ସେ ମହାପ୍ରଭୁ କ’ଣ ସହଜରେ ଶୁଣିବା ଲୋକ? ସିଏ ଏ ଲୋକଗୁଡ଼ାଙ୍କୁ ହାଡ଼େ ହାଡ଼େ ଚିହ୍ନିଛି।

ହୋ ଭଗତେ ! ରଥ ଚାଲିବ କି ନାହିଁ? ଚାଲିବ ଯେ, ଆମ ପାଉଣା ଆଗ ଜମାକର। କ’ଣ ହେ ! ଆମର ଆଉ ଖଣ୍ଡେ ପାଟ କାଇଁ? ଅଫିସର ହେଇଚ ! ତା ମା’କେ ହିସାବ ଜାଣିଛ ଟି? ସିଏ ପରା ଆମ ଭାଇ। ଆମ ଘରେ ଛୁତିକିଆ ହେଲେ ତା’ଙ୍କ ଘରୁ ପାଟଲୁଗା ଆସିବା କଥା। କ’ଣ ଜାଣିଚ ଟି? ଆହେ ଆମେ କଣ ମିଛ କହୁଛୁ? ଦେଖୁନା ସତ୍ତ୍ୱଲିପି କଣ କହୁଛି? ଏକୋଇଶା ବାସି ଆମ ପିଲା ବି ଜଣେ ହୋଇ ଗଣାହୋଇଥାଏ। ଆହେ ଜାଣି ନ ତ ଆଉ କହୁଛ କ’ଣ? ତା ମା’କେ ପଠାଇଦବ। ନହେଲେ ଡେରିହେଲେ ଆମର ଦୋଷ ନାଇଁ। ଆରେ ସେ କାଳିଆ କ’ଣ ଦେଖୁନାଇଁ? ତୁମେ ଏମିତି କୋଉଁ ମାହାର୍ଜା କି? କୋଉଁ ଗଭେଣ୍ଡର ମ, ମଣି! ଆହେ ଏମିତି ଆମେ କରିଆସିଛୁ ନା ଆଜି ନୂଆ? ଆମକୁ ନୂଆକରି ପାଇଲ କି? ସେ ପାଉଣା ଆଗ ପଇଠକର। ତା’ପରେ ଆଉ କଥା। ଠାକୁରମାନେ ବିଜେ ହେବେ ! ରଥ ମୋଡ଼ ହୋଇଗଲେ। ଚାରମାଳ ଲାଗିବ ! ମାହାପୁରୁମାନେ ବୁଲିବାକୁ ରେଡ଼ି।
ସିଏ ଭାବଗ୍ରାହୀ
ଆରେ ସିଏ ପରା ଭାବଗ୍ରାହୀ! ତୁମେ କ’ଣ ବାହାଦୁରି ଦେଖେଇ ହୋଇ ନିଜକୁ କହୁଛ ବାଡ଼ଗ୍ରାହୀ? ଇଏ ଯାତ କ’ଣ ତୁମେ କରୁଛ? ଆରେ ସିଏ କିଏ ଜାଣିଛ ଟି? ମୁହୂର୍ତ୍ତକେ ସବୁ ଓଲଟାଇ ଦେବ। ମନେଅଛି କରୋନା ବେମାରୀ କଥା? କ’ଣ ହେଲା? ପଞ୍ଝାଏ ସରକାରଙ୍କୁ ମତେଇଲେ ରଥଯାତ୍ରା ବନ୍ଦ କର। କରୋନା ମାଡ଼ିଯିବ। ସରକାର ବି ସେଇଥିରେ ମୁଣ୍ଡ ଟୁଙ୍ଗାରିଲେ। ପଲିଟିକ୍ସ ସାର୍ ସବୁ ପଲିଟିକ୍ସ। ମାମଲା ପହଞ୍ଚିଗଲା ସୁପ୍ରିମକୋର୍ଟରେ। ସବୁଠୁଁ ମହଙ୍ଗା ଓକିଲ ଠିଆ ହୋଇଗଲେ। କୋର୍ଟ କହିଲେ, ବନ୍ଦକର। ସାରା ଓଡ଼ିଶାରେ ଶୋକର ଛାୟା ଖେଳିଗଲା। “ସର୍ବେ ହୋଇଣ ଏକମୁଖ, ଡାକିଲେ ନାରାୟଣ ରଖ”! ଦେଖିଲଟି କ’ଣ ହେଲା? ପୁନର୍ବିଚାର ଯାଚିକା, ସେଇ ଓକିଲ ସେଇ ଜଜ୍, ରାୟ ଓଲଟି ପଡ଼ିଲା। ରଥଯାତ୍ରା ହେବ। ସେବାୟତେ ରଥ ଟାଣିଲେ ପୁଲିସ ସାହାଯ୍ୟ ନେଇ। ଲୋକେ ଘରେ ବସି ଦେଖିଲେ। କଲା କିଏ? ସେଇ ଜଗବନ୍ଧୁ ଯେମିତି ଜଜ୍ ସାହେବ ହାତଧରି ଲେଖେଇ ଦେଲା। ଆରେ ତୁମେ କହୁଛ ତା’ ରଥଯାତ୍ରା ଡେରି କରେଇ ଦେବ? କଲ ଦେଖି?
ଆଉ ଗୋଟାଏ କଥା କହୁଛି ଶୁଣ। ଉଣେଇଶ ଏକସ୍ତରୀ ମସିହା କଥା। ଏଇ ରଜା ଦିବ୍ୟସିଂହ ଦେବଙ୍କ ପ୍ରଥମ ଛେରାପହଁରା କରିବା କଥା, ପିତା ବୀରକିଶୋର ଦେବଙ୍କ ମୃତ୍ୟୁ ପରେ। ମୁଖ୍ୟମନ୍ତ୍ରୀ ଥାଆନ୍ତି ନନ୍ଦିନୀ ଶତପଥୀ। ତାଙ୍କର ଦିଲ୍ଲୀ ଯିବାର ଥାଏ, ମନ୍ଦିର କାର୍ଯ୍ୟାଳୟକୁ ଫୋନକରି ଚଞ୍ଚଳ ପହଣ୍ଡି କରିବାକୁ କହିଲେ। ସବୁ କାର୍ଯ୍ୟ ଶୃଙ୍ଖଳା ସହ ହୋଇଗଲା, ମାତ୍ର ହଟିଆ ଠାକୁର ଜଗନ୍ନାଥ ଚାରମାଳ ଅଧାରେ ଅଟକି ରହି ଗଲେ। ସେବାୟତମାନେ ଥକିଗଲେ। ମହାପ୍ରଭୁ ଉଠୁନଥାନ୍ତି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଲମ୍ୱହୋଇ ପଡ଼ିଗଲେ। ମହାପ୍ରଭୁ ସେମିତି ବସିଥାଆନ୍ତି। ରଜା ନଅରକୁ ଖବରଗଲା। ରଜା ପ୍ରସ୍ତୁତ ହେଉଥାଆନ୍ତି। ପାଲିଙ୍କି ଯାନକୁ ଅପେକ୍ଷା ନକରି ଖାଲି ପାଦରେ ଚାଲି ଚାଲି ଆସି ମହାପ୍ରଭୁଙ୍କୁ ବିନତି କରନ୍ତେ, ମହାପ୍ରଭୁ ଶ୍ରୀଜଗନ୍ନାଥ ବିନା ସମୟ ବ୍ୟୟରେ ଉଠି ଚାଲିଲେ। ଏହା ଆମ ଆଖି ଆଗରେ ଘଟିଥିବା ଘଟଣା। ଆରେ ତୁମେ କ’ଣ ତାକୁ ଉଠାଇବ? ସିଏ ତୁମ କାନ୍ଧରେ ହାତଦେଇ ନିଜେ ଚାଲିଥାଏ। “ସେତ ଭକତ ଭାବରେ ବନ୍ଧା।”

ମନେଅଛି? ସାଲବେଗ କହିଥିବା, “ସାତଶ ପଚାଶକୋଶ ଚାଲି ନପାରଇ, ମୋହ ଯିବା ଯାଏ ପ୍ରଭୁ ରଥେ ଥିବ ରହି।” କିଂବଦନ୍ତୀ କହେ ବଳରାମ ଦାସଙ୍କୁ ଦର୍ଶନ ଦେଇଛନ୍ତି ବାଲି ରଥରେ। ଏସବୁ କଣ ମିଛ? ଆରେ ତୁମେ ସବୁ ଯେଉଁ ସୁନା ଅଳଙ୍କାର ଲଦିହୋଇ ଠାକୁରଙ୍କୁ ଘେରିଯାଇ ଆମ ଭଳି ସାଧାରଣ ଲୋକଙ୍କୁ ଦର୍ଶନ କରାଇ ଦେଉନାହଁ, ଭାବିଛକି ତାକୁ ଆମଠାରୁ ଅଲଗା କରିଦେଇପାରିବ? ସେ ହିଁ ଦେଇଛି ତୁମକୁ ପରିଚୟ। ତାଆରି ନାମ ନେଇ ତୁମର ଏ ଅହଂକାର। ଏ ଯେଉଁ ବେତ ଦି’ଖଣ୍ଡ ହଲାଉଥିବା ସେବକଟି କହୁଛି, ହୋ ଭଗତେ ରଥ ଚାଲିବ କି ନାହିଁ? ଜନସମୁଦ୍ର କହେ, ହଁ। ଡାହୁକ କହେ, ଚାଲୁ। ରଥ ଚାଲେ। ଲୋକେ ଟାଣନ୍ତି। ଏଇ ତ, ଜଗନ୍ନାଥ ଧାମରେ ଗଣତନ୍ତ୍ରର ମୂଳମନ୍ତ୍ର। ମନେରଖ, “କରି କରାଉଥାଏ ମୁହିଁ, ମୋ’ ବିନୁ ଅନ୍ୟ ଗତି ନାହିଁ।” ରଥ ରହିଗଲେ ଲୋକେ ସେହି ରଥଦଉଡିରୁ ଖଣ୍ଡେ, ମହାପ୍ରଭୁମାନଙ୍କ ଟାହିଆରୁ କିଛି ଅଂଶ, ଶ୍ରୀଅଙ୍ଗ ଚନ୍ଦନ ତୁଳସୀ, ଶ୍ରୀକପଡ଼ା ଆଦି ଅତି ଯତ୍ନରେ ସାଇତିଥାଆନ୍ତି। ସେଥିପାଇଁ କହନ୍ତି, “ହୋ ଭଗତେ!” ସିଏ ଭକ୍ତର ଠାକୁର। ତୁମେ ତା’ର ସେବକ ହେଲେ ବି ଭକ୍ତ ହେବାକୁ ଚେଷ୍ଟାକର। ତାଙ୍କ ସେବାକୁ ନେଇ ପ୍ରତାରଣା, ବ୍ଲାକମେଲ୍ ବନ୍ଦକର। ଅଭୟ ଦାଶ ବହୁ ଅନୁସଂଧାନ ପରେ ବିଶ୍ୱସ୍ତସୂତ୍ରରୁ ଖବର ପାଇଛି ଯେ, ମହାପ୍ରଭୁ ଏମାନଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିବାକୁ ଯାଇ ଏକ ମିଟିଂ ଡାକିଥିଲେ। ସେଥିରେ ଭବିଷ୍ୟତ କର୍ମପନ୍ଥା ନିର୍ଦ୍ଧାରଣ କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ସେଥିରେ ସମସ୍ତ ହିନ୍ଦୁ ସମାଜରୁ ବଛାବଛା ଲୋକଙ୍କୁ ନିଆଯିବାକୁ ସ୍ଥିରୀକୃତ ହୋଇଛି। ପ୍ରକାଶଥାଉକି, ଏଥିରେ ଜାତି-ବର୍ଣ୍ଣ, ଶାସକଦଳିଆ-ବିରୋଧୀ ଦଳିଆ, ପୁରୁଷ-ସ୍ତ୍ରୀ, ତୃତୀୟ ଲିଙ୍ଗୀ ଆଦିର କିଛି ପାତରଅନ୍ତର, ବାଛବିଚାରକୁ ଗ୍ରହଣ କରାଯାଇନପାରେ। ଏହା ମହାପ୍ରଭୁମାନଙ୍କ ନିଜ ମତ ହୋଇପାରେ; ମାତ୍ର ଆମ ନଟବର ଜଗନ୍ନାଥଙ୍କୁ ତ ଆପଣ ଜାଣନ୍ତି! ତାଙ୍କଠାରୁ ବଳି ପଲିଟିସିଆନ୍ ବା ରାଜନୀତି ବିଶାରଦ କିଏ ଅଛି? କେତେବେଳେ କେଉଁଠି କ’ଣ କହି ଦେବେ, କିଏ କହିବ ମନକଲେ? “ଜଳଧି ଅନ୍ତେ ନିଜ ଘର ଦେବାଧିରାଜ ବୁଡ଼ାଇ ଦେଇଛ ଆପଣ!” ସେଠି ଏ ଓକିଲ ସିବଲ, ସିଂଘବିଙ୍କ କରଣି କାଟୁ କରିବ ନାହିଁ। ପାଠଶାଠ, ଡ଼ିଗ୍ରୀ କିଛି କାମର ନୁହେଁ। ଖାଲି ଭକ୍ତି ଭାବରେ ଚନ୍ଦନ ଟିକିଏ ତୁଳସୀଟିଏ ହେଲେ ଯାହା ଲେଖେଇବା ଲେଖେଇ ନିଅ। ସେ ମିଟିଂ ବସିଯାଆନ୍ତାଣି ଯେ, ପଞ୍ଝାଏ ହେତୁବାଦୀ ବିଦେଶୀ ସାହାଯ୍ୟ ନେଇ ଷଣ୍ଢ ପୁରେଇଛନ୍ତି। ସିଏ କ’ଣ ବଳେଇଯିବେ?
ରଥଯାତ୍ରା ସରିଗଲେ ମାହାପୁରୁ ସଇଥଲିଆ ହୋଇ କିଛି ଗୋଟାଏ କରିବାକୁ ମନସ୍ଥ କରିଛନ୍ତି ବୋଲି ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ କିଚିନ୍ କ୍ୟାବିନେଟରୁ ଖବର ଲିକ୍ ହୋଇଯାଇଛି। ଏକଥା କହେ ସ୍ୱାମୀ ଅଭୟାନନ୍ଦ। ସେଇଟାକୁ କେଉଁ ବିଶ୍ୱାସ? ମହାପ୍ରଭୁ ଟେକ୍ନୋଲୋଜିକୁ ପ୍ରୋତ୍ସାହନ ଦେବାକୁ ଯାଇ ଜଙ୍ଗଲ ରକ୍ଷା, ପର୍ଯ୍ୟାବରଣ ସୁରକ୍ଷାକୁ ଆଖିରେ ରଖି ଡ୍ରୋନ୍ ରଥ, ଲେଜର ଦଉଡ଼ି ଓ ରୋବୋଟ୍ ସେବାୟତ ସହ ସୋଲାର ଏନର୍ଜି ସୌର ଶକ୍ତିର ବ୍ୟବହାରକୁ କୁଆଡ଼େ ଗୁରୁତ୍ୱ ଦେଇଛନ୍ତି। ଫଳରେ ସେବାୟତ ନିଯୋଗ, ଜଗନ୍ନାଥ ସେନାଙ୍କ ଭିତରେ ଘୋର ଅସନ୍ତୋଷ ଦେଖାଦେଇଥିଲେ ମଧ୍ୟ, ସେଠି କାହାର ପାଟି ଫିଟିବ? ଅଭୟ ଦାଶ, ଓରଫ ସ୍ୱାମୀ ଅଭୟାନନ୍ଦ ନିତି ଗାଳି ଖାଉଛି “ଶଳା ଟାଉଟର ଆମ ବେଉସା ବୁଡ଼େଇଲା। ସେ ଏମିତି କେଉଁ ଯୋଗ୍ୟ ଲୋକଟାଏ କି?” ନିତିଦିନ ପତିତପାବନଙ୍କ ପାଖରେ ଗୁହାରି ହେଉଛି। ମହାପ୍ରଭୁ ଯାହା କରିବେ।
ଚିହ୍ନନ୍ତି ସେ
ସେ ମହାପ୍ରଭୁ କ’ଣ ସହଜରେ ଶୁଣିବା ଲୋକ? ସିଏ ଏ ଲୋକଗୁଡ଼ାଙ୍କୁ ହାଡ଼େ ହାଡ଼େ ଚିହ୍ନିଛି। ଏଗୁଡ଼ା କେତେ ସମ୍ପତ୍ତି ବିନା କାଗଜପତ୍ରରେ ଦଖଲକରି ନେଇ ବଡ଼ଲୋକ ବୋଲାଇଛନ୍ତି। ସେ ଯେଉଁ ସେବାୟତ, ତାଙ୍କ ପେଟ, ତାଙ୍କ ସୁନାମୁଦି, ହାର ଅଳଙ୍କାର, ତାଙ୍କ ଚାଲି, ପତିଆରା, ହୋଟେଲ, ଲଜିଂହାଉସ୍ ଦେଖିଛଟି? ଭାଙ୍ଗ, ସାଙ୍ଗ, ମଉଜ ସବୁ କାହା ପାଇଁ? ସେଇ କାଳିଆ ପାଇଁ। ତାଆରି ନାଁ ନ ଧରିଲେ ୟାଙ୍କର ଗତି କାଇଁ? ୟାଙ୍କର କ’ଣ, ଆମର ଗତି କାଇଁ? ସିଏ ବା କ’ଣ ସହଜ ଲୋକ? କାହାର ନୁହେଁ। ଗୋପୀ, ଗୋପାଳ, ରାଧାରାଣୀ, ମୀରା, ଯଶୋଦା, ଦେବକୀ, ବସୁଦେବ, ସୁଦାମା, ଅର୍ଜୁନ, ମଥୁରା, ବୃନ୍ଦାବନ, ଦ୍ୱାରକା ସବୁ ଛାଡ଼ିଦେଇ ବସିଛି ମଉନ ରୂପେ। “ନୀଳଗିରି ସାଇଁ ବୋଲାଅ ଗୋସାଇଁ ମୁଁ ଆଜି ପତିତ ହେ ନାରାୟଣ!” ସମସ୍ତେ ଡାକୁଛନ୍ତି, ମାତ୍ର ତାଙ୍କର ସାନିଧ୍ୟ ପାଇବା କ’ଣ ଏଡ଼େ ସହଜ?
ଆଜିକାଲି ଗୋଟାଏ ନୂଆ ଭାବନା ଆସିଛି ଲୋକମାନଙ୍କ ଭିତରେ। ସେଇଟା ହେଲା ଭିଆଇପି କଲ୍ଚର ବା ବଡ଼ଲୋକିଆ ସଂସ୍କୃତି। ମାନେ ଆମେ ବଡ଼ଲୋକ, ଆମ ତଳେ ସମସ୍ତେ। ଆମେ କଲେକ୍ଟର, ଆମେ ଜଜ୍, ଆମେ ନେତା। ରଖହେ ତୁମ ବଡ଼ଲୋକି ! ଆରେ ତୁମକୁ ଦାନା ଗଣ୍ଡାଏ ଦେଉଛି କିଏ? କାହା ଯୋଗୁଁ ଏ ପତିଆରା? କେତେଥର ଶୁଣିଛୁ, ସେ ଅମୁକ ପଣ୍ଡା ମୋର ଚିହ୍ନା, କି ସେ ଏସ୍ପି, କଲେକ୍ଟର, ମୋର ଜଣା; ମୋତେ ଟେକିନେଇ ଦର୍ଶନ କରାଇଦେବ। ଆରେ, ମନେକର ତୁମେ ଜଣେ ଭିଆଇପି। ତୁମେ ଯାହା ଦର୍ଶନ ଲାଗି ଏତେ ଥାଟବାଟରେ ଆସିଛ, ତୁମ ଆଗେ ପଛେ ପୁଲିସ, ସିକ୍ୟୁରିଟି, ବଡ଼ପଣ୍ଡା, ଦେଉଳ ପ୍ରଶାସକ ସାଧାରଣ ଭକ୍ତଟିକୁ ଠେଲିପେଲି ଅଲଗା କରିଦେଇ ତୁମକୁ ନେଇ ମହାପ୍ରଭୁଙ୍କ ଆଗରେ ଠିଆ କରାଇଦେବେ। କେବେ ଥରେ ମନେପକାଇଛ ତୁମ ପିଲାଦିନ? ମନେପକାଇଛ ତୁମ ବାପା ତୁମକୁ କାନ୍ଧରେ ବସାଇ ଦେଖାଇଥିବେ, ହେଇ ଦେଖ, “ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା!” ମନେଅଛି ସେ ଦିନ? ଆଜି ଭିଆଇପି ସାଜିଛ, ଆଉ କେତେଦିନ? କହିପାରିବ? ଆରେ ମୋ’ରି କବି କହିଥିଲା, “ଠେଲିପେଲି ଚାଲ ଯିବା, ଧକା ବାଜିଲେ ସହିବା,” ମନେ ଅଛି ? କହଇ ସାରିଆ ଭିକ ବଳରାମଙ୍କୁ କହିବା। ଆରେ ସେ ଠାକୁର ଗାଳି ସହେ, ଗରବ ସହେନା। ମନେ ରଖିଥାଆ। ରଥରେ ଚଢ଼ିବାଠାରୁ ରଥରୁ ଓହ୍ଲାଇବା ଯାଏଁ କେତେ ଛେଚାପକା ପଡ଼ାଉଠା ହୋଇ ସେ ଭକ୍ତର ଭଲମନ୍ଦ ବୁଝିବାକୁ ଦାଣ୍ଡକୁ ଓହ୍ଲାଇ ଆସେ, ଜାଣିଛୁ? ତୁ ଏମିତି କିଏ କି? ଆରେ ସିଏ କିଛି ଅଳପ କଷ୍ଟ କରେନାହିଁ ମ ! ସେଥିପାଇଁ କହେ, “ଆପଣା ଚରଣ ତ ବିରଞ୍ଚିକୁ ଗୁପତ, ମୁଁ କାହୁଁ ପାଇବି ତା’ ଭେଦ ହେ ମହାପ୍ରଭୁ?”
ସ୍ୱାମୀ ଅଭୟାନନ୍ଦ ମୂଢ଼ମତି
ତୋ ନାମକୁ କରିଛି ସମ୍ପତ୍ତି, ହେ ମହାପ୍ରଭୁ !
ତାହାର ନାହିଁ ଅନ୍ୟ ଗତି।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ରମ୍ୟରଚନା କ୍ଷେତ୍ରରେ ଡାକ୍ତର ଅଭୟ ଦାସ ସବୁବେଳେ କିଛି ନୂଆ ଲେଖିଥାନ୍ତି। ଜଗନ୍ନାଥଙ୍କ ପାଇଁ ଏହି ଲେଖା ମଧ୍ୟ ବହୁତ୍ ଭଲ ଲାଗିଲା।
ଲେଖା ଟି ମନଛୁଆଁ।ବାସ୍ତବ ତଥ୍ୟ ଅନେକ ରହିଛି। ଲେଖକ ଙ୍କୁ ସାଧୁବାଦ।