ବାସି ତିଅଣରେ ସୁଆଦ ନଥାଏ। ଆଉ ସେହି ଅନୂଢ଼ା ବୟସ ନାହିଁ କି ସେଇ ରୁମାନି ଖିଆଲ ମଧ୍ୟ ନାହିଁ।

ଏତେ ବର୍ଷ ପରେ ଆଜି ତିଥି ବହୁତ ଖୁସି। ବିଚାରୀ ଅଜାଗା ଘା’ ପରି ତାର ଘାଇଲା ମନଟାକୁ କାହାକୁ ହେଲେ ଖୋଲି ଦେଖାଇ ପାରେନାହିଁ। ନିଜେ ତ ଅର୍ଜିଛି। କହିବ କାହାକୁ? ଏସବୁ ମ୍ୟାଟର୍ରେ କାହାକୁ ମିଶେଇବା ବି ଅନୁଚିତ। ଯାହାକୁ କହିବ ବୁମେରାଂ ପରି ଓଲଟା ଚୋଟ ବାଜିବ।
କିନ୍ତୁ ଯାହାହେଉ, ଏଥର ତେବେ ଅନ୍ଵୟଙ୍କ ସହିତ ଏକାନ୍ତରେ ସମୟ କାଟିବ; ହେଉ ପଛେ ସିଏ ଦ୍ଵାଦଶତମ ବିବାହ ବାର୍ଷିକୀ। ବୋଉ ସବୁ ବୁଝେ। ହେଲେ ତା’ ହାତରେ କଣ ଅଛି? ଏଥର ସେଥିପାଇଁ ଅନ୍ଵୟ ଯେତେବେଳେ ଉଟି ଯିବାକୁ କହିଲେ, ବୋଉ କହିଲା ପିଲା ଦୁହିଁଙ୍କୁ ତା ପାଖରେ ଛାଡ଼ି ଦୁହେଁ ଏକାଟିଆ ଯାଆନ୍ତୁ। ଅନ୍ଵୟ ତ ପ୍ରସ୍ତାବ ଦେଇଥିଲେ ବାବା ବୋଉ ଦିଜଣ ଯାକ ବି ଚାଲନ୍ତୁ ବୋଲି । ବାବା ଟିକେ ସରଳମନା, ହଁ କରି ଦେଇଥିଲେ, କିନ୍ତୁ ବୋଉ ମନାକଲା।
-‘ନାଇଁ ବାପା , ତୁମେମାନେ ଯାଅ । ଛୁଆଙ୍କୁ ମଧ୍ୟ ମୋ ପାଖରେ ଛାଡ଼ି ଦିଅ। ମିଳିମିଶି ତ ଏତେ ବୁଲା ହେଉଛି। ଏଥର ଥାଉ।’
ତିଥି ଦେଖୁଥିଲା , ଅନ୍ଵୟଙ୍କ ଚେହେରା ଉଜ୍ଜ୍ଵଳି ଉଠୁଛି।
ହେବା କଥା ମଧ୍ୟ। ବାଧ୍ୟ ସନ୍ତାନ ସିଏ। ଜୀବନରେ କେବଳ ଗୋଟିଏ ଥର ଅବାଧ୍ୟ ସେ ହୋଇଛନ୍ତି, ତିଥି ସହିତ ପ୍ରେମ ବିବାହ କରି। ସେଥିପାଇଁ ସେ ମଧ୍ୟ ଆତ୍ମସମର୍ପଣ କରି ଦିଅନ୍ତି ତାଙ୍କ ମାଆ ବାପାଙ୍କ ଆଗରେ। କେବେ କିଛି ମନକଥା ଖୋଲି କହି ପାରନ୍ତିନି।
ତିଥି ପାଇ ଯାଇଥିଲା ତାର ଚିର ଇପ୍ସିତ ପୁରୁଷକୁ। ଏଇ ନିଶାରେ ବିଭୋର ହେଇ ଶାଶୁଘର ଏରୁଣ୍ଡି ଡେଇଁଲା। ଶାଶୁଘରେ ସମସ୍ତେ ତା’କୁ ବିପୁଳ ସ୍ବାଗତ ଜଣାଇଲେ। ବହୁତ ଭଲ ପାଇବା ଦେଲେ। ତା’ ମନରେ ଅସୁମାରୀ ସ୍ବପ୍ନ। ସେ ଯିବ ସିଂଗାପୁର , ହନିମୁନ ପାଇଁ। ଅନ୍ଵୟ ବାହାଘର ଆଗରୁ ବଡ଼ ମଧୁର ସ୍ଵପ୍ନଟିଏ ଦେଖାଇଥିଲେ। ହନିମୁନର ରୂପରେଖ ଭାବି ଭାବି ବଡ଼ ରୋମାଞ୍ଚିତ ହେଉଥିଲା ସିଏ।

ଓଡ଼ିଆ ଘରର ବୋହୂ। ପ୍ରଥମେ ତ ଜଗନ୍ନାଥ ଦର୍ଶନଟା ସର୍ବୋପରି। ତିଥି ମଧ୍ୟ ଜଗାକୁ ଧନ୍ୟବାଦ ଅର୍ପଣ କରିବା ପାଇଁ ଶ୍ରୀକ୍ଷେତ୍ର ଯିବାକୁ ଚାହିଥିଲା। ସେ ମନ ଖୁସିରେ ପ୍ୟାକିଂ କରୁଥିଲା। ଶାଶୁ ଶ୍ୱଶୁର ଓ ଦୁଇ ନଣନ୍ଦ ନିଜ ନିଜର ଟ୍ରଲି ପ୍ୟାକ୍ କରିବା ଦେଖି ପ୍ରଥମେ ତ ତା ମନରେ ଟିକେ ଖଟକା ପଶିଲା। ତାପରେ ଭାବିଲା, ସମସ୍ତଙ୍କୁ ନେଇ ତ ଖୁସି ନା। ସମସ୍ତେ ମିଶି ସମୁଦ୍ରରେ ଗାଧେଇବେ, ବାଲିରେ ଖେଳିବେ, କେତେ ମଜା ହେବ।
କିଛି ଦିନ ପରେ ସିଂଗାପୁର ଗଲେ ସେମାନେ। ନାଇଁ ନାଇଁ, ସେମାନେ ଏକୁଟିଆ ନୁହେଁ। ଦୁଇ ନଣନ୍ଦ ମଧ୍ୟ ସାଙ୍ଗରେ ଗଲେ। ଅବଶ୍ୟ ବହୁତ ମଜା ଆସିଥିଲା। କିନ୍ତୁ ଅନ୍ୟାନ୍ୟ ନବ ବିବାହିତ ଯୋଡ଼ିମାନଙ୍କୁ ଦେଖି ଆନମନା ହେଇ ଯାଉଥିଲା ସିଏ।
ଏ ଯାବତ୍ ଥରେ ହେଲେ ତିଥି ତା ସ୍ୱାମୀକୁ କୋଉଠି ଏକାନ୍ତ ଭାବେ ପାଇ ପାରିଲା ନାହିଁ। ସବୁବର୍ଷ ଅନ୍ଵୟ ବିବାହ ବାର୍ଷିକୀରେ କୁଆଡ଼େ ନାଇଁ କୁଆଡ଼େ ଯିବାର ପ୍ରୋଗ୍ରାମ କରନ୍ତି। ହେଲେ ସବୁଥର ପୁରା ବାଟାଲିୟନ ଯାଆନ୍ତି ତା’ଙ୍କ ସହିତ। ଥରେ ଦୁଇଥର ବାବା ବୋଉ ମଧ୍ୟ ବାଟାଲିୟନରେ ଯୋଗ ଦେଇଛନ୍ତି। ପ୍ରଥମେ ପ୍ରଥମେ ବଡ଼ ଅଡ଼ୁଆ ଲାଗୁଥିଲା। ବୋଉ ପାଖରେ ନାଲିସ୍ କରୁଥିଲା। ବୋଉ ବଡ଼ ଆରାମରେ କହି ଦେଉଥିଲା,
-‘ଏ ମାମଲାରେ ଆମେ କ’ଣ କରିବୁ?’
ପରେ ପରେ ଦେହସୁହା ହେଇ ଯାଇଥିଲା ସବୁ। ତାଛଡ଼ା ବାସି ତିଅଣରେ ସୁଆଦ ନଥାଏ। ଆଉ ସେହି ଅନୂଢ଼ା ବୟସ ନାହିଁ କି ସେଇ ରୁମାନି ଖିଆଲ ମଧ୍ୟ ନାହିଁ।
ତା’ପରେ ଆଉକିଛି ତ ଅସୁବିଧା ନଥିଲା। ଅଭାବ ଅସୁବିଧା କିଛି ନଥିଲା। ସ୍ନେହ ଶ୍ରଦ୍ଧା ଖୁବ୍ ପାଉଥିଲା। ଖର୍ଚ୍ଚ ବାର୍ଚ୍ଚରେ କୌଣସି କଟକଣା ନଥିଲା। ବହୁତ ସୁଖରେ ଦିନ କଟୁଥିଲା। ତିନି ଚାରି କିଲୋମିଟର ଦୂରରେ ବାପଘର। ଶାଶୁ ଶ୍ୱଶୁର , ବାବା ବୋଉ ସମସ୍ତେ ମିଶି ଖୁବ୍ ଉପଭୋଗ କରୁଥିଲେ ଜୀବନ। ପିକନିକ୍, ଭୋଜିଭାତ, ଯାନି ଯାତ୍ରା ସବୁ ମିଳିମିଶି ପାଳନ କରୁଥିଲେ। ହେଲେ ସେଇ ଗୋଟିଏ ଭାବନା ଅବେଳେ ସବେଳେ ପିଞ୍ଚ୍ କରୁଥିଲା ତାକୁ। କଥାଛଳରେ ଅନ୍ଵୟ ପାଖରେ ସେ ଆଲୋଚନା ବାହାରିଲେ ଅନ୍ଵୟ କେମିତି ବିଚରା ବିଚରା ଲାଗନ୍ତି। କାକୁସ୍ଥ ନଜରରେ ଅପରାଧୀ ପରି ତାକୁ ମୁଟ୍ ମୁଟ୍ ଚାହାଁନ୍ତି।
ହଃ , କଣ ଅଛି ସେଥିରେ। ବଢ଼ିଆ ତ ଚାଲିଛି ସବୁକିଛି। ହନିମୁନ ନହେଲେ ନାହିଁ।
ତଥାପି ପ୍ରସ୍ତାବଟା ଶୁଣି ସେ କୁରୁଳି ଉଠୁଥିଲା କିଶୋରୀଟିଏ ପରି। ଶାଶୁ ଶ୍ୱଶୁର ବଡ଼ ନଣନ୍ଦ ଘରକୁ ଯାଇଥିଲେ। ତେଣୁ ଫୋନରେ ତାଙ୍କ ଯିବାକଥା ଜଣାଇ ଦେଇଥିଲା।
ଉଟିର ପ୍ରାକୃତିକ ସୌନ୍ଦର୍ଯ୍ୟ , ଆକାଶର ନିସ୍ସୀମ ନୀଳିମା, ପର୍ବତ ଶୃଙ୍ଖଳାର ସରୁ ନଥିବା ସବୁଜିମା , ସେ ଆଉ ଅନ୍ଵୟ , ଅନ୍ଵୟ ଆଉ ସେ। କଳ୍ପନାରେ ମଧ୍ୟ ସିଏ ଶିହରି ଉଠୁଥିଲା। ବୋଉ ଯେତେବେଳେ ପିଲାଙ୍କୁ ରଖିବ କହିଲା ତା ଗାଲରେ ଗୋଲାପି ରଙ୍ଗ ଚହଟି ଯାଇଥିଲା। ଲାଜରେ ଦଶବର୍ଷର ଝିଅ ସହିତ କି ବୋଉ ସହିତ ଆଖି ମିଶେଇ ପାରି ନଥିଲା।
ଖୁବ୍ ଖୁସି ହେଇ , ଅତ୍ୟନ୍ତ ଉତ୍ସାହରେ ଲୁଗାପଟା ସଜାଡୁଥିଲା ତିଥି। ଖୁବ୍ ଅନୁରାଗରେ ଅନ୍ଵୟ ତା’କୁ ଚାହିଁ ରହିଥିଲେ। ଅଧା ପ୍ୟାକିଂ ସରିଛି, ତାର ମନ କଣ ହେଇଗଲା।ଉଠି ପଡ଼ି ଖଟ ଉପରେ ବସିଥିବା ଅନ୍ଵୟଙ୍କ ଦେହକୁ ଲାଗି ବସି ପଡ଼ିଲା। ତାଙ୍କ ଆଙ୍ଗୁଳି ସହିତ ଖେଳୁ ଖେଳୁ ଭୁଇଁ ଉପରେ ନଜର ରଖି କହୁଥିଲା,
-‘ଫ୍ଲାଇଟ୍ ଟିକେଟ କ୍ୟାନ୍ସେଲ ହେଇ ପାରିବନି?’
ଅନ୍ଵୟଙ୍କ ପ୍ରଶ୍ନିଳ ଦୃଷ୍ଟିର ଉତ୍ତରରେ ସେ ପୁଣି କହୁଥିଲା,
-‘ବାପା ମାଆଙ୍କୁ ବି ସାଥିରେ ନେଇ ଯିବା। ମାଆଙ୍କର ବହୁତ ଇଚ୍ଛା ଥିଲା ଉଟି ବୁଲିବା ପାଇଁ। ପ୍ଲିଇଇଜ୍।’
ଅନ୍ଵୟ ଆହୁରି ବିଚରା ଦେଖା ଯାଉଥିଲେ ।
ମୋ ନିଜ ଜୀବନ କାହାଣୀ ଭଳିଆ ଲାଗିଲା। ଆଜିବି ଯୌଥ ପରିବାରର ଅଂଶ ଭାବରେ ଅତିଥି ଅଭ୍ୟାଗତଙ୍କୁ ରାତିଟେ ଘରେ ରହିବାକୁ ନିମନ୍ତ୍ରଣ କରିହୁଏନି ବୋଲି ବେଳେବେଳେ ଖରାପ ଲାଗେ। କିନ୍ତୁ ବାପମାଁ ଉଭୟଙ୍କ ଛତ୍ରଛାୟାରେ ଏକାସାଂଗେ ଡାଇନିଙ୍ଗରେ ବସି ଗପସପ କଲା ବେଳେ, ସେ ସସବୁ ଦୁଃଖ ଉଭେଇ ଯାଏ। ହଃ… କଣ ବା ଅଭାବ ଅଛି, ଠିକ୍ ତ ଚାଲିଛି ଭଳି ଭାବଟେ ଆଶ୍ୱସ୍ତ କରେ।
ସୁନ୍ଦର ଗପ। 🙏
ଧନ୍ୟବାଦ ଭାଇ। ଖୁସି ଲାଗିଲା ଆପଣଙ୍କର ବିଚାର ଜାଣି। ନମସ୍କାର
ଇଚ୍ଛା ଗୁଡାକ ପୂର୍ଣ୍ଣ ହୋଇଯିବାର ପ୍ରତିଶ୍ରୁତି ଗୁଡାକ ମିଳିଗଲେ ଅନେକ ଇଚ୍ଛାଙ୍କର ଫଳବତୀ ହେବାର ଲାଳସା ଅସମ୍ଭବ ଭାବରେ କମିଯାଏ।
ଗପଟି ଭଲ ହୋଇଛି। ତେବେ ନାୟକ ନାୟିକା ହନିମୁନ୍ ଯାଇଥାନ୍ତେ, ସେ ମଧ୍ୟରେ ପରିବାର ଲୋକଙ୍କର ଅନୁପସ୍ଥିତି ଅନୁଭବ କରି ଅନୁଶୋଚନା ଟିକିଏ କରିଥାଆନ୍ତେ, ଏତକ ଯଦି ଗାଳ୍ପିକା ଗଳ୍ପଟିରେ ପରିବେଷଣ କରିଥାଆନ୍ତେ ତେବେ ଗଳ୍ପଟି ଅଧିକ ଆକର୍ଷଣୀୟ ହୋଇଥାଆନ୍ତା। ଏମିତି ଟିକିଏ ହଠାତିଆ ଶେଷ କରିଦେବାଟା , ଗଳ୍ପର ଅକାଳମୃତ୍ୟୁ ଭଳି ଲାଗିଲା।
ଏହା ମୋର ନିଜସ୍ୱ ପାଠକୀୟ ମତାମତ। ତଥାପି ଗାଳ୍ପିକାଙ୍କ ଲେଖନୀ ଦକ୍ଷତାକୁ ମୁଁ ଅନୁଭବ କରୁଛି ଓ ପ୍ରଶଂସା କରୁଛି।
ଧନ୍ୟବାଦ ଭାଇ। ଗପ ଅଧିକ ଲମ୍ବିଯାଇଥାଆନ୍ତା
ଗୋଟେ ସୁନ୍ଦର ଆଦର୍ଶର ପ୍ରଖ୍ଯାପନ କାହାଣୀ ରୂପରେ।ଭଲ ଲାଗିଲା।
ଧନ୍ୟବାଦ ଭାଇ। ଗପ ଅଧିକ ଲମ୍ବିଯାଇଥାଆନ୍ତା