ଦ୍ବିଧାହୀନ ଭାବରେ କହିହେବ ଯେ, ବହୁବର୍ଷ ହେଲା ସାହିତ୍ୟ କ୍ଷେତ୍ରରେ ଅରାଜକତା ସୁପ୍ରତିଷ୍ଠିତ ହୋଇସାରିଛି।

ଆମ ସାହିତ୍ୟ ଯେ ଦିନୁଁ ଦିନ ଦୁର୍ବଳତା ଦ୍ବାରା କବଳିତ ହୋଇଗଲାଣି, ଏହା ସମସ୍ତେ ଉଣା ଅଧିକେ ଜାଣଂତି। ଏ ବିଷୟରେ ଆଲୋଚନା କରିବା ପୂର୍ବରୁ ଏହି ଦୁର୍ବଳତାର କେତୋଟି ଲକ୍ଷଣ ପ୍ରତି ଦୃଷ୍ଟି ଦେବା। ସେଗୁଡ଼ିକ ହେଲା;
୧. ସୀମିତ ଜୀବନାନୁଭବ
୨. ଗତାନୁଗତିକ ଭାଷା
୩. ଚରିତ୍ରାୟନରେ ବହୁମୁଖୀତାର ଅଭାବ
୪. ଅତ୍ୟଧିକ ବର୍ଣନା
୫. ଅନାବଶ୍ୟକ ବିଷୟ ବିସ୍ତାରଣ
ଜନ୍ମଦିନ ଓ ଶ୍ରାଦ୍ଧ ଦିନ
ଆମର ସାହିତ୍ୟ ସଭାଗୁଡ଼ିକରେ ଦିବଂଗତ କବି ଓ ଲେଖକମାନଂକର ଜନ୍ମଦିନ ଓ ଶ୍ରାଦ୍ଧଦିନ ପାଳନ ହିଁ ମୁଖ୍ୟ ପ୍ରସଂଗ ହୋଇପଡ଼ିଲାଣି। ଏଗୁଡ଼ିକରେ ବକ୍ତାମାନେ ଗୋଟିଏ ପ୍ରକାର ଭାଷଣ ହିଁ ଦେଉଥିବା କଥା ଆମେ ଜାଣୁ। ଓଡ଼ିଶାର ଜନପ୍ରିୟ ବାଗ୍ମୀ ଭାବରେ ଏକଦା ପରିଚିତ ଗୌରୀକୁମାର ବ୍ରହ୍ମା, ହୃଦାନଂଦ ରାୟ, ଚଂଦ୍ରଶେଖର ରଥ ଥରେ ଆରଂଭ କଲେ ତିନି ଚାରି ଘଂଟା ଧରି ଅନର୍ଗଳ ଭାଷଣ ଦେଇ ପାରୁଥିଲେ। ଏବେ ସେମାନଂକ ଭଳି ବକ୍ତାଂକ ସଂଖ୍ୟା ଖୁବ୍ ବେଶି ନୁହେଁ।
ଉପେଂଦ୍ର ଭଂଜ, ଫକିର ମୋହନ ଓ ଗଂଗାଧରଂକ ବିଷୟରେ ଏତେ ବେଶି ପୁନରୁକ୍ତି କରାଯାଏ ଯେ ସେ ସବୁ ଶୁଣିବାକୁ କାହାରି ଧୈର୍ଯ ନ ଥାଏ। ଭାଷଣ ପରେ ପରେ ମନୋରଂଜନ କାର୍ଯକ୍ରମ ଓ ଭୋଜନ ବ୍ୟବସ୍ଥା ଥିବା ଯୋଗୁଁ ଶ୍ରୋତାଗଣ ଯେତେ ବିରକ୍ତି ସଂଚାରକ ହେଲେ ବି ସଭାସ୍ଥଳ ଛାଡ଼ି ପଳାଂତି ନାହିଁ।
ଖବରକାଗଜ ଓ ପତ୍ରିକା, ବହି ଇତ୍ୟାଦି ସଂବଂଧୀୟ ବେଉସା ହୋଇଥିଲେ ସୁଦ୍ଧା ଖବରକାଗଜରେ ବହିପତ୍ରକୁ ଗୁରୁତ୍ବ ବା ସ୍ଥାନ ମିଳେନାହିଁ। ଗୋଟିଏ ୨୫୦ ପୃଷ୍ଠିଆ ବହି ବିଷୟରେ କେବଳ ମଲାଟ ଚିତ୍ର, ଲେଖକ, ପ୍ରକାଶକଂକ ନାମ ଓ ମୂଲ୍ୟ ଇତ୍ୟାଦି ଉଲ୍ଲେଖ କରାଯାଏ। ବହିଟିକୁ ଆଦୌ ନ ପଢ଼ି ବି ଏପରି ସୂଚନା ବା ବିବରଣୀ ଲେଖାଯାଇଥାଏ। ପୁଣି ଖବରକାଗଜବାଲାଂକୁ ଦୁଇ, ତିନି ଖଂଡ଼ ବହି ନ ଯୋଗାଇଲେ ତହିଁର ସୂଚନା ସୁଦ୍ଧା ଦିଆଯାଏ ନାହିଁ। ତଥାକଥିତ ‘ବହି ଉନ୍ମୋଚନ’ ଉତ୍ସବରେ ବି ସାଂବାଦିକଗଣ ଉପସ୍ଥିତ ରହଂତିନାହିଁ। ମଂଚରେ ଥିବା ଆୟୋଜକ ଓ ଅତିଥିମାନେ ବହି ଦେଖାଇ ଫଟୋ ଉଠାଇବା ବେଳେ ହିଁ ପ୍ରେସ୍ର ଫଟୋଗ୍ରାଫର୍ମାନେ ଉପସ୍ଥିତ ଥାଆଂତି। ଫଟୋ ଉଠାଇବା ପରେ ଜଳଖିଆ ପ୍ୟାକେଟ୍ ଧରି ସେମାନେ ପଳାଂତି।

ବହି ପ୍ରତି ଅସ୍ପୃହା
ବହି ବିଷୟରେ କେବଳ ଲେଖକ ଓ ପ୍ରକାଶକଂକ ଛଡ଼ା ଅନ୍ୟ କାହାର ଆଗ୍ରହ ଥିଲା ଭଳି ମନେ ହୁଏନାହିଁ। ବହି ପ୍ରତି ଆମର ଜନସାଧାରଣଂକ ଏ ପ୍ରକାର ଅସ୍ପୃହା ଭାଷାର ବିକାଶ ପ୍ରତି ଯେ ହାନିକାରକ,ଏହା ବି କେହି ବୁଝଂତିନାହିଁ। ପୁରୁଣା ବହି ପ୍ରତି ଅତ୍ୟଧିକ ଅନୁରାଗ ଓ ଏବର ବହି ପ୍ରତି ବିରାଗ ଉଭୟ ଗୋଟିଏ ମଥାରେ ହିଁ ଥାଏ।
ଏବେ ଆଉ ପାଠାଗାରକୁ କେହି ଯିବାକୁ ପସଂଦ କରୁନାହାଂତି। ଶ୍ରୋତା ଇଚ୍ଛା ନ କଲେ ବି ତାଂକ କାନରେ ସଂଗୀତ ପଡ଼େ, ଦର୍ଶକ ଇଚ୍ଛା ନ କଲେ ବି ତାଂକୁ ବିବିଧ ଦୃଶ୍ୟ ଦିଶେ। କିଂତୁ ପାଠକ ଇଚ୍ଛା ନ କରିବା ପର୍ଯଂତ ବହିଟିଏ ‘ଅପଠିତ’ ହୋଇ କେବଳ କାଗଜ ତିଆରି ବସ୍ତୁ ପରି ପଡ଼ି ରହିଥାଏ।
କେବଳ ଲେଖିବା ଉଦ୍ଦେଶ୍ୟରେ ଯେଉଁ ଲେଖକ ଲେଖିରଖଂତି, ସେ ନିଜର ମନକୁ ପରିଚ୍ଛନ୍ନ ରଖିପାରଂତି। ବରାଦ ପାଇଲେ ଯେ ନିର୍ଦିଷ୍ଟ ସଂଖ୍ୟକ ପୃଷ୍ଠାର ପାଠ ନିର୍ଧାରିତ ସମୟରେ ଯୋଗାଇ ଦେଇ ପାରଂତି, ସେ ଲେଖାଲେଖିକୁ ଆୟକାରୀ ବୃତ୍ତି ଭାବରେ ଗ୍ରହଣ କରିଥାଂତି। ଓଡ଼ିଆରେ ବିଦ୍ୟାଳୟ ସ୍ତରୀୟ ‘ପ୍ରଶ୍ନୋତ୍ତର’ ବହି ଏହିମାନେ ଲେଖଂତି। ସେମାନେ ନିଜର ନାମ ଗୋପନ ରଖି ‘ଅଭିଜ୍ଞ ଅଧ୍ୟାପକ/ ଶିକ୍ଷକ/ ଲେଖକ’ ନାମ ସ୍ୱେଚ୍ଛାରେ ଗ୍ରହଣ କରଂତି। ଲେଖାଲେଖିରୁ ନୁଖୁରା ‘ମାନସମ୍ମାନ’ ନୁହେ, କଂଚା ‘ଧନ’ ହିଁ ତାଂକୁ ମିଳିଥାଏ। ଏପରି ବୃତ୍ତିଆଳ ଲେଖକଂକ ସଂଖ୍ୟା ଓଡ଼ିଆରେ କିଛି ଅଳ୍ପ ନୁହେ।
ଅନେକ ଶିକ୍ଷା ଓ ସାହିତ୍ୟ ଅନୁଷ୍ଠାନ ନିଜ ନିଜ ସ୍ଥିତିର ୨୫, ୫୦, ୭୫ ବା ୧୦୦ ବର୍ଷ ପୂରଣ କଲେ ପାରଂପରିକ ଢଂଗରେ ‘ଜୟଂତୀ’ ଉତ୍ସବ କରଂତି। ଏ ସବୁରେ ବହୁ ବିଶିଷ୍ଟ ଲୋକଂକର ଧାଡ଼ିଟିଏ ବାର୍ତା ଦେଖାଇବା ପାଇଁ ଗୋଟିଏ ପୂରା ପୃଷ୍ଠା ବ୍ୟୟ କରାଯାଏ। ଉତ୍ସବ ପାଳନ ଆଳରେ ହିଁ ଏ ରାଇଜରେ ବହୁପ୍ରକାର ଆର୍ଥିକ ଅସାଧୁତା ଓ ବିଶୃଂଖଳା ନିରଂତର ଚାଲିଛି। ଏହି କାର୍ଯ ଉପଲକ୍ଷେ ଯେଉଁ ‘ସ୍ମରଣିକା’ ମୁଦ୍ରିତ ହୁଏ, ତହିଁରେ ଅନାବଶ୍ୟକ ଭାବେ ଦୀର୍ଘାୟିତ ସ୍ମୃତିମୂଳକ ଆତ୍ମକଥା ଓ ଅଜସ୍ର ବିଜ୍ଞାପନ ହିଁ ଦେଖିବାକୁ ମିଳିଥାଏ। ଏପରି ଗ୍ରଂଥର ସଂପାଦକ ମଂଡଳୀରେ ଅନେକ ଲୋକଂକ ନାମ ଥାଏ, ଯଦିଓ କେଉଁ ଜଣକର ବି ‘ସଂପାଦନା’ କ୍ଷେତ୍ରରେ ଅଭିଜ୍ଞତା ମୋଟେ ନ ଥାଏ। ଏଗୁଡ଼ିକୁ ବାଛି ବାଛି ‘ଅପାଠକ’ମାନଂକ ମଧ୍ୟରେ ବାଂଟି ଦିଆଯାଏ।
ସାହିତ୍ୟର ଚାଖୁଣିଆ
ଚାହା ଚାଖୁଣିଆ, ମଦ ଚାଖୁଣିଆ ହେବା ପାଇଁ ଇଚ୍ଛୁକ ବ୍ୟକ୍ତିଂକୁ ସ୍ଵତଂତ୍ର ତାଲିମ ନେବାକୁ ପଡ଼େ। ଦୌଡ଼, ଡିଆଁ, ଖେଳକୁଦରେ ପରିଣାମ ନିର୍ଣୟକାରୀଂକୁ ବିଶେଷ ପ୍ରକାରେ ପ୍ରଶିକ୍ଷିତ ହେବାକୁ ପଡ଼େ। ଅଥଚ ସାହିତ୍ୟ କୃତିର ମୂଲ୍ୟାୟନକାରୀ ରୂପରେ ଯେ କୌଣସି ବ୍ୟକ୍ତି ଉଭା ହୋଇପାରେ। ଏଥିପାଇଁ ଯେହେତୁ କୌଣସି ମାନଦଂଡ ଏ ଯାଏଁ ନାହିଁ, ଏ କ୍ଷେତ୍ରରେ ଯଥେଚ୍ଛାଚାର ବଢ଼ିଚାଲିଛି। ଏବେ ଦ୍ବିଧାହୀନ ଭାବରେ କହିହେବ ଯେ, ବହୁବର୍ଷ ହେଲା ସାହିତ୍ୟ କ୍ଷେତ୍ରରେ ଅରାଜକତା ସୁପ୍ରତିଷ୍ଠିତ ହୋଇସାରିଛି।
ସାହିତ୍ୟ ଶବ୍ଦ-ଗଠିତ ରଚନା ହୋଇଥିଲେ ହେଁ ଆଗ୍ରହୀ ପାଠକ ମନରେ ଶବ୍ଦର ସରଳାର୍ଥ ନୁହେଁ, ଶବ୍ଦନିର୍ଭର ଭାବ ଜାତ ହୁଏ। ସାହିତ୍ୟ ଏହି ଭାବାଂତର ଘଟାଇବା ପାଇଁ ସହାୟକ ହୋଇଥାଏ।
କିଂତୁ ସତରେ ତାହା କେବେ କେଉଁଠି ହେଉଥିବାର ପ୍ରମାଣ ମିଳେନାହିଁ।
(ସମ୍ପାଦକଙ୍କ ଟିପ୍ପଣୀ: ଉପରୋକ୍ତ ରଚନାରେ ଅନୁସ୍ବାରର ପ୍ରୟୋଗ ଓ ଅନ୍ୟ କେତୋଟି ଶବ୍ଦର ବନାନ ଲେଖକଙ୍କର ନିଜସ୍ୱ ନୀତି ଅନୁସାରେ ହୋଇଛି।)
ଖୁବ ଉପାଦେୟ ଓ ଯୁଗପୋଯୋଗୀ ଲେଖା। ଅନୁଶୀଳନ ଯଥାର୍ଥ। ସାର୍ଙ୍କୁ ନମସ୍କାର।
ପ୍ରକୃତରେ ପ୍ରଫୁଲ୍ଲ ବାବୁଙ୍କ କଥା ପ୍ରଣିଧାନ ଯୋଗ୍ୟ।ଓଡ଼ିଆ ସାହିତ୍ୟ ବିଷୟରେ ଆଲୋଚନା କଲେ ସେ ଯାହା ଲେଖିଛନ୍ତି ତାହା ନିରାଟ ସତ।ତଥାପି ମନେହୁଏ ସେ ଯେପରି ଅନେକ କଥା କହି ନାହାନ୍ତି ଯାହା ପାଠକଙ୍କ ଉପରେ ଛାଡ଼ି ଦେଇଛନ୍ତି।ଲେଖକଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ ଖୋସାମତି ପାଇଁ ନୁହଁ ବରଂ ତାଙ୍କର କୃତି ପାଇଁ।