କବିତାର ମର୍ମ

ଆଜିକାଲି କୌଣସି କବିତାର ମର୍ମ ବା ଅର୍ଥକୁ ତର୍ଜମା କରିବାର ସ୍ପୃହା ଅନେକ ପାଠକଙ୍କ ପାଖରେ ଦେଖିବାକୁ ମିଳେନାହିଁ। ତଥାପି ସୁଖର କଥା ଯେ ଏବେ ବି କିଛି ସଂଖ୍ୟକ ପାଠକ ଅଛନ୍ତି, ଯେଉଁମାନେ କବିତାର ମର୍ମକୁ ଧୈର୍ଯ୍ୟର ସହିତ ବୁଝି ତାହାକୁ ଆତ୍ମସ୍ଥ କରିବାର ଆଗ୍ରହ ରଖନ୍ତି। ଗୋଟିଏ ପତ୍ରିକା ବା ବହିରେ ପ୍ରକାଶିତ ରୋଚକ କବିତାଟିଏ ଦୃଷ୍ଟିକୁ ଆସିଲେ ସେମାନେ ତା’ର ପ୍ରତିଟି ପଂକ୍ତିରୁ ଖୋଜିବସନ୍ତି ପରସ୍ତ ପରସ୍ତ ମର୍ମ। ତେବେ କୌଣସି କବିତାର ଗୋଟିଏ ନୁହଁ, ବରଂ ବହୁବିଧ ମର୍ମ ବା ଅର୍ଥ ଥିବାରୁ ସିନା ସେମାନେ ଖୋଜିବସନ୍ତି ଏହା! ଅନ୍ୟ ଭାଷାରେ କହିଲେ, ଏକାଧିକ ବ୍ୟାଖ୍ୟା ବା ଇଣ୍ଟରପ୍ରିଟେସନ୍‌ର ସମ୍ଭାବନା ହେଉଛି ଗୋଟିଏ କବିତାର ମୂଳ ଧର୍ମ।
ଆମ ପତ୍ରିକାରେ ପ୍ରକାଶିତ ଜଣେ ବିଶିଷ୍ଟ କବିଙ୍କ କବିତାର ଗୋଟିଏ ଧାଡ଼ିର ଅର୍ଥ, ପତ୍ରିକାର ସମ୍ପାଦକ କିମ୍ବା କବିତାଟିର ସ୍ରଷ୍ଟା ସ୍ୱୟଂ ବୁଝାଇଦିଅନ୍ତୁ ବୋଲି ଥରେ ଜଣେ ବୟୋଜ୍ୟେଷ୍ଠ ପାଠକ ଅଡ଼ିବସିଲେ। କିନ୍ତୁ ଆମେ ଓ ସଂପୃକ୍ତ କବି ଜଣକ ତାଙ୍କ ଆଗରେ କବିତାଟିର ଯେତେ ରକମ ବ୍ୟାଖ୍ୟା ରଖିଲେ ସୁଦ୍ଧା ତାହା ତାଙ୍କର ମନକୁ ଗଲାନାହିଁ। ଏହା ଆମର ସ୍ମରଣକୁ ଆଣିଲା, ପ୍ରାୟ ଛଅ ଦଶକ ତଳେ ଇଂରାଜୀ ସାହିତ୍ୟରେ ମୁଣ୍ଡ ଟେକିଥିବା ‘ରିଡର ରେସପନ୍‌ସ୍ ଥିଓରୀ’ ବା ‘ପାଠକ-ପ୍ରତିକ୍ରିୟା ତତ୍ତ୍ୱ’ ନାମକ ଗୋଟିଏ ବିଚାରଧାରା, ଯେଉଁଥିରେ ଜଣେ କବି କ’ଣ ଭାବି କବିତାଟିଏ ଲେଖିଛନ୍ତି, ତାହା ଅପେକ୍ଷା ପାଠକ କ’ଣ ବୋଲି ଭାବି ସେଇଟି ପଢ଼ୁଛନ୍ତି, ତାହାକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା।
ଏହି ପ୍ରସଙ୍ଗଟିକୁ ସ୍ପଷ୍ଟ କରିବା ପାଇଁ ଉପେନ୍ଦ୍ର ଭଞ୍ଜଙ୍କ ‘ବୈଦେହୀଶ ବିଳାସ’ର ପ୍ରଥମ ପଂକ୍ତିଟିର ହିଁ ଉଦାହରଣ ନିଆଯାଉ। କବିସମ୍ରାଟ ଲେଖିଛନ୍ତି, ‘ବନ୍ଦଇ ଦୀନବାନ୍ଧବ ହରି’। କାବ୍ୟଟିର କେତୋଟି ସଂସ୍କରଣରେ ଏହି ‘ଦୀନ’ ଶବ୍ଦଟି ‘ଦିନ’ ଭାବରେ ମଧ୍ୟ ମୁଦ୍ରଣ କରାଯାଇଛି। ଏ ଦୃଷ୍ଟିରୁ ଯଦି ଜଣେ ରସଗ୍ରାହୀ ପାଠକ ଏହାକୁ ଦୀନବାନ୍ଧବ (ଦରିଦ୍ରର ବନ୍ଧୁ, ଅର୍ଥାତ୍ ବିଷ୍ଣୁ)ଙ୍କ ସ୍ତୁତି ପରିବର୍ତ୍ତେ ଦିନବାନ୍ଧବ (ଦିବସର ବନ୍ଧୁ, ଅର୍ଥାତ୍ ସୂର୍ଯ୍ୟ)ଙ୍କର ଏକ ଆବାହନ ଭାବରେ ଗ୍ରହଣ କରେ, ତେବେ ସେଥିରେ କିଛି ବାରଣ ଅଛି କି? ପାଠକ ନିଜର କଳ୍ପନା ଅନୁସାରେ ଗୋଟିଏ କବିତାର ଯେ କୌଣସି ପ୍ରକାର ବ୍ୟାଖ୍ୟା କରିବା ପାଇଁ ସ୍ୱାଧୀନ ଏବଂ ତା’କୁ ଏହି ଅଧିକାରରୁ କେହି ବଞ୍ଚିତ କରିପାରିବ ନାହିଁ। ପାଠକମାନଙ୍କ କଥା ଛାଡ଼ନ୍ତୁ, ସ୍ୱୟଂ କବିମାନେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବରେ ଶ୍ଳେଷ ନାମକ ଏକ ଅଳଙ୍କାରର ପ୍ରୟୋଗକରି ନିଜର ରଚନାକୁ ବହୁବିଧ ବ୍ୟାଖ୍ୟା ପାଇଁ ଉନ୍ମୁକ୍ତ କରିଥିବାର ଦୃଷ୍ଟାନ୍ତ ଅଛି।
ତେବେ ପ୍ରଶ୍ନ ଉଠେ, ଯଦି ବହୁ ସଂଖ୍ୟକ ପାଠକ ଗୋଟିଏ କବିତାର ମର୍ମକୁ ଭିନ୍ନ ଭିନ୍ନ ଭାବରେ ବ୍ୟାଖ୍ୟା କରନ୍ତି, ତେବେ ଆମେ କେଉଁଟିକୁ ତାହାର ଅସଲ ପରିଚୟ ବୋଲି କହିବା? କବି ଯାହା ଭାବିକରି ମୂଳ କବିତାଟିକୁ ଲେଖିଥିଲେ ତାହା, ନା ଆଉକିଛି? ପାଶ୍ଚାତ୍ୟ କଳାତତ୍ତ୍ୱରେ ଆଲୋଚିତ ‘ଦି ମୋଡ୍ ଅଫ୍ ଏକ୍ସିଷ୍ଟେନ୍‌ସ୍ ଅଫ୍ ଏ ୱାର୍କ୍ ଅଫ୍ ଆର୍ଟ୍‌’ର ଦୃଷ୍ଟିକୋଣ ଅନୁଯାୟୀ, ସ୍ୱୟଂ କବି ମଧ୍ୟ ଯେତେବେଳେ ଜଣେ ପାଠକ ଭାବରେ ନିଜର କବିତାକୁ କିଛିଦିନ ପରେ ପଢ଼ନ୍ତି, ସେ ସେଥିରୁ ନୂଆ ମର୍ମଟିଏ ପାଆନ୍ତି, ଯାହା କବିତାଟି ଲେଖିବା ବେଳେ ହୁଏତ ସେ କଳ୍ପନା ହିଁ କରିନଥିଲେ। ଏ ଦୃଷ୍ଟିରୁ କବିଙ୍କ ପରିବର୍ତ୍ତେ, ତା’ଙ୍କ ସୃଷ୍ଟିର ପ୍ରକୃତ ପରିଚୟଟିକୁ ଚିହ୍ନିବାରେ ଜଣେ ପାଠକ ଅଧିକ ଭାବରେ ସକ୍ଷମ ବୋଲି କହିଲେ କିଛି ଭୁଲ ହେବନାହିଁ। କାରଣ କବିତା ଜ୍ଞାନାଶ୍ରୟୀ ନୁହେଁ, ଭାବାଶ୍ରୟୀ। ଜ୍ଞାନ ବୁଝିବାକୁ ପଡ଼େ; କିନ୍ତୁ ଭାବ ଅନୁଭବ କରିବାକୁ ପଡ଼େ, ଯେଉଁ ଭାବ ପାଠକଟି ଉପରେ ମଧ୍ୟ ସମପରିମାଣରେ ନିର୍ଭରଶୀଳ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

Leave a Reply

Your email address will not be published. Required fields are marked *