ଓଡ଼ିଆ ବହିର ପାଠକ

ଓଡ଼ିଆ ବହି ତଥାପି ବି ଏବେ ଜଣେ ‘ସୁଜ୍ଞାନୀ ଗ୍ରାହକ’ର ସନ୍ଧାନରେ ଅଛି।

ମାନସ ରଂଜନ ମହାପାତ୍ର

ଏକଦା ଆମାଜନ୍ ନଦୀର ଅବବାହିକାରେ ହେଲା ଏକ ଭୟଙ୍କର ବିମାନ ଦୁର୍ଘଟଣା। ସବୁ ଯାତ୍ରୀ ହେଲେ ନିହତ। ହେଲେ ରହସ୍ୟଜନକ ଭାବେ ଜଣେମାତ୍ର ଯାତ୍ରୀ କ୍ଷତବିକ୍ଷତ ହେଇ ଜଙ୍ଗଲ ଭିତରେ ପଡ଼ି ରହିଲେ। ନଦୀ କୂଳରେ ରହୁଥିବା ଜଣେ କେଉଟଙ୍କ ଆଖିରେ ପଡ଼ିଲେ ସେ। ଦୟାଳୁ କେଉଟ ତାଙ୍କୁ ଉଦ୍ଧାରକରି ନିଜ ଘରକୁ ଆଣି ତାଙ୍କ ଚିକିତ୍ସା କଲେ। କେତେଦିନର ସେବା ଶୁଶ୍ରୂଷା ପରେ ଯାତ୍ରୀଜଣକ ସୁସ୍ଥହେଲେ। ଦେଖିଲେ, କେଉଟଙ୍କ ପାଖରେ ଅଛି କିଛି ଚାର୍ଲସ ଡିକେନ୍‌ସଙ୍କ ବହି।

କେଉଟ ଅନୁରୋଧ କଲେ, ସେ ବହିରୁ ଗପସବୁ ପାଟିକରି ପଢ଼ିଲେ ସେ ଶୁଣିପାରିବେ। ସେ ଥିଲେ ନିରକ୍ଷର। ଯାତ୍ରୀଜଣକ ଥିଲେ ଜଣେ ପ୍ରଫେସର। ସେ କେଉଟଙ୍କ କଥାରଖି ଗପଗୁଡ଼ିକ ପଢ଼ିଚାଲିଲେ।
ସେ ବହିଗୁଡ଼ିକ କେଉଟ କେଉଁଠୁ ପାଇଥିବ ଜଣାନାହିଁ। ଆଉ କେଉଁ ଦୁର୍ଘଟଣାର ମୃତ ଯାତ୍ରୀଙ୍କ ବ୍ୟାଗରୁ ସେ ବହିତକ ସେ ପାଇଥିବ ହୁଏତ। ମାସ ମାସ ବିତିଗଲା। ବହିପଢ଼ା ଚାଲିଲା। ବହି କ’ଣ, ସେକଥା କେଉଟ ହୁଏତ ଜାଣିନଥିଲେ, ହେଲେ ଗପ ଶୁଣିବାର ଆଗ୍ରହ ତାଙ୍କର ଥିଲା। ମଝିରେ ଥରେ ଦି’ଥର ଉଦ୍ଧାରକାରୀ ଦଳଙ୍କ ସହ ତାଙ୍କର ଦେଖାହେଲା। ହେଲେ, ଗପ ଶୁଣିବାର ଆଗ୍ରହ ଏତେ ଅଧିକ ଥିଲା ଯେ, ସେ ଯାତ୍ରୀଙ୍କ ବିଷୟରେ ସୂଚନା ଦେଲେନାହିଁ।
ମାସ ମାସ ବିତିଗଲା। ବହିପଢ଼ା ସରିଗଲା। ମନରୁ କିଛି ଗପ ଯାତ୍ରୀ କହିଲେ। କେଉଟ ବି ପୂର୍ବରୁ ଶୁଣିଥିବା କିଛି ଡିକେନ୍‌ସଙ୍କ ଗପ ଯାତ୍ରୀଙ୍କୁ କହିଲେ। ଏ ଭିତରେ ନୂଆ ଉଦ୍ଧାରକାରୀ ଦଳ ଠାବକଲେ, ଦୁର୍ଘଟଣାଗ୍ରସ୍ତ ବିମାନର ବଞ୍ଚି ଯାଇଥିବା ଏକମାତ୍ର ଯାତ୍ରୀଙ୍କୁ।
ଯାତ୍ରୀଜଣକ ତା’ପରେ କୁଆଡ଼େଗଲେ ଜଣାନାହିଁ। କେଉଟ ବି କୁଆଡ଼େ ଗଲେ? ହୁଏତ ଗପ ଶୁଣୁ ଶୁଣୁ ସେ ନୂଆ ସୃଜିବାରେ ଲାଗି ଯାଇଥିଲେ।
ବଙ୍ଗଳା ଭାଷାରେ ଜଣେ ସେହିପରି ଲେଖକ ଥିଲେ। ସେ ବି ଥିଲେ କେଉଟ। ତାଙ୍କ ନାଁ ଅଦ୍ୱୈତ ମଲବର୍ମନ। କିଛି ପାଠ ପଢ଼ିଥିଲେ। ଗୋଟିଏ ଉପନ୍ୟାସ ସେ ଲେଖିଲେ। ପ୍ରକାଶନର ସୁବିଧା ନଥିଲା। ନିଜ କେଉଟ ଭାଇମାନଙ୍କୁ ସେ ଗପଟି ଶୁଣାଇଲେ। ଉପନ୍ୟାସର କାହାଣୀ। ସେ ଉପନ୍ୟାସର ନାମ ‘ତିତାସ ଏକ୍‌ଟି ନଦୀର ନାମ’।
ପଦ୍ମା ନଦୀକୂଳର ସେ କେଉଟ ସମୟ କୋଳରେ କୁଆଡ଼େ ହଜିଗଲେ। ଅନେକ ବର୍ଷ ପରେ ସେ ଉପନ୍ୟାସର କାହାଣୀ ଶୁଣି ଜଣେ ପ୍ରକାଶକ ତାଙ୍କ ଗାଆଁକୁ ଆସି ସେ ବହିର ପାଣ୍ଡୁଲିପି ପାଇଲେ। ସେତେବେଳକୁ ଅଦ୍ୱୈତ ମଲବର୍ମନ ଏ ପୃଥିବୀରେ ନଥାନ୍ତି। ତାଙ୍କର ପରିବାର ବୋଲି କିଛି ନଥିଲା। ପ୍ରକାଶକ ବହିଟି ଛାପିଲେ। ସମୟକ୍ରମେ ଜଣେ ଚଳଚ୍ଚିତ୍ର ନିର୍ମାତା ସେ ଉପନ୍ୟାସର କାହାଣୀକୁ ନେଇ ଛବିଟିଏ ନିର୍ମାଣ କଲେ। ତାହା ଜାତୀୟ ପୁରସ୍କାର ପାଇଲା। ନବେ ଦଶକରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ ଏଇ ଉପନ୍ୟାସଟି ଭାରତୀୟ ଭାଷାମାନଙ୍କରେ ପ୍ରକାଶ କରିଛନ୍ତି।
ସର୍ବକାଳୀନ ଆଦର
ବହିର ପାଠକ, ବହିକୁ ଭଲପାଉଥିବା ଲୋକେ ସବୁ କାଳରେ ଥିଲେ। ଭଲ ପାଠକ ନିଜ ପଠନ ପ୍ରବୃତ୍ତିର ପ୍ରଚାର କରେନାହିଁ। ଭଲ ବହିର ବିଜ୍ଞାନ ଦରକାର ହୁଏନାହିଁ। ଆଜିଠୁ ଛଅ ଦଶକ ଆଗେ ‘ସହକାର’ ପତ୍ରିକା ପକ୍ଷରୁ ଏକ ପାଠକୀୟ ସର୍ବେକ୍ଷଣ କରାଯାଇଥିଲା। ସର୍ବେକ୍ଷଣରେ ଓଡ଼ିଆ ଭାଷାରେ ସେତେବେଳ ସବୁଠୁ ଲୋକପ୍ରିୟ କଥାକାର ମନୋଜ ଦାସ ଥିଲେ ବୋଲି ଜଣାପଡ଼ିଥିଲା। ମୋ’ ଜାଣିବାରେ ସେଭଳି ଲୋକପ୍ରିୟତାର ସର୍ବେକ୍ଷଣ ଆଉଥରେ ହୋଇନାହିଁ। ତେବେ, ନବେ ଦଶକରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ ପକ୍ଷରୁ ଓଡ଼ିଶାରେ ହୋଇଥିବା ପୁସ୍ତକ ପରିକ୍ରମାରେ ମନୋଜ ଦାସଙ୍କ ଗଳ୍ପ ପୁସ୍ତକମାନ ବହୁଳ ସଂଖ୍ୟାରେ ବିକ୍ରି ହୋଇଥିଲା। ଏହି ଲେଖକ ସେହି ପୁସ୍ତକ ପରିକ୍ରମାର ସଂଯୋଜକ ଥିଲା। ମନୋଜ ଦାସଙ୍କ ବହିର କ୍ରେତା-ପାଠକ ଅଧିକାଂଶ ଥିଲେ ଉପାନ୍ତ ଅଞ୍ଚଳର। ତେବେ ବହି ବିକ୍ରିର ଅର୍ଥ ପାଠକୀୟ ଲୋକପ୍ରିୟତା ନୁହେଁ। ସରକାରୀ ଅନୁଦାନରେ କିଣାଯାଇଥିବା ଲକ୍ଷ ଲକ୍ଷ ବହି ହୁଏତ କାର୍ଟୁନ ବକ୍ସ, ବସ୍ତା, ଆଲମିରା ବା ଲାଇବ୍ରେରୀ କକ୍ଷରେ ବନ୍ଧାହୋଇ ଶଢ଼ୁଥାନ୍ତି। ଅନେକ ତଥାକଥିତ ଲେଖକଙ୍କ ବିପୁଳ ପୁରସ୍କାରପ୍ରାପ୍ତ ବହି କେବଳ ଆଲମିରାର ଶୋଭାବର୍ଦ୍ଧନ କରେ, ପାଠକ ତା’ଠୁଁ ଥାଏ ଅନେକ ଦୂରରେ।
ଗୁଣାଢ଼୍ୟଙ୍କ ‘ବୃହତ କଥା’ ବା ‘କଥା ସରିତ ସାଗର’ ଏଇଠି ଆଲୋଚନା କରିବା। ସେ ସମୟର ରାଜଭାଷା ଥିଲା ସଂସ୍କୃତ, କିନ୍ତୁ ଗୁଣାଢ଼୍ୟ ଲୋକଭାଷା ‘ପୈଶାଚି’ରେ ଲେଖିଥିଲେ। ତତ୍କାଳୀନରାଜା ଏହାକୁ ମନୋଯୋଗ ଦେଇ ଶୁଣିଲେ ନାହିଁ। ଗୁଣାଢ଼୍ୟ କ୍ଷୁବ୍‌ଧ ହୋଇ ନିଜ ପାଣ୍ଡୁଲିପିମାନଙ୍କୁ ଜଳେଇଦେବା ଆରମ୍ଭ କଲେ। ଏ ଖବର ରାଜାଙ୍କ ପାଖରେ ପହଞ୍ଚିଲା। କ୍ଷୁବ୍‌ଧ ଲେଖକଙ୍କୁ ବୁଝେଇବାକୁ ରାଜା ପହଞ୍ଚିଲା ବେଳକୁ ପାଣ୍ଡୁଲିପିର ସତୁରିଭାଗ ପୋଡ଼ି ପାଉଁଶ ହୋଇଗଲାଣି।
ରାଜକୀୟ ଅନାଗ୍ରହରୁ ପୃଥିବୀର ଅନେକ ପାଠାଗାର ଧ୍ୱଂସ ପାଇଯାଇଛି। ବେବିଲୋନ୍ ବା ଆଲେକ୍‌ଜାଣ୍ଡ୍ରିଆର ପାଠାଗାରଠାରୁ ଆମ ସମୟର ରଘୁନନ୍ଦନ ପାଠାଗାର ପର୍ଯ୍ୟନ୍ତ ରାଜକୀୟ ଅନାଗ୍ରହର ଶିକାର। ଦାଶରଥୀ ପଟ୍ଟନାୟକଙ୍କ ଯଦୁମଣି ସାହିତ୍ୟ ସଂସଦର ପାଠାଗାର ଗ୍ରାମାଞ୍ଚଳରେ ପଡ଼ିରହିଛି। ସାରା ପୃଥିବୀରେ ଅଜସ୍ର ବହିମେଳା ହେଉଛି। ବହି ବା ଏହାର ଅଧିକାର ସ୍ୱତ୍ତ୍ୱ ବିକ୍ରି ହେଉଛି, ମାତ୍ର ବୈଦ୍ୟୁତିକ ଗଣମାଧ୍ୟମର ଯୁଗରେ ପାଠକ ହଜିଯାଇଛି। ଓଡ଼ିଆ ପ୍ରକାଶକ ବିଜୟ କୁମାର ମହାପାତ୍ର ପୃଥିବୀର ବିଭିନ୍ନ ବହି ମେଳାରେ ଭାଗ ନିଅନ୍ତି ଏବଂ ଓଡ଼ିଆ ବହି ସାଙ୍ଗରେ ନିଅନ୍ତି। ବହିମେଳା ଶେଷରେ ତାଙ୍କୁ ଓଡ଼ିଆ ବହି ବାଣ୍ଟିବାକୁ ପଡ଼େ। ଆମ ପରବର୍ତ୍ତୀ ପିଢ଼ିର ପିଲାମାନେ ମାତୃଭାଷାର ବହି ପଢ଼ନ୍ତି ନାହିଁ।


ଶିକ୍ଷାନୁଷ୍ଠାନର ଭୂମିକା
ଓଡ଼ିଶାରେ ସରକାରୀ, ଘରୋଇ ଓ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ ସଂଖ୍ୟା ୧୦ ହଜାରରୁ ଅଧିକ। ଜୁନିଅର କଲେଜ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଆ ପାଠ୍ୟ ବିଷୟ ଥିବା ପବ୍ଲିକ୍ ସ୍କୁଲ ସଂଖ୍ୟା ପାଞ୍ଚ ହଜାରରୁ ଅଧିକ। ଏବେ ଓଡ଼ିଆ ଅନର୍ସ ଓ ସ୍ନାତକୋତ୍ତର ପଢ଼ିବା ପାଇଁ ଛାତ୍ରବୃତ୍ତି ବି ସରକାର ଦେଲେଣି। ଓଡ଼ିଆ ଖବରକାଗଜ (ସରକାରୀ ବିଜ୍ଞାପନ ପାଉଥିବା ଦୈନିକ, ସାପ୍ତାହିକ, ପାକ୍ଷିକ ତଥା ମାସିକ) ସଂଖ୍ୟା ପାଞ୍ଚଶହ ପାଖାପାଖି। ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ରାଜ୍ୟ ହେବାକୁ ଆଉ ଦଶବର୍ଷ ପରେ ଶହେ ବର୍ଷ ହେବ। ସରକାରୀ କାଗଜପତ୍ରରେ ନବକୃଷ୍ଣ ଚୌଧୁରୀଙ୍କଠାରୁ ଏଯାଏଁ ଓଡ଼ିଆ ସରକାରୀ ଭାଷା, ଓଡ଼ିଆ ପ୍ରକାଶକଙ୍କ ସଂଖ୍ୟା (ରାଜା ରାମମୋହନ ରାୟ ପାଠାଗାର ପରିଯୋଜନା ମୁତାବକ) ପ୍ରାୟ ହଜାରେ। ସ୍କୁଲ ଶିକ୍ଷା (ଓସେପା) ବହିକିଣାରେ ଉପକୃତ ପ୍ରକାଶକଙ୍କ ସଂଖ୍ୟା ଦିନକୁଦିନ ବଢ଼ି ଚାଲିଛି। ହେଲେ, ଆମ ବହିର ପାଠକ ସଂଖ୍ୟା ଇଂରାଜୀ ତୁଳନାରେ କମିଯିବାର କାରଣ କ’ଣ? ଚାଲନ୍ତୁ, ଏ ବିଷୟରେ ଏକ ମୁକ୍ତ ଆଲୋଚନା କରିବା। ମୋ’ ମତରେ, ନିମ୍ନୋକ୍ତ କାରଣମାନଙ୍କ ଯୋଗୁଁ ଆମେ ଛାତ୍ର ଅବସ୍ଥାରୁ ପିଲାମାନଙ୍କ ପଠନ ପ୍ରବୃତ୍ତି ବଢ଼ାଇପାରୁନାହୁଁ ଏବଂ ଫଳତଃ ସେମାନେ ଜୀବନସାରା ଭଲ ପାଠକଟିଏ ହୋଇପାରୁ ନାହାନ୍ତି।
୧. ବିଭିନ୍ନ ପ୍ରକାରର ବହିର ଅଭାବ
ଧୀରେ ଧୀରେ ଜ୍ଞାନର ବିଭିନ୍ନ ଭାଗ ବିଷୟରେ ଜାଣିବା ପାଇଁ ବହି ଏକ ପ୍ରକୃଷ୍ଟ ମାଧ୍ୟମ। ଏବେ ଇଂରାଜୀ, ହିନ୍ଦୀ, ବଙ୍ଗଳା ଓ ମରାଠୀ ଭାଷାରେ ପାଠକୀୟ ରୁଚିକୁ ନଜରରେ ରଖି ବିଭିନ୍ନ ପ୍ରକାର ବହି ପ୍ରକାଶିତ ହେଲାଣି। ତଦନୁରୂପ ଏକ ନୂତନ ଲେଖକ ଗୋଷ୍ଠୀ ବି ଗଢ଼ିଉଠିଛି। ସେହି ଅନୁସାରେ ଅଭିଧାନ ବି ତିଆରି ହେଲାଣି। ବିଶେଷଜ୍ଞମାନେ ବି ସେଇ ଅନୁସାରେ ଆସିଗଲେଣି। ମାତ୍ର ଓଡ଼ିଆ ଭାଷାରେ ଏହାର ବିକାଶ ଅତ୍ୟନ୍ତ ମନ୍ଥର। ଭାରତୀୟ ଭାଷାରେ ବିଜ୍ଞାନ ସାହିତ୍ୟ ପ୍ରକାଶନରେ ଓଡ଼ିଆ ଏକଦା ଅଗ୍ରଣୀଥିଲା। ପଚାଶ ବର୍ଷ ତଳେ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ଆକାଶକୁ ସାତୋଟି ପାହାଚ’ ଲୋକପ୍ରିୟ ବିଜ୍ଞାନ କାହାଣୀ ଭାବେ ଲୋକପ୍ରିୟ ହୋଇପାରିଥିଲା।
୨. ମୁଦ୍ରଣ ତ୍ରୁଟି
ଏକଦା ଓଡ଼ିଆ ପ୍ରକାଶକମାନେ ନିଜ ପ୍ରକାଶିତ ବହିର ପ୍ରୁଫ୍ ନିଜେ ଦେଖୁଥିଲେ। ପଣ୍ଡିତ ଶ୍ରୀଧର ମହାପାତ୍ର, ଅଭିରାମ ମହାପାତ୍ର ଓ ଅନନ୍ତ ମିଶ୍ର ଥିଲେ ନିଜ କାଳର ସର୍ବଶ୍ରେଷ୍ଠ ପ୍ରୁଫ୍ ପଢ଼ିପାରୁଥିବା ପ୍ରକାଶକ। ନୁରି ମିଶ୍ର ଓ ମହେନ୍ଦ୍ର ମିଶ୍ର ଏବେବି ଅଛନ୍ତି। ଏ ସମୟର ପ୍ରକାଶକମାନଙ୍କର ଏମାନଙ୍କଠାରୁ ଅନେକ କିଛି ଶିଖିବାର ଅଛି।
ଏବେ ମୁଦ୍ରଣ ତ୍ରୁଟିହୀନ ଓଡ଼ିଆ ବହି ବା ପତ୍ରିକାଟିଏ ପାଇବା କଷ୍ଟ। ନିକଟରେ ଓଡ଼ିଆ ସାହିତ୍ୟ ଏକାଡେମୀର ପୁସ୍ତକଟିଏ ଦେଖିଥିଲି। ପ୍ରତି ପୃଷ୍ଠାରେ ମୁଦ୍ରଣ ପ୍ରମାଦ। ଖବରକାଗଜ ସାରା ମୁଦ୍ରଣ ତ୍ରୁଟିଭରା। ଆମେ ଏକଦା ନିର୍ଭୁଲ ମୁଦ୍ରଣ ପାଇଁ ‘ସମାଜ’ ପଢ଼ୁଥିଲୁ। ଏବେ ପ୍ରତି ଖବରକାଗଜ ବିଜ୍ଞାପନର କାଗଜ। ‘ସମାଜ’ର ପ୍ରତି ଲେଖାରେ ଏକାଧିକ ମୁଦ୍ରଣ ତ୍ରୁଟିା
ମୁଦ୍ରଣ ତ୍ରୁଟି ପାଠକଙ୍କ ପଢ଼ିବାର ଆଗ୍ରହ ହ୍ରାସ କରେ। ଓଡ଼ିଆରେ ଏମିତିପାଠକ କମିଯାଉଛନ୍ତି। ବହିଗୁଡ଼ିକରେ ଅନେକ ମୁଦ୍ରଣ ତ୍ରୁଟି ରହିଲେ, ପାଠକବର୍ଗ କମିଯିବେ, ଏଥିରେ ସନ୍ଦେହନାହିଁ।
୩. ପୁସ୍ତକଧାରା ବା ସିରିଜ୍‌
ବିଷୟର କ୍ରମବଦ୍ଧତା ପାଠକଙ୍କୁ ଅଧିକ ପଢ଼ିବାକୁ ପ୍ରୋତ୍ସାହିତ କରେ। ପଞ୍ଚତନ୍ତ୍ର, ଜାତକ, ହିତୋପଦେଶ, ଆରବ୍ୟ ରଜନୀର କାହାଣୀ, ଆଣ୍ଡରସନ କାହାଣୀ, ଗ୍ରୀମ୍ ଭାଇଙ୍କ କଥାମାନ ଏହାର ଉଦାହରଣ। ଆମ ସମୟରେ ଆମେ ହାରି ପୋଟର କଥାମାଳାର ସଫଳତା ଦେଖିଲୁ। ମୋ’ ପିଲାଦିନେ ବିଶ୍ୱସାହିତ୍ୟ ଗ୍ରନ୍ଥମାଳା, ଉଦୟନାଥ ଷଡଙ୍ଗୀଙ୍କ ଅନୂଦିତ ‘ଟମକଙ୍କାଳ କୁଟୀର’, ‘ଶୁଆ-ଶାରୀ’ କାହାଣୀ, ‘ଅବୋଲକରା’ କାହାଣୀ, ‘ଦଶ କୁମାର ଚରିତ’ ଏକ କ୍ରମବର୍ଦ୍ଧିଷ୍ଣୁ ପାଠକ ଗୋଷ୍ଠୀ ତିଆରି କରିବା ମୁଁ ଦେଖିଛି। ଏବେ ସେ ପ୍ରକାରର ମୌଳିକ ରଚନାକ୍ରମ ବା ସିରିଜ୍ ପ୍ରାୟ ନାହିଁ ବୋଲି କହିବାକୁ ପଡ଼ିବ। ଓଡ଼ିଆ ବହିର ପାଠକ କ୍ରମିକ ରଚନା ବା ସିରିଜ୍ ପ୍ରତି ଅଧିକ ଆଗ୍ରହ ଦେଖାନ୍ତି।
୪. ପୁସ୍ତକ ପ୍ରସାରରେ ସଂକଟ
ଆଗେ ପୁସ୍ତକ ଉନ୍ମୋଚନ ଉତ୍ସବ ଏକ ସ୍କୁଲ, କଲେଜ ବା ସର୍ବସାଧାରଣ ସ୍ଥାନରେ ହେଉଥିଲା। ଏବେ ତାରକା ଖଚିତ ହୋଟେଲରେ ପୁସ୍ତକ ଉନ୍ମୋଚନ, ସାହିତ୍ୟ ଉତ୍ସବ ଓ ସାହିତ୍ୟ ସଭାମାନ ହେବା ଫଳରେ ପ୍ରବେଶ ସୀମିତ ତଥା ନିର୍ଦ୍ଦିଷ୍ଟ ନିମନ୍ତ୍ରିତ ବ୍ୟକ୍ତିମାନଙ୍କ ପାଇଁ ହେବା ଫଳରେ ସାଧାରଣ ପାଠକ ପାଖରେ ବହି ପହଞ୍ଚିବାରେ ସମସ୍ୟା ହେଉଛି। ପୁସ୍ତକ ଉନ୍ମୋଚନ ଉତ୍ସବରେ ମାଗଣାରେ ବହି ବଣ୍ଟାଯାଉଥିବାରୁ ବହିର ତଥା ପଠନ ରୁଚିର ଅପମାନ ହେଉଛି।
ନିଶାନ୍ତ, ଅନୁଶୀଳନ ବା ସୀମା ପରି ସୁସଜ୍ଜିତ ପତ୍ରିକା ଏକଦା ପାଠକୀୟ ଆଦୃତିଲାଭ କରିଥିଲା। ଏବେ ପ୍ରକାଶିତ ଓଡ଼ିଆ ବହିମାନଙ୍କ ମଧ୍ୟରୁ ପଶ୍ଚିମା, ପକ୍ଷୀଘର, ଟାଇମ୍ ପାସ୍ ଓ ପେନ୍ ଇନ୍‌ ପ୍ରକାଶନ ସଂସ୍ଥାର ପ୍ରକାଶନଗୁଡ଼ିକ ଅନବଦ୍ୟ। ତେବେ ପ୍ରକାଶନ ଜଗତ ଏବେ ଏତେ ବ୍ୟାପକ ଓ ବହୁବିଧ ଯେ ଏହାର ଚୂଡ଼ାନ୍ତ ମାନ ନିର୍ଦ୍ଧାରଣ କରାଯାଇପାରିବ ନାହିଁ। ସରଳ ଦାସଙ୍କ ‘ପାଠକ ନିର୍ବାଚିତ ଗଳ୍ପ’ ଏ ଦିଗରେ ଏକ ଉଲ୍ଲେଖଯୋଗ୍ୟ ପ୍ରୟାସ। ପାଠକୀୟ ରୁଚି ଯେ ସାହିତ୍ୟ କୃତିର ଆଦୃତି ନିର୍ଦ୍ଧାରଣ କରେ, ଏହି ପ୍ରୟାସ ଏ ଧାରଣାକୁ ପ୍ରତିପାଦିତ କରିଛି। ତେବେ ଏହାର ଗଣତାନ୍ତ୍ରିକତା ଏବେବି ସ୍ଥାପିତ ହେବାକୁ ଅପେକ୍ଷା ରହିଛି।
ଓଡ଼ିଆ ବହି ତଥାପି ବି ଏବେ ଜଣେ ‘ସୁଜ୍ଞାନୀ ଗ୍ରାହକ’ର ସନ୍ଧାନରେ ଅଛି। ସରକାରୀ କିଣା ଉପରେ ନିର୍ଭରକରି ଏବେ ବି ଓଡ଼ିଆ ପ୍ରକାଶନ ଶିଳ୍ପ ବଞ୍ଚି ରହିଛି। ପୁସ୍ତକ ମେଳା ଲୋକମାନେ ବନ୍ଧୁମିଳନ ବା ସମୟ କଟେଇବା ପାଇଁ ଯାଉଛନ୍ତି। ଚାହା ଖଟି ଏବେ ପ୍ରାୟ ନାହିଁ। କଲିକତାର କଲେଜ ସ୍କୋୟାରର ପାଠକ ଭିଡ଼ ବା ଲେଖକ, ପାଠକମାନଙ୍କର କଫି ହାଉସର ଆଡ୍ଡାକୁ ଏବେ ଭୁବନେଶ୍ୱର ସଞ୍ଜ ଚାହିଁ ବସିଛି।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୬ ସଂଖ୍ୟାରେ ପ୍ରକାଶିତ। )

One thought on “ଓଡ଼ିଆ ବହିର ପାଠକ

  1. ଗୋଟିଏ କଥା ଏବେ ଭାରି ଶୁଣିବାକୁ ମିଳୁଛି, ବହି ପଢୁଛି କିଏ ! ମୋବାଇଲରେ ତ ସବୁ ମିଳୁଛି। ମାତ୍ର ବହି ପଢ଼ିଲେ ଯେ ଅନ୍ୟଏକ ପ୍ରକାର ଆନନ୍ଦ ଆଉ ଆତ୍ମତୃପ୍ତି ମିଳିଥାଏ, ତାହା ସମସ୍ତେ ଅନୁଭବ କରିପାରିବେନି।
    ଓଡ଼ିଆ ବହିର ପାଠକ କିଛି କିଛି ବଢ଼ୁଛନ୍ତି ବୋଧହୁଏ। ନହେଲେ ପୁସ୍ତକମେଳାରେ ଏତେ ଭିଡ ହୁଅନ୍ତାନି। ଏତେ ଟଙ୍କାର ବହି ବିକ୍ରୀ ହୁଅନ୍ତାନି!!
    ନୂଆ ବହି ସହ ପୁରୁଣା ବହିର ଉଦ୍ଧାର ତଥା ପୁନଃ ମୁଦ୍ରଣ କରାଗଲେ ସବୁ ପାଠକଙ୍କ ପାଖରେ ଆରାମରେ ପହଞ୍ଚି ପାରନ୍ତା।
    ହରେକୃଷ୍ଣ ମହତାବଙ୍କ ଓଡ଼ିଶା ଇତିହାସ ବହିଟି ଖୋଜି ଖୋଜି ଶେଷରେ ପାଇଲି ରାଜ୍ୟ ଗ୍ରନ୍ଥାଗାରରେ। କୌଣସି ବହି ଦୋକାନରେ ଏହାର ପୁନଃମୁଦ୍ରିତ ବହିଟି ମିଳିଲାନାହିଁ। ଶେଷରେ ପାଇଲି ପ୍ରଜାତନ୍ତ୍ର ଅଫିସ୍, କଟକରୁ।
    ଯଦି ଏହାକୁ ଅଧିକ ମାତ୍ରାରେ ବଜାରକୁ ଛଡାଯାଇଥାଆନ୍ତା, ତେବେ ଏଇଭଳି ହଇରାଣ ହୋଇନଥାନ୍ତି।

Leave a Reply

Your email address will not be published. Required fields are marked *