ଲେଖକର ବ୍ୟକ୍ତିଗତ ଜୀବନ ଓ ତା’ର ଲେଖକ ଜୀବନ ଏକ ନୁହେଁ। କୌଣସି କାରଣରୁ ହିଁ ଏହି ଦୁଇଟାକୁ ମିଳେଇବା ଉଚିତ ନୁହେଁ।

ଆଦର୍ଶବୋଧର କଥା କହୁଥିବା କବି ବା ଲେଖକ ଅନେକ ସମୟରେ ସେହି ଆଦର୍ଶର ବିପରୀତ କର୍ମ କରୁଥିବାର ଦେଖାଯାଏ। ଯେତେବେଳେ ସେହିଭଳି ଲେଖକ ବା କବି କୌଣସି ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ବା ପୁରସ୍କୃତ ହୁଅନ୍ତି ପାଠକମାନେ ଭ୍ରୁକୁଞ୍ଚନ କରିବା ସ୍ୱାଭାବିକ। ଆମେ ଆଶାକରୁ, ଯିଏ ଯେଉଁ ଆଦର୍ଶର କଥା କହୁଛନ୍ତି ସେ ସେହି ଆଦର୍ଶର ନମୁନା ସାଜନ୍ତୁ; ମାତ୍ର ଏହା ସବୁବେଳେ ସମ୍ଭବ ହୁଏ ନାହିଁ। କୌଣସି ମଣିଷ ସଂପୂର୍ଣ୍ଣ ଦୋଷଶୂନ୍ୟତା ବା ସର୍ବଶ୍ରେଷ୍ଠତାର ଉଦାହରଣ ହେବା ଅସମ୍ଭବ। ମଣିଷ ଉଭୟ ସୁଗୁଣ ଓ ଦୁର୍ଗୁଣର ଏକ ସମଷ୍ଟି। ଏଣୁ ବେଳେ ବେଳେ ଦେଖାଯାଏ ଯେ, ଯେତେବେଳେ ଜଣେ କବି ବା ଲେଖକ ପୁରସ୍କୃତ ବା ସମ୍ବର୍ଦ୍ଧିତ ହୁଏ ତାର ସମଗ୍ର ବ୍ୟକ୍ତିସତ୍ତା ତାକୁ ଆତ୍ମସାତ୍ କରିବାର ଯୋଗ୍ୟ ନୁହେଁ।
ଜେମସ୍ ଜୋୟେସ୍
୨୦୦୭ ମସିହାରେ ବିଶିଷ୍ଟ ଲେଖକ ମନୋଜ ଦାସ କେନ୍ଦ୍ର ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଫେଲୋସିପ୍’ ଗ୍ରହଣ କଲାବେଳେ ଏ ସଂପର୍କରେ ସ୍ପଷ୍ଟ କରିବାକୁ ଯାଇ ଇଂରେଜ ଲେଖକ ଜେମ୍ସ ଜୋୟେସଙ୍କ ଉଦାହରଣ ଦେଇଥିଲେ। ଥରେ ଏକ ସମାବେଶରେ ଜେମସ୍ ଜୋୟେସ୍ଙ୍କ ପାଖକୁ ଉଠି ଆସି ଜଣେ ଭଦ୍ରମହିଳା ନମ୍ରଭାବରେ କହିଲେ, “ହେ ମୋର ପ୍ରିୟ ଲେଖକ! ତୁମେ ଯେଉଁ ହାତରେ ‘ୟୁଲିସସ୍’ ଲେଖିଛ ସେ ହାତରେ ମୁଁ ଥରଟିଏ ଚୁମ୍ବନ ଦେଇପାରେ?” ଆହୁରି ନମ୍ର ଭାବରେ ଜେମ୍ସ ଜୋୟେସ ଉତ୍ତର ଦେଲେ, ‘ମାଡାମ୍, ଏହି ହାତରେ ମୁଁ ଅନ୍ୟାନ୍ୟ କାମ ବି କରିଛି।’ ଏକଥାର ତାତ୍ପର୍ଯ୍ୟ ହେଉଛି ଯେତେବେଳେ ଆମେ କୌଣସି ଲେଖକକୁ ପୁରସ୍କୃତ ବା ସମ୍ବର୍ଦ୍ଧିତ କରୁ, ତା’ର ସମଗ୍ର ବ୍ୟକ୍ତିସତ୍ତାକୁ ଆମେ ସମ୍ମାନ ଜଣାଉନାହିଁ, ତା’ର ଏକ ବିଶେଷ ଗୁଣ ବା ଦିଗ ପ୍ରତି ସମ୍ମାନ ଜଣାଉ। ଲେଖକ ଭାବିବା ଉଚିତ ନୁହେଁ ଯେ, ସେହି ପୁରସ୍କାର ବା ସମ୍ବର୍ଦ୍ଧନା ଗୋଟାପଣେ ତା’ର ପ୍ରାପ୍ୟ। ମନୋଜ ଦାସଙ୍କ ଭାଷାରେ, “ବ୍ୟକ୍ତିଗତ ଭାବରେ ଜଣେ ଲେଖକକୁ ସ୍ୱୀକୃତି ବା ସମ୍ବର୍ଦ୍ଧନା ଦେବାବେଳେ ଆମେ ଏକ ପରଂପରାକୁ ସ୍ୱୀକୃତି ଦେଇଥାଉ। ଆମେ ଯଦି ‘ବୈଦେହୀଶ ବିଳାସ’ର କବିଙ୍କୁ ସ୍ୱୀକୃତି ଦେବୁ, ବଳେବଳେ ତାହା ହେବ ରାମ-ସାହିତ୍ୟ ବା ବାଲ୍ମିକୀ ସୃଷ୍ଟ ପରଂପରାର ପ୍ରାପ୍ୟ। ବ୍ୟାସ ବିନା ଫକୀରମୋହନ ‘ବ୍ୟାସକବି’ ହୋଇପାରି ନ ଥାନ୍ତେ। ଭାଗବତ ପରବର୍ତ୍ତୀ ବୈଷ୍ଣବ ସାହିତ୍ୟ ବିନା ବିଦଗ୍ଧ କବି ରମାକାନ୍ତ ରଥଙ୍କ ‘ଶ୍ରୀରାଧା’ ଅଥବା ସାର୍ଥକ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ‘ତାମସୀରାଧା’ ସମ୍ଭବ ହୋଇ ନଥାନ୍ତା। ସାହିତ୍ୟ ଏକ ଅବିଚ୍ଛିନ୍ନ ଧାରା। ଆମେ କୌଣସି ଲେଖକକୁ ପୁରସ୍କାର ଦେବାବେଳେ ସେହି ଧାରାକୁ ହିଁ ସ୍ୱୀକୃତି ଦେଇଥାଉ।”

ଫ୍ରାନ୍ସିସ୍ ବେକନ୍
ଏଲିଜାବେଥ ଯୁଗରେ ଫ୍ରାନ୍ସିସ୍ ବେକନ୍ ଥିଲେ ଜଣେ ପ୍ରତିଷ୍ଠିତ ପ୍ରାବନ୍ଧିକ। ଇଂଲିଶ ସାହିତ୍ୟରେ ତାଙ୍କୁ ‘ପ୍ରବନ୍ଧ’ର ପିତା ଭାବରେ ଗ୍ରହଣ କରାଯାଇଛି। ସେ ସାଂସାରିକ ଜୀବନର ବିଭିନ୍ନ ଦିଗ ଯଥା ସତ୍ୟ, ବିବାହ, ବନ୍ଧୁତା, ଅଧ୍ୟୟନ, ପ୍ରତିହିଂସା, ପ୍ରେମ, ସାଧୁତା, ଭ୍ରମଣ, ସମ୍ପଦ, ଉଚ୍ଚାକାଂକ୍ଷା, ଛଳନା ଆଦି ବିଷୟବସ୍ତୁକୁ ନେଇ ଲେଖିଛନ୍ତି ଅନେକ କାଳଜୟୀ ପ୍ରବନ୍ଧ। ଅତି ସଂକ୍ଷିପ୍ତ ଭାବରେ ଏକ ପ୍ରବଚନୀୟ ଶୈଳୀରେ ସେ ନିଜ ଧାରଣାଗୁଡ଼ିକୁ ଆକର୍ଷଣୀୟ ଭାବରେ ପ୍ରବନ୍ଧଗୁଡ଼ିକରେ ପ୍ରକାଶ କରିଛନ୍ତି। ତାଙ୍କ ପ୍ରବନ୍ଧଗୁଡ଼ିକ ଏତେ ତଥ୍ୟପୂର୍ଣ୍ଣ ଓ ସାମାଜିକ ଜୀବନରେ ଏତେ ଉପାଦେୟ ଯେ ସେଗୁଡ଼ିକୁ କୁହାଯାଏ ବାସ୍ତବଜ୍ଞାନର ଏକ ଦରକାରୀ ପୁସ୍ତିକା (ଏ ହ୍ୟାଣ୍ଡବୁକ୍ ଅଫ୍ ପ୍ରାକ୍ଟିକାଲ ୱିଜ୍ଡମ୍)। ଇଂରାଜୀ ପ୍ରବନ୍ଧ ସାହିତ୍ୟକୁ ତାଙ୍କର ଦାନ ଅତୁଳନୀୟ। ସେ ହିଁ ଇଂରାଜୀ ପ୍ରବନ୍ଧ ସାହିତ୍ୟରେ ଏକ ନୂଆ ଧାରାର ପ୍ରବର୍ତ୍ତକ। ମାତ୍ର ତାଙ୍କର ପ୍ରବନ୍ଧଗୁଡ଼ିକରେ ସେ ଯେଉଁ ମୂଲ୍ୟବୋଧର କଥା କହିଛନ୍ତି ବ୍ୟକ୍ତିଗତ ଜୀବନରେ ସେ ତା’ଠୁ ବହୁ ଦୂରରେ। ସେ ଥିଲେ ପ୍ରଚଣ୍ଡ ଜ୍ଞାନୀ, ମାତ୍ର ନୈତିକତା ଦୃଷ୍ଟିରୁ ତାଙ୍କ ଚରିତ୍ରରେ ଦେଖିବାକୁ ମିଳେ ଅନେକ ସ୍ଖଳନ। ଲୋଭ, ଅନୈତିକ ଆଚରଣ, ଅସାଧୁତା, ଆଡ଼ମ୍ବରପୂର୍ଣ୍ଣ ପ୍ରଦର୍ଶନ ଭଳି ଅନେକ ଦୁର୍ଗୁଣର ସେ ଅଧିକାରୀ ଥିଲେ। ତେଣୁ ବିଶିଷ୍ଟ କବି ଆଲେକଜାଣ୍ଡାର ପୋପ୍ ତାଙ୍କୁ ଜ୍ଞାନୀଶ୍ରେଷ୍ଠ, ଉଜ୍ଜଳତମ ଓ ନିକୃଷ୍ଟତମ ବ୍ୟକ୍ତି (ୱାଇଜେଷ୍ଟ, ବ୍ରାଇଟେଷ୍ଟ ଏଣ୍ଡ୍ ମିନେଷ୍ଟ ଅଫ୍ ମ୍ୟାନକାଇଣ୍ଡ୍) ବୋଲି କହିଛନ୍ତି। ତାଙ୍କ ପ୍ରବନ୍ଧ ‘ଅଫ୍ ଜୁଡ଼ିକେଚର’ ରେ ସେ ଲେଖିଛନ୍ତି, ସର୍ବୋପରି ସାଧୁତା ହେଉଛି ବିଚାରକମାନଙ୍କ ସୁଗୁଣ। (‘ଏବଭ ଅଲ୍ ଥିଙ୍ଗ୍ସ, ଇଣ୍ଟିଗ୍ରିଟି ଇଜ୍ ଦେୟାର ପୋରସନ ଆଣ୍ଡ୍ ପ୍ରପର୍ ଭର୍ଚ୍ୟୁ’)। ମାତ୍ର ସେ ବିଚାରକ ଥିବାବେଳେ ଲାଞ୍ଚ ନେଉଥିବାର ମଧ୍ୟ ଜଣାଯାଏ। ଫ୍ରାନ୍ସିସ୍ ବେକନଙ୍କ ବ୍ୟକ୍ତିତ୍ୱ ଥିଲା ଦ୍ୱିଧା ବିଭକ୍ତ ବ୍ୟକ୍ତିତ୍ୱ। ଗୋଟିଏ ପଟେ ସେ ଥିଲେ ଅସାଧାରଣ ଜ୍ଞାନୀ ଓ ଅନ୍ୟପଟେ ସେ ଥିଲେ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି। ମାତ୍ର ଯେତେବେଳେ ଆମେ ଇଂରାଜୀ ସାହିତ୍ୟରେ ପ୍ରବନ୍ଧର ପ୍ରାରମ୍ଭ ଓ ବିକାଶ ସଂପର୍କରେ ଆଲୋଚନା କରୁ ସେତେବେଳେ ଆମେ ତାଙ୍କର ସର୍ଜନଶୀଳ ପ୍ରତିଭାକୁ ସମ୍ମାନିତ କରୁ।
ଲିଓ ଟଲ୍ଷ୍ଟୟ
ଋଷିଆର ବିଶିଷ୍ଟ ଔପନ୍ୟାସିକ ଓ ଗାଳ୍ପିକ ଲିଓ ଟଲ୍ଷ୍ଟୟ ଥିଲେ ସମ୍ଭ୍ରାନ୍ତ ବଂଶଜ। କିଶୋର ସମୟରେ ସେ ବିଶୃଙ୍ଖଳିତ ଜୀବନ ଯାପନ କରୁଥିଲେ। ଅସଂଖ୍ୟ କୃଷକ କନ୍ୟାମାନଙ୍କ ସହ ସେ କାମାସକ୍ତ ଜୀବନ ବିତାଉଥିଲେ। ସେ ପଶାଖେଳ, ମଦ୍ୟ ଓ ମୈଥୁନରେ ଅଜସ୍ର ଅର୍ଥ ବ୍ୟୟ କରୁଥିଲେ। ତାଙ୍କର ଥିଲା ଏକ କୃଷି ଫାର୍ମ। ଫାର୍ମର ମହିଳା ଗୋତି ଶ୍ରମିକମାନଙ୍କୁ ଯୌନଶୋଷଣ କରିବା ଥିଲା ତାଙ୍କର ଅଭ୍ୟାସ। ତା’ସତ୍ତ୍ୱେ ତାଙ୍କର ସର୍ଜନଶୀଳ ପ୍ରତିଭାଦ୍ୱାରା ଆକର୍ଷିତ ହୋଇ ଆଭିଜାତ୍ୟ ସମ୍ପନ୍ନା ରୂପସୀ ଉଚ୍ଚଶିକ୍ଷିତା ସୋଫିଆ ତାଙ୍କୁ ବିବାହ କରିଥିଲେ। ସେ ନିଜେ ଟଲଷ୍ଟୟଙ୍କ ବିଶାଳ ଉପନ୍ୟାସ ‘ୱାର ଏଣ୍ଡ ପିସ୍’ର ପାଣ୍ଡୁଲିପି ନିଜ ହାତରେ ଲେଖିଥିଲେ। ଏହି ଉପନ୍ୟାସ ତାଙ୍କ ପାଇଁ ବିଶ୍ୱବ୍ୟାପୀ ଖ୍ୟାତି ଆଣିଦେଇଥିଲା। ପରବର୍ତ୍ତୀ ସମୟରେ ‘ଆନା କାରେନିନା’ ‘ଡେଥ୍ ଅଫ୍ ଇଭାନ ଇଲିଚ୍’ ଓ ଆହୁରି ଅନେକ କୃତି ରଚନାକରି ସାହିତ୍ୟ କ୍ଷେତ୍ରରେ ସେ ପ୍ରତିଷ୍ଠା ଅର୍ଜନ କରିଥିଲେ। ଯେତେବେଳେ ସେ ଋଷିଆର ଜାର୍ଙ୍କ ଦ୍ୱାରା ଗଠିତ ଏକ କମିଟିର ସଦସ୍ୟ ଭାବରେ କାର୍ଯ୍ୟ କଲାବେଳେ ଜାଣିଲେ ଯେ ତଳସ୍ତରର କୃଷକ, ଶ୍ରମିକ ଓ ଦିନ ମଜୁରିଆ ଦୟନୀୟ ଜୀବନ ଯାପନ କରୁଛନ୍ତି, ଖାଇବାକୁ ପାଉନାହାନ୍ତି, ପିନ୍ଧିବାକୁ କନା ନାହିଁ, ରହିବା ପାଇଁ କୁଡ଼ିଆ ନାହିଁ, ସେ ବିଚଳିତ ହୋଇପଡ଼ିଲେ। ହଠାତ୍ ତାଙ୍କର ଏକ ପରିବର୍ତ୍ତନ ହୋଇଗଲା। ସେ ତାଙ୍କର ସମସ୍ତ ସଂପଦ ସୋଫିଆଙ୍କୁ ହସ୍ତାନ୍ତର କରିଦେଲେ ଓ ସାଧାରଣ ଭାବେ ଜୀବନ ଯାପନ କଲେ। ମଦ-ମାଂସ ପରିତ୍ୟାଗ କଲେ। ଚାଷୀଙ୍କ ପୋଷାକ ପିନ୍ଧିଲେ, କାଠ କାଟିଲେ, ପାଣି ବୋହିଲେ, ଜୋତା ତିଆରି କଲେ। ଶେଷରେ ସେ ବନିଗଲେ ଜଣେ ଆଦର୍ଶ ମଣିଷ। ହୋଇପାରେ ଜଣେ ବିଭାଜିତ ବ୍ୟକ୍ତିତ୍ୱର ଅଧିକାରୀ; ମାତ୍ର ବେଳେବେଳେ ଗୋଟିଏ ମୁହୂର୍ତ୍ତର ଅନୁଭବ ସମଗ୍ର ଜୀବନଧାରାକୁ ଏକ ଭିନ୍ନ ମୋଡ଼ ଦେଇପାରେ। ଠିକ୍ ସେଭଳି ଘଟିଥିଲା ଟଲଷ୍ଟୟଙ୍କ ଜୀବନରେ। ଯେତେବେଳେ ପାଠକ ତାଙ୍କର ସାହିତ୍ୟକୃତି ପଢ଼ି ଅଭିଭୂତ ଓ ଆନନ୍ଦିତ ହୁଏ ସେତେବେଳେ ସେ ତାଙ୍କ ବ୍ୟକ୍ତିଗତ ଜୀବନଚର୍ଯ୍ୟା ବିଷୟରେ ସଚେତନ ନଥାଏ। ଟଲଷ୍ଟୟଙ୍କ ସର୍ଜନଶୀଳ ପ୍ରତିଭା ହିଁ ପାଠକକୁ ପ୍ରଭାବିତ ଓ ଉଦ୍ବୁଦ୍ଧ କରେ।

ଫକୀର ମୋହନ
ଓଡ଼ିଆ ସାହିତ୍ୟରେ ମଧ୍ୟ ଔପନ୍ୟାସିକ ଓ କବି ଫକୀର ମୋହନ ଜଣେ ବିବଦମାନ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ଚାକିରି ଜୀବନ ମୁଖ୍ୟତଃ ଅତିବାହିତ ହୋଇଥିଲା ଗଡ଼ଜାତ ଅଞ୍ଚଳରେ। ସେ କେତେବେଳେ ଦେୱାନ ତ ଆଉ କେତେେଳେ ମ୍ୟାନେଜର ପଦରେ ନୀଳଗିରି, ଡମପଡ଼ା, ଢେଙ୍କାନାଳ, ଦଶପଲ୍ଲା, ପାଲଲହଡ଼ା ଓ କେଉଁଝରରେ ଅବସ୍ଥାପିତ ଥିଲେ। କେଉଁଠାରେ ପ୍ରଜାମାନେ ବିଦ୍ରୋହ କରୁଥିଲେ ତ ଆଉ କେଉଁଠାରେ ସେ ରାଜା ବା ଇଂରେଜ ସରକାରଙ୍କ ଅପ୍ରିୟ ହେଉଥିଲେ। ଅନେକ ସମାଲୋଚକ ତାଙ୍କୁ କୁଚକ୍ରୀ, ଧୂର୍ତ୍ତ, ପ୍ରବଞ୍ଚକ ଓ ମିଥ୍ୟାବାଦୀ ଓ ମେଳିର ଖଳନାୟକ ଭାବରେ ବର୍ଣ୍ଣନା କରିଛନ୍ତି। ସେମାନେ କହିଛନ୍ତି ତାଙ୍କ ଆତ୍ମଜୀବନ ଚରିତ ପ୍ରମାଦଯୁକ୍ତ, ତଥ୍ୟବିହୀନ, ମିଥ୍ୟାଭିତ୍ତିକ ଓ କଳ୍ପନା ପ୍ରସୂତ। ତା’ ସତ୍ତ୍ୱେ ତାଙ୍କର ଉପନ୍ୟାସ ଛ’ମାଣ ଆଠଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ ଓ ଗଳ୍ପସମୂହ କାଳଜୟୀ ସୃଷ୍ଟି ଭାବରେ ଗୃହୀତ ହୋଇଛି। ତାଙ୍କର ସାହିତ୍ୟ କୃତି ଅସଂଖ୍ୟ ପାଠକମାନଙ୍କ ହୃଦୟକୁ ଜିଣିଛି ଓ ଆମେ ତାଙ୍କୁ ଆଜି ଆଧୁନିକ ଯୁଗର ପ୍ରବର୍ତ୍ତକ ଭାବରେ ସ୍ୱୀକୃତି ଦେଇଛୁ। ମଣିଷ ଏକାସଙ୍ଗେ ମନ୍ଦ ଓ ମହତ୍ ହୋଇପାରେ। ବେଳେବେଳେ ସେ ପାରିପାଶ୍ୱିର୍କ ଅବସ୍ଥା, ନିଜର ପ୍ରାକୃତିକ ଦୁର୍ବଳତା ବା ଅଜ୍ଞାନତା ପାଖରେ ଅସହାୟ ମଣେ। ତଥାପି ସେ ସତ୍ୟର ସନ୍ଧାନ ପାଇଁ ମଧ୍ୟ ବ୍ୟାକୁଳ ହୋଇପାରେ। ସେହି ସତ୍ୟର ସନ୍ଧାନ ମଧ୍ୟରୁ ହିଁ ସାହିତ୍ୟର ସୃଷ୍ଟି। ଏଣୁ ପାଠକର ସଂପର୍କ ଲେଖକର ବ୍ୟକ୍ତିଗତ ଜୀବନ ସହ ନୁହେଁ, ତା’ର ସଂପର୍କ ଲେଖକର ସୃଷ୍ଟି ସହ।
ଲେଖକର ବାସ୍ତବ ପରିଚୟ
ବିଶିଷ୍ଟ ଔପନ୍ୟାସିକ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଲେଖିଛନ୍ତି, “ଲେଖକର ବ୍ୟକ୍ତିଗତ ଜୀବନ ନେଇ ଏତେ ବ୍ୟସ୍ତ ହେବାର କି ପ୍ରୟୋଜନ? କିନ୍ତୁ ଲେଖକ ବୋଲି କ’ଣ ତାଙ୍କୁ ନିଜ ଜୀବନର ସବୁକଥା ସମସ୍ତଙ୍କୁ କହିବାକୁ ହେବ ଏହାର କି ମାନେ ଅଛି? ତାର ଲେଖା ମାଧ୍ୟମରେ ତାର ଯେତିକିଟା ପରିଚୟ ମିଳିଥାଏ, ସେତିକିକୁ ନେଇ ସନ୍ତୁଷ୍ଟ ରହିବା ଉଚିତ। ସେଇଟା ହିଁ ଲେଖକର ସତ୍ୟ ପରିଚୟ। ସେଥିପାଇଁ ମୁଁ କହେ ଲେଖକର ବ୍ୟକ୍ତିଗତ ଜୀବନ ଓ ତା’ର ଲେଖକ ଜୀବନ ଏକ ନୁହେଁ। କୌଣସି କାରଣରୁ ହିଁ ଏହି ଦୁଇଟାକୁ ମିଳେଇବା ଉଚିତ ନୁହେଁ। ମୋ’ ଲେଖାରେ ଯେତିକିଟା ମୁଁ ନିଜକୁ ବ୍ୟକ୍ତ କରିଛି ମୋର ପରିଚୟ ପାଠକମାନଙ୍କ ପାଇଁ ସେତିକି ଯଥେଷ୍ଟ।”
ମାନବ ମାତ୍ରକେ ଦୋଷ ଦୁର୍ଗୁଣଯୁକ୍ତ। ନିରବଚ୍ଛିନ୍ନ ସଦଗୁଣ ବା ନିରବଚ୍ଛିନ୍ନ ଦୁର୍ଗୁଣଯୁକ୍ତ ମାନବ ଜଗତରେ ଦୁର୍ଲଭ। ଏଣୁ ଆମେ କୌଣସି ଲେଖକ ବା କବିଙ୍କୁ ସମ୍ବର୍ଦ୍ଧନା ବା ପୁରସ୍କାର ଦେବାବେଳେ ତାଙ୍କର ସଂପୂର୍ଣ୍ଣ ବ୍ୟକ୍ତିତ୍ୱକୁ ସମ୍ମାନ ଦେଇ ନଥାଉ, ସମ୍ମାନ ଦେଇଥାଉ ତାଙ୍କର ସର୍ଜନଶୀଳ ଦିଗକୁ। ତା’ସତ୍ତ୍ୱେ ଏହା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ ଉଭୟ ବ୍ୟକ୍ତି ଜୀବନ ଓ ସାହିତ୍ୟିକ ଜୀବନରେ ଶୁଦ୍ଧତା ରହିଲେ ତାହା ଜନସମାଜ ପାଇଁ ବେଶି ପ୍ରଭାବଶାଳୀ ଓ ପ୍ରେରଣାଦାୟୀ ହୁଏ। ସମାଜ ପାଇଁ ଏହା ହିଁ ସ୍ମୃହଣୀୟ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ଅତ୍ୟନ୍ତ ଉଚ୍ଚକୋଟୀର ପ୍ରବନ୍ଧଟିଏ ପଢ଼ିବାକୁ ପାଇଲି। ଲେଖକଙ୍କୁ ଅନେକ ଅନେକ ଧନ୍ୟବାଦ।
ଲେଖକଙ୍କ ଲେଖାଟି ବେଶ୍ ଉପାଦେୟ ଓ ତଥ୍ୟପୂର୍ଣ୍ଣ। ଓଡ଼ିଆ ସାହିତ୍ୟରେ ଶାନ୍ତନୁ କୁମାର ଆସ୍ଚାର୍ଯ୍ୟ ଓ ଦିବଙ୍ଗତ ଚନ୍ଦ୍ରଶେଖର ରଥଙ୍କ ଭଳି ବ୍ୟକ୍ତିତ୍ୱ ପ୍ରାୟ ତାଙ୍କର ଲେଖା ସହିତ ତାଳ ଦେଇ ଗତି କରିଛି। ଅନ୍ୟ ପକ୍ଷରେ ପ୍ରତିଭା ରାୟ ଓ ଦିବଙ୍ଗତ ବିଣାପାଣି ମହାନ୍ତିଙ୍କ ବ୍ୟକ୍ତିତ୍ୱ ଓ ଲେଖା ମଧ୍ୟରେ ଅନେକ ଅସଙ୍ଗତି ବା ଅସାମଞ୍ଜସ୍ୟ ଦେଖିବାକୁ ମିଳେ। ମୋର ମତରେ ଶ୍ରୀ ଷଡ଼ଙ୍ଗୀଙ୍କ ଆଲୋଚନା – ଆମେ ଲେଖକର ସର୍ଜନାକୁ ଗୁରୁତ୍ୱ ଦେବା ଉଚିତ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନ ବା ଚରିତ୍ରକୁ ଗୁରୁତ୍ୱ ଦେବା ଉଚିତ ନୁହେଁ ଉକ୍ତିଟି ପ୍ରାସଙ୍ଗିକ ମନେହୁଏ। କିନ୍ତୁ ଆମେ ବେଳେ ବେଳେ ଯାହାକୁ ଆମର ଆଦର୍ଶ ବୋଲି ମାନିଥାଉ ସେତେବେଳେ ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ ସର୍ଜନା ବା ଗୁଣକର୍ମ ସହିତ ସମାନ ହେବା ଆବଶ୍ୟକ ବୋଲି ମନେ କରିବା ବା ଭାବିବା ସ୍ୱାଭାବିକ ମନେହୁଏ। ଏହା ବ୍ୟକ୍ତିରୁ ବ୍ୟକ୍ତି ମଧ୍ୟରେ ପରିବର୍ତ୍ତଶୀଳ।