ଜନ୍ମତିଥି କି ତାରିଖ ଜଣାନାହିଁ? ଲେଖିଦିଅ ହୋ, ଛ’ଶହ ବର୍ଷ ତଳେ।

ପିଲାଟିଏ ଜନ୍ମ ହେଲେ ଘର-ପରିବାର ମଧ୍ୟରେ କେତେ ଖୁସିର ଲହର ଖେଳିଯାଏ, ସେକଥା ଆମ ସମାଜରେ ପ୍ରାୟ ସମସ୍ତେ ଜାଣନ୍ତି। ପ୍ରତି ବର୍ଷ ସେଇ ଦିନଟିକୁ ବାପମା’ ଖୁବ୍ ଆନନ୍ଦରେ ପାଳିଥାଆନ୍ତି। ଆମ ଗାଁରେ ଠାକୁର ଘରେ ମୁଣ୍ଡିଆ ମାରି, ଗୁରୁଜନମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେବା ସହ ମା’ ବନ୍ଦାପନା କରି, ଖିରି ପିଠା ଖେଚେଡ଼ି ଆଦି କରି ଖାଇବାକୁ ଦେବା ଥିଲା ଆମର ପରମ୍ପରା। ସମୟକ୍ରମେ ଇଂରାଜୀ ଶିକ୍ଷାର ପ୍ରଭାବ ଓ ସିନେମାର ପ୍ରଭାବରେ କେକ୍ କଲ୍ଚର ଆସିଗଲା ସହରରୁ ଗାଁ ଯାଏ। ଦୀପ ଜାଳି, ମା’ ହାତର ବନ୍ଦାପନା ପ୍ରଥାଟି ଲୁଚି ଯାଇ ମହମବତୀ ଲିଭାଇ କେକ୍ କାଟିବା ପ୍ରଥା ଆସି ମାଡ଼ିବସିଲା ଆମ ସଂସ୍କୃତିକୁ। ସେଇଠି ଆମ ଓଡ଼ିଆ ବୁଦ୍ଧିଜୀବି ବିଛୁଆତି ଲାଗିଲା ଭଳି ଡ଼େଇଁଲେ। ଆଉ ପଞ୍ଝାଏ ସ୍ୱୟଂଭୂ ହେତୁବାଦୀ ଚୁପ୍ ରହିବା ଶ୍ରେୟ ମନେ କଲେ, କାହିଁକି ନା ଏଇଟା ଇଂରାଜୀ ସଭ୍ୟତାରୁ ଆୟାତ ହୋଇଛି। ଦେଶୀ ସଂସ୍କାର ହୋଇଥିଲେ କୁସ଼ଂସ୍କାର ନାଁରେ କ’ଣ ଯେ ଶୁଣିବାକୁ ହୋଇନଥାନ୍ତା? ଭାବୁଥାଏ ଅଭୟ ଦାଶ। ନିଜର ଜନ୍ମଦିନ ତା’ ନନା ବୋଉ କେତେ ଶ୍ରଦ୍ଧାରେ ପାଳୁଥିଲେ। ଷୋହଳ ବର୍ଷ ପର୍ଯ୍ୟନ୍ତ ସତ୍ୟ ନାରାୟଣ ପୂଜା, ଜନ୍ମଦିନରେ ନୂଆ ଲୁଗା, ଷଠଦୁଷୀ ପୂଜା, ଚକୁଳି ପିଠା, ଗୁଡ଼ ଖିରୀ ସାଙ୍ଗକୁ ଜଣେ ବୟସ୍କ ବ୍ରାହ୍ମଣ, ଜେଜେବାପା ସମସ୍ତଙ୍କୁ ଖାଇବାକୁ ଦେଇ ଆଶୀର୍ବାଦ ଭିକ୍ଷା କରୁଥିଲେ। ସେ ଜନ୍ମଦିନ ପ୍ରତିବର୍ଷ ଗୋଟିଏ ତାରିଖରେ ପଡ଼େନାହିଁ। ବୁଝୁ ବୁଝୁ କ’ଣ ନା ସ୍ବନକ୍ଷତ୍ର ପାଳନ କହନ୍ତି ଜନ୍ମଦିନକୁ। ଜନ୍ମ ନକ୍ଷତ୍ରର ପ୍ରାଧାନ୍ୟ କେତେ, ଏଇଥିରୁ ବୁଝୁଥିବେ।
ଆମ ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରର ଛାୟାରେ ପର୍ସିଆରେ ପ୍ରଚଳିତ ତାଜିକ ଶୈଳୀରେ ମଧ୍ୟ ନକ୍ଷତ୍ରକୁ ମହତ୍ତ୍ୱ ଦିଆଯାଏ ଓ ପ୍ରତିବର୍ଷ ନିଜର ଜନ୍ମ ଦିନରେ ଜନ୍ମ ସ୍ଥାନ ଦର୍ଶନ କରି ଶୁଭ ଫଳ ଆଶା କରାଯାଏ। ସେଇ ସ୍ୱନକ୍ଷତ୍ରକୁ ନେଇ ଆଜିକାଲି ପତ୍ରପତ୍ରିକାର ପ୍ରକଟ ତାରିଖକୁ ସ୍ୱନକ୍ଷତ୍ର କୁହାଯାଉଛି। ଆମ ଜାଣିବାରେ ଆମ ସମୟରେ ଜଣେ ଲୋକର ଦୁଇଟି ଜନ୍ମ ତାରିଖ ଥିବା ଶୁଣିବାକୁ ମିଳେ। ଗୋଟିଏ ସତ ଜନ୍ମଦିନ; ସେଇଟା ସେ ଚକୁଳିପିଠା ଗୁଡ଼ ଜନ୍ମଦିନ। ଆରଟା ମାଟ୍ରିକ୍ ସାର୍ଟିଫିକେଟରେ ଲେଖାଥିବା ଜନ୍ମଦିନ, ଯେଉଁଟା ସତ ଜନ୍ମଦିନଠାରୁ ପଛରେ। କାହିଁକି ନା ପିଲା ବଡ଼ ହୋଇ ବେଶି ଦିନ ଚାକିରି କରିବ। ଆଜିକାଲି ସେ ବ୍ୟବସ୍ଥା ନାହିଁ। ସ୍କୁଲ ନାଁ ଲେଖାବେଳେ, ଜନ୍ମ ପ୍ରମାଣ ପତ୍ର ଦେବାକୁ ହେଉଛି। ସେ ଯାହା ହେଉ ଏ ଜନ୍ମଦିନ ଶୁଭେଚ୍ଛା, କେକ୍ ଭୋଜି କେତେଦିନ କି? ସମସ୍ତେ ଭୁଲିବାକୁ ଲାଗନ୍ତି। ଏପରି କି ନିଜେ ମନେରଖିବା କଷ୍ଟ ହୋଇଥାଏ। ପିଲାମାନେ ବଡ଼ ହୋଇ ବାପ ମାଆଙ୍କର ଇଂରାଜୀ ଜନ୍ମଦିନ ଓ ବାହାଘର ଦିନ ପାଳନ କରିବା ଆମ ସମାଜ ଭିତରକୁ ପଶିଆସିଲାଣି। ସେଇ କେକ୍, କକ୍ଟେଲ୍, ଭୋଜି ଭାତ, ଉପଢୌକନ ଦେବା ନେବା ଆମ ସାମାଜିକ ଚଳଣିରେ ଆସ୍ଥାନ ଜମାଇ ସାରିଲାଣି। କାହାକୁ କହିବା? ମାନିବାକୁ ହେବ ! ସତରେ କହିଲେ ! ନୂଆଲୁଗା, ଭଲ ଖାଇବା, ସାଙ୍ଗମାନଙ୍କ ସାଙ୍ଗରେ, ନାତି ନାତୁଣୀଙ୍କ ସାଙ୍ଗରେ, ସହଧର୍ମିଣୀଙ୍କ ସାଙ୍ଗରେ ଫଟୋ ଉଠାଇବାକୁ କାହାକୁ ଭଲ ନ ଲାଗେ?

ମନେକରନ୍ତୁ ନଣ୍ଡାବାବା, ସିଏ ବହୁତ ଜ୍ଞାନୀ ତ୍ରିକାଳଦର୍ଶୀ, ଆଜକୁ ପାଞ୍ଚ ଛ’ଶହ ବର୍ଷ ପୂର୍ବେ ଜନ୍ମ ନେଇଥିଲେ, ହେଲେ ତାରିଖ ମନେ ନାହିଁ। ଶିଷ୍ୟ ଭକ୍ତ ଛଟପଟ ହେଉଥାଆନ୍ତି, ରାଷ୍ଟ୍ରର ସର୍ବୋଚ୍ଚ ବ୍ୟକ୍ତିଙ୍କ ଉପସ୍ଥିତିରେ ତାଙ୍କର ଜନ୍ମଦିନ ପାଳିବା। ତିଥି ତାରିଖ ଜଣାନାହିଁ, ଲେଖିଦିଅ ଛ’ଶହ ବର୍ଷ ତଳେ ! କିଏ ପଚାରୁଛି? ଏତେ ବଡ ବ୍ୟକ୍ତି କଣ ଆଉ ଅତିଥି ଭାବରେ ମିଳିବେ? ନଣ୍ଡାବାବାଙ୍କ ବିଷୟରେ ରିଟାୟାର୍ଡ୍ ପ୍ରଫେସରମାନଙ୍କଠାରୁ ଲେଖା ସଂଗ୍ରହ କରି ସ୍ମରଣିକା ପ୍ରସ୍ତୁତ କରାଯାଉ। ସବୁ ହୋଇଗଲା, ଜନ୍ମ ଦିନ ପାଳନ ଛଅଶହ ବର୍ଷ ତଳେ, ତାରିଖ ତିଥି ଯାହା ଗୋଟାଏ ଲେଖିଦିଅ, କିଏ ମନେରଖୁଛି? ଲୋକେ ନିଜ ବାପାଙ୍କ ବାପାଙ୍କ ବାପା ନାଁ ମନେରଖି ନ ପାରି ଜଗନ୍ନାଥଙ୍କ ନାମରେ ପିଣ୍ଡ ବାଢ଼ିଦିଅନ୍ତି ଶ୍ରାଦ୍ଧଦିବସରେ, ତିଥି କିଏ ମନେରଖୁଛି? ସବୁ ହେଇଗଲା ଯେ, ତା’ପରେ ଆରମ୍ଭ ହେଲା ବିବାଦ। ପଞ୍ଝାଏ ବୁଦ୍ଧିଜୀବିଙ୍କ ଦେହରେ ଗଲା ନାହିଁ। ଓଡ଼ିଆ ବୁଦ୍ଧିଜୀବି ଆଜ୍ଞା, ସିଏ କେମିତି ଗ୍ରହଣ କରିବେ ଅନ୍ୟ ଦଳ ମତବାଦ ସମର୍ଥକମାନଙ୍କ ତାରିଖ ନିରୂପଣକୁ? ଭୁଲ୍, ସବୁ ଭୁଲ୍ ! କେଉଁଟା ଠିକ୍ କହୁନା? ରିସର୍ଚ୍ଚ ଚାଲିଛି। ସ୍ବାମୀ ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେସନ ପଚାରେ, ଗବେଷଣା ଅଧ୍ୟୟନ କେବେ ସରିବ? ଛ’ଶହ ବର୍ଷ ପୂର୍ବେ ଆମ ଉତ୍କଳ ଭୂମିରେ ଜନ୍ମିଥିବା ସିଦ୍ଧପୁରୁଷଙ୍କୁ ଆମେ ସମ୍ମାନ ଦେବା କେବେ? ଭାରତର ସର୍ବୋଚ୍ଚ ସମ୍ମାନର ଅଧିକାରୀ ବ୍ୟକ୍ତି କଣ ଆଉ ଆସିବେ ଏ ସହରକୁ? ଛାଡ଼, ଯାହା ହେବାର ହୋଇସାରିଲାଣି। ହରି ବୋଲ ପକାଇ ବନ୍ଦକର ଏ ଆଲୋଚନା। ଶେଷକୁ ତାହା ହିଁ ହେଲା; ଦିନାକେତେ ହୋ ହୋ ହୋଇ ସମସ୍ତେ ଭୁଲିଗଲେ।
ସ୍ବାମୀ ଅଭୟାନନ୍ଦ ଏ ମଧ୍ୟରେ ନିଜ ଅନୁସଂଧାନର ବେଗ ବଢ଼ାଇଦେଇଛି। ତା’ର କହିବା କଥା, ବିଂଶ ଶତାବ୍ଦୀର ମଧ୍ୟ ଭାଗରୁ ଯେତେ ନାମୀଲୋକ, ମହାତ୍ମା, ସନ୍ଥ, ସମାଜସେବୀଙ୍କ ଫଟୋଚିତ୍ର, ତାର ଦୃଷ୍ଟିଗୋଚର ହୋଇଛି ସେ ସବୁକୁ ତାର ରିସର୍ଚ୍ଚରେ ଗ୍ରହଣ କରାଯାଇଛି, କାହିଁକି ନା ସେତେବେଳକୁ ଫଟୋତୋଳା ଯନ୍ତ୍ର କ୍ୟାମେରା ବଜାରକୁ ଆସିଯାଇଥିଲା। ତା’ ପୂର୍ବରୁ ଯେତେ ଫଟୋ ଦେଖି ଆମେ ବିଶ୍ବାସ କରୁ, ସବୁ ଚିତ୍ରକରଙ୍କ କଳ୍ପନା ଆଧାରିତ। ରଜା, ମାନେ ବଡ ବଡ ନିଶ। ଦେହରେ ପଛେ ପଳେ ମାଉଁସ ନ ଥାଉ, ଚିତ୍ରକର ଗୋଟାଏ ଖୋଳ ପିନ୍ଧାଇ ବଡ଼ ତରବାରୀ ଧରାଇ ଚିତ୍ର ଆଙ୍କିଦେଇଥାଏ। ତାଙ୍କର ପର ପିଢ଼ିମାନେ ସେ ଫଟୋଚିତ୍ର ଦେଖି କୃତକୃତ୍ୟ ହୁଅନ୍ତି। ତାଙ୍କର ନାଁ ଆଗରେ, ପଛରେ ଶଗଡେ ଓଜନର ଉପାଧି ଯୋଡ଼ିଦେଇ ଆତ୍ମ ସନ୍ତୋଷ ଲାଭ କରନ୍ତି। ଯଥା ବୈରୀଗଞ୍ଜନ, ଦମନକ ଚୁଡାମଣି, ଅସ୍ତ୍ର ଝ଼ଂକାର, ଆଦି କେତେ ବିଶେଷଣ ପ୍ରସ୍ତୁତ କରିଦିଅନ୍ତି ସେକାଳର ପଣ୍ଡିତ ସଭା। ପ୍ରଜାମାନେ ଗ୍ରହଣ କରିନିଅନ୍ତି; ଆଜିକାଲିର ଡକ୍ଟରେଟ୍ ଫେଲୋସିପ୍, ପୁରସ୍କାର ଆଦି ସେହି ବର୍ଗର ହୋଇପାରେ। ସ୍ବାଧୀନତାକୁ ଲାଗିଥିବା ସମୟର ମଧ୍ୟସ୍ଥଳରେ ଗାନ୍ଧୀଙ୍କୁ ରଖାଯାଉ । ତାଙ୍କର ଫଟୋଠାରୁ ଫିଲ୍ମ୍ ପର୍ଯ୍ୟନ୍ତ ଥିଲେ ମଧ୍ୟ ତାଙ୍କ ଚିତ୍ର ଆଙ୍କିବା ଅତି ସହଜ। ଗୋଟାଏ ପ୍ରଶ୍ନ ଚିହ୍ନ ସାଙ୍ଗେ ଗୋଟାଏ ଗୋଲ ଚଷମା ଗୋଟାଏ ବାଡ଼ି, ହୋଇଗଲେ ରେଖାଚିତ୍ରରେ ଗାନ୍ଧୀ। ସେଥିପାଇଁ କହନ୍ତି, ”ସିମ୍ପ୍ଲିସିଟି ଅଫ ଦିଶ୍ ପିକ୍ଚର୍ ଇଜ୍ ଗ୍ରେଟନେସ୍ ଅଫ୍ ଦି ମ୍ୟାନ୍”। ଚିତ୍ରର ସରଳତା ଏହି ମଣିଷଟିର ଗୌରବ ସହ ସମାନ। ତାଙ୍କର ଜନ୍ମଦିନ କେହି ଭୁଲିନି ଏ ଦୁନିଆରେ। ଏତେ ସବୁ ରିସର୍ଚ୍ଚ ଭିତରେ ସ୍ବାମୀ ଅଭୟାନନ୍ଦ ପୁରା ହଜିଯାଇ ଯାହା ଦେଖିଲା, ପ୍ରାକ୍ ଗାନ୍ଧୀ ଯୁଗୀୟ, ପୁରାଣ ଯୁଗୀୟ ବ୍ୟକ୍ତିମାନଙ୍କର ଗୋଟିଏ ବିଭାଗୀକରଣ ସୂତ୍ର ପାଇଗଲା। ଯଥା, ଓଡ଼ିଆ ଭକ୍ତକବି ଜଗନ୍ନାଥ ଦାସ, ଦୀନକୃଷ୍ଣ, ବଳରାମ ଆଦିଙ୍କୁ ଅଧାଲଣ୍ଡା, ଚୁଟିରେ ଗୋଟିଏ ଗଣ୍ଠି ସହ ମୁଣ୍ଡରେ ଚନ୍ଦନ ଟିକା ଲଗାଇ ଫଟୋଚିତ୍ର ଡ଼ିଜାଇନ କରାଯାଉ। କିଏ ଦେଖିଛି?
ସେଇ ଫର୍ମୁଲାରେ ଆମ ନଣ୍ଡା ବାବାଙ୍କୁ ଆଜିର ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ହେୟାର ଷ୍ଟାଇଲ୍ ବା କେଶ ବିନ୍ୟାସ ଦେଇ, ଚନ୍ଦନ ଟିପା ପଇତା ସହ ଫଟୋ ରେଡ଼ି। ଜନ୍ମ ତିଥି ଯାହା ହେଲେ ଚଳିବ। କାହିଁକି ନା କାହାକୁ ଜଣା ନାହିଁ। ପଞ୍ଝାଏ ହୋ ହୋ ହେବେ, ସରକାରକୁ ଗାଳି ଦେବେ, ଅଭୟ ଦାଶକୁ ଗାଳିଦେବେ। କିଏ ପଚାରେ ଏଗୁଡାଙ୍କୁ, ମୁନି ଋଷିଙ୍କ ଫଟୋ ଦରକାର? ମୁହଁରେ ମେଞ୍ଚାଏ ଦାଢ଼ି, ଲମ୍ବା ପାଚିଲା ଦାଢ଼ି, କାହାର ଲମ୍ବା ବାଳ, କାହା ମୁଣ୍ଡରେ ଠେକା। ହୋଇଗଲା ମହାତ୍ମାଙ୍କ ଡିଜାଇନ୍। ଦ୍ବାଦଶ ଶତାବ୍ଦୀ, କି ମାଇନସ୍ ଶତାବ୍ଦୀ ସେଥିରେ ତିଥି କିଏ ଜାଣେ? ଛାଡ଼ ହେ ଫଟୋ ହୋଇଗଲା ପରେ ଡେଟ୍, ତିଥି, ନକ୍ଷତ୍ର ସବୁ ଫିଟ୍। ଛାଡ଼ିଦେଇ ୟୂଟ୍ୟୁବ୍ରେ, ବସିଯାଅ। ଦେଖିବ ତୁମକୁ କେତେ ଲୋକ ଉଦ୍ଧାର କରିବେ, କୋଟ୍ କରିବେ। ସେଇଠି ସେ ଗୀତଟା ଛାଡ଼ିଦେବେ, ”ମଣିଷ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜିଏଁ ନର, କର୍ମ ଏକା ତାର ଜୀବନର ମାନଦଣ୍ଡ !” ସେଥିରେ ବି ରକ୍ଷା ନାହିଁ; ବୁଦ୍ଧିଜୀବି ପ୍ରଶ୍ନ କରିବେ, ନର ତ ଲେଖିଦେଲ, ନାରୀ ଆଉ ତୃତୀୟ ଲିଙ୍ଗୀ କୁଆଡ଼େ ଗଲେ? ସ୍ବାମୀ ଅଭୟାନନ୍ଦ କହେ, ଛାଡ଼ ହେ ! ଏମିତି ଜିରାରୁ ଶିରା କାଢ଼ିବା ଏଗୁଡାଙ୍କ ଅଭ୍ୟାସ। ଭୁଲିଯାଅ, ଇଗ୍ନୋର୍। ଏଗୁଡ଼ା ସବୁ ପଲିଟିକ୍ସ।
ଅଭୟ ବାବୁଙ୍କ ଲେଖା ଶାଣିତ ବ୍ୟଙ୍ଗ ଭରା। ତାଙ୍କ ଦୃଷ୍ଟି ସବୁ ଆଡ଼େ। ସାଙ୍ଗେ ସାଙ୍ଗେ ଲେଖି ଦେବେ। ସବୁ ବିଷୟରେ ତାଙ୍କର ଅଗାଧ ଞାନ।
Excellent
ଗରମ ଓ ତଟକା ବ୍ୟଙ୍ଗ । ସାରଳା ଦାସଙ୍କ ଭଳି ସ୍ୱାମୀ ଅଭୟାନନ୍ଦଙ୍କ ଜନ୍ମଦିନକୁ କୌଣସି ଆମିଷ ବାରି ଓ ଛୁଟିଦିନ ଦେଖି ଜଣେ ମହମାନବଙ୍କ ଦ୍ୱାରା ପାଳନ କରିବାକୁ ଆପଣଙ୍କ ମାଧ୍ୟମରେ ମୁଁ ସରକାରଙ୍କ ପାଖରେ ଦାବୀ କରୁଛି । ହଁ, ଜନ୍ମଦିନ ଦୁଇଥର ନୁହେଁ ଏବେ ତିନିଥର ପାଳନ ହେଉଛି । ତୃତୀୟଟା ଫେସବୁକ୍ ଭଳି ସାମାଜିକ ଗଣମାଧ୍ୟମରେ ।
ଅତି ସୁନ୍ଦର 👌
ଖୁବ ସୁନ୍ଦର ବ୍ୟଙ୍ଗ ଭାବରେ ସତ୍ୟତା ଥାଇ ମନରେ ପ୍ରଶ୍ନ ଆସୁଛି କିଏ ଦାୟୀ।ମୋ ମତରେ ଆମେ ସମସ୍ତେ ଦାୟୀ।ଅଭୟାନନ୍ଦ ବାବୁଙ୍କୁ ଧନ୍ୟବାଦ।
ମନ ଛୁଂଆ ବ୍ଯଂଗାତ୍ମକ ଶୈଳିରେ ଉପସ୍ଥାପନା
ଯେକୌଣସି ଜନ୍ମଦିନ କେକ୍ କଟା ହେଉଥିବା ବେଳେ ଏହି ଲେଖାଟି ମନେ ପଡିଯିବ
Bahut bhala lekha