ଓଡ଼ିଆମାନେ ସଂସ୍କୃତକୁ ମାନ୍ୟ ବା ଆଦର୍ଶ ମନେକରି ଓଡ଼ିଆ ଭାଷାର ଅଶେଷ କ୍ଷତି ସାଧନ କରୁଛନ୍ତି।

ଭାବ ବିନିମୟର ସହାୟକ ହେଉଛି ଭାଷା। ଯୋଗବଶିଷ୍ଠ କହିଲେ, ‘ଆଗମାପାୟିନୋ ଭାବଃ’। ଭାବ ଆସେ ଓ ଯାଏ; ଉତ୍ପନ୍ନ ହୁଏ ଓ ନଷ୍ଟ ବି ହୁଏ। କିନ୍ତୁ ମନରେ ଭାଷାଟି ରହେ ଅମୂର୍ତ୍ତ। ଯେଉଁ ଅର୍ଥ (ବସ୍ତୁମୂଳକ) ହୃଦୟସ୍ପର୍ଶୀ, ତାହା ରସରୁ ଉତ୍ପନ୍ନ ହେବା କାରଣ ହେଉଛି ଭାବ। ସେହି ଭାବ ଶରୀରରେ ଏପରି ମାଡ଼ିଯାଏ, ଯେପରି ଶୁଖିଲା କାଠରେ ନିଆଁ ଧରେ। ଭରତମୁନି ରସ ନିଷ୍ପତ୍ତି ସଂପର୍କରେ ଏ କଥାଟି କହିବା ବେଳେ ଭାଷାର ଭାବଗଠନ ଭୂମିକା କଥା ଅନୁଭବ କରିଛନ୍ତି।
ଭାବ ଆଦୌ ଚୁପ ରହିପାରେ ନାହିଁ; ଏ କଥା କବି କର୍ଣ୍ଣପୁର ଯେ କହିଥିଲେ, ତା’ର ମୂଳରେ ଅଛି ଭାବ ରୂପ ପରିଗ୍ରହ କରେ ଭାଷାରେ। ଏଥିପ୍ରତି ସେ ସଚେତନ। ଭାଷା ଆମକୁ ତିଆରେ, ଆମେ ଭାଷା ତିଆରି କରୁନାହୁଁ। ଏଣୁ ଭାଷା ହିଁ ଆକାର, ସଂକେତ, ଗତି, ଉଦ୍ୟମ, ଭାଷଣ ତଥା ନେତ୍ର ଓ ମୁଖର ବିକାରରୁ ମଣିଷର ଅନ୍ତର୍ମନ ପ୍ରକାଶ କରେ। ସେଦିନ ବିଷ୍ଣୁ ଶର୍ମା ଅବାଧ୍ୟ ରାଜପୁତ୍ରମାନଙ୍କୁ ଶିକ୍ଷା ଦେବା ଆଳରେ ଭାଷା ପ୍ରସଙ୍ଗ ଏହିପରି ଆରମ୍ଭକରି ମନର ଦୂଷିତାବସ୍ଥାର ସଂସ୍କାର କରିଥିଲେ। ମଣିଷର ଅନ୍ତର ଭିତରେ କି ଭାବ ଅଛି ତାହା ବିଷ୍ଣୁ ଶର୍ମାଙ୍କ ବକ୍ତବ୍ୟରେ ଫୁଟିଉଠିଛି। ଆକାର, ସଂକେତ, ଗତି, ଉଦ୍ୟମ, ଭାଷଣ ଏବଂ ନେତ୍ର ଓ ମୁଖ ବିକାର ଦେଖିଲେ କହୁଥିବା ଲୋକର ମନୋଭାବ ଜଣାପଡ଼ିଯାଏ। ଏଥିରୁ ବୁଝିବା କଷ୍ଟ ହେବନାହିଁ ଯେ ଉପର୍ଯ୍ୟୁକ୍ତ ସାତଟି ମାଧ୍ୟମ ହେଉଛି ଭାବର ମୂଳ ଭାଷା। ଏଇଥିପାଇଁ ଭାଷାବିତ୍ମାନେ କହନ୍ତି ଯେ, ଭାଷା ଆମକୁ ତିଆରି କରେ, ଆମେ ଭାଷା ତିଆରି କରିନାହୁଁ। ଭାଷା ହିଁ ସଂସ୍କୃତିର ଅଙ୍ଗ ଓ ତାର ବାହନ ମଧ୍ୟ। ଅର୍ଥାତ୍ ସଂସ୍କୃତି ଜନ୍ମଦିଏ ଭାଷା, ମାଆ ଓ ଝିଅ ଯଥାକ୍ରମେ। ସଂସ୍କୃତି ନାହିଁ ତ ନାହିଁ ଭାଷା।

ଭାଷା ଭାବ ଗଢ଼େ, ବିନିମୟ କରେ। ଭାଷା ନଥିଲେ ଭଲ କି ମନ୍ଦ ବୁଝାପଡ଼ନ୍ତା ନାହିଁ, ଧର୍ମ କି ଅଧର୍ମ ବିଜ୍ଞପିତ ହୁଅନ୍ତା ନାହିଁ, ମନୋଜ୍ଞ ବା କୁତ୍ସିତ କିଛି ଫରକ ନଥାନ୍ତା। ମଣିଷ ଗୋଟିଏ ଚିନ୍ତାପ୍ରିୟ ପ୍ରାଣୀ, ଏହା ବୁଝିହୁଏ ତା’ର ଭାଷାରୁ। ସବୁ ଜୀବ ମଧ୍ୟରେ କେବଳ ଭାଷା ଅଛି ମଣିଷର। ଚିନ୍ତା କରିବା ଓ ଚିନ୍ତାର ବିଷୟ ପ୍ରକାଶ ପାଇଁ ସାମର୍ଥ୍ୟର ଯେଉଁ ବୁଦ୍ଧି ଦରକାର ହୁଏ, ତାହା ମିଳେ ଭାଷାରୁ। ଏଣୁ ଉପନିଷଦ କହିଲେ, ଭାଷା ଉପାସ୍ୟ, ତା’ର ଉପାସନା କର (ଛାନ୍ଦୋଗ୍ୟ, ୭/୨୧)। ଉପାସନାର ଅର୍ଥ ଭାବର ପ୍ରସାର, ବିସ୍ତାର ଓ ପ୍ରଚାର। ଗୋଟିଏ ଭୌଗୋଳିକ ପରିବେଶ ଓ ସାଂସ୍କୃତିକ ପରମ୍ପରା ମଧ୍ୟରେ ପାରମ୍ପରିକ ଅର୍ଥ ଅପରିବର୍ତ୍ତିତ ରହେ। ସେଇ ଅର୍ଥରେ ପ୍ରତ୍ୟେକ ଭାଷାଭାଷୀ ବସ୍ତୁ ଓ ତାର ଅର୍ଥର ଗୁରୁତ୍ୱ ବୁଝନ୍ତି।
ଶବ୍ଦର ମାହାତ୍ମ୍ୟ
ପ୍ରତ୍ୟେକ ଭାଷାର ଶବ୍ଦ ହେଉଛି ଅର୍ଥ ପ୍ରକଟନର ମାଧ୍ୟମ; ମାତ୍ର କେତେଜଣ ଜାଣନ୍ତି, ଶବ୍ଦ ପଛରେ ଥାଏ ଗୋଟିଏ ବସ୍ତୁ। କାଠ ଗୋଟିଏ ବସ୍ତୁ, ପ୍ରେମ ଓ ଶ୍ରଦ୍ଧା ମଧ୍ୟ ବସ୍ତୁ। କାଠକୁ ଆମେ ଗୋଟିଏ ନିର୍ଦ୍ଦିଷ୍ଟ ରୂପରେ ଦେଖୁ। ପ୍ରେମ ଦେଖିହୁଏ ନାହିଁ। ଉପଲବ୍ôଧ କରିହୁଏ। ହେଲେ ବି ତାହା ବସ୍ତୁ; ଚିନ୍ତା ଓ ଉପଲବ୍ଧି କ୍ଷେତ୍ରର ବସ୍ତୁ। ପ୍ରତ୍ୟେକ ବସ୍ତୁର ଥାଏ ଅନ୍ୟୂନ ପାଞ୍ଚଟି ଅବସ୍ଥା; ଯଥା: ଅସ୍ତି, ଭାତି, ରୂପ, ଗୁଣ ଓ ନାମ। (୧) ଅସ୍ତି ହେଉଛି ବସ୍ତୁର ବିଦ୍ୟମାନତା, ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଥାଏ, ଯେପରି ପାହାଡ଼, ଗଛ, ଆକାଶ – ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଅବସ୍ଥିତ। ସେହିପରି ଅଛି। (୨) ଭାତି – ଅର୍ଥାତ୍ ପ୍ରକାଶମାନ ରୂପ, ଏକ ନିର୍ଦ୍ଦିଷ୍ଟ ଅଙ୍ଗ ଓ ତାର ଆକାର। (୩)ରୂପ – ବସ୍ତୁଟିର ଚିହ୍ନଗତ ବା ପରିଚୟଗତ ଅବୟବ। ଯେପରି ଗଛ ମଧ୍ୟରେ ସବୁ ଗଛ ସମାନ ନୁହେଁ, ବରଗଛ, ଆମ୍ବଗଛ, ଓସ୍ତଗଛ – ସବୁତ ଗଛ; ହେଲେ ଭିନ୍ନ ଭିନ୍ନ। (୪) ଗୁଣ – ପ୍ରତ୍ୟେକ ବସ୍ତୁ ଗୁଣରେ ଅନ୍ୟ ବସ୍ତୁଠାରୁ ସ୍ୱତନ୍ତ୍ର। ଖଣ୍ଡିଏ ପଥର ମୁଣ୍ଡ ଫଟାଇପାରେ। ସେହି ଆକାର ଫୁଲଟିଏ ଶ୍ରଦ୍ଧା ସମ୍ମାନ ଦେଇ ନିବେଦନ କରେ ପ୍ରେମ, ସହାନୁଭୂତି। (୫) ନାମ – ପୂର୍ବୋକ୍ତ ଚାରିଗୋଟି ବିଷୟରେ ପାର୍ଥକ୍ୟ ହେତୁ ବସ୍ତୁଟିର ଭିନ୍ନ ଏକ ନାମ ହୁଏ ଆବଶ୍ୟକ ଓ ସେହି ନାମରେ ତାର ପରିଚୟ ଭାଷାଭାଷୀଙ୍କ ମଧ୍ୟରେ ପ୍ରତିଷ୍ଠା ଲାଭକରେ। ଏହି ପ୍ରତ୍ୟେକ ପାଞ୍ଚଟି ସ୍ତରରେ ଭାଷାର ସାମର୍ଥ୍ୟ ଓ ତା’ର ବ୍ୟବହାର ଗୋଟିଏ ଭାଷିକ ସଂପ୍ରଦାୟ ପାଇଁ ସମାନ – ଅର୍ଥ ପ୍ରକଟ କରିବା ଓ ପ୍ରକଟିତ ଅର୍ଥ ବ୍ୟବହୃତ ହେବା।
ମଣିଷର ଜ୍ଞାନର ଭଣ୍ଡାର ଯଥାର୍ଥରେ ଭାଷାର ଭଣ୍ଡାର। ଜ୍ଞାନ ଯେତେ ବିଚିତ୍ର ଓ ସମୃଦ୍ଧ, ଭାଷା ତଦନୁରୂପୀ। ସେହି ଜ୍ଞାନର ଭଣ୍ଡାରରୁ ଆମେ ଭାଷାକୁ ଅଲଗା କରିପାରିବା ନାହିଁ। ଯଦି ଅଲଗା କରୁ, ଦେଖାଯିବ ଜ୍ଞାନ ଘରଟି ଶୂନ୍ୟ। ଜ୍ଞାନର ମୂଳଗୁଣ ଭାଷାର ଅବୟବ ଭିତରେ ବନ୍ଦି ଥିବାରୁ ଭାଷାର ଅବର୍ତ୍ତମାନତାରେ ଜ୍ଞାନର ଅବସ୍ଥିତି ବା ପ୍ରଦର୍ଶନଯୋଗ୍ୟ ଶକ୍ତି ହେବ ଶୂନ୍ୟ। ଏଥିରୁ ଆମେ ବୁଝିବା ଭାଷା ଓ ଜ୍ଞାନ ଆତ୍ମଜ। ସ୍ୱତନ୍ତ୍ର ନୁହେଁ। ଜ୍ଞାନର ସ୍ୱତନ୍ତ୍ର ଅବସ୍ଥିତି ନଥିବା ବେଳେ ଭାଷା ହିଁ ହୁଏ ଜ୍ଞାନର ଭୂଷଣ। ଅର୍ଥାତ ଉଭୟ ସହୋଦର, ଏକକାଳୀକ।
ଭାଷାର ପ୍ରବୃତ୍ତି
ଭାଷାର ଏଇ ପ୍ରରୂପ ଆଧାରରେ ଆମେ ଆମ ଭାଷା ଓଡ଼ିଆର କେତେକ ପ୍ରବୃତ୍ତି ବା ଲକ୍ଷଣ ବିଷୟରେ ବିଚାର କରିବା। କୁହାଯାଏ, ଓଡ଼ିଆ ଭାଷା ସଂସ୍କୃତରୁ ଜନ୍ମ। ଅର୍ଥାତ୍ ସଂସ୍କୃତ ମାଆ; ଓଡ଼ିଆ ତାର ଝିଅ। କଥାଟି ଅର୍ଦ୍ଧ ସତ୍ୟ। ଏକ ସମୟରେ ଅଗ୍ରସ୍ଥାନୀୟ ଭାଷାତତ୍ତ୍ୱବିଦ୍ ପଣ୍ଡିତ ଗୋପୀନାଥ ନନ୍ଦ ଲେଖିଛନ୍ତି, “ଓଡ଼ିଆ ଦ୍ୱୈମାତୁର” ଅର୍ଥାତ ଦୁଇଟି ମାଆ ଓଡ଼ିଆ ଭାଷାର। ଦୂରତମ ମାଆ ସଂସ୍କୃତ ଓ ନିକଟସ୍ଥ ପ୍ରାକୃତ। କଥାଟି ଇତିହାସର ଏକ ଅଂଶ। ସଂସ୍କୃତ ଓ ପ୍ରାକୃତ ଭାଷାକୁ ଗୋଟିଏ ପାଖରେ ରଖି ବିଚାର କଲେ ଆମେ ଜାଣିପାରିବା ହଜାରରୁ ଊର୍ଦ୍ଧ୍ୱ ବର୍ଷ ତଳେ ଓଡ଼ିଶାରେ କି ଭାଷା ପ୍ରଚଳିତ ଥିଲା? ସାଂପ୍ରତିକ ଭାଷାର ଇତିହାସ ୯ମ/୧୦ମ ଶତକରୁ ଆଲୋଚନା ହେଉଛି। ପ୍ରଶ୍ନ ହେବ ୯ମ/୧୦ମ ଶତକ ପୂର୍ବରୁ ଓଡ଼ିଶାରେ କ’ଣ ଭାଷା ନଥିଲା? ଅର୍ଥାତ ଜନବସତି ନଥିଲା? ଏହା ଇତିହାସର ସତ୍ୟ ନୁହେଁ। ଓଡ଼ିଶା ଭୂଇଁ ପ୍ରାଗୈତିହାସିକ ଭୂଖଣ୍ଡ। ସେ କାଳରେ ଲୋକେ କି ଭାଷା କହୁଥିଲେ? ସେମାନଙ୍କ ପରିଚୟ କ’ଣ? ଏହିସବୁ ପ୍ରଶ୍ନର ତତ୍କାଳର ଇତିହାସରୁ ଉତ୍ତର ମିଳିବ। ପ୍ରାଚୀନ ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଅଞ୍ଚଳରେ ପ୍ରାଗ୍ ଐତିହାସିକ ମଣିଷର ପ୍ରତ୍ନ ଲକ୍ଷଣ ଓ ବ୍ୟବହୃତ ପଥର କୁରାଢ଼ି ସଂକେତ ବହନ କରେ ଇତିହାସର। ଓଡ଼ିଆ ଭାଷାର ଶାସ୍ତ୍ରୀୟତା ପାଇଁ କାମ କରିବା ବେଳେ ଭାଷାର ପ୍ରାଚୀନତାର ପ୍ରତ୍ନତାତ୍ତ୍ୱିକ ଲକ୍ଷଣ ଆଲୋଚନା ପରିସରକୁ ଆସିଥିଲା। ଆମର ଦୁର୍ଭାଗ୍ୟ ଯେ, ଓଡ଼ିଶାର ବିଦ୍ୱଜ୍ଜନ ଗବେଷଣା ପ୍ରିୟ ନୁହନ୍ତି। ଖୁବ୍ ଅଳ୍ପ ଲୋକ ଏ ଦିଗରେ ମନ ବଳାନ୍ତି। ଶତକଡ଼ା ୮୦ ଭାଗ ଲୋକ ଭାଷା ବିଷୟରେ ସଚେତନ ନୁହନ୍ତି। ଯୁକ୍ତଦୁଇ ପାଠ ପରେ କଲେଜ ପଢ଼ୁଆ ପିଲାମାନେ ଓଡ଼ିଆ ପଢ଼ନ୍ତି ନାହିଁ। ସେମାନେ ସବୁ ଯେ ଇଂରାଜୀ ଭାଷାରେ ପ୍ରବୀଣ, ତାହା ମଧ୍ୟ ନୁହେଁ। ଉଚ୍ଚତର ଶିକ୍ଷା ବିପର୍ଯ୍ୟସ୍ତ। କଲେଜ, ବିଶ୍ୱବିଦ୍ୟାଳୟରେ ପ୍ରଦତ୍ତ ଶିକ୍ଷା ଶୋଚନୀୟ। ଛାତ୍ରଛାତ୍ରୀ ନିଜ ଉଦ୍ୟମରେ କୃତିତ୍ୱ ହାସଲ କରନ୍ତି, ଆନୁଷ୍ଠାନିକ ଶିକ୍ଷା ସେମାନଙ୍କ ପାଇଁ ହୁଏ ମୂଲ୍ୟହୀନ।
ଏହି ପ୍ରସଙ୍ଗରେ କଥାଟିଏ ମନେପଡ଼ୁଛି। ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୪୩ରେ ସ୍ଥାପିତ ହେଲା। ୧୯୬୭ ଯାଏଁ ଏଠାରେ ଓଡ଼ିଆ ପଢ଼ିବାର ସୁଯୋଗ ନଥିଲା। ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ଜାକିର ହୋସେନ ଏ ନେଇ ଦୁଃଖ ପ୍ରକଟ କରନ୍ତେ, ୧୯୬୭ରେ ଓଡ଼ିଆରେ ଏମ.ଏ. ଶ୍ରେଣୀ ଆରମ୍ଭ ହେଲା। ଅନୁରୂପ ଭାବେ ସର୍ବପ୍ରାଚୀନ କଲେଜ ‘ରେଭେନ୍ସା’ରେ ପୂର୍ବରୁ ଇଂରାଜୀ ପାଠପଢ଼ାରେ ଏମ.ଏ. ଖୋଲିଥିଲେ ମଧ୍ୟ ୧୯୪୬ ମସିହାରେ ଓଡ଼ିଆ ଏମ.ଏ. ଖୋଲିଲା। ଓଡ଼ିଶାର ଏହି ଦୁଇ ପ୍ରାଚୀନତମ ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଆ ଭାଷାକୁ କିପରି ନ୍ୟୂନକରି ଦେଖାଯାଇଛି ଜଣାପଡ଼େ। ଆମେ ‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ ନାମକ ଗୋଟିଏ ଘରୋଇ ଅନୁଷ୍ଠାନ ଗଢ଼ି ତା’ ମାଧ୍ୟମରେ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ନଥିପତ୍ର ପ୍ରସ୍ତୁତ କରିଲୁ ଓ ସେଥିରେ ସଫଳ ହେଲୁ। ଏହାସହିତ ଓଡ଼ିଆ ଭାଷାରେ ଇଂଜିନିୟରିଂ ପାଠପଢ଼ା ହେବା ପାଇଁ ଇଂରାଜୀରୁ ଓଡ଼ିଆରେ ଅନୁବାଦ କରି ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ବହି ପ୍ରକାଶ କରିଛୁ। ଇଂଜିନିୟରିଂ ଗ୍ଲସରି ମଧ୍ୟ ପ୍ରସ୍ତୁତ କରିଛୁ।
ଏକମାତ୍ର ରାଜ୍ୟ
ଭାରତବର୍ଷରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ମାତୃଭାଷାରେ ଶାସନ ଚାଲେନାହିଁ। ଏହା ଅସାମ୍ବିଧାନିକ। ଶାସନର ପ୍ରଥମ ଲକ୍ଷ୍ୟ ରାଜ୍ୟର ଭାଷାକୁ ଶାସନ, ସଂସ୍କୃତି, ନ୍ୟାୟ ଓ ଗଣମାଧ୍ୟମର ଭାଷା ରୂପେ ଗ୍ରହଣ କରିବା ଓ ତାର ବିକାଶ କରିବା। ଓଡ଼ିଶା ସରକାର ଏ ଦିଗରେ ବହୁ ପଛରେ। ଫଳରେ ଏଇଠି ଅମଲା ଶାସନ ଚାଲିଛି। ଗଣତନ୍ତ୍ରର ବା ଲୋକର ଶାସନ ଚାଲିନାହିଁ। ଓଡ଼ିଶାର ସବୁ ସହର ମନେହେବ କେଉଁ ବିଦେଶୀ ମାଟିର। ଶାସନ ଓ ସଂସ୍କୃତିର କେନ୍ଦ୍ରବିନ୍ଦୁ ଭୁବନେଶ୍ୱର ଓ ପ୍ରାଚୀନ ନଗର କେନ୍ଦ୍ର କଟକ ଦେଖିଲେ ମନେହେବ ଏ ଦୁଇ ନଗର କେଉଁ ବିଦେଶୀ ସଭ୍ୟତା ଓ ସଂସ୍କୃତିର ପ୍ରତିନିଧି। ଯଦି ଆମ ଗଣତାନ୍ତ୍ରିକ ମୂଲ୍ୟବୋଧ ଆମ ମାଟିର ଛବି ଓ ସଂସ୍କୃତିର ପ୍ରତିନିଧିତ୍ୱ କରନ୍ତି ନାହିଁ, ତେବେ ଆମେ କି ଆଶା କରିବା ଯେ, ଆମ ଆଖିରେ ପଡୁଥିବା ସକଳ ବ୍ୟବସ୍ଥା ଆମର ବୋଲି? ୮୦ ବର୍ଷର ଗଣତାନ୍ତ୍ରିକ ବ୍ୟବସ୍ଥା ରାଜନୀତି ଓ ଅମଲାତନ୍ତ୍ରର ସ୍ୱାର୍ଥ ସିନା ପାଳନ କରିଛି, ମାଟିର ଇତିହାସ ଓ ମର୍ଯ୍ୟାଦାର ପୃଷ୍ଠପୋଷକତା କରିନାହିଁ। ଏ ଦୁଃଖ ବୁଝିବା ପାଇଁ ଓଡ଼ିଆ କାହାନ୍ତି?

ଏକ ସବଳ ଭାଷା
ଅପରପକ୍ଷରେ ଓଡ଼ିଆ ଭାଷା ସଂସ୍କୃତମୁକ୍ତ ଏକ ବଳଶାଳୀ ଭାଷା। ଏହାର ବ୍ୟାକରଣ ସ୍ୱତନ୍ତ୍ର। ଏହା ଶିକ୍ଷିତ ଓଡ଼ିଆ ଏପରିକି ଓଡ଼ିଆ ବିଶାରଦ ଅଧ୍ୟାପକ, ଲେଖକ, ପତ୍ରପତ୍ରିକାର ସଂପାଦକ ବୁଝନ୍ତି ନାହିଁ। କିଛିବର୍ଷ ପୂର୍ବରୁ ଓଡ଼ିଆରେ ମାସିକ ସାହିତ୍ୟ ପତ୍ରିକା ଅନେକ ପ୍ରକାଶ ପାଉଥିଲା, ଏବେ ତାହା ହାତଗଣତି। ଆମେ ଗର୍ବ କରୁଛୁ ଯେ, ଆମର ଉଚ୍ଚଶିକ୍ଷାର ପ୍ରଗତି ହେଉଛି, ବିଶ୍ୱବିଦ୍ୟାଳୟ ସଂଖ୍ୟା ୩୦ରୁ ଅଧିକ। କିନ୍ତୁ ପ୍ରଶ୍ନ ହୁଏ, ଏଇଠୁ ବାହାରୁଥିବା ନୂଆପିଢ଼ି କେତେ ଧୂରୀଣ, କେତେ ସ୍ୱଦେଶ/ରାଜ୍ୟର ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି ଶ୍ରଦ୍ଧାବାନ? ଏ ହିସାବ ଆମର ପ୍ରତିନିଧି / ବିଦ୍ୱାନମାନେ କେବେ କରିଛନ୍ତି କି, ନା ବ୍ୟବସ୍ଥା ପାଖରେ ପ୍ରଶ୍ନ କରିଛନ୍ତି କି?
ପ୍ରସଙ୍ଗକ୍ରମେ ସହୃଦୟ ପାଠକମାନଙ୍କ ପାଇଁ ଓଡ଼ିଆ ଭାଷାର କେତେ ମୌଳିକ ଲକ୍ଷଣ ଉପସ୍ଥାପନ କରିବାକୁ ଉଚିତ ମଣୁଛି।
୧. ଓଡ଼ିଆ ଏକ ସ୍ୱରାନ୍ତ ଭାଷା। ଅର୍ଥାତ୍ ପଦର ଶେଷବର୍ଣ/ଧ୍ୱନିରେ ହଲନ୍ତ ( ୍ ) ଯୁକ୍ତ ହୁଏନାହିଁ। ମୁଁ ଭାତଖାଏ, ଭାତ୍ ଭୁଲ। କୌଣସି ପଦ / ଶବ୍ଦର ଅନ୍ତିମ ସ୍ୱର ହ୍ରସ୍ୱ ହୁଏନାହିଁ। ମଧ୍ୟ ସ୍ୱରରେ ହ୍ରସ୍ୱ ହୁଏ ବା ହଲନ୍ତ ଯୋଗହୁଏ। ଧିକ୍, ଉଚିତ୍, କମ୍, ଚମତ୍କାର୍, ଅଧିକ୍ ପରି ଶବ୍ଦ ବା ପଦ ଭୁଲ। ମଧ୍ୟବର୍ଗ ହଲନ୍ତ ଯୁକ୍ତହୁଏ, ଯଥା: ଉଦ୍ଭବ, ଉତ୍କ୍ରାନ୍ତି, ଉନ୍ମାଦନା, ଚମତ୍କାର।
୨. ଲିଙ୍ଗ ପରିବର୍ତ୍ତନରେ ବିଶେଷଣରେ ପରିବର୍ତ୍ତନ ହୁଏନାହିଁ। ଯଥା: ସୁନ୍ଦର ବାଳକ, ସୁନ୍ଦର ବାଳିକା (ସୁନ୍ଦରୀ ନୁହେଁ), (ସଂସ୍କୃତରେ ରାଜା କ୍ରୁଦ୍ଧ ହେଲେ, ରାଣୀ କ୍ରୁଦ୍ଧା ହେଲେ)। ଭାଷାର ଏହି ଲକ୍ଷଣ / ବିଶେଷତ୍ୱ ନ ବୁଝି ସଂସ୍କୃତ ପଣ୍ଡିତମାନଙ୍କ ଅନଭିଜ୍ଞତାର ଦାୟରେ ଓଡ଼ିଆ ଭାଷାକୁ ବିକୃତ କରୁଛନ୍ତି। ବହୁ ନଜିର ଅଛି। ଓଡ଼ିଆରେ ପ୍ରାକୃତିକ ଲିଙ୍ଗ ଅଛି, ବ୍ୟାକରଣିକ ଲିଙ୍ଗ ନାହିଁ।
୩. ଓଡ଼ିଆ ବିଶେଷ୍ୟ ପଦର ଏକବଚନ ଓ ବହୁବଚନ ଅଛି। ଦ୍ୱିବଚନ ନାହିଁ। ଅଛି ଦ୍ୱିବଚନ ସୂଚକ ଶବ୍ଦ – ଯେପରି ବେନି (ବେନିଜନେ ପଡ଼ିଛି ଏକଦଶା)। ହଳେ (ହଳେ ବଳଦର ଚାଷ, ବେନି ବଳଦର ଚାଷ ନୁହେଁ)। ଯୋଡ଼ି (ଆସ ଆସ ପାରା ଯୋଡ଼ିକ – ହଳେ ପାରା ନୁହେଁ। ମୁଠାଏ (ମାଆ, ଭାତ ମୁଠାଏ ଦିଅ – ମୁଠିଏ ନୁହେଁ)।
୪. ଓଡ଼ିଆରେ ଦୀର୍ଘ ଉଚ୍ଚାରଣ (ଉତ୍-ଚାରଣ, ଉଚ୍ଚାରଣ ନୁହେଁ) ନାହିଁ। ଯଥା: ଦୀନ / ଦିନ, କୂଳ / କୁଳ, ଭାଇ/ଗାଈ (ଲେଖାରେ ଅଛି)।
୫. ଶ, ଷ, ସ ଲିଖିତ ରୂପ ଅଛି। ଉଚ୍ଚାରଣରେ ସ୍ୱାତନ୍ତ୍ର୍ୟ ନାହିଁ। ତେବେ ଓଡ଼ିଆ ‘ସ’ ପ୍ରଧାନ ଭାଷା, ଆମ ଅଭିଧାନରେ ‘ସ’ ମୂଳ ଶବ୍ଦ ସଂଖ୍ୟା ସର୍ବାଧିକ। (ବଙ୍ଗଳା ‘ଶ’ ପ୍ରଧାନ)।
୬. ଓଡ଼ିଆର ଏକ ପ୍ରଧାନ ଲକ୍ଷଣ ‘ଳ’ (‘ଲ’ଠାରୁ ସ୍ୱତନ୍ତ୍ର) ଉଚ୍ଚାରଣ। ସଂସ୍କୃତରେ ‘ଳ’ ଧ୍ୱନି ନାହିଁ।
୭. ଦ୍ୱିସ୍ୱରଧ୍ୱନି ଯଥା: ଐ, ଔ ଏକକ ଭାବେ ପୁଣି ଆବଶ୍ୟକତା ବେଳେ ଭିନ୍ନ ଭିନ୍ନ କରି ଉଚ୍ଚାରଣ କରାଯାଏ। ଯେପରି ଦୈବ – ଦଇବ, ତୈଳ – ତଇଳ, ବୈଦ – ବଇଦ, ମୌନ – ମଉନ। କେହି କେହି ଏହି ଶବ୍ଦ ବା ଉଚ୍ଚାରଣକୁ ଯଥାକ୍ରମେ ଗଦ୍ୟ ଓ ପଦ୍ୟର ଭାଷା କହିଥାନ୍ତି।
୮. ଜ ଓ ଯ ମଧ୍ୟରେ ନାହିଁ ଉଚ୍ଚାରଣ ଭେଦ – ଜୀବ / ଯିବ, ହିନ୍ଦୀ ପରି ଯ’ ୟ ଉଚ୍ଚାରିତ ହୁଏନାହିଁ। ଯମ – ୟମ, ଜନ୍ତୁ – ୟନ୍ତୁ ହୁଏନାହିଁ।
୯. ପୁନରୁକ୍ତିମୂଳକ ଶବ୍ଦର ଧ୍ୱନିତାତ୍ତ୍ୱିକ ଚମତ୍କାରିତା ଦେଖାଯାଏ – ଅଧାଅଧି, କୁନ୍ତୁକୁନ୍ତୁ, ଖାଁଖାଁ, ଖସଖସ, କୁହାବୋଲା, ଗହଳଚହଳ, ଖାଲଖମା, ଗଲାଆଇଲା, ଛାଇଛାଇ, ଛାଇଅନ୍ଧାର, ଝଗଡ଼ାଝଗଡ଼ି, ଝଟଝାଟ, ଠକଠକ, ଠାଠା, ଠୋଠୋ, ଠାଉଁଠାଉଁ, ସାଇଁଠାଇଁ। ଏପରି ଶବ୍ଦ ସମୂହର କେତେକ ଧ୍ୱନି ନିରର୍ଥକ ହୋଇପାରେ, ମାତ୍ର ଭାଷାର ସାଦୃଶ୍ୟମୂଳକ ଧ୍ୱନି ସୃଷ୍ଟିର ବିଶେଷତ୍ୱ ରହିଛି।
୧୦. ଓଡ଼ିଆ ବହୁବଚନ ପ୍ରତ୍ୟୟ ‘ମାନେ’ ସମଗ୍ର ଭାଷା ଜଗତରେ ବିସ୍ମୟ। ଭାଷାବିତ୍ ଗ୍ରିୟରସେନ ‘ଲାଙ୍ଗୁଏଜ୍ ସର୍ଭେ ଅଫ୍ ଇଣ୍ଡିଆରେ ଏହାର ବିଶେଷତ୍ୱ ଦର୍ଶାଇ ଭାରତୀୟ ଅନ୍ୟ ଭାଷାରେ ଏପରି ସ୍ୱାତନ୍ତ୍ର୍ୟ ନାହିଁ ବୋଲି କହିଛନ୍ତି (ଅଧିକ ଜାଣିବା ପାଇଁ ଦେଖନ୍ତୁ ‘ଶବ୍ଦସିନ୍ଧୁ’)।
୧୧. ଓଡ଼ିଆରେ ଅସମାପିକା କ୍ରିୟା ମାତ୍ର ସାତଟି – ଆ- କଥା ଧରାପଡ଼ିଲା; ଅନ୍ତେ – ଖାଆନ୍ତେ ଜାଣିଲା; ଇ- କଥାଯାଇ କୋଉଠି ଉଠିଲାଣି; ଇବା- ଖାଇବାରୁ ଜାଣିଲା; ଇଲେ- କହିଲେ କହିବ। ଉ-କହୁକହୁ ଝୁଣ୍ଟିଲା, ଉଣୁ- ନ ଦେଖୁଣୁ ଉଚ୍ଛନ୍ନ।
୧୨. ଓଡ଼ିଆରେ ଯେପରି ଲେଖାଯାଏ, ସେପରି ଉଚ୍ଚାରିତ ହୁଏ। ମଧ୍ୟମ ବା ଆଗମ ଧ୍ୱନି ଉଚ୍ଚାରଣରେ ମିଶେନାହିଁ।
୧୩. ଗୋଟିଏ ଓଡ଼ିଆ କ୍ରିୟାପଦର ପୁରୁଷ, ବଚନ ଓ କାଳ ଭେଦରେ (୩ଙ୍ଘ୨=୬) ଓ ଧାତୁର ୧୫ଟି ରୂପରୁ ଙ୍ଘ୬= ୯୦ ପ୍ରକାର କ୍ରିୟା ରୂପ ହୋଇପାରେ।
୧୪. ଓଡ଼ିଆ ଏକ ରକ୍ଷଣଶୀଳ କିନ୍ତୁ ନମନୀୟ, ନିୟମାବଦ୍ଧ ଭାଷା। ଏହାର ସାହିତ୍ୟିକ ରୂପ ଅଜ୍ଞତାବଶତଃ ମଳିନ ପଡ଼ିଯାଉଛି। ଓଡ଼ିଆରେ ବିସର୍ଗ ବ୍ୟବହାର ନାହିଁ। ଉଚ୍ଚାରଣରେ ଦୀର୍ଘତା ନଥିବାରୁ ସଂସ୍କୃତାଗତ ଶବ୍ଦସମୂହ ହ୍ରସ୍ୱ ହେବା ଉଚିତ – ଯଥା: ବାଛୁରି, ପୋଖରି, ପାଚେରି, ଦାଗି, ବିଲାତି, ନକଲି, ଖିଳ, ଅଖିଳ, କିରାଣି।
୧୫. ତତ୍ସମ ବା ସଂସ୍କୃତ ଶବ୍ଦ ରେଫ୍ ଯୁକ୍ତ ହେଲେ ବର୍ଣ ଦ୍ୱିତ୍ୱ ହୁଏନାହିଁ – ଯଥା: ବର୍ଣ, ବର୍ଣ୍ଣ ନୁହେଁ; କର୍ଣ, କର୍ଣ୍ଣ ନୁହେଁ, ଖର୍ଚ, ଖର୍ଚ୍ଚ ନୁହେଁ, ଉତ୍ତୀର୍ଣ, ଉତ୍ତୀର୍ଣ୍ଣ ନୁହେଁ। ଚ, ଛ, ଜ, ଣ, ତ, ଦ, ଧ ଆଦି ବର୍ଣ ସାଧାରଣତ ଦ୍ୱିତ୍ୱ ହେଉଥିବାରୁ ସେଥିରେ ରେଫ୍ ( ର୍ ) ଯୁକ୍ତ ନିଷେଧ। ଯେପରି ଖର୍ଚ୍ଚ, ମୂର୍ଚ୍ଛା, ଅର୍ଜ୍ଜୁନ, ବର୍ଣ୍ଣ, ବାର୍ତ୍ତା, ନିର୍ଦ୍ଧନ, କର୍ଦ୍ଦମ ପ୍ରଭୃତି ଶବ୍ଦ ଏହି ନିୟମରେ ତ୍ରୁଟି। ଏଣୁ ଏଗୁଡ଼ିକ ଏହିପରି ହେବ। ଯଥା: ଖର୍ଚ, ମୂର୍ଚ୍ଛା, ଅର୍ଜୁନ, କର୍ଣ, ବାର୍ତା, ନିର୍ଧନ, କର୍ଦମ। ଏହି ନିୟମ ସଂସ୍କୃତାଗତ। ଏହି ଦୃଷ୍ଟିରୁ ଦେଖିଲେ ସଂସ୍କୃତ ପରି ଓଡ଼ିଆ ପରଂପରାଶ୍ରୟୀ, ମାତ୍ର ବହୁ ସ୍ଥଳରେ ସଂସ୍କୃତରୁ ବିିଚ୍ୟୁତ।
ଓଡ଼ିଆରେ ସ୍ୱତନ୍ତ୍ର ବା ମୌଳିକ ବ୍ୟାକରଣ ଲେଖା ହୋଇନାହିଁ। କାର୍ଯ୍ୟତ, ଓଡ଼ିଆମାନେ ସଂସ୍କୃତକୁ ମାନ୍ୟ ବା ଆଦର୍ଶ ମନେକରି ଓଡ଼ିଆ ଭାଷାର ଅଶେଷ କ୍ଷତି ସାଧନ କରୁଛନ୍ତି। ପଣ୍ଡିତ ସ୍ୱର୍ଗତ ନନ୍ଦଙ୍କର ‘ଭାଷାତତ୍ତ୍ୱ’ ଏବଂ ପ୍ରଫେସର ସ୍ୱର୍ଗତ ଖଗେଶ୍ୱର ମହାପାତ୍ରଙ୍କର ‘ଓଡ଼ିଆ ଲିପି ଓ ଭାଷା’ ଅନ୍ତର୍ଗତ ବ୍ୟାକରଣିକ ଆଲୋଚନା ଆମ ପାଇଁ ବହୁ ସହାୟକ। ଅନ୍ୟଥା ଅନଭିଜ୍ଞ ବହୁ ଅଧ୍ୟାପକ ବଜାର ଚାହିଦା ପୂରଣ ପାଇଁ ଯାହା ବ୍ୟାକରଣ ଲେଖିଛନ୍ତି, ସେଗୁଡ଼ିକ ଭାଷାର ହତ୍ୟାକାରୀ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ଲେଖକ ମହାଶୟଙ୍କୁ ମୋର ବିନମ୍ର ପ୍ରଣାମ। ଯେଉଁମାନେ ଅଭିଜ୍ଞ ସେମାନଙ୍କଠାରୁ ହିଁ ଶିଖିବା ଆବଶ୍ୟକ। ପ୍ରାରମ୍ଭିକ ପର୍ଯ୍ୟାଲୋଚନାରେ ତାଙ୍କର ଉକ୍ତି ଉପରେ ମୋର ତିନୋଟି ଶଙ୍କା ଜାତ ହୋଇଅଛି।
(୧) ପ୍ରଥମଟି ହେଲା – “ଭାଷା ଆମକୁ ତିଆରି କରିଛି, ଆମେ ଭାଷାକୁ ତିଆରି କରି ନାହୁଁ”: ଏଥିରୁ ସ୍ପଷ୍ଟ ଜଣା ପଡ଼େ ଯେ ଯାହା ଆମେ ତିଆରି କରିନାହୁଁ, ତାକୁ ବଦଳାଇବା କିପରି? ଭଗବାନ ଆମକୁ ସୃଷ୍ଟି କରିଛନ୍ତି, ତା’ ମାନେ ଆମେ ଭଗବାନଙ୍କୁ ବଦଳାଇ ପାରିବା ନାହିଁ। ଭାଷା ହେଉଛି ନିତ୍ୟ, ପରଂବ୍ରହ୍ମ। ଶବ୍ଦତତ୍ତ୍ଵ ଏବଂ ଅକ୍ଷର ଏବଂ ଅର୍ଥବତ୍ – ଏହା ପାଣିନି, ପତଞ୍ଜଳି ଏବଂ ଭର୍ତ୍ତୃହରି ଲେଖି ପ୍ରମାଣ ଦେଇ ଯାଇଛନ୍ତି। ଭାବ ଶବ୍ଦ ଭୂ ଧାତୁରୁ -ଘଞ୍ ପ୍ରତ୍ୟୟ ଯୋଗରେ ନିର୍ମିତ। ଏହା ପାଣିନିଙ୍କ ନିୟମବଦ୍ଧ। ସଂସ୍କୃତି – (ସମ୍ ଉପସର୍ଗ କୃ ଧାତୁରୁ –କ୍ତି ପ୍ରତ୍ୟୟ ଯୋଗେ) ଶବ୍ଦ ନିଷ୍ପନ୍ନ। ଏଠାରେ ସମ୍ ଉପସର୍ଗ ପରେ ‘ସ’ ଆଗମ ଭୂଷଣ ଅର୍ଥରେ ହୋଇ ଅଛି। ଏହା ମଧ୍ୟ ପାଣିନିଙ୍କ ସୂତ୍ର ଅନୁସାରେ ସିଦ୍ଧ ଏବଂ ସାଧୁ ଶବ୍ଦ ବୋଲି ଗୃହୀତ । ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ଶୁଦ୍ଧତା ପ୍ରଥମେ ପାଣିନି ଅନୁଭବ କରି ସୂତ୍ର ପ୍ରଣୟନ କରିଛନ୍ତି। ସେଥିପାଇଁ ପତଞ୍ଜଳି କହିଛନ୍ତି ଅସନ୍ଦେହାର୍ଥମ୍ ଅଧ୍ୟେୟମ୍ ବ୍ୟାକରଣମ୍ (ମହାଭାଷ୍ୟ) । ପାଣିନି ଭାଷାକୁ ବଦଳାଇ ନାହାନ୍ତି ବରଂ ବ୍ୟବହୃତ ଭାଷାର ସାଧୁତା ପ୍ରତିପାଦନ କରିଛନ୍ତି।
ଏହା ବୁଝି ପାରିଲେ ସଂସ୍କୃତ ଭାଷାକୁ କେହି ଦୋଷ ଦେଇ ପାରନ୍ତେ ନାହିଁ।
(୨) ଯଦି “ଅନଭିଜ୍ଞ ଅଧ୍ୟାପକମାନେ ବଜାର ଚାହିଦା ପୂରଣ କରିବା ପାଇଁ ଯାହା ବ୍ୟାକରଣ ଲେଖିଛନ୍ତି ସେମାନେ ଭାଷାର ହତ୍ୟାକାରୀ”: ଏଠାରେ ପ୍ରଶ୍ନ ଉଠେ ସେମାନେ କିଏ? ସେମାନଙ୍କୁ ହତ୍ୟାକାରୀ କରିଛି କିଏ ? ସେମାନେ ଯାହା ଅଭିଜ୍ଞଙ୍କ ପାଖରୁ ଶିଖିଲେ ତାହା ସେ ଲେଖିଲେ, ସେଥିରେ ତାଙ୍କର ଦୋଷ ହେଲା କିପରି? ଯେ ହତ୍ୟା କରେ ସେ ଦୋଷୀ ନା ଯେ ହତ୍ୟା କରାଏ ସେ ଦୋଷୀ?
(୩)”ଓଡ଼ିଆର ସ୍ୱତନ୍ତ୍ର ବା ମୌଳିକ ବ୍ୟାକରଣ ଲେଖା ହୋଇନାହିଁ: ଏଠାରେ ପ୍ରଶ୍ନ ଉଠେ – କାହିଁକି ? ଆମ ଭାଷା ନିୟମବଦ୍ଧ, ନମନୀୟ । ତାହା ହେଲେ ଅଭିଜ୍ଞ ବ୍ୟକ୍ତିମାନେ ଆଜି ପର୍ଯ୍ୟନ୍ତ ଚେଷ୍ଟା କଲେ ନାହିଁ କାହିଁକି? ଓଡ଼ିଆ ଭାଷାରେ ଅନେକ ବ୍ୟାକରଣ ଉପଲବ୍ଧ, ମାତ୍ର ସେ ସବୁ ଯଦି ଦୋଷ ଯୁକ୍ତ, ତାହା ଦୋଷମୁକ୍ତ କରାଯାଇନାହିଁ କାହିଁକି? ଆମ ଭାଷା ଆମର ଗର୍ବ ନିଶ୍ଚୟ, ମାତ୍ର ସମ୍ପୂର୍ଣ୍ଣ ଶୁଦ୍ଧ ବ୍ୟାକରଣ ବିନା ଆମେ ମୁଣ୍ଡ ଟେକି ପାରିବା କି? ଏବେ ଯଦି ଅଭିଜ୍ଞ ପ୍ରାଧ୍ୟାପକ ବା ପ୍ରଫେସରମାନେ ମାର୍ଗ ଦର୍ଶାଇ ଲେଖି ପାରନ୍ତେ, ତାହା ହେଲେ ସମାଜ ତାଙ୍କ ନିକଟରେ କୃତଜ୍ଞ ରହନ୍ତା।
ପ୍ରିୟ ନଟବର ଆଜ୍ଞାଙ୍କୁ ନମସ୍କାର ଓ ଅଶେଷ ଧନ୍ୟବାଦ ଜଣାଉଛି ଏହି ସୁନ୍ଦର ପ୍ରତିଫଳନଟି ପାଇଁ। ଓଡ଼ିଆ ଭାଷାର ଏକ ପ୍ରମାଣ ଆଧାରିତ ସଠିକ ଉପସ୍ଥାପନା କରିଛନ୍ତି। ଓଡ଼ିଶାରେ ଭାଷା ସମ୍ପର୍କିତ ଅନେକ ଆଲୋଚନାଚକ୍ରରେ ଅନେକ ବନ୍ଧୁ ଓଡ଼ିଆ ସଂସ୍କୃତରୁ ଜାତ ବୋଲି ବାରମ୍ବାର ଶୁଣାଇ ଚାଲନ୍ତି। ଅନେକ ସମୟରେ ଏହି ଏକପାଖିଆ ଯୁକ୍ତି ଭଲ ଓ ଠିକ ନ ଲାଗିଲେ ବି ଚୁପ ରହିବାକୁ ପଡ଼େ। ଆପଣ ଅନେକ ପ୍ରମାଣ ମାଧ୍ୟମରେ ସତଟିକୁ ସୂଚାଇଥିବାରୁ ଆପଣଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଉଛି। ସୂଚିତ ବହିଗୁଡିକୁ ପଢ଼ିବାକୁ ଚେଷ୍ଟା କରିବି। ଖଗେଶ୍ୱର ବାବୁଙ୍କ ସହିତ ଭଲ ସମ୍ପର୍କ ଥିଲା।
ଆପଣଙ୍କର ଏହି ଲେଖାଟିକୁ ପ୍ରତ୍ୟେକ ଓଡ଼ିଆ ପଢିଲେ ଭଲ ହେବ। ସମାଜରୁ ଭ୍ରମ କିଛି ମାତ୍ରାରେ ଦୂର ହେବ। ହୁଏତ ସରକାର ବି ଟିକେ ଚେତିବେ।
ଆମ ଭାଷାର ଲକ୍ଷଣ ଓ ବିଡମ୍ବନା – ଏହି ପ୍ରସଙ୍ଗ ରେ – ନଂ-୧ – ” ଭାଷା ଆମକୁ ତିଆରେ , ଆମେ ଭାଷା ତିଆରି କରିନାହୁଁ । ନଂ – ୨ -” ଶ, ଷ ,ସ, ଲିଖିତ ରୂପ ଅଛି , ଉଚ୍ଚାରଣ ରେ ସ୍ବାତନ୍ତ୍ର୍ଯ ନାହିଁ , ତେବେ ଓଡିଆ ” ସ ” ପ୍ରଧାନ ଭାଷା ।” ଏଠାରେ ପ୍ରଶ୍ନ ଉଠେ , ଯଦି ଆମେ ଭାଷା ତିଆରି କରିନାହୁଁ, ତେବେ ଆମେ ସେଥିରେ ପରିବର୍ତ୍ତନ ର ଆଶା ରଖିବା ଉଚିତ କି ? ଯଥା – ଅଷ୍ଟାଧ୍ଯାୟୀ ( ସୂ. ୧ .୧ .୯ ) -” ତୁଲ୍ଯାସ୍ଯପ୍ରୟତ୍ନଂ ସବର୍ଣଂ ” ର ବୃତ୍ତିରେ ବର୍ଣ୍ଣ ମାନଙ୍କର ଉଚ୍ଚାରଣ ସ୍ଥାନ କ୍ରମରେ ” ଇଚୁୟଶାନାଂ ତାଳୁ , ଋଟୁରଷାଣାଂ ମୂର୍ଦ୍ଧା , ଲୃତୁଲସାନାଂ ଦନ୍ତାଃ ” ବୋଲି କୁହାଯାଇଛି । ଅର୍ଥାତ୍ “ଶ”କାର ତାଳୁରୁ ” ଷ” କାର ମୂର୍ଦ୍ଧା ରୁ , ଏବଂ ” ସ” କାର ଦାନ୍ତ ରୁ ଉଚ୍ଚାରିତ ଅଟନ୍ତି । ଏହା ସର୍ବଜନ ବିଦିତ ଅଟେ । ବର୍ଣ୍ଣ ଗୁଡିକର ଉଚ୍ଚାରଣ ସ୍ଥାନ କୁ ନେଇ ନାମକରଣ କରାଯାଇଥାଏ। ଏହା ଏକ ବିଜ୍ଞାନ ସମ୍ମତ କାରଣ ଅଟେ । ଆମେ ଏଥିରେ ଗର୍ବ ଅନୁଭବ କରିବା କଥା । ଦ୍ବିତୀୟ କଥା ଓଡିଆ ” ସ” ପ୍ରଧାନ ଭାଷା କେବଳ ନୁହେଁ ।କାରଣ ମୂଷା, ଋଷି , ଋଷଭ , ବୃଷଭ, ପୁରୁଷ, ଷୋଡଶ ଓ ଶିବ , ଶତକ , ଶ୍ରୀହରି , ଗଣେଶ , ଓଡିଶା , ଦେଶ ଇତ୍ୟାଦି ସ୍ଥଳରେ ଆମେ ” ସ” କାର ର ବ୍ୟବହାର ଦେଖିନାହୁଁ ବା ଶୁଣିନାହୁଁ । ତେଣୁ ଏକ ଅପ୍ରାସଙ୍ଗିକ ଏବଂ ଅବୈଜ୍ଞାନିକ ଯୁକ୍ତି ଛଳରେ ଅନ୍ଯ ଦୁଇ “ଷ ” ଓ ” ଶ” କାରକୁ ଆମେ ଅବ୍ୟବହୃତ ବୋଲି କହିବା ଅସଂଗତ ହୋଇ ପାରେ । ସଂସ୍କୃତ ଭାଷା ସମଗ୍ର ଭାରତୀୟ ଭାଷା ମାନଙ୍କର ଜନନୀ କୁହାଯାଉଥିବା ବେଳେ ଓଡିଆ ଭାଷାରେ ରଚିତ ପ୍ରାଚୀନ ଭଞ୍ଜ ସାହିତ୍ଯ ଓଡିଆ ଭାଷାର ଶୁଦ୍ଧ ଶବ୍ଦ ସମ୍ଭାର ରେ ପରିପୂର୍ଣ୍ଣ ଓ ଓଡିଆ ର ଅନେକ ଶୁଦ୍ଧ ଶବ୍ଦ ସଂସ୍କୃତ ଅଟେ । ଯଥା – ଗ୍ରାମ, ଗୃହ , ମାର୍ଗ, ପନ୍ଥା , ବୃକ୍ଷ, ଅଟ୍ଟାଳିକା , ନଗର , ଜଳ , ନଦୀ , ପର୍ବତ, ସମୁଦ୍ର, ଆକାଶ ଇତ୍ଯାଦି । ଏହାପରେ ” ଓଡିଆ ମାନେ ସଂସ୍କୃତ କୁ ମାନ୍ଯ ବା ଆଦର୍ଶ ମନେକରି ଓଡିଆ ଭାଷାର ପୁଷ୍ଟି ସାଧନ କରୁଥିବା ବେଳେ ଅଶେଷ କ୍ଷତି ସାଧନ କରୁଛନ୍ତି କହିବା କେତେଦୂର ଯଥାର୍ଥ ଅଟେ । ତୃତୀୟତଃ ତତ୍ସମ ବା ସଂସ୍କୃତ ଶବ୍ଦ ରେଫ ଯୁକ୍ତ ହେଲେ ଅଷ୍ଟାଧ୍ଯାୟୀ ( ସୂ.୮ ୪ ୪୬ )” ଅଚୋରହାଭ୍ଯାଂ ଦ୍ବେ ” ଅନୁସାରେ ବର୍ଣ୍ଣ ର ଦ୍ବିତ୍ବ ହୁଏ । ତେଣୁ ଓଡିଆ ର ରେଫ ଯୁକ୍ତ ଦ୍ବିତ୍ବ ଶବ୍ଦ “ବର୍ଣ୍ଣ “ଯୁକ୍ତି ସଙ୍ଗତ ଅଟେ ,ଏହାକୁ ପରବର୍ତ୍ତୀ ବ୍ଯାଖ୍ଯାକାର ମାନେ ବିକଳ୍ପ ଭାବେ ଦେଖାଇଛନ୍ତି । ” ଚାଲି ନ ଜାଣି ବାଟର ଦୋଷ ” ଭଳି ଶୁଦ୍ଧ ଉଚ୍ଚାରଣ କଲେ ହିଁ ଭାଷାର ଗାମ୍ଭୀର୍ଯ୍ଯ ବୃଦ୍ଧି ଘଟେ ।