ବର୍ଷୀୟାନ୍ ପ୍ରାବନ୍ଧିକ ଆଦିକନ୍ଦ ସାହୁଙ୍କ ସହ ବାର୍ତ୍ତାଳାପ

ଏସ୍ଥେଟିକ୍‌ସ୍ ହେଉଛି ଯେ କୌଣସି ସାହିତ୍ୟକୃତିର ନିର୍ଯ୍ୟାସ। ଏହାକୁ ଆମେ ଅଣଦେଖା କରିପାରିବା ନାହିଁ।

ସୁବିଦିତ ପ୍ରାବନ୍ଧିକ ଓ ସାହିତ୍ୟ ସମାଲୋଚକ ଆଦିକନ୍ଦ ସାହୁଙ୍କ ବୟସ ବର୍ତ୍ତମାନ ୮୦ ବର୍ଷ। ଅସ୍ତିତ୍ୱବାଦୀ ଚେତନା ଓ ସୌନ୍ଦର୍ଯ୍ୟତତ୍ତ୍ୱର ସେ ଜଣେ ଅଗ୍ରଣୀ ଭାଷ୍ୟକାର। ୧୯୭୨ ମସିହାର ଗଙ୍ଗାଧର ମେହେର କଲେଜରେ ଓଡ଼ିଆ ବିଭାଗର ଜଣେ ଅଧ୍ୟାପକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିବା ପରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ ଏବଂ ସେଠାରେ ଜଣେ ପ୍ରଫେସର ତଥା ବିଭାଗାଧ୍ୟକ୍ଷ ଭାବରେ ଥାଇ ୨୦୦୬ ମସିହାରେ ଅବସର ଗ୍ରହଣ କରିଥିଲେ। ତିରିଶରୁ ଅଧିକ ଗ୍ରନ୍ଥ ରଚନା କରିବା ସହିତ ବିଭିନ୍ନ ପତ୍ରପତ୍ରିକାରେ ଉଚ୍ଚକୋଟୀର ରଚନାମାନ ଲେଖି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଭୁବନେଶ୍ୱରରେ ତା’ଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟଚର୍ଚ୍ଚା‘ର ସମ୍ପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଆପଣଙ୍କୁ ଭେଟିବାର ପ୍ରଥମ ସୁଯୋଗ ପାଇଥିଲୁ ଆଜିକୁ ପ୍ରାୟ ତିନିବର୍ଷ ତଳେ ବାରଙ୍ଗ ଉପକଣ୍ଠରେ ହେଉଥିବା ଏକ ବଣଭୋଜିରେ, ଯେଉଁଠି ଉପସ୍ଥିତ ଥିଲେ ତିରିଶି ଜଣ ପାଖାପାଖି ଓଡ଼ିଆ ସାହିତ୍ୟିକ। ସେଠାରେ ଆଳାପ କ୍ରମେ ଆପଣ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ଚୟନ ପ୍ରକ୍ରିୟା ବିଷୟରେ କହିବା ବେଳେ ଏତେ ଭାବାବେଗଗ୍ରସ୍ତ ହୋଇଗଲେ ଯେ ଆପଣଙ୍କର ସମଗ୍ର ଶରୀର କମ୍ପିବାକୁ ଲାଗିଲା।
ଆଦିକନ୍ଦ ସାହୁ: ହଁ, ମୋର ମନେଅଛି ସେ କଥା।
ସାହିତ୍ୟ ଚର୍ଚ୍ଚା: ଆପଣ ସେତେବେଳେ ଭାରି କ୍ଷୁବ୍ଧ ଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଜାରି ହୋଇଥିବା ଗୋଟିଏ ବିଜ୍ଞପ୍ତି ପଢ଼ି, ଯେଉଁଥିରେ କୁହାଯାଇଥିଲା ଯେ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ହେବାପାଇଁ ଲେଖକମାନେ ନିଜେ ମଧ୍ୟ ଦରଖାସ୍ତ କରିପାରିବେ। ଆପଣ ଏହାକୁ ଲେଖକମାନଙ୍କର ସ୍ୱାଭିମାନ ଉପରେ ଏକ ଆଘାତ ବୋଲି ମତଦେଇ କହିଲେ, “ମୁଁ ଚାହେ, ମୋତେ କେବେ ବି ଏକାଡେମୀ ପୁରସ୍କାର ନ ମିଳୁ। ମୁଁ ଏଭଳି ଗୋଟିଏ ପୁରସ୍କାର ପାଇଁ ଜୀବନରେ କେବେ ବି ଆବେଦନ କରିନାହିଁ, କି କରିବି ନାହିଁ ମଧ୍ୟ।” ଏହା ପ୍ରବଳ ଉତ୍ତେଜନାର ସହିତ କହିବାବେଳେ ଆପଣ ସେଠାରେ ହଠାତ୍ ଅଚେତ ହୋଇଗଲେ। ଅବସ୍ଥା ଏପରି ହେଲା ଯେ ଆପଣଙ୍କୁ ଏକ ଗାଡ଼ିରେ ନେଇ ତୁରନ୍ତ ଏକ ହାସପାତାଳରେ ଭର୍ତ୍ତି କରିବାକୁ ପଡ଼ିଲା।
ଆଦିକନ୍ଦ ସାହୁ: ମୋତେ ଆଜି ଆସି ଅଶି ବର୍ଷ ହେଲାଣି; ଜୀବନସାରା ମୁଁ ସ୍ୱାଭିମାନର ସହିତ ବଞ୍ଚିଛି।

ସାହିତ୍ୟ ଚର୍ଚ୍ଚା: ଏଥିରୁ ସ୍ପଷ୍ଟ ଯେ ଆପଣ ଜୀବନରେ କେବେ ବି କୌଣସି ଆଖିଦୃଶିଆ ପୁରସ୍କାର ପାଇନଥିବେ।
ଆଦିକନ୍ଦ ସାହୁ: ସେଇଟା ମୋର ଗୌରବ ହେବ। ନ ପାଇବାଟା ହେଉଛି ମୋର ସଫଳତା। ରାଜଦ୍ୱାରରେ ଯାଇ ଭିକାରିଙ୍କ ଭଳି ଜଣେ ହାତ ପାତିବ ଏହା କହି ଯେ ‘ଆଜ୍ଞା, ମୋ’ର ଦରଖାସ୍ତଟି ରଖିବା ହେଉ; ମୋତେ ପୁରସ୍କାର ଟିକିଏ ମିଳୁ’ ଏହା ଲେଖକମାନଙ୍କୁ ଶୋଭାପାଏନା।
ସାହିତ୍ୟ ଚର୍ଚ୍ଚା: ଆପଣ ତ ଉଭୟ କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ପରିଷଦର ସଦସ୍ୟ ଥିଲେ ବହୁ ବର୍ଷ କାଳ। ଏପରିକି ଉଭୟ ଏକାଡେମୀର ପୁରସ୍କାର କମିଟିରେ ଜଣେ ବିଚାରକ ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି କିଛି ବର୍ଷ। ବହୁ ଲେଖକଙ୍କୁ ସାହିତ୍ୟ ଏକାଡେମୀରୁ ପୁରସ୍କାର ମିଳିବାରେ ମୁଖ୍ୟ ଭୂମିକା ତୁଲାଇଛନ୍ତି, ତଥାପି ଆପଣ ‘କିଙ୍ଗ୍‌-ମେକର’ ହୋଇ ରହିଗଲେ ସିନା ଜଣେ ‘କିଙ୍ଗ୍‌’ ହୋଇପାରିଲେନି!
ଆଦିକନ୍ଦ ସାହୁ: କଥାଟା ସେହିଭଳି ସତ। ସେତେବେଳର ଅନେକ ବିଶିଷ୍ଟ ଲେଖକ ପୁରସ୍କାର ପାଇଛନ୍ତି ମୋ’ ସୁପାରିସରେ।
ସାହିତ୍ୟ ଚର୍ଚ୍ଚା: ଚଳିତ ବର୍ଷ ଆପଣଙ୍କର ଗୋଟିଏ ସ୍ମୃତିଚାରଣ ପୁସ୍ତକ ବାହାରିଛି, ଯାହାର ନାମ ହେଲା, ‘ଭାବର ଆବେଶେ – ମୋ ସ୍ମୃତିର ଅଥଳ ପାରାବାର’। ସେଥିରେ ନିଜ ଜୀବନର ବହୁ କଥା ଆପଣ ଖୋଲାଖୋଲି ସ୍ୱୀକାରୋକ୍ତି ଭାବରେ ପ୍ରକାଶ କରିଛନ୍ତି। ସେ ବହିର ଗୋଟିଏ ଅଧ୍ୟାୟରେ ଆପଣ କହିଛନ୍ତି, “ଥରେ ସାହିତ୍ୟ ଏକାଡେମୀର ସଭାପତିଙ୍କ ସହିତ ମୋ’ର ଦେଖାହୋଇଥିଲା। ସେ ଅତି ସ୍ପଷ୍ଟ ଭାବରେ କହିଲେ, ଏକାଡେମୀର ପିଅନ ଓ କିରାଣୀଙ୍କୁ ଧରି କେତେଜଣ ପୁରସ୍କାର ଯୋଗାଡ଼ କରିନେଉଛନ୍ତି।” ଏହା କ’ଣ ସତ କଥା?
ଆଦିକନ୍ଦ ସାହୁ: ହଁ, ଓଡ଼ିଶା ସାହିତ୍ୟ ଏକାଡେମୀର ତତ୍‌କାଳୀନ ସଭାପତି ସ୍ୱର୍ଗତ ହରିହର ମିଶ୍ର ମୋତେ କହିଥିଲେ ଏ କଥା। ଥରେ ନୁହେଁ, ଦୁଇଥର।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କଠାରୁ ଏସବୁ ଶୁଣି ଆମର ମନେହୁଏ, ଗତ ଆଠବର୍ଷ ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ଯେ କୌଣସି ପୁରସ୍କାର ଦେଉନାହିଁ, ତାହା ଗୋଟିଏ ଦୃଷ୍ଟିରୁ ଭଲ । ବୋଧହୁଏ ଆମ ଏକାଡେମୀ ଭାବୁଛି ଯେ ମୂଳୁଁ ମାଇଲେ ଯିବ ସରି। ନା ପୁରସ୍କାର ରହିବ, ନା ସାହିତ୍ୟଜଗତରେ ଏ ପ୍ରକାର ଅବକ୍ଷୟ ଘଟିବ।
ଆଦିକନ୍ଦ ସାହୁ: ପୁରସ୍କାର ନ ଦେବା ତ ଗୋଟିଏ ଭିନ୍ନ କଥା। କିନ୍ତୁ ଏହାକୁ ନେଇ ହଟଚମଟ ସ୍ପୃହଣୀୟ ନୁହେଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ବୟସ ତ ବର୍ତ୍ତମାନ ଅଶି ବର୍ଷ। ଆମେ ଯାହା ଜାଣୁ, ଆପଣ ଲେଖାଲେଖି ଆରମ୍ଭ କରିଛନ୍ତି ସପ୍ତମ ଶ୍ରେଣୀରେ ପଢ଼ିବା ବେଳୁ। ଆପଣଙ୍କ ଏବର ମୁଖ୍ୟ ପରିଚୟ ତ ଜଣେ ପ୍ରାବନ୍ଧିକ ଓ ସମାଲୋଚକ ଭାବରେ। ଆମେ ଯେଉଁ କେତେଜଣ ଲେଖକଙ୍କର ସାକ୍ଷାତକାର ନେଇଛୁ, ପ୍ରାୟ ସମସ୍ତେ କହିଛନ୍ତି ଯେ ସେମାନଙ୍କ ଜୀବନର ପ୍ରଥମ ଲେଖାଟି ଥିଲା ଗୋଟିଏ କବିତା। କିନ୍ତୁ ଏହାର ବିପରୀତ ସେଇ କଅଁଳ ବୟସରେ ଆପଣଙ୍କର ପ୍ରଥମ ଲେଖାଟି ଥିଲା ଗୋଟିଏ ପ୍ରବନ୍ଧ। ଏହା କ’ଣ ତୁଳସୀ ଦୁଇ ପତ୍ରରୁ ବାସିବାର ଗୋଟିଏ ଲକ୍ଷଣ ଥିଲା?
ଆଦିକନ୍ଦ ସାହୁ: ମୁଁ ପ୍ରଥମେ ପ୍ରବନ୍ଧ ହିଁ ଲେଖିଥିଲି, ଯାହାର ଶୀର୍ଷକ ଥିଲା, ‘ମୋ ପ୍ରିୟ ବାପୁଜୀ’। ଏହା ପରେ ସେଇ ବୟସରେ ମଧ୍ୟ ଲେଖିଥିଲି ଗଣକବି ବାଞ୍ଛାନିଧି ମହାନ୍ତିଙ୍କ ବିଷୟରେ, ଯିଏ କହିଥିଲେ, “କହ କେଉଁ ଜାତି ପାଇଛି ମୁକତି, କରି ହୁରି ହାରି ଗୁହାରି।”
ସାହିତ୍ୟ ଚର୍ଚ୍ଚା: ଆମେ ବେଶ୍ ଚକିତ ହୋଇଛୁ ଆପଣଙ୍କର ସଦ୍ୟ ପ୍ରକାଶିତ ସ୍ମୃତିଚାରଣଟି ପଢ଼ି, ଯେଉଁ ବହିଟିର କଥା ଆମେ ଟିକିଏ ଆଗରୁ କହିଥିଲୁ। ଏତେ ସାହସର ସହିତ ଆପଣ ଏଥିରେ ନିଜ ଜୀବନର ଅନେକ ସତ କଥା ଲେଖିଛନ୍ତି ଯେ ଆମର ମନେ ପଡ଼ିଗଲା, କିଛିଦିନ ତଳେ ଆପଣ ଆମକୁ କଥା ପ୍ରସଙ୍ଗରେ କହିଥିଲେ, “ଲେଖକ ସାମଗ୍ରିକ ସତ୍ତାଟିଏ ହେବା ଉଚିତ; ଯେଉଁ ଆଦର୍ଶ ଓ ଭାବନା ସେ ନିଜର ରଚନାରେ ପ୍ରକାଶ କରେ, ତା’ର ବାସ୍ତବ ଜୀବନରେ ମଧ୍ୟ ତାହା ପ୍ରତିଫଳିତ ହେବା ଦରକାର।”
ଆଦିକନ୍ଦ ସାହୁ: ନିହାତି ସତ। ଲେଖକର ଜୀବନ ଗୋଟିଏ ପ୍ରକାର, ଲେଖା ଆଉ ଗୋଟିଏ ପ୍ରକାର – ଏହି ଯେଉଁ ପାରାଡକ୍ସ, ଏହା ଆଦୌ ସ୍ପୃହଣୀୟ ନୁହେଁ। ସେଭଳି ଲେଖକ କେବେହେଲେ ଶକ୍ତିଶାଳୀ ଲେଖା ଲେଖିପାରିବ ନାହିଁ। ଟଲଷ୍ଟୟ, କାମ୍ୟୁ, କାଫକା, ସାର୍ତ, ସେକ୍ସପିଅର, ମିଲଟନ୍‌, ଏପରିକି ଆମର ବାଲ୍ମିକୀ ଓ ବ୍ୟାସ ଏମାନଙ୍କ ଜୀବନକୁ ଲକ୍ଷ୍ୟ କଲେ ଆମେ ଏ କଥା ଜାଣିପାରିବା।
ସାହିତ୍ୟ ଚର୍ଚ୍ଚା: ଆପଣ ତ ଏହି ନୀତିର କଥା କେବଳ କହୁନାହାନ୍ତି, ଆପଣଙ୍କ ‘ଭାବର ଆବେଶ’ ବହିଟି ପଢ଼ିଲେ ମନେହୁଏ ଯେ ଆପଣ ଏହି ନୀତି ଅନୁସାରେ ନିଜର ଜୀବନ ଜିଇଛନ୍ତି ମଧ୍ୟ। ଆପଣ ନିଜ ଜୀବନର ବହୁ ସ୍ୱୀକାରୋକ୍ତି ବିନା ସଙ୍କୋଚରେ ଏଥିରେ ଭରିଦେଇଛନ୍ତି।
ଆଦିକନ୍ଦ ସାହୁ: ପୂରାପୂରି। ମା’ ଗୁହାଳ କାଢ଼ିଥିବ, ହାତର ଯେଉଁ ଅଂଶରେ ଗୋବର ଲାଗିନଥିବ ସେତକ ସାହାଯ୍ୟରେ ସେ ଆମପାଇଁ ପଖାଳ ବାଢ଼ିଦିଏ। ମୁଁ କେଉଁ ଦୂରସ୍ଥ ଚମ୍ପାବନର କଥା ଲେଖିନାହିଁ; ଲେଖିଛି ମା’ଦେହର ସେଇ ଝାଳଗନ୍ଧ କଥା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଲେଖକୀୟ ତଥା ବ୍ୟକ୍ତିଗତ ଜୀବନକୁ ନେଇ ବିଭିନ୍ନ କଥା ଚର୍ଚ୍ଚିତ ହୁଏ, ବିଶେଷତଃ ଆପଣଙ୍କର ରୋମାଣ୍ଟିକ ଜୀବନ ବିଷୟରେ। ସେହି କଥାଗୁଡ଼ିକ ମଧ୍ୟ ଆପଣ ଏ ବହି ଭିତରେ ଖୁନ୍ଦିଦେଇଛନ୍ତି।
ଆଦିକନ୍ଦ ସାହୁ: ନିଶ୍ଚୟ। ପ୍ରତ୍ୟେକ ମଣିଷର, ସଂକ୍ଷିପ୍ତ ହେଉ ବା ବିସ୍ତୀର୍ଣ୍ଣ, ଗୋଟିଏ ପ୍ରେମଜୀବନ ଥାଏ। ପ୍ରେମକୁ ଛାଡ଼ି ଜୀବନ ନାହିଁ ବୋଲି ମୁଁ ବିଶ୍ୱାସ କରେ।
ସାହିତ୍ୟ ଚର୍ଚ୍ଚା: ଆପଣ ଏଥିରେ ଯାହା ଲେଖିଛନ୍ତି, ସେଭଳି ସାହସ ବହୁ ଲେଖକଙ୍କ ପାଖରେ ନ ଥାଏ। ଉଦାହରଣ ସ୍ୱରୂପ, ଆପଣ ଆପଣଙ୍କ ସହଧର୍ମିଣୀ ଚନ୍ଦ୍ରାଙ୍କ ସହିତ କିଶୋର ବୟସରେ ଚାଲିଥିବା ବିବାହ-ପୂର୍ବ ପ୍ରେମର କଥା ନିଖୁଣ ଭାବରେ ଲେଖିଛନ୍ତି। ଠାଏ ମଧ୍ୟ କହିଛନ୍ତି, “ମୋ’ ଭଳି ରୋମାଣ୍ଟିକ ମଣିଷ ପାଖରେ ଚନ୍ଦ୍ରା ମୋତେ ଜଣେ ଅଣରୋମାଣ୍ଟିକ ଜୀବନସାଥୀ ଭଳି ଲାଗୁଥିଲା।” ମ୍ୟାଡାମ୍ ଏହାକୁ ପଢ଼ିଛନ୍ତି କି?
ଆଦିକନ୍ଦ ସାହୁ: (ହସି) ମ୍ୟାଡାମ୍ ପଢ଼ିଛନ୍ତି; କଳିକଜିଆ ହୋଇଛି। ମତପାର୍ଥକ୍ୟ ଓ ବୁଝାମଣା – ଏମିତି ଭାବରେ ଆମ ଜୀବନଟା ଗଡ଼ିଆସିଛି।
ସାହିତ୍ୟ ଚର୍ଚ୍ଚା: ଆପଣ ନିଜର ବାଲ୍ୟ ଜୀବନଠାରୁ ନେଇ ଆଜିର ପରିଣତ ବୟସ ପର୍ଯ୍ୟନ୍ତ ନିଜ ଜୀବନର କିଛି କିଛି ପ୍ରେମ ପ୍ରକରଣ ଏଥିରେ ବର୍ଣ୍ଣନା କରିଛନ୍ତି। ଏହା ଆପଣଙ୍କ ସାହିତ୍ୟର ଗୋଟାଏ ଅଂଶ ଭାବରେ ସାର୍ବଜନୀନ ହୋଇସାରିଛି। ଏଣୁ ଏ ବିଷୟରେ ବୋଧହୁଏ କଥା ହୋଇପାରିବା।
ଆଦିକନ୍ଦ ସାହୁ: ନିଶ୍ଚୟ, କାହିଁକି କଥା ହୋଇପାରିବା ନାହଁ ସେ ବିଷୟରେ?
ସାହିତ୍ୟ ଚର୍ଚ୍ଚା: ଆପଣ ଲେଖିଛନ୍ତି ଯେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଆପଣ ନିଜର ଜଣେ ସହପାଠିନୀକୁ ଥରେ ଗୋଟିଏ ପ୍ରେମପତ୍ର ଦେଇଥିଲେ। ସେଇଟି ପାଇବା ପରେ ସେ ଆପଣଙ୍କୁ ଧମକ ଦେଇଥିଲା ଯେ ସେହି ଚିଠି ସେ ନିଜର ବାପାଙ୍କୁ ଦେଖାଇଦେବ। କିନ୍ତୁ ଆପଣ କବିସୁଲଭ ସମ୍ବେଦନଶୀଳତା ହେତୁ ଭୁଲିନାହାନ୍ତି ଯେ ଏହି କଥା କହିଲାବେଳେ ଶେଷକୁ ସେ ଅଳ୍ପ ହସିଦେଇଥିଲା ।
ଆଦିକନ୍ଦ ସାହୁ: ନାରୀର କହିବା ଅପେକ୍ଷା, ତା’ର ବଡି-ଲାଙ୍ଗୁଏଜ୍‌ଟା ବେଶି ଏକ୍ସପ୍ରେସିଭ୍ ଆଉ ରିଲିଭେଣ୍ଟ। ଯିଏ ବଡି-ଲାଙ୍ଗୁଏଜ୍‌କୁ ବୁଝିପାରିବନି, ସେ ନାରୀକୁ ବୁଝିପାରିବନି। ସେମାନଙ୍କର ଅନେକ ନା’ର ଅର୍ଥ ହେଉଛି ହଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ସାହିତ୍ୟ ସାଧନାର ମୁଖ୍ୟ ଦିଗ ହେଉଛି ସମାଲୋଚନା ସାହିତ୍ୟ। ଆପଣ ଏହି ବିଭାଗର ଛଅଗୋଟି ବିଷୟକୁ ନେଇ ସଂପୂର୍ଣ୍ଣ ସିରିଜ୍‌ର ବହି ଲେଖିଛନ୍ତି।

ଆଦିକନ୍ଦ ସାହୁ: ଆପଣ ଛଅଗୋଟି ‘ଗୌରବ’ ବହିର କଥା କହୁଛନ୍ତି!
ସାହିତ୍ୟ ଚର୍ଚ୍ଚା: ହଁ, ଶିରୋନାମାରେ ଗୌରବ ଶବ୍ଦଟି ଧାରଣ କରିଥିବା ଆପଣଙ୍କ ସେହି ଛଅଗୋଟି ବହିର କଥା କହୁଛୁ, ଯଥା: ଗଦ୍ୟ ଗୌରବ, ପଦ୍ୟ ଗୌରବ, କଳା ଗୌରବ, ସୃଜନ ଗୌରବ, ଭାବ ଗୌରବ ଓ ରଚନା ଗୌରବ। ଏଗୁଡ଼ିକ ଲେଖିବା ପାଇଁ ଆପଣ କାହିଁକି ଚିନ୍ତାକଲେ?
ଆଦିକନ୍ଦ ସାହୁ: ‘ଅର୍ଥ ଗୌରବମ୍‌’ – ସଂସ୍କୃତର ଏହି ଧାଡ଼ିଟି ଦ୍ୱାରା ମୁଁ ପ୍ରଭାବିତ ହୋଇଥିଲି। ଏହି ଡିକ୍ସନ୍‌ଟାକୁ ମୁଁ ବୁଝିବାକୁ ଚେଷ୍ଟା କଲି। ଏହା ବୁଝାଏ, ‘ଟୁ ଟ୍ରେସ୍ ଆଉଟ୍ ଦି ରିଅଲ୍ ଏକ୍ସଲେନ୍‌ସ୍ ହ୍ୱେଆର୍ ଇଟ୍ ଲାଇଜ୍‌।’ ସାହିତ୍ୟର ବିଭିନ୍ନ ଉପାଦାନ ଅଛି; ସେଇଟାକୁ ଚିହ୍ନଟ କରିବା ଥିଲା ମୋର ଉଦ୍ଦେଶ୍ୟ। ଏହି ଶବ୍ଦର ପରିଭାଷାକୁ ମୁଁ ଚମତ୍କାରିତା ବା ଗୌରବ ଅର୍ଥରେ ବୁଝିଲି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ପ୍ରବନ୍ଧ-ସାହିତ୍ୟର ରାଜଭାଗ ବ୍ୟୟିତ ହୋଇଛି ଏକ୍ଜିଷ୍ଟେନ୍‌ସିଆଲିଜମ୍ ବା ଅସ୍ତିତ୍ୱବାଦ ଓ ସୌଦର୍ଯ୍ୟତତ୍ତ୍ୱର ଅଧ୍ୟୟନରେ। ଆପଣ ସାରସ୍ୱତ ସାଧନାର ଏହି ଦିଗଟିକୁ କାହିଁକି ପାଥେୟ କରିନେଲେ?
ଆଦିକନ୍ଦ ସାହୁ: ମୁଁ ଭାବେ ଯେ ଗଦ୍ୟ ଓ ପଦ୍ୟ ନିର୍ବିଶେଷରେ ଯେତେ ସାହିତ୍ୟ ଆଜି ପର୍ଯ୍ୟନ୍ତ ସୃଷ୍ଟି ହୋଇଛି, ଆଧୁନିକ ଓ ପ୍ରାଚୀନ ନିର୍ବିଶେଷରେ ମଧ୍ୟ, ସବୁଗୁଡ଼ିକ ପ୍ରକୃତରେ ଗୋଟିଏ ସୌନ୍ଦର୍ଯ୍ୟତାତ୍ତ୍ୱିକ ଚମତ୍କାରିତା ଖୋଜି ଚାଲଛି।
ସାହିତ୍ୟ ଚର୍ଚ୍ଚା: ଆପଣ ‘ସାହିତ୍ୟରେ ଅସ୍ତିତ୍ୱବାଦ, ସୌନ୍ଦର୍ଯ୍ୟ ଓ ସୃଜନଦର୍ଶନ’ ନାମରେ ଏକ ଉପଯୋଗୀ ଗ୍ରନ୍ଥ ଲେଖିଛନ୍ତି, ଯାହା ଓଡ଼ିଆ ସମାଲୋଚନା ସାହିତ୍ୟର ଏକ ବଡ଼ ଅଭାବ ପୂରଣ କରିଛି।
ଆଦିକନ୍ଦ ସାହୁ: ଏସ୍ଥେଟିକ୍‌ସ୍ ହେଉଛି ଯେ କୌଣସି ସାହିତ୍ୟକୃତିର ନିର୍ଯ୍ୟାସ। ଏହାକୁ ଆମେ ଅଣଦେଖା କରିପାରିବା ନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ରଚନାମାନ ସୋରେନ୍ କିରକେଗାର୍ଡଙ୍କ ଦର୍ଶନ ଦ୍ୱାରା ବହୁଳ ଭାବରେ ପ୍ରଭାବିତ। ସିଏ ସତ୍ୟର ‘ସବଜେକ୍‌ଟିଭିଟି’ କଥା ଯାହା କହିଛନ୍ତି ସେଥିରେ ବୋଧହୁଏ ଆପଣ ଏକମତ!
ଆଦିକନ୍ଦ ସାହୁ: ହଁ, ସତ୍ୟ ହେଉଛି ସଦା ଆତ୍ମନିଷ୍ଠ; ଅର୍ଥାତ୍ ଏହା ପ୍ରତ୍ୟେକଟି ମଣିଷ ପାଇଁ ଭିନ୍ନଭିନ୍ନ। ମୁଁ ଉପଲବ୍‌ଧି କରିଛି ଯେ ସତ୍ୟଟା ସାର୍ବଜନୀନ ନୁହେଁ, ବରଂ ପର୍ସନାଲ୍‌।
ସାହିତ୍ୟ ଚର୍ଚ୍ଚା: ଆପଣ ତ ଓଡ଼ିଆ ସମାଲୋଚନା ସାହିତ୍ୟକୁ ସମୃଦ୍ଧ କରିଛନ୍ତି, କିନ୍ତୁ ତା’ବୋଲି କବିତା ଓ ଗଳ୍ପ ବିଭାଗକୁ ଯେ ଅଛୁଆଁକରି ରଖିଛନ୍ତି, ସେ କଥା ନୁହେଁ ।
ଆଦିକନ୍ଦ ସାହୁ: ମୁଁ କବିତା ଲେଖିଛି। ମୋ’ର ତିନୋଟି ଗଳ୍ପ ସଂକଳନ ମଧ୍ୟ ଅଛି।
ସାହିତ୍ୟ ଚର୍ଚ୍ଚା: ‘କ୍ଷେତ ପାରିବାର ବେଳ’ ହେଉଛି ଆପଣଙ୍କର ଏକ ବହୁଚର୍ଚ୍ଚିତ ଗଳ୍ପ ସଂକଳନ। ଆପଣ ଜଣେ ପ୍ରାବନ୍ଧିକ ହୋଇଥିବା ସତ୍ତ୍ୱେ ଜଣେ କବିଭାବର ମଣିଷ। ଜଣେ କବି ଯେତେବେଳେ ଗପ ଲେଖେ, ତା’ର ବାସ୍ତବ ଜୀବନର କିଛି ପ୍ରତିଫଳନ ମଧ୍ୟ ସେଥିରେ ଘଟିଥାଏ କି?
ଆଦିକନ୍ଦ ସାହୁ: ନିଶ୍ଚୟ ଘଟିଥାଏ ।
ସାହିତ୍ୟ ଚର୍ଚ୍ଚା: ‘ଭାବର ଆବେଶେ’ ବହିରେ ଆପଣ ନିଜ ବ୍ୟକ୍ତିଗତ ଜୀବନର ଅନେକ କଥା ଲେଖିଛନ୍ତି। ସେଥିରେ ଆପଣଙ୍କ ଗଳ୍ପର କେଉଁ ଚରିତ୍ର ଆପଣଙ୍କ ବାସ୍ତବ ଜୀବନର କେଉଁ ମଣିଷଙ୍କ ଉପରେ ଆଧାରିତ ସେମାନଙ୍କର ନାମ ମଧ୍ୟ ଲେଖିଛନ୍ତି। କିନ୍ତୁ ଆମେ ପତ୍ରିକାର ନୀତି ଦୃଷ୍ଟିରୁ ଏଠାରେ ସେମିତି କିଛି ନାମ ନ ନେଇ ପଚାରିବୁ, ଆପଣ ଦୂର ଅତୀତରେ ଜଣେ ପାରିବାରିକ ଦୂର ସମ୍ପର୍କୀୟାଙ୍କ ପ୍ରତି ଆକର୍ଷିତ ହୋଇପଡ଼ିଥିଲେ। ଆପଣ ଲେଖିଛନ୍ତି, “ପୂଜା ଛୁଟିରେ ଘରକୁ ଆସିଥିବା ବେଳେ ତା’ ସହିତ ବର୍ଷାରେ ଭିଜି କାଦୁଅ ରାସ୍ତାରେ ଗୋଟିଏ ଛତା ତଳେ ରୋମାଞ୍ଚିତ ହେଉଥିଲି।’
ଆଦିକନ୍ଦ ସାହୁ: ସେଥିପାଇଁ ମୁଁ କହେ, ସୁନାରେ ଖାଦ ନ ମିଶିଲେ ଗହଣା ହୋଇପାରିବ ନାହିଁ। ତେଣୁ ମୋ’ ଗପରେ ବାସ୍ତବତା ମଧ୍ୟ ବହୁ ଭାବରେ ମିଶିଛି।
ସାହିତ୍ୟ ଚର୍ଚ୍ଚା: ସେହି ବହିରେ ଆପଣ ନିଜ ସ୍ନାତକୋତ୍ତର ଛାତ୍ର ଜୀବନର ଜଣେ ସହପାଠିନୀଙ୍କ ସହିତ ଥିବା ସଂପର୍କର କଥା ଲେଖିଛନ୍ତି, ତଥା ଉତ୍ତର-ଜୀବନର ଆଉ ଜଣେ ପ୍ରେୟସୀଙ୍କ ନାମ ମଧ୍ୟ ନେଇଛନ୍ତି। କେବେ ଭାବିନାହାନ୍ତି କି, ଏହା ଆପଣଙ୍କୁ ଓ ଅନ୍ୟମାନଙ୍କୁ ଅସୁବିଧାରେ ପକାଇପାରେ?
ଆଦିକନ୍ଦ ସାହୁ: ହୋଇପାରେ। କିନ୍ତୁ ମୁଁ ଯଦି ଲେଖିଛି, ଏଥିରେ ସେମାନଙ୍କର ସହମତି ଅଛି। ନଥିଲେ ଏକଥା ଲେଖିହେବ ନାହଁ। ଲେଖିବା ମଧ୍ୟ ଅନ୍ୟାୟ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମୁକ୍ତ ଆଲୋଚନାଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

One thought on “ବର୍ଷୀୟାନ୍ ପ୍ରାବନ୍ଧିକ ଆଦିକନ୍ଦ ସାହୁଙ୍କ ସହ ବାର୍ତ୍ତାଳାପ

  1. ଆଦିକନ୍ଦ ସାରଙ୍କ ଅନେକ ଆଲୋଚନା ପଢ଼ିଛି। ତାଙ୍କ ସହିତ ଏହି ସାକ୍ଷାତକାରଟି ନିଆରା ଲାଗିଲା।

Leave a Reply

Your email address will not be published. Required fields are marked *