବ୍ୟବହୃତ ପୂର୍ବଯୋଗ ର-ଫଳା ବା ‘ରେଫ’, ‘ଫଳାଧ୍ୱନିମୂଲ୍ୟ+ମୂଳବର୍ଣ’ ହୋଇ ଉଚ୍ଚାରିତ ହୋଇଥାଏ; ଯେପରି- ପୂର୍ବ (ର୍‌+ବ)।
(୭) ମୂଳବର୍ଣର ତଳେ ବ୍ୟବହୃତ ପୂର୍ବଯୋଗ ତ-ଫଳା ‘ଫଳାଧ୍ୱନିମୂଲ୍ୟ+ମୂଳବର୍ଣ’ ହୋଇ ଉଚ୍ଚାରିତ ହୋଇଥାଏ; ଯେପରି- ବତ୍ସଳ (ତ୍‌+ସ)।
ଆଲୋଚନାରୁ ସ୍ପଷ୍ଟ ହୋଇଥାଏ ଯେ, ‘ପୂର୍ବଯୋଗ ର-ଫଳା’ ବା ‘ରେଫ’ ଏବଂ ‘ପୂର୍ବଯୋଗ ତ-ଫଳା’ ଏକ ବର୍ଗୀୟ ଅଟନ୍ତି; ଅର୍ଥାତ୍ ଅନ୍ୟ ଫଳାଗୁଡ଼ିକ ପ୍ରାୟତଃ ‘ମୂଳବର୍ଣ+ଫଳାଧ୍ୱନିମୂଲ୍ୟ’ ହୋଇ ଉଚ୍ଚାରିତ ହେଉଥିବାବେଳେ ଏହି ଫଳାଦ୍ୱୟ ‘ଫଳାଧ୍ୱନିମୂଲ୍ୟ+ମୂଳବର୍ଣ’ ହୋଇ ଉଚ୍ଚାରିତ ହୋଇଥାନ୍ତି। କେବଳ ସେତିକି ନୁହେଁ ଆକୃତି ଦୃଷ୍ଟିରୁ ଦୁଇଫଳା ମଧ୍ୟରେ ଅନେକ ସାଦୃଶ୍ୟ ରହିଛି ; (ରେଫ) ଗୋଟିଏ ବର୍ଣର ଉପରେ ଯୋଗ ହେଉଥିବା ସ୍ଥଳେ, ଅନ୍ୟଟି ବର୍ଣ୍ଣର ତଳେ ଯୋଗ ହୋଇଥାଏ। ପୂର୍ବଯୋଗ ର-ଫଳା ‘ରେଫ’ ଭାବରେ ନାମିତ କିନ୍ତୁ ଓଡ଼ିଆ ଲିଖନର ଏହି ବହୁ ପ୍ରଚଳିତ ବିଶିଷ୍ଟ ଦିଗଟିର ଆଜି ପର୍ଯ୍ୟନ୍ତ କୌଣସି ନାମକରଣ କରାଯାଇନାହିଁ। ଏହାକୁ ‘ରେଫ’ ଶବ୍ଦର ସାଦୃଶ୍ୟ ଅନୁସାରେ ‘ତେଫ’ ଭାବରେ ନାମିତ କରାଯାଉ।

ତେଫ ଯୋଗ ଓ ଶବ୍ଦ ଗଠନ
‘ତେଫ’ ଓଡ଼ିଆ ଲିଖନ ପ୍ରକ୍ରିୟାର ଏକ ଅନନ୍ୟ ବିଭବ। ଏହାର ଅନେକ ବୌଶିଷ୍ଟ୍ୟ ରହିଛି। ଏହି ବୈଶିଷ୍ଟ୍ୟଗୁଡ଼ିକୁ ଏହିପରି ବିଚାର କରାଯାଇପାରେ।
(୧) ଓଡ଼ିଆ ଶବ୍ଦ ଗଠନ ତଥା ଲିଖନରେ ତେଫ ଗୁରୁ୍‌ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ବିଶେଷତଃ ‘ତ୍‌’ ବର୍ଣ୍ଣ ପରେ ‘କ’, ‘କ୍ଷ’, ‘ଥ’, ‘ନ’, ‘ପ’, ‘ମ’, ଏବଂ ‘ସ’ ବର୍ଣ ରହିଥିଲେ, ସେଠାରେ ‘ତ୍‌’ ତେଫ ହୋଇ ପରବର୍ଣ ସହ ଯୋଗ ହୋଇଥାଏ। ଯେପରି-
‘କ’ ସହ ଯୋଗ- ଅନୁତ୍କର୍ଷ, ଉତ୍କଟ, ଉତ୍କଟତା, ଉତ୍କଣ୍ଠ, ଉତ୍କଣ୍ଠିତ, ଉତ୍କଣ୍ଠା, ଉତ୍କର୍ଣ୍ଣ, ଉତ୍କର୍ଷ, ଉତ୍କଳ, ଉତ୍କଳିକା, ଉତ୍କଳୀ, ଉତ୍କଳୀୟ, ଉତ୍କୀରଣ, ଉତ୍କୀର୍ଣ୍ଣ, ଉତ୍କୁର୍ଣ୍ଣ, ଉତ୍କୋଚ, ଚମତ୍କରଣ, ଚମତ୍କାର, ଚମତ୍କାରୀ, ଚମତ୍କୃତ, ତତ୍କାଳ, ତତ୍କାଳିକ, ତତ୍କାଳୀନ, ତାତ୍କାଳିକ, ଫୁତ୍କାର, ଫୁତ୍କୃତି, ବଳାତ୍କାର, ବଳାତ୍କୃତ, ସତ୍କାର, ସତ୍କୃତି, ସତ୍କ୍ରିୟା, ସତ୍କୁଳ, ସତ୍କୃତ, ସାକ୍ଷାତ୍କାର, ସୀତ୍କାର, ସୀତ୍କୃତ, ସୀତ୍କୃତି ଇତ୍ୟାଦି।
‘କ୍ଷ’ ସହ ଯୋଗ- ତତ୍କ୍ଷଣ, ତତ୍କ୍ଷଣାତ୍ ଇତ୍ୟାଦି। (ୟୁନିକୋଡ୍‌ ଟାଇପିଙ୍ଗ୍‌ରେ ଅସୁବିଧା ଥିବାରୁ, ପାଠକେ ଏହି ଶବ୍ଦ ଦୁଇଟିକୁ ‘କ୍ଷ’ ତଳେ ‘ତେଫ’ ଫଳା ଥିବାର କଳ୍ପନାକରି ପଢ଼ନ୍ତୁ। – ସମ୍ପାଦକ )
‘ଥ’ ସହ ଯୋଗ- ଉଥିାନ, ଉଥିାପନ, ଉଥିିତ ଇତ୍ୟାଦି।
‘ନ’ ସହ ଯୋଗ- ରତ୍ନ, ରତ୍ନାବଳି, ରତ୍ନି ଇତ୍ୟାଦି।
‘ପ’ ସହ ଯୋଗ-ଅଗ୍ନ୍ୟୁତ୍ପାତ, ଉତ୍ପକ୍ଷ୍ମ, ଉତ୍ପତନ, ଉତ୍ପତ୍ତି, ଉତ୍ପଥ, ଉତ୍ପନ୍ନ, ଉତ୍ପନ୍ନି, ଉତ୍ପଳ, ଉତ୍ପାଟକ, ଉତ୍ପାଟନ, ଉତ୍ପାତ, ଉତ୍ପାଦକ, ଉତ୍ପାଦନ, ଉତ୍ପାଦ୍ୟ, ଉତ୍ପାଦୟିତା, ଉତ୍ପାଦିତ, ଉତ୍ପିଚ୍ଛ, ଉତ୍ପୁଚ୍ଛ, ଉତ୍ପିଂଜର, ଉତ୍ପିପାସୁ, ଉତ୍ପୀଡ଼କ, ଉତ୍ପୀଡ଼ନ, ଉତ୍ପୀଡ଼ିତ, ବିପତ୍ପାତ, ବ୍ୟୁତ୍ପତ୍ତି, ବ୍ୟୁତ୍ପନ୍ନ, ବ୍ୟୁତ୍ପାଦକ, ବ୍ୟୁତ୍ପାଦନ, ଭଟୋତ୍ପଳ, ସମୁତ୍ପନ୍ନ, ସମୁତ୍ପାଟ, ସମୁତ୍ପାଟନ, ସମୁତ୍ପାତ, ସମୁତ୍ପାଦନ ଇତ୍ୟାଦି।
‘ମ’ ସହ ଯୋଗ-ଅନ୍ତରାତ୍ମା, ଆତ୍ମଜ, ଆତ୍ମକୃତ, ଆତ୍ମଗତ, ଆତ୍ମଗୋପନ, ଆତ୍ମଗ୍ଳାନି, ଆତ୍ମଘାତୀ, ଆତ୍ମଜ, ଆତ୍ମଜା, ଆତ୍ମା, ଗରୁତ୍ମତୀ, ଗରୁତ୍ମାନ, ମହାତ୍ମା, ମାହାତ୍ମ୍ୟ, ରାଜବର୍ତ୍ମ, ସଂଶୟାତ୍ମକ, ସଂଶୟାତ୍ମା ଇତ୍ୟାଦି।
‘ସ’ ସହ ଯୋଗ-ଅଗ୍ନ୍ୟୁତ୍ସବ, ଅନୁତ୍ସାହ, ଅନୁସଂଧିତ୍ସା, ଉତ୍ସ, ଉତ୍ସଂଗ, ଉତ୍ସନ୍ନ, ଉତ୍ସବ, ଉତ୍ସର୍ଗ, ଉତ୍ସାହ, ଉତ୍ସାହକ, ଉତ୍ସାହନ, ଉତ୍ସାହନୀୟ, ଉତ୍ସାହିତ, ଉତ୍ସାହୀ, ଉତ୍ସୁକ, ଉତ୍ସୁକତା, ଉତ୍ସୃଷ୍ଟ, କୁତ୍ସନ, କୁତ୍ସା, କୁତ୍ସିତ, ତତ୍ସମ, ବତ୍ସ, ବତ୍ସତର, ବତ୍ସନାଭ, ବତ୍ସର, ବତ୍ସଳ, ବତ୍ସଳତା, ବତ୍ସଳା, ଭର୍ତ୍ସିକ, ଭର୍ତ୍ସନ, ଭର୍ତ୍ସନା, ମଳୋତ୍ସର୍ଗ, ମାତ୍ସର, ମାତ୍ସରିକ, ମାତ୍ସର୍ଯ୍ୟ, ମାତ୍ସିକ, ମାତ୍ସ୍ୟିକ, ମାତ୍ସ୍ୟ, ସଂଧିତ୍ସା, ସଂଧିତ୍ସୁ, ସଂବତ୍ସର, ସମୁତ୍ସାଦନ, ସମୁତ୍ସାହ, ସମୁତ୍ସାହନ, ସମୁତ୍ସୁକ, ସାଂବତ୍ସର, ସାଂବତ୍ସରିକ, ହତୋତ୍ସାହ ଇତ୍ୟାଦି।
କିନ୍ତୁ ‘କ’, ‘କ୍ଷ’, ‘ଥ’, ‘ନ’, ‘ପ’, ‘ମ’, ‘ସ’ ବର୍ଣ ଭିନ୍ନ ଅନ୍ୟ ବର୍ଣ୍ଣ ପୂର୍ବରୁ ‘ତ୍‌’ ଥିଲେ ତେଫ ଯୋଗ ହୁଏ ନାହିଁ। ଯେପରି- ଉତ୍‌ଖାତ, ଉତ୍‌ଫୁଲ୍ଲ, ଉତ୍‌ଫୁଲ୍ଲତା, ମୂଳୋତ୍‌ଖାତ, ସମୁତ୍‌ଫୁଲ୍ଲ, ହର୍ଷୋତ୍‌ଫୁଲ୍ଲ ଇତ୍ୟାଦି।
(୨) ତେଫ ଏକ ପ୍ରାଚୀନ ପ୍ରଚଳନ ହୋଇଥିଲେ ମଧ୍ୟ, ଏହାକୁ ବିକଳ୍ପ ଭାବରେ ଲେଖାଯାଇ ପାରିବ। ଯେପରି-
ଅନ୍ତରାତ୍ମା, ଉତ୍‌କ୍ଷିପ୍ତ, ଉତ୍‌କ୍ଷେପ, ଉତ୍‌କ୍ଷେପକ ଉତ୍‌କ୍ଷେପଣ, ଉତ୍‌ଥାନ, ଉତ୍‌ଥାପନ, ଉତ୍‌ଥାପିତ, ଉତ୍‌ଥିତ, ଉତ୍‌ପଥ, ଗରୁତ୍ମତୀ, ଗରୁତ୍ମାନ, ତତ୍‌କ୍ଷଣ, ତତ୍‌କ୍ଷଣାତ୍‌, ମହାତ୍ମା, ମାହାତ୍ମ୍ୟ, ରତ୍ନ, ରତ୍ନି, ରାଜବର୍ତ୍ମ ଇତ୍ୟାଦି।
(୩) ‘ନ-ଫଳା, ମ-ଫଳା’ ସହିତ ତେଫ ସଂପର୍କାନ୍ୱିତ, କେତେକ ଶବ୍ଦକୁ ଉଭୟ ‘ନ-ଫଳା, ମ-ଫଳା’ ଏବଂ ତେଫ ମାଧ୍ୟମରେ ଲେଖାଯାଇଥାଏ। ଯଥା- ମହାତ୍ମା (ମହାତ୍ମା), ମାହାତ୍ମ୍ୟ (ମାହାତ୍ମ୍ୟ), ରତ୍ନ (ରତ୍ନ), ରତ୍ନି (ରତ୍ନି) ଇତ୍ୟାଦି।
(୪) ଓଡ଼ିଆରେ ବ୍ୟବହୃତ ‘ଅଧଃଯୋଗ ବା ନିମ୍ନଯୋଗ ଇ-କାର’ (ଆଖି, ଓଧି, ଓଷଧି, ରୁଧିର, କଥିତ, କୁଞ୍ôଚ, ବିଧି, ମଥିତ, ମେଥି, ମେଥିକା, ମୈଥିଳୀ) ଏବଂ ‘ତେଫର ଚିହ୍ନ’ ବେଳେବେଳେ ଦ୍ୱଂଦ୍ୱରେ ପକାଇଥାଏ। ବିଶେଷତଃ ‘ଥ’ କ୍ଷେତ୍ରରେ ଏହି ଦ୍ୱଂଦ୍ୱ ଉତ୍କଟ, ଯେପରି ‘ଏଥିରେ’ ଏବଂ ‘ଉଥିାନ’ରେ ବ୍ୟବହୃତ ‘ଥି’; କେତେବେଳେ ଏହା ‘ଥି’ ତ କେତେବେଳେ ‘ତ୍‌ଥା’; ତେବେ ଓଡ଼ିଆ ଲିଖନକୁ ବିଜ୍ଞାନସମ୍ମତ ତଥା ଦ୍ୱଂଦ୍ୱ ରହିତ କରିବାକୁ ହେଲେ ଏହି ‘ଅଧଃଯୋଗ ବା ନିମ୍ନଯୋଗ ଇ-କାର’କୁ ପରିହାର କରିବାକୁ ପଡ଼ିବ; ଯାହାକି ବର୍ଣସଂସ୍କାର ତଥା ବନାନ ସଂସ୍କାରର ଏକ ଦିଗ।
(୫) କେତେକ ଏହି ଚିହ୍ନଟିକୁ ‘ଦ’ ଏବଂ ‘ହ’ର ବିଭେଦକ ଭାବରେ ବି ବିଚାର କରିଥାନ୍ତି। (ମହାପାତ୍ର ଖଗେଶ୍ୱର, ଓଡ଼ିଆ ଲିପି ଓ ଭାଷା, ଗ୍ରନ୍ଥ ମଂଦିର, କଟକ, ପୃ. ୧୨୬)
ଓଡ଼ିଆରେ ‘ତ୍‌’ ନିମନ୍ତେ ବ୍ୟବହୃତ ତେଫ ଚିହ୍ନଟି ଏକ ବହୁ ପ୍ରଚଳିତ, ପ୍ରାଚୀନ, ସାର୍ଥକ ପ୍ରୟୋଗ, ଏହାକୁ ‘ତେଫ’ ନାମରେ ନାମିତ କରାଗଲା; ଆବଶ୍ୟକ ସ୍ଥଳେ ଏହାକୁ ବିକଳ୍ପ ବର୍ଣମାଳାତ୍ମକ ପଦ୍ଧତିରେ ମଧ୍ୟ ଲେଖାଯାଇପାରିବ। ଓଡ଼ିଆ ଲିଖନକୁ ବିଜ୍ଞାନସମ୍ମତ ତଥା ଦ୍ୱଂଦ୍ୱ ରହିତ କରିବାକୁ ହେଲେ, ଏହାର ପ୍ରୟୋଗରେ ଦ୍ୱଂଦ୍ୱ ସୃଷ୍ଟି କରୁଥିବା ଅଧଃଯୋଗ ବା ନିମ୍ନଯୋଗ ‘ଇ-କାର’ ଅବଶ୍ୟ ପରିତ୍ୟାଜ୍ୟ। ତେଫକୁ ମଧ୍ୟ ‘ପୂର୍ବଯୋଗ ତ-ଫଳା’ ଭାବରେ ବିଚାର କରାଯାଇପାରିବ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୫ ସଂଖ୍ୟାରେ ଲେଖାଟି ପ୍ରକାଶିତ।  ଏହି ପ୍ରବନ୍ଧରେ ଅନୁସ୍ୱାର ଓ ଯୁକ୍ତାକ୍ଷରଗୁଡ଼ିକର ପ୍ରୟୋଗ ଲେଖକଙ୍କର ବ୍ୟକ୍ତିଗତ ନୀତି ଅନୁସାରେ ହୋଇଛି। ଏଥିରେ ଆମେ ସହମତ ଥିବା ଜରୁରୀ ନୁହେଁ। – ସମ୍ପାଦକ)

2 thoughts on “ଓଡ଼ିଆ ଭାଷାରେ ତେଫ

  1. ସୁନ୍ଦର ଅଭିବ୍ୟକ୍ତି…..
    ସାହାସର ସହିତ କହିବାକୁ ଚାହେଁ….. ଉପରୋକ୍ତ ସାହିତ୍ୟଭିତ୍ତିକ ଜ୍ଞାନ ଆଜିକାଲି ସାହିତ୍ୟ ଶିକ୍ଷକ, ଅଧ୍ୟାପକ ଓ ଛାତ୍ର….
    କାହାରି ପାଖରେ ଯଦି ଅଛି, ସେଇ ଚରଣରେ ଏ ଅଧମର ମଥା ଆପେ ନଇଁ ଯିବ…..
    ଉତ୍ତର ଅତି ସହଜ.. ଲେଖିବା ଓ କହିବାରେ ହଜାରେ ଭୁଲ୍ ଥାଇ
    ପଖାଳଖିଆ ଓଡ଼ିଆ କେବଳ ଇଂରେଜୀ ଭାଷାକୁ ପାନ ପୁଡ଼ିଆ
    ପରାୟ ଚୋବେଇ ଚାଲିଛନ୍ତି….
    ଜୟ ଜଗନ୍ନାଥ ଜୟ,ଜୟ ମା ମାଟିର ଭାଷା ଜୟ..

  2. ଆମ ଭାଷା ଏତେ ଉନ୍ନତ ଥାଇ ମଧ୍ୟ ଲୋକେ ତାକୁ କଦର୍ଥ ଓ କଦର୍ଯ୍ୟ ଭାବରେ ଇଂରାଜୀ ଓ ହିନ୍ଦୀ ପରି ଉଚ୍ଚାରଣ କରୁଛନ୍ତି। ତେଫ୍‌ର ଆକୃତି ମଧ୍ୟ ରେଫ୍ ପରି। ତେଫ୍ ନାମ ବ୍ୟବହୃତ ହେଉ

Leave a Reply

Your email address will not be published. Required fields are marked *