“ଇଏ ୨୦୨୫ର ଜମାନା ଲୋ ବୁଢ଼ୀ ! ଇଏ ଉତ୍ତର ଆଧୁନିକିଆ ଯୁଗ ! ସେ ପୁରୁଣା ଗାଳି ଆଉ ଚଳୁନି ଏଠି !”

ଧେଡ଼ଗୋବିନ୍ଦ ବାବୁ ସକାଳୁ ସକାଳୁ ବସି ଫତୁରାନନ୍ଦଙ୍କ ‘ବୃହତ୍ ଭାଣ୍ଡ’ ବହିରୁ ‘ଗାଳି ମାଳିକା’ ଗପଟି ପଢୁଥିଲେ । ସେଥିରେ ଥିବା ସେନ୍ତେରା ମାଆ – ଶୁକୁଟା ମାଆଙ୍କ ଗାଳି ତାଙ୍କୁ ଖୁବ୍ ଖୁବ୍ ପ୍ରଭାବିତ କରିଚାଲିଥିଲା। ଆଉ ମଧ୍ୟ ସେହି ଗଳ୍ପର ଆଉ ଦୁଇଟି ଚରିତ୍ର, ଲମ୍ବାକଲିଆ ଓ ମାଗୁରାନିଶୁଆଙ୍କ ଫନ୍ଦି ଫିକର କଥା ସେ ଚିନ୍ତା କଲେ। ବାପୁଡ଼ାମାନଙ୍କୁ ପୁରୁଣା ଗାଳି ଶୁଣି ଶୁଣି ଚିଟା ଲାଗିଯାଇଥିଲା। ତେଣୁ ଗାଳିର ଆଶୁ ପରିବର୍ତ୍ତନ କରି ସେଗୁଡ଼ିକୁ ଆଧୁନିକ ଗାଳି ଭାବରେ ପରିବର୍ତ୍ତନ କରିବା ପାଇଁ ସେ ଦୁହେଁ ଖୁବ୍ ମଗଜ ଦଉଡ଼େଇଥିଲେ।
ହେଲେ ଧେଡ଼ବାବୁ ଭାବିଲେ ଯେ ସେହି ଆଧୁନିକ ଗାଳି ବି ଆଉ ଚଳିବ ନାହିଁ; ଆଉ ଧାପେ ଆଗକୁ ଯାଇ ଖବରକାଗଜ, ପ୍ରଚାରପତ୍ର ତଥା ଅନ୍ୟାନ୍ୟ ଜାଗାରୁ ଅତ୍ୟାଧୁନିକ ଗାଳି ସଂଗ୍ରହ କରିବା କଥା ସେ ହେଜିଲେ। ଫତୁରାନନ୍ଦଙ୍କ ଗଳ୍ପରେ ଟୋକାଦ୍ୱୟଙ୍କ ମାସାଧିକ କାଳ ପରିଶ୍ରମ କରି ଆଧୁନିକ ଗାଳି ତାଲିକା ପ୍ରସ୍ତୁତି ଏବଂ ପ୍ରଶିକ୍ଷଣ କଥା ବି ଧେଡ଼ ବାବୁଙ୍କ ମଗଜକୁ ବେଶ୍ ପାଇଥିଲା। ତାଲିକାର ଦୁଇ କିତା ନକଲ ନେଇ ସେନ୍ତେରା ମାଆ – ଶୁକୁଟା ମାଆଙ୍କ ଆଧୁନିକ ଗାଳି ଦିଆ ଦେଇର ଦୃଶ୍ୟ ଧେଡ଼ ବାବୁଙ୍କ ଆଖି ଆଗରେ ଜଳଜଳ ହୋଇ ଉଦୁଭାସିତ ହୋଇଉଠିଲା।
ତହୁଁ ସେ ଗପର ସେତିକି ଅଂଶ ପାଟିକରି ଆବୃତ୍ତି କଲେ —
— ହଇଲୋ ଫେସିଟି (ଫ୍ୟାସିଷ୍ଟ) କୋଉଠିକାର, ମୋତେ ଅଙ୍ଗରେଜୀ ଗାଳି ଦେଇ ଦବେଇ ଦେବାକୁ ବସିଛୁ। ହଇଲୋ ନିଅସତସୁଆରଥ (ନ୍ୟସ୍ତ ସ୍ୱାର୍ଥ) ଏତେ ଚାତର କୋଉଥି ଲାଗି ଲୋ!
— ଆଲୋ ତୁ ଦକ୍ଷିଣପନ୍ଥୀ ହଅ ଲୋ…ଆଲୋ ତୁ ବାମପନ୍ଥୀ ହଅ ଲୋ…
— ଆଲୋ ତୁ ଉଗୁରପନ୍ଥୀ ହଉନୁ, ଚରମପନ୍ଥୀ ହଉନୁ…ହା ତୁ ନରମପନ୍ଥୀ ହେଇ ଯା’ ଲୋ…
— ହା’ ତୋଠି ଶେରେଣୀସଂଘରଷ (ଶ୍ରେଣୀ ସଂଘର୍ଷ) ଲାଗୁ ଲୋ…ତୋତେ ଭୂସଂସ୍କାର ଖାଉ ଲୋ…
— ଆଲୋ ହେ ଖଳବୀ ! ତୁ ପ୍ରିୟାପୀରତିତୋଷଣ ହଉନୁ…ହା ତୁ ମେରିରାୟ…ହା ତୁ ଜନଶତ୍ରୁ….ତୁ ଦେଶ ଦୋରୋହୀ…ତୁ ସେଇଆଜେଣ୍ଟି (ସି.ଆଇ ଏଜେଣ୍ଟ୍) ହୋଇ ଯାଆ ଲୋ….
— ହଇଲୋ ପେତିନୀ ! ତୁ ମହଜୁଦକାରୀ ହୋଇଯାଉନୁ, ସଂସକାରବାଦୀ (ସଂସ୍କାରବାଦୀ) ହୋଇ ଯା… ଲୋ, ସଂପରସାରଣବାଦୀ (ସଂପ୍ରସାରଣବାଦୀ) ହୋଇ ଯା ଲୋ…ତୁ ପଞ୍ଚମବାହିନୀ ହୋଇ ଯା ଲୋ….ତୁ ସମରାଜବାଦୀ (ସାମ୍ରାଜ୍ୟବାଦୀ) ହୋଇ ଯା ଲୋ….
— ଆଲୋ ଗରବଖାଈ ! ତୋତେ ଅରଥନଈତିକ ବଇଷମ (ଅର୍ଥନୈତିକ ବୈଷମ୍ୟ) ଘୋଟିଯାଉ, ତୁ ଅପମିଶରଣକାରୀ (ଅପମିଶ୍ରଣକାରୀ) ହଅ ଲୋ, ତୁ କଳାବଜାରୀ ହଅ ଲୋ…ତୁ କିଳାପୋତେଇ ମୁହଁରେ ଯା’ ଲୋ, ତୁ ସୁବିଧାବାଦୀ ହଅ ଲୋ… ତୁ ମୁନାଫାଖୋର, ଲାଭଖୋର ହୋଇ ଯା ଲୋ… ତୋତେ ଜରୁରୀ ପରିସିଥିତି (ଜରୁରୀ ପରିସ୍ଥିତି) ହୋଇ ଯାଆ ଲୋ…

ଫତୁରାନନ୍ଦଙ୍କ ଗଳ୍ପର ଏଇ କେତେ ଧାଡ଼ି ବାରମ୍ବାର କଣ୍ଠ ଫଟେଇ ଚିତ୍କାର କରି ପଢ଼ିବା ଭିତରେ ଧେଡ଼ ବାବୁଙ୍କୁ ଏକପ୍ରକାର କାଳିସୀ ଲାଗିଯାଇଥିଲା। ତା’ବି ଡବଲ କାଳିସୀ। ଶୁକୁଟା ମାଆ ଓ ସେନ୍ତେରା ମାଆ ତାଙ୍କ ଶିରା ପ୍ରଶିରାରେ ପଶିଯାଇ ଗୋଳେଇ ଘାଣ୍ଟି ହେବାରେ ଲାଗିଥିଲେ। ଏହା ସହିତ ଲମ୍ବାକଲିଆ ଓ ମାଗୁରାନିଶୁଆଙ୍କ ଆତ୍ମା ଧେଡ଼ ବାବୁଙ୍କ ମଗଜରେ ପଶି ଛେଚିକୁଟି ହେଉଥିଲେ। ଧେଡ଼ଗୋବିନ୍ଦ ବାବୁଙ୍କ ମୁଣ୍ଡଟା କେମିତି ଛାଇଁକା ମାରିଯାଉଥିଲା। ଫତୁରାନନ୍ଦଙ୍କ ବହିଟିକୁ ଖଟ ଉପରକୁ ଫୋପାଡ଼ି ଦେଇ ସେ ଡ୍ରେସିଂ ଟେବୁଲ୍ ଆଡ଼କୁ ଧାଇଁଲେ। ସିଧା ଯାଇ ଆଇନା ସାମ୍ନାରେ ଠିଆ ହୋଇଗଲେ। ଏତେବେଳକୁ ସେ ନିଜକୁ ସେନ୍ତେରା ମାଆ ବୋଲି ମନେ କଲେ ଏବଂ ଆଇନା ଭିତରେ ତାଙ୍କୁ ଦେଖାଗଲା ଶୁକୁଟା ମାଆ। ନିଜ ସାମ୍ନାରେ ଶୁକୁଟା ମାଆକୁ ଦେଖି ସେ ଗର୍ଜି ଉଠିଲେ —
— ଆଲୋ ହେ ଖଳବୀ ! ଇଏ ୨୦୨୫ର ଜମାନା ଲୋ ବୁଢ଼ୀ ! ଇଏ ଉତ୍ତର ଆଧୁନିକିଆ ଯୁଗ ! ସେ ପୁରୁଣା ଗାଳି ଆଉ ଚଳୁନି ଏଠି! ସେଗୁଡ଼ାକ ସବୁ ଚାରେଣି ଆଠେଣି ପରି ହଜିଗଲାଣି ଲୋ।
ସେ ଯାହା କହୁଥିଲେ ଆଇନା ସେପଟେ ଥାଇ ଶୁକୁଟା ମାଆ ଖତେଇ ହୋଇ ସେଇ ଏକା କଥା ଦୋହରେଇଲା ଭଳି ତାଙ୍କୁ ଲାଗିଲା। ଏଥର ଆରମ୍ଭ ହେଲା ସେନ୍ତେରା ମାଆ ଓ ଶୁକୁଟା ମାଆର ଉତ୍ତର-ଆଧୁନିକ ଗାଳି ।
— ତୋ ଉପରେ ଲିଟିଲି ବୟ ପଡୁ ଲୋ। ତୋ ଉପରେ ଫେଏଟମେଏନ୍ ପଡୁ ଲୋ। ତୁ ହିରୋସୀମା ହଅ ଲୋ… ତୁ ନାଗାସାକୀ ହଅ ଲୋ… ତୋତେ ଏଫେ ସିକ୍ସଟିନି ଖାଉ ଲୋ…..
— ତୁ ୟୁରିଆ ସାର ପାଲଟି ଯାଆ ଲୋ….ତୁ ପେଷିଟିସାଇଡି ହଅ ଲୋ…
— ତୋର ପେରେସ୍ତୋରେଇକା ହୋଇ ଯାଉ ଲୋ । ତୋର ଗ୍ଲାସ୍ତୋନସ୍ ହେଇ ଯାଉ ଲୋ ! ତୋତେ ଗ୍ଲୋବାଲାଇଜେସନ ଖାଇଯାଉ ଲୋ। ତୋ ଘରେ ଡଙ୍କେଲ୍ ପଶୁ ଲୋ। ତୋତେ ୱାର୍ଲ୍ଡ ବ୍ୟାଙ୍କ ବାନ୍ଧୁ ଲୋ। ତୋତେ ଆଇଏମେଫ୍ ଖାଇ ଯାଉ ଲୋ । ତୋର ଗ୍ୟାଟ୍ ଚୁକ୍ତି ହୋଇ ଯାଉ ଲୋ।
— ତୋ ଉପରେ ରାଫେଲ ପଡୁ ଲୋ। ତୁ ତୃତୀୟ ବିଶ୍ୱଯୁଦ୍ଧ ହୋଇ ଯାଆ ଲୋ ! ତୋ ଉପରେ ପରମାଣୁ ବୋମା ପଡୁ ଲୋ ! ତୋ ଉପରେ ହାଇଡରଜେନ ବୋମା ପଡୁ ଲୋ ! ତୋର ହମାସ୍ ହେଇ ଯାଉ ଲୋ…ତୋର ଇଜରାଇଲ ହୋଇ ଯାଉ ଲୋ…ତୋତେ ରୁଷିଆ ଖାଉ ଲୋ…ତୋତେ ୟୁକେରେନ ଖାଉ ଲୋ…
— ତୋତେ ଇମୋଜି ଖାଉ ଲୋ….ତୋ ନେଏଟଉଆରକ ନ ଲାଗୁ ଲୋ…ତୋ ଆଣ୍ଡରଏଡ ଫାଟି ଯାଉ ଲୋ….
— ତୋର ଡିମୋନିଟାଇଜେସନ ହଉ ଲୋ… ତୋର ଲଅକଡାଉନୁ ହଉ ଲୋ…. ତୋର ସଅଟଡାଉନୁ ହଉ ଲୋ… ତୋତେ କରୋନା ଡାଆଣୀ ଖାଉ ଲୋ…ତୋତେ ଭେଏକିସିନି ନ ମିଳୁ ଲୋ…
— ତୋତେ ସିବିଆଇ ରୋଗ ହଉ ଲୋ…ତୋ ଘରେ ଇଡି ଚଡ଼କ ପଡୁ ଲୋ…ତୋତେ ଚିଇଟିଫଣ୍ଡ ଖାଉ ଲୋ….
— ତୋତେ ପିଜ୍ଜା ରୋଗ ହେଉ ଲୋ…ତୋତେ ବର୍ଗର ରୋଗ ହେଉ ଲୋ…
— ତୋତେ ଚନ୍ଦ୍ରଯାନ ଟେକି ନଉ ଲୋ…ତୋତେ ମଙ୍ଗଳଯାନ ଟେକି ନଉ ଲୋ…
— ତୋତେ ବିଟକର୍ଣ୍ଣ ଖାଉ ଲୋ…ତୋତେ କିମଜଙ୍ଗ୍ ନେଉ ଲୋ…ତୋତେ ଡୋନାଲଡ ଟରମ୍ପ ନଉ ଲୋ…
— ତୋତେ ଅନଲାଇନ୍ ରୋଗ ହେଉ ଲୋ…ତୋତେ ଏଟିଏମ୍ ଖାଇ ଯାଉ ଲୋ…ତୋତେ ପେଟିଏମ ରୋଗ ହଉ ଲୋ…ତୋ ଦେହରେ ଡିଜିଟାଲ ପଶି ଯାଉ ଲୋ…ତୋତେ ଟିକିଟକ ରୋଗ ହେଉ ଲୋ…ତୋତେ ମୋଅଜ ରୋଗ ହଉ ଲୋ…ତୋତେ ଆମାଜନ ଖାଇ ଯାଉ ଲୋ…ତୋତେ ଫ୍ଲିପକାର୍ଟ ବାତ ମାରୁ ଲୋ…
— ତୁ ସାଇବର ଫ୍ରଡ୍ ହେଇଯା’ ଲୋ…ତୋତେ ଏମେଏମେସେ ଖାଉ ଲୋ…ତୋତେ ସ୍ନାଆପ ଚାଆଟ ବାତ ମାରୁ ଲୋ…
— ତୋ ଘରେ ବୁଲଡୋଜର ଚଢୁ ଲୋ…ତୋତେ ଏନକାଉଣ୍ଟର ରୋଗ ହେଉ ଲୋ… ତୋତେ ବୁଲେଟ ଟ୍ରେନ୍ ମାରୁ ଲୋ…ତୋତେ ବନ୍ଦେଭାରତ ଏକ୍ସପ୍ରେସ ମାରୁ ଲୋ…
— ଲୋ ଗୋଲ୍ଡଫ୍ଲେକପେଇ ! ଲୋ ଇଣ୍ଡିମିଣ୍ଟପେଇ ! ତୋତେ ଚାହା ରୋଗ ଧରୁ ଲୋ ! ତୋତେ ସିଗାରେଟ୍ ରୋଗ ଧରୁ ଲୋ ! ତୁ ଚାହା ବଢ଼ିରେ ବୁଡ଼ି ମର୍ ଲୋ ! ତୋ ଘରେ ସିଗାରେଟ୍ ପଶୁ ଲୋ !
ଏମିତି ଦି ଚାରି ଘଣ୍ଟା ଧେଡ ବାବୁ ନିଜକୁ ସେନ୍ତେରା ମାଆ ଶୁକୁଟା ମାଆ ଭାବି ଗାଳି ବକିବା ପରେ ଚେତାଶୂନ୍ୟ ହୋଇ ପଡିଗଲେ। ଧିରେ ଧିରେ ଦୁଇବୁଢୀଙ୍କ ଆତ୍ମା ତାଙ୍କ ଦେହରୁ ବାହାରି ପବନରେ ମିଳେଇ ଯାଉଥିଲେ। ଆର ଘରୁ ପାଟି ଶୁଣି ତାଙ୍କ ପତ୍ନୀ ଆସି ମୁହଁରେ ପାଣି ଛାଟି ତାଙ୍କୁ ଉଠେଇଲେ। ଧଡ଼ପଡ ହୋଇ ଉଠୁ ଉଠୁ ଧେଡ଼ବାବୁ କହୁଥିଲେ — ବାପରେ ବାପ ! ମୁଁ ଉତ୍ତର-ଆଧୁନିକ ଗାଳି ଯୁଗରୁ ଫେରି ଆଇଲି ଲୋ…।
You are always wonderful Sir – with your seriousness and with your satire. Enviable. Hats off!
ବଢିଆ ଲାଗିଲା
ଆଇନା ଗୋଟେ ନହେଲେ ଜାକିର ବାବୁଙ୍କ ସାହିତ୍ୟ ଅଧୁରା. ଏମିତି ଆପଣ ଆଇନା ଦେଖୁଥାଆନ୍ତୁ ଓ ଆମକୁ ଦେଖାଉଥାଆନ୍ତୁ.
ବେଶି କିଛି କହିବାର ନାହିଁ ଜାକିର ବାବୁଙ୍କ ଲେଖା ବିଷୟରେ କେବଳ ଧନ୍ୟବାଦ ଦେଉଛି ତାଙ୍କୁ ତାଙ୍କର ନୂଆ ନୂଆ ଢ଼ଙ୍ଗର ଆବିଷ୍କାର ବା ଉଦ୍ଭାବନ ପାଇଁ।
ଜାକିର !ଏଡ଼େ ସୁନ୍ଦର ଗାଳି କେମିତି ଉଦ୍ଭାବନ କଲ !? ବାଃ।