
ନବଚିତ୍ରଣ ଏକ ଗର୍ହିତ କାର୍ଯ୍ୟ ନୁହେଁ; କାରଣ ନବୀନତାକୁ ଆମେ ପ୍ରଗତି ବା ସକାରାତ୍ମକତାର ଏକ ସୂଚକ ବୋଲି ଧରିନେଇଥାଉ। କିନ୍ତୁ ଏହି ନବଚିତ୍ରଣ ଯେତେବେଳେ ଅପଚିତ୍ରଣର ସ୍ତରକୁ ଖସିଆସେ ସେତେବେଳେ ଆମକୁ ସେଥିରେ ନକାରାତ୍ମକତା ଦିଶିଯାଏ। ଓଡ଼ିଆ ଭାଷା ଓ ସାହିତ୍ୟର ଅମୂଲ୍ୟ ବିଭବ, ସାରଳା ମହାଭାରତରେ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ନବଗୁଞ୍ଜର ରୂପ ପ୍ରସଙ୍ଗରେ ଆମେ ଏହି କଥା କହୁଛୁ। ତାଙ୍କର ଏହି ଅନନ୍ୟ ରୂପର ବର୍ଣ୍ଣନା ସାରଳା ମହାଭାରତକୁ ଛାଡ଼ିଦେଲେ ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ । ସାରଳା ଦାସଙ୍କର ଏକ ମୌଳିକ କବି-ଚିନ୍ତନ ଭାବରେ ତାଙ୍କ ଦ୍ୱାରା ରଚିତ ମହାଭାରତରେ ଏହା ସ୍ଥାନ ପାଇବା ଆମ ଜାତିର ଏକ ଗୌରବ ବୋଲି କୁହାଯାଇପାରେ। ସାରଳା ମହାଭାରତର ମଧ୍ୟପର୍ବରେ ଅଛି ଯେ ଶ୍ରୀକୃଷ୍ଣ ନିଜ ବନ୍ଧୁତ୍ୱର ନିବିଡ଼ତା ପରୀକ୍ଷା କରିବା ପାଇଁ ନଅଗୋଟି ଜୀବର ସମାହାରକୁ ନେଇ ଅର୍ଜୁନଙ୍କ ସମ୍ମୁଖରେ ଏକ ଅଦ୍ଭୁତ ରୂପରେ ଉଭା ହୋଇଥିଲେ। ସେହି ରୂପ ମଧ୍ୟରେ ସମାହିତ ଥିଲା କୁକୁଡ଼ାର ମୁଣ୍ଡ, ବୃଷଭର ଚୂଳ, ମୟୂରର କଣ୍ଠ, ସର୍ପର ପୁଚ୍ଛ, ସିଂହର କଟି, ବ୍ୟାଘ୍ର, ଅଶ୍ୱ, ହସ୍ତୀର ଗୋଟିଏ ଲେଖାଏଁ ପାଦ ଓ ଅନ୍ୟ ପାଦଟି ଥିଲା ପଦ୍ମ ଧାରଣ କରିଥିବା ମଣିଷର ହାତ।
ଆମ ଆଧ୍ୟାତ୍ମିକ ପରମ୍ପରାରେ ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କୁ ଏକ ଓ ଅଭିନ୍ନ ଭାବରେ ଗ୍ରହଣ କରାଯାଇଛି। ସେଥିପାଇଁ ଷୋଡ଼ଶ ଶତାବ୍ଦୀରେ ସନ୍ଥକବି ଦିବାକର ଦାସ ଗାଇ ଉଠିଥିଲେ, “ଜଗନ୍ନାଥ ଯେ ଷୋଳ କଳା, ତହୁଁ କଳାଏ ନନ୍ଦବଳା।’ କିନ୍ତୁ ଆମେ, ବିଶେଷତଃ ଆଧୁନିକ ଯୁଗର ଲେଖକ, ଆଲୋଚକ ଓ ଚିତ୍ରକରଗଣ, ଜଗନ୍ନାଥଙ୍କର ସେହି ନବଗୁଞ୍ଜର ରୂପଟିକୁ ଏବେ କେଉଁଠୁ ଆଣି କେଉଁଠି ଯେ ଥୋଇଦେଲେଣି ତାହା ଚିନ୍ତାର ବିଷୟ। ଆଜିକାଲି ବିଭିନ୍ନ ପତ୍ରପତ୍ରିକା, କଳା ପ୍ରଦର୍ଶନୀ, ଟେଲିଭିଜନ୍, ସାମାଜିକ ଗଣମାଧ୍ୟମ ଓ ଏପରିକି ଐତିହ୍ୟ ଗ୍ରାମ ରଘୁରାଜପୁରର ପାରମ୍ପରିକ ପଟ୍ଟଚିତ୍ରଗୁଡ଼ିକରେ ମଧ୍ୟ ନବଗୁଞ୍ଜରଙ୍କ ଦୁଇପ୍ରକାର ରୂପ ଦେଖିବାକୁ ମିଳୁଛି । ଗୋଟିଏ ହେଲା, ସାରଳା ଦାସଙ୍କର ବର୍ଣ୍ଣନା ଅନୁଯାୟୀ ମୂଳ ରୂପ ଏବଂ ଅନ୍ୟଟି ହେଲା ତାହାର ଏକ ଅପଚିତ୍ରଣ, ଯେଉଁଥିରେ ତାଙ୍କ ହାତରେ ପଦ୍ମ ଫୁଲ ପରିବର୍ତ୍ତେ ଶୋଭାପାଉଛି ଗୋଟିଏ ନୀଳଚକ୍ର। ସେହିପରି ତାହାଙ୍କ ପୁଚ୍ଛ ହିଁ ଏକ ସର୍ପ (“ଅହିବର ପୁଚ୍ଛା’) ହେବା ପରିବର୍ତ୍ତେ କେତେକ ଚିତ୍ରରେ କୁବ୍ଜରୁ ଗୁଡ଼େଇ ହୋଇ ଏକ ଅସଂଯୁକ୍ତ ପ୍ରାଣୀ ଭାବରେ ଲମ୍ବିଆସିଛି ସର୍ପଟିଏ। ଏବେ କିଛି ଦିନ ତଳେ ଭୁବନେଶ୍ୱର ସହରର ଉପକଣ୍ଠରେ ପୁରୀ ଯିବା ରାସ୍ତାରେ ଦୃଷ୍ଟିରେ ପଡ଼େ ନୂତନ ଭାବରେ ସ୍ଥାପିତ ଏହିଭଳି ଏକ ନବଗୁଞ୍ଜର ମୂର୍ତ୍ତି, ଯେଉଁଥିର ହାତରେ ଧରାଇଦିଆଯାଇଛି ନୀଳଚକ୍ରଟିଏ। କଥା ହେଲା, ନବଗୁଞ୍ଜରକୁ ଏଭଳି ଅବାସ୍ତବ ସ୍ୱରୂପ ଦେଲା ବା କିଏ? ଯିଏ ଏହା କରିଥାଆନ୍ତୁ ନା କାହିଁକି, ଏହା ଯେ ସାରଳା ଦାସଙ୍କର ମୂଳକୃତିରେ ଥିବା ଅବଧାରଣା ପ୍ରତି ଏକ ଅପମାନ ଏଥିରେ ସନ୍ଦେହ ନାହିଁ।
ଆମପାଇଁ ଆଉ ଏକ ଅନୁଶୋଚନାର ବିଷୟ ହେଲା, ଏହି ନବଗୁଞ୍ଜର ରୂପର ମୌଳିକତାକୁ ନେଇ ଏବେ ବିଭିନ୍ନ ମଞ୍ଚରେ ଚାଲିଥିବା କେତେକ ବିଭ୍ରାନ୍ତିକର ବିଚାର। ଏବେ କେତେଜଣ ଆଲୋଚକ ଏକ ଭ୍ରମାତ୍ମକ ଧାରଣା ମଧ୍ୟ ପ୍ରସାରିତ କରିବାରେ ଲାଗିଲେଣି ଯେ ସାରଳା ଦାସଙ୍କର ଦ୍ୱାରା ମହାଭାରତ ରଚିତ ହେବାର ବହୁ ପୂର୍ବରୁ, ଅର୍ଥାତ୍ ଦ୍ୱାଦଶ ଶତାବ୍ଦୀରେ ଶ୍ରୀମନ୍ଦିର ନିର୍ମିତ ହେବା କାଳରୁ ହିଁ ମନ୍ଦିର ଚୂଡ଼ାରେ ଥିବା ନୀଳଚକ୍ରରେ ଏହି ନବଗୁଞ୍ଜର ରୂପ ଖୋଦିତ ହୋଇଥିଲା। ଏହା ବ୍ୟତୀତ ଗରୁଡ଼ ସ୍ତମ୍ଭ ନିକଟ କାନ୍ଥରେ ମଧ୍ୟ କୁଆଡ଼େ ଏହାର ଚିତ୍ର ଅଙ୍କିତ ଥିଲା। ଏଭଳି ଯୁକ୍ତିଗୁଡ଼ିକର କୌଣସି ଆଧାର ନାହିଁ।
ଆମର ନିବେଦନ, ନବଗୁଞ୍ଜର ଭଳି ଏକ ଐତିହ୍ୟ ସମ୍ପନ୍ନ ରୂପକଳ୍ପକୁ ନେଇ ଅଯଥା ଏଭଳି ବିକୃତି ଓ ବିଭ୍ରାନ୍ତି ସୃଷ୍ଟି କରିବାରୁ ସମସ୍ତେ କ୍ଷାନ୍ତ ହୁଅନ୍ତୁ।
ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )