ଅସ୍ମିତା ହେଉଛି ସ୍ବାଭିମାନ। ଏହା ପରମ୍ପରାକୁ ପୁରୋଦୃଷ୍ଟି ସହିତ ଯୋଡ଼େ।

ଅସ୍ମିତା ବୁଝିବାକୁ ହେଲେ ସଭ୍ୟତା ଓ ସଂସ୍କୃତି ଭିତରେ ପାର୍ଥକ୍ୟ ବୁଝିବା ଆବଶ୍ୟକ। ଇଂରାଜୀ ଶବ୍ଦ ‘ସିଭିଲାଇଜେସନ୍’ର ଅର୍ଥ ସଭ୍ୟତା। ଇଂରାଜୀ ‘ସିଭିଲାଇଜେସନ୍’ ଲାଟିନ୍ ‘ସିଭିଲିସ୍’ ଶବ୍ଦରୁ ଉତ୍ପନ୍ନ, ଯାହାର ଅର୍ଥ ‘ରିକ୍ଲାମେସନ୍ ଫ୍ରମ୍ ବାରବାରିଜମ୍’। ସଂସ୍କୃତି ବା ‘କଲ୍ଚର୍’ ଶବ୍ଦଟି ‘କଲ୍ଟିଭେଟ୍’ ଶବ୍ଦ ସହ ସମ୍ପୃକ୍ତ।
ଅସ୍ମିତାର ଅର୍ଥ, ମୁଁ ଅଛି, ମୁଁ ଅଟେ। ଏହି ଅସ୍ମିତା ବ୍ୟକ୍ତି, ଗୋଷ୍ଠୀ, ଜାତି, ସମାଜ, ଦେଶ ଆଦି ସବୁ ସହିତ ପ୍ରଯୁକ୍ତ ହୋଇପାରେ। ଅସ୍ମିତା ବ୍ୟଷ୍ଟି କିମ୍ବା ସମଷ୍ଟିଗତ ଅହଂକାର ନୁହେ। ଏହା ପାରସ୍ପରିକତା ଓ ପରିପୂରକତା ସୂତ୍ରରେ ବନ୍ଧା ପୃଥିବୀର ଜନ ସମାଜକୁ ମଧ୍ୟ ବୁଝାଇ ପାରେ।

ପରିବର୍ତ୍ତନ ହିଁ ନିୟମ
ପରିବର୍ତ୍ତନ ସୃଷ୍ଟିର ନିୟମ। ଏହି ପରିବର୍ତ୍ତନ ହେତୁ ପୂର୍ବ ପଶ୍ଚିମର ଚିନ୍ତନରେ ବିଭିନ୍ନତା ଦେଖାଗଲା। ପୂର୍ବର ପ୍ରତିନିଧିତ୍ବ କରୁଥିବା ଭାରତର ଜୀବନମନ୍ତ୍ର ହେଲା, ‘ତୁମେ ଓ ମୁଁ’ ଏବଂ ପଶ୍ଚିମର ଜୀବନମନ୍ତ୍ର ହେଲା ‘ତୁମେ କିମ୍ବା ମୁଁ’। ପ୍ରଥମଟି ହେଉଚି ବୈଦିକ ଚିନ୍ତନର ପ୍ରଲମ୍ବନ, ଦ୍ଵିତୀୟଟି ବୈଦିକ ଚିନ୍ତନର ସଂକୋଚନ।
ଭାରତୀୟ ଚିନ୍ତନରେ ଏକରେ ବହୁ ଏବଂ ବହୁରେ ଏକର ଅନ୍ଵେଷଣ। ପଶ୍ଚିମୀ ଚିନ୍ତାରେ ବହୁରେ ଏକର ପ୍ରାଧାନ୍ୟ। ବଡସାନ, ଉଚ୍ଚନୀଚ, ଉନ୍ନତ ଅନୁନ୍ନତ ଏହାର ସ୍ବାଭାବିକ ପ୍ରତିକ୍ରିୟା। ପରିବର୍ତ୍ତନ ସୂତ୍ରରେ ଏହି ସବୁ ବିଭେଦ ଭାରତୀୟ ଚିନ୍ତନକୁ ପ୍ରଭାବିତ କରିଛି। ତେବେ ଏ ସବୁ ବିଭିନ୍ନତା ଭିତରେ ଭାରତୀୟ ଚିନ୍ତନର ସମନ୍ବୟ ସମସ୍ତଙ୍କୁ ବାନ୍ଧି ରଖିଚି। ୧୯୫୭ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପ୍ରତିଷ୍ଠା ଅବସରରେ ରାଜଗୋପାଳଚାରୀ କହିଥିଲେ, ଭାରତୀୟ ସଂସ୍କୃତି ଏକ, ତାହା ବହୁ ମୁହଁରେ କଥା କୁହେ। ତା’ପୂର୍ବରୁ ପଶ୍ଚିମୀ ପଣ୍ଡିତ ଆମେରିକାର ଏମ.ବି.ଏ ମେନୋ ଓ ବିଲାତର ଟି. ବରୋ କହିଥିଲେ, ବିଭିନ୍ନତା ଓ ବହୁବିଧତା ସତ୍ତ୍ବେ ଭାରତ ଗୋଟିଏ ସାଂସ୍କୃତିକ ଅଞ୍ଚଳ।
ଅସ୍ମିତା ହେଉଛି ସ୍ବାଭିମାନ। ଏହା ପରମ୍ପରାକୁ ପୁରୋଦୃଷ୍ଟି ସହିତ ଯୋଡ଼େ। ବ୍ୟକ୍ତିକୁ ଗୋଷ୍ଠୀ, ସମାଜ, ଦେଶ ଓ ବିଶ୍ବ ସହିତ ଯୋଡ଼େ। ଅସ୍ମିତା ହେଉଛି ଭାବ, ଭାବନା, କଳ୍ପନା, ଅନୁଭବ, ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟର ସମନ୍ବୟ। ଅସ୍ମିତାକୁ ବୁଝିବାକୁ ହେଲେ ବ୍ୟକ୍ତିସଭାକୁ ଜାଣିବା ଯେତିକି ପ୍ରୟୋଜନ, ମାନବିକତାକୁ ବୁଝିବା ସେତିକି ପ୍ରୟୋଜନ।
ଓଡ଼ିଆ ଅସ୍ମିତା
ଓଡିଆ ଅସ୍ମିତା କହିଲେ ପ୍ରଥମେ ମନକୁ ଆସେ ଭୌଗୋଳିକ ପରିସୀମା। ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ବିସ୍ତୃତ କଳିଙ୍ଗ, ଉତ୍କଳ, କୋଶଳ, ତୋଷଳ, କଙ୍ଗୋଦ, ଉଡ୍ର ରାଷ୍ଟ୍ରଦେଇ ଓଡ଼ିଶା। ତାହାର ଐତିହାସିକ ପଟ୍ଟଭୂମି ଓ ଐତିହ୍ୟ ଜାଣିବା ଦରକାର। ତାହାର ବାଣିଜ୍ୟିକ ପରମ୍ପରା, ଶିଳ୍ପକଳାର ଉତ୍କର୍ଷ ଏବଂ ପାରିବେଶିକ ସ୍ଵାତନ୍ତ୍ର୍ୟ ନ ଜାଣିଲେ ଓଡିଆ ଅସ୍ମିତାର ଧାରଣା କରିହେବ ନାହିଁ।
ଓଡିଆ ଅସ୍ମିତା କହିଲେ ବୌଦ୍ଧଗାନ ଓ ଦୋହାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପ୍ରାୟ ୭୦୦୦ ବର୍ଷର ନିରବଚ୍ଛିନ୍ନ ଭାଷା ଓ ସାହିତ୍ୟର ଇତିହାସ ବୁଝିବାକୁ ହେବ। ସେହିପରି ସାରଳା ଦାସଙ୍କଠାରୁ ଆଜି ପର୍ଯ୍ୟନ୍ତ ବିଶିଷ୍ଟ ସାହିତ୍ୟିକ ଓ ଚିନ୍ତକମାନଙ୍କ ଅବଦାନକୁ ବିଶ୍ଳେଷଣ କରିବାକୁ ହେବ। ଲୋକଗୀତରୁ ଆରମ୍ଭ କରି ସମୃଦ୍ଧ ଓଡିଆ ସଙ୍ଗୀତ, ଲୋକନାଟ୍ୟରୁ ଆରମ୍ଭ କରି ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡିଶୀ ନୃତ୍ୟ ପରମ୍ପରା – ଏସବୁ ଓଡ଼ିଶା ଅସ୍ମିତାର ପରିଚୟ।
ଗୋଟିଏ କଥାରେ କହିଲେ, ଅସ୍ମିତା ହେଉଚି ପରିଚୟ ବା ଆଇଡେଣ୍ଟିଟି। ମୁଁ ଆମେରିକାରେ ପଢୁଥିଲା ବେଳେ ମତେ ଜଣେ ପରିଚୟ ପଚାରିଲେ। ମୁଁ କହିଲି, ମୁଁ ଭାରତୀୟ। ସିଏ ପଚାରିଲେ, ଭାରତର କୋଉ ଅଞ୍ଚଳ? ମୁଁ କହିଲି, ମୁଁ ଓଡିଆ; ଓଡ଼ିଶା ମୋ ଘର। ସିଏ ପଚାରିଲେ, ଓଡ଼ିଶାରେ ଆପଣ ରହନ୍ତି କେଉଁଠି? ସେଇଟା କଣ ଆପଣଙ୍କ ଜନ୍ମସ୍ଥାନ? ମୁଁ କହିଲି, ମୁଁ ରହୁଛି ଭୁବନେଶ୍ବରରେ। ମୋ ଜନ୍ମସ୍ଥାନ ଭାରତର ସବୁଠାରୁ ସାନଗଡଜାତ ତିଗିରିଆ। ଏଥିରୁ ଦେଖାଯିବ ଯେ ମୋ ପରିଚୟ ତିଗିରିଆରୁ ଆରମ୍ଭ ହୋଇ ବିଶ୍ଵବ୍ୟାପୀ ହୋଇଛି।
ପୃଥିବୀର ପ୍ରାଚୀନତମ ଲିଖିତ ଗ୍ରନ୍ଥ ଋଗବେଦରେ ଗୋଟିଏ ସୂକ୍ତ ଅଛି ଯାହାର ଅର୍ଥ, ପୃଥିବୀ ଆମର ଜନନୀ। ଆମେ ସମସ୍ତ ଜୀବନ୍ତ ପ୍ରାଣୀ ତାହାର ସନ୍ତାନ। ଉପନିଷଦ କାଳକୁ ଅନ୍ୟ ଭାବରେ କୁହାଯାଇଛି ‘ବସୁଧୈବ କୁଟୁମ୍ବକମ୍,’ ଅର୍ଥାତ ପୃଥିବୀ ଗୋଟିଏ ପରିବର୍ଦ୍ଧିତ ପରିବାର। ଏହାର ଅର୍ଥ ହେଲା ଯେ କୀଟପତଙ୍ଗ, ପଶୁପକ୍ଷୀ, ବୃକ୍ଷଲତା, ମଣିଷ ଆଦି ସମସ୍ତେ ଭାଇଚାରା ସୂତାରେ ବନ୍ଧା। ଏଇ ହେଉଛି ଆମ ଅସ୍ମିତା ବା ଆଇଡେଣ୍ଟିଟିର ପୃଷ୍ଠଭୂମି।