ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ କବିହୃଦୟରୁ ଝରିଆସିଛି ଏହି ପ୍ରତିବେଦନ।

ସ୍ମୃତିପଟେ ଦୃଶ୍ୟମାନ୍ ବିଂଦୁଏ ଆଲୋକ
ସଦ୍ୟଜାତ ସଂତାନର ହସ ପରି ଛବି ଅକପଟ,
ନୀଳ ନୀଳ ସୁନୀଳ ସୁଅରେ ବିଂଦୁ ମାତ୍ର ଛାଇ
ଛାଇ ନୁହେଁ, ଜ୍ୟୋତିର୍ମୟ ଅନଂତ ଉଚ୍ଛ୍ୱାସ…
ପରିଶୁଦ୍ଧ ଉପକ୍ରମ, ଦୂର କେଉଁ ବନାନୀରେ
ଦୟଣା ଓ ତୁଳସୀର ମହମହ ବାସ ;
ଅବତର ! ଅବତର !! ଅଧା ଛାଇ ଅଧା ଖରା-
ପହିଲି ଆଷାଢ଼େ ପଲ୍ଲବିତ ପ୍ରକୃତି ସ୍ପର୍ଶରେ
ମୋକ୍ଷଦାୟୀ ରୂପ : ଦାରୁବ୍ରହ୍ମ ଚତୁର୍ଦ୍ଧା ମୂରତି !
‘ଶୁକ୍ଳା°ବରଧରଂ ବିଷ୍ଣୁ° ଶଶିବର୍ଣ୍ଣ° ଚତୁର୍ଭୁଜମ୍’
ଏକୀଭୂତ ଏକଇ ଆଖିରେ ; ମହାବାହୁ ବ୍ରହ୍ମଦାରୁ
ଅପେକ୍ଷାରେ କୋଟିକଳ୍ପ; ଅନବଦ୍ୟ ଲୀଳା ମାନବୀୟ l

ଏ କି ରୂପ କଳ୍ପ-କଳ୍ପା°ତର, ଅର୍ବୁଦାବ୍ଦ ଅବା ମନ୍ୱ°ତରେ
ଉଦ୍ଭାସିତ ବଟପତ୍ରେ ବିଂଦୁ ଯେ ପରମ
ରମ୍ୟ ଲୀଳା ଘୋଷଯାତ୍ରା : ଲୌକିକ-ବିଦଗ୍ଧ
ବେଦମୟ ନିର୍ବେଦ ଦେବତା, ରୂପାତୀତ ରୂପ ଅପଘନ
କୃଷ୍ଣ-ଶ୍ୱେତ-ହରିଦ୍ରା ରୂପରେ କି ପାର୍ଥିବ କାଂତି !
ସ୍ଥୂଳ ପୁଣି ସୂକ୍ଷ୍ମ ରୂପ ଲୀଳାୟିତ ଲଳିତ ଲାବଣ୍ୟ,
ବିଂଦୁ ମାତ୍ର ଦୃଶ୍ୟ, ବିସ୍ତାରିତ ମାଟିରୁ ଆକାଶ l
ସମ୍ମୁଖରେ ରଥ-ପଥ-ତୀର-ତୀର୍ଥ ସଭିଏଁ ପ୍ରସ୍ତୁତ…..
କି ବିଲୋଳ ଚିତ୍ର ! ଆସ ଆସ ଈପ୍ସିତ ଆରାଧ୍ୟ୍ୟ !!
ସିଂହଦ୍ୱାରେ ସୁଶୋଭିତ ରମ୍ୟ ନଂଦିଘୋଷ,
ଦେବଦଳନ ଓ ତାଳଧ୍ଵଜ କାଂତି ଅନୁପମ l
ତମେଇ ତ ଆଦିମୂଳ, ଆଦିସ୍ରଷ୍ଟା ଅଯୋନି ସଂଭୁତ
ଆସ ଆସ ବାଜିଲାଣି ଘଂଟ-ଘଂଟା-ତୁରୀ ଓ କାହାଳି
ତମାମ୍ ବରଷ, ସାରା ପୃଥ୍ଵୀ ପ୍ରତୀକ୍ଷାର ଅଂତ,
ଆଷାଢ଼-ଶୁକ୍ଳ-ଦ୍ଵିତୀୟା ପୁଣ୍ୟପ୍ରଭ ଯାମେ
ମଇଲମ, ଅବକାଶ, ରୋଷହୋମ, ମଂଗଳ ଆରତି ସାରି
ପହଂଡ଼ିବେ କୋଟିକାମ ରୂପ, କୋଟିଏ କୈବଲ୍ୟ
ଭାଇ ଓ ଭଉଣୀ ଆଦି-ମଧ୍ୟ-ଅଂତ
ବ୍ରହ୍ମା-ବିଷ୍ଣୁ-ଶିବ, ତ୍ରି-ଦାରୁ ଦେବତା,
ଧାଡ଼ି ପହଂଡ଼ିରେ ବିଜେ ସଂଗେ ସୁଦର୍ଶନ
ଶୂନ୍ୟ ରତ୍ନବେଦୀ, ପୂର୍ଣ୍ଣତମ ଉଭା ବଡ଼ଦାଂଡ଼ l
ଦୃଶ୍ୟ ପୁଣି ଦୃଶ୍ୟାତୀତ ନୀଳାଦ୍ରି ନାୟକ
ଅନୁପମ ଚିତ୍ରପଟ ଆଦ୍ୟ ବାରିପାତ ;
ବାରି ନୁହେଁ, ବରଦାୟୀ ଶୁଭାଶିଷ କରୁଣାର ଧାରା
ବାଂଟିଦେବେ କୈତବ ମୁକତି, ମୋକ୍ଷ ମାଳ ମାଳ
ତୁମେ ବ୍ୟାପ୍ତ-ପରିବ୍ୟାପ୍ତ-ଅସୀମ-ଅନଂତ l
ତୁମେ ଶୂନ୍ୟ, ତୁମେ ପୂର୍ଣ୍ଣ, ବ୍ରହ୍ମ ସନାତନ
ଶୂନ୍ୟ ଶୂନ୍ୟ ମହାଶୂନ୍ୟ, ଶୂନ୍ୟ ପୂର୍ଣ୍ଣବ୍ରହ୍ମ
ପୂର୍ଣ୍ଣ ପୁଣି ମହାଶୂନ୍ୟ, ଶୂନ୍ୟ ପରିପୂର୍ଣ୍ଣ
ଦାରୁରୂପୀ ଦାରୁବ୍ରହ୍ମ ପୂର୍ଣ୍ଣତମ ଶୂନ୍ୟ
ପରିପୂର୍ଣ୍ଣ ମହାଶୂନ୍ୟ ଲୀଳାମୟ ଜୀବ ଓ ପରମ l
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ଖୁବ ସୁନ୍ଦର ଓ ହୃଦୟସ୍ପର୍ଶୀ କବିତାଟି ମନରେ ଭରିଦିଏ ଅପୂର୍ବ ଉତ୍ସାହ, ଅପୂର୍ବ ଭାବ। କବିଙ୍କୁ ଧନ୍ୟବାଦ।
ଲେଖାରେ ଅତିରଞ୍ଜିତର ଛାପ ଟିକେ ଦେଖା ଯାଉଛି। ହୁଏତ ଗୋଟେ ଭକ୍ତର ଜଗନ୍ନାଥଙ୍କ ପ୍ରତି ଅନାବିଳ ପ୍ରେମ ପାଇଁ ଏପରି କବିତା ରଚନା ହେଇଛି। ଜଗନ୍ନାଥଙ୍କ ଜନ୍ମ ବୃତ୍ତାନ୍ତ ବିଷୟରେ ଅନେକ ଅନେକ ଭିନ୍ନ ମତ ଶୁଣିବାକୁ ମିଳେ, ଅନେକ କାହାଣୀ ଓ କିମ୍ବଦନ୍ତୀ ମାନଙ୍କରେ,,, କିନ୍ତୁ ଜଗନ୍ନାଥଙ୍କ ବିଷୟରେ ଆମେ ଯେତେ ବି କଥା କହିଚେ ବା ରଚନା କରିଚେ ତାହା ଏଇ ମଣିଷ ମାନଙ୍କ ଦ୍ଵାରା ସୃଷ୍ଟ। ଜଗନ୍ନାଥଙ୍କୁ ବ୍ରହ୍ମ କହିବା କେତେ ଦୂର ଯଥାର୍ଥ ସେଇଟା ମୁଁ ଜାଣିନି। ଯଦି ଆମେ ବ୍ରହ୍ମର ସ୍ୱରୂପକୁ ବୁଝିବା ତାହେଲେ ବେଦ,ବେଦାନ୍ତ ଉପନିଷଦକୁ ସାମନାକୁ ଆଣିବାକୁ ପଡ଼ିବ। ବେଦ ବେଦାନ୍ତରେ ବ୍ରହ୍ମର ସଂଜ୍ଞା ଯାହା କିମ୍ବା ବ୍ରହ୍ମ ବିଷୟ ରେ ଯାହା କିଛି କୁହା ଯାଇଛି ତାହା ଆଜି ର ବ୍ରହ୍ମ ବିଷୟ ର ଚର୍ଚ୍ଚା ଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଅଟେ । ଯଦି ବେଦ ଅନୁସାରେ ବ୍ରହ୍ମ କୁ ଜାଣିବା ତାହେଲେ ସଂକ୍ଷେପରେ ଏତିକି କୁହା ଯାଇ ପାରେ ବ୍ରହ୍ମ ହେଉଛି ଶୂନ୍ୟ ନିରାକାର ଆଉ ବ୍ରହ୍ମ ଏକ।ସେଥିପାଇଁ କୁହାଯାଏ ଏକ ବ୍ରହ୍ମ ,ଦ୍ଵିତୀୟ ନାସ୍ତି। ଏ ସଂସାର ହେଉଛି ବ୍ରହ୍ମମୟ, କିନ୍ତୁ ପରବର୍ତ୍ତୀ ସମୟରେ ୨ ଗୋଟି ଅର୍ଥରେ କହୁଚେ ସାକାର ବ୍ରହ୍ମ ଆଉ ନିରାକାର ବ୍ରହ୍ମ। ଗୋଟେ ନିରାକାର, ନିର୍ବିକାର ବ୍ରହ୍ମକୁ ଆକାର ଦେଇ ଏକ ମୂର୍ତ୍ତିରେ କିପରି ସ୍ଥାପନ କରି ପାରିବା? ଏହା ମୋ ମନର ପ୍ରଶ୍ନ। ଯଦି ମୋର ଲେଖିବାରେ କିମ୍ବା ଅଧିକ କିଛି ଜାଣିବାରେ କମି ରହି ଯାଇଥାଏ, ଯୋଉଥି ପାଇଁ ମୁଁ ଏ ପ୍ରଶ୍ନ କରିଛି, ତାହେଲେ ସେଥି ନିମନ୍ତେ ମୁଁ ଦୁଃଖିତ। ଧନ୍ୟବାଦ୍ 🙏
ଏହା କେବଳ ମୋ ମନର ପ୍ରଶ୍ନ, କୌଣସି ଜଗନ୍ନାଥ ପ୍ରେମୀଙ୍କ ମନରେ ଟିକେ ବି କଷ୍ଟ ଦେବାକୁ ଚାହେଁନି 🙏