ଅସଲ କବିଟିକୁ ଶାନ୍ତିରେ ରହିବାକୁ ଦିଅନ୍ତୁ, ପ୍ଲିଜ୍ !

କବିର ଅବଦାନ କ’ଣ? ଏହାର ଉତ୍ତର ବିଭିନ୍ନ ବ୍ୟକ୍ତି ପାଇଁ ଅଲଗା ଅଲଗା ହେବା ସମ୍ଭବ। ଏହି ଲେଖକ ପଦାର୍ଥ ବିଜ୍ଞାନର ଜଣେ ଛାତ୍ର। ଏଣୁ ତା’ ମନକୁ ଜଣେ ପଦାର୍ଥବିଜ୍ଞାନୀ ଛୁଇଁଛନ୍ତି ଏହାର ଉତ୍ତର ସକାଶେ। ପଲ୍ ଡିରାକ୍ ପଦାର୍ଥବିଜ୍ଞାନରେ ନୋବେଲ ପୁରସ୍କାର ପାଇଛନ୍ତି। ସେ ଥରେ ଶୁଣିଲେ ଯେ, ତାଙ୍କ ସାଙ୍ଗ ଓପନହାମାର୍ କବିତା ରଚନା କରୁଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ଜନ୍ମିତ ଓପନହାମାର୍ ଜଣେ ସୁପ୍ରତିଷ୍ଠିତ ଫିଜିସିଷ୍ଟ, ଯିଏ ମାନହଟନ ପ୍ରୋଜେକ୍ଟରେ ପ୍ରଥମ ଆଣବିକ ବୋମା ପ୍ରସ୍ତୁତ କରିବା କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ। ଡିରାକ୍ ତାଙ୍କୁ ଆଶ୍ଚର୍ଯ୍ୟର ସହ ପଚାରିଲେ, ତୁମେ କ’ଣ କବିତା ଲେଖୁଛ? ତମେ ତ ଜଣେ ପଦାର୍ଥବିଜ୍ଞାନୀ। ଅଜଣା ବିଷୟର ରହସ୍ୟ ଭେଦକରି ତାକୁ ସରଳ ଭାଷାରେ ଲୋକଙ୍କୁ ବୁଝାଇବା ହେଉଛି ପଦାର୍ଥବିଜ୍ଞାନର ଲକ୍ଷ୍ୟ। କିନ୍ତୁ କବି ଓଲଟା କାମ କରେ। ଯାହା ସହଜେ ବୋଧଗମ୍ୟ, ତାକୁ ଜଟିଳ କରିଦିଏ, ଯାହା କେହି ବୁଝିପାରିବେ ନାହିଁ। ଏମିତି ସ୍ୱଭାବ ବିରୁଦ୍ଧ କାର୍ଯ୍ୟରେ ଫସିଲ କାହିଁକି?
ଏହାର ତର୍ଜମା ଆବଶ୍ୟକ। କବିତାର ଉପାଦାନ କ’ଣ ହୋଇଥାଏ?
ଅଷ୍ଟମ ଚଉଷଠି ଯୋଗିନୀ ସମ୍ମାନରେ ସମ୍ମାନିତ କରିବା ସକାଶେ କବି ବାଦଲ ମହାନ୍ତିଙ୍କୁ ମନୋନୀତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ଉତ୍ସବ ଉପରାନ୍ତେ ବାଦଲ ମହାନ୍ତି ସେଠାରେ ଉପସ୍ଥିତ ବରିଷ୍ଠ କବି ସୈରୀନ୍ଦ୍ର ବାରିକଙ୍କ ସହ ବାର୍ତ୍ତାଳାପ କରିଥିଲେ। ସେତେବେଳେ ସୈରୀନ୍ଦ୍ର କହିଥିଲେ, ‘ବୁଝିଲ ବାଦଲ! କବିତା ଯେତେବେଳେ ଏକଦମ୍ ସିଧାସିଧା ହୋଇଯାଏ ଅର୍ଥାତ ସେଥିରେ ବିମ୍ବ, ଚିତ୍ରକଳ୍ପ, ସୌନ୍ଦର୍ଯ୍ୟବୋଧ ଇତ୍ୟାଦି କବିତା ଉପଯୋଗୀ ବିଭବ ନ ରହେ, ତେବେ ତାହା ରିପୋର୍ଟ ବା ସମ୍ବାଦ ହୋଇଯାଏ। ସେଇମିତି ମାତ୍ରାଧିକ ବିମ୍ବ ଓ ଚିତ୍ରକଳ୍ପର ପ୍ରୟୋଗ, କଠିନ ଶବ୍ଦର ଆଡ଼ମ୍ବର କବିତାକୁ କ୍ଲିଷ୍ଟ କରିଦିଏ।’ (ସାମାଜିକ ଗଣମାଧ୍ୟମ, ୭ ଜୁଲାଇ ୨୦୨୫)

କବିତାରେ ସୌନ୍ଦର୍ଯ୍ୟବୋଧ
ଏଥିରୁ ପ୍ରତୀତ ହୁଏ ଯେ, କବିତାରେ ସୌନ୍ଦର୍ଯ୍ୟବୋଧ ରହିଲେ ଏହା ଗରିମାମୟ ହୋଇଥାଏ। ତେବେ ସୌନ୍ଦର୍ଯ୍ୟକୁ ଚିହ୍ନିବା କିପରି? ପୁଣି ଡିରାକ୍ ଓ ପଦାର୍ଥବିଜ୍ଞାନରେ ଅନ୍ୟତମ ନୋବେଲ ବିଜେତା ଆଇଜେନବର୍ଗଙ୍କୁ ନେଇ ଘଟିଥିବା ଗୋଟିଏ ଘଟଣା ଏହି ପ୍ରସଙ୍ଗରେ ଅବତାରଣା କରାଯାଇପାରେ। ଏଇ ଦୁଇଜଣ ଥିଲେ ଘନିଷ୍ଠ ସାଙ୍ଗ। ସେମାନେ ଜାପାନରେ ଗୋଟିଏ ସମ୍ପାନରେ ଯୋଗ ଦେବାକୁ ଜାହାଜ ଯାତ୍ରା କରୁଥିଲେ। ଉଭୟେ ପଦାର୍ଥବିଜ୍ଞାନର ଗୋଟିଏ ପ୍ରସଙ୍ଗ ଉପରେ ଆଲୋଚନା କରୁଥିଲେ। ସେତେବେଳେ କେତେଜଣ ଫ୍ଲାପର ଗାର୍ଲ ସେମାନଙ୍କ ସାମନାକୁ ଆସିଗଲେ। ଏହି ତରୁଣୀମାନେ କ୍ଷୁଦ୍ର ପୋଷାକ ପରିଧାନ କରିଥାନ୍ତି। ସେମାନେ ଯାତ୍ରୀଙ୍କ ମନୋରଞ୍ଜନ କରିବା ସକାଶେ ଅଶାଳୀନ ଢଙ୍ଗରେ ନୃତ୍ୟ କରିଥାନ୍ତି। ଆଇଜେନବର୍ଗ ସେମାନଙ୍କୁ ଦେଖିବାମାତ୍ରେ ସମ୍ଭାଳି ପାରିଲେ ନାହିଁ। ପାଠରୁ ନଜର ହଟାଇ ସେମାନଙ୍କ ସହ ନାଚ କଲେ। ଏହା ଡିରାକଙ୍କୁ ଆଚମ୍ବିତ କଲା। ନାଚ ସାରି ଯେତେବେଳେ ଆଇଜେନବର୍ଗ ବନ୍ଧୁଙ୍କ ପାଖକୁ ଆସିଲେ, ସେ କୌତୁହଳବଶତଃ ପଚାରିଲେ, ‘ତୁମେ କାହିଁକି ନାଚକଲ?’ ଏହାର ଉତ୍ତର ଭାବେ ଆଇଜେନବର୍ଗ ଜଣାଇଲେ, ‘ସୁନ୍ଦରୀମାନଙ୍କୁ ଦେଖିଲେ, ମୁଁ ନାଚ କରିବାକୁ ଆଗଭର ହୋଇଯାଏ।’
ଆଚ୍ଛା! ତୁମେ ପ୍ରଥମେ କେମିତି ଜାଣିପାରୁଛ ଯେ, ଜଣେ ଯୁବତୀ ସୁନ୍ଦରୀ? ….ତା’ପରେ ତ ନାଚିବ। ସୌନ୍ଦର୍ଯ୍ୟ ହିସାବ କରିବାକୁ ତୁମ ପାଖରେ କ’ଣ ଫର୍ମୁଲା ଅଛି କି?
ଆଇଜେନବର୍ଗ ଚୁପ୍ ରହିଲେ। ବାସ୍ତବିକ ସୌନ୍ଦର୍ଯ୍ୟ ପରି ଗୁଣବାଚକ ବିଶେଷ୍ୟର ନିର୍ଦ୍ଦିଷ୍ଟ ବିନିଷ୍ଟତା ନଥାଏ। ଏତାଦୃଶ ଉପାଦାନକୁ ଆଧାରକରି ରଚାଯାଇଥିବା କବିତା ଯେ ସର୍ବଜନ ଆଦୃତି ବା ସ୍ୱୀକୃତି ପାଇବ, ଏହା ସମ୍ଭବ ନୁହେଁ। କାହା ପାଇଁ ଏହା ଭଲ ହେବାବେଳେ ଅନ୍ୟ ଜଣକ ସକାଶେ ଭେଲ। କିନ୍ତୁ ସୈରୀନ୍ଦ୍ରଙ୍କ ମତାନୁସାରେ ଏହା ଅତ୍ୟାବଶ୍ୟକ। କେବଳ ଗୁଣ ଦୃଷ୍ଟିରୁ ଅନ୍ୟ କାରଣରୁ ମଧ୍ୟ ଏହାର ମୂଲ୍ୟ ଶିଖରରୁ ରସାତଳକୁ ଖସି ଯାଇପାରେ। ବାଦଲ ମହାନ୍ତି ତାଙ୍କ ପୋଷ୍ଟରେ ଜଣେ ଯଶସ୍ୱୀ କବି ରାଜେନ୍ଦ୍ର ପଣ୍ଡାଙ୍କ ମତ ଉଦ୍ଧାର କରିଛନ୍ତି। ନିକଟ ଅତୀତରେ ଦୀନା ମାଝୀ ଏକ ଆଲୋଡ଼ନକାରୀ ସମ୍ବାଦ ହୋଇଥିଲେ। ଦୀନା ମାଝି ମୃତ ପତ୍ନୀର ଶବକୁ କାନ୍ଧରେ ବୋହି ଏକୁଟିଆ ମଶାଣିକୁ ନେଇଥିଲା ଶବଦାହ କରିବାକୁ। ଏତାଦୃଶ ଏକ ଅମାନବିକ ଘଟଣା ଅନେକଙ୍କୁ ବିଚଳିତ କରିଥିଲା। କବି କୁଳର କୋମଳ ହୃଦୟ ଏଥିରେ ବ୍ୟଥିତ ହେବା ସ୍ୱାଭାବିକ। ଅସଂଖ୍ୟ କବିତା ଏହାକୁ କେନ୍ଦ୍ରକରି ଲେଖାଗଲା। ଏପରିକି ଗୋଟିଏ ସଂକଳନ ପାଇଁ ଯଥେଷ୍ଟ ପାଠ ଯୋଗାଇଲା। ବର୍ଷକ ପରେ ନାଟକୀୟ ପରିବର୍ତ୍ତନ ଘଟିଲା। ଦୀନା ମାଝୀ ଦ୍ୱିତୀୟ ବିବାହ କଲା। ଏହି ପରିପ୍ରେକ୍ଷୀରେ ରାଜେନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା ଥିଲା, ‘ଶହ ଶହ କବିତା ନିଜର ଅର୍ଥ ଓ ଉଦ୍ଦେଶ୍ୟରୁ ବିଚ୍ୟୁତ ହୋଇ ମରି ହଜିଗଲେ।’ ତେଣୁ ସେ ଯଥାର୍ଥରେ ମତ ଦେଇଥିଲେ, ‘ତତ୍କାଳିକ ଉତ୍ତେଜନାରେ କୌଣସି ସୃଜନ କର୍ମ ସମ୍ଭବ ନୁହେଁ, କବିତା ତ ଆଦୌ ନୁହେଁ।’
କବିତାର ଗୁଣାବଳୀ
କବିତାର ଗୁଣାବଳୀ ସଂପର୍କରେ ବିଚାର କରିବା ବେଳେ ବିଭିନ୍ନ ପ୍ରସଙ୍ଗ ମାଡ଼ିଆସେ। ଏହା ବୟୋଜ୍ୟେଷ୍ଠ ଜନପ୍ରିୟ କବି ସୌଭାଗ୍ୟ ମିଶ୍ରଙ୍କ ବକ୍ତବ୍ୟରେ ସ୍ପଷ୍ଟ ବାରିହୁଏ, “ଯଦି କବିତା ଭିନ୍ନ ଆପଣଙ୍କୁ ଆଉ କିଛି ଭଲ ଲାଗୁଛି ଯଥା ରାଜନୀତି, ଖେଳ, କୌତୁକ, ବିଜ୍ଞାନ, ଗଣିତ, ବେପାର ବଣିଜ କି ଆଉକିଛି, ସେଇଟା କରନ୍ତୁ ନା! କବିତା କେବେ ବି ସାଇଡ଼ ଆଇଟମ ନୁହେଁ। ପ୍ରଚୁର ସାଧନା ଲୋଡ଼େ କବିତା ଲେଖା। ନିଜକୁ ଥରେ ପଚାରନ୍ତୁ, ଭିତର ଘରୁ ଯଦି ଉତ୍ତର ଫେରୁନି ତେବେ କବିତା ଲେଖନ୍ତୁ ନାହିଁ। କେବଳ ସମୟ ବର୍ବାଦ ହେବ। କାରଣ ଏହା ଏକ ସୂକ୍ଷ୍ମାତିସୂକ୍ଷ୍ମ ପ୍ରକ୍ରିୟା। ସ୍ଥୂଳ ଜଗତ ସହ ଏହାର ଏତେ ଭାବ ନାବ ନାହିଁ। ସେଲିବ୍ରିଟି ହେବା ପାଇଁ ଅନ୍ୟ ବହୁତ ରାସ୍ତା ଅଛି। ରାତାରାତି ହାସଲ କରିହେବ। କବିଟିଏ ସେଲିବ୍ରିଟି ନୁହେଁ। କିଏ ଆପଣଙ୍କ ମନରେ ଭୁଲ୍ ଧାରଣାଟିଏ ଭର୍ତ୍ତି କରିଦେଇଛି। କ୍ଷାନ୍ତ ରୁହନ୍ତୁ ଓ ଅସଲ କବିଟିକୁ ଶାନ୍ତିରେ ରହିବାକୁ ଦିଅନ୍ତୁ, ପ୍ଲିଜ୍।”
ସମୟେ ସମୟେ କବିଙ୍କ ବାସ୍ତବ ଜୀବନ ଜାଣିବାକୁ ଆଗ୍ରହ ଜନ୍ମେ। ଏହି ପୃଷ୍ଠଭୂମିରେ ଅଷ୍ଟାଦଶ ଶତାବ୍ଦୀର ବିଖ୍ୟାତ ପାର୍ସିଆନ ଓ ଊର୍ଦ୍ଦୁ କବି ମୀର୍ଜା ଗାଲିବଙ୍କ ପ୍ରତି ଦୃଷ୍ଟି ଦିଆଯାଇପାରେ। ବାଲ୍ୟକାଳରୁ ସେ କବିତା ରଚନା କରୁଥିବାରୁ ଏହା ତାଙ୍କ ସହଜାତ ସାହିତ୍ୟିକ ପ୍ରତିଭା ବୋଲି ସୂଚନା ମିଳିଥିଲା। ଗଜଲ, ଶାୟର ଓ ନଜମ ତାଙ୍କଠାରୁ ଶୁଣିବା ପାଇଁ ଶ୍ରୋତାମାନଙ୍କ ମନରେ ପ୍ରବଳ ଆଗ୍ରହ ଥାଏ। କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ଅଭାବ ଓ ଦାରିଦ୍ର୍ୟରେ କଟିଥିଲା। ସେ ମୋଗଲ ସମ୍ରାଟ ବାହାଦୁର ଶାହାଙ୍କ ସହ ସଂପର୍କ ରଖିଥିବାରୁ ତତ୍କାଳୀନ ବ୍ରିଟିଶ ସରକାର ତାଙ୍କ ପେନ୍ସନ୍ ବନ୍ଦ କରିଦେଲେ। ବିଭିନ୍ନ ବ୍ୟକ୍ତିଙ୍କଠାରୁ ଋଣ ଆଣି ନିଜ ଖର୍ଚ୍ଚ ତୁଲାଉଥିଲେ। ଏହା ଶୁଝିବା ପାଇଁ ତାଙ୍କ ସାମର୍ଥ୍ୟ ନଥିବାରୁ ସମାଜରେ ନିନ୍ଦିତ ହେଉଥିଲେ। ତାଙ୍କର ଗୋଟିଏ ବଦ୍ଗୁଣ ଥିଲା ସୁସ୍ୱାଦୁ ଖାଦ୍ୟ, ପାନୀୟ ତଥା ଜୁଆଖେଳ ପ୍ରତି ଅତ୍ୟଧିକ ଆସକ୍ତି। ପାଠକ ଓ ଶ୍ରୋତାଙ୍କଠାରୁ ଯେଉଁ ଅର୍ଥ ପାଉଥିଲେ, ତାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ। ପେନ୍ସନ୍ ପୁଣି ପାଇବାକୁ ଗଭର୍ଣ୍ଣର ଜେନେରାଲଙ୍କଠାରେ ଆବେଦନ କରିବାକୁ ସେ ସ୍ଥିର କଲେ। ଏତଦ୍ବ୍ୟତୀତ କଲିକତାରେ ତାଙ୍କର କିଛି ପୈତୃକ ସଂପତ୍ତି ଅଛି ବୋଲି ଶୁଣିବାକୁ ପାଇଲେ। କଲିକତାରେ ଗଭର୍ଣ୍ଣର ଜେନେରାଲ ରହୁଥିବାରୁ ସେ ଦିଲ୍ଲୀରୁ କଲିକତା ଯାତ୍ରାକଲେ। କିନ୍ତୁ ଏଥିପାଇଁ ତାଙ୍କୁ ବର୍ଷେ ଲାଗିଲା। କାରଣ ରାସ୍ତାରେ ଯିଏ ତାଙ୍କ କବିତା ଶୁଣିବାକୁ ଚାହିଁଲା, ସେ ତାକୁ ଆନନ୍ଦାତିଶଯ୍ୟରେ ଶୁଣାଇଲେ। ଆର୍ଥିକ ଦୁର୍ଗତି କବିଙ୍କ ନିକଟରେ ଗୌଣ ହୋଇଗଲା। ଏହି ପ୍ରକାରେ ସାଂସାରିକ ଜଞ୍ଜାଳ ଓ ବସ୍ତୁବାଦୀ ବିଚାର କବିମାନଙ୍କ ନିକଟରେ ତୁଚ୍ଛ ହୋଇଯାଏ।
କବିତାର ଗୁଣ ସଂପର୍କରେ ବିଜ୍ଞାନୀ ଓ ସାହିତ୍ୟିକଙ୍କ ଆଭିମୁଖ୍ୟର ଥିବା ପ୍ରଭେଦ ଜଳ ଜଳ ଦିଶେ। ଏ ଲେଖକ ପଦାର୍ଥବିଜ୍ଞାନର ଜଣେ ଛାତ୍ର। ଏମିତି ଜଣେ ବ୍ୟକ୍ତି ଆପଣମାନଙ୍କ ଗହଣରେ ଆକସ୍ମିକ ଭାବେ ଆବିର୍ଭାବ ହୋଇଛି, ହଂସପଲ ମଧ୍ୟରେ ବଗର ପ୍ରବେଶ ସଦୃଶ। ବଗ ଯେତେ ଚେଷ୍ଟାକଲେ ମଧ୍ୟ ହଂସ ନ ହୋଇପାରେ। ମୀନ ଶିକାର ପାଇଁ ସେ ଥଣ୍ଟ ଯଥାସାଧ୍ୟ ଲମ୍ବା ହେବାକୁ ବରପ୍ରାପ୍ତ ହୋଇଥିବାରୁ ତାକୁ ଛୋଟକରି ହଂସର ମୁହଁ ଆପଣେଇ ପାରିବ ନାହିଁ।

କଳ୍ପନା ବିଳାସୀ?
ପ୍ରଶ୍ନ ଉଠିପାରେ କ’ଣ କବିମାନେ କେବଳ କଳ୍ପନା ବିଳାସୀ? ସେମାନେ କ’ଣ ବିଚାରବୁଦ୍ଧି ସମ୍ପନ୍ନ, ସୁସଙ୍ଗତ ଏବଂ ଯୁକ୍ତିଯୁକ୍ତ ନୁହନ୍ତି? ଏମିତି ଏକାଧିକ ଦୃଷ୍ଟାନ୍ତ ରହିଛି। ଯାହା ଦର୍ଶାଏ ଯେ, ଜଣେ କବି ପାଖରେ ଭାବପ୍ରବଣତା ସହ ବୈଜ୍ଞାନିକ ଚିନ୍ତାଧାରା ସହାବସ୍ଥାନ କରିପାରେ। ଅବଶ୍ୟ ଗାଳ୍ପିକ କେବଳ ଶାସ୍ତ୍ରୀୟ ଊର୍ଦ୍ଦୁ, ପାର୍ସିଆନ କବିତା ମଧ୍ୟରେ ଆବଦ୍ଧ। କିନ୍ତୁ ପାର୍ସିଆର ବହୁଶାସ୍ତ୍ରଜ୍ଞ ଓମାର ଖାୟାମ (୧୦୪୮-୧୧୩୧, ଜନ୍ମସ୍ଥାନ: ନିଶାପୁର, ଖୋରାସନ) କେବଳ ଗଣିତଜ୍ଞ, ଜ୍ୟୋତିର୍ବିଜ୍ଞାନୀ ନଥିଲେ, ସେ ଦାର୍ଶନିକ ଓ କବି ହିସାବରେ କୃତବିଦ୍ୟ, ବୀଜଗଣିତର କ୍ୟୁବିକ ସମୀକରଣ ପାଇଁ ତାଙ୍କ ଅବପନ ଗୁରୁତ୍ୱପୂର୍ଣ୍ଣ। ଏଥିସହ ସେ କ୍ୟାଲେଣ୍ଡରରେ ସଂସ୍କରଣ ଆଣି ନିର୍ଭୁଲ ଦଲାଲି କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ। ତେବେ ବୈଜ୍ଞାନିକ ଓ ଗାଣିତିକ କ୍ଷେତ୍ରରୁ ବାହାରି ସେ ପ୍ରସିଦ୍ଧ ଚଉପଦୀ (ଚାରିଧାଡ଼ି ବିଶିଷ୍ଟ କବିତା ବା କ୍ୱାଣ୍ଟେନ) ସଂକଳନ ରୁବାୟତର ସ୍ରଷ୍ଟା ହୋଇଥିଲେ। ଏହି ପ୍ରକାରର ରଚନାର ବୈଶିଷ୍ଟ୍ୟ ହେଉଛି ସୁଗମ ପ୍ରବାହ, ପ୍ରୀତିପଦ ତାଳ ଏଥିରେ ସନ୍ନିବେଶିତ ହୋଇଥିବା ସୁସ୍ପଷ୍ଟତା, ଏହାର ଆଙ୍ଗିକ ସଂହତି ଓ ପାଠକଙ୍କ ଉପରେ ପ୍ରଭାବ। ବୈଜ୍ଞାନିକ ମାନେ ମଧ୍ୟ ନିଜ ନିବନ୍ଧରେ ଏହି ଗୁଣଗୁଡ଼ିକ ମଧ୍ୟରୁ କେତେକଙ୍କୁ ପ୍ରାଥମିକତା ଦେଇଥାନ୍ତି। ଏହାର ସର୍ବଶ୍ରେଷ୍ଠ ଉଦାହରଣ ହେଉଛନ୍ତି ପଦାର୍ଥ ବିଜ୍ଞାନୀ ପଲ୍ ଡିରାକ।
ବ୍ୟକ୍ତିଗତ ସ୍ତରରେ ଜଣେ ନିରୋଳା କବି ଓ ବିଜ୍ଞାନୀ ମଧ୍ୟରେ ସମ୍ପର୍କ କେତେଦୂର ପରସ୍ପର ପରିପୂରକ ଓ ଆନନ୍ଦପ୍ରଦ ହୋଇ ପାରିବ? ଏହି ପ୍ରସଙ୍ଗଟି ତର୍ଜମା କରିବାବେଳେ ଆମକୁ କିଛି ବାସ୍ତବ ଘଟଣା ବିଚାରକୁ ନେବା ସମୀଚୀନ ହୋଇପାରେ।
ଏହି ପରିପ୍ରେକ୍ଷୀରେ ମନେପଡ଼ନ୍ତି ଆମ ସାହିତ୍ୟର ଯଶସ୍ୱୀ କବି ଆଶୁତୋଷ ପରିଡ଼ା (୧୯୪୬)। ଏହି ମାନବବାଦୀ ସ୍ରଷ୍ଟା ଜଣକ ଯୁଗ ମାନବର ଯନ୍ତ୍ରଣାବୋଧକୁ ରୂପକ ଓ ଚିତ୍ରକଳ୍ପର ପ୍ରୟୋଗ ଦ୍ୱାରା ରଚନା କରିଥିବା ବିଷୟ ସମୀକ୍ଷକମାନଙ୍କ ମତ। ‘ଈପ୍ସିତ କ୍ରୋଧ’ ପାଇଁ ୧୯୯୦ ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଓ ‘ଅପ୍ରସ୍ତୁତ ମୃତ୍ୟୁ’ କବିତା ସଂକଳନ ପାଇଁ ୨୦୨୩ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଆଶୁତୋଷ ଇଂଜିନିୟରିଂ ପରେ ଡକ୍ଟରେଟ ଉପାଧି ପାଇଛନ୍ତି। ଏକଦା ଗୋଟିଏ ସାକ୍ଷାତକାର ବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା, ‘ଆପଣ ବିଜ୍ଞାନର ଛାତ୍ର, ପୁଣି ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି। କବିତା ଲେଖିବା ବେଳେ ଆପଣ କ’ଣ ଦ୍ୱନ୍ଦ୍ବର ଶିକାର ହେଉ ନାହାନ୍ତି? ନା, ବୃତ୍ତିଗତ ଜୀବନ ଆପଣଙ୍କୁ ସାହାଯ୍ୟ କରିଥାଏ?’
ଏହାର ଉତ୍ତର ଥିଲା, ‘ମୋର ବୃତ୍ତିଗତ ଜୀବନ ମୋ କବିତା ଲେଖାରେ ମୋତେ ସାହାଯ୍ୟ ନକଲେ ବି କେବେ ପ୍ରତିବନ୍ଧକ ହୋଇନାହିଁ। ବିଜ୍ଞାନ ଓ କବିତା ମଧ୍ୟରେ ନିଶ୍ଚୟ ପାର୍ଥକ୍ୟ ରହିଛି। କିନ୍ତୁ ସେମାନଙ୍କ ମଧ୍ୟରେ ଗୋଟିଏ ଯୋଗସୂତ୍ର ବି ଅଛି। ତାହା ହେଉଛି ମାନବିକ ଜିଜ୍ଞାସା। ତେଣୁ କବିତା ରଚନା ବେଳେ ବିଜ୍ଞାନ କେବେ ମୋତେ ଦ୍ୱନ୍ଦ୍ୱରେ ପକାଇନାହିଁ। କବିତା ଭିତରେ ଯେଉଁ ଦ୍ୱନ୍ଦ୍ୱ ଅଛି ତା’ର ଚରିତ୍ର ଭିନ୍ନ ପ୍ରକାରର। ତାହା ହେଉଛି ଆତ୍ମିକ ଓ ଅଭିବ୍ୟକ୍ତି ଦ୍ୱନ୍ଦ୍ୱ।’
ବିଜ୍ଞାନ ଯୁଗରେ ଅନେକ ଆଶୁତୋଷ ପରିଡ଼ା ଭୂମିଷ୍ଠ ହୁଅନ୍ତୁ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ସାମ୍ପ୍ରତିକ କବିତାର ବିଭିନ୍ନ ଦିଗ ଉପରେ ଯଥୋଚିତ ଆଲୋଚନା କରାଯାଇଛି। କବିଟିଏ କିପରି ହେବା ଆବଶ୍ୟକ ମଧ୍ୟ ବିଚାର କରାଯାଇଛି। ପ୍ରବନ୍ଧଟି ଭଲ ଲାଗିଲା।
ଉଚ୍ଚମାନର ପ୍ରବନ୍ଧଟିଏ।