ଅଭିଯୁକ୍ତର ଦୀର୍ଘଶ୍ୱାସ

ଦୈନିକ ଖବରକାଗଜ ‘ସମାଜ’ର ପୂର୍ବତନ ମୁଖ୍ୟ ପରିଚାଳକ ତଥା ମୁଦ୍ରାକର ଓ ପ୍ରକାଶକ ବ୍ରଜଭାଇଙ୍କ କାରାଗାର ସ୍ମୃତି।

ବ୍ରଜ ଭାଇ

୨୦୦୭ ମସିହାର ଗୋଟିଏ ବିଡ଼ମ୍ବିତ ପ୍ରହର। ମୁଁ କାରାଗାରରେ ଥାଏ। ନିସ୍ତବ୍ଧତାର ଶୃଙ୍ଗାର ମଧ୍ୟରେ କାହିଁ କେତେ ଅସ୍ଥିରତା ସହ ଅତୀତଟା ଗୁଡ଼ାଏ ସତ୍ୟକୁ ନେଇ ମୋର ମନକୁ ଭାରାକ୍ରାନ୍ତ କରି ଚାଲିଥିଲା। ସେଦିନ ସନ୍ଧ୍ୟାର କାରାଗାର ସତର୍କ ଘଣ୍ଟି ସୂଚାଇ ଦେଲାଣି, ଅନ୍ତେବାସୀଙ୍କର ନିଜ ନିଜ କୋଠରୀକୁ ଯିବାର ସମୟ ହୋଇଗଲା। ଏବେ ପୁରା ୧୨ ଘଣ୍ଟା ନିବୁଜ କୋଠରୀରେ ରହିବାର ନିୟମ।
ସେଦିନ ସନ୍ଧ୍ୟା ପ୍ରାର୍ଥନା ସାରି ମୋ’ ଆତ୍ମଜୀବନୀର କିଛି ଅଂଶ ଲେଖିବାକୁ ପ୍ରୟାସ କଲେ ବି ଲେଖିପାରୁ ନ ଥାଏ। ଆଜି ଘରୁ ମୋ ପତ୍ନୀ ସଞ୍ଜୁ ଏବଂ ଝିଅ ମାମା କାରାଗାରକୁ ମୋତେ ଦେଖା କରିବାକୁ ଆସିଥିଲେ। ମୁଲାକାତ ବେଳେ ଦୁହେଁ ସାମାନ୍ୟଭାବେ ହସୁଥିଲେ। ମୁଁ କିନ୍ତୁ ମାମାର ନିରୀହ ଆଖିରୁ ଜାଣି ପାରୁଥିଲି, ମୋ ଆଗରେ ସେ ଅଭିନୟ କରୁଥିଲା।
ମାମା ପଚାରୁଥିଲା “ବାପା କେମିତି ଅଛ?” କହିଲି “ମୋତେ ଦେଖି ଜାଣି ପାରୁନୁ, ମୁଁ ଏଠି ବହୁତ ଭଲରେ ଅଛି। ବାହାର ଜଗତ ସହିତ ସିନା ସମ୍ପର୍କ ନାହିଁ, ପ୍ରକୃତରେ ଏଠାରେ ନିରବତା ମଧ୍ୟରେ ଶାନ୍ତି ରହିଛି।”
ମାମାର ଆଉ ଏକ ପ୍ରଶ୍ନରେ ମୁଁ ତାଜୁବ ହୋଇଗଲି। “ବାପା, ତମେ ସତରେ କ’ଣ ଏ କାମ କରିଛ? ଯାହା ମୋ ସାଙ୍ଗମାନେ ମତେ ସ୍କୁଲରେ ପଚାରୁଛନ୍ତି?” କିନ୍ତୁ ମୁଁ ନିରବ ଥିଲି, ୧୨ ବର୍ଷ ବୟସ ମୋ ଝିଅର ପ୍ରଶ୍ନର ଉତ୍ତର ମୁଁ କ’ଣ ଦେବି ଯାହା ସେ ବୁଝିବ? ଖାଲି ଏତିକି କହିଲି “ସମୟ ସବୁ ସତ କହିବ, ତୁ ମନ ଲଗାଇ ପାଠପଢ଼।” ଏ ଥିଲା ଜଣେ ଅଭିଯୁକ୍ତ ସ୍ରଷ୍ଟାର ନିଜର କୋମଳମତି କନ୍ୟାକୁ ସନ୍ଦେଶ।
ଈର୍ଷାର ପାତ୍ର
ସେ ଦିନ ମୋ ଆତ୍ମଜୀବନୀର ଅଧ୍ୟାୟ ଏମିତି ଥିଲା …
ସମାଜ ସେବାର ନିଶାରେ ନିଜର ଶିକ୍ଷାକୁ ଅଧୁରା ରଖି, ବ୍ୟକ୍ତିଗତ ବ୍ୟବସାୟ ଛାଡି, ଜୀବନରେ ଏମିତି ଏକ ନିଷ୍ପତ୍ତି ନେଇଗଲି ଯେ ଅଧା ରାସ୍ତାରେ ମୋର ସହଯୋଗୀମାନଙ୍କ ଦ୍ୱାରା ପ୍ରତାରିତ ହୋଇ ଧୋକା ଖାଇଲି। ଏକ କ୍ଷତିଗ୍ରସ୍ତ ତଥା ବିଶୃଙ୍ଖଳିତ ଅନୁଷ୍ଠାନର ପରିଚାଳନା ଦାୟିତ୍ୱ ନେଇ ଯେତେବେଳେ ଅଳ୍ପ ସମୟ ମଧ୍ୟରେ ଲାଭ ସହିତ ସମସ୍ତ ପ୍ରକାର ଶୃଙ୍ଖଳା ଏବଂ ପ୍ରଶସ୍ତିର ଦ୍ୱାର ଖୋଲିଦେଲି, ମୁଁ ସମସ୍ତଙ୍କ ଈର୍ଷାର ପାତ୍ର ହୋଇଗଲି। ମୋର ସହଯୋଗୀମାନେ ନିଜ ନିଜର ସ୍ୱାର୍ଥ ଏବଂ ରାଜନୈତିକ ଫାଇଦା ପାଇଁ ଷଡଯନ୍ତ୍ର କରି ସରକାରୀ କଳକୁ ମୋ’ ବିରୋଧରେ ପ୍ରୟୋଗ କରି ସଫଳ ହେଲେ।
ସବୁ ପ୍ରଲୋଭନକୁ ପ୍ରତିହତ କରି ନିଜର ନିର୍ଭୀକତା ତଥା ସଚ୍ଚୋଟତାକୁ ମୁଁ ବହୁବାର ମଧ୍ୟ ପ୍ରମାଣ କରିଛି।
ଶ୍ରୀଯୁକ୍ତ କୃଷ୍ଣକାନ୍ତ ଲୋକସେବକ ମଣ୍ଡଳର ସଭାପତି ତଥା ଭାରତର ଉପରାଷ୍ଟ୍ରପତି ଥାଆନ୍ତି। ମୁଁ ସେତେବେଳେ ‘ସମାଜ’ର ମୁଖ୍ୟ ପରିଚାଳକ ସହିତ ମୁଦ୍ରାକର ଓ ପ୍ରକାଶକ ଥାଏ। ଜାଣିବାକୁ ପାଇଲି, କିଛି ବେନାମି ଅଭ଼ିଯୋଗ ମୋ’ ବିରୋଧରେ ସଭାପତିଙ୍କ ପାଖକୁ ଯାଇଛି । ଏ ବିଷୟରେ ମୋତେ କିଛି ଜଣାଗଲା ନାହିଁ, କି କିଛି କୈଫିୟତ ମଧ୍ୟ ମଗାଗଲା ନାହିଁ। ବିଶେଷ ସୂତ୍ରରୁ ତା’ର ନକଲ ଯୋଗାଡ଼ କରି ଜାଣିଲି, ସମ୍ବଲପୁରରେ ‘ସମାଜ’ ସଂସ୍କରଣକୁ ଯେଉଁ କର୍ମଚାରୀ ଏବଂ ବୁଦ୍ଧିଜୀବୀମାନେ ବିରୋଧ କରୁଥିଲେ ଏଇଟା ସେଇମାନଙ୍କର କାର୍ଯ୍ୟ।

କୈଫିୟତ
ଏ ବିଷୟରେ ସମ୍ପାଦକ ସତ୍ୟପାଲଜୀଙ୍କ ସହିତ ଆଲୋଚନା କରି ମୋତେ କୈଫିୟତ ମଗାଯାଉ ନାହିଁ କାହିଁକି ବୋଲି ପଚାରିଥିଲି। ସେ କହିଲେ “ତୁମେ ତୁମ କାମ କର। ଅନୁଷ୍ଠାନର ତମ ଉପରେ ବିଶ୍ୱାସ ତଥା ଭରସା ରହିଛି।”
ଏଥିରେ ମୁଁ ସନ୍ତୁଷ୍ଟ ହେଲିନି; ସିଧା ଦିଲ୍ଲୀ ଯାଇ କୃଷ୍ଣକାନ୍ତଜୀ ଙ୍କୁ ଦେଖା କଲି। ସେ ପ୍ରାତଃ ଭ୍ରମଣରେ ଥିବା ସମୟରେ ମୁଁ ତାଙ୍କ ସହିତ ସାମିଲ ହେଲି ଏବଂ ସେ ପଚାରିଲେ, “କେତେବେଳେ ଆସିଲ? ମୁଁ ରାତ୍ର ଭୋଜନରେ ତମକୁ ଅପେକ୍ଷା କରିଥିଲି।” ଉତ୍ତରରେ କହିଲି “ବିମାନ ସମୟ ବିଳମ୍ବ ଥିବାରୁ ଡେରି ହେଲା।” ଏମିତି ଚାଲୁ ଚାଲୁ ମୁଁ ମୋ ବିରୋଧରେ ଆସିଥିବା ଅଭିଯୋଗ ବିଷୟରେ ପଚାରିଲି। କହିଲେ, “ତୁମେ କେମିତି ଜାଣିଲ? ସେ ବିଷୟରେ ମନୁଭାଇ ଏବଂ ସତ୍ୟପାଲଙ୍କ ସହିତ ଆଲୋଚନା ହୋଇ ସାରିଛି । ତମେ ବ୍ୟସ୍ତ ହେବା ଦରକାର ନାହିଁ। କିଏ କ’ଣ ବେନାମୀ ଲେଖିବ ଆମେ କ’ଣ ତଦନ୍ତ କରିବାକୁ ବାଧ୍ୟ କି?” ପ୍ରତ୍ୟୁତ୍ତରରେ କହିଲି “ଅନୁରୋଧ କରୁଛି ଆପଣ ମୋର ତଦନ୍ତ କରି ଦିଅନ୍ତୁ।” ତାଙ୍କର ଉତ୍ତର ଥିଲା “ଆମେ ସବୁ ଅନୁସନ୍ଧାନ କରିସାରିଛୁ। ତମ ବିରୋଧରେ ଏଇଥି ପାଇଁ ଏ ପ୍ରକାର ଷଡ଼ଯନ୍ତ୍ର ହୋଇଛି, କାହିଁକି ନା ‘ସମାଜ’ ବିକାଶରେ କିଛି ଲୋକଙ୍କ ସ୍ୱାର୍ଥରେ ବାଧା ପଡୁଛି। ତାହା ଆମେ ଜାଣୁ।”
କାନ୍ଦିଉଠିଲି
ତାପରେ ମୁଁ ଚିନ୍ତାକଲି ଯେ, ଏମାନେ କିଛି କରିବେ ନାହିଁ। ଏଣୁ ବାଧ୍ୟ ହୋଇ କହିଲି “ଆପଣ ମୋର ତଦନ୍ତ କରିବେ ନା’ ମୁଁ ଆତ୍ମହତ୍ୟା କରିଦେବି।” ମୁଁ କାନ୍ଦୁଥାଏ ସେ ମୋତେ କୁଣ୍ଢାଇ ଧରି ତାଙ୍କ ଅଫିସକୁ ନେଇ ମତେ ବସାଇଲେ ଏବଂ ସତ୍ୟପାଲଙ୍କ ସହିତ କଥାହୋଇ ଏକ ତଦନ୍ତ କମିଟି ଗଠନ କରାଗଲା। ସେହିଦିନ ପ୍ରସନ୍ନବଦନ ମେହେଟ୍ଟା, ରଣଜିତ୍ ସିଂ ଏବଂ ଚଣ୍ଡିଗଡ଼ ଇଣ୍ଡିଆନ ଏକସପ୍ରେସର ମୁଖ୍ୟ ପରିଚାଳକ ସନ୍ତୋଷ କୁମାର ଓଡ଼ିଶା ଆସି ଦୁଇ ଦିନ ରହି ମୋ’ର ସବୁ ତଦନ୍ତ କରିଥିଲେ। ଶେଷରେ ମୋତେ ନିର୍ଦ୍ଦୋଷ ପାଇ ସଭାପତିଙ୍କୁ ରିପୋର୍ଟ ଦେଇଥିଲେ।
ସେମିତି ଆଉ ଏକ ଘଟଣା। ମନୁଭାଇଜୀ ଲୋକସେବକ ମଣ୍ଡଳର ସଭାପତି ଥାନ୍ତି। ଅନ୍ୟସବୁ ବେନାମୀ ଅଭିଯୋଗ ସହିତ ସବୁଠୁ ବଡ ଅଭିଯୋଗ ଥିଲା, ମୋ’ର କୁଆଡେ ପାକିସ୍ଥାନରେ ବ୍ୟାଙ୍କ ଏକାଉଣ୍ଟସ ଅଛି। ତାହା ପୁଣି ଆମର ଜଣେ ମେମ୍ବର ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଅନୁଧ୍ୟାନ କରି ମନୁଭାଇଜୀ ଉକ୍ତ ସଦସ୍ୟକୁ କହିଥିଲେ, ତୁମକୁ ଅନୁଷ୍ଠାନ ଅନୁମତି ସହ ଖର୍ଚ୍ଚ ଦେଉଛି; ପାକିସ୍ଥାନ ଯାଇ ତମ ଅଭିଯୋଗର ପ୍ରମାଣ ଆଣ। ବୁଝିଗଲି, ଆଗ ଥର ପରି ଏଥର ମଧ୍ୟ ମୋର ତଦନ୍ତ ହେବ ନାହିଁ। ମୋତେ ମଧ୍ୟ ମନୁଭାଇଜୀ ଜଣାଇଦେଲେ। ମନୁଭାଇଜୀଙ୍କୁ କହିଲି “ଆପଣ ମୋର ତଦନ୍ତ କରିବେ ନା, ମୁଁ ସବୁ ଅଭିଯୋଗକୁ ସ୍ୱୀକାର କରି କହିବି ଯେ ଆପଣଙ୍କ ଆଦେଶ ଏବଂ ସହଯୋଗରେ ଏ ସମସ୍ତ ଦୁର୍ନୀତି ହୋଇଛି।”
“ବ୍ରଜଭାଇ, ତୁମ ପାଗଲ ହୋ ଗୟା କ୍ୟା?”
ଅଗ୍ନିପରୀକ୍ଷା
ଶେଷରେ ତଦନ୍ତ ହେଲା ଓ ତଦନ୍ତ ପରେ ସତ୍ୟପାଲଜୀ ମୋତେ ଲେଖିଲେ “ବ୍ରଜଭାଇ ଏଥର ମଧ୍ୟ ତୁମେ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲ।” ଦୁଇଟି ଯାକ ତଦନ୍ତ ଦସ୍ତାବିଜ ଏବେବି ମୋ ସହିତ ରହିଛି।
ଏମିତି କେତେ ଘଟଣାକୁ ମୁଁ ସଠିକ ଭାବେ ନିର୍ଭୀକ ହୋଇ ସାମନା କରିଛି। କେତେଥର ମୋତେ ଅର୍ଥ ତଥା ରାଜ୍ୟସଭା ଆସନର ପ୍ରଲୋଭନ ଦିଆଯାଇଛି। ଯାହାକି ମୁଁ ପ୍ରତ୍ୟାଖ୍ୟାନ କରିଛି, ଯାହା ଅନେକ ବୁଦ୍ଧିଜୀବୀ ତଥା ରାଜନେତା ଜାଣିଛନ୍ତି। ଅନ୍ୟ ଗଣମାଧ୍ୟମରେ ମଧ୍ୟ ପ୍ରସାର ହୋଇଛି। ମୁଁ ମୋ ବିରୋଧୀମାନଙ୍କୁ ଧନ୍ୟବାଦ ଦେବି ଏଇଥି ପାଇଁ ଯେ ସେମାନେ ଦୁଇଟିଯାକ ଅଭିଯୋଗରେ ମୋର କୌଣସି ଅର୍ଥ ଦୁର୍ନୀତି ଉପରେ କିଛି ବି ଦାବି ରଖି ନଥିଲେ।
୯୭ଲକ୍ଷ ଟଙ୍କା ‘ସମାଜ’ ଅର୍ଥ-ଦୁର୍ନୀତିରେ ମୋର ସମ୍ପୃକ୍ତି ଏମିତି ଥିଲା ଯେ, ମନୁଭାଇଜୀ ୫୦ଲକ୍ଷ ଏବଂ ସତ୍ୟପାଲଜୀ ୪୭ ଲକ୍ଷ ନଗଦ ଟଙ୍କା ଆଣି ଦେଲେ, ଯାହା ଅଡିଟର ରିପୋର୍ଟ ଅନୁଯାୟୀ ‘ସମାଜ’ ଖାତାରେ ଜମା ହୋଇଛି ଏବଂ ଚେକ୍ ମାଧ୍ୟମରେ ମନୁଭାଇ ଏବଂ ସତ୍ୟପାଲଙ୍କୁ ଫେରାଯାଇଛି । ଚେକ୍‌ରେ ମନୋରମା ମହାପାତ୍ର, ସତ୍ୟପାଲ ଏବଂ ମୁଁ ଦସ୍ତଖତ କରିଛୁ। ସୂଚନାଯୋଗ୍ୟ, ଯେଉଁଥିପାଇଁ ଏ ଅର୍ଥ ଆସିଥିଲା ସେ ପ୍ରକଳ୍ପର ରିଜୋଲ୍ୟୁସନ ଏବଂ ଆଦେଶପତ୍ର ଲୋକସେବକ ମଣ୍ଡଳ ତଥା ‘ସମାଜ’ ପରିଚାଳନା ବୋର୍ଡର ଲିଖିତ ନିର୍ଦ୍ଦେଶ ଭାବେ ଥିଲା। ଏହି ଅର୍ଥ ବିନିଯୋଗ ହୋଇ ସେ ସମୟରେ ଭୁବନେଶ୍ୱରରେ ‘ସମାଜ’ ପ୍ରସାରଣ ଅଚାନକ ଭାବେ ୩୦,୦୨୦ ଅଧିକ ବୃଦ୍ଧି ହୋଇଥିଲା।
ତାପର ଘଟଣା ଆପଣମାନଙ୍କ ସାମନାରେ।
କାରାଗାରର ଖାଦ୍ୟ
ରାତି ୯ଟା ହେଲାଣି, ରାତ୍ରୀ ଭୋଜନରେ ବସିଲୁ। କାରାଗାର ଅନୁମତିରେ ପ୍ରତିଦିନ ମୋର ଖାଦ୍ୟ ଘରୁ ଆସେ। ଗୁଣ୍ଡୁଚୀ (ଅନ୍ୟ ଜଣେ କୈଦୀ) ମୋତେ ସବୁ କାମରେ ସହଯୋଗ କରିଥାଏ। ଟିଫିନ ଖୋଲି ଖାଇବସିଲୁ। ଖାଦ୍ୟ ସହ ଏକ କାଗଜ ଆସିଥିଲା। ପ୍ରାୟ ଅଧିକାଂଶ ଦିନ ଆସେ ଏବଂ ଯାଏ, ଯେଉଁଥିରେ ମୋର ଖାଦ୍ୟ ଫର୍ମାସି ସହ ସେପଟୁ ଖବର ଆସିଥାଏ। ପ୍ରାୟ ମୁଖ୍ୟ ଫାଟକରେ ମୋର ଖାଦ୍ୟ ଯାଞ୍ଚ ହୋଇ ନ ଥାଏ।
ମୋର କାରାଗାର ଜୀବନୀରେ ବହୁ ଘଟଣାକୁ ରଖିଛି ଯାହା ପ୍ରକାଶିତ ହେବା ଅପେକ୍ଷାରେ। ରାତିରେ ଶୋଇବା ପୂର୍ବରୁ କାଗଜଟି ପଢିଲି। ସଞ୍ଜୁ ଲେଖିଥିଲେ “ଜାଣିଛ ମାମା ଆଉ ସ୍କୁଲ ଯିବାକୁ ଚାହୁଁନି। ତାର ସାଙ୍ଗମାନେ ତାକୁ ଅବାଗିଆ ପ୍ରଶ୍ନ କରୁଛନ୍ତି। ତୋ ବାପା ଯଦି କିଛି କରିନାହାନ୍ତି ତାହା ହେଲେ ସେ ଜେଲରେ କାହିଁକି? ତମେ କିଛି ଭାବିବନି, ମୁଁ ତାକୁ ବୁଝାଇ ଦେଇଛି; ତୋ ବାପା ଜଣେ ଅଭିଯୁକ୍ତ, କିନ୍ତୁ ଦୋଷୀ ନୁହଁନ୍ତି। ସମୟ ଠିକ ସମୟରେ ସତ୍ୟକୁ ପଦାକୁ ଆଣିବ। ଭଗବାନ ଅଛନ୍ତି , ତମେ ଚିନ୍ତା କରିବନି। ମୁଁ ଅଛି; ପିଲା ଲୋକ, ସବୁ ବୁଝିଯିବ।” ସେ ଦିନ ରାତିରେ ମୁଁ ଶୋଇ ପାରିଲିନି , ହେ ଭଗବାନ ! କେଉଁ ଜନ୍ମର ଦୋଷ ପାଇଁ ମୁଁ ଆଜି ଏଇଠି?
ତା’ ପର ଦିନ ଜେଲରୁ ଫୋନ କରି ମାମା ସହିତ କଥା ହେଲି। “ଆଜି ସ୍କୁଲ ଯାଇଥିଲୁ, କଣ ଖାଇଛୁ?” “ବାପା, ଆଜି ପରା ରବିବାର, ତମର ଆଉକିଛି ମନେ ରହୁନି। ତମେ ଖାଇ ସାରିଲଣି।” ସ୍ପଷ୍ଟ ଜାଣିପାରୁଥିଲି ତାର କଥାବାର୍ତ୍ତାରୁ ୧୨ ବର୍ଷର ଝିଅଟି କେମିତି ଭାଙ୍ଗି ପଡିଛି?” “ମା’ଲୋ, ଦୁନିଆ ଯାହା ବି କହୁ ମୋ ଅନ୍ତରାତ୍ମା କହୁଛି ମୁଁ ଚୋର ନୁହେଁ କି ମୋ ଦ୍ୱାରା ଏ ପ୍ରକାର ହୀନକାମ ହୋଇନି। ଜେଲ ତ ବହୁ ବଡ଼ ବଡ଼ ଲୋକ ଯାଇଛନ୍ତି, ଦୋଷାରୋପ ମଧ୍ୟ ହୋଇଛନ୍ତି। ମୁଁ ତ ଜଣେ ଅଭିଯୁକ୍ତ, କିନ୍ତୁ ଦୋଷୀ ନୁହେଁ।” ସେପଟୁ ମାମା କାନ୍ଦୁଥିଲା। “ବାପା, ତମେ ବ୍ୟସ୍ତ ହୁଅନି, ମମି ପରା ମୋ ସହିତ ଅଛି। ମୋର ପୁରା ବିଶ୍ୱାସ ତମେ ନିର୍ଦ୍ଦୋଷ।”
ଆଃ କି ଶାନ୍ତି , ଫୋନ ଛାଡ଼ି ଦୀର୍ଘଶ୍ୱାସ ନେଲି।
ଅଦାଲତ ମୋତେ ଦୋଷମୁକ୍ତ ମାନୁ କି ନ ମାନୁ, ସେଦିନ ଯେମିତି ମତେ ଲାଗିଲା ଜଣେ ସ୍ରଷ୍ଟା ନିଜ ସୃଷ୍ଟି ଆଗରେ ନିର୍ଦ୍ଦୋଷ ହୋଇଯାଇଛି।

(ରଚନା ତିଥି – ୧୪ ଜୁଲାଇ, ୨୦୨୫)

2 thoughts on “ଅଭିଯୁକ୍ତର ଦୀର୍ଘଶ୍ୱାସ

  1. ଅନୁଭୂତିଟି ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇଛି। ଆଗକୁ ଆଗକୁ ଜାଣିବାକୁ ଇଛା ଥିଲେ ମଧ୍ୟ ସରିଗଲା।

Leave a Reply

Your email address will not be published. Required fields are marked *