ଗଣେଶଙ୍କ ଲଡୁ

ଚାହୁଁ ଚାହୁଁ ପଚାଶ କିଲୋର ଲଡ଼ୁଟା ପଚାଶ ମିନିଟ ନହେଉଣୁ କୁଆଡ଼େ ସରିଗଲା।

ବିଜୟା ପାତ୍ର

ମହା ସମାରୋହରେ ଗଣେଶଙ୍କ ବିସର୍ଜନ ଶୋଭାଯାତ୍ରା ଚାଲିଛି। ସାହି ଭିତରେ ଥିବା ପୂଜା ପେଣ୍ଡାଲରୁ ଠାକୁରଙ୍କୁ ଆଣି ସୁସଜ୍ଜିତ ଟ୍ରକ୍‌ର ପଛପଟେ ସ୍ଥାପନ କରାଯାଇ ସାରିଲାଣି। ଏଠାରୁ ସାହି ଶେଷ ମୁଣ୍ଡ ବଜାର ପର୍ଯ୍ୟନ୍ତ ସମସ୍ତେ ତାଙ୍କ ସହିତ ବିସର୍ଜନ ଶୋଭାଯାତ୍ରାରେ ଯିବେ। ସେଠାରେ ବଜାରର ବ୍ଯବସାୟୀ ସଂଘ ତରଫରୁ ଲଡୁ ଭୋଗ ହେବ। ତାପରେ ଡିଜେ ବାଜା ସହ ଟିକେ ଧୂମ୍ ଧଡ଼ାକା ନାଚ ତାମସା ବି ହେବ। ସେଠାରୁ ଭୋଗ ଖାଇ ପ୍ରଭୁ ସିଧା ନଈ ପଠାକୁ ଯାଇ ସେଇଠି ବିସର୍ଜିତ ହେବେ। ଏଇଟା ହେଲା ସେଠାକାର ମୋଟାମୋଟି ଗଣେଶ ପୂଜାର ଶେଷ ବିଧି। ଆଖପାଖରେ ହେଉଥିବା ଛୋଟବଡ଼ ପ୍ରାୟ ପଚାଶ ଗଣେଶଙ୍କ ଭିତରେ ସେଇ ଗଣେଶ ସର୍ବପୂରାତନ ଏବଂ ସବୁଠାରୁ ବିଶାଳକାୟ।
ଏଥର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଯବସାୟୀ ସଂଘ ପଚାଶ କିଲୋଗ୍ରାମ ଓଜନର ବିରାଟ ସ୍ବାଦିଷ୍ଟ ଲଡ଼ୁଟିଏ ବନାଇଛି ଭୋଗ ଲଗାଇବା ପାଇଁ। ପ୍ରାୟ ଦଶଜଣ କାରିଗର ଦିନ ସାରା ଲାଗି ବହୁ ସୁନ୍ଦର ଦ୍ରବ୍ଯ ମିଶ୍ରିତ କରି ଲଡ଼ୁଟି ବନାଇଛନ୍ତି। ଭେଗ ହେବା ପରେ ସେଥିରୁ ଟିକେ ଟିକେ ଅଂଶ ପ୍ରସାଦ ରୂପେ ଉପସ୍ଥିତ ସମସ୍ତ ଭକ୍ତ ମଣ୍ଡଳୀଙ୍କ ମଧ୍ଯରେ ବାଣ୍ଟି ଦିଆଯିବ। ଏଣୁ ସେହି ଛକରେ ଏଥର ଦେଖଣାହାରୀ ଓ ଭୋଗ ଆଶାୟୀ ଭକ୍ତଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଭୋଗ ଖାଇବା ଆଶାରେ ସାହିମୁଣ୍ଡ କୋଣର ଭଙ୍ଗା କୁଡିଆରେ ରହୁଥିବା କାଳିଆ, ଟୁନି ,ହାଡୁ ମଧ୍ଯ ଆଜି ଭକ୍ତ ସାଜିଛନ୍ତି। ବିସର୍ଜନ ଶୋଭାଯାତ୍ରାର ଭିଡ଼ ଭିତରେ ଗୋଟିଏ କଡ଼ରେ ସେମାନେ ଚାଲିଛନ୍ତି। କେତେ ଶୀଘ୍ର ଭୋଗ ହେବ ଓ ସେମାନେ ଭୋଗ ଖାଇ ଘରକୁ ଫେରିବେ। ସକାଳେ କେତେବେଳେ କଣ ପଖାଳ ଦିମୁଠା ଖାଇଥିଲେ ଯେ, ଏବେ ଭୋକରେ ପେଟ କଁ କଁ କଲାଣି।

ଠାକୁରଙ୍କ ପାଖରେ ଯଥା ସମୟରେ ଗୋଟିଏ ବଡ ଥାଳିରେ ଲଡ଼ୁ ଭୋଗ ନିବେଦନ କରାଗଲା। ତାପରେ ଗୁଡିଏ କାଗଜ ଠୋଲାରେ ପାଞ୍ଚ ଛଅ ଜଣ ଗୁଣ୍ଡା ମାର୍କା ଟୋକା ଲଡ଼ୁରୁ ଛୁରୀରେ କାଟି କାଟି ଖଣ୍ଡେ ଖଣ୍ଡେ ଉପସ୍ଥିତ ସମସ୍ତଙ୍କୁ ବାଣ୍ଟି ଚାଲିଥାନ୍ତି। ସେଇ ଜାଗାରେ ବହୁତ ଠେଲାପେଲା ଚାଲିଥାଏ। ଏଇ ତିନିଟା ଛୁଆ ଖୁବ୍ ଚେଷ୍ଟା କରି ବି ଭୋଗ ବାଣ୍ଟୁଥିବା ଲୋକଙ୍କ ପାଖରେ ପହଞ୍ଚି ପାରିଲେନି। ଓଲଟି କିଏ ଜଣେ ଧକ୍କା ଦେବାରୁ ସେମାନଙ୍କ ଭିତରେ ଟିକେ ବଡ଼ କାଳିଆଟା ରାସ୍ତା କଡ଼ ନାଳ ଭିତରକୁ ପଡ଼ି ଯାଉ ଯାଉ ରହିଗଲା। ତାର ଅବସ୍ଥା ଦେଖି ଟୁନି ଓ ହାଡୁ ପଛଘୁଞ୍ଚା ଦେଲେ।
ଚାହୁଁ ଚାହୁଁ ପଚାଶ କିଲୋର ଲଡ଼ୁଟା ପଚାଶ ମିନିଟ ନହେଉଣୁ କୁଆଡ଼େ ସରିଗଲା। ତାପରେ ଜମିଥିବା ଭିଡ ପତଳା ହେବାକୁ ଲାଗିଲା। କାଳିଆ, ଟୁନି ଆଉ ହାଡ଼ୁ ମନରେ କୋହ, ଆଖିରେ ଲୁହ ଭରିଗଲା। ହେଲେ ସିଆଡ଼େ ଦେଖୁଛି କିଏ? ଗୋଟିଏ ବନ୍ଦ ହେଇଥିବା ଗୁମୁଟି ଦୋକାନ ପାଖରେ ଠିଆ ହୋଇ ସେମାନେ ଖାଲି ଲଡୁ ଖାଉଥିବା ମଣିଷମାନଙ୍କୁ ଦେଖୁଥିଲେ।
ଟ୍ରକ୍ ଉପରେ ଥାଇ ଗଣେଶ ଠାକୁର କିନ୍ତୁ ସବୁ ଦେଖୁଥିଲେ। ଛୁଆମାନଙ୍କର ଦୁଃଖ ଦେଖି ସିଏ ସହି ପାରୁ ନଥିଲେ। କିଛି କରିପାରୁ ନଥିବାରୁ ନିଜକୁ ବି ଖୁବ୍ ଅସହାୟ ମଣୁଥିଲେ ।
କିଛି ସମୟ ପରେ ଛୋଟ ଛୁଆଟିଏ ଆସି ତିନି ଜଣଙ୍କ ପାଖରେ ଠିଆହେଲା। କେଉଁ ବଡ଼ ଲୋକ ଘର ଛୁଆଟିଏ ବୋଧହୁଏ। ଭଲ ଜାମା ପଟା ପିନ୍ଧିଛି। ଗୋରା ହେଇ ସୁନ୍ଦର ଛୁଆଟେ। ଦଶବାର ବର୍ଷର ହେବ। ଟିକେ ମୋଟାସୋଟା ଚେହେରା ତାର।
ସେ କହିଲା, ଆରେ, ତୁମେମାନେ ଏଇଠି ଅଛ? ମୁଁ ତ ତୁମମାନଙ୍କୁ ହିଁ କେତେବେଳୁ ଖୋଜୁଚି। କାଳିଆ ମୁରବି ସ୍ବରରେ ପଚାରିଲା, କାହିଁକି? ପିଲାଟି କହିଲା, ଆଜି ମୋର ଜନ୍ମଦିନ। ମୁଁ ଭାବିଥିଲି ମୋ ଜନ୍ମ ଦିନରେ ଏଥର ଛୁଆମାନଙ୍କୁ ଲଡୁ ଖୁଆଇବି। ହେଲେ ଆମ ଘରେ ଜନ୍ମ ଦିନ ପୂଜା ସରିଲା ପରେ ବାହାରକୁ ଆସି ପିଲାମାନଙ୍କୁ ଖୋଜୁଚି। କିନ୍ତୁ କେହି ଜଣକୁ ବି ପାଉନି। ତୁମେ ମାନେ ଲଡୁ ଖାଇବ ନା?
ତିନି ଜଣଙ୍କ ଖୁସି ଦେଖେ କିଏ! ସେମାନେ ସଂଗେ ସଂଗେ ମୁଣ୍ଡ ହଲେଇ ହଁ କଲେ। ତାପରେ ପିଲାଟି ସାଥିରେ ଆଣିଥିବା ଗୋଟିଏ ଜରି ବ୍ଯାଗ୍ ଭିତରୁ ପ୍ଲାଷ୍ଟିକ୍ର ଲଡୁ ଭର୍ତ୍ତି ଡବାଟିଏ କାଢି କାଳିଆ ହାତକୁ ବଢାଇ ଦେଲା। ତିନିହେଁ ଆନନ୍ଦ ରେ ଗୋଟିକ ପରେ ଗୋଟିଏ ଲଡୁ ଜଲଦି ଜଲଦି ଖାଇ ଚାଲିଲେ; ସତେ ଯେମିତି ଡେରି ହେଲେ ତାଂକଠାରୁ କିଏ ସବୁ ଛଡାଇ ନେବ। ତାଙ୍କ ଚାରିପାଖରେ କଣ ଘଟୁଛି ଦେଖିବାକୁ ସେମାନଙ୍କର ଆଉ ଧୈର୍ଯ୍ୟ ନଥିଲା। ସତରେ ଲଡୁଗୁଡିକ ଖୁବ୍ ସୁନ୍ଦର ଆଉ ସ୍ବାଦିଷ୍ଟ ହେଇଛି। ଆକାରରେ ବି ବଡ ବଡ।
ଏମିତି ଜଣକା ତିନି ଚାରିଟା ଲଡୁ ଖାଉଖାଉ ତାଙ୍କର ପେଟ ଭରିଗଲା। ଡବାରେ ଆହୁରି ଲଡୁ ଅଛି। ହେଲେ ଖାଇବାକୁ ସେମାନଙ୍କର ଆଉ ଶକ୍ତି ନାହିଁ। ସେମାନେ କିଛି କହିବେ ବୋଲି ସେ ପିଲାଟି ଆଡ଼କୁ ଅନାଇଲେ। ହେଲେ ପିଲାଟି କାହିଁ କୁଆଡେ ଦେଖା ଯାଉ ନଥିଲା।
ଗଣେଶଙ୍କ ଶୋଭାଯାତ୍ରା ବହୁତ ଦୂର ଚାଲି ଗଲାଣି। କାଳିଆ ଆଉ ଟିକେ ଆଗକୁ ଯାଇ ସେ ପିଲାଟିକୁ ଖୋଜିବାକୁ ଚେଷ୍ଟା କରୁଥିଲା। ହେଲେ ପାଉ ନଥିଲା। ଭସାଣୀର ରୋଶଣୀ ଭିତରେ ପିଲାଟି କୁଆଡେ ଅଦୃଶ୍ୟ ହୋଇଯାଇଥିଲା ଯେପରି।
ସେପଟେ ମେଢ ଭିତରେ ଥାଇ ନଈ ମୁହାଁ ହେଉଥିବା ଗଣେଶ ଠାକୁର କେଜାଣି କାହିଁକି ଅଧିକ ଉଜ୍ଜ୍ବଳ ଓ ହସହସ ବଦନଯୁକ୍ତ ଦେଖାଯାଉଥିଲେ।

2 thoughts on “ଗଣେଶଙ୍କ ଲଡୁ

  1. ଗଣେଶଙ୍କ ବିସର୍ଜନ ସମୟରେ ଘଟୁଥିବା ଦୃଶ୍ୟକୁ ଅତି ନିଖୁଣ ଭାବରେ ଗଳ୍ପ ଆକାରରେ ରଚନା କରାଯାଇଛି। ବହୁତ୍ ଭଲ ଲାଗିଲା।

  2. ବହୁତ ସୁନ୍ଦର ଉପସ୍ଥାପନା । ଭଲ ଲାଗିଲା।

Leave a Reply

Your email address will not be published. Required fields are marked *