ଯଦି କିଛି ହେରଫେର ହେଉଥାଏ ତାହା ଅକାଦେମିର କି ଲେଖକର ଦୋଷନୁହେଁ।

ପ୍ରବୀଣ ଲେଖକ ଓ ଅନୁବାଦକ ବଙ୍ଗାଳୀ ନନ୍ଦଙ୍କର ବୟସ ବର୍ତ୍ତମାନ ୭୯ ବର୍ଷ। ସେ ମୁଖ୍ୟତଃ ତେଲୁଗୁ, ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ଭାଷାରୁ ଓଡ଼ିଆକୁ ଅନୁବାଦ କରନ୍ତି। ଏହା ବ୍ୟତୀତ ସେ ମଧ୍ୟ କେତେଗୋଟି କବିତା ଓ ପ୍ରବନ୍ଧ ସଂକଳନର ସ୍ରଷ୍ଟା। ସେ ୨୦୨୩ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଅନୁବାଦ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଓ ୨୦୧୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ମଧ୍ୟ ହୋଇଥିଲେ। ୨୦୦୫ ମସିହାରେ ଜଣେ ପ୍ରଧାନ ଶିକ୍ଷକ ଭାବରେ ଅବସର ନେଇଥିବା ଶ୍ରୀ ନନ୍ଦଙ୍କ କଲମ ଏବେ ମଧ୍ୟ ସକ୍ରିୟ ଅଛି। ତା’ଙ୍କୁ ସାକ୍ଷାତ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଦୁଇ ବର୍ଷ ତଳେ ଆପଣ ଯେତେବେଳେ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ, ବିଶିଷ୍ଟ ଲେଖକ ବୈଷ୍ଣବ ଚରଣ ମହାନ୍ତି କୌତୁକରେ କହିଲେ ଯେ, ଓଡ଼ିଶାର ଏହି ଏକାଡେମୀ ପୁରସ୍କାରଟା ବଙ୍ଗାଳୀମାନେ ନେଇଗଲେ। ପ୍ରକୃତରେ ଏଇ ‘ବଙ୍ଗାଳୀ’ ଶବ୍ଦଟି ଆପଣଙ୍କ ନାମ ସହିତ କେମିତି ଲାଖିଗଲା?
ବଙ୍ଗାଳୀ ନନ୍ଦ: (ହସି): ପ୍ରକୃତରେ ଆମର ନନା, ଅର୍ଥାତ୍ ବାପା, ବଙ୍ଗଳାରେ କାମ କରୁଥିଲେ। ଆଗରୁ ସେ ଥିଲେ ରେଙ୍ଗୁନରେ। ରେଙ୍ଗୁନରୁ ଫେରିବା ପରେ ସେ ବଙ୍ଗଳାରେ କିଛି ଦିନ ଅଟକିଗଲେ। ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସମୟ। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଥିଲେ। ସେତିକିବେଳେ ମୋର ଜନ୍ମ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଜନ୍ମ ତାହେଲେ ବଙ୍ଗଳାରେ ହୋଇଛି!
ବଙ୍ଗାଳୀ ନନ୍ଦ: ବଙ୍ଗଳାରେ ନୁହଁ; ମୁଁ ଓଡ଼ିଶାରେ ଜନ୍ମ ହୋଇଥିଲି। କିନ୍ତୁ ବାପା ବଙ୍ଗଳାରେ ଥିବାବେଳେ ଖବର ପାଇଲେ ଯେ ମୁଁ ଜନ୍ମ ହୋଇଛି। ମୋ ଆଗରୁ ଦୁଇ ଭାଇ ମରିଯାଇଥିଲେ। ଅଖାଡ଼ୁଆ ନାଁ’ଟେ ଦେଲେ ଯମ ଛାଡ଼ିଦେବ ବୋଲି ବିଶ୍ୱାସ ଥିଲା। ସେଥିପାଇଁ ମୋର ନାମ ଦିଆଗଲା ବଙ୍ଗାଳୀ।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣ ବଙ୍ଗଳା ଭାଷା ମଧ୍ୟ ଜାଣିଛନ୍ତି କି ନାହିଁ!
ବଙ୍ଗାଳୀ ନନ୍ଦ: ସେଥିରେ ମୁଁ ପ୍ରବୀଣ ନୁହଁ, କିନ୍ତୁ ମୋ’ର ପ୍ରବେଶ ସ୍ତରର ଜ୍ଞାନ ଅଛି ବୋଲି କୁହାଯାଇପାରେ।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣଙ୍କର କେବଳ ନାମରେ ହିଁ ବଙ୍ଗଳା ନାହିଁ, ଦକ୍ଷତାରେ ମଧ୍ୟ ଅଛି ଏହା, ଯେଉଁଥିପାଇଁ ଆପଣ ବଙ୍ଗଳା ଭାଷାରୁ ମଧ୍ୟ ସିଧାସଳଖ ଭାବରେ କେତେକ କୃତିର ଚମତ୍କାର ଓଡ଼ିଆ ଅନୁବାଦ କରିଛନ୍ତି; ଯଦିଓ ଆପଣ ତେଲୁଗୁରୁ ଓଡ଼ିଆ ଅନୁବାଦକ ଭାବରେ ମୁଖ୍ୟତଃ ପରିଚିତ।
ବଙ୍ଗାଳୀ ନନ୍ଦ: ହଁ, ତେଲେଗୁ ଭାଷାରୁ କେତେଗୁଡ଼ିଏ ବହି ଅନୁବାଦ କରିଛି, ଏବଂ ଓଡ଼ିଆରୁ ତେଲେଗୁକୁ ମଧ୍ୟ।

ସାହିତ୍ୟ ଚର୍ଚ୍ଚା: ଆପଣଙ୍କୁ ଜଣେ ଅନୁବାଦ ବିଶେଷଜ୍ଞ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ ଏହା ହେତୁ ଆପଣ ସାହିତ୍ୟର ଅନ୍ୟ ବିଭାଗଗୁଡ଼ିକ ପ୍ରତି ଅବହେଳା କରିନାହାନ୍ତି କି?
ବଙ୍ଗାଳୀ ନନ୍ଦ: ନାଇଁ, ମୁଁ ତ ପ୍ରଥମେ, ଅର୍ଥାତ୍ ୧୯୭୦ରୁ କେବଳ କବିତା ଲେଖୁଥିଲି। ଏହା ମୁଁ ଧାରାବାହିକ ଭାବରେ ଲେଖୁଥିଲି ୨୦୧୩ ପର୍ଯ୍ୟନ୍ତ। ତା’ ଭିତରେ ବି କେବେ କେବେ ଗପଟିଏ, କି ପ୍ରବନ୍ଧଟିଏ ମଧ୍ୟ ଲେଖିଦିଏ।
ସାହିତ୍ୟ ଚର୍ଚ୍ଚା: ତେବେ ୨୦୧୩ ପରେ ଆପଣ ଅନୁବାଦ ସାହିତ୍ୟକୁ ଆସିଲେ !
ବଙ୍ଗାଳୀ ନନ୍ଦ: ହଁ।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣଙ୍କର ଅନୁବାଦ ସାହିତ୍ୟ ଭିତରକୁ ପ୍ରବେଶ କରିବା ପଛର ପ୍ରକରଣ କିଛି ଅଛି କି?
ବଙ୍ଗାଳୀ ନନ୍ଦ: ମୁଁ ଯେତେବେଳେ ଶିକ୍ଷକତାର ଟ୍ରେନିଙ୍ଗ୍ ନେଉଥିଲି, ସେ ସମୟରେ ସେହି ଟ୍ରେନିଙ୍ଗ୍ ସ୍କୁଲ୍ର ଲାଇବ୍ରେରୀରେ କେତୋଟି ନୋବେଲ୍ ପୁରସ୍କାର ପ୍ରାପ୍ତ ବହିର ଓଡ଼ିଆ ଅନୁବାଦ ଥିବା ଦେଖିଲି।
ସାହିତ୍ୟ ଚର୍ଚ୍ଚା: ଆପଣ ବିଶ୍ୱସାହିତ୍ୟ ଗ୍ରନ୍ଥମାଳାର କଥା କହୁଛନ୍ତି?
ବଙ୍ଗାଳୀ ନନ୍ଦ: ନା,ନା, ସେଗୁଡ଼ିକ ଆହୁରି ବଡ଼ ବହି ଥିଲା, ଅର୍ଥାତ୍ ମୂଳ ବହିର ସମ୍ପୂର୍ଣ୍ଣ ଅନୁବାଦ। ଆପଣ ଯେଉଁ ବିଶ୍ୱ ସାହିତ୍ୟ ଗ୍ରନ୍ଥମାଳାର କଥା କହୁଛନ୍ତି, ସେସବୁ ତ ଚଟି ବହି ଭଳି ଥିଲା; ସେଗୁଡ଼ିକ ଭଲ ହେଉଥିଲା ଅବଶ୍ୟ।
ସାହିତ୍ୟ ଚର୍ଚ୍ଚା: ସେ ବହିଟିର ନାଁ’ କ’ଣ ଥିଲା, ଯାହା ଆପଣ ସେତେବେଳେ ପଢ଼ିଥିଲେ?
ବଙ୍ଗାଳୀ ନନ୍ଦ: ‘ଦି ଗୁଡ଼ ଅର୍ଥ୍’, ଯାହାର ଲେଖକ ଥିଲେ ପର୍ଲ୍ ଏସ୍. ବକ୍।
ସାହିତ୍ୟ ଚର୍ଚ୍ଚା: ଏହାର ଅନୁବାଦ ବୋଧହୁଏ କରିଥିଲେ ଗୋଲୋକ ବିହାରୀ ଧଳ।
ବଙ୍ଗାଳୀ ନନ୍ଦ: ହଁ, ସେ କରିଥିଲେ। ଆଉ ମଧ୍ୟ ପଢ଼ିଥିଲି ଉଦୟନାଥ ଷଡ଼ଙ୍ଗୀଙ୍କ ଦ୍ୱାରା ଅନୂଦିତ ‘ଅଙ୍କଲ୍ ଟମ୍ସ୍ କ୍ୟାବିନ୍’।
ସାହିତ୍ୟ ଚର୍ଚ୍ଚା: ତେବେ ଏହି ସବୁ ବହି ପଢ଼ି ଆପଣ ଅନୁବାଦ ପ୍ରତି ଆକର୍ଷିତ ହୋଇଗଲେ। ଆପଣଙ୍କ ଦ୍ୱାରା ଅନୂଦିତ ପ୍ରଥମ ଅନୁବାଦଟି କ’ଣ ଥିଲା?
ବଙ୍ଗାଳୀ ନନ୍ଦ: ଆର.ଜି.କୁଲକର୍ଣ୍ଣୀଙ୍କର ଗୋଟିଏ ଗପ ଇଂରାଜୀରୁ ପ୍ରଥମେ ଅନୁବାଦ କରିଥିଲି, ଯାହା ଶକୁନ୍ତଳା ବଳିୟାରସିଂଙ୍କ ‘ଶତଭିଷା’ ପତ୍ରିକାରେ ବାହାରିଥିଲା।
ସାହିତ୍ୟ ଚର୍ଚ୍ଚା: ଆପଣ ତେଲୁଗୁ ଭାଷାରେ ପ୍ରବୀଣ ହେବାର କାରଣ କ’ଣ ଏଇଆ ହୋଇପାରେ ଯେ ଆପଣଙ୍କୁ ଆନ୍ଧ୍ରପ୍ରଦେଶରେ ରହିବାର ଅବସର ମିଳିଥିଲା?
ବଙ୍ଗାଳୀ ନନ୍ଦ: ମୁଁ ପ୍ରବୀଣ କହନ୍ତୁନି ଆଜ୍ଞା, ପ୍ରବେଶ ସ୍ତରର ବୋଲି କହନ୍ତୁ। ନା, ମୁଁ ଆନ୍ଧ୍ରପ୍ରଦେଶରେ ରହି ନଥିଲି, ରହୁଥିଲି ଓଡ଼ିଶାର ଗୁଣୁପୁରରେ, ଆନ୍ଧ୍ରପ୍ରଦେଶର ସୀମାକୁ ଛୁଇଁଥିବା ଇଲାକାରେ।
ସାହିତ୍ୟ ଚର୍ଚ୍ଚା: ସେଥିପାଇଁ ଆପଣଙ୍କୁ ତେଲୁଗୁ ଭାଷା ଶିଖିବାର ଅବସର ମିଳିଗଲା ବୋଧହୁଏ!
ବଙ୍ଗାଳୀ ନନ୍ଦ: ହଁ ସେଇ ପରିବେଶରେ ମୋତେ ତେଲୁଗୁ ଶିଖିବା ପାଇଁ ସୁବିଧା ହେଲା, ଯଦିଓ ମୁଁ କେବଳ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିଲି। ଆଉ ଗୋଟିଏ କଥା, ମୁଁ ସେଠାରେ ତେଲୁଗୁ ସିନେମା ଦେଖି ଦେଖି ମଧ୍ୟ ଭାଷାଟିକୁ ଶିଖିଗଲି।
ସାହିତ୍ୟ ଚର୍ଚ୍ଚା: ଆପଣ ବୋଧହୁଏ ଯାହା କିଛି ଅନୁବାଦ କରିଛନ୍ତି, ସବୁଗୁଡ଼ିକ ମୂଳ ଭାଷାର ବହିରୁ ହିଁ ସିଧାସଳଖ କରିଛନ୍ତି, କୌଣସି ମଧ୍ୟସ୍ଥ ଭାଷାରେ ଅନୂଦିତ ହୋଇ ପ୍ରକାଶ ପାଇଥିବା ବହିର ଆଶ୍ରୟ ନେଇନାହାନ୍ତି।
ବଙ୍ଗାଳୀ ନନ୍ଦ: ନା, ମୁଁ କୌଣସି ଲିଂକ୍ ଭାଷାର ବହିରୁ ଅନୁବାଦ କରିବାକୁ ଚାହିନାହିଁ।
ସାହିତ୍ୟ ଚର୍ଚ୍ଚା: ଆମେ କହିପାରୁ ଯେ ଆପଣ ଚାରିଗୋଟି ଭାଷାରୁ ହିଁ ଓଡ଼ିଆକୁ ଅନୁବାଦ କରିଛନ୍ତି, ଯଥା ହିନ୍ଦୀ, ଇଂରାଜୀ, ତେଲୁଗୁ ଓ ବଙ୍ଗଳା। ଲିଂକ୍ ବା ସହାୟକ ଭାଷାରେ ଅନୂଦିତ ପୁସ୍ତକରୁ ଏହା କରନ୍ତି ନାହିଁ କାହିଁକି?
ବଙ୍ଗାଳୀ ନନ୍ଦ: ସହାୟକ ଭାଷାର ବହିରୁ କଲେ ଅନେକ କଥା ଉହ୍ୟ ହୋଇ ରହିଯାଏ ଆଜ୍ଞା! ମୂଳ ଭାଷାରେ ଲେଖା ହୋଇଥିବା ବହିର ମର୍ମ ଆଉ ଗୋଟିଏ ଭାଷା ଜରିଆରେ ଅନୂଦିତ ହେଲେ ଯେ ବଦଳିଯାଏ, ଏହାର ଅନେକ ଦୃଷ୍ଟାନ୍ତ ମୁଁ ଦେଖିଛି।

ସାହିତ୍ୟ ଚର୍ଚ୍ଚା: ଗୋଟିଏ କଥା ପଚାରିବୁ; ୨୦୨୩ ମସିହାରେ ଆପଣଙ୍କର ‘ନେଲୁରି କେଶବ ସ୍ୱାମୀଙ୍କ ଶ୍ରେଷ୍ଠ ଗଳ୍ପ’ ନାମକ ଅନୁବାଦ ପୁସ୍ତକଟି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲା, ସେଥର ଆପଣ କ’ଣ ଆଶା କରିଥିଲେ, ଏହି ପୁରସ୍କାରଟି ପାଇବେ ବୋଲି?
ବଙ୍ଗାଳୀ ନନ୍ଦ: ମୋ’ର ଜମାରୁ ଆଶା ନ ଥିଲା ଆଜ୍ଞା। କାରଣ ମୋ’ର କୌଣସି ବହି ମୁଁ ଏଥିପାଇଁ ସବ୍ମିଟ୍ କରିନଥିଲି।
ସାହିତ୍ୟ ଚର୍ଚ୍ଚା: ଆମର ବିଶ୍ୱାସ ହେଉନାହିଁ; କାରଣ ସମସ୍ତଙ୍କର ଗୋଟିଏ ଧାରଣା ଯେ, ଲବି ନ କଲେ ଓଡ଼ିଶାରେ ସାହିତ୍ୟ ପୁରସ୍କାର ମିଳେନାହିଁ, ସେ କେନ୍ଦ୍ରର ହେଉ ଅବା ରାଜ୍ୟର।
ବଙ୍ଗାଳୀ ନନ୍ଦ: ମୋ’ର ଧାରଣା ଥିଲା ଯେ କୌଣସି ବହି ପୁରସ୍କାର ପାଇବା ପୂର୍ବରୁ ତାହାକୁ ବୋଧହୁଏ କିଏ ଜଣେ ସୁପାରିସ କରି ପଠାନ୍ତି। କିନ୍ତୁ ମୋର କୌଣସି ବହି ପାଇଁ ସେଭଳି କିଛି ସୁପାରିସ ହୋଇଥିବାର ଖବର ମୋ’ ପାଖରେ ନ ଥିଲା।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣଙ୍କ ବହି ସେତେବେଳେ କିଏ ସୁପାରିସ କରିଥିଲେ, ସେ କଥା କ’ଣ ଆପଣ ଏବେ ବି ଜାଣିନାହାନ୍ତି?
ବଙ୍ଗାଳୀ ନନ୍ଦ: ପୁରସ୍କାର ପାଇବା ପରେ ମୁଁ ଏହା ଅନୁମାନ କରିବାକୁ ଚେଷ୍ଟା କଲି। ମୋର ଯାହା ମନେହୁଏ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟର ତେଲୁଗୁ ବିଭାଗର ଯିଏ ସମ୍ପାଦକ ଥିଲେ, ସେ ବୋଧହୁଏ ଏଥିପାଇଁ ସୁପାରିସ କରିଥିବେ; କାରଣ ପୁରସ୍କୃତ ବହିଟି ସେହି ସଂସ୍ଥା ହିଁ ପ୍ରକାଶ କରିଥିଲା।
ସାହିତ୍ୟ ଚର୍ଚ୍ଚା: ପୁରସ୍କାରଟି କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ଘୋଷିତ ହେବାପରେ ଆପଣ ଏ କଥା ପ୍ରଥମେ ଜାଣିଲେ କେମିତି?
ବଙ୍ଗାଳୀ ନନ୍ଦ: ପ୍ରଥମେ ବିହାରରୁ ଦିଲ୍ଲୀପ କୁମାର ପୁରୋହିତ ନାମକ ସି.ଆର.ପି.ଏଫ୍ର ଜଣେ ଓଡ଼ିଆ କର୍ମଚାରୀ ଫୋନ୍କରି ମୋତେ ଏଥିପାଇଁ ଅଭିନନ୍ଦନ ଜଣାଇଲେ। ସେ ଫେସବୁକ୍ରୁ ଜାଣିବାକୁ ପାଇଥିଲେ ଖବରଟି। ଏହାପରେ ପୀତବାସ ରାଉତରାୟ ମହାଶୟ ମୋତେ ଫୋନ୍ କଲେ, ଏବଂ ‘ସାହିତ୍ୟ ଚର୍ଚ୍ଚା’ର ସାଇଟ୍ରେ ମୁଁ ପୁରସ୍କାର ପାଇଥିବା ବିଷୟ ନେଇ ବାହାରିଥିବା ଗୋଟିଏ ଖବରର ଲିଂକ୍ ପଠାଇଲେ। ତା’ପରେ ଯାଇ ମୁଁ ଏ ବିଷୟରେ ନିଶ୍ଚିତ ହେଲି। ନହେଲେ ମୁଁ ତ ସ୍ୱପ୍ନରେ ମଧ୍ୟ ଭାବି ନ ଥିଲି ଯେ ଏହି ପୁରସ୍କାର ମୋତେ ମିଳିଥିବ।
ସାହିତ୍ୟ ଚର୍ଚ୍ଚା: ଆପଣ ସିନା ସଂଯୋଗବଶତଃ ବିନା ଚେଷ୍ଟାରେ ପୁରସ୍କାରଟି ପାଇଗଲେ, କିନ୍ତୁ ଆଜିକାଲି ସରକାରୀ ଓ ବେସରକାରୀ ସାହିତ୍ୟ ପୁରସ୍କାରଗୁଡ଼ିକ କ୍ଷେତ୍ରରେ ପୁରସ୍କାରର ନିର୍ଣ୍ଣୟ ସ୍ୱଚ୍ଛ ଓ ନିରପେକ୍ଷ ଭାବରେ ହୁଏନାହିଁ ବୋଲି ସାଧାରଣରେ ଯେଉଁ ଗୋଟିଏ ଧାରଣା ଅଛି, ସେ ବିଷୟରେ ଆପଣଙ୍କର ମତ କ’ଣ?
ବଙ୍ଗାଳୀ ନନ୍ଦ: ସେ ବଦନାମ ତ ଅଛି, ଯାହା ପ୍ରାୟତଃ ଶୁଣାଯାଉଛି। ଯେହେତୁ ମୁଁ ସେଥିରେ ପଶିନାହିଁ, ଏ ବିଷୟରେ ଅଧିକ କିଛି ଜାଣିନାହିଁ, ଖାଲି ଯାହା ଶୁଣୁଛି ମାତ୍ର। ତେଣୁ କ’ଣ ବା ମତ ଦେବି!
ସାହିତ୍ୟ ଚର୍ଚ୍ଚା: ଜଣେ ସାହିତ୍ୟିକ ଭାବରେ ଏ ବିଷୟର ଆପଣଙ୍କର କିଛି ତ ମତ ଥିବ !
ବଙ୍ଗାଳୀ ନନ୍ଦ: ନିଆଁ ନ ଥିଲେ ଧୂଆଁ କେମିତି ବାହାରିବ? ତେବେ ମୋ’ର କହିବା କଥା, ଯଦି କିଛି ହେରଫେର ହେଉଥାଏ ତାହା ଅକାଦେମିର କି ଲେଖକର ଦୋଷନୁହେଁ। କାରଣ ଲେଖକ ବା ଅନୁବାଦକ ତ ତା’ନିଜ ଶକ୍ତି ମୁତାବକ ଲେଖେ; ହେଲେ ଚୟନକର୍ତ୍ତା ଯଦି ଅନ୍ୟାୟ ଭାବରେ କୌଣସି ଅନୁପଯୁକ୍ତ ବହିକୁ ପୁରସ୍କାର ପାଇଁ ମନୋନୀତ କରିଦେଉଥାଆନ୍ତି, ତେବେ ଦୋଷ ତ ସେହିମାନଙ୍କର।
ସାହିତ୍ୟ ଚର୍ଚ୍ଚା: ଅନୁବାଦ ବ୍ୟତୀତ, ଆପଣ ସାହିତ୍ୟର ଅନ୍ୟ ଯେଉଁ ବିଭାଗଗୁଡ଼ିକରେ କଲମ ଚାଳନା କରିଛନ୍ତି, ତାହା ଭିତରେ ପ୍ରବନ୍ଧ ସାହିତ୍ୟ ଗୋଟିଏ। ଗତ ବର୍ଷ ଆପଣଙ୍କର ଗୋଟିଏ ପ୍ରବନ୍ଧ ପୁସ୍ତକ ପ୍ରକାଶ ପାଇଛି, ‘ଅନ୍ୱେଷାର ଅନେକ ପାହାଚ’ ନାମରେ। ଏଥିରେ ଅନେକ ପ୍ରଣିଧାନଯୋଗ୍ୟ ବିଷୟ ଉପରେ ଆପଣ ଲେଖିଛନ୍ତି, ଯାହା ଆପଣଙ୍କ ଚିନ୍ତାଧାରାର ବ୍ୟାପକତା ଓ ଗଭୀରତା ଦର୍ଶାଇଦିଏ।
ବଙ୍ଗାଳୀ ନନ୍ଦ: ଏ ବହିଟି ପୂର୍ବ ପ୍ରକାଶିତ ପ୍ରବନ୍ଧଗୁଡ଼ିକର ଏକ ସଂଗ୍ରହ।
ସାହିତ୍ୟ ଚର୍ଚ୍ଚା: ଏଥିରେ ଗୋଟିଏ ଅଧ୍ୟାୟ ଅଛି, “ସଂଗୁପ୍ତ ଆବେଗକୁ ଶବ୍ଦ ନିହାଣରେ ଖୋଦେଇବା ହେଉଛି କବିତା ଲେଖା।” ଆପଣ କବିତାର ଏହି ଯେଉଁ ପରିଭାଷାଟି ଦେଲେ, ତାହାକୁ ଟିକିଏ ପ୍ରାଞ୍ଜଳ କରିବେ କି!
ବଙ୍ଗାଳୀ ନନ୍ଦ: ଏହି ପ୍ରବନ୍ଧଟି ବିଷୟରେ ଆପଣଙ୍କୁ ପ୍ରଥମେ ଗୋଟିଏ କଥା କହିପାରେ?
ସାହିତ୍ୟ ଚର୍ଚ୍ଚା: ହଁ, ନିଶ୍ଚୟ କହନ୍ତୁ।
ବଙ୍ଗାଳୀ ନନ୍ଦ: ଏହି ପ୍ରବନ୍ଧଟିକୁ ମୁଁ ଲେଖିବା ପରେ ଓଡ଼ିଶାର ଗୋଟିଏ ଅଗ୍ରଣୀ ସମ୍ବାଦପତ୍ରକୁ ପଠାଇଥିଲି। ଛଅ ମାସ ପର୍ଯ୍ୟନ୍ତ ସେମାନେ ଏହାକୁ ଛପାଇଲେ ନାହିଁ। ତେଣୁ ଆଉ ଗୋଟିଏ ପତ୍ରିକା ମୋତେ ପ୍ରବନ୍ଧଟିଏ ପାଇଁ ଅନୁରୋଧ କରିବାରୁ ମୁଁ ସେଇଟି ସେମାନଙ୍କୁ ପଠାଇଦେଲି; ଏହା ସେଥିରେ ପ୍ରକାଶିତ ମଧ୍ୟ ହୋଇଗଲା। ତା’ର ଆଉ ଛଅ ମାସ ପରେ କିନ୍ତୁ, ଯେଉଁ ସମ୍ବାଦପତ୍ରକୁ ପ୍ରଥମେ ଏହା ପଠାହୋଇଥିଲା, ଅର୍ଥାତ୍ ପ୍ରାୟ ବର୍ଷକ ପରେ, ଏଇଟା ସେଥିରେ ବାହାରିଗଲା। ସେତେବେଳେ ମୁଁ ଯାହାଙ୍କ ଘରେ ଭଡ଼ାରେ ରହୁଥିଲି, ସେ ଏହା ଖବରକାଗଜରେ ଦେଖି ମୋତେ କହିଲେ ଯେ, ଆପଣଙ୍କର ଲେଖା ବାହାରିଛି। ତାଙ୍କଠାରୁ ହିଁ ମୁଁ ଏ କଥା ଜାଣିଲି। ଏହାପରେ ମୋର ଗୁରୁପ୍ରତିମ ବୟୋଜ୍ୟେଷ୍ଠ ଲେଖକ ଦାଶରଥି ଦାସଙ୍କ ସହ ଥରେ ଦେଖାହେଲା। ସେ ହସି ହସି କହିଲେ, “ବଙ୍ଗାଳୀ ବାବୁ, ଆପଣ କି ଗୋଟିଏ ପ୍ରବନ୍ଧ ଲେଖିଲେ ଯେ ସେଥିପାଇଁ ମୋତେ ଘରେ ଅପଦସ୍ଥ ହେବାକୁ ପଡ଼ୁଛି। ମୋର ଧର୍ମପତ୍ନୀ କହିଲେ ଯେ ବଙ୍ଗାଳୀ ବାବୁ କବିତା ଉପରେ ଯେଭଳି ପ୍ରବନ୍ଧଟିଏ ଲେଖିଛନ୍ତି, ତମେ ଆଜି ପର୍ଯ୍ୟନ୍ତ ସେମିତି ଗୋଟିଏ ଲେଖା କେବେ ଲେଖିପାରିଲ କି?” ଏ କଥାଟି ମୋତେ ଯେତେ ପୁଲକିତ କଲା, ସେତିକି ଦୁଃଖିତ ମଧ୍ୟ କଲା। ଭାବିଲି, ସାର୍ ଏମିତି କ’ଣ କହୁଛନ୍ତି!
ସାହିତ୍ୟ ଚର୍ଚ୍ଚା: ଏହି ଲେଖାରେ ଆପଣ କବିତାର ପାରିଭାଷିକ ପରିଚୟଟିକୁ ସମ୍ପୂର୍ଣ୍ଣ ଭାବରେ ଆଙ୍କିଦେଇଛନ୍ତି। ଆପଣ କବିତାର ଗଠନରୀତି, ତା’ର ଲୟ, ତା’ର ବିଭବ, ତାର ସୌନ୍ଦର୍ଯ୍ୟ ଆଦି ସବୁକଥା ମାତ୍ର ଚାରିପୃଷ୍ଠା ଭିତରେ ଯାହା ଆଲୋଚନା କରିଛନ୍ତି, ତାହା ପ୍ରବନ୍ଧଟିର ଗୁରୁତ୍ୱ ବଢ଼ାଇଦେଇଛି। ଏଥିରେ ଆପଣ କେଉଁ ଭାବଧାରାଟି ନିର୍ଦ୍ଦିଷ୍ଟ ଭାବରେ ସୂଚାଇବାକୁ ଚାହିଛନ୍ତି?
ବଙ୍ଗାଳୀ ନନ୍ଦ: ମୁଁ କହିଛି, ଯେ ଯିଏ କବିତା ଲେଖେ ସେ ହେଉଛି ଦ୍ୱିତୀୟ ବ୍ରହ୍ମା। ନିଜକୁ ସେହି ସ୍ଥାନରେ ନ ରଖିଲେ କବିତା ଲେଖି ହୁଏନାହିଁ। କିନ୍ତୁ ସେତିକି ଗରିମା ଥାଇ ମଧ୍ୟ ଆମେ ଯଦି ଭାଟ ଭଳି କାହା ପାଖରୁ ଟିକିଏ ପ୍ରଶଂସା, କି ଗୋଟିଏ ଗାମୁଛା ପାଇବା ପାଇଁ ମୁଣ୍ଡ ନୁଆଁଇଦେଉ, ସେତେବେଳେ କବିଟି ମରିଯାଏ।
ସାହିତ୍ୟ ଚର୍ଚ୍ଚା: ଆପଣ ଏ ପ୍ରବନ୍ଧରେ ଠାଏଁ ମଧ୍ୟ ଲେଖିଛନ୍ତି, “କବିତା ସର୍ବଦା ଚିତ୍ତହରଣକାରୀ ହେବା ଚାହି, ଭାବମୟ ହେବା ଦରକାର, ନହେଲେ ସେ ଗଳ୍ପ ବା ଉପନ୍ୟାସଠାରୁ ଶ୍ରେଷ୍ଠ ହେବ କେମିତି?”
ବଙ୍ଗାଳୀ ନନ୍ଦ: ଆଜ୍ଞା, ସେଥିରେ ଅଛି ଏହା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଏହି ବକ୍ତବ୍ୟ ନିତାନ୍ତ ଯଥାର୍ଥ। ଆଜିର ଏହି ସାରସ୍ୱତ ବାର୍ତ୍ତାଳାପ ପାଇଁ ସମୟ ଦେଇଥିବାରୁ ଆପଣଙ୍କୁ ଅଶେଷ କୃତଜ୍ଞତା ଜଣାଉଛୁ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ମୁଁ ବଙ୍ଗାଳୀ ବାବୁଙ୍କୁ ଜଣେ ସରଳ ଓ ପ୍ରଚାର ବିମୁଖ ଲୋକ ହିସାବରେ ଜାଣେ। ଏହି ସାକ୍ଷାତକାରରୁ ମଧ୍ୟ ତାହା ପ୍ରମାଣିତ ହେଉଛି। ପଢିବା ପରେ ଖୁବ୍ ଆନନ୍ଦ ମିଳିଲା।
ଭଲ ସାକ୍ଷାତକାର।