ସାରସ୍ୱତ ସ୍ରଷ୍ଟା ଅଜୟ କୁମାର ମିଶ୍ରଙ୍କ ସହ ଅନ୍ତରଙ୍ଗ ଆଳାପ

ମୁଁ ଯାହା ଅନୁଭବ କରିଛି, ସବୁଠାରୁ ଦୁଃଖୀ ଲୋକ ଯିଏ ସେ ବ୍ୟଙ୍ଗ କରେ।

ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ଓ ଐତିହ୍ୟ ତଥା ସଂସ୍କୃତି ଗବେଷକ ଅଜୟ କୁମାର ମିଶ୍ର, ଓଡ଼ିଶାର ସାରସ୍ୱତ ଜଗତରେ ସୁପରିଚିତ। ତାଙ୍କର ବୟସ ବର୍ତ୍ତମାନ ୬୬ ବର୍ଷ। ସାହିତ୍ୟର ପ୍ରାୟ ସମସ୍ତ ବିଭାଗରେ ସଫଳତାର ସହ କଲମ ଚାଳନା କରିବା ସହ ସେ ‘ମିଶ୍ରଶାଳ’ ନାମକ ଏକ ସଂଗ୍ରହାଳୟ ସ୍ଥାପନ କରି ସେଠାରେ ଓଡ଼ିଶାର ଲୁପ୍ତପ୍ରାୟ ଲୋକ-ଉପକରଣଗୁଡ଼ିକୁ ନିଜ ହାତରେ ଗଢ଼ି ଆମର ଉତ୍ତର ପିଢ଼ି ପାଇଁ ସଂରକ୍ଷିତ କରିରଖିଛନ୍ତି। ତା’ଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଜଣେ ଲେଖକ ଭାବରେ ଆପଣ ତ ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ, ଅନୁବାଦ, ସମାଲୋଚନା, ଶିଶୁ ସାହିତ୍ୟ, ବ୍ୟଙ୍ଗ, ନାଟକ ଓ ରମ୍ୟରଚନାଠାରୁ ନେଇ ସାହିତ୍ୟର ସମସ୍ତ ବିଭାଗରେ ନିଜର ପାରଦର୍ଶିତା ଦେଖାଇ ପାରିଛନ୍ତି। ସେହିଭଳି ଅଧ୍ୟାପନା, ଗବେଷଣା ଓ ବହୁ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଗତିବିଧି ସହିତ ମଧ୍ୟ ଆପଣ ଜଡ଼ିତ। ଲୋକେ କହନ୍ତି ଯେ ଘାସକଟାଠାରୁ ଘୋଡ଼ାଚଢ଼ା ପର୍ଯ୍ୟନ୍ତ ସବୁ ଆପଣଙ୍କୁ ଜଣା। ତଥାପି ଏମିତି କିଛି କାର୍ଯ୍ୟ ରହିଯାଇଛି କି, ଯାହାକୁ ଆପଣ ଛୁଇଁନାହାନ୍ତି?
ଅଜୟ କୁମାର ମିଶ୍ର: ବ୍ରାହ୍ମଣ କୁଳରେ ଜନ୍ମ। ଶାସ୍ତ୍ରୀୟ ବିଧି ବ୍ୟବସ୍ଥା ଦୃଷ୍ଟିରୁ ହଳ କରିବାଟା ବ୍ରାହ୍ମଣର କର୍ତ୍ତବ୍ୟ ନୁହେଁ ବୋଲି ମୁଁ କେବଳ ହଳ ହିଁ କରିନାହିଁ; ଯଦିଓ ମଇରେ ଠିଆ ହୋଇଛି, ଶଗଡ଼ ମହଣ୍ଡାରେ ବସିକରି ବଳଦ ଅଡ଼େଇଛି, କିନ୍ତୁ ହଳ କରିନାହିଁ।
ସାହିତ୍ୟ ଚର୍ଚ୍ଚା: ଏକଥା ଶୁଣି ଆମର ମନେ ପଡ଼ିଯାଉଛି ଯେ ଆପଣ ବିଭିନ୍ନ ପ୍ରକାର ଲୋକବାଦ୍ୟ ବଜାଇବାରେ ପାରଙ୍ଗମ। ‘ମିଶ୍ରଶାଳ’ରେ ଆପଣଙ୍କର ଅନନ୍ୟ ବଢ଼େଇ କାରିଗରୀର କଥା ତ ସମସ୍ତଙ୍କୁ ଜଣା। ଏପରିକି ସବୁ ପ୍ରକାର ଗାଡ଼ି, ଯଥା ଟ୍ରକ୍ ଓ ଟ୍ରାକ୍ଟର ଆଦି ମଧ୍ୟ ଆପଣ ଭଲ ଭାବରେ ଚଳାଇପାରନ୍ତି।
ଅଜୟ କୁମାର ମିଶ୍ର: କେବଳ ଉଡ଼ାଜାହାଜ ଓ ଟ୍ରେନ୍‌କୁ ଛାଡ଼ି, କାରଣ ସେ ସୁଯୋଗ ମୋତେ ମିଳିନାହିଁ; ଆଉ ସବୁ ପ୍ରକାର ଗାଡ଼ି ଚଳାଇପାରେ।
ସାହିତ୍ୟ ଚର୍ଚ୍ଚା: ଆପଣ ଓଡ଼ିଆ ବ୍ୟଙ୍ଗ ସାହିତ୍ୟର ଜଣେ ସାର୍ଥକ ସ୍ରଷ୍ଟା ଭାବରେ ଏବେ ଏବେ ଅଧିକ ପ୍ରସିଦ୍ଧି ପାଉଛନ୍ତି, ଯଦିଓ ପୂର୍ବରୁ ମଧ୍ୟ ଆପଣ ଏହା ଲେଖିଛନ୍ତି। ତେବେ ଏ ପରିଣତ ବୟସରେ ଆପଣ ବ୍ୟଙ୍ଗ ସାହିତ୍ୟ ଆଡ଼କୁ ଅଧିକ ଢଳିଲେ କେମିତି?
ଅଜୟ କୁମାର ମିଶ୍ର: ପ୍ରକୃତରେ, ମୁଁ ଯାହା ଅନୁଭବ କରିଛି, ସବୁଠାରୁ ଦୁଃଖୀ ଲୋକ ଯିଏ ସେ ବ୍ୟଙ୍ଗ କରେ। ଦୁଃଖରେ ଅତି ଜଡ଼ସଡ଼ ହେଲା ପରେ, ମୁଁ ବୋଧହୁଏ ହାଇସ୍କୁଲ୍‌ରେ ପଢ଼ିବା ବେଳେ ବ୍ୟଙ୍ଗ ଲେଖୁଥିଲି; କଲେଜରେ ମଧ୍ୟ ଅଧ୍ୟାପନା କରିବାବେଳେ ବ୍ୟଙ୍ଗ ଲେଖୁଥିଲି। ଆଜି ଯେଉଁ ଖ୍ୟାତି କଥା ଆପଣ କହୁଛନ୍ତି, ସେଭଳି ଖ୍ୟାତି ପଛରେ ମୁଁ ଆଦୌ ଧାଇଁ ନାହିଁ, ଧାଉଁ ନାହିଁ କି ଧାଇଁବାର ସମ୍ଭାବନା ବି ନାହିଁ।

ସାହିତ୍ୟ ଚର୍ଚ୍ଚା: ‘ସାହିତ୍ୟ ଚର୍ଚ୍ଚା’ର ପାଠକମାନେ ଆପଣଙ୍କର ଘଣ୍ଟୁଆ ଚରିତ୍ର ସହିତ ବହୁତ ପରିଚିତ। ଘଣ୍ଟୁଆ ବିଷୟରେ ଆପଣ ବର୍ଷ ବର୍ଷ ଧରି ଲେଖିଚାଲିଛନ୍ତି; କିନ୍ତୁ ପ୍ରତି ମାସ ଘଣ୍ଟୁକୁ ଆମେ ଦେଖୁ ଗୋଟିଏ ଗୋଟିଏ ନୂଆ ଭୂମିକାରେ। ତାକୁ ଏମିତି ଭାବରେ ସଜାଇବା ପାଇଁ ଆପଣଙ୍କୁ କ’ଣ ମାନସିକ ରୁପରେ ଅଧିକ କିଛି କସରତ କରିବାକୁ ପଡ଼େ?
ଅଜୟ କୁମାର ମିଶ୍ର: ମୁଖ୍ୟ କଥାଟି ହେଉଛି, ଏହି ପତ୍ରିକା ପକ୍ଷରୁ ଏକ ଅନୁରୋଧ ଆସିଥିଲା ଯେ ଗୋଟିଏ ଚରିତ୍ରକୁ ନେଇ ତା’କୁ ପ୍ରତି ମାସ ବ୍ୟଙ୍ଗ ଢାଞ୍ଚାରେ ଉପସ୍ଥାପନା କରାଯାଉ; ଏହା ଚାଲିଛି। ଆଖି ଖୋଲିଦେଲେ ଚାରିପାଖର ଚରିତ୍ରମାନେ ଉଦ୍‌ଭାସିତ ହେଉଛନ୍ତି। ମୋତେ ସେହି ଚରିତ୍ରମାନଙ୍କୁ ଘଣ୍ଟୁଆ ଉପରେ ଆରୋପଣ କରିବାକୁ ପଡ଼େ ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ସମାଲୋଚନା ସାହିତ୍ୟକୁ ଆପଣ ବହୁମାତ୍ରାରେ ସମୃଦ୍ଧ କରିଛନ୍ତି। ଆପଣଙ୍କ ଯେତେକ ବହି ପ୍ରକାଶିତ ହୋଇଛି, ତାହା ମଧ୍ୟରେ ଅଛି ଷୋହଳଟି ସମାଲୋଚନାମୂଳକ ପୁସ୍ତକ। ତେବେ ଓଡ଼ିଆ ସମାଲୋଚନା ସାହିତ୍ୟର ଧାରା ଆଜିକାଲି ଟିକିଏ ଧିମେଇ ଯାଇଥିବାର କାରଣ କ’ଣ?
ଅଜୟ କୁମାର ମିଶ୍ର: ସମାଲୋଚନା ସାହିତ୍ୟ ତ ଲେଖାହେଉଛି। ମୁଁ ଯାହା ଦେଖୁଛି, ପିଲାମାନେ ସମାଲୋଚନା ସାହିତ୍ୟ ପ୍ରତି ଆଗ୍ରହୀ। ଏ କ୍ଷେତ୍ରକୁ ନୂଆ ନୂଆ ପ୍ରତିଭାମାନେ ଆସୁଛନ୍ତି।
ସାହିତ୍ୟ ଚର୍ଚ୍ଚା: ୧୯୯୬ ମସିହାରେ ଆପଣଙ୍କର ଗୋଟିଏ ପୁସ୍ତକ ପ୍ରକାଶ ପାଇଥିଲା, ‘ଓଡ଼ିଆ ସମାଲୋଚନା ସାହିତ୍ୟର କ୍ରମବିକାଶ’। ଏହାର ଗୋଟିଏ ନୂଆ ସଂସ୍କରଣର ପ୍ରସ୍ତୁତି ଏବେ ଆପଣ କରୁଛନ୍ତି ବୋଲି ଆମେ ଜାଣିବାକୁ ପାଇଲୁ।
ଅଜୟ କୁମାର ମିଶ୍ର: ହଁ, ସେହି ସମୟ ପର୍ଯ୍ୟନ୍ତ ଯେତିକି ସାହିତ୍ୟ-ସମାଲୋଚକଙ୍କୁ ମୁଁ ଜାଣିଥିଲି, ସେମାନଙ୍କ ବିଷୟରେ ଆଗରୁ ଲେଖିଛି। ଆଜି ତିରିଶି ବର୍ଷ ଅତିକ୍ରାନ୍ତ ହେବାପରେ ସମାଲୋଚନାର ଧାରା ବଦଳିଛି, ଏବଂ ଅନେକ ନୂଆ ସମାଲୋଚକ ଆସିଛନ୍ତି ମଧ୍ୟ। ଏମାନଙ୍କୁ ଅନ୍ତର୍ଭୁକ୍ତ କରିବାର କାର୍ଯ୍ୟ ଚାଲିଛି।
ସାହିତ୍ୟ ଚର୍ଚ୍ଚା: ଏହା ସମାଲୋଚନା ସାହିତ୍ୟ ପାଇଁ ଏକ ବଡ଼ କାର୍ଯ୍ୟ। ଓଡ଼ିଆ ଲୋକସଂସ୍କୃତି ଓ ଲୋକସାହିତ୍ୟର ଅଧ୍ୟୟନ ତଥା ଗବେଷଣା ପ୍ରତି ଆପଣଙ୍କର ଅବଦାନ ମଧ୍ୟ ବହୁ ସ୍ୱୀକୃତ। ଆପଣଙ୍କର ‘ଓଡ଼ିଆ ଲୋକସାହିତ୍ୟ ଓ ଲୋକସଂସ୍କୃତି’ ଏହି ବିଷୟରେ ଗୋଟିଏ ପ୍ରାମାଣିକ ଗ୍ରନ୍ଥ। ଏଇଟି ପ୍ରଣୟନ କରିବା ବେଳେ ଆପଣ ପୂର୍ବର କେତେଜଣ ବିଶିଷ୍ଟ ଲେଖକଙ୍କ ଲେଖାର ଆଧାର ବ୍ୟବହାର କରିଛନ୍ତି କି?
ଅଜୟ କୁମାର ମିଶ୍ର: ନିଶ୍ଚୟ, ଅନ୍ୟମାନେ ତୃଣମୂଳ ସ୍ତରରେ ଏ ଦିଗରେ ଅନେକ ମହତ୍ତ୍ୱପୂର୍ଣ୍ଣ କାମ କରିଛନ୍ତି। ୧୯୯୬ ମସିହାରେ ମୁଁ ଅଧ୍ୟାପକ ଥିଲାବେଳେ ପ୍ରଥମେ ଉତ୍କଳ ବିଶ୍ୱବିଦ୍ୟାଳୟ ଯେତେବେଳେ ଏହି ବିଷୟକୁ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ କଲେ, ସେତେବେଳେ ଦେଖିଲି ଯେ ମୋ ପିଲାଙ୍କ ପାଇଁ ବହି ନାହିଁ। ତେଣୁ ମୁଁ ବିଧିବଦ୍ଧ ଭାବରେ ଲାଗିପଡ଼ିଲି ବହିଟି ଲେଖିବା ପାଇଁ। ଏହି ବହିର ଏବେ ସାତଟି ସଂସ୍କରଣ ବାହାରି ସାରିଲାଣି।
ସାହିତ୍ୟ ଚର୍ଚ୍ଚା: ଆପଣ ହେଉଛନ୍ତି ଜଗତସିଂହପୁର ଅଂଚଳର ସନ୍ତାନ, ଯେଉଁ ମାଟିକୁ ଓଡ଼ିଆ ଯାତ୍ରାକଳାର ଏନ୍ତୁଡ଼ିଶାଳ ବୋଲି କୁହାଯାଏ। ଓଡ଼ିଶାର ଯାତ୍ରା ଦଳମାନଙ୍କୁ ଗୋଟିଏ ଗୁଣାତ୍ମକ ଦିଶା ଓ ପ୍ରେରଣା ଦେବାରେ ଆପଣଙ୍କର ଭୂମିକା ଅଛି। ଏ ବିଷୟରେ ଆପଣଙ୍କର ଅନୁଭୂତି କ’ଣ?
ଅଜୟ କୁମାର ମିଶ୍ର: ମୁଁ ଯେତିକି ଜାଣିଛି, ସାମାଜିକ ସ୍ଥିତାବସ୍ଥାରେ ଜନ-ଶିକ୍ଷଣ ଓ ଜନ-ମନୋରଂଜନ, ଉଭୟର ସମନ୍ୱୟ ହେଉଛି ଓଡ଼ିଆ ଯାତ୍ରା। ଓଡ଼ିଶାରେ ଏମିତି କୌଣସି ଲୋକନାଟକ ଆପାତତଃ ନାହିଁ, ଯାହା ଯାତ୍ରା ଭିତରେ ପ୍ରବେଶ ନ କରିପାରେ। ଯାତ୍ରା ହେଉଛି ମହାନଦୀର ସେହି ମହାପ୍ରବାହ, ଯେଉଁଥିରେ ଲୋକନୃତ୍ୟ, ଲୋକଗୀତ ଓ ଲୋକସଂଗୀତ ଭଳି ଉପନଦୀମାନଙ୍କର ସଙ୍ଗମ ଘଟିଛି।
ସାହିତ୍ୟ ଚର୍ଚ୍ଚା: ତେବେ ଓଡ଼ିଆ ଯାତ୍ରା କ’ଣ ଧୀରେ ଧୀରେ ପରମ୍ପରାଠାରୁ ଦୂରେଇ ଯାଉଛି?
ଅଜୟ କୁମାର ମିଶ୍ର: ହଁ, ପରମ୍ପରାଠାରୁ ଆଜିର ଯାତ୍ରା ଦୂରେଇଯାଇଛି; ତାହା ଏଇଥିପାଇଁ ହେଉଛି ଯେ ସମାଜ ବଦଳିଲେ ସଂସ୍କୃତି ବଦଳିବାଟା ସ୍ୱାଭାବିକ।
ସାହିତ୍ୟ ଚର୍ଚ୍ଚା: ଡି.ଲିଟ୍ ପାଇଁ ଆପଣଙ୍କ ଗବେଷଣାର ବିଷୟ ଥିଲା ‘ଓଡ଼ିଆ ଯାତ୍ରାର ସାମାଜିକ ରୂପବିଭବ’। ଏହାପରେ ‘ଓଡ଼ିଆ ଯାତ୍ରାର ଉନ୍ମେଷ ଓ ଉତ୍ତରଣ’ ମଧ୍ୟ ଏ ବିଷୟରେ ଆପଣଙ୍କର ଗୋଟିଏ ପ୍ରସିଦ୍ଧ ପୁସ୍ତକ। ଯାତ୍ରାକଳା ଓ ଯାତ୍ରାସାହିତ୍ୟକୁ ଏତେ ବ୍ୟାପକ ଭାବରେ ଅଧ୍ୟୟନ କରିବା ପରେ ପୂର୍ବର ଓ ଏବର ଯାତ୍ରାଦଳମାନଙ୍କର ଭୂମିକାକୁ ଆପଣ ଯେତେବେଳେ ତୁଳନା କରନ୍ତି, ଆପଣଙ୍କର କ’ଣ ମନେହୁଏ? ଏବେ ସେମାନଙ୍କର ଅଧୋଗତି ଚାଲିଛି, ନା ଉନ୍ନତି?
ଅଜୟ କୁମାର ମିଶ୍ର: ଯାତ୍ରାଦଳମାନଙ୍କର ଅଧୋଗତି ନିଶ୍ଚୟ ହେଉଛି। ମୋ’ର ଗବେଷଣା ଗ୍ରନ୍ଥରେ ମୁଁ ତିନୋଟି କଥା ଦେଖାଇଛି; ମଞ୍ଚନାଟକ, ଯାତ୍ରା, ଆଉ ଚଳଚ୍ଚିତ୍ର। ଏ ତିନିଟିଙ୍କୁ ତୁଳନା କଲାବେଳେ ମୁଁ ଅନୁଭବ କଲି ଯେ ଯାତ୍ରା ଚଳଚ୍ଚିତ୍ରରୁ କିଛି ଆଣି ନିଜ ଭିତରେ ଅଙ୍ଗୀଭୂତ କରିଛି, ମଞ୍ଚନାଟକରୁ ମଧ୍ୟ। ଫଳରେ ଯାତ୍ରାର ଲୋକପ୍ରିୟତା ବଢ଼ିଛି।

ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ମଞ୍ଚନାଟକ, ଯାହାକୁ ଆମେ ଥିଏଟର ବୋଲି କହୁ, ଏହାର ଲୋକପ୍ରିୟତା ଧୀରେ ଧୀରେ କମିଯାଉଛି, ଏବଂ ସେହି ତୁଳନାରେ ଓଡ଼ିଆ ଯାତ୍ରାର ଲୋକପ୍ରିୟତା ବଢ଼ିଚାଲିଛି। ଏହା କ’ଣ ସତ?
ଅଜୟ କୁମାର ମିଶ୍ର: ନିହାତି ସତ। କାରଣ ଯେଉଁମାନେ ମଞ୍ଚନାଟକର ନାଟ୍ୟକାର, ସେମାନେ ପାଶ୍ଚାତ୍ୟ ଜଗତର ଚିନ୍ତା, ଚେତନାକୁ ମଞ୍ଚନାଟକରେ ପ୍ରବେଶ କରାଇବା ପାଇଁ ଚେଷ୍ଟା କରୁଛନ୍ତି, ଯାହା ଫଳରେ ଦର୍ଶକ ସେମାନଙ୍କଠାରୁ ଦୂରେଇଯାଉଛନ୍ତି। କିନ୍ତୁ ଯାତ୍ରା ଦର୍ଶକୀୟ ରୁଚିବୋଧକୁ ନେଇ ଥିଏଟରକୁ ଏକ ନୂଆ ରୂପରେ ପରିବେଷଣ କରୁଥିବାରୁ ଆଜିର ଦର୍ଶକମାନେ ତାହା ଆଡ଼କୁ ଢଳୁଛନ୍ତି। ମୁଁ ତ କହେ ଯେ, ଏବର ଯାତ୍ରା ହେଉଛି ‘ଥିଏଟାତ୍ରା’।
ସାହିତ୍ୟ ଚର୍ଚ୍ଚା: ଅର୍ଥାତ୍ ଏହା ଥିଏଟର ସହିତ ଯାତ୍ରାର ସଂଗମ!
ଅଜୟ କୁମାର ମିଶ୍ର: ଯେମିତି ଆମେ କହୁ ଆଙ୍ଗେ୍ଲାଡ଼ିଆ, ସେହିଭଳି ଏଇଟା ଗୋଟିଏ ମିଶ୍ରିତ ଧାରାର ସୂଚକ, ଥିଏଟର+ଯାତ୍ରା।
ସାହିତ୍ୟ ଚର୍ଚ୍ଚା: ଆଜିକାଲି ଯାତ୍ରାରେ ଯେଭଳି ଶସ୍ତା ମନୋରଂଜନମୂଳକ ନୃତ୍ୟ ବା ଆଇଟମ୍ ଡ୍ୟାନ୍‌ସ ଆଦି ପ୍ରସ୍ତୁତ କରାଯାଉଛି, ସେହି ଅବକ୍ଷୟ ଯାତ୍ରାକଳାର ନିମ୍ନଗତି ଆଣିବ କି?
ଅଜୟ କୁମାର ମିଶ୍ର: ଆଣିସାରିଲାଣି। ଚଳନ୍ତି ସମୟର ଯାତ୍ରା ମନୋରଂଜନକୁ ପ୍ରାଧାନ୍ୟ ଦେବାକୁଯାଇ ବିଭତ୍ସ ନଗ୍ନ ନୃତ୍ୟ ପରିବେଷଣ କରୁଥିବାରୁ ଘୋର ସଙ୍କଟର ସାମନା କରିବାକୁ ଯାଉଛି। ଏବେ ତ ଗାଡ଼ିରେ ବୁଲି ମାଇକ୍ ଦ୍ୱାରା ପ୍ରଚାର କରାଯାଉଛି, “ଆସନ୍ତୁ ଦେଖିବେ ଆଧୁନିକ ତରୁଣୀମାନଙ୍କର ନୃତ୍ୟ।” ଏହି ଆଧୁନିକ ତରୁଣୀ ହେଉଛନ୍ତି ବେଳାଏ ଖାଇ, ବେଳାଏ ନ ଖାଉଥିବା ଝିଅମାନେ, ଯେଉଁମାନେ ଅଧା ପୋଷାକ ପିନ୍ଧି ନାଚ ନାମରେ ଷ୍ଟେଜ୍‌ରେ ଡିଆଁଡେଇଁ କରନ୍ତି। ଏହି ଅପସଂସ୍କୃତି ଯେତେ ଶୀଘ୍ର ବନ୍ଦ ହେବ, ତାହା ଓଡ଼ିଆ ଯାତ୍ରା ପାଇଁ ଶୁଭଙ୍କର।
ସାହିତ୍ୟ ଚର୍ଚ୍ଚା: ଆପଣ ଜଣେ ସଫଳ ଅଭିଧାନବିତ୍ ମଧ୍ୟ। ଆପଣଙ୍କ ଦ୍ୱାରା ରଚିତ ପୁସ୍ତକଗୁଡ଼ିକର ତାଲିକାରେ ଛଅଟି ଅଭିଧାନ ଅଛି। ଓଡ଼ିଶାରେ ଏବେ ଅଭିଧାନର ସଂଖ୍ୟା କିଛି କମ୍ ନୁହେଁ। ତଥାପି ଏବେ ଆହୁରି ନୂଆ ନୂଆ ଅଭିଧାନ ପ୍ରଣୟନର ଆବଶ୍ୟକତା ଅଛି କି?
ଅଜୟ କୁମାର ମିଶ୍ର: ଆବଶ୍ୟକତା ଅଛି, ଏଥିପାଇଁ ଯେ ଏକଦା ଅଭିଧାନ ଶବ୍ଦବିଭବରେ ଭରପୂର ରହୁଥିଲା, ଶବ୍ଦ ବ୍ୟୁତ୍ପତ୍ତି ରହୁଥିଲା, ଶବ୍ଦ ଚିହ୍ନଟ କରିବାର ବ୍ୟବସ୍ଥା ରହୁଥିଲା। ଆପଣ ଇଂରାଜୀ ଭାଷା ସାହିତ୍ୟକୁ ଯାଆନ୍ତୁ, ତାଙ୍କର ଅକ୍ସଫୋର୍ଡ ଡିକ୍ସନାରୀ ଦେଖନ୍ତୁ, ତା’ଭିତରେ ପ୍ରତିବର୍ଷ ଗୁଡ଼ିଏ ନୁଆ ଶବ୍ଦ ପ୍ରବେଶ କରୁଛି। ଆମେ ପ୍ରହରାଜ ମହାଶୟଙ୍କର ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦେଖୁଛେ ଯେ ଏବେ ବି ଅଜସ୍ର ଶବ୍ଦ ତାହା ଭିତରେ ପ୍ରବେଶ କରିବାର ଆବଶ୍ୟକତା ଅଛି।
ସାହିତ୍ୟ ଚର୍ଚ୍ଚା: ଆରମ୍ଭରେ ଆମେ କହିଥିଲୁ ଯେ, ଆପଣ ସାହିତ୍ୟର କୌଣସି ବିଭାଗକୁ ନ ଛୁଇଁ ରହିନାହାନ୍ତି।
ଅଜୟ କୁମାର ମିଶ୍ର: କିନ୍ତୁ ରହିଯାଇଛି ଗୋଟିଏ ବିଭାଗ, ଆତ୍ମଜୀବନୀ।
ସାହିତ୍ୟ ଚର୍ଚ୍ଚା: ସତକଥା, ଆପଣ ତ ପାଞ୍ଚଗୋଟି ଜୀବନୀ ପୁସ୍ତକ ଲେଖିଛନ୍ତି, କିନ୍ତୁ ଆତ୍ମଜୀବନୀ ଏ ଯାବତ୍ ଲେଖିନାହାନ୍ତି।
ଅଜୟ କୁମାର ମିଶ୍ର: ଆତ୍ମଜୀବନୀ ନ ଲେଖିବାର କାରଣ ହେଉଛି, ମୁଁ କେଉଁ ମଣିଷରେ ଗଣା ଯେ ଲୋକେ ମୋ’ର ଆତ୍ମଜୀବନୀ ପଢ଼ିବେ?
ସାହିତ୍ୟ ଚର୍ଚ୍ଚା: ଆମେ ଆପଣଙ୍କର ଉପନ୍ୟାସ ସାହିତ୍ୟକୁ ଆସିବା। ଆପଣ ତିନୋଟି ଉପନ୍ୟାସ ଲେଖିଛନ୍ତି। ଏହି ତିନିଟି ଭିତରୁ ଆପଣଙ୍କ ‘ରାଧା’ ଉପନ୍ୟାସଟି ବେଶ୍ ମହତ୍ତ୍ୱପୂର୍ଣ୍ଣ। ମିଥ୍ ଉପରେ ଆଧାରିତ ଏହା ଗୋଟିଏ କ୍ଲାସିକ୍ ଉପନ୍ୟାସ। ଆପଣଙ୍କର ଏତେ ଉଚ୍ଚକୋଟୀର ଉପନ୍ୟାସଟିଏ କାହିଁକି ଯେ ଆମ ସାହିତ୍ୟ ଜଗତରେ ବହୁଚର୍ଚ୍ଚିତ ଓ ବହୁସ୍ୱୀକୃତ ହୋଇପାରିନାହିଁ, ତାହା ଭାବି ଆମେ ଆଶ୍ଚର୍ଯ୍ୟ ହେଉଛୁ। ଏହି ବହିଟି ଆପଣଙ୍କର ସବୁଠାରୁ ପ୍ରିୟ ମାନସ ସନ୍ତାନ ହୋଇଥିବ ବୋଲି ଆମେ ଅନୁମାନ କରୁଛୁ।
ଅଜୟ କୁମାର ମିଶ୍ର: ଏକଦା ପ୍ରିୟ ଥିଲା। ଏହି ବହି ପ୍ରସାରଣ ନ ହେବାର ମୁଖ୍ୟ କାରଣ ହେଉଛି, ଆମ ଓଡ଼ିଶାରେ ଗୋଟିଏ ହେଲା ପଦବୀ ସାହିତ୍ୟ, ଆଉ ଗୋଟିଏ ହେଉଛି ବିପଦୀ ସାହିତ୍ୟ।
ସାହିତ୍ୟ ଚର୍ଚ୍ଚା: ପଦବୀ, ବିପଦୀ? ଇଏ ପୁଣି କ’ଣ?
ଅଜୟ କୁମାର ମିଶ୍ର: ପଦବୀ ସାହିତ୍ୟ କହିଲେ, ଯିଏ ସବୁ ପଦାଧିକାରୀ ଅଛନ୍ତି, ସେମାନେ ଯାହା ଗାରେଇଦେଲେ ବି ବେଦ ପାଲଟିଯାଏ। ଆଉ ବିଗତ ପଦ ଯାହାର, ସେ ହେଲା ବି-ପଦୀ। ଅର୍ଥାତ୍ ପଦ ଯାହାର ନାହିଁ, ସେମନ୍ତ ମୋ’ର ଅବସ୍ଥା। ମୁଁ ଅଧ୍ୟାପକ ଥିବାବେଳେ ଏହା ଲେଖିଥିଲି; ସେତେବେଳେ ବହିଟି ପ୍ରଚୁର ଆଦୃତି ପାଇଲା। ସେତେବେଳେ ଯେଉଁମାନେ ପଢ଼ିଛନ୍ତି ଏଇଟି, ସେମାନଙ୍କ ମଧ୍ୟରୁ ଅନେକେ ଏହାକୁ ଏ++ ରେଟିଙ୍ଗ୍ ଦେଇଛନ୍ତି। କିନ୍ତୁ ଏବେ ସମସ୍ତେ ତାହା ଭୁଲିଗଲେଣି।
ସାହିତ୍ୟ ଚର୍ଚ୍ଚା: ଏ ଉପନ୍ୟାସଟି ଏବେ ଆମ ଏହି ଟେବୁଲ୍ ଉପରେ ଅଛି। ୧୯୬ ପୃଷ୍ଠାର ଉପନ୍ୟାସ ଇଏ। ଆଖି ବୁଜି ଯେଉଁ ପୃଷ୍ଠାଟି ବି ଖୋଲିଦେଲେ ଦିଶିଯାଏ, ଗୋଟିଏ ଗୋଟିଏ ମୂଲ୍ୟବାନ ବାକ୍ୟ। ଯେମିତି ଦେଖନ୍ତୁ, ଆପଣ ଏଠି ଲେଖିଛନ୍ତି, “ଶସ୍ତ୍ରର ଆଘାତ ଶଲ୍ୟ ଚିକିତ୍ସାରେ ଉପଶମ କରାଯାଇପାରେ, ମାତ୍ର ଶାସ୍ତ୍ରର ଆଘାତ କାଳ କାଳକୁ ରହିଯାଏ।” ଏହିଭଳି ଅଜସ୍ର ଉଦ୍ଧୃତିଯୋଗ୍ୟ ବାକ୍ୟ ରହିଛି ଉପନ୍ୟାସଟିରେ। ଏଣୁ ବର୍ଷୀୟାନ ସମାଲୋଚକ ବୈଷ୍ଣବ ଚରଣ ସାମଲ ଠାଏଁ ଯଥାର୍ଥରେ କହିଛନ୍ତି, “ରାଧା ଉପନ୍ୟାସଟି ଗୋଟିଏ ମନ୍ମୟ ନିର୍ବାଧ ଗତିଧାରା।” ଦୁଃଖିତ ହେବାକୁ ହୁଏ, ବହିଟି ପାଠକମାନଙ୍କ ଦୃଷ୍ଟିକୁ ଯେତିକି ଆସିବା କଥା ସେତେ କାହିଁକି ଆସିପାରିଲା ନାହିଁ!
ଅଜୟ କୁମାର ମିଶ୍ର: ମୁଁ ମଧ୍ୟ ସେକଥା ଅନୁଭବ କରିଛି। ବୋଧହୁଏ ଲୋକଙ୍କ ପାଖରେ ମୋ ପାଠ ପହଞ୍ଚୁଥାଇପାରେ, କିନ୍ତୁ ମୁଁ ପହଞ୍ଚି ପାରୁନାହିଁ। ତାହା ହୋଇଥିଲେ ବୋଧହୁଏ ବହିଟି ଚର୍ଚ୍ଚାର ପରିସରକୁ ଆସିପାରିଥାଆନ୍ତା। ଆଜି ପର୍ଯ୍ୟନ୍ତ ମୋର କୌଣସି ବହି ପିଛା ମୁଁ ମୁଣ୍ଡ ଖେଳାଇନାହିଁ।
ସାହିତ୍ୟ ଚର୍ଚ୍ଚା: ଶେଷକୁ ପଚାରିବୁ, ଓଡ଼ିଆ ଭାଷା ଓ ସାହିତ୍ୟର ଭବିଷ୍ୟତକୁ ଆପଣ କେମିତି ଦେଖନ୍ତି?
ଅଜୟ କୁମାର ମିଶ୍ର: ମୁଁ ଦେଖୁଛି ଯେ ଏହା ଉଜ୍ଜ୍ୱଳ। ଏବେ ପାଠକୀୟତା ଟିକିଏ ହ୍ରାସ ପାଇଥିବା ନେଇ ଆମେ ବିବ୍ରତ ହେବା କଥା ନୁହେଁ। ଦିନେ ତ ପୁଣି ଲୋକତୁଣ୍ଡରେ ମଧ୍ୟ ଆମର ସାହିତ୍ୟ ବଞ୍ଚିରହିଥିଲା!
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ଅନ୍ତରଙ୍ଗ ଆଳାପଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

13 thoughts on “ସାରସ୍ୱତ ସ୍ରଷ୍ଟା ଅଜୟ କୁମାର ମିଶ୍ରଙ୍କ ସହ ଅନ୍ତରଙ୍ଗ ଆଳାପ

  1. ବହୁତ୍ ସୁନ୍ଦର ଉପସ୍ଥାପନା। ଏଥିପାଇଁ ମିଶ୍ରଶାଳର ପ୍ରତିଷ୍ଠାତା ବନ୍ଧୁ ଅଜୟ ମିଶ୍ରଙ୍କୁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ।

  2. ସାର୍ ଜଣେ ଭଲ ଲୋକ।ବହୁ ପ୍ରତିଭାର ଅଧିକାରୀ।ଅନନ୍ଯ ଶିଳ୍ପୀ, ଅସାଧାରଣ ପ୍ରତିଭାର ଅଧିକାରୀ ।ମୋ ତରଫରୁ ସାରଙ୍କୁ ଅଶେଷ ଶୁଭେଚ୍ଛା ଓ ଶୁଭକାମନା 🙏🙏

  3. ବହୁତ୍ ବଢିଆ ସାର୍, ଅତି ଉତ୍ତମ ମାନର ବ୍ୟକ୍ତି l

    ଅଜୟ କୁମାର ମିଶ୍ର ସିନା ତାଙ୍କ ନାମ,
    ବିରଳ ତାଙ୍କ ଅଦ୍ଭୁତ କାମ ll

  4. ମାନନୀୟ ମିଶ୍ର ବାବୁ ଯେ ଓଡ଼ିଆ ସାହିତ୍ୟରେ ଜଣେ ଅଲରାଉଣ୍ଡର ଏହା ସର୍ବଜନ ସ୍ଵୀକୃତ, ଏଥିରେ ସନ୍ଦେହ ନାହିଁ। ସାହିତ୍ୟର ଏପରି କୌଣସି ବିଭାଗ ନାହିଁ ଯେଉଁଥିରେ ତାଙ୍କର ପ୍ରବେଶ ନାହିଁ। ତାଙ୍କ ମତରେ ଏଇ ପଦବୀ ଆଉ ବିପଦୀ ପ୍ରକୃତରେ ଏକ ପ୍ରଣିଧ୍ୟାନ ଯୋଗ୍ୟ ବିଷୟ ଏଥିରେ କିଛି ସନ୍ଦେହ ନାହିଁ। ଉପସ୍ଥାପନା ଖୁବ ସୁନ୍ଦର ଓ ହୃଦୟସ୍ପର୍ଶୀ ହୋଇପାରିଛି।

  5. ମୋ ଅଜୟ ଭାଈ ଙ୍କର ଉପସ୍ଥାପନା ଅତ୍ୟନ୍ତ ଉଚ୍ଚକୋଟୀର। ଆମ ସମସ୍ତଙ୍କ ପାଇଁ ସେ ପ୍ରେରଣା। ଆଗକୁ ତାଙ୍କୁ ନେଇ ଆମର ବହୁ ଉଚ୍ଚ ଚିନ୍ତା ଅଛି। ଭଗବାନ ନିଶ୍ଚୟ ପୁରଣ କରିବେ 🙏
    ନିହାରିକା ମିଶ୍ର (ଭଉଣୀ )

  6. ପ୍ରଣାମ ସାର୍ 🙏🙏
    ବହୁତ ସୁନ୍ଦର ଉପସ୍ଥାପନା ସାର୍

  7. ଅବିନାଶ କୁମାର ସାହୁ, ନୂଆପାଟଣା (ଅରଖପାରି), ଜଗତ୍'ସିଂହପୁର। says:

    ଯାହାର କ୍ଷୟ ନାହିଁ,ସେ ଅକ୍ଷୟ।
    ସେ ହିସାବରେ ଦେଖିଲେ, ଯାହାର ଜୟ ନାହିଁ, ତାକୁ ଅଜୟ କୁହାଯିବନି। କ୍ଷୋଭରେ କିନ୍ତୁ ଆମ ଅଜୁଭାଇନା,ଏ କଥା ଭାବିନିଅନ୍ତି।
    ବାସ୍ତବରେ ଭାଇନା ଆମର ‘ଜୟ’କୁ ଜିତି ସାରିଛନ୍ତି ; ତେଣୁ ଏକାଧାରରେ ‘ଅଜୟ’, ଅକ୍ଷୟ (ଯେହେତୁ ତାଙ୍କର କ୍ଷୟ ନାହିଁ, ବରଂ ପରିଚିତି ବୄଦ୍ଧି ପାଇଚାଲିଛି, ଅଭୟ (କିଛି ଭଲ ସୃଷ୍ଟି କରିବାକୁ ଭୟ ନାହିଁ)। ତାଙ୍କର ଚିନ୍ତା-ପରିଧି ‘ଅନନ୍ତ’ (ହାତର କଲମଠୁଁ ଆରମ୍ଭ କରି ବଢେଇର ନିହାଣ ପର୍ଯ୍ଯନ୍ତ)। ତାଙ୍କର ଅନବଦ୍ଯ ସର୍ଜନା ‘ରାଧା’ ପଠନ କଲେ,ଶୋକ ରହେ ନାହିଁ, ଅନ୍ଯ ଏକ ‘ଅଶୋକ’ ରାଇଜରେ ପାଠକ ବିଚରଣ କରେ ଅବା!ସତେ ଅବା ଭାଇନା ନିଜେ ‘ଅଶ୍ବିନୀ’ କୁମାର ; ମୋଦକ ଦେଇ ‘ଶୋକ’ ହରଣ କରିବାର କଳାରେ ଭାଇନା ମାହିର।
    ହେ ସାରସ୍ବତ ସାଧକ ! ଆପଣଙ୍କ ‘ଅବିନାଶୀ’ ସାଧନା ଆମମାନଙ୍କ ପଥ-ପ୍ରଦର୍ଶକ ହେଉ। 🙏💐🙏

  8. ବହୁବିଧ ପ୍ରତିଭାର ଅଧିକାରୀ ଡ ଅଜୟ ମିଶ୍ର ସାହିତ୍ୟର ବିଭିନ୍ନ ବିଭାଗରେ ଗବେଷଣା ତଥା ଲେଖନୀ ଚାଳନା କରିଛନ୍ତି। ଲୋକ-ଉପକରଣର ନମୁନାମାନ ହାତରେ ଗଢି ସେ ତିଆରିଛନ୍ତି ‘ମିଶ୍ରଶାଳ’। ଲୋକ ସଂସ୍କୃତିକୁ ବୁଝିବା ଓ ଆପଣାର ହଜି ଯାଉଥିବା ପରମ୍ପରାକୁ ଆବିଷ୍କାର କରିବାରେ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ।
    ଏହିଭଳି ଏକ ବ୍ୟକ୍ତିତ୍ଵଙ୍କ ସହ ସାକ୍ଷାତକାର ପ୍ରକାଶ କରିଥିବାରୁ ସାହିତ୍ୟ ଚର୍ଚ୍ଚା ସାଧୁବାଦର ପାତ୍ର।

  9. ଜ୍ୟୋତିରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର says:

    ପ୍ରଣାମ 🙏🏻 ଇଥିରୁ ଆପଣଙ୍କ ସମ୍ପର୍କରେ ଆଉଟିକିଏ ଅଧିକ ଜାଣିବାକୁ ସୁଯୋଗ ମିଳିଲା। ବହୁତ୍ ଖୁସି ଲାଗିଲା। ଆପଣଙ୍କର ଏଇ ଯୁବକ ସୁଲଭତା ଚିରଦିନ ବଜାୟ ରହୁ।

  10. ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ତତ୍ତ୍ଵ ଆଧାରିତ ଏହି ଆଲେଖ୍ୟ ତଥା ସାକ୍ଷାତକାରଟି ଆମ ପାଠକ ସମାଜ ପାଇଁ ଏକାନ୍ତ ଉପାଦେୟ । ଓଡ଼ିଆ ସାହିତ୍ୟରେ ଡକ୍ଟର ଅଜୟ କୁମାର ମିଶ୍ରଙ୍କ ସ୍ଥାନ ଅବିସ୍ମରଣୀୟ। ତାଙ୍କୁ ଏହି ଅବସରରେ ଆମେ ଅଭିନନ୍ଦନ ଜଣାଉଛୁ ।

  11. ବହୁତ ସୁନ୍ଦର ଉପସ୍ଥାପନା। ଓଡ଼ିଆ ସାହିତ୍ୟ ଜଗତ ନିମନ୍ତେ ବହୁତ ଉପାଦେୟ।

  12. ଡ ମିଶ୍ର ଜଣେ ବହୁ ପ୍ରତିଭାସମ୍ପନ୍ନ ବ୍ୟକ୍ତି।ସେ ନବ ନବ ସାରସ୍ୱତ ଦିଗନ୍ତର ସନ୍ଧାନୀ।ତାଙ୍କ ବିକ୍ରମାଦିତ୍ୟ ଉପନ୍ୟାସ ପଢି ମୁଁ ତାଙ୍କ ପ୍ରତିଭାର ପରିଚୟ ପାଇଥିଲି।ତାଙ୍କ ଡିଲିଟ୍ ଥେସିସ ସେ ମତେ ପଢି ଶୁଣାଇଛନ୍ତି।ତାଙ୍କର ଯାତ୍ରା ଖୁବ୍ ଦୀର୍ଘ ହେଉ ବୋଲି ମୋର କାମନା।

  13. ପ୍ରଣାମ ସାର୍ 🙏🙏
    ବହୁତ ସୁନ୍ଦର ଉପସ୍ଥାପନା ସାର୍ ଓଡ଼ିଆ ସାହିତ୍ୟରେ ଆପଣଙ୍କର ସ୍ଥାନ ଅବିସ୍ମରଣୀୟ।

Leave a Reply

Your email address will not be published. Required fields are marked *