ଲେଖକମାନେ ହେଉଛନ୍ତି ଜଣେ ଜଣେ ଦୂରଦ୍ରଷ୍ଟା; ସେମାନେ ବହୁତ କଥା ପୂର୍ବରୁ ଅନୁମାନ କରିନେଇପାରନ୍ତି।

ଆନଂଦ ଚଂଦ୍ର ପହି ଜଣେ ବରିଷ୍ଠ ନାଟ୍ୟକାର ଓ କଥାକାର ଭାବରେ ଓଡ଼ିଆ ସାରସ୍ୱତ ଜଗତରେ ସୁପରିଚିତ। ୧୯୪୬ ମସିହାରେ ଜନ୍ମିତ ଏହି ପ୍ରତିଭାଧରଙ୍କ ଏ ଯାବତ ପ୍ରାୟ ୫୦ଟି ପୁସ୍ତକ ପ୍ରକାଶିତ। ସେ ଓଡ଼ିଶା ରାଜ୍ୟ ସଚିବାଳୟରେ ୩୪ ବର୍ଷ କାଳ ନିଜର ଚାକିରି ଜୀବନ ବିତାଇବା ପରେ ୨୦୦୪ ମସିହାରେ ଅବସର ଗ୍ରହଣ କରିଥିଲେ। ନିଜର ନାଟକ ‘ପ୍ରତୀକ୍ଷାରେ ପରୀକ୍ଷିତ’ ପାଇଁ ସେ ୧୯୯୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ। ତାଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି ‘ସାହିତ୍ୟ ଚର୍ଚ୍ଚା‘ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ସାହିତ୍ୟ ପ୍ରତି ଆପଣଙ୍କର ଆକର୍ଷଣ ପ୍ରବଳ। ଆମେ ଲକ୍ଷ୍ୟ କରିଛୁ ଯେ ଆପଣଙ୍କର ଗୋଡ଼ରେ କିଛି ଶାରୀରିକ ଅସୁବିଧା ଥିବା ସତ୍ତ୍ୱେ ଆପଣ ନିଜର ଆଶାବାଡ଼ିଟିକୁ ସ୍କୁଟରରେ ଲଦି ପ୍ରତିମାସରେ ‘ବନ୍ଧୁଘର ସାହିତ୍ୟ ପିଣ୍ଡା’ରେ ଯଥା ସମୟରେ ପହଞ୍ଚିଯାଆନ୍ତି।
ଆନଂଦ ଚଂଦ୍ର ପହି: ବର୍ତ୍ତମାନ ଜୀବନରେ ମୋ’ର ସାହିତ୍ୟ ବ୍ୟତୀତ ଆଉ କିଛି କାମ ନାହିଁ ନା! ୨୧ ବର୍ଷ ହେଲାଣି ଅବସର ନେବାର, ସାହିତ୍ୟ ସାଧନା ବର୍ତ୍ତମାନ ମୋ ଜୀବନର ଏକମାତ୍ର ଲକ୍ଷ୍ୟ।
ସାହିତ୍ୟ ଚର୍ଚ୍ଚା: ଏଥିରେ ଆପଣଙ୍କର ଅସୁସ୍ଥତା କିଛି ପ୍ରତିବନ୍ଧକ ସୃଷ୍ଟି କରୁନାହିଁ ତ !
ଆନଂଦ ଚଂଦ୍ର ପହି: ବରଂ ଅସୁସ୍ଥତା ଦୂର ହେଉଛି ଏହିଥିରେ। ମୁଁ ଏଥିରେ ବୁଡ଼ି ରହିଲେ ଦେହ କ’ଣ ହେଉଛି, କ’ଣ ନାହିଁ, ଭୁଲିଯାଉଛି। ଏ ବୟସରେ ଲେଖା ଆଉ ପଢ଼ା ନ ଥିଲେ ତ ପାଗଳ ହୋଇଯିବ ମଣିଷ।
ସାହିତ୍ୟ ଚର୍ଚ୍ଚା: ଆପଣ ନିଜର ନାଁ’ଟିରେ ଅନୁସ୍ୱାର ଲଗାଇବାର ଧାରା କେବେଠାରୁ ଆରମ୍ଭ କଲେ? କାରଣ ଆପଣଙ୍କ ପ୍ରଥମ ପର୍ଯ୍ୟାୟର କିଛି ବହି ଅଛି ଯେଉଁଥିରେ ଏଭଳି ଲେଖାଯାଇନାହିଁ। ଉଦାହରଣ ସ୍ୱରୂପ ୧୯୯୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଆପଣଙ୍କ ବହିରେ ଆପଣଙ୍କ ନାମ ‘ଆନଂଦ ଚଂଦ୍ର’ ପରିବର୍ତ୍ତେ ‘ଆନନ୍ଦ ଚନ୍ଦ୍ର’ ବୋଲି ଅଛି।
ଆନଂଦ ଚଂଦ୍ର ପହି: ମୋ’ ନାଁ’ର ଗୋଟିଏ ସ୍ୱତନ୍ତ୍ରତା ରଖିବା ପାଇଁ ମୁଁ ପରେ ଏହା କରିଛି। ପୂର୍ବରୁ ମୁଁ ଏହା ଲେଖୁ ନଥିଲି। ପରେ ଦେଖିଲି ଯେ ଆନନ୍ଦ ଚନ୍ଦ୍ର ନାମରେ ବହୁତ ଜଣ ଅଛନ୍ତି; ତେଣୁ ନିଜର ନାଁ’ଟିକୁ ଟିକିଏ ନିଆରା କରିବା ପାଇଁ ଏହା ବଦଳାଇଲି।
ସାହିତ୍ୟ ଚର୍ଚ୍ଚା: ନିଜର ନାଁ’ରେ ତ ଆପଣ ଅନୁସ୍ୱାର ଦେଲେ; କିନ୍ତୁ ତାହାର ଅର୍ଥ ନୁହେଁ ଯେ ନିଜର କୌଣସି ବହିର ପାଠରେ ମଧ୍ୟ ଆପଣ ଏପରି ଅନୁସ୍ୱାର ଲଗାଇ ଯୁକ୍ତାକ୍ଷର ଗଢ଼ୁଥିବେ !
ଆନଂଦ ଚଂଦ୍ର ପହି: ନା ଏପରି ହୋଇନାହିଁ। କେବଳ ନିଜ ନାଁ’ରେ ଏହା କରିଛି।
ସାହିତ୍ୟ ଚର୍ଚ୍ଚା: ଆପଣ ନିଜର ଲେଖକୀୟ ଜୀବନ ଆରମ୍ଭ କଲେ କ୍ଷୁଦ୍ରଗଳ୍ପରୁ। ଏହି ବିଭାଗରେ ନିଜକୁ ପ୍ରତିଷ୍ଠିତ କରିବା ପରେ ବି ନିଜକୁ କାହିଁକି ସ୍ଥାନାନ୍ତରିତ କଲେ ନାଟକ ବିଭାଗ ଭିତରକୁ?
ଆନଂଦ ଚଂଦ୍ର ପହି: ମୁଁ ଯେତେବେଳେ ଲେଖିବାକୁ ଆରମ୍ଭ କଲି, ସେଇଟା ହେଉଛି ୧୯୭୫ ମସିହା ପରର କଥା। ସେତେବେଳେ ଦେଖିଲି ଯେ ସବୁ ଦୁର୍ବୋଧ୍ୟ। ନାଟକଠାରୁ ନେଇ କବିତା, ଗଳ୍ପ ସବୁକିଛି ଦୁର୍ବୋଧ୍ୟ। କେହି କିଛି ପଢ଼ୁନଥା’ନ୍ତି। ଏକଥା ଘଟୁଥାଏ ବିଶେଷ କରି ନାଟକରେ। ଡାକିଲେ, ଲୋକେ ଅନୁରୋଧ ରକ୍ଷାକରି ନାଟକ ଦେଖିବାକୁ ଯାଉଥାଆନ୍ତି, ବିନା ଟିକେଟ୍ରେ ତ ଯାଆନ୍ତି, ପାଞ୍ଚ କି ଦଶ ମିନିଟ୍ ରହି କେବଳ ମୁହଁ ଦେଖାଇ ଚାଲିଆସନ୍ତି। ମୁଁ ଦେଖିଲି, ଏମିତି ଧାରା ସୃଷ୍ଟି ହେଲେ ନାଟକ ଆଉ ବଞ୍ଚିବନି। ମୁଁ ଚେଷ୍ଟା କଲି ଯେ ଲେଖିବି ଆମ ପାଣିପବନର କଥା, ଆମ ସମସ୍ୟା, ଯାହା ଲୋକେ ବୁଝିପାରୁଥିବେ ଏବଂ ଯାହା ଲୋକଙ୍କୁ ବାନ୍ଧି ରଖିପାରୁଥିବ।

ସାହିତ୍ୟ ଚର୍ଚ୍ଚା: ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆପଣ ନାଟକରେ ଉଦ୍ଭଟତାକୁ ପରିହାର କଲେ।
ଆନଂଦ ଚଂଦ୍ର ପହି: ହଁ, ଉଦ୍ଭଟତାକୁ ଦୂର କରିବାପାଇଁ ମୁଁ ବହୁତ ଚେଷ୍ଟା କରିଛି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଅଧିକାଂଶ ନାଟକ ତ ରେଡିଓ ଜରିଆରେ ଲୋକଲୋଚନକୁ ଆସିଛି।
ଆନଂଦ ଚଂଦ୍ର ପହି: ମୁଁ ଉଦ୍ଭଟତାର ଧାରାରୁ ଦୂରକୁ ଯାଇ ଯେଉଁ ସରଳ ଓ ବାସ୍ତବଧର୍ମୀ ନାଟକ ସବୁ ଲେଖୁଥିଲି, ତା’କୁ ମଞ୍ଚସ୍ଥ ବା କରିବ କିଏ? ତେଣୁ ରେଡିଓକୁ ପଳାଇଲି।
ସାହିତ୍ୟ ଚର୍ଚ୍ଚା: ସେହିହେତୁ ଆପଣଙ୍କ ନାଟକର ବହୁଳାଂଶ ହେଉଛି ବେତାର ନାଟକ। ଆଜିକାଲି ତ ରେଡ଼ିଓ ପ୍ରାୟ କେହି ଶୁଣୁନାହାନ୍ତି, କିନ୍ତୁ ସେତେବେଳେ ଏହାର ପ୍ରଚୁର ଲୋକପ୍ରିୟତା ଥିଲା।
ଆନଂଦ ଚଂଦ୍ର ପହି: ସେତେବେଳେ ବେତାର ନାଟକ ଥିଲା ସାହିତ୍ୟର ଏକୁଟିଆ ବାଦଶାହ। କଟକ ଷ୍ଟେସନ୍ରେ ସେତେବେଳେ ଶୁକ୍ରବାର ଦିନ ଗୋଟିଏ ନାଟକ ହେଉଥିଲା ଏବଂ ସୋମବାର ମଧ୍ୟ ଆଉ ଗୋଟିଏ ପ୍ରସାରିତ ହେଉଥିଲା।
ସାହିତ୍ୟ ଚର୍ଚ୍ଚା: କାରଣ ସେତେବେଳେ ନା ଥିଲା ଦୂରଦର୍ଶନ, ନା ମୋବାଇଲ୍, ନା ୟୁଟିଉବ୍।
ଆନଂଦ ଚଂଦ୍ର ପହି: ଏସବୁ କିଛି ନ ଥିଲା। ବହି ବି ସମସ୍ତେ ପଢ଼ିପାରୁ ନ ଥିଲେ। ଏଣୁ ରେଡିଓ ଥିଲା ଏକମାତ୍ର ସାଧନ। ଯେତେବେଳେ ମୁଁ ଆକାଶବାଣୀକୁ ପଠାଇଲି ନାଟକ; ତାହାର ସିଲେକସନ୍ ହୋଇଗଲା। ମୁଁ ଦେଖିଲି ଯେ ମୋ’ର ନାଟକ ବେଶି ଆଦୃତ ହେଲା। ତା’ ପରେ ପରେ ଦୂରଦର୍ଶନ ଆସିଗଲା। ସେଠିକୁ ମଧ୍ୟ ଦେଲି ମୋର ନାଟକ। ମୋର ପ୍ରାୟ ପନ୍ଦରଟା ନାଟକ ଦୂରଦର୍ଶନରେ ପ୍ରସାରିତ ହୋଇଛି। ରେଡ଼ିଓରେ ହୋଇଛି ଷାଠିଏଟା ଖଣ୍ଡେ।
ସାହିତ୍ୟ ଚର୍ଚ୍ଚା: ରେଡିଓ-ନାଟକର କଥା ଯେହେତୁ ପଡ଼ିଛି, ଆପଣଙ୍କର ଗୋଟିଏ ରେଡ଼ିଓ-ନାଟକକୁ ନେଇ ଆମେ ଗୁରୁତର କଥାଟିଏ କୌଣସି ସୂତ୍ରରୁ ଶୁଣିଛୁ। ତା’ହେଲା ୧୯୭୯ ମସିହା ବେଳକୁ ଯେତେବେଳେ ଆଜି ଭଳି ପୁଅ ଓ ଝିଅମାନେ ‘ଲିଭ୍-ଇନ୍’ ସମ୍ପର୍କରେ ଆସି ଏକାଠି ରହିବାର କଥା କେହି ଚିନ୍ତା ବି କରିନଥିଲେ, ସେତେବେଳେ ଆପଣ ଏଭଳି ଏକ ସମ୍ପର୍କକୁ ନେଇ ନାଟକଟିଏ ଲେଖିଥିଲେ। ଏହା ଆକାଶବାଣୀରେ ବାଜିବା ପରେ ସେତେବେଳେ ଚାରିଆଡ଼ୁ ପ୍ରତିବାଦର ସୁଅ ଛୁଟିଲା। ଫଳରେ କର୍ତ୍ତୃପକ୍ଷ ସେହି ନାଟକଟି ଆକାଶବାଣୀରେ ଆଉ ପ୍ରସାରିତ ହେବା ଉପରେ ନିଷେଧାଦେଶ ଜାରି କରିଥିଲେ। ଏହା ସତ କି?
ଆନଂଦ ଚଂଦ୍ର ପହି: ହଁ, ସତ। ସେହି ନାଟକଟିର ନାମ ହେଲା, ‘ଦୁଇ ଦିଗନ୍ତ’। ସେମାନେ ଏହାକୁ ନିଷିଦ୍ଧ ସିନା କଲେ, ପରେ କିନ୍ତୁ ବିଶିଷ୍ଟ ଅଭିନେତ୍ରୀ ଓ ସୁଲେଖିକା ମାଳବିକା ରାୟ ଆକାଶବାଣୀକୁ ଏକ ଚିଠି ଲେଖି ମୋ’ର ପକ୍ଷ ସମର୍ଥନ କଲେ। ସେ ଲେଖିଥିଲେ ଯେ ଆଜି ସିନା ଅବିବାହିତ ପ୍ରେମିକ-ପ୍ରେମିକାମାନେ ଏକାଠି ରହିବାର ପ୍ରଥା ଆମ ସମାଜରେ ନାହିଁ; କିନ୍ତୁ ଭବିଷ୍ୟତରେ ଏହା ଘଟିପାରେ। ଲେଖକମାନେ ହେଉଛନ୍ତି ଜଣେ ଜଣେ ଦୂରଦ୍ରଷ୍ଟା; ସେମାନେ ବହୁତ କଥା ପୂର୍ବରୁ ଅନୁମାନ କରିନେଇପାରନ୍ତି।
ସାହିତ୍ୟ ଚର୍ଚ୍ଚା: ତା’ଙ୍କ ଏହି ଚିଠିର ପରିଣାମ କିଛି ହେଲା?
ଆନଂଦ ଚଂଦ୍ର ପହି: ଏହାପରେ ସେହି ନାଟକ ଉପରୁ ନିଷେଧାଦେଶ ହଟିଗଲା।
ସାହିତ୍ୟ ଚର୍ଚ୍ଚା: ଆପଣ ମଞ୍ଚ ପାଇଁ ମଧ୍ୟ ଅନେକ ନାଟକ ଲେଖିଛନ୍ତି।
ଆନଂଦ ଚଂଦ୍ର ପହି: ଯେତେବେଳେ ମୁଁ ବେତାର ଓ ଦୂରଦର୍ଶନରେ ନାଁ କରିଗଲି, ତା’ପରେ ଷ୍ଟେଜ୍ବାଲା ମୋତେ ଡାକିଲେ ଏବଂ ନାଟକ ମାଗିଲେ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ବହୁ ନାଟକ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଞ୍ଚସ୍ଥ ହୋଇଛି।
ଆନଂଦ ଚଂଦ୍ର ପହି: ଭାରତର କେତେକ ସ୍ଥାନରେ ମଧ୍ୟ ହୋଇଛି। ‘ପଞ୍ଚମ ବେଦ’ ନାମକ ଗୋଟିଏ ନାଟ୍ୟ ସଂସ୍ଥା ମୋର ନାଟକକୁ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇଥିଲା। ସେଥିମଧ୍ୟରୁ ସର୍ବାଧିକ ଲୋକପ୍ରିୟ ଦୁଇଟି ନାଟକ ହେଲା, ‘ଡର’, ଓ ‘ଫୁଲ୍ ଟେନ୍ସନ୍’।
ସାହିତ୍ୟ ଚର୍ଚ୍ଚା: ଏଥିରେ ସନ୍ଦେହ ନାହିଁ ଯେ ଆପଣ ଓଡ଼ିଆ ନାଟକକୁ ଗୋଟିଏ ନୂଆ ଦିଶା ଦେଇଛନ୍ତି।
ଆନଂଦ ଚଂଦ୍ର ପହି: ତା’ ପରଠୁ ଆଜ୍ଞା, ସେ ଅବୋଧ୍ୟ, ଦୁର୍ବୋଧ୍ୟ ନାଟକର ଧାରା ଭାଙ୍ଗିଗଲା।
ସାହିତ୍ୟ ଚର୍ଚ୍ଚା: ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ଆପଣଙ୍କର ‘ପ୍ରତୀକ୍ଷାରେ ପରୀକ୍ଷିତ’ ନାଟକଟି ପଢ଼ିଲେ ଆମେ ପାଉ ଯେ ଏହା ସ୍ୱାଭାବିକ ଜୀବନକୁ ପ୍ରତିଫଳିତ କରୁଥିବା ଏକ ବାସ୍ତବବାଦୀ ନାଟକ। ଏଇଟି କ’ଣ ଆପଣଙ୍କର ପ୍ରଥମ ପ୍ରକାଶିତ ନାଟକ ଥିଲା?
ଆନଂଦ ଚଂଦ୍ର ପହି: ନା, ଏହା ପ୍ରଥମ ନୁହଁ; ଏହା ତୃତୀୟ କି ଚତୁର୍ଥ ହେବ।

ସାହିତ୍ୟ ଚର୍ଚ୍ଚା: ଏହା ପୂର୍ବରୁ ଆପଣଙ୍କର ଯେଉଁ ନାଟକଗୁଡ଼ିକ ପ୍ରକାଶିତ ହୋଇଥିଲା, ସେ ସବୁର ଉଦ୍ଦେଶ୍ୟ ମଧ୍ୟ ସେଇଆ ହିଁ ଥିଲା କି? – ଅର୍ଥାତ ଉଦ୍ଭଟତା ପରିହାର କରିବା?
ଆନଂଦ ଚଂଦ୍ର ପହି: ହଁ, ସବୁର ଉଦ୍ଦେଶ୍ୟ ସେଇଆ ହିଁ ଥିଲା।
ସାହିତ୍ୟ ଚର୍ଚ୍ଚା: ଆପଣ ନିଜର ପ୍ରାୟ ସମସ୍ତ କ୍ଷୁଦ୍ରଗଳ୍ପକୁ ନାଟକରେ ରୂପାନ୍ତରିତ କରିସାରିଛନ୍ତି। ଏହା କ’ଣ ସତ?
ଆନଂଦ ଚଂଦ୍ର ପହି: ଏହା ଆଂଶିକ ଭାବରେ ସତ। ସବୁ ଗପ କରିପାରିନାହିଁ; ମୁଁ ପ୍ରାୟ ଦୁଇଶହଟି ଗଳ୍ପ ଲେଖିଛି; ସେଥିମଧ୍ୟରୁ ଷାଠିଏଟିକୁ ହିଁ ନାଟ୍ୟରୂପ ଦେଇଛି।
ସାହିତ୍ୟ ଚର୍ଚ୍ଚା: ଗୋଟିଏ କଥା ହେଲା, ଯେତେବେଳେ ମୌଳିକ ଗପଟିଏ ନାଟକର ରୂପ ନିଏ, ସେତେବେଳେ ଗପର ସେହି ମୌଳିକତାରେ କିଛି ସାଲିସ କରିବାକୁ ପଡ଼େ କି?
ଆନଂଦ ଚଂଦ୍ର ପହି: ଶୁଣନ୍ତୁ, ଯେଉଁଟି ମୋ’ର ନିଜ ଗପ, ତା’କୁ ଚାହିଁଲେ ମୁଁ ଅଧଘଣ୍ଟିଆ କରିଦେଇପାରିବି, ଦେଢ଼ଘଣ୍ଟିଆ ବି କରିଦେଇପାରିବି। ଅଧିକ ଚରିତ୍ର ବି ନେଇପାରିବି। ମୂଳ ଲକ୍ଷ୍ୟକୁ ସ୍ଥିର ରଖି ମୁଁ ମୋ’ର ଯାହା ବଢ଼ାଇପାରିଲି ସେଥିରେ ପ୍ରତିବନ୍ଧକ ନାହିଁ।
ସାହିତ୍ୟ ଚର୍ଚ୍ଚା: ଅନ୍ୟ କାହାର କ୍ଷୁଦ୍ରଗଳ୍ପକୁ ନେଇ ନାଟକ କରିଥିଲେ ଏହି ସ୍ୱାଧୀନତା ବୋଧହୁଏ ଆପଣଙ୍କୁ ମିଳିନଥା’ନ୍ତା।
ଆନଂଦ ଚଂଦ୍ର ପହି: ମୁଁ ଅନ୍ୟ କେତେକ ଗଳ୍ପକୁ ନେଇ ରେଡ଼ିଓ ପାଇଁ ନାଟକ କରିଛି; କିନ୍ତୁ ସେଗୁଡ଼ିକ ବେତାର କେନ୍ଦ୍ରର ଅନୁରୋଧକ୍ରମେ। ସେମାନେ କହନ୍ତି, ଅମୁକ ଗପଟା ନାଟକ କରିଦିଅନ୍ତୁ। ସ୍ୱତଃପ୍ରବୃତ୍ତ ହୋଇ ମୁଁ ଅବଶ୍ୟ ଆଉ କାହାର ନାଟକ କରିନାହିଁ। ଆପଣ ଯାହା କହିଲେ, ଏଥିରେ ହୁଏତ ନାଟ୍ୟକାରର ସ୍ୱାଧୀନତା ଟିକିଏ କମ୍।
ସାହିତ୍ୟ ଚର୍ଚ୍ଚା: ଆପଣ କ୍ଷୁଦ୍ରଗଳ୍ପରୁ ନିଜର ଲେଖକୀୟ ଜୀବନ ଆରମ୍ଭ କରିଥିଲେ ଏବଂ ପରେ ନାଟକକୁ ଆସିଲେ। କିନ୍ତୁ ଆମେ ଏଠି ପ୍ରଥମେ ଆଲୋଚନା କଲେ ଆପଣଙ୍କ ନାଟକ ବିଷୟରେ। ଯେମିତି ଆପଣ କହିଲେ ଯେ ଉଦ୍ଭଟତାର ପ୍ରତିରୋଧ କରିବା ପାଇଁ ଆପଣଙ୍କର ନାଟକ ସୃଷ୍ଟି ହୋଇଥିଲା, ସେମିତି ଗଳ୍ପରେ ଆପଣଙ୍କର ମୁଖ୍ୟ ଧ୍ୟେୟ କ’ଣ ଥିଲା?
ଆନଂଦ ଚଂଦ୍ର ପହି: ସେହି ଏକା କଥା। ସେତେବେଳେ କ୍ଷୁଦ୍ରଗଳ୍ପକୁ ମଧ୍ୟ ବୁଝି ହେଉନଥିଲା। ମୁଁ ଗଳ୍ପରେ ସରଳତା ଆଣିବାକୁ ଚେଷ୍ଟା କଲି।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଆଧୁନିକ କବିତାରେ ଉଦ୍ଭଟତା ଯେତେ ମାତ୍ରାରେ ଥିଲା, ଗଳ୍ପରେ ବୋଧହୁଏ ସେତେ ଅଧିକ ନ ଥିଲା।
ଆନଂଦ ଚଂଦ୍ର ପହି: କଥା ହେଲା, ଯେଉଁମାନେ ପ୍ରଥମେ ବୁଝା ଗପ ଲେଖୁଥିଲେ, ସେମାନେ ହିଁ କ୍ରମେ ଅବୁଝା ଗପ ଲେଖିବା ଆରମ୍ଭ କଲେ ଇଂରାଜୀ ବହି ପଢ଼ି, ଯଦିଓ ସେମାନଙ୍କର ସଂଖ୍ୟା କମ୍ ଥିଲା।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ନାଟକ ଭଳି, ନିଜର ଗଳ୍ପରେ ବୋଧହୁଏ ଆପଣ ବିଶେଷ ପରୀକ୍ଷା ନିରୀକ୍ଷା କରିବାପାଇଁ ଚେଷ୍ଟା କରିନାହାନ୍ତି।
ଆନଂଦ ଚଂଦ୍ର ପହି: ମୁଁ ଆଙ୍ଗିକ ଭାବରେ ହୁଏତ ପରୀକ୍ଷା ନିରୀକ୍ଷା କରିନାହିଁ; କିନ୍ତୁ ଆତ୍ମିକ ରୂପରେ କରିଛି। ଦୃଷ୍ଟାନ୍ତ ସ୍ୱରୂପ, ଆପଣଙ୍କ ପତ୍ରିକାରେ ଥରେ ପ୍ରକାଶ ପାଇଥିଲା ମୋର ଯେଉଁ ଗଳ୍ପ ‘ଈଶ୍ୱରଙ୍କୁ ଇ-ମେଲ୍’; ତାହା ମାନବୀୟ ଦର୍ଶନର ଏକ ନୂଆ ଦିଗକୁ ଇଙ୍ଗିତ କରିଥିଲା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଗୋଟିଏ ଗଳ୍ପ ‘ତୁଚ୍ଛା ମଣିଷ’ ପଢ଼ିବା ପରେ ଆମର ଧାରଣା ହୁଏ ଯେ ସମାଜରେ ଏଭଳି କୌଣସି ବର୍ଗର ଚରିତ୍ର ନାହିଁ, ଯାହାକୁ ଆପଣ ନିଜ ଗଳ୍ପରେ ଫୁଟାଇ ନାହାନ୍ତି। ଏଠାରେ ସମାଜର ଜଣେ ତୃତୀୟ-ଲିଙ୍ଗୀ ଚରିତ୍ରକୁ ଆପଣ ଅତି ଜୀବନ୍ତ ଭାବରେ ଉପସ୍ଥାପନ କରିଛନ୍ତି। ଏହି ଚରିତ୍ରଗୁଡ଼ିକୁ ଆପଣ କ’ଣ ନିଜ ବାସ୍ତବ ଜୀବନର ଅଙ୍ଗେନିଭା ଘଟଣାଗୁଡ଼ିକରୁ ନେଇଥାଆନ୍ତି?
ଆନଂଦ ଚଂଦ୍ର ପହି: ନ ଦେଖିଥିବା ଓ ନ ଜାଣିଥିବା ଚରିତ୍ରକୁ ନେଇ ଗଳ୍ପଟିଏ ଲେଖିଲେ ତାହା ସଫଳ ହେବନି। ଏହି ଚରିତ୍ରଟିକୁ ମୁଁ ଆମ ଗାଆଁରେ ପ୍ରକୃତରେ ଦେଖିଥିଲି; ସେ ଅବଶ୍ୟ ଏବେ ସେପୁରକୁ ଚାଲିଗଲେଣି।
ସାହିତ୍ୟ ଚର୍ଚ୍ଚା: ଏଭଳି ବାସ୍ତବତାର ଅନୁଭବ ନଥିଲେ ବୋଧହୁଏ ଗଳ୍ପଟିଏ ଲେଖିହୁଏ ନାହିଁ।
ଆନଂଦ ଚଂଦ୍ର ପହି: ଏହି ପ୍ରସଙ୍ଗରେ ଆପଣଙ୍କୁ ଗୋଟିଏ କଥା କହିବି। ଥରେ ଆମେ କିଛି ଜଣ ସାହିତ୍ୟିକ ଯାଇଥିଲୁ ଗୋପୀନାଥ ମହାନ୍ତିଙ୍କୁ ଦେଖା କରିବାପାଇଁ। ତା’ଙ୍କ ଘରର କବାଟ ଡେଇଁ ପଶିଛୁ, ସେ କହିଲେ,”ହେଇ! ହତ୍ୟାକାରୀମାନେ ଆସିଗଲେ।” ଆମେ ଚମକିଲୁ। ଆମକୁ ହତ୍ୟାକାରୀ ବୋଲି କ’ଣ କହୁଛନ୍ତି?
ସାହିତ୍ୟ ଚର୍ଚ୍ଚା: କାହିଁକି କହିଲେ ଏମିତି?
ଆନଂଦ ଚଂଦ୍ର ପହି: ହଁ, ଆମେ ପଚାରିଲୁ, “ଆମକୁ ହତ୍ୟାକାରୀ ବୋଲି କ’ଣ କହୁଛନ୍ତି?” ସେ ଓଲଟି ପଚାରିଲେ, “ତମେ ସବୁ ଲେଖକ ନୁହଁ କି?” ଆମେ ହଁ ଭରିବାରୁ ସେ ପୁଣି କହିଲେ,”ତମେ ନିଜର ପକେଟରେ ହାତମାରି ଦେଖିଲ। କାହା ପକେଟରେ କଲମ ଆଉ ଟିପାଖାତା ଖଣ୍ଡିଏ ଅଛି କି?” ସେତେବେଳକୁ ପକେଟରେ କଲମ ରଖିବାର ପ୍ରଥା ଉଠିଗଲାଣି, ତେଣୁ ଆମ କାହାରି ପାଖରେ ତାହା ନ ଥିଲା। ସେଇଠୁ ସେ କହିଲେ, “ଲେଖକମାନଙ୍କର ମନକୁ ଫ୍ଲାସ୍ଗୁଡ଼ାକ ହଠାତ୍ ଆସେ। ତମେ କେତେବେଳେ ବସିଥିବ, କେତେବେଳେ ଯାଉଥିବ, କେତେବେଳେ ପାଇଖାନାରେ ବସିଥିବ, କି କେତେବେଳେ ଆଉ କ’ଣ କରୁଥିବ, ହଠାତ୍ ଗୋଟିଏ ଅଭିନବ ଭାବନା ମନକୁ ଆସେ। ସେଇ ଫ୍ଲାସ୍ଟାକୁ ଟିପି ନେବାକୁ ହୁଏ। ତା’ହେଲେ ସେଇଟା ହଜିପାରିବ ନାହିଁ।”
ସାହିତ୍ୟ ଚର୍ଚ୍ଚା: ସେ ବୋଧହୁଏ କହିବାକୁ ଚାହୁଥିଲେ ଯେ ‘ନ ଲେଖି ସେହି ଭାବନାଗୁଡ଼ିକୁ ଆପଣମାନେ ମାରିଦିଅନ୍ତି।’
ଆନଂଦ ଚଂଦ୍ର ପହି: ହଁ, ଏଭଳି ଅନେକ ଥିମ୍କୁ ଆମେ ଜନ୍ମରୁ ହିଁ ମାରି ଦେଇଥାଉ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମୂଲ୍ୟବାନ ବାର୍ତ୍ତାଳାପ ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୬ ସଂଖ୍ୟାରେ ପ୍ରକାଶିତ। )
ଆନନ୍ଦ ଚନ୍ଦ୍ର ପହିଙ୍କ ସହ ସାକ୍ଷାତକାରଟି ପଢ଼ି ଭଲ ଲାଗିଲା…