
ଓଡ଼ିଆ ଗୀତିକବିତାର ସାମ୍ପ୍ରତିକ ଦଶା ବିଷୟରେ ଭାବିଲେ ମନକୁ ଆସେ ପୁରୁଣା ପ୍ରବାଦଟିଏ, “ନା ଏ କୁଳର ହେଲୁ, ନା ସେ କୁଳର ହେଲୁ।” ତେବେ ଏହା ବରଂ ଉଭୟ କୁଳର; ଅର୍ଥାତ୍ ଗୀତିକବିତା ହେଉଛି ସାହିତ୍ୟ ଓ ସଂଗୀତ, ଉଭୟ ବର୍ଗର ଏକ ସର୍ଜନ କଳା। ଏଣୁ ଗୀତିକବିତାକୁ ସାହିତ୍ୟ କି ସଂଗୀତ, କେଉଁ ବିଭାଗରେ ରଖାଯିବା ଉଚିତ, ଏହାକୁ ନେଇ ଏକ ବିତର୍କ ଚାଲିଛି। ଏହାର ପରିଣାମରେ ଆମ ରାଜ୍ୟର ଉଭୟ ‘ସଂଗୀତ ନାଟକ ଏକାଡେମୀ’ ଓ ‘ସାହିତ୍ୟ ଏକାଡେମୀ’ ଗୀତିକବିତାକୁ ନିଜ ନିଜର ପରିସରଭୁକ୍ତ ବୋଲି ବିଚାରକରି ପୁରସ୍କୃତ କରିଆସିଛନ୍ତି।
ଓଡ଼ିଶା ସାହିତ୍ୟ ଏକାଡେମୀରେ ସାହିତ୍ୟର ଯେଉଁ ଦଶଗୋଟି ବିଭାଗ ପାଇଁ ପୁରସ୍କାରର ବ୍ୟବସ୍ଥା ଅଛି, ସେଥିମଧ୍ୟରେ ଅଛି ଗୀତିକବିତା। ଅପରପକ୍ଷରେ ୨୦୦୧ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ମଧ୍ୟ ଗୀତିକବିମାନଙ୍କୁ ପୁରସ୍କୃତ କରାଯାଇଆସିଛି। ଅବଶ୍ୟ ୨୦୨୨ ମସିହା ବେଳକୁ ଆମ ସଂସ୍କୃତି ବିଭାଗର ଚୈତନ୍ୟ ଉଦୟ ହେଲା ଯେ ଗୀତିକବିମାନଙ୍କୁ ପୁରସ୍କୃତ କରିବାର ଦାୟିତ୍ୱ ଉଭୟ ଏକାଡେମୀ ବହନ କରିବେ ବା କାହିଁକି? ଫଳସ୍ୱରୂପ ସେତେବେଳେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ପୁରସ୍କାରଟିକୁ ଓଡ଼ିଶା ସାହିତ୍ୟ ଏକାଡେମୀକୁ ହସ୍ତାନ୍ତର କରିଦିଆଗଲା। କିନ୍ତୁ ଗୀତିକବିମାନଙ୍କ ଦୁର୍ଭାଗ୍ୟକୁ, ଗତ ନଅ ବର୍ଷ ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ କୌଣସି ହେଲେ ବିଭାଗର ପୁରସ୍କାର ଦେଇପାରିନାହିଁ, ଯେତେବେଳେ କି ଓଡ଼ିଶା ସଂଗୀତ ନାଟକ ଏକାଡେମୀର ପୁରସ୍କାର ପ୍ରଦାନ ପ୍ରକ୍ରିୟା ଯଥାରୀତି ଚାଲିଛି। ଫଳରେ ଗୀତିକବିତା ନା ଏ କୁଳର ହେଲା, ନା ସେ କୁଳର। ଓଡ଼ିଶାର ଗୀତିକବି ସମାଜ ଏହି ବିଡ଼ମ୍ବନାର ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ ଏ ସମ୍ପର୍କରେ କୋର୍ଟର ଆଶ୍ରୟ ମଧ୍ୟ ନିଆଯାଇଛି।
କଥା ହେଲା, ଗୀତିକବିତା ଓ କବିତା ମଧ୍ୟରେ ଚାଲିଥିବା ଏହି ଦ୍ୱନ୍ଦ୍ୱ ବା କାହିଁକି? ସରଳ ଭାଷାରେ କହିଲେ, ଯେଉଁ କବିତା ଗାୟନଯୋଗ୍ୟ ତାହା ଗୀତିକବିତା। ଓଡ଼ିଆ କାବ୍ୟ-ପରମ୍ପରାର ଉନ୍ମେଷ କାଳରୁ ନେଇ ଗତ ଶତାବ୍ଦୀର ଆଦ୍ୟଭାଗ ପର୍ଯ୍ୟନ୍ତ ଆମ କବିତାରେ ଗୀତିକବିତା ଓ ଅଣଗୀତି-କବିତା, ଏଭଳି ଭାବରେ କୌଣସି ବିଭାଜନ ନ ଥିଲା। ଏହି କାଳରେ ଚମ୍ପୂ, ଚଉପଦୀ, ଚଉତିଶା ଓ ଭକ୍ତିଗୀତି ଭଳି ଅନେକ ଲାଳିତ୍ୟଯୁକ୍ତ କବିତା ରଚିତ ହୋଇ ଲୋକଙ୍କ ମନକୁ ଛୁଇଁ ପାରିଥିଲା। ପରବର୍ତ୍ତୀ ସମୟରେ କିନ୍ତୁ କବିତାକୁ ଗାୟନଯୋଗ୍ୟ କରିବାର ଏହି ଧାରା ବ୍ୟାହତ ହେଲା, ଯେତେବେଳେ ଧୀରେ ଧୀରେ ଆମ କବିତାରେ ଛନ୍ଦବିହୀନ ରଚନାର ପ୍ରୟୋଗ ଆରମ୍ଭ ହେଲା। ଆମେ ପୂର୍ବରୁ ଚାଲିଆସିଥିବା ଗାୟନଯୋଗ୍ୟ କବିତାର ଧାରା ପରିହାର କରି କାଗଜରେ ଲିଖନ ବା ମୁଦ୍ରଣଯୋଗ୍ୟ କବିତା ରଚନାକରି ଆଧୁନିକ ବୋଲାଇବାକୁ ଅଧିକ ପସନ୍ଦ କଲୁ। ଏହାହିଁ କବିତାକୁ ଦୁଇଭାଗ କରିବାର ପଥ ପରିଷ୍କାର କରିଦେଲା।
କିନ୍ତୁ ଏହି ଦୁଇଟିଯାକ ବର୍ଗର ରଚନା ଯେ ଗୋଟିଏ ସୂତ୍ରରେ ହିଁ ବନ୍ଧା, ସେଥିପ୍ରତି ଆମେ ଏବେ ଆଖି ବୁଜିଦେଇଛୁ। ଥରେ ଆମ ସହିତ ଗୋଟିଏ ସାକ୍ଷାତକାରରେ ଗୀତିକାର ଦେବଦାସ ଛୋଟରାୟ ଦୃଢ଼ୋକ୍ତି କରିଥିଲେ ଯେ ‘କବିତା ଓ ଗୀତ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ।’
ତେବେ ଆମ ମତରେ, ଆଜି ଯେଉଁସବୁ ରଚନାକୁ ଗୀତିକବିତା ବୋଲି କୁହାଯାଉଛି, ତାହା କବିତା ନାମକ ବୃହତ୍ତର ‘ଜ୍ୟଁର୍'(ରଚନାବର୍ଗ)ର ଗୋଟିଏ ଅଂଶ, ଯଦିଓ କବିତା ବୋଲାଉଥିବା ସବୁତକ ସୃଷ୍ଟି ଗୀତିକବିତା ହୋଇ ନ ପାରନ୍ତି।
ଏଭଳି ବୃହତ୍ତର ଦୃଷ୍ଟିକୋଣରୁ ବିଚାର କଲେ ଗୀତିକବିତା ଓ ଅଣଗୀତିକବିତା ମଧ୍ୟରେ ଚାଲିଥିବା ଦ୍ୱନ୍ଦ୍ୱ ଲିଭିପାରିବ ବୋଲି ଆମର ଆଶା।
ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ, ୨୦୨୬ ସଂଖ୍ୟାରେ ପ୍ରକାଶିତ। )