ଶବ୍ଦ ବନାମ ସାହିତ୍ୟ

ଶବ୍ଦ ହିଁ ସମ୍ରାଟ। ସାହିତ୍ୟ ତା’ର ପ୍ରଜାକ୍ଷେତ୍ର।

ଦାଶ ବେନହୁର

ପୃଥିବୀରେ ଯେତେବେଳେ ପ୍ରାଣୀ ନଥିଲେ, ସେତେବେଳେ ଶବ୍ଦ ଥିଲା। କୁହାଯାଏ, ଯେଉଁ ପ୍ରକାଣ୍ଡ ବିସ୍ଫୋରଣରୁ ବ୍ରହ୍ମାଣ୍ଡର ସୃଷ୍ଟି, ତହିଁର ମୂଳ ଦୁଇଟି କଥାରେ ନିହିତ। ଗୋଟିଏ ହେଉଛି ଆଲୋକ ଏବଂ ଅନ୍ୟଟି ଶବ୍ଦ। ତେଣୁ ପ୍ରକାରାନ୍ତରେ କହିଲେ, ଏ ଜଗତ, ଏ ପୃଥିବୀ ତିଆରି ହୋଇଛି ଶବ୍ଦକୁ ନେଇ। ଶବ୍ଦ ମୂଳ, ଆଉ ସବୁ ଡାଳ।
ମଣିଷ ପୃଥିବୀରେ ଜନ୍ମ ହେବା ଆଗରୁ ମାଟି ଥିଲା, ଜଳ ଥିଲା, ବାୟୁ ଥିଲା, ଆକାଶ ଓ ଅଗ୍ନି ବି ଥିଲେ। ତାହା ସହିତ ଗଛଲତା ଓ କେତେକ ପଶୁପକ୍ଷୀ ବି ଥିଲେ। ଥିଲେ ବି ଅନେକ ଜଳରେ ଜୀବ। କିନ୍ତୁ ଆକାଶରେ ମେଘ ଥିଲା, ନାଦ ଥିଲା, ଛନ୍ଦ ଥିଲା। ଶବ୍ଦ ନଥିଲେ ନାଦ କାଇଁ? ଅତଏବ ଶବ୍ଦ ଓ ନାଦ ମଣିଷର ଅନେକ ଆଗରୁ ନାନା ରୂପରେ ବିଚରଣ କରୁଥିଲେ ପୃଥିବୀ ପୃଷ୍ଠରେ। କେଉଁଠି ମେଘର ମନ୍ଦ୍ରନାଦ ହୋଇ, କେଉଁଠି ଜଳର କୁଳୁକୁଳୁ ଧ୍ୱନି ବା ଘର୍ଘର ନାଦ ହୋଇ ବା କେଉଁଠି ପତ୍ରର ମର୍ମର ହୋଇ।

ଶବ୍ଦ ବ୍ରହ୍ମ
କୁହାଯାଏ, ଶବ୍ଦ ହେଉଛି ବ୍ରହ୍ମ। ଯାହା ବାସ୍ତବ ଓ ଚିରନ୍ତନ ତାହା ହିଁ ସତ୍ୟ। ବ୍ରହ୍ମ ହେଉଛି ସତ୍ୟର ପ୍ରତିରୂପ। ସେ କାଳେ ଥିଲା, ଆଜି ଅଛି ଓ ଆଗକୁ ବି ଥିବ। ସବୁ ବିଲୀନ ହୋଇଗଲା ପରେ ବି ସତ୍ୟ ଥିବ, ବ୍ରହ୍ମ ଥିବ। ବ୍ରହ୍ମ ହିଁ ମୌଳିକ ତତ୍ତ୍ୱ, ଯହିଁରେ ସୃଷ୍ଟି, ଜୀବନ, ଜଗତ ଓ ବିଲୟ ବି ନିହିତ। ବ୍ରହ୍ମ ହିଁ ସାର୍ବଭୌମ, ଐଶ୍ୱରୀୟ ନୀତି ଏବଂ ସମସ୍ତ କଥାର ଅନ୍ତିମ କାରଣ ତଥା ଫଳାଫଳ। ଅଦ୍ୱୈତ ବେଦାନ୍ତର ସିଦ୍ଧାନ୍ତୀ ଶ୍ରୀଶ୍ରୀ ଶଙ୍କରାଚାର୍ଯ୍ୟ ସେଇଥିପାଇଁ କହିଛନ୍ତି – “ବ୍ରହ୍ମ ସତ୍ୟଂ, ଜଗତ ମିଥ୍ୟାଂ”। ଜଗତ ପରିବର୍ତ୍ତନଶୀଳ। ତା’ର ସୃଷ୍ଟି ଅଛି, ବିଲୟ ବି ଅଛି। ତେଣୁ ଯାହାର ବିଲୟ ଅଛି, ତାହା ଚିରନ୍ତନ ହେବ କେମିତି? ସେଇଥିପାଇଁ ତାହା ସତ୍ୟ ନୁହେଁ। କେବଳ ବ୍ରହ୍ମ ହିଁ ସତ୍ୟ। ଜଗତ ମାୟା, ପ୍ରହେଳିକା।
ଏବେ ‘ଶବ୍ଦ’ କଥାଟିକୁ ବିଚାର କରିବା। ଶବ୍ଦ ମାତ୍ରେ ତାହା ଉଚ୍ଚାରିତ। ବିନା ଉଚ୍ଚାରଣରେ ଶବ୍ଦ ନାହିଁ। ଏହା କେତେବେଳେ ପ୍ରକାଣ୍ଡ ବିସ୍ଫୋରଣ ତ କେତେବେଳେ ନିନାଦହୀନ ଅତି ସୂକ୍ଷ୍ମରୁ ସୂକ୍ଷ୍ମତର ସ୍ୱର। ଶବ୍ଦ ହିଁ ସ୍ଥିତି-ସ୍ଥାପନ। ଶବ୍ଦ ସୃଷ୍ଟିକର୍ତ୍ତା। ଶବ୍ଦ ହିଁ ଜ୍ଞାନର ମୂଳ ହେତୁ। ତାହା ସହିତ ଯୋଡ଼ା ହୋଇଛି ଅନୁଭବ, ଆହରଣ ଓ ତୁଳନା। ସେସବୁର ଆଧାରରେ ଶବ୍ଦ ଉଚ୍ଚାରିତ ହୁଏ।
ଶବ୍ଦ ପହିଲେ ଥିଲା ଭାବରେ। ଭାବରୁ ତାହା ଆସିଛି ଉଚ୍ଚାରଣକୁ। ସବୁଠାରେ ଶବ୍ଦ। ନିଃଶବ୍ଦ କଥାଟି ଏକ ଲୋକାଚାର, ଯାହା ମଣିଷଙ୍କ ମେଳରେ କେବଳ ପ୍ରଚାରିତ। ସତ କହିବାକୁ ଗଲେ ନିଃଶବ୍ଦ ବୋଲି କିଛି ନାହିଁ। ସବୁଠାରେ ଶବ୍ଦ ଗୁମ୍ଫିତ ହୋଇ ଅଛି। କାଠରେ, ପଥରରେ, କୋଳାହଳରେ, ନିରବତାରେ ବି। ନିରବତାକୁ ବି ଶୁଣାଯାଇପାରେ।
ହଜାର ହଜାର କାହିଁକି, ଅୟୁତ ଅୟୁତ ବର୍ଷ ପରେ ଶବ୍ଦ ଆସିଛି ଅକ୍ଷର ରୂପରେ। ଅକ୍ଷର ପ୍ରକୃତରେ ଛବି। ଛବି ମାତ୍ରେ ତା’ର ଲୟ ବିଲୟ ଅଛି। କିନ୍ତୁ ଅକ୍ଷର ବୋଲି ଯେଉଁ କଥାଟି ତାହା କ୍ଷରଣହୀନତାକୁ ନେଇ। ପ୍ରକୃତରେ ଶବ୍ଦ କ୍ଷରିତ ହୁଏନାହିଁ ବୋଲି ଅକ୍ଷରର ନାମକରଣ ସେପରି ହୋଇଛି।
ପଦାର୍ଥ ମାତ୍ରେ ତା’ର ଚେତନା ଅଛି। ସଜୀବ, ନିର୍ଜିବ ସବୁଠି ଚେତନା ଅନ୍ତରୀଣ। ଏ ଚେତନା କେଉଁଠାରେ ବହିର୍ମୁଖୀ ତ କେଉଁଠାରେ ଅନ୍ତର୍ମୁଖୀ। ମଣିଷ ଦେହରେ ଏ ଚେତନା ଉଭୟ ବହିର୍ମୁଖୀ ପୁଣି ଅନ୍ତର୍ମୁଖୀ। ବିନା ଅକ୍ଷରରେ ମଣିଷ ସେ ଚେତନାକୁ ଅନ୍ତର୍ମୁଖୀ କରି ନବଭାବ ସୃଷ୍ଟି କରିପାରେ। ସେଥିପାଇଁ ସେ ମୁଖ ଓ ସ୍ମୃତି ଆଧାରରେ ନାନାକଥା ଉଚ୍ଚାରଣ କରେ, ପୁଣି ବହିର୍ମୁଖୀ ଚେତନାକୁ ପ୍ରୟୋଗକରି ତା’କୁ ଅକ୍ଷରରେ ଢାଳେ।
ସାହିତ୍ୟ କ’ଣ?
ଏଇଠି ଆସୁଛି ସାହିତ୍ୟର କଥା।
ସାହିତ୍ୟ କ’ଣ? ଯେକୌଣସି ନବସୃଷ୍ଟି କ’ଣ ସାହିତ୍ୟ? ଯାହା ରସାଭିବ୍ୟକ୍ତି, ତାହା ଲିଖିତ ହେଉ କି ମୌଖିକ, ଆମେ କ’ଣ ତା’କୁ ସାହିତ୍ୟ କହିପାରିବା? ଯାହା ସହିତ ଥାଏ, ହିତରେ ଥାଏ ତାହା କ’ଣ ସାହିତ୍ୟ? ସାହିତ୍ୟକୁ ନେଇ ଅନେକ ସଂଜ୍ଞା, ଅନେକ ପର୍ଯ୍ୟାଲୋଚନା। ହେଲେ ‘ସାହିତ୍ୟ’ର ମୂଳ କଥାଟି ହେଉଛି ‘ଶବ୍ଦ’। ଶବ୍ଦ ନଥିଲେ ସାହିତ୍ୟ କାଇଁ? ସେ ଶବ୍ଦ ସବୁବେଳେ ଲିଖିତ ନୁହେଁ। ସାହିତ୍ୟର ଦୁଇଟି ରୂପ। ଲିଖିତ ଓ ମୌଖିକ। ପ୍ରଥମେ ମୌଖିକ ଓ ବହୁକାଳ ପରେ ଲିଖିତ।

ସାହିତ୍ୟ ହେଉଛି ସେଇ ରସାଳ ଅଭିବ୍ୟକ୍ତି, ଯାହା ସୁଖଦାୟକ ପୁଣି ଚିରନ୍ତନ। ଏ ଅଭିବ୍ୟକ୍ତି କେତେବେଳେ ସ୍ୱତଃସ୍ଫୂର୍ତ୍ତ ତ କେତେବେଳେ ସାଧନା-ସିଦ୍ଧ। ଧାଡ଼ିଏ କଥା କେବେ ଅନାୟସରେ ମୁହଁରୁ ବାହାରିଯାଏ ତ କେଉଁ ପରିସ୍ଥିତିରେ ସେଇ ଧାଡ଼ିକ ଅପେକ୍ଷା କରିଥାଏ ବର୍ଷ ବର୍ଷ ଧରି ଉଚ୍ଚାରିତ ହେବା ପାଇଁ। ସହସା ହେଉ କି ଅପେକ୍ଷିତ, ଯାହା ହିତକାରୀ ନୁହେଁ, ସାର୍ବଜନୀନ ନୁହେଁ, ଚିରନ୍ତନ ନୁହେଁ, ସ୍ୱାଭାବିକ ନୁହେଁ, ତାହା ସାହିତ୍ୟ ହେବ କେମିତି? ସାହିତ୍ୟରେ ଈର୍ଷା, ଘୃଣା, ଅସୂୟାର ପ୍ରଚାର ନଥାଏ। ନଥାଏ କୁତ୍ସିତର ଡିଣ୍ଡିମ। ପ୍ରକୃତ ସାହିତ୍ୟ ଗୋଟାଏ ସ୍ନିଗ୍‌ଧ ଆଲୋକପିଣ୍ଡ, ଯାହାର ଆଲୋକ ରଶ୍ମି ସମସ୍ତଙ୍କ ଲାଗି ପଥପ୍ରଦର୍ଶନକାରୀ। ଯାହାର ପଠନ ବା ଶ୍ରବଣ ଯୋଗୁଁ କେହି ଯଦି ଅନ୍ଧାରକୁ ଠେଲି ହୋଇଗଲା, ତେବେ ତାହା ସାହିତ୍ୟ ପଦବାଚ୍ୟ ନୁହେଁ।
ମହର୍ଷି ବାଲ୍ମିକୀଙ୍କୁ ସାହିତ୍ୟ ଜଗତର ସ୍ରଷ୍ଟା ବୋଲି ଅଭିହିତ କରାଯାଏ। ଗୋଟାଏ ପ୍ରଚଣ୍ଡ ସମ୍ବେଦନାର ସଂଘାତ କାରଣରୁ ତାଙ୍କ ଶୋକାଚ୍ଛ୍ୱାସ ମନ ବାଟେ ଯେଉଁ ଶ୍ଲୋକ ସ୍ୱତଃସ୍ଫୂର୍ତ୍ତ ହୋଇ ବାହାରି ଆସିଥିଲା, ତାହା କୁଆଡ଼େ ସାହିତ୍ୟର ଆଦ୍ୟ ରୂପ। ମାତ୍ର ମନେ ରଖିବାକୁ ହେବ ଯେ, ଶବ୍ଦ ମାଧ୍ୟମରେ ଯେଉଁ ରସାଳ ଉଚ୍ଚାରଣ ତାହା ଆମେ ପାଇଛେ ପ୍ରକୃତିରୁ। ପୂର୍ବରୁ କହିଲା ଭଳି ମେଘରୁ, ଜଳରୁ, ପବନରୁ, ପଶୁପକ୍ଷୀଙ୍କର କଳରବରୁ। ରସାଳ ସୁଖଦାୟୀ ଉଚ୍ଚାରଣ ବା ଶବ୍ଦର ଜୟଯାତ୍ରା ତ ସେଇଠୁ। ପୁଣି ମଣିଷ ମେଳରେ ପ୍ରଥମେ ଆପଣା କୋଳରେ ଶିଶୁଟିକୁ ବୋଧ କରିବା ପାଇଁ ଆଦିମାତାଟିର ସେ ମଧୁର ଉଚ୍ଚାରଣ? ସେତେବେଳେ ଅରଣ୍ୟ ଜୀବନରେ ଶବ୍ଦଥିଲା, ଭାବଥିଲା ମାତ୍ର ଭାଷା ହିଁ ନଥିଲା। ସେ ମାଆର ଭାଷାହୀନ ଭାବ ଉଚ୍ଚାରଣ ହିଁ ପ୍ରଥମ ସାହିତ୍ୟ।
ବାଲ୍ମିକୀ ମହର୍ଷି ଭାଷା ଯୁଗର ମଣିଷ।
ସେ ଆଦିମାତା ଭାବଯୁଗର ମଣିଷ, ଶବ୍ଦ ତରଙ୍ଗର ମଣିଷ। ତେଣୁ ପ୍ରଥମ ସାହିତ୍ୟ ସେଇ ନାନାବାୟା ଶବ୍ଦ ଯାହା ଭାଷାର ପୂର୍ବଜ। ଲିଖିତ ଭାଷାର ବହୁ ପୂର୍ବର କଥା। ସେ କଥାକୁ ଧରିଲେ ବାତ୍ସଲ୍ୟ ରସ ହିଁ ସାହିତ୍ୟକୁ ଦେଇଛି ତା’ର ଆଦ୍ୟ ଶବ୍ଦରୂପ। ବହୁ ପରେ ଆସିଛି ସମ୍ବେଦନାର ସୂତ୍ର। ଭାଷାଗତ ଶବ୍ଦ।
ବାତ୍ସଲ୍ୟ ସହ ସାହିତ୍ୟକୁ ଶବ୍ଦ ଯୋଗାଇଥିବା ଅନ୍ୟ ଦିଗଟି ହେଉଛି ବିହ୍ୱଳତା। ସୁଖରେ ହେଉ କି ଦୁଃଖରେ, ଆହ୍ଲାଦରେ ହେଉ କି ଆଶ୍ଚର୍ଯ୍ୟଚକିତ ପଣରେ ମଣିଷ ବିହ୍ୱଳ ହେଲେ ତା’ ପାଟିରୁ ଯେଉଁ ହିତକାରୀ ଶବ୍ଦ ସ୍ଫୁରିତ ହୁଏ, ତାହା ବୋଧହୁଏ ପ୍ରଥମ ମୌଖିକ ସାହିତ୍ୟ।
ଅତଏବ ଦୁଇଟିଯାକ କଥାକୁ ମିଶାଇଦେଲେ ବାତ୍ସଲ୍ୟଭାବ ଓ ବିହ୍ୱଳତା କାରଣରୁ ମଣିଷ ଯେଉଁ ରସାଳ ଅଭିବ୍ୟକ୍ତି ବା ଶବ୍ଦ ପ୍ରକଟ କରେ, ତା’ର ସଂଗଠିତ ରୂପ ହିଁ ସାହିତ୍ୟ।
ଶବ୍ଦ ଓ ସାହିତ୍ୟ
ଶବ୍ଦ ନଥିଲେ ସାହିତ୍ୟ ନାହିଁ। ଅସଂଲଗ୍ନ, ଅସଂଗଠିତ ଶବ୍ଦବ୍ୟଞ୍ଜନା ମଧ୍ୟ ସାହିତ୍ୟର ରୂପ ନିଏନାହିଁ। ତେଣୁ ଅନେକ ସମୟରେ ଶବ୍ଦମାନେ ସୁଖଦାୟୀ ହେଲେ ମଧ୍ୟ ସାର୍ବଜନୀନ ଦ୍ୟୋତନା ପ୍ରକାଶ କଲେ ମଧ୍ୟ ସେସବୁ ସାହିତ୍ୟ ପାଲଟେ ନାହିଁ। ଅତଏବ ଧାଡ଼ିରେ କହିଲେ, ଶବ୍ଦର ରସାଳ ସଂଗଠିତ ରୂପ ହିଁ ସାହିତ୍ୟ। ତାହା ମୌଖିକ ହେଉ କି ଲିଖିତ ହେଉ। ଗଛରେ ଝୁଡ଼ି ଝୁଡ଼ି ଫୁଲଥିଲେ ବି ତାହା ନା ଫୁଲମାଳ ନା ଫୁଲତୋଡ଼ା। ମାଳ ବା ତୋଡ଼ା ଫୁଲ-ସଜାଣ ଲୋଡ଼ିବା ପରି, ସାହିତ୍ୟ ଶବ୍ଦର ସଜାଣ ଦରକାର କରେ। ଏହି ସଜାଣ ହିଁ ସାହିତ୍ୟର ସଂଗଠିତ ରୂପ। ସାହିତ୍ୟ ଗୋଟେ ଫୁଲମାଳ ବା ଫୁଲତୋଡ଼ା ପରି।
ଶବ୍ଦ, ବ୍ରହ୍ମ ପୁଣି ବିପୁଳ। ଶବ୍ଦ କେଉଁଠି ସହଜ ସରଳ ତ ଆଉ କେଉଁଠାରେ ତୀର୍ଯ୍ୟକ ଏବଂ ଜଟିଳ। ଶବ୍ଦର ବି ରଙ୍ଗ ଅଛି, ସ୍ୱାଦ ଅଛି, ବାସ୍‌ନା ଅଛି। ପ୍ରକୃତ ସାହିତ୍ୟିକ ସେଇ ଯେ ଆପଣାର ମୌଖିକ ବା ଲିଖିତ କାନ୍‌ଭାସ୍‌ରେ ଠିକଣା ସ୍ଥାନ ବେଶି ରଙ୍ଗ ଦିଏ, ବାସ୍‌ନା ଭରେ ଏବଂ ସ୍ୱାଦ ତିଆରିକରେ। ସାହିତ୍ୟିକ ଚିତ୍ରକର ନୁହେଁ। ଚିତ୍ରକର ତ ରଙ୍ଗରେ ଥାଏ, ହେଲେ ସାହିତ୍ୟିକ ଶବ୍ଦରେ ଅଦ୍‌ଭୂତ ରଙ୍ଗ ତିଆରିକରେ। ଶବ୍ଦ ମାଧ୍ୟମରେ ସେ ଇନ୍ଦ୍ରଧନୁର ସାତ ମୌଳିକ ରଙ୍ଗକୁ ଡେଇଁ ଆପଣାର ରଙ୍ଗବୈଭବ ସୃଷ୍ଟି କରିବାକୁ ସମର୍ଥ ହୁଏ। ସେଇଥିପାଇଁ ରଙ୍ଗଠାରୁ ଶବ୍ଦର ଗୁରୁତ୍ୱ ଅଧିକ। ରଙ୍ଗ ବ୍ରହ୍ମ ନୁହେଁ, ଶବ୍ଦ କିନ୍ତୁ ବ୍ରହ୍ମ।
ପ୍ରତିଟି ଧ୍ରୁପଦୀ ସାହିତ୍ୟିକ ଜଣେ ଜଣେ ଅପୂର୍ବପାଚନ। ରନ୍ଧନ ପ୍ରକ୍ରିୟାରେ ଶବ୍ଦମାନେ ରନ୍ଧନ ସାମଗ୍ରୀ। କେତେବେଳେ କେଉଁ ଖାଦ୍ୟ ପ୍ରସ୍ତୁତ ହେବ ତାହା ସମୟ ସମୟରେ ପାଚକକୁ ବି ଜଣାନଥାଏ। ସେଭଳି କ୍ଷେତ୍ରରେ ଶବ୍ଦମାନେ ସ୍ରଷ୍ଟାଟିକୁ ଧରି ଏକ ଅପୂର୍ବ ଖେଳରେ ମାତିଯାଆନ୍ତି। ଲେଖକ ଯେ କହେ ମତେ ଲେଖାମାଡ଼େ, ସେତେବେଳେ ବୁଝିବାକୁ ହେବ ମଣିଷଟି ଭାବ ବନ୍ଧନରେ ପଡ଼ି ଶବ୍ଦମାନଙ୍କ ଦ୍ୱାରା କବଳିତ ହୋଇସାରିଛି।
ଯିଏ ଶବ୍ଦମାନଙ୍କ କବଳରେ ପଡ଼ିନାହିଁ, ସେ ଅସଲ ସାହିତ୍ୟିକ ନୁହେଁ। ଯେ ଭାବଭୋକରେ ଥାଇ ଅହରହ ଶବ୍ଦ ଅଣ୍ଡାଳୁଥାଏ, ସେଇ ମାତ୍ର ସିଦ୍ଧିପ୍ରାପ୍ତ ହୁଏ, ସାହିତ୍ୟିକ ପାଲଟେ। ସେ ସିଦ୍ଧି ଶବ୍ଦର ସିଦ୍ଧି। ‘ଭାବ’ ତ ସଭିଁଙ୍କୁ ପ୍ରାପ୍ତହୁଏ, ମାତ୍ର ‘ଶବ୍ଦ’ ନଥିଲେ ଅଭିବ୍ୟକ୍ତିରେ ପହଞ୍ଚାଣ ସମ୍ଭବ ହୁଏନା।
ଶବ୍ଦ ହିଁ ସମ୍ରାଟ। ସାହିତ୍ୟ ତା’ର ପ୍ରଜାକ୍ଷେତ୍ର।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

2 thoughts on “ଶବ୍ଦ ବନାମ ସାହିତ୍ୟ

  1. ପ୍ରକୃତରେ ଶବ୍ଦ ହିଁ ସମ୍ରାଟ ଓ ସାହିତ୍ୟ ହେଉଛି ତାର ପ୍ରଜାକ୍ଷେତ୍ର। କିନ୍ତୁ ଏକଥା କେତେ ଜଣ ସାହିତ୍ୟିକ ବୁଝନ୍ତି ବା ବୁଖାଇବାକୁ ଚେଷ୍ଟା କରୁଛନ୍ତି ତାହା ହେଉଛି ଆଲୋଚନାର ବିଷୟ। ଯେତେବେଳେ ସାହିତ୍ୟ ଲେଖୁଥିବା ବ୍ୟକ୍ତି ଏହି ଭାବକୁ ବୁଝି ଲେଖିବ, ସେତେବେଳେ ଶବ୍ଦ ବେଶିରୁ ବେଶି ପାଠକକୁ ଅନ୍ତରଙ୍ଗ ଭଳି ଲାଗିବ। ଯଦି ପ୍ରତିଟି ସାହିତ୍ୟିକ ନିଜ ମନର ଶବ୍ଦ ବା ବ୍ରହ୍ମର ସ୍ୱରୂପକୁ ବୁଝିବ ବା ବୁଝିବାକୁ ଚେଷ୍ଟା କରିବ, ସେତେବେଳେ ଯାଇ ସେହି ସାହିତ୍ୟ କାଳଜୟୀ ହେବା ସମ୍ଭବ ବୋଲି ମୋର ମତ। ହୁଏତ କେହି କେହି ମୋ ମତକୁ ଭୁଲ ବୋଲି କହିପାରନ୍ତି। ଲେଖକଙ୍କ ମତ ଅନୁସାରେ – ‘ଭାବ’ ତ ସଭିଁଙ୍କୁ ପ୍ରାପ୍ତହୁଏ, ମାତ୍ର ‘ଶବ୍ଦ’ ନଥିଲେ ଅଭିବ୍ୟକ୍ତିରେ ପହଞ୍ଚାଣ ସମ୍ଭବ ହୁଏନା। ଏହା ହେଉଛି ପ୍ରକୃତ କଥା। ଏହା ସମସ୍ତେ ବୁଝିବା ଆବଶ୍ୟକ।

  2. ପ୍ରିୟ ସମସ୍ତେ,

    ନମସ୍କାର ଓ ସାଧୁବାଦ ଜଣାଉଛି ଏ ବିଷୟରେ ଚର୍ଚ୍ଚାଟି ପାଇଁ।

    ପ୍ରିୟ ଜିତୁ ଭାଇ ଲେଖିଥିବାରୁ ଓ ସବୁବେଳ ପରି ଏକ ଆକର୍ଷଣୀୟ ଶୀର୍ଷକ ଦେଇଥିବାରୁ କୁତୂହଳ ହୋଇ ପଢ଼ିଲି। ଏହି ସୁନ୍ଦର ବିଚାର ଓ ଅଭିବ୍ୟକ୍ତିର ମୁଁ ଆଦର କରୁଛି। ଜିତୁ ଭାଇ ସାହିତ୍ୟର ସୃଷ୍ଟିକୁ ଦେଇ ଏକ ମନଛୁଆଁ ପୃଷ୍ଠଭୂମି ବାଢ଼ିଛନ୍ତି। ମୂଳତଃ ସାହିତ୍ୟର ପରିପ୍ରକାଶରେ ସେ ମଣିଷ ନିଜ ଆରମ୍ଭର ଦିନଗୁଡ଼ିକଠାରୁ ଆରମ୍ଭ କରି ଶୁଣି ଆସିଥିବା ବିବିଧ ‘ଶବ୍ଦ’ ଓ ବିଭିନ୍ନ ସମୟର ଅନୁଭବ ଆଧାରିତ ‘ବିହ୍ୱଳତା’କୁ ମୂଳ ଆଧାର ରୂପେ ବାଢ଼ିଛନ୍ତି। ସେ ନିଜର ଲମ୍ବା ସମୟର ସାହିତ୍ୟ ଚାଷ ଓ ଗଭୀର ବୁଝାମଣାକୁ ଗୋଟିଏ କ୍ରମରେ ବାଢ଼ିଥିବାରୁ ମତେ ଏହା ଭଲ ଲାଗିଲା ଓ ମୁଁ ଏହାର ଗଭୀର ଆଦର କରୁଛି। ଏହା ନିଶ୍ଚିତ ରୂପେ ଗୁରୁତ୍ୱପୂର୍ଣ। ମୋର ଯୁବ ବୟସରୁ ପ୍ରିୟ ଜିତୁ ଭାଇ ମୋର ଜଣେ ଅନ୍ତରଙ୍ଗ ଶୁଭେଚ୍ଛୁ ରହି ଆସିଛନ୍ତି ଓ ସବୁବେଳେ ମୋର ବିଜ୍ଞାନ କରିବା ଓ ଲେଖିବାକୁ ଉତ୍ସାହିତ କରି ଆସିଛନ୍ତି। ଏହାକୁ ଆଧାର କରି ମୁଁ ମୋ ମତଟିକୁ ଯୋଡ଼ୁଛି।

    ଏଥିସହ ମୁଁ ଆଉ କେତୋଟି ପ୍ରଭାବଶାଳୀ ଉପାଦାନକୁ ଯୋଡ଼ିବାକୁ ଉଚିତ ମନେ କରୁଛି। ମଣିଷ ତା’ ଜୀବନରେ ଦୁନିଆର ବିଭିନ୍ନ ଛବି, ଘଟଣାଗୁଡ଼ିକୁ ଯେତେ ଶୁଣି ଧରିପାରେ, ତାହାଠାରୁ ଯଥେଷ୍ଟ ଅଧିକ ସେ ଦେଖିକରି ଧରିପାରେ। ମଣିଷର ବିଚାର, ଆଚାର ତା’ର ଦେଖିବା ଦ୍ୱାରା ସବୁଠୁ ବେଶି ପ୍ରଭାବିତ ହୋଇଥାଏ। ତା’ର ଅଭିବ୍ୟକ୍ତି ମଧ୍ୟ ଦେଖିବାର ଅନୁଭବ ଦ୍ୱାରା ବେଶ ଅଧିକ ସମୃଦ୍ଧ ହୋଇଥାଏ।

    ଦେଖିବା, ଶୁଣିବା, ଶୁଙ୍ଘିବା, ଚାଖିବା ଓ ଛୁଇଁବା, ଆଦି ସମସ୍ତ ଇନ୍ଦ୍ରିୟ ଆଧାରିତ ଧାରଣ ଦ୍ୱାରା ମଣିଷ ଜଗତ, ଦୁନିଆ ଓ ସମାଜ ବିଷୟରେ ଅନେକ ସମିଶ୍ରିତ ‘ଅନୁଭବ’ ପାଇଥାଏ। ଏଥିରେ କର୍ମ ଇନ୍ଦ୍ରିୟଙ୍କର ବି ଭୂମିକା ରହିଛି। ଏହି ଅନୁଭବ ମଣିଷ ଦେହରେ ଅନେକ ରକମର ‘ଭାବ’ ତୋଳିଥାଏ। ଜିତୁ ଭାଇ ‘ବିହ୍ୱଳତା’ ନାମରେ ଏହାକୁ କିଛି ମାତ୍ରାରେ ସୁନ୍ଦର ଭାବରେ ବୁଝାଇଛନ୍ତି। ଏଥିରେ ସେ ଭାବକୁ ବି ସୂଚିତ କରିଛନ୍ତି। ଏହା ଆଦରଣୀୟ।

    ମଣିଷର ଭାଷା ଓ ସାହିତ୍ୟ ତା’ର ଏହି ନିଆରା ‘ଅନୁଭବ’ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥାଏ, ଫୁଟିଥାଏ ଓ ଛୁଇଁଥାଏ। ଏହା ଆଧାରରେ ଉତ୍ପନ୍ନ ‘ଭାବ’ ଓ ‘ବୋଧ’ ‘ରଚନାତ୍ମକ’ ହେଲେ ଏହା ସମସ୍ତଙ୍କର ହୃଦୟକୁ ଆଲୋଡିତ କରିଥାଏ। ‘ନକାରାତ୍ମକ’ ହେଲେ ମଣିଷର ମନରେ ନାନା ବିକାର ସୃଷ୍ଟି କରିବା ସହିତ ସମାଜର ହାନି ବି କରିଥାଏ। ଏହାକୁ ବିଶ୍ଳେଷଣ କରି ଦେଖିଲେ ଆମେ ସାହିତ୍ୟର ଅସଲ ମର୍ମ, ଉଦ୍ଦେଶ୍ୟ, ଦିଗ ଓ ପ୍ରଭାବକୁ ଆବିଷ୍କାର କରିବା।

    ସାଧାରଣତଃ ମୁଁ ସାହିତ୍ୟ ଚର୍ଚ୍ଚାରେ ଭାଗ ନିଏ ନାହିଁ। କିନ୍ତୁ ପ୍ରିୟ ଜିତୁ ଭାଇଙ୍କର ପ୍ରତିଫଳନଟି ମତେ ଆକର୍ଷିତ କଲା ଓ ମୋ ବୁଝାମଣାକୁ ବାଢ଼ିବାକୁ ବଳ ଦେଲା। ଏଥିପାଇଁ ମୁଁ ଜିତୁ ଭାଇଙ୍କୁ ଓ ନିହାର ଭାଇଙ୍କୁ ବି ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି।

    ଆଶା, ମୋର ପ୍ରତିଫଳନକୁ ଏକ କୁନି ବିନ୍ଦୁ ରୂପେ ଦେଖାଯିବ।

Leave a Reply

Your email address will not be published. Required fields are marked *