ଆଉ କେତେଦିନ

ଏହି ନଅ ଜଣଙ୍କ ଭିତରୁ ସାତଜଣ ଆରପାରିକୁ ଚାଲିଗଲେଣି – ପ୍ରାୟ ସମସ୍ତେ ଅପରିପକ୍ୱ ବୟସରେ। ଯେଉଁ ଦୁଇଜଣ ବଞ୍ଚିରହିଛୁ, ତା’ ଭିତରୁ ମୁଁ ଜଣେ।

ସତ୍ୟ ମିଶ୍ର

ଏହି ଲେଖା ପଢ଼ୁଥିବା ପାଠକମାନଙ୍କୁ ଅନୁରୋଧ, ପ୍ରଥମେ ଏହାସହିତ ସଂଲଗ୍ନ ଫଟୋଟିକୁ ଦେଖନ୍ତୁ। ପୁରୁଣା କଳାଧଳା ଚିତ୍ରରେ ନ’ଜଣ ମଣିଷ। ସାହିତ୍ୟ ଅନୁରାଗୀ ପାଠକମାନେ ଅନେକ ମୁହଁ ଚିହ୍ନିପାରିଥିବେ। ଫଟୋରେ ଚିହ୍ନି ନ ପାରିଲେ ସୁଦ୍ଧା ବ୍ୟକ୍ତିଗତ ମାଧ୍ୟମରେ କିମ୍ବା ସେମାନଙ୍କ ଲେଖା ମାଧ୍ୟମରେ ପରିଚିତ ଥିବେ ବୋଲି ମୋର ବିଶ୍ୱାସ। ଏମାନଙ୍କର ପରିଚୟ ଦେବା ଆଗରୁ ପ୍ରଥମେ ଏ ଚିତ୍ରର ପୂର୍ବାପର ସଂଗତି ବିଷୟରେ କିଛି ସୂଚନା ଦେବା ଉଚିତ ହେବ।

(ଆଗ ଧାଡ଼ି; ବାମରୁ: ଶୁଭେନ୍ଦୁ ମୁଣ୍ଡ, ରବୀନ୍ଦ୍ରନାଥ ପୁହାଣ, ସତ୍ୟ ମିଶ୍ର, କନ୍‌ହେଇଲାଲ ଦାସ, ଅଶୋକ ଚନ୍ଦନ, ଦାଶରଥୀ ମୁଣ୍ଡ, ପୂର୍ଣ୍ଣାନନ୍ଦ ଦାନୀ, ବୀର କିଶୋର ପ୍ରଧାନ, ପଛରେ: ପ୍ରଫୁଲ୍ଲ କୁମାର ତ୍ରିପାଠୀ)

ଡିସେମ୍ବର ୧୯୭୨ରେ, ଅର୍ଥାତ୍ ପ୍ରାୟ ତେପନ ବର୍ଷ ତଳେ କୋରାପୁଟ ଜିଲ୍ଲାର ଜୟପୁର ସହରରେ ଓଡ଼ିଆ ଯୁବ ଲେଖକ ସମ୍ମେଳନର ବାର୍ଷିକ ଅଧିବେଶନ ଆୟୋଜିତ ହୋଇଥିଲା। ସେତେବେଳେ ମୁଁ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏମ.ଏ. (ଇଂରାଜୀ) ପଢ଼ୁଥିଲି। ମୋ’ ଜନ୍ମ ଓ ପ୍ରତିପାଳନ ଜୟପୁର ସହରରେ, କିନ୍ତୁ ସେଠାରେ ସ୍ନାତକ ଶିକ୍ଷାପରେ ସ୍ନାତକୋତ୍ତର ଶିକ୍ଷା ପାଇଁ ସମ୍ବଲପୁର ଆସିଥିଲି। ଗୋଟିଏ ବର୍ଷ ପୂର୍ବରୁ ମୋର ଲେଖକବନ୍ଧୁ ଶୁଭେନ୍ଦୁ ମୁଣ୍ଡ ମଧ୍ୟ ଜୟପୁରରୁ ଆସି ସମ୍ବଲପୁରରେ ଇଂରାଜୀରେ ଏମ.ଏ. ପଢ଼ୁଥିଲେ। ମୁଁ ଆସିବା ବେଳେ ସମ୍ବଲପୁର ମୋ’ ପାଇଁ ଏକ ଅପରିଚିତ ସହର ଥିଲା। କେବଳ ଶୁଭେନ୍ଦୁ ସହିତ ଆଗରୁ ପରିଚୟ ଓ ବନ୍ଧୁତା ଥିଲା। ସମ୍ବଲପୁରର ସମଲେଇ ମନ୍ଦିର ପାଖରେ ବଡ଼ବଜାରରେ ଥିବା ଏକ ଅସ୍ଥାୟୀ ଛାତ୍ରାବାସରେ ଆମମାନଙ୍କୁ ରଖାଯାଇଥିଲା। ସେତେବେଳେ ସେହି ଛାତ୍ରାବାସରେ ରହୁଥିବା କେତେଜଣ ସାହିତ୍ୟାନୁରାଗୀ ଛାତ୍ର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟରେ ଗୌରବମୟ ସ୍ଥାନ ହାସଲ କରିଥିଲେ। ଶୁଭେନ୍ଦୁ ମୁଣ୍ଡ, ବିଭୂତି ପଣ୍ଡା, ରବି ଶଙ୍କର ମିଶ୍ର, କୁମୁଦ ରଞ୍ଜନ ପାଣିଗ୍ରାହୀ, ଦାଶରଥୀ ମୁଣ୍ଡ ଓ ବୀର କିଶୋର ପ୍ରଧାନଙ୍କୁ ନେଇ ଆମର ଛାତ୍ର-ଲେଖକ ଗୋଷ୍ଠୀ ଗଢ଼ିଉଠିଲା। ଆମ ହଷ୍ଟେଲରେ ସାମୟିକ ସାହିତ୍ୟ ଆଲୋଚନା ସହିତ ଅଣ-ସାହିତ୍ୟିକ ଗସିପ୍‌, ଖଟି, ରସାଳ, ଚୁଗୁଲିର ମୁକ୍ତ-ବିନିମୟ ସହିତ ମୁଢ଼ି, ଚିନାବାଦାମର ଆସର ଏବଂ ଅନ୍ୟ କେତେକ ଛାତ୍ର-ସୁଲଭ ଭଲମନ୍ଦ କାର୍ଯ୍ୟକଳାପ ନିୟମିତ ଚାଲିଥିଲା।
ଆମର ସାହିତ୍ୟ ଖଟି
ସମ୍ବଲପୁର ସହରର ସାହିତ୍ୟ ପରିବେଷ୍ଟନୀ ଭିତରେ ଆମେ କନିଷ୍ଠ ସାହିତ୍ୟପ୍ରେମୀମାନେ ସ୍ୱଚ୍ଛନ୍ଦରେ ପ୍ରବେଶକରି କେତେକ ସଭାସମିତିରେ ମଧ୍ୟ ଯୋଗଦେଲୁ। ଏହି ଅନୁକ୍ରମରେ ସତ୍ୟନାରାୟଣ ବହିଦାର ଏବଂ ଶ୍ରଦ୍ଧାକର ସୂପକାରଙ୍କ ପରି ବୟୋଜ୍ୟେଷ୍ଠ ଲେଖକମାନଙ୍କର ସାନ୍ନିଧ୍ୟ ତ ମିଳିଲା; ତା’ଛଡ଼ା ଅନେକ ସମଭାବାପନ୍ନ ଯୁବଲେଖକଙ୍କ ସହିତ ପରିଚୟ ହେଲା ଓ ସମୟକ୍ରମେ ଘନିଷ୍ଠତା ଜମିଆସିଲା। ସେମାନଙ୍କ ଭିତରେ ଥିଲେ, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ପୂର୍ଣ୍ଣାନନ୍ଦ ଦାନୀ, ରବୀନ୍ଦ୍ରନାଥ ପୁହାଣ, ଅଭୟ କୁମାର ପାଢ଼ୀ, ଅଶୋକ ଚନ୍ଦନ, ହୁସେନ ରବି ଗାନ୍ଧୀ, ଅଶ୍ୱିନୀ କୁମାର ମିଶ୍ର, ଗିରି ଦଣ୍ଡସେନା, ମନୀନ୍ଦ୍ର ମହାନ୍ତି ଓ ଆହୁରି ଅନେକ। ସେମାନଙ୍କ ମଧ୍ୟରୁ କେତେଜଣ ଆମ ହଷ୍ଟେଲକୁ ବେଳେବେଳେ ଆସି ଗପସପ କରୁଥିଲେ। ୧୯୭୨-୭୩ରେ ଆମ ହଷ୍ଟେଲ୍ ସମ୍ବଲପୁରରୁ ଉଠିଯାଇ ବିଶ୍ୱବିଦ୍ୟାଳୟର ସଦ୍ୟ ନିର୍ମିତ କ୍ୟାମ୍ପସ (ବୁର୍ଲା ପାଖରେ)କୁ ଚାଲିଗଲା। ପରବର୍ତ୍ତୀ ସମୟରେ ସେହି କ୍ୟାମ୍ପସ ଜ୍ୟୋତିବିହାର ନାମରେ ନାମିତ ହେଲା। କ୍ୟାମ୍ପସ ଭିତରେ ଥିବା ଆମ ହଷ୍ଟେଲକୁ ସେହି ବନ୍ଧୁମାନଙ୍କ ଭିତରୁ କେତେଜଣ ବେଳେବେଳେ ଆସୁଥିଲେ ଓ ଆମର ସାହିତ୍ୟ-ଖଟି ବେଶ୍ ଜମୁଥିଲା। ବଲାଙ୍ଗୀରର ଅଧିବାସୀ ଅଶୋକ ଚନ୍ଦନ ଦିଲ୍ଲୀର ରାମଦାସ କଲେଜରେ ପଢ଼ୁଥିଲେ। ସେ ଦିଲ୍ଲୀରୁ ବଲାଙ୍ଗୀର କିମ୍ବା ବଲାଙ୍ଗୀରରୁ ଦିଲ୍ଲୀ ଯିବାବେଳେ ଆମକୁ ସମ୍ବଲପୁରରେ ତାଙ୍କ ଦର୍ଶନ ମିଳୁଥିଲା ଓ ଖୁବ୍ ଜମୁଥିଲା।
ଯୁବଲେଖକ ସମ୍ମେଳନ ଜୟପୁରରେ ହେଉଥିବା ଖବର ମିଳିବାମାତ୍ରେ ପ୍ରଥମେ ମୁଁ, ଶୁଭେନ୍ଦୁ ମୁଣ୍ଡ ଓ ଦାଶରଥୀ ମୁଣ୍ଡ ଉଲ୍ଲସିତ ହୋଇ ଜୟପୁର ଯିବା ପାଇଁ ସ୍ଥିରକଲୁ। ମୁଁ ତ ଥିଲି ଖାଣ୍ଟି ‘ଜୟପୁରିଆ’ – ପ୍ରତ୍ୟେକ ଛୁଟିରେ ଜୟପୁର ଯାଏ। ଶୁଭେନ୍ଦୁ ଓ ଦାଶରଥୀ ଉଭୟେ ଜୟପୁର କଲେଜରୁ ଉତ୍ପାଦିତ ଗ୍ରାଜୁଏଟ୍। ଆମ ତିନିଜଣଙ୍କ ଆଗ୍ରହ କ୍ରମଶଃ ସଂକ୍ରମିତ ହୋଇ ଅନ୍ୟମାନଙ୍କୁ ମଧ୍ୟ ଜୟପୁର ଯିବା ପାଇଁ ଅନୁପ୍ରେରିତ କଲା। ନିର୍ଦ୍ଧାରିତ ତାରିଖରେ ଆମେ ଆଠଜଣ ସମ୍ବଲପୁରରୁ ଟାଟା-ମାଡ୍ରାସ ଏକ୍ସପ୍ରେସ୍ (ବର୍ତ୍ତମାନ ଧାନବାଦ-ଏଲେପ୍ସି ଏକ୍ସପ୍ରେସ୍‌)ରେ ବାହାରିଲୁ। ଆଉଜଣେ ବନ୍ଧୁ ସମ୍ବଲପୁରରୁ ଆମ ସହିତ ଯୋଗ ଦେଇନଥିଲେ ସୁଦ୍ଧା ଜୟପୁରରେ ପହଞ୍ôଚବା ପରେ ଆମ ଗୋଷ୍ଠୀରେ ସାମିଲ ହୋଇଗଲେ। ସେ ଥିଲେ, ସେତେବେଳେ ଭୁବନେଶ୍ୱର ଏ.ଜି. ଅଫିସ୍‌ରେ ଚାକିରି କରୁଥିବା ଲେଖକବନ୍ଧୁ କହ୍ଲେଇଲାଲ ଦାସ। ଆମସହିତ ମୁକ୍ତ ଭାବ-ବିନିମୟ ହେଉଥିବାରୁ ସମ୍ମିଳନୀ ଭିତରେ ଆମର ଗୋଟିଏ ନ’ ଜଣିଆ ଦଳ ଅନୌପଚାରିକ ଭାବରେ ତିଆରି ହୋଇଗଲା। ଫଟୋରେ ସେହି ନଅଜଣ ହିଁ ପ୍ରକଟ।
ଭବ୍ୟ ଆୟୋଜନ
ଟ୍ରେନରେ ରାୟଗଡ଼ା ପର୍ଯ୍ୟନ୍ତ ଆସି ସେଠାରୁ ବସ୍ ଯୋଗେ ଜୟପୁର ଆସି ପହଞ୍ôଚବା ବେଳକୁ ରାତି ହୋଇଯାଇଥିଲା। ଯାତ୍ରା ପ୍ରାୟ ହସଖୁସିରେ କଟିଥିଲେ ସୁଦ୍ଧା ଶେଷ ଆଡ଼କୁ କଷ୍ଟପ୍ରଦ ଓ ବିରକ୍ତିକର ହୋଇଯାଇଥିଲା। କିନ୍ତୁ ଜୟପୁରରେ ପାଦ ଦେବା ପରେ ସବୁ କ୍ଲାନ୍ତି, ବିରକ୍ତି ଦୂର ହୋଇଗଲା। ଅଭ୍ୟର୍ଥନା କମିିଟିର ସୁନ୍ଦର ଆୟୋଜନ ଓ ଜୟପୁର ସହରର ପ୍ରାକୃତିକ ଆକର୍ଷଣ ଯୋଗୁଁ ତିନିଦିନର ସମ୍ମିଳନୀ ବେଶ୍ ହସଖୁସିରେ କଟିଲା। ରହଣି ଓ ସଭାର ଆୟୋଜନ ହୋଇଥିଲା ଶିକ୍ଷକ-ତାଲିମ ବିଦ୍ୟାଳୟର ପ୍ରଶସ୍ତ ପ୍ରାଙ୍ଗଣ ଏବଂ ଛାତ୍ରାବାସରେ। କେତେଜଣ ସମ୍ମାନିତ ଅତିଥି (ଯଥା: ବିନୋଦ ନାୟକ)ଙ୍କ ପାଇଁ ହୋଟେଲରେ ରହିବା ବ୍ୟବସ୍ଥା ହୋଇଥିଲା।
ସମ୍ମିଳନୀ ତ ଚାଲିଥିଲା, କିନ୍ତୁ ଜୟପୁର ଆସି ଜୟପୁର ସହର ନ ବୁଲି କେହି କ’ଣ ଫେରିଯାଇପାରେ? ଆମ ଦଳର ଛ’ଜଣ ପାଇଁ ତାହାଥିଲା ପ୍ରଥମ ଜୟପୁର ଭ୍ରମଣ। ତେଣୁ ବୁଲି ଦେଖିବାରେ ପ୍ରବଳ ଆଗ୍ରହ। ମୁଁ ମନକୁମନ ଟୁର୍ ଗାଇଡ୍ ବନିଯାଇ ବନ୍ଧୁମାନଙ୍କୁ କେତେକ ସୁନ୍ଦର, ଅସୁନ୍ଦର ସ୍ଥାନ ଦେଖାଇଲି। ମୋ’ ପ୍ରରୋଚନାରେ ବୀର ପ୍ରଧାନ ଦକ୍ଷିଣ ଓଡ଼ିଶାର ସୁପୁଲୁ, ସେକଡ଼ାଲୁ ଓ ଦାନ୍ତିକିଲୁ (ସବୁ ତେଲୁଗୁ ଶବ୍ଦ, ଓଡ଼ିଆରେ କହିଲେ, ତିନିପ୍ରକାର ମୁଡ଼୍‌କି) ଖାଇ ଲଙ୍କାମରିଚର ପ୍ରାବଲ୍ୟ ଯୋଗୁଁ ମୃଦୁ ନିନ୍ଦାକଲେ, କିନ୍ତୁ ଫେରିବା ବେଳେ କିଣି ହଷ୍ଟେଲକୁ ନେବା ପାଇଁ ସ୍ଥିର କଲେ। ଅବଶ୍ୟ ନେଲେନାହିଁ। ହସଖୁସିରେ ସବୁଜ ସୁନ୍ଦର ଜୟପୁରରେ ତିନିଦିନ ବିତିଲା। ସେହି ତିନିଦିନ ଭିତରେ, ବୋଧହୁଏ ଶେଷ ଦିନରେ ଏହି ଫଟୋଟି ଉଠିଥିଲା। ଫଟୋଗ୍ରାଫର ବୀର ପ୍ରଧାନ ତାଙ୍କ ଦାମୀ ୟାଷିକା କ୍ୟାମେରାକୁ ଆତ୍ମ-ନିୟନ୍ତ୍ରଣ ପ୍ରଣାଳୀରେ ସଜାଡ଼ି ଦୌଡ଼ିଆସି ଆମସହିତ ଧାଡ଼ିରେ ଠିଆ ହୋଇଗଲେ। ଏବେ ଏହି ଫଟୋ ମୋ’ ପାଇଁ କେବଳ ସ୍ମୃତି ନୁହେଁ – ଇତିହାସ। ମୋ’ ପାଖରେ ସେ ଫଟୋ ଆଉନାହିଁ। ଯାହା ଏଠାରେ ପରିବେଷିତ, ତାହା କାଗଜ ଫଟୋର ମୋବାଇଲ ଫଟୋ।
ଜାଣନ୍ତୁ ସେମାନଙ୍କୁ
ଏଥର ପାତ୍ର ପରିଚୟ
କେତେବର୍ଷ ପରେ ଏହି ନ’ଜଣଙ୍କ ଭିତରୁ ଅନେକ ବ୍ୟକ୍ତି ସ୍ୱନାମଧନ୍ୟ ଲେଖକ ହୋଇ ଅନେକ ସ୍ୱୀକୃତି, ପ୍ରଶଂସା ଓ ପୁରସ୍କାର ପାଇଛନ୍ତି। ତେଣୁ ଯେଉଁମାନଙ୍କ କୃତି ବିଷୟରେ ପାଠକମାନେ ଜାଣିଥିବେ ବୋଲି ମୋର ଧାରଣା, ସେମାନଙ୍କ ଲେଖକୀୟ ଉପଲବ୍ଧି ବିଷୟରେ ଜଣାଇବା ଅନାବଶ୍ୟକ।
ଏଥର ଚରିତ୍ରମାନଙ୍କୁ ଚିହ୍ନନ୍ତୁ।
ଆଠଜଣ ଗୋଟିଏ ଧାଡ଼ିରେ ଠିଆହୋଇଥିବା ବେଳେ ଗୋଟିଏ ସ୍ତର ଉପରେ ଏକୁଟିଆ ଦଣ୍ଡାୟମାନ ଆମର ପ୍ରିୟବନ୍ଧୁ, ଗୁରୁଜନ, ମାର୍ଗଦର୍ଶକ ଡ. ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଉଭୟ ସାହିତ୍ୟ ଓ ଭାଷା କ୍ଷେତ୍ରରେ ଅତି ବଳିଷ୍ଠ, ଅପରାଜେୟ ଉପସ୍ଥିତି। ବର୍ତ୍ତମାନ ବୟସ ଅଶୀବର୍ଷ। ରହନ୍ତି କଟକରେ। ତାଙ୍କ ଦୀର୍ଘଜୀବନ ପାଇଁ ପ୍ରାର୍ଥନା।
ଆଗଧାଡ଼ି, ବାମରୁ ପ୍ରଥମ: ଡ. ଶୁଭେନ୍ଦୁ ମୁଣ୍ଡ। ଓଡ଼ିଆ ସାହିତ୍ୟର ପ୍ରାୟ ସମସ୍ତ ବିଭାଗ, ଯଥା: ଗଳ୍ପ, କବିତା, ପ୍ରବନ୍ଧ, ଅନୁବାଦରେ ଉଜ୍ଜ୍ୱଳ ଅବଦାନ ସହିତ ଇଂରାଜୀରେ ମଧ୍ୟ ଉପାଦେୟ ସନ୍ଦର୍ଭର ସ୍ରଷ୍ଟା। ୧୯୫୧ରେ କଳାହାଣ୍ଡି ଜିଲ୍ଲାରେ ଜନ୍ମଲଭି ୨୦୨୧ରେ ଭୁବନେଶ୍ୱରରେ ଦେହତ୍ୟାଗ କରିଛନ୍ତି।
ଆଗଧାଡ଼ି, ବାମରୁ ଦ୍ୱିତୀୟ: ରବୀନ୍ଦ୍ରନାଥ ପୁହାଣ। ସତୁରି ଦଶକରେ ଓଡ଼ିଆ ଗଳ୍ପ ଜଗତରେ ବେଶ୍ ଜଣାଶୁଣା ଥିଲେ। ଆମର ସମସାମୟିକ, କିନ୍ତୁ ନିର୍ଦ୍ଦିଷ୍ଟ ଜନ୍ମ ତାରିଖ କହିପାରୁନାହିଁ। ଅଶୀ ଦଶକର ଶେଷ ଭାଗରେ ତାଙ୍କର ରହସ୍ୟମୟ ମୃତ୍ୟୁ ହୋଇଥିଲା ଓ ଗୋଟିଏ ହୋଟେଲର କୋଠରୀ ଭିତରେ ତାଙ୍କ ଶବ ମିଳିଥିଲ।।
ଆଗଧାଡ଼ି, ବାମରୁ ତୃତୀୟ: ମୁଁ ନିଜେ। ସତ୍ୟ ମିଶ୍ର।
ଆଗଧାଡ଼ି, ବାମରୁ ଚତୁର୍ଥ: କନ୍‌ହେଇଲାଲ ଦାସ। ଜନ୍ମ ବାଲେଶ୍ୱରରେ ୧୯୪୫ରେ। ଗଳ୍ପ, କବିତା, ଉପନ୍ୟାସ ଲେଖିଛନ୍ତି କିନ୍ତୁ ସବୁଠାରୁ ବେଶୀ ପ୍ରସିଦ୍ଧି ପାଇଛନ୍ତି କ୍ଷୁଦ୍ରଗଳ୍ପ ପାଇଁ। ଜୁଲାଇ ୧୯୭୫ରେ ଗୁରୁତର ଭାବରେ ଅସୁସ୍ଥ ହୋଇ ସେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ଗୋଟିଏ ହେଲେ ପୁସ୍ତକ ପ୍ରକାଶିତ ହୋଇନଥିଲା; କିନ୍ତୁ ମୃତ୍ୟୁ ପରେ ତାଙ୍କ ଲେଖା ସଂକଳିତ ହୋଇ ପ୍ରକାଶ ପାଇଲା।
ଆଗଧାଡ଼ି, ବାମରୁ ପଞ୍ଚମ: ଅଶୋକ ଚନ୍ଦନ। ୧୯୫୨ରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଜନ୍ମଲାଭ କରି ମାତ୍ର ବତିଶ ବର୍ଷ ବୟସରେ ୧୯୮୪ରେ ଚାଲିଗଲେ। ମୃତ୍ୟୁ ପର୍ଯ୍ୟନ୍ତ କୌଣସି ବହି ପ୍ରକାଶ ପାଇନଥିଲା। ନୂତନ ଧାରାର ଗଳ୍ପ ଲେଖି ଖୁବ୍ ପ୍ରସିଦ୍ଧିଲାଭ କରିଥିଲେ। ଏବେ ମଧ୍ୟ ଓଡ଼ିଆ ଗଳ୍ପ ବିଷୟରେ ଯେକୌଣସି ଆଲୋଚନାରେ ତାଙ୍କ ନାମ ଶ୍ରଦ୍ଧାରେ ଉଚ୍ଚାରିତ।
ବାମରୁ ଷଷ୍ଠ: ଦାଶରଥୀ ମୁଣ୍ଡ। କବିତା ଲେଖୁଥିଲେ। ମଞ୍ଚରେ ଅଭିନୟ କରୁଥିଲେ। ଉଭୟ କ୍ଷେତ୍ରରେ ସଫଳତା ମଧ୍ୟ ହାସଲ କରିଥିଲେ; କିନ୍ତୁ ତାଙ୍କୁ ଲୋକ ଜାଣିବା ପୂର୍ବରୁ ଅଳ୍ପ ବୟସରେ ଆରପାରିକୁ ଚାଲିଗଲେ।
ବାମରୁ ସପ୍ତମ: ପୂର୍ଣ୍ଣାନନ୍ଦ ଦାନୀ। ଆମ ନ’ ଜଣିଆ ଗୋଷ୍ଠୀର ସବୁଠାରୁ ବୟସ୍କ ସଦସ୍ୟ। ଜନ୍ମ ୧୯୪୩ରେ। ନିଜ ମୌଳିକ ଗଳ୍ପ ଓ ଗବେଷଣା ପାଇଁ ଜଣାଶୁଣା। ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ ଏବଂ ଏକାଡେମୀର ଉପସଭାପତି ମଧ୍ୟ ଥିଲେ। ୨୦୦୪ରେ ଏକଷଠି ବର୍ଷ ବୟସରେ ମହାପ୍ରୟାଣ।
ବାମରୁ ଅଷ୍ଟମ: ବୀର କିଶୋର ପ୍ରଧାନ। ଗଳ୍ପ ଲେଖୁଥିଲେ। କବିତା ଲେଖୁଥିଲେ, ପତ୍ରିକାଗୁଡ଼ିକରେ ପ୍ରକାଶ ପାଇଥିଲା। ଫଟୋଗ୍ରାଫିରେ ପ୍ରବଳ ଆଗ୍ରହ ଓ ପେସାଦାର ଫଟୋଗ୍ରାଫରଙ୍କ ପରି କୁଶଳୀ ମଧ୍ୟ। ୨୦୨୨ରେ ଚାଲିଗଲେ।
କହିରଖେ, ଏହି ନ’ଜଣଙ୍କ ମଧ୍ୟରୁ ସେତେବେଳେ ଚାରିଜଣ ଗୋଟିଏ ଛାତ୍ରାବାସରେ ରହୁଥିଲେ। ଦୁଇଜଣ ନିଜ ନିଜର ପରିବାରର ପରମ୍ପରା ଅନୁଯାୟୀ ଅଳ୍ପ ବୟସରେ ବିବାହ କରି ଏହି ଫଟୋ ଉଠିବା ବେଳକୁ ଛାତ୍ରଥିଲେ ସୁଦ୍ଧା ପିତୃତ୍ୱ ଲାଭ କରିସାରିଥିଲେ (ଦାଶରଥୀ ମୁଣ୍ଡ ଓ ବୀର ପ୍ରଧାନ)। ଚାରିଜଣ ଉପାର୍ଜନକ୍ଷମ ହୋଇସାରିଥିଲେ – ଡ. ପ୍ରଫୁଲ୍ଲ ତ୍ରିପାଠୀ (ଅଧ୍ୟାପକ), ପୂର୍ଣ୍ଣାନନ୍ଦ ଦାନୀ (ଅଧ୍ୟାପକ), ରବୀନ୍ଦ୍ରନାଥ ପୁହାଣ (ବ୍ୟବସାୟ) ଏବଂ କନ୍‌ହେଇଲାଲ ଦାସ (ଏଜି ଅଫିସ୍‌ର କର୍ମଚାରୀ)। ଏବେ ଏହି ଚିତ୍ର ଯେତିକି ଆନନ୍ଦ ଦିଏ, ତା’ଠାରୁ ବେଶି କଷ୍ଟଦିଏ। ମାର୍ମିକ ବେଦନାର କାରଣ ହେଉଛି ଏହି ନ ଜଣଙ୍କ ଭିତରୁ ସାତଜଣ ଆରପାରିକୁ ଚାଲିଗଲେଣି – ପ୍ରାୟ ସମସ୍ତେ ଅପରିପକ୍ୱ ବୟସରେ। ଯେଉଁ ଦୁଇଜଣ ବଞ୍ଚିଛୁ ରହିଛୁ, ତା’ ଭିତରୁ ମୁଁ ଜଣେ। ଭୁବନେଶ୍ୱରରେ ରହୁଛି। ବୟସ ୭୨। ଆଉ କେତେଦିନ?

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

5 thoughts on “ଆଉ କେତେଦିନ

  1. ଆପଣମାନେ ସମସ୍ତେ, ଓଡ଼ିଆ ସାହିତ୍ୟର ଗୋଟିଏ ଗୋଟିଏ ସତ୍ୟ ସୂର୍ଯ୍ୟ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ହିସାବରେ ଆମେ ଆପଣମାନଙ୍କୁ ନେଇ ଗର୍ବିତ। 🙏

  2. ଭାବପୂର୍ଣ୍ଣ ଭାଷାରେ ଅନେକ ବିଷୟ ଉପସ୍ଥାପନା କରିଛନ୍ତି। ଭଲ ଲାଗିଲା।

    1. ଆପଣଙ୍କର ଏଇ ଅବଦାନକୁ ଇତିହାସ ଭୂଳିବ ନାହି ସାର୍।
      ଆଜିକାଲି ଗପଟିଏ ବାହାରିଲେ ଲେଖକ ନିଜେ ଜାଣିପାରେ ନାହିଁ ସମ୍ପାଦକ ଯଦି ନକୁହେ, ଆପଣ ସେ ଦିଗରୁ ବହୁତ ଉର୍ଦ୍ଧ୍ବରେ। ସାହିତ୍ୟ ଚର୍ଚ୍ଚା କାଳ କାଳ ବଞ୍ଚୁ।
      ପ୍ରଣାମ 🙏

  3. ୧୯୭୨-୨୦୨୫। ଦୀର୍ଘ ୫୩ ବର୍ଷ । ଅର୍ଦ୍ଧ ଶତାବ୍ଦୀ ରୁ ଉର୍ଦ୍ଧ୍ବ ଓଡ଼ିଆ ସାହିତ୍ୟର ଦୀର୍ଘ ଯାତ୍ରା ରେ ଏହି ଯୁବ ଲେଖକ ମାନଙ୍କର ଅବଦାନ କିଛି କମ୍ ନୁହେଁ।

Leave a Reply

Your email address will not be published. Required fields are marked *