ସେ, ମୁଁ ଓ ଗୋଟେ ବାଜେ ଲୋକ

ଯାହା ତମ ପାଇଁ ସତ ହୋଇପାରେ, ତାହା ମୋ’ ପାଇଁ ମିଛ ମଧ୍ୟ ହୋଇପାରେ…

ଜାକିର ଖାନ୍‌

(କାଫେର ଦୃଶ୍ୟ। ଜଣେ ବ୍ୟକ୍ତି ବସିରହିଛନ୍ତି। ସେ ହେଉଛନ୍ତି ମୁଁ। ଏଇ ସମୟରେ ଅନ୍ୟ ଜଣେ ବ୍ୟକ୍ତି ପ୍ରବେଶ କରିଛନ୍ତି। ବ୍ୟକ୍ତି ଜଣଙ୍କ ହେଉଛନ୍ତି ସେ। ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଛି।)
ମୁଁ– ଆସନ୍ତୁ ଆସନ୍ତୁ।
ସେ– ଆରେ ଆପଣ ଏଠି। ମୁଁ ଆପଣଙ୍କୁ ହିଁ ଖୋଜୁଥିଲି।
ମୁଁ- ମୋତେ? କାହିଁକି।
ସେ– ଗୋଟେ ଜରୁରି କଥା କହିବାର ଥିଲା।
ମୁଁ– କୁହନ୍ତୁ।
ସେ– ସେ ହରି ବାବୁଟା ଗୋଟେ ବାଜେ ଲୋକ।
ମୁଁ– କାହିଁକି?
ସେ– କାହିଁକି କ’ଣ? ସେଟା ଗୋଟେ ବାଜେ ଲୋକଟେ।
ମୁଁ– ହୁଁ …
ସେ– ହୁଁ କ’ଣ? ସେଟା ସତରେ ବାଜେ ଲୋକଟେ…
ମୁଁ– ହେଇଥିବ…
ସେ– ହେଇଥିବ କ’ଣ କହୁଛନ୍ତି… ସେଟା ସତରେ ଗୋଟେ ବାଜେ ଲୋକଟେ।
ମୁଁ– ହୋଇପାରେ… ନ ହୋଇ ମଧ୍ୟ ପାରେ…
ସେ– ମାନେ…
ମୁଁ– ଆପଣଙ୍କ ପାଇଁ ସେ ଖରାପ ଲୋକ ହୋଇପାରେ… ଅନ୍ୟ କାହା ପାଇଁ ସେ ଜଣେ ଉତ୍ତମ ବ୍ୟକ୍ତି ବି ହୋଇ ପାରନ୍ତି।
(ଏଇ ସମୟରେ ଜଣେ ପରିଚାରିକା ଆସି ଅର୍ଡର ନେଇଛନ୍ତି। )
ସେ– ନା… ନା… ସମସ୍ତେ ତାକୁ ବାଜେ ଲୋକ ବୋଲି ହିଁ ଜାଣିଛନ୍ତି… ଆପଣ ମୋ’ କଥାକୁ ବିଶ୍ୱାସ କରୁନାହାନ୍ତି କାହିଁକି… ଆପଣ କ’ଣ ଜାଣିନାହାନ୍ତି ବହୁଲୋକ ଯାହା କହନ୍ତି, ତାହା ସତ ବୋଲି…
ମୁଁ– ହା…ହା…ହା..
ସେ– ହସିଲେ କାହିଁକି…
ମୁଁ– ଏଥିପାଇଁ ଯେ ଆପଣ ଯାହା କହୁଛନ୍ତି ସେଥିରେ ମୁଁ ବିଶ୍ୱାସ କରେନି…
ସେ– ମୋ’ର କୋଉ କଥା ଆପଣଙ୍କ ବିଶ୍ୱାସ ହେଉନି…
ମୁଁ– ଏଇ ଯୋଉ ଆପଣ କହିଲେ ଯେ … ବହୁଲୋକ ଯାହା କହନ୍ତି…
ସେ– ତାହା ହିଁ ସତ…
ମୁଁ– ଆଦୌ ନୁହେଁ…
ସେ– କେମିତି… କେମିତି… ବୁଝେଇଲେ ଦେଖି…
ମୁଁ– ଆମେ ସମସ୍ତେ କହୁ… ସୂର୍ଯ୍ୟ ଉଦୟ ହେଲା, …ଅସ୍ତ ହେଲା…
ସେ– ହଁ ସେଇଟା ହିଁ ସତ…
ମୁଁ– ନା… ସୂର୍ଯ୍ୟ ସ୍ଥିର… ତେଣୁ ଉଦୟ ଓ ଅସ୍ତ ହେବା କଥା ସଂପୂର୍ଣ୍ଣ ମିଛ…
ସେ– ହେଲେ ସେଇ ମିଛକୁ ହିଁ ତ ଆମେ ସତ ବୋଲି ଭାବୁ…
ମୁଁ– ସେଇଟା ହିଁ ତ ସମସ୍ୟା…
ସେ– ତା’ହେଲେ… ତମେ କହୁଛ ସତ-ମିଛ ବୋଲି କିଛି କଥା ନାହିଁ।
ମୁଁ– ନା… ଯାହା ତମ ପାଇଁ ସତ ହୋଇପାରେ, ତାହା ମୋ’ ପାଇଁ ମିଛ ମଧ୍ୟ ହୋଇପାରେ…
ସେ– ତେବେ ଯୋଉଟାକୁ ଆମେ ସତ ବୋଲି ଧରିନେଉ… ତା’ହେଲେ ସେଇଟା କ’ଣ?
ମୁଁ– ସେଇଟା ଆମ ନିଜସ୍ୱ ଅବଧାରଣା… ଆମ ନିଜର ଦୃଷ୍ଟିଭଙ୍ଗୀ…
ସେ– (ଚିଡ଼ିଉଠି) ବୁଝିଲେ ଆପଣ ଜଣେ ଚୋପାଛଡ଼ା ବ୍ୟକ୍ତି…
ମୁଁ– କାରଣ ମୁଁ ଆପଣଙ୍କ ହଁରେ ହଁ କହିଲିନି… ସେଇଥିପାଇଁ…
ସେ– (ରାଗ ଗରଗର ହୋଇ ଉଠି ଚାଲି ଯାଉଯାଉ) କି ବାଜେ ଲୋକଟା ହେ…
ମୁଁ – ଆରେ ରାଗୁଛନ୍ତି କ’ଣ, ବସନ୍ତୁ, ବସନ୍ତୁ…

(ଏଇ ସମୟରେ ପରିଚାରିକା ମିଲ୍‌କ ସେକ୍ ଧରି ଆସିଛନ୍ତି)
ସେ – (ମିଲ୍‌କ ସେକ୍ ନେଇ) ମିଲ୍‌କ ସେକ୍‌ଟା କେମିତି ହଳଦିଆ ଦେଖାଯାଉଛି…
ପରିଚାରିକା – ସାର୍।
ମୁଁ – ( ମିଲ୍‌କ ସେକ୍ ନେଇ) ଏଇଟା କେମିତି ଧଳା ଦେଖାଯାଉଛି…
ପରିଚାରିକା – ସାର୍।
ସେ – ଧଳା କହିଲେ ସାର୍‌, ହଳଦିଆ କହିଲେ ସାର୍‌… ୟା’ର ମାନେ କ’ଣ…
ପରିଚାରିକା – ସାର୍‌, ଆପଣ ଯେଉଁଠି ବସିଛନ୍ତି, ସେଠି ଯେତିକି ଆଲୁଅ ପଡୁଛି, ସେଥିପାଇଁ ଆପଣଙ୍କୁ ତାହା ହଳଦିଆ ଦେଖାଯାଉଛି, ଆଉ ସାର୍ ଯେଉଁଠି ବସିଛନ୍ତି, ସେଠି ତାଙ୍କୁ ତାହା ଧଳା ଦେଖାଯାଉଛି।
ମୁଁ – ଦେଖିଲ ବନ୍ଧୁ, ସତ୍ୟ ଓ ମିଥ୍ୟାର ପ୍ରଭେଦ… ହେ ହେ ହେ…
(ପରିଚାରିକା ଫେରିଯାଇଛନ୍ତି)
ସେ – ଜାଣିଛି, ତମକୁ ପାରିହେବନି…
ମୁଁ – ସେଥିପାଇଁ ମୁଁ ହେଉଛି…
ସେ – ନା ମ… ସେମିତି ନୁହେଁ।
ମୁଁ – ସେଥିପାଇଁ ମୁଁ ହେଉଛି ବାଜେ ଲୋକ, ହା ହା ହା… ବନ୍ଧୁ ଯିଏ ଅପ୍ରିୟ ସତ କହେ ସେଇ ହେଉଛି…
ସେ – ବାଜେ ଲୋକ
ମୁଁ – ହା ହା ହା…
( ସମାପ୍ତ)

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ, ୨୦୨୬  ସଂଖ୍ୟାରେ ପ୍ରକାଶିତ। )

3 thoughts on “ସେ, ମୁଁ ଓ ଗୋଟେ ବାଜେ ଲୋକ

  1. ସତକଥା, ଦୃଷ୍ଟିକୋଣ ବଦଳିଲେ ଜଣେ/ ବସ୍ତୁଟେ ଭିନ୍ନ ପ୍ରତେ ହୋଇପାରେ। ଆଉ ‘ସଭିଏଁ କହନ୍ତି’ର ମାନେ କ’ଣ, ନିଜର ବୁଦ୍ଧିବୃତ୍ତି କ’ଣ ନାଇଁ ଯେ ସମସ୍ତେ କହିଲେ ବୋଲି ବିଶ୍ୱାସ କରିଯିବା? ଆଉ, ଏ ‘ସମସ୍ତେ କହନ୍ତି’ କଥାଟା ଡାହା ମିଛ। କେହି କହିନଥାନ୍ତି। ପ୍ରକୃତରେ, ଆମ ନିଜ ମତ ଉପରେ ଆମ ନିଜର ବିଶ୍ୱାସ ନଥିବାରୁ ‘ସମସ୍ତେ କହନ୍ତି’ର ଆମେ ଗୋଟେ ବାହାନା କାଢ଼ୁ।
    ବଢ଼ିଆ ନାଟକ, ଏକଦମ୍ ଲଜିକାଲ୍।

  2. ଜାକିରଙ୍କୁ ଶ୍ରଦ୍ଧା ଓ ଅଭିନନ୍ଦନ ଜଣାଉଛି।ଖୁବ ଭଲ ଲାଗିଲା ଅଣୁନାଟକଟି।

  3. ଜାକିର ବାବୁ ତାଙ୍କ ଚିରାଚରିତ ପନ୍ଥାରେ ମାନେ ନୂଆ କିଛି କରିବା ବାଟରେ କିଛି ନୂଆ କରିଛନ୍ତି ଏଇ ଅଣୁନାଟକଟିରେ। ତାଙ୍କୁ ମୋର ଅଭିନନ୍ଦନ।

Leave a Reply

Your email address will not be published. Required fields are marked *