ଜନପଦ ଓ କଥାସାହିତ୍ୟର ଏଇ ଚରିତ୍ରସମୂହଙ୍କୁ ଶୁଦ୍ଧବୋଧ କରିବାର ଏହି ପ୍ରଚେଷ୍ଟା କିଆଁ!

‘ସାହିତ୍ୟ’ ପାଇଁ ଅତି ଅଳ୍ପରେ ଦୁଇଜଣଙ୍କର ଉପସ୍ଥିତି ଆବଶ୍ୟକ। ଜଣେ ‘ସାହିତ୍ୟ’ ଲେଖିବା ଲୋକ ଆଉ ଜଣେ ‘ସାହିତ୍ୟ’ ପଢ଼ିବା ଲୋକ। ଆଉ ତା’ଠାରୁ ତାତ୍ପର୍ଯ୍ୟପୂର୍ଣ୍ଣ ହେଲା; ଏ ଦୁହେଁ ‘ସାହିତ୍ୟ’କୁ ବୁଝିବା ଲୋକ ମଧ୍ୟ ହୋଇଥିବେ। କାରଣ, ‘ସାହିତ୍ୟ’କୁ ଯଦି ‘ସାହିତ୍ୟ’ ଭଳି ଲେଖି ଦିଆଯାଇପାରୁଥାଆନ୍ତା ତେବେ ‘ସାହିତ୍ୟ’ କଣ ସତରେ ‘ସାହିତ୍ୟ’ ହୋଇ ରହି ନ ଥାନ୍ତା!
ଆସନ୍ତୁ; ଏହି ଅବବୋଧର ପ୍ରୋତ୍ଫୁଲ୍ଲରେ ହିଁ ଅଛି ଏହି କଥାର ସାରମର୍ମ। ପିଲାଦିନେ ବିଦ୍ୟାଳୟରେ ପଢ଼ିଥିବା: ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି! ଏଇ ଧାଡ଼ିଟି ପଢ଼ିଲା ପରେ ଗାଁ ପିଲାଟିଏ ଯେଉଁ ସରଳବୋଧରେ ଏହାକୁ ହୃଦୟଙ୍ଗମ କରେ ହୁଏତ ସହର ଆଉ ନଗରରେ ବହୁଭାଷୀ ପରିବାରରେ ବଢ଼ି ଆସିଥିବା ପିଲାଟିଏ ଏହାକୁ ସେଇ ବୋଧରେ ନ ନେଇପାରେ। ଗାଁ ଗହଳିର ସରଳ ମାଧିଆ ସହରରେ ମାଧବ ହୁଏ। ସାହିତ୍ୟର ଚକରା ସିନେମାରେ ଚକ୍ରଧର ହୋଇପାରେ। ପିଲାଟି ଦିନରୁ ମୋତେ ଏହା ଆଶ୍ଚର୍ଯ୍ୟଚକିତ କରେ ଯେ ସେଇ ଏକା ବ୍ୟକ୍ତିର ପରିଚୟୋକ୍ତି ଏହି ଭାବେ ବଦଳି ଯାଏ କିପରି! ଜନପଦ ଓ କଥାସାହିତ୍ୟର ଏଇ ଚରିତ୍ରସମୂହଙ୍କୁ ଶୁଦ୍ଧବୋଧ କରିବାର ଏହି ପ୍ରଚେଷ୍ଟା କିଆଁ! ପୋଥିପୁରାଣକୁ ମୁଣ୍ଡିଆ ମାରି ଭକ୍ତିବୋଧରେ, ଅମର ସାହିତ୍ୟକୃତିକୁ ଆଦରରେ ପଢ଼ି ନିଜ ଭାଷାର ଗୌରବବୋଧରେ ଉତ୍ଫୁଲ୍ଲ ହେବାପରେ ହଠାତ୍ ଗୋଟିଏ ନାମ ଅବା ଶବ୍ଦ କିପରି ଅବ୍ୟକ୍ତ ଆଉ ଅସ୍ପୃଶ୍ୟ ହୋଇଯାଏ!
ବର୍ତ୍ତମାନ ଦେଖାଗଲାଣି ଯେ, ନାମ ପରେ ଏବେ ବିଭିନ୍ନ ଶବ୍ଦର ପାଳି। ସାହିତ୍ୟ ସଂସାରରେ ଅତର୍କିତ ଭାବେ ପ୍ରବେଶ କରିଥିବା ରାଜନୀତିଜ୍ଞ, ଚିତ୍ରନାଟ୍ୟକାର, ସ୍ୱଘୋଷିତ ବୁଦ୍ଧିଜୀବିଗଣ ଏବେ ଅକ୍ଷର ଆଉ ଶବ୍ଦ ତଥା ସାହିତ୍ୟର ଆତ୍ମାକୁ ପରିବର୍ତ୍ତନ କରିବାକୁ ଖଡ଼୍ଗହସ୍ତ।
ଆସନ୍ତୁ ପଢ଼ିବା ଶବ୍ଦକୋଷରୁ ସାଉଁଟି ଆଣିଥିବା ଆମ ଓଡ଼ିଆ ଶବ୍ଦସମୂହରୁ କିଛି;
“ଅମନୀ ମାଇପ ମନ କରିଛି, ମନର ମାଇପ ଶେଜ ପାରିଛି,
ଥୋଈ ମାଇପର ପାଳି,
କନିଆଁ ମାଇପ ବନ୍ଦାପନା ଦିନ, ଗେରସ୍ତ ବସିଛି ଭାଳି।”
ଓଡ଼ିଆରେ ମାଇପ ଶବ୍ଦ ଭାର୍ଯ୍ୟା ଅର୍ଥରେ ଓ ମାଇପୀ ବା ମାଇପେ ଶବ୍ଦ ସାଧାରଣ ସ୍ତ୍ରୀ ବା ସ୍ତ୍ରୀ ଜାତି ଅର୍ଥରେ ବ୍ୟବହୃତ ହୁଏ। ମାଇପରଣ୍ଡା, ମାଇପରାଣ୍ଡି, ମାଇପରାଣ୍ଡୁଆ ହେଉ ଅବା ମାଇପୀରଣ୍ଡା ହେଉ, ବୋଧ ଏକ। ଗଡ଼ଜାତରେ ବ୍ୟବହୃତ ମେହିଲୀ ରାଣ୍ଡିଆ ଅବା ମେହେଲୀ ରାଣ୍ଡିଆ, ଭାବ ସେଇ। ରାଣ୍ଡୀ ଖଣ୍ଡୀ କହିଲେ ବିଧବା ଓ ମାତୃପିତୃହୀନା ବାଳିକା ବୁଝାଯାଏ। ଆମ ବୋଧରେ ରାଣ୍ଡ ହେଉଛି ବିଧବା। କୃଷ୍ଣସିଂହଙ୍କ କାବ୍ୟଗ୍ରନ୍ଥରୁ ଉଦାହରଣଟିଏ ଦେବି;
“ତୁମ୍ଭ କୁଳନାରୀଏ ହୋଇ କରି ରାଣ୍ଡୀ। ଆମ୍ଭପରି କାନ୍ଦିବେ ହୋଇଣ ଦରାଣ୍ଡି।” ତଥା,
“ବୋଇଲା ମୋ’ ଘରେ ଥାଇଲୋ ସୀତା ରାଣ୍ଡୀ, ଖାଇଲୁ ରାକ୍ଷସମାନଙ୍କ ଭେଣ୍ଡା ଗଣ୍ଡି।”
ହିନ୍ଦି ଓ ବଙ୍ଗଳା ଅନୁକୃତରେ ଏହାର ଅର୍ଥ ବେଶ୍ୟା ଅବା ରକ୍ଷିତା, କିନ୍ତୁ ଓଡ଼ିଆରେ ନୁହେଁ। ଏଇ ରାଣ୍ଡ, ରାଣ୍ଡି, ରାଣ୍ଡୀ, ରଣ୍ଡା ବୋଧରେ ଯଦି ଏହି ଅବ୍ୟୁତ୍ପନ୍ନ ବ୍ୟକ୍ତିବିଶେଷ ସର୍ବେ ନିଜ ଅବ୍ୟବହୃତ ବୋଧ ପୁରାଇ ବସିବେ ତେବେ ସଇଲା କଥା। ଶେଷକୁ ସେହି ପଦକ କଥା କହିବି, ଯାହା ବ୍ୟାସକବି ଫକୀରମୋହନ ଲେଖିଯାଇଛନ୍ତି କଥାଛଳରେ;
“ଯାହା ଆପଣାକିଆ ତହିଁକି ଇଲାଜ କିଆଁ।”
-ପ୍ରଭୂ
*ଆପଣାକିଆ– ସ୍ୱକୃତ (ନିଜେ କରିଥିବା କାର୍ଯ୍ୟ)

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ଶେଷ ପୃଷ୍ଠାରୁ ନୂଆ ଶବ୍ଦ ବିଷୟରେ ଜାଣିବାକୁ ପାଇଲି। ଲେଖାଟି ବହୁତ ଭଲ ଲାଗିଲା।