ତମେ କୋଉଦିନ ସମ୍ପାଦକୀୟ ଲେଖିଥିଲ?

ଜଣେ ଅଫିସର୍‍ ମତେ ଏମିତି ଅପମାନଜନକ କଥା କହିବା, ମୋ’ ଜୀବନରେ ଏହା ଥିଲା ପ୍ରଥମ।

ବୈଷ୍ଣବ ଚରଣ ମହାନ୍ତି

୧୯୮୩ରେ ଅନୁଗୁଳଠାରେ ଥିବା ରାଜ୍ୟ ପ୍ରୌଢ଼ଶିକ୍ଷା ସାଧନ କେନ୍ଦ୍ରରେ ଗଣମାଧ୍ୟମ ଉପରେ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେଉଥାଏ, ଆକାଶବାଣୀ କୃଷିସଂସାରର ମଙ୍ଗୁଳିଭାଇ(ଟିମା) ଯୋଗକୁ ଯାଇ ସେଠି ପହଞ୍ଚିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ମତେ ଡାକି କହିଲେ-“ଜଣେ ଏଡ଼େ ବଡ଼ ଲୋକପ୍ରିୟ କଳାକାରଙ୍କୁ ଆମେ ପାଖରେ ପାଇଛେ, ଗୋଟାଏ ନାଟକ କଲେ କେମିତି ହୁଅନ୍ତା?”
ପ୍ରୌଢ଼ଶିକ୍ଷା ସାଧନ କେନ୍ଦ୍ରରେ ସହକାରୀ ନିର୍ଦ୍ଦେଶକ ଭାବେ ମୁଁ କାମ କରୁଥାଏ। ରାତିରେ ମୁଁ ନାଟକ ଲେଖିଲି, ତା’ ପରଦିନ ସକାଳୁ ରିହର୍ସାଲ୍‍ ହେଲା, ସନ୍ଧ୍ୟାକୁ ମଞ୍ଚସ୍ଥ ହେଲା ନାଟକ ‘ବାଳିନନାଙ୍କ ଠିକଣା’। ଦେଶର ସବୁ ରାଜ୍ୟରୁ ଆସିଥିବା ପ୍ରତିନିଧି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନେ ପ୍ରଶଂସାରେ ପୋତି ପକାଇଲେ ମୋତେ। ସେଇ ନାଟକରୁ ମୋ’ ଜୀବନର ମୋଡ଼ ବଦଳିଗଲା। ଭୁବନେଶ୍ୱର ଡିପିଆଇ ଅଫିସ୍‌ରୁ ଅଳ୍ପଦିନ ତଳେ ଅବସର ନେଇଥିବା ପ୍ରଡକ୍ସନ୍‍ ଅଫିସର୍‍ ତଥା ଖ୍ୟାତନାମା ନାଟ୍ୟକାର ଭଞ୍ଜକିଶୋର ପଟ୍ଟନାୟକ କହିଲେ-“ମୁଁ ନିକଟରେ ରିଟାୟାର୍ କରିଛି, ଶିକ୍ଷା ନିର୍ଦ୍ଦେଶାଳୟରେ ଲେଖକ ପୋଷ୍ଟଟାଏ ଖାଲି ଅଛି, ଏକ ନନ୍‍ଗେଜେଟେଡ୍‍ ଅଫିସର୍‍ ପୋଷ୍ଟ। ସାରା ଓଡ଼ିଶା ସରକାରରେ ଇଏ ମାତ୍ର ଗୋଟିଏ ପୋଷ୍ଟ, ଏମିତି ଆଉ ଗୋଟାଏ ଲେଖକ ପୋଷ୍ଟ କୋଉଠି ପାଇବନି, ଏହା ଏକ ସମ୍ମାନଜନକ ପଦବୀ। ତମେ ଯୋଉ ଚେୟାର ଖଣ୍ଡିକରେ ବସିବ, ସେ ଚେୟାରଟିକୁ ମାୟାଧର ମାନସିଂହ ତିଆରି କରାଇଥିଲେ। ମାନସିଂହ, ରାଧାମୋହନ ଗଡ଼ନାୟକ, ବୈକୁଣ୍ଠ ପଟ୍ଟନାୟକ, ବିଭୂତି ପଟ୍ଟନାୟକ, ଶାନ୍ତନୁ ଆଚାର୍ଯ୍ୟ, ନରସିଂହ ମିଶ୍ର ଓ ମୁଁ ସେ ଚେୟାରରେ ବସିଥିଲୁ। ତା’ ଉପର ପୋଷ୍ଟ ପ୍ରଡକ୍ସନ୍‍ ଅଫିସର୍‍, ଗୋଟାଏ କ୍ଲାସ-ଟୁ ପୋଷ୍ଟ। ମୁଁ ଆସିବା ପରେ ନରସିଂହ ମିଶ୍ର ସେଠିକି ଯାଇଛନ୍ତି, ସେ ବର୍ଷକ ପରେ ରିଟାୟାର୍ କଲେ ତମେ କ୍ଲାସ-ଟୁ ପାଇବା ନିଶ୍ଚିତ। ତମର ଯାହା ପ୍ରତିଭା ଅଛି, ତମେ ପାଇଯିବ, ଦରଖାସ୍ତ କର।”
ଅଭିଶପ୍ତ ଆସନ
ମୁଁ ଦରଖାସ୍ତ କଲି, ପାଇଲି ବି। ଡିପିଆଇ ଅଫିସ୍‌ରେ ଯୋଗ ଦେବାର କିଛିଦିନ ପରେ ମୋ’ ଅଫିସ୍ ପ୍ରକୋଷ୍ଠରେ ପହଞ୍ଚିଲେ ଗଡ଼ନାୟକ ଓ ଭଞ୍ଜବାବୁ। ଗଡ଼ନାୟକ କହିଲେ-“ତୁ ଏ ଭଞ୍ଜ କଥାରେ ପଡ଼ି ଭୁଲ୍‍ କଲୁ। ଏଇଟା ଗୋଟାଏ ଅଭିଶପ୍ତ ଆସନ। ମାନସିଂ ଏଇଠୁ ଡାଉନ୍‍ ଗ୍ରେଡ୍‍ ହେଇଥିଲେ, ମୋତେ ଏଇଠୁ ଡିସ୍‍ମିସ୍‍ କରାଯାଇଥିଲା, ବିଭୂତି ଏଠୁ ଅଧ୍ୟାପକ ଚାକିରିକି ପଳେଇ ବର୍ତ୍ତିଗଲା, ଭଞ୍ଜ କମ୍ପଲ୍‍ସରି ରିଟାୟାର୍‍ମେଣ୍ଟ୍‍ରୁ ଅଳ୍ପକେ ରକ୍ଷା ପାଇଗଲା। ବୈକୁଣ୍ଠ ପଟ୍ଟନାୟକ ଅବସର ନେବାର ଆଠବର୍ଷ ପରେ ପେନସନ୍‍ ପାଇନଥିଲେ; ପାଇଲେ କି ନା ମୁଁ ଜାଣିନି। ଇଏ, ଓଡ଼ିଶା ସରକାର, ସରକାରୀ କଳରେ କ’ଣ ଲେଖକକୁ ମର୍ଯ୍ୟାଦା ମିଳେ? ତଥାପି ଏ ଆସନ ଏକ ଅଭିଜାତ ଆସନ। ଦେଖୁନୁ, ଭଞ୍ଜବାବୁ ଖେଞ୍ଚା ଖାଇ ତା’ ଚାକିରି କଇଁଥା ହେଇ ବି ତତେ ପୁଣି କେମିତି ଏଠିକି ଆସିବାକୁ କହିଲା। ହଁ, ବସିବା ଆଗରୁ ଏ ଚେୟାରକୁ ନମସ୍କାର କରୁଥିବୁ, କେଡ଼େ ବଡ଼ବଡ଼ ଲେଖକ ଏ ଚେୟାରରେ ବସିଛନ୍ତି।”
ଭଞ୍ଜବାବୁ କହିଲେ- “ଖେଞ୍ଚା ଖାଇବାରେ ବି ଆନନ୍ଦ ଅଛି। ଲେଖକ ଚାକିରି କରେ ସିନା ସେ ଚାକର ନୁହଁ ସରକାରଙ୍କର।”
ମୁଁ ଭାବିଲି ଜଏନ୍‍ ତ କଲିଣି। ବୋଉ କଥା ମନେ ପଡ଼ିଲା-“ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ।”

ଏବେ ବି ଅଫିସ୍‌ରେ ମହଜୁଦ ଅଛି ସେହି ଅଭିଶପ୍ତ ଚେୟାର୍।

ସାକ୍ଷରତା କର୍ମୀମାନଙ୍କ ପ୍ରାପ୍ୟ ଦେବାରେ ହେରଫେରକୁ କେନ୍ଦ୍ର କରି ବାଣପୁର ଚିଲିକାର କର୍ମୀମାନେ ପୁରୀ ପ୍ରୋଜେକ୍ଟ ଅଫିସ୍‍ ଘେରାଉ କଲେ। ସେ ହେରଫେରକୁ ଜିଲ୍ଲା ପ୍ରଶାସନ ଓ ତତ୍କାଳୀନ ଶିକ୍ଷାମନ୍ତ୍ରୀ ପରୋକ୍ଷରେ ସୁରକ୍ଷା ଦେଉଥାନ୍ତି। ସେତେବେଳେ ପ୍ରଥମ କରି ଜଣେ ଆଇ.ଏ.ଏସ୍‍. ଅଫିସର୍‍ ଗୋଲୋକଚନ୍ଦ୍ର ମହାପାତ୍ରଙ୍କୁ ଶିକ୍ଷା ନିର୍ଦ୍ଦେଶକ ଭାବେ ସରକାର ନିଯୁକ୍ତି ଦେଇଥାନ୍ତି। ଶିକ୍ଷା ସଚିବ ଥାଆନ୍ତି ପ୍ୟାରୀମୋହନ ମହାପାତ୍ର। ଜିଲ୍ଲା ପ୍ରଶାସନର ବିରୋଧ ସତ୍ତ୍ୱେ ଏ ଦୁହିଁଙ୍କ ପ୍ରଶାସନିକ ଦୃଢ଼ତା ଯୋଗୁଁ ଯୋଗ ଦେବାର ଦଶଦିନ ପରେ ପୋଲିସ୍‍ ସହାୟତାରେ କାର୍ଯ୍ୟଭାର ନେଇ ମୁଁ ଅଫିସ୍‍ ଭିତରେ ପଶିଲି। ମୋତେ ବାଣପୁର ଓ ଚିଲିକାରେ କ୍ୟାମ୍ପ ଅଫିସ୍‍ କରି ସମସ୍ୟା ସମାଧାନ କରିବାକୁ ସରକାରୀ ନିର୍ଦ୍ଦେଶ ଥିଲା। ସେ ନିର୍ଦ୍ଦେଶ ସହିତ ଏକ ଅଲିଖିତ ନିର୍ଦ୍ଦେଶ ଯୋଡ଼ିଲେ ସଚିବାଳୟର ତତ୍କାଳୀନ ଏଷ୍ଟାବ୍ଲିସ୍‍ମେଣ୍ଟ ଆସିଷ୍ଟାଣ୍ଟ ମହାପାତ୍ର ବାବୁ- “ଆପଣ କ୍ଲାସ୍‍-ଟୁ ପାଇଲେ; ମତେ ଆପଣ ଏବେ ଦି’ହଜାର ଟଙ୍କା ଦେବେ, ତା’ଛଡ଼ା ମୋତେ ଦୁଇ ଶହ ଟଙ୍କା ‘ମାସିକିଆ’ ଦେବେ; ସବୁ ପ୍ରୋଜେକ୍ଟ ଅଫିସର ଦିଅନ୍ତି। ଆଉ ହଁ, ଚିଲିକା ଚିଙ୍ଗୁଡ଼ି, ବାଲୁଗାଁ କଙ୍କଡ଼ା ଓ ଶୁଖୁଆ ତ ସବୁ ମାସରେ ଏକ୍‍ଷ୍ଟ୍ରା ଦେବାକୁ ପଡ଼ିବ।”
କୁମ୍ଭୀର ସହ କଳି
ପାଣି ଭିତରେ ଘରକରି କୁମ୍ଭୀର ସହ କଳି କରିବା ଅନୁଚିତ ମଣି ମୁଁ ମହାପାତ୍ର ବାବୁଙ୍କୁ ବିନୟ ହେଇ ଥରେ କହିଲି- “ଦେଖନ୍ତୁ ଆଜ୍ଞା! ମୁଁ କାହାକୁ ଲାଞ୍ଚ ଦେଇନି କି କାହାଠୁ ଖାଇନି। ଆପଣ ଏ ସିଟ୍‍ରୁ ଯିବା ପରେ ବା ମୁଁ ଏ ପୋଷ୍ଟରୁ ଯିବା ପରେ ବନ୍ଧୁ ହିସାବରେ ଯାହା ମାଗିବେ ଦେବି, କିନ୍ତୁ ମୋ’ କାମ ପାଇଁ କାହାକୁ ମୁଁ ଲାଞ୍ଚ ଦେଇପାରିବିନି।”
ମହାପାତ୍ର ବାବୁ ବି ମୋତେ ବିନୀତ ହେଇ କହିଲେ-“ମୁଁ ଆପଣଙ୍କୁ ମାଗୁଛି, ଆପଣ ଆଜି ମୋତେ ଦେଉନାହାନ୍ତି। ମୋ’ ହାତରେ କାମ, ଯାହା କରିବି ମୁଁ କରିବି; ନା ପ୍ୟାରୀ, ନା ଗୋଲୋକ କିଛି କରିପାରିବେନି। ରଖିଲେ ରଖିବି ମୁଁ, ମାରିଲେ ମାରିବି ମୁଁ। କେସ୍‍ କରିବେ ତ, କରନ୍ତୁ। ମୁଁ ମାଗୁଛି, ମତେ ଦେଉନାହାନ୍ତି, ଓକିଲକୁ ଯାଚିକରି ଦେବେ, ସେଠି ଫଳ ମଧୁମୟ ହେବ କି ବିଷମୟ ହେବ ତା’ର କିଛି ଠିକଣା ନାହିଁ। ଏଠି ମୁଁ କିନ୍ତୁ ଦେବି ମଧୁମୟ ଫଳ। କୋର୍ଟକୁ ଗଲେ ଦୌଡ଼ିଦୌଡ଼ି କେଇଟା ଚପଲ ଘୋରି ହେବ ଠିକଣା ନାହିଁ, କେଇବର୍ଷ ପରେ ଫଳ ମିଳିବ ତା’ର ବି ଠିକ୍‍ଠିକଣା ନାହିଁ। ମୁଁ ତ ଆର ମାସରେ ଆପଣଙ୍କ ସର୍ଭିସ୍‍ ରେଗୁଲାଇଜେସନ୍‍ ଅର୍ଡ଼ର ବାହାର କରିଦେବି।”
ସେ ମହାପାତ୍ର ବାବୁ ଆସିଷ୍ଟାଣ୍ଟ୍‍ରୁ ଅଣ୍ଡର୍‍ ସେକ୍ରେଟେରୀ ହେଇ କ୍ଲାସ୍‍ ୱାନ୍‍ ପୋଷ୍ଟରୁ ଦଶ / ବାର ବର୍ଷ ତଳୁ ଅବସର ନେଇ କୋଉଠି ଆରାମରେ ଥିବେ। ଗୋଲୋକ ମହାପାତ୍ର ଓ ପ୍ୟାରୀବାବୁ ସ୍ୱର୍ଗକୁ ଗଲେଣି। ମୁଁ କିନ୍ତୁ ଏବେ ବି ମହାପାତ୍ର ବାବୁଙ୍କ କଥାର ସତ୍ୟତା ଅନୁକ୍ଷଣ ଅନୁଭବ କରୁଛି। ତାଙ୍କୁ ବହିନିଲାଞ୍ଚ ଦି’ହଜାର, ମାସିକିଆ ଦୁଇଶହ ଏବଂ ଚିଲିକା ଚିଙ୍ଗୁଡ଼ି ଓ ବାଲୁଗାଁ ଶୁଖୁଆ ଦେବାକୁ ମନା କରିଦେଲି ବୋଲି ମୋ’ ଚାକିରି ରେଗୁଲାରାଇଜ୍‍ ହେଇପାରିଲାନି। ମୋତେ କ୍ଲାସ୍‍-ଥ୍ରୀକୁ ଖସାଇବାର ସରକାରୀ ନିର୍ଦ୍ଦେଶ ଆସିବାରୁ ମୁଁ କେସ୍‍ କରି ସ୍ଥଗିତାଦେଶ ଆଣିଲି। ମହାପାତ୍ର ବାବୁଙ୍କ ନଥିଚାଳନାରେ ମତେ ଅପମାନିତ କରିବାକୁ ମୋତେ ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ରର ଆସିଷ୍ଟାଣ୍ଟ୍‍ କୋଅର୍ଡ଼ିନେଟର ଭାବେ ବଦଳି କରାଗଲା।
ଅନୁଗୁଳ ସାଧନ କେନ୍ଦ୍ରରେ ଯିଏ ମୋ’ ଅଧୀନରେ ଥିଲେ, ତାଙ୍କ ତଳ ପୋଷ୍ଟକୁ ଡେପୁଟେସନରେ ପଠାଗଲା ସରକାରଙ୍କ ଅବିଚାରକୁ ମୁଣ୍ଡପାତି ସହିନେଲି। ମୁଁ ଚାହୁଥିଲି ଭୁବନେଶ୍ୱରରେ ରହିବାକୁ, ପିଲାମାନେ ଜଗତସିଂହପୁରେ ରହୁଥିବାରୁ ମତେ ଯିବାଆସିବା କରିବା ସୁବିଧା ହେବ। ସବୁ ଅପମାନକୁ ଈଶ୍ୱରଙ୍କ ବରଦାନ ଭାବି ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ରରେ ଆସିଷ୍ଟାଣ୍ଟ ପ୍ରୋଗ୍ରାମ କୋଅର୍ଡ଼ିନେଟର ଭାବେ ଯୋଗଦେଲି।
ନିର୍ଦ୍ଦେଶକ ଥାଆନ୍ତି ଜଣେ ପ୍ରମୋଟି ଆଇ.ଏ.ଏସ୍‍. ଅଫିସର। ଆଡ୍‍ମିନିଷ୍ଟ୍ରେଟିଭ୍‍ ଅଫିସର ଥାଆନ୍ତି ନଗଦାନଗଦି ଜଏଣ୍ଟ୍‍ ସେକ୍ରେଟେରୀ ଭାବେ ସେକ୍ରେଟେରୀଏଟ୍‍ରୁ ଅବସର ନେଇଥିବା ଦେବୀପ୍ରସନ୍ନ ଜେନା। ବଡ଼ ଦାଣ୍ଠୁଆ ଅଫିସର୍‍, ସବୁକଥା ଠୋ ଠୋ କରି କହନ୍ତି। ବଡ଼ ସ୍ପଷ୍ଟବାଦୀ। ନିର୍ଭୀକ। ଦକ୍ଷ। ତାଙ୍କ ଶଳା ସେତେବେଳେ ଥାଆନ୍ତି ମୁଖ୍ୟ ଶାସନ ସଚିବ ରାଜକିଶୋର ଭୁଜବଳ, କବି ଡମ୍ବରୁଧର ପରିଡ଼ାଙ୍କ ପୁଅ। ଜେନାବାବୁ ବଡ଼ ସାହିତ୍ୟ ରସିକ ଏବଂ କ’ଣ ପାଇଁ କେଜାଣି ଆମ ଦୁହିଁଙ୍କ ଭିତରେ ବୟସର ତାରତମ୍ୟ ସତ୍ତ୍ୱେ ସେ ମୋ’ ସହ ସାଙ୍ଗ ଭଳି ମିଶିଲେ। ଅବସର ପାଇଲେ ଆମେ ବହୁତ୍‍ ଥଟ୍ଟାମଜା ହେଉ।
ଲେଖିଲି ସମ୍ପାଦକୀୟ
ରାଜ୍ୟ ଜନଶିକ୍ଷା ସାଧନକେନ୍ଦ୍ରରୁ ଜନଚେତନା ବୋଲି ଏକ ମାସିକ ପତ୍ରିକା ବାହାରୁଥାଏ। ତା’ର ମୁଖ୍ୟ ସମ୍ପାଦକ ହେଉଛନ୍ତି ସାଧନକେନ୍ଦ୍ରର ନିର୍ଦ୍ଦେଶକ। ଦିନେ ନିର୍ଦ୍ଦେଶକ ମୋତେ ଡାକି କହିଲେ, ଜନଚେତନା ପାଇଁ ସେ ମାସର ସମ୍ପାଦକୀୟ ଲେଖିବାକୁ। ମୁଁ ଲେଖିନେଇ ନିର୍ଦ୍ଦେଶକଙ୍କ ଟେବୁଲରେ ଥୋଇ ଆସିଲି। କିଛି ସମୟ ପରେ ମତେ ଡାକରା ଆସିଲା। ମୁହଁଟାକୁ ଘେଙ୍ଗେରା କରି କେମିତି ବିରକ୍ତିମିଶା ସ୍ୱରରେ ନିର୍ଦ୍ଦେଶକ କହିଲେ-“ଆପଣ କୋଉଦିନ ସମ୍ପାଦକୀୟ ଲେଖିଥିଲେ? ଏମିତି ଲେଖାଯାଏ ସମ୍ପାଦକୀୟ? ରୁହନ୍ତୁ, ଦେଖିବେ ସମ୍ପାଦକୀୟ କେମିତି ଲେଖାଯାଏ।”- ଏତକ କହି ଫାଇଲ୍‍ଟା ଏକ ପ୍ରକାର ଟେବୁଲ୍‍ ତଳକୁ ଫୋପାଡ଼ିଦେଲେ।

ଆପଣ କୋଉଦିନ ସମ୍ପାଦକୀୟ ଲେଖିଥିଲେ? ଏମିତି ଲେଖାଯାଏ ସମ୍ପାଦକୀୟ?

ଜଣେ ଅଫିସର୍‍ ମତେ ଏମିତି ଅପମାନଜନକ କଥା କହିବା ମୋ’ ଜୀବନରେ ଏହା ଥିଲା ପ୍ରଥମ। ମୁଁ ମୋ’ ଅଫିସ୍‍ ରୁମ୍‍କୁ ଫେରି ଆସି ମନମାରି ବସିଛି। ଦେବୀବାବୁ ଆସି ବସିଲେ ମୋ’ ସାମ୍ନାରେ। କହିଲେ- “କ’ଣ ଝିଅଟିଏ ହେଇଚି କି? ମାଇପେ ଝିଅ ଜନମକଲା ଭଳିଆ କାହିଁକି ମୁହଁ କରିଚନ୍ତି? ଆପଣଙ୍କ ମୁହଁରୁ ପ୍ରତ୍ୟାବର୍ତ୍ତନଶୀଳ ମୌସୁମୀବାୟୁ ଭଳି ହସ କୁଆଡ଼େ ପଳେଇଛି?”
ମୁଁ ତାଙ୍କୁ ସବୁକଥା କହିଲି।
“ହୁଃ…ଇଏ ଗୋଟାଏ କଥା! ମୁଁ ଆପଣଙ୍କ ପାଖକୁ ସେଇଥିପାଇଁ ଆସିଛି ପରା। ଆପଣ ମୋ’ ପାଇଁ ଶବ୍ଦ ଓ ବିଷୟ ବଦଳେଇ ଗୋଟାଏ ସମ୍ପାଦକୀୟ ଲେଖି ଦିଅନ୍ତୁ। ତା’ପରେ ଗର୍ଦ୍ଦଭ କଣ୍ଠରେ ମଲ୍ଲୀମାଳ ଶ୍ୟାମକୁ ଦେବି ବୃତ୍ତେ ଗାଇଲେ- ‘ଚାଆ କପେ ବୈଷ୍ଣବେ ଦେବି, ମନ ତୋଷିବି…’ କହି ପିଅନକୁ ଡାକିଲେ- “ଆରେ କାଳିଆ! ଆମ ଦି’ଜଣଙ୍କ ପାଇଁ ଭଲ କରି ଚା ଦି’କପ୍‍ ଶୀଘ୍ର କରିଆଣିଲୁ।”
ଚା’ପାନ ପରେ ଦେବୀବାବୁ ତାଙ୍କ ରୁମ୍‍କୁ ଗଲେ। ମୁଁ ବସି ପୁଣି ଶବ୍ଦ ଓ ପ୍ରସଙ୍ଗ ବଦଳେଇ ସମ୍ପାଦକୀୟ ଲେଖିଲି। କିଛି ସମୟ ପରେ ଦେବୀବାବୁ ପହଞ୍ଚି ମୁଁ ଲେଖିଥିବା ସମ୍ପାଦକୀୟକୁ ନିଜ ହାତରେ ଆଉଥରେ ଉତାରିଲେ। କହିଲେ- “ମୁଁ ଯାଉଛି ଡିରେକ୍ଟରଙ୍କ ରୁମ୍‍କୁ। ହୁଏତ ଆପଣଙ୍କୁ କିଛି ସମୟ ପରେ ଡାକରା ଆସିପାରେ। ନ ହେଲେ ବି କିଛି ଗୋଟାଏ ବାହାନା କରି ଦଶ ମିନିଟ୍‍ ପରେ ଡିରେକ୍ଟରଙ୍କ ପାଖକୁ ଆପଣ ଆସିବେ।”-ଏତକ କହି ସେ ଉଠିଗଲେ।
ସତକୁ ସତ ଦଶ ମିନିଟ୍‍ ପରେ ଡିରେକ୍ଟରଙ୍କ ପାଖରୁ ଡାକରା ଆସିଲା। ମୁଁ ଗଲି। ଡିରେକ୍ଟର ମନଧ୍ୟାନ ଦେଇ ଦେବୀବାବୁ ଦେଇଥିବା କାଗଜ ଖଣ୍ଡକୁ ପଢ଼ୁଥାନ୍ତି ଓ ମୁଣ୍ଡଟାକୁ ହଲେଇ ହଲେଇ ସତେ ଅବା ଅଦିନ ଭସାମେଘର କୁଣ୍ଡାଝରା ଝିପିଝିପି ବର୍ଷା ଭଳି ନିରବରେ ପ୍ରଶଂସା ଝରାଉଥାଆନ୍ତି। କିଛି ସମୟ ପରେ ମୁଣ୍ଡଟେକି ଦେବୀବାବୁଙ୍କୁ ଚାହିଁଲେ ଓ କହିଲେ- “ଆଃ… ତମତ୍‍କାର… ବଢ଼ିଆ …, ଏକ୍ସଲେଣ୍ଟ…।”ତା’ପରେ ମୋ’ ଆଡ଼କୁ କାଗଜଖଣ୍ଡକ ବଢ଼େଇ ଦେଇ କହିଲେ-“ନିଅନ୍ତୁ। ପଢ଼ନ୍ତୁ। ସମ୍ପାଦକୀୟ କେମିତି ଲେଖାହୁଏ ଦେଖନ୍ତୁ। ହୁଁଃ… ଲେଖିଆଣିଥିଲେ ସମ୍ପାଦକୀୟ!”
ମୁଁ ସେ ଲେଖା ଉପରେ ଆଖି ପହଁରେଇ ଆଣିବା ପରେ ଡିରେକ୍ଟର ମୋ’ଠାରୁ ଉତ୍ତର ଚାହିଲେ-“କେମିତି ହେଇଛି? ଭଲ ହେଇନି? ସମ୍ପାଦକୀୟ ହେଉଛି ପତ୍ରିକାର ଏରୁଣ୍ଡି ବନ୍ଧ। ସମ୍ପାଦକୀୟରୁ ପାଠକ ତଉଲି ନବ ପତ୍ରିକାର ଓଜନ କେତେ। ଦେବୀବାବୁଙ୍କର ଅଭିଜ୍ଞତା ଅଛି। ସେଥିପାଇଁ ତାଙ୍କୁ ମୁଁ କହିଲି।…”
କଥା ଛଡ଼େଇ ନେଇ ଦେବୀବାବୁ କହିଲେ- “ନାଇଁ, ନାଇଁ ଲେଖାଲେଖିରେ ମୋର ସେମିତି କିଛି ଅଭିଜ୍ଞତା ନାହିଁ; ବରଂ ବୈଷ୍ଣବବାବୁ ଜଣେ ପ୍ରତିଷ୍ଠିତ ସାହିତ୍ୟିକ, ସେ ମୋ’ଠାରୁ ଭଲ ଲେଖନ୍ତି।”
ଡିରେକ୍ଟର କହିଲେ-“ଆପଣଙ୍କର ଯା’ହେଲେ ଅଭିଜ୍ଞତା ଅଛି। ଏବେ ପରା ବୈଷ୍ଣବବାବୁ ଗୋଟାଏ ସମ୍ପାଦକୀୟ ଲେଖିଆଣିଥିଲେ। ହେଇଟି ତାକୁ ମୁଁ ତଳେ ଫୋପାଡ଼ି ଦେଇଛି।”
ଦେବୀବାବୁ କହିଲେ-“ଏ ଯୋଉ ‘ଜନଚେତନା’ ଏବେ ଆମର ଏଠୁ ବାହାରୁଛି, ୟା’ ନାଆଁ ପ୍ରଥମେ ଥିଲା ‘ଚେତନା’। ଏସ୍‍.ଆର୍‍.ସି. ଯେତେବେଳେ ଅନୁଗୁଳରେ ଥିଲା, ବୈଷ୍ଣବବାବୁ ଏହାର ସମ୍ପାଦନା କରୁଥିଲେ। ହୁଏତ ଚାରି / ପାଞ୍ଚ ବର୍ଷଧରି ସେ ଏହାର ସମ୍ପାଦକ ଥିଲେ ଏବଂ ଏ ପତ୍ରିିକା ସେତେବେଳେ ବେଶ୍‍ ନାଆଁ କରିଥିଲା।”
ଡିରେକ୍ଟର କହିଲେ- “ହେଲା ଯେ… ଦିନକୁ ଦିନ ପରା ଯୁଗ ବଦଳୁଛି। ସିଏ କୋଉ କୋଡ଼ିଏ ବର୍ଷ ତଳର କଥା। ସେଇ ପୁରୁଣା ଶବ୍ଦ ଆଉ ଶୈଳୀକି ଧରି ବସିଲେ ହବ? ଆପଣଙ୍କ କଣ୍ଟେଣ୍ଟ୍‍ ଯେମିତି ହେଇଛି, ଶବ୍ଦଗୁଡ଼ାକ ସେମିତି ବିଫିଟିଙ୍ଗ୍‍ ହେଇଛି। ଏ ସମ୍ପାଦକୀୟଟା ପଢ଼ିଦେଲେ ପାଠକ ତଉଲି ନେବ ଆମ ପତ୍ରିକାର ଓଜନ କେତେ। ରିଅଲି ଆଇ ଆମ୍‍ ଥ୍ୟାଙ୍କ୍‍ଫୁଲ୍‍ ଟୁ ୟୁ।”
ଟେବୁଲ୍‍ ପାଖରେ ପଡ଼ିଥିବା ମୋର ପୂର୍ବ ଲେଖାଟିକି ଉଠେଇଆଣି ଡିରେକ୍ଟର ଦେବୀବାବୁଙ୍କୁ ଦେଇ କହିଲେ, “ଦେଖନ୍ତୁ କ’ଣ ଲେଖିଥିଲେ ବୈଷ୍ଣବ ବାବୁ। ଏମିତି ଲେଖାଯାଏ ସମ୍ପାଦକୀୟ?”
ସେ ହିଁ ଲେଖିଛନ୍ତି
ଦେବୀବାବୁ କହିଲେ-“ଏ ଯୋଉ ସମ୍ପାଦକୀୟଟା, ପ୍ରକୃତରେ ମୁଁ ଲେଖିନି। ଆପଣ ଭାବୁଛନ୍ତି ମୁଁ ଲେଖିଛି ବୋଲି କି? ୟାକୁ ବୈଷ୍ଣବବାବୁ ହିଁ ଲେଖିଛନ୍ତି। ମତେ କ’ଣ ଲେଖିଆସିବ ସମ୍ପାଦକୀୟ! ଆପଣ ମତେ କହିବାରୁ ମୁଁ ବୈଷ୍ଣବବାବୁଙ୍କୁ ଅନୁରୋଧ କଲି। ସିଏ ସେଇଠି ମୋରି ଆଗରେ ଦଶମିନିଟିରେ ଗାରେଇଦେଲେ। ତାଙ୍କ ଅକ୍ଷରକୁ ସେ ନିଜେ ହିଁ କହନ୍ତି ମାଙ୍କଡ଼ ଭଳିଆ ଅକ୍ଷର। ସେଥିପାଇଁ ତାଙ୍କ ଲେଖାକୁ ମୁଁ ମୋ’ ଅକ୍ଷରରେ ଉତାରି ଆଣିଛି। ଅବଶ୍ୟ ମୁଁ ତାଙ୍କୁ କହିନି ଇଏ ଆମ ପତ୍ରିକାର ସମ୍ପାଦକୀୟ ବୋଲି। କହିଲି ଓଡ଼ିଆ ସାହିତ୍ୟର ସାମ୍ପ୍ରତିକ ସମସ୍ୟା ଉପରେ ମୋତେ ପୃଷ୍ଠାଟେ ଲେଖିଦିଅନ୍ତୁ। ସେ ଲେଖିଦେଲେ।”
ତଟକା ଗରମ ଆଳୁଚପ୍‍ ଭଳି ଦିଶୁଥିବା ଡିରେକ୍ଟରଙ୍କ ଫୁଲୁକା ଗାଲ ଦି’ଟା ନିମିଷକରେ ଶୁକୁଟା ବରା ଭଳି ସେମେଟିଗଲା। ଅଢ଼େଇ କିଆରିଆ ତମ୍ପ ଭଳି ଫଣା ଟେକି ଫଁ ଫଁ ହେଉଥିବା ଡିରେକ୍ଟରଙ୍କ ଅବସ୍ଥା ଯେ ଏମିତି ଧଣ୍ଡ ଭଳି ଜାକିହେଇଯିବ ମୁଁ କେବେ କଳ୍ପନା ବି କରିନଥିଲି।
ଧୀରେ ମୁଁ ସେ ସ୍ଥାନ ଛାଡ଼ି ମୋ’ ରୁମ୍‍କୁ ଚାଲିଆସିଲି। ଦେବୀବାବୁ ଯେ ଏମିତି ଗୋଟାଏ କାଣ୍ଡ କରିବସିବେ ଏ କଥା ମୁଁ ଭାବି ନଥିଲି। କିଛି ସମୟ ପରେ ଦେବୀବାବୁ ସିଆଡ଼ୁ ହାତ ଲମ୍ବେଇକି ଆସିଥିଲେ ହ୍ୟାଣ୍ଡସେକ୍‍ କରିବା ପାଇଁ। ହସିହସି କହିଲେ- “ଗଦ କେମିତି କାଟୁ କଲା?”
ମୁଁ କହିଲି- “ହେଃ… ଅତି ହେଇଗଲା!”
ଦେବୀବାବୁ କହିଲେ- “ହଇଓ ବାବୁ! ସମ୍ପାଦକୀୟ ଲେଖିବା କାମ ତମର। ତମେ ଲେଖି ପାରିବନି ବୋଲି ଅନ୍ୟ ଜଣକ ପାଖରେ ନେହୁରା ହେଲ। ସେଥିରେ ପୁଣି ଏରେ ନାକଛିଞ୍ଚଡ଼ା, ଏତେ ଉଲୁଗୁଣିଆ ମନ୍ତବ୍ୟ! ହେଇଚି ପାନେ ଠିକ୍‍। ଆସ, ଏଇ ଖୁସିରେ କିଛି ଖାଇବା ହେଇଯାଉ।”
ଆମେ ଦୁହେଁ ଜଳଖିଆ ଦୋକାନ ଆଡ଼େ ମୁହାଁଇଲୁ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

2 thoughts on “ତମେ କୋଉଦିନ ସମ୍ପାଦକୀୟ ଲେଖିଥିଲ?

  1. ବୈଷ୍ଣବବାବୁଙ୍କର ଅନୁଭୂତି ପଢି ନିଜ ଜୀବନର ଅନୁରୂପ ଅନୁଭୂତି ଗୁଡ଼ିକ ମନେପଡେ। ଖୋଲା ଖୋଲି ସବୁ ଚରିତ୍ରଙ୍କ ନାମ ଓ ପରିଚୟ ଲେଖିବା ସୁସ୍ଥ ଓ ସାହସିକ ପରମ୍ପରା।

  2. ସ୍ୱୟଂ ବୈଷ୍ଣବ ବାବୁ ଏକଥାଟି ଥରେ ମୋ ଆଗରେ ବର୍ଣ୍ଣନା କରିଥିଲେ | ଆମୋଦିତ କଲାଭଳି କଥା | ମନ ଭିତରେ ଥିବା ଅସୂୟା ଭାବ କେମିତି ମଣିଷକୁ ଠିକ ଭୁଲ ପରଖ କରିବାରୁ ଦୁରେଇ ନେଇଯାଏ ଇୟେ ତାରି ଏକ ଉଦାହରଣ |

Leave a Reply

Your email address will not be published. Required fields are marked *