ପ୍ରତ୍ୟେକ ନଈର ସ୍ୱପ୍ନଥାଏ, ସେ ଶେଷରେ ଅସୀମ ସାଗରରେ ଲୀନ ହୋଇଯିବ। ତା’ର ନିର୍ବାଣ ପ୍ରାପ୍ତି ହୋଇଯିବ।

ମୁଁ କ’ଣ ଅହଲ୍ୟା? ଏ ପ୍ରଶ୍ନଟି ଅନେକଥର ମୋ’ ମନକୁ ଛୁଇଁଚି। ମୁଁ କିନ୍ତୁ ତା’ର ସଠିକ୍ ଉତ୍ତର ପାଇନି। ଅହଲ୍ୟା ମହର୍ଷି ଗୌତମଙ୍କ ଅଭିଶାପରେ ପଥର ପାଲଟି ଯାଇଥିଲେ। ପଥର ଭିତରେ ତାଙ୍କର ସତ୍ତା ପ୍ରଭୁ ଶ୍ରୀରାମଙ୍କ ସଦୟ ସ୍ପର୍ଶକୁ ଅପେକ୍ଷାକରି ରହିଥିଲା। ମୁଁ ତ ଛୋଟ ନଈଟିଏ। ନଈଟିଏ ବି ନୁହଁ, ଛୋଟ ଶାଖା ନଈଟିଏ। ମହାନଦୀର ଶାଖାନଦୀ ହେଲା ଲୁଣା। ଲୁଣାର ମୁଁ ଝିଅଟିଏ। କ୍ଷୁଦ୍ରତର ଶାଖା ନଈଟିଏ। ମୋର କିଛି ନାଁ ନାଇଁ। ଲୋକମାନଙ୍କ ମୁହଁରେ ମୋ’ ନାଁ ନଈ।
ଅନେକ ଅନେକ ବର୍ଷ ତଳର ଏକ ପ୍ରାକୃତିକ ଦୁର୍ବିପାକରୁ ମୋର ଜନ୍ମ। ସେତେବେଳେ ନଈମାନଙ୍କର ଆଜିପରି ବନ୍ଧବାଡ଼ ନଥିଲା। ବର୍ଷା ହେଲେ ନଈରେ ବଢ଼ି ପାଣି ଆସିବ। କୂଳ ଡେଇଁ ଗାଁ’ଗଣ୍ଡା ବିଲମାଳକୁ ଗ୍ରାସିଯିବ। ହେଲେ ଯୋଉ ଅଞ୍ଚଳରେ ରାଜାଙ୍କ ନଅର କିମ୍ବା ଜମିଦାରଙ୍କ କଚେରି ଥିବ ସେଇପଟେ ବନ୍ଧଟିଏ କରାଯାଇଥିବ। ଆରପଟେ ଭୋ’ମୁକୁଳା। ସେପଟେ ସାରା ବର୍ଷାଦିନ ବଢ଼ି ଲାଗି ରହିଥାଏ। ଲୋକମାନେ କଦଳୀ ଭେଳାରେ ଯିବାଆସିବା କରନ୍ତି। ପୁରୁଷ ଉଚ୍ଚର ମୂଳଦୁଆ ଉପରେ ଠିଆହୋଇଥିବା ମାଟି ଘରମାନ ବଢ଼ି ପାଣିରେ ଭାସୁଥିବା ପରି ଲାଗୁଥାଏ। ତାକୁ ଧୋଇଆ ଅଞ୍ଚଳ ବୋଲି କହନ୍ତି। କାରଣ ବଢ଼ି ପାଣିରେ ସବୁ ଫସଲ ଧୋଇଯାଏ। ଆରପଟକୁ କୁହାଯାଏ ନିଧୋଇଆ।
ଥରେ ଥରେ ଉପରମୁଣ୍ଡରେ ଖୁବ୍ ଜୋର୍ରେ ବର୍ଷା ଲାଗିରହେ। ତେଣୁ ନଈ ଆଉ ନିଜ ଆୟତ୍ତରେ ରହିପାରେନା। ପ୍ରଖର ସୁଅକୁ ସମ୍ଭାଳି ନପାରି ଦୁର୍ବଳ ଥିବା ନଈବନ୍ଧ ଛାଁକୁ ଛାଁ ଭାଙ୍ଗିଯାଏ। ସେପରି କୌଣସି କାରଣରୁ ବନ୍ଧ ଭାଙ୍ଗିଯିବା ସ୍ଥାନରେ ମୁଁ ଜନ୍ମ ହେଇପଡ଼ିଲି। ମୋର ଜନ୍ମ ଅବାଞ୍ଛିତ ହେଲେ ବି ସଂପୂର୍ଣ୍ଣ ପ୍ରାକୃତିକ। ପ୍ରକୃତି ମା’ ମୋ’ ହାତଧରି ମତେ ବାଟ କଢ଼େଇ ନେଇଥିଲା। ସେତେବେଳେ ତ ଆଜିକାପରି ଏତେ ଗାଁ’ଗଣ୍ଡା, ସହର ବଜାର ନଥିଲା। ମତେ ନେଇ ଲୁଣାର ଆଉ ଏକ ଶାଖାନଈର ହାତ ଧରେଇ ଦେଇଥିଲା।

ମୁଁ ପ୍ରକୃତିର ଏକ ଅଂଶ ହୋଇଗଲି। ଲୁଣାନଈ ଓ ହାତିଆ ନଈ ଭିତରେ ମୋର ଲୀଳାଖେଳା ଆରମ୍ଭ ହେଇଗଲା। ଆନନ୍ଦରେ ମୁଁ ଗୀତ ଗାଇବାକୁ ଲାଗିଲି। ଗୀତ ଗାଇ ଗାଇ ପବନ ସହ ଖେଳି ଚାଲିଲି। ମୋ’ କୂଳରେ କେତେ ରକମର ଗଛଲତା ନାଚିବାକୁ ଲାଗିଲେ। ସେମାନଙ୍କ ଫୁଲପତ୍ରର ସୌନ୍ଦର୍ଯ୍ୟ ମୋ’ ହୃଦୟରେ ପ୍ରତିଫଳିତ ହୋଇ ମୋତେ ଉଲ୍ଲସିତ କରିପକାଇଲେ। ସେମାନଙ୍କର ସୁବାସ ମତେ ଶିହରିତ କରିପକାଇଲା। ମୁଁ ଛଳଛଳ ହୋଇଉଠିଲି।
ମୁଁ ଛୋଟଟେ ଥିଲି। କେବଳ ବହି ଯିବାର ଆନନ୍ଦକୁ ବୁଝିପାରୁଥିଲି। ଟିକିଏ ବୟସ୍କ ହୋଇଗଲା ପରେ ମୋର ନିରୀହ ଆନନ୍ଦ ଫିକା ପଡ଼ିଗଲା। ମୁଁ ବୁଝିପାରିଲି, ମୋର ଜନ୍ମ ଓ ଜୀବନ ବିଫଳ ହୋଇଯାଇଚି। ପ୍ରତ୍ୟେକ ନଈର ସ୍ୱପ୍ନଥାଏ, ସେ ଶେଷରେ ଅସୀମ ସାଗରରେ ଲୀନ ହୋଇଯିବ। ତା’ର ନିର୍ବାଣ ପ୍ରାପ୍ତି ହୋଇଯିବ। ସାରା ଜୀବନର ତପସ୍ୟା ସଫଳ ହୋଇଯିବ। ହେଲେ ମୋର ସେ ସୁଯୋଗ ନାଇଁ। ମୁଁ ମିଶିଲି ହାତିଆ ନଈରେ। ସେ ମିଶିଚି ଆଉ ଏକ ଶାଖା ନଈରେ। ସିଏ ପୁଣି ମିଶିଚି ମହାନଦୀରେ। ମହାନଦୀ ଯାଇ ମିଶିଚି ସମୁଦ୍ରରେ। ସମୁଦ୍ରରେ ମିଶିଲା ବେଳକୁ ମୋର ପରିଚୟ ହଜି ଯାଇଥିବ।
ଏଇ ଅବସୋସରେ ମୋର ଜୀବନ ବିଷାଦଗ୍ରସ୍ତ ହୋଇଯାଉଥିବା ସମୟରେ କେତେ ଜୀବଜନ୍ତୁଙ୍କ କୋଳାହଳ ମୁଁ ଶୁଣିପାରିଲି। ମୋ’ ମଧୁର ଜଳର ସ୍ୱାଦ ଅନେକ ପଶୁପକ୍ଷୀଙ୍କୁ ମୋ’ ପାଖକୁ ଟାଣି ଆଣିଥିଲା। ମୋ’ ଜଳପାନ କରି ସେମାନେ ଅଶେଷ ତୃପ୍ତି ଲାଭକଲେ। ତୃଷାର୍ତ୍ତଙ୍କୁ ଜଳଦାନ କରିବାର ଆନନ୍ଦ ମୋ’ ପାଇଁ ଏକ ଅପୂର୍ବ ଅଭିଜ୍ଞତା ଥିଲା। ଶେଷରେ ମଣିଷମାନେ ମଧ୍ୟ ଆକର୍ଷିତ ହୋଇ ଆସିଲେ। ମୋ’ କୂଳରେ କେତେ ଗାଁ ଗଣ୍ଡା ଗଢ଼ିଉଠିଲା। ମୋ’ ଜଳର ସ୍ପର୍ଶରେ ମଟାଳ ଟାଙ୍ଗର ମାଟି ସବୁଜ ଲହରୀରେ ବଦଳିଗଲା। ମୋ’ ଜଳରୁ ମାଛଧରି ସେମାନେ ଭୋଜିଭାତ କଲେ। ମୋ’ ଉପରେ ନୌକା ଚାଳନାକରି ବ୍ୟବସାୟ ବାଣିଜ୍ୟ କଲେ।
ମୋତେ କଷ୍ଟ ଲାଗୁଥିଲା, କିନ୍ତୁ ଅନ୍ୟମାନଙ୍କର ଉପକାର ଓ ଆନନ୍ଦ ପାଖରେ ମୋ’ କଷ୍ଟ କିଛିନଥିଲା। ମୁଁ ସବୁକିଛି ଆନନ୍ଦ ମନରେ ସହିଯାଉଥିଲି। ଭାବୁଥିଲି, ସମୁଦ୍ରରେ ନ ମିଶିପାରିଲେ ବି ମୋ’ ଜୀବନ ଧନ୍ୟ ହୋଇଗଲା। କେତେ ଜୀବଜନ୍ତୁ, ଗଛବୃଚ୍ଛଙ୍କୁ ଆଶ୍ରୟ, ଆହାର, ପାନୀୟ ଯୋଗାଇ ଦେଉଚି। ଏ ଆନନ୍ଦ ତୁଳନାରେ ଅପରିଚିତ ନିର୍ବାଣ ବା କ’ଣ?
ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ମଣିଷ ହେଉଛି ସବୁଠାରୁ ବୁଦ୍ଧିମାନ। କୌଣସି କଥାରେ ସେ ସନ୍ତୁଷ୍ଟ ହୁଏନା। ବୁଦ୍ଧି ଓ କୌଶଳ ପ୍ରୟୋଗକରି ଅଧିକରୁ ଅଧିକ ଲାଭ କରିବାକୁ ଲାଗିଥାଏ। ତା’ର ଲୋଭର ସୀମା ନଥାଏ। ତା’ ଆଖିରେ ସବୁକିଛି ଗୋଟିଏ ଗୋଟିଏ ସୁନା ଅଣ୍ଡାଦିଆ କୁକୁଡ଼ା। ସେ ମୋତେ ସେହିପରି ବ୍ୟବହାର କରିବାକୁ ଚାହିଁଲା।
ମୁଁ ସେମାନଙ୍କୁ ଭଲ ପାଉଥିଲି। ମୋ’ ନିଜ ସନ୍ତାନପରି ସ୍ନେହଦେଇ ପାଳନ କରୁଥିଲି। ସେମାନେ କିନ୍ତୁ ମୋତେ ସଂପୂର୍ଣ୍ଣ ଭାବରେ ଅଧିକାର କରିବାକୁ ଲାଗିଲେ। ଧୀରେଧୀରେ ମୋ’ ଶରୀରକୁ ସଂକୁଚିତ କରି ନିଜ ଦଖଲକୁ ନେଇଗଲେ। ମୋର ଜୀବନ ପ୍ରବାହ ବାଧାପ୍ରାପ୍ତ ହେଲା। ମୁଁ ଅଧିକ ସଂକୁଚିତ ହେବାକୁ ଲାଗିଲି। ଦିନକୁ ଦିନ ଅଣନିଃଶ୍ୱାସୀ ହେବାକୁ ଲାଗିଲି। ନଦୀମାନଙ୍କର ବନ୍ୟା ନିୟନ୍ତ୍ରଣ ଯୋଜନା କାର୍ଯ୍ୟକାରୀ ହେବା ଫଳରେ ମୋର ଶକ୍ତି କମି ଆସୁଥିଲା। ମଣିଷମାନଙ୍କ ଲୋଭ ପାଖରେ ମୁଁ ସଂପୂର୍ଣ୍ଣ ଭାବରେ ଅସହାୟ ହୋଇପଡ଼ିଲି। ମୋର ଶୀର୍ଣ୍ଣ ପ୍ରବାହକୁ ଭାଗ ଭାଗକରି ସେମାନେ ବ୍ୟକ୍ତିଗତ ସଂପତ୍ତିରେ ପରିଣତ କରିଦେଲେ। ମୁଁ ଚାଷଜମି, ଫଳବଗିଚା ଓ ମାଛଚାଷ ଗଡ଼ିଆରେ ପରିଣତ ହୋଇଗଲି। ମୋର ସମସ୍ତ ହସଖୁସି, ସ୍ୱପ୍ନ, ସୋହାଗ ମାଟିତଳେ ପୋତି ହୋଇପଡ଼ିଲା। ମୁଁ ଚେତନା ହରେଇ ବସିଲି ଓ ଗଭୀର ଶୀତ ନିଦ୍ରାରେ ହଜିଗଲି।
ମୋ’ ସହିତ ମୋ’ ସମୟ ମଧ୍ୟ କୋମାକୁ ଚାଲିଗଲା। କେତେ କେତେ ଦିନ-ରାତି, ଖରା, ବର୍ଷା, ଶୀତ, କେତେ କେତେ ବର୍ଷ, ଦଶନ୍ଧି, ଶତାବ୍ଦୀ ବିତିଯାଇଥିବ ମୁଁ ଜାଣିନି। କେତେବେଳେ ପୁଣିଥରେ ଏକ ଅକଳ୍ପନୀୟ ଜଳପ୍ରଳୟ ଆସି ମୋତେ ଛୁଇଁଦେଇଚି। ତା’ର ଯାଦୁକରୀ ସ୍ପର୍ଶରେ ମୋର ଶୀତନିଦ୍ରା ଭାଙ୍ଗିଯାଇଚି, କିଛି ନ ବୁଝିପାରି ମୋର ନିର୍ବୋଧ ଆଖିରେ ମୁଁ ତାକୁ ଅନେଇ ରହିଚି। ସେ ହସି ହସି କହିଚି – ଉଠ୍, ତୁ ପୁଣି ଜୀବନ୍ୟାସ ପାଇଚୁ। ଏଥର ବହିଚାଲ। ସମୟ ନାହିଁ। ଶୀଘ୍ର।
ମୁଁ ଉଠିପଡ଼ିଚି। ମୋତେ କିଛି କରିବାକୁ ପଡ଼ିନି। ମୋ’ ଦେହକୁ ଚରି ଯାଇଥିବା ମାଟି, ଗଛବୃଚ୍ଛ, ଘରଦ୍ୱାର ଉଇମାଟି ପରି ଝଡ଼ି ପଡ଼ିଚନ୍ତି। ମୁଁ ସ୍ୱତଃସ୍ଫୂର୍ତ୍ତ ଭାବରେ ବହିଯାଇଚି। ମୋ’ ଦେହ ଓ ମନକୁ କୋଉକାଳରୁ ହଜି ଯାଇଥିବା ଶିହରଣ ପୁଣି ଫେରି ଆସିଚି। ଏକ ଅଦୃଷ୍ଟ ଶକ୍ତି କେବଳ ମତେ ବାଟ କଢ଼େଇ ନେଇଯାଇଚି। ହାତିଆ ନଈ ବି ମତେ କୋଳେଇ ନେବାକୁ ଅପେକ୍ଷାକରି ରହିଥିଲା। ଆମେ ଗୋଟିଏ ଜୀବନ ସ୍ରୋତରେ ପରିଣତ ହୋଇଗଲୁ।
ଅଳ୍ପ କିଛିଦିନ ଭିତରେ ବନ୍ୟା ପ୍ଲାବନ ଅପସରିଗଲା। ମୁଁ ମୋର ନିଜ ରୂପକୁ ଦେଖିପାରିଲି। ମୋ’ ଦେହରେ ନବଯୌବନ ଲହଡ଼ି ଭାଙ୍ଗୁଥାଏ। ମୁଁ ପୂର୍ବପରି ଗୀତ ଗାଇ ଗାଇ ନାଚି ନାଚି ବହିଯାଉଥାଏ।
ଆନନ୍ଦ ଉଲ୍ଲାସ ଭିତରେ ଯେ ଏତେ ଦୁଃଖ ଲୁଚି ରହିଥାଏ, ମୁଁ ଧୀରେଧୀରେ ଆବିଷ୍କାର କରିବାକୁ ଲାଗିଲି। ମୋର ପୁନର୍ବିନ୍ୟାସରେ କେତେ ଗଛଲତା, ଫସଲ କିଆରି, ଲୋକମାନଙ୍କ ଘରଦ୍ୱାର ନଷ୍ଟଭ୍ରଷ୍ଟ ହୋଇଯାଇଛି! ବିଶେଷ ଭାବରେ ବେଘର ହୋଇଯାଇଥିବା ମଣିଷମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏସବୁ ଦେଖି ମୋର ଆନନ୍ଦ ଉଲ୍ଲାସ ଧିମେଇଗଲା। ମୋର ଜନ୍ମ ଓ ଜୀବନ କେବଳ ଅନ୍ୟମାନଙ୍କୁ ଆନନ୍ଦ ଦେବା ପାଇଁ। ହେଲେ ମୋ’ ପାଇଁ ଅନ୍ୟମାନେ ଦୁଃଖ ପାଇବେ ଏହା ମୋର କଳ୍ପନାର ବାହାରେ ଥିଲା।
ମୁଁ ବିମର୍ଷ ହୋଇପଡ଼ୁଥିଲି। ଚଢ଼େଇ ଛୁଆଟିଏ ଖପ୍ ଖପ୍ ଡେଇଁ ଡେଇଁକା ମୋ’ କୂଳକୁ ଆସି ଅନେଇ ରହିଲା। ତା’ କୁନି ଥଣ୍ଟରେ ଟୋପାଏ ପାଣି ନେଇ ପିଇଦେଲା। ତା’ର ଚିଁ ଚିଁ ଶବ୍ଦରେ ଅନ୍ୟ କେତୋଟି ଚଢ଼େଇ ଦଉଡ଼ି ଆସିଲେ। ମୋ’ ପାଣିକି ଡେଇଁପଡ଼ି ପହଁରିବାକୁ ଲାଗିଲେ ଓ ମିଠା ମିଠା ଗୀତରେ ମତେ ଉଛୁଳେଇ ଦେଲେ। ମୋ’ କୂଳର ଗଛମାନେ ଫୁଲ ପତରରେ ସ୍ୱପ୍ନମୟ ହୋଇଗଲେ। ସବୁଠାରୁ ଅଧିକ ଦୁଃଖ ଭୋଗିଥିବା ମଣିଷମାନେ ମୋ’ ଜଳ ନେଇ ଫସଲ କରିବାକୁ ଆରମ୍ଭ କରିଦେଲେ। ମୋ’ କୂଳେ କୂଳେ କେତେ ଜନବସତି, ମଠମନ୍ଦିର ଗଢ଼ିଉଠିଲା। ସମସ୍ତଙ୍କ ଆନନ୍ଦରେ ମୁଁ ପୁଣି ଉଲ୍ଲସିତ ହୋଇଉଠିଲି।
ତଥାପି ମୁଁ ନିଜକୁ ଅହଲ୍ୟା ମନେ କରେନା। ମୋ’ ନାଁ ନଈ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
କୈ।ଣସି ସଜୀବ ଚରିତ୍ର ନଥିବା ଏପରି ଗଳ୍ପ ଓଡ଼ିଆରେ ଦୁର୍ଲଭ।