ରଜ ମଉଜ

କିଆ ଫୁଲ ଖସ ଖସ। ବାପାଙ୍କର ଖାନଦାନିଆ ନିଶ।

ଆରତୀ ସାହୁ

ବାଡ଼ିରେ ନଳିତା ବିଡ଼ା।
ଶ୍ଵଶୁର ମୋହର ଖାଆନ୍ତି ମୋଡ଼ା।
ଖାଆନ୍ତି ମୋଡ଼ା ଲୋ
ସ୍ଵଭାବଟା ବଡ଼ କଡ଼ା।

ବାଡ଼ିରେ ପାଚେ ନାରଙ୍ଗ।
ଶାଶୁ ବୁଢ଼ୀଙ୍କର ଓଲେଇ ଢଙ୍ଗ।
ଓଲେଇ ଢଙ୍ଗ ଲୋ
ଚାଲୁଥାନ୍ତି ଟଙ୍ଗ ଟଙ୍ଗ।

ଗୁହାଳରେ ଗୋଠେ ଗାଈ।
ଦେଢ଼ଶୁର ନୁହଁ ସତେ ମୋ ଭାଇ
ସତେ ମୋ ଭାଇ ଲୋ
ଆମ ବରଗଛ ଛାଇ।

କାଗଜ କାଟେ କତୁରୀ।
ବଡ଼ ଯାଆ ଆମର ବଡ଼ ଚତୁରୀ।
ବଡ଼ ଚତୁରୀ ଲୋ
କରେ ସାତକୁ ସତୁରୀ।

ଅଳିଆରୁ ଗଜା ଧାନ।
ଦିଅର ଦିଅନ୍ତି ବିଡ଼ିଆ ପାନ।
ବିଡ଼ିଆ ପାନ ଲୋ
ପଡ଼ିଶା ଝିଅଠି ମନ।

ରଞ୍ଜାରେ ପାଚେ କୁନ୍ଦୁରି।
ନଣନ୍ଦଟା ମୋର ନାକ କାନ୍ଦୁରୀ।
ନାକ କାନ୍ଦୁରୀ ଲୋ
ହେବ ପା ରଜ ସୁନ୍ଦରୀ।

ଆକାଶେ କଟିଲା ଗୁଡ଼ି।
ନଇଁ ନଇଁ ଚାଲେ ମୋ ଆଈ ବୁଢ଼ୀ
ମୋ ଆଈ ବୁଢ଼ୀ ଲୋ
ଆମକୁ ଗାଳେ ଫୋପାଡି।

ଗୁଆ କାଟେ ଖିଲିକାତି।
ଅଜା ମୋ ପିନ୍ଧନ୍ତି ଫତୁଆ ଧୋତି।
ଫତୁଆ ଧୋତି ଲୋ ,
ମନ ତାଙ୍କ କଲିକତି।

କିଆ ଫୁଲ ଖସ ଖସ।
ବାପାଙ୍କର ଖାନଦାନିଆ ନିଶ।
ଖାନଦାନିଆ ନିଶ ଲୋ
ଯିଏ ଦେଖେ ହୁଏ ବଶ।

ମୟୂର ଝାଡି଼ଲା ଡେଣା।
ମୋ ବୋଉ ମୁଣ୍ଡରେ ସରୁ ଓଢ଼ଣା।
ସରୁ ଓଢ଼ଣା ଲୋ
କାହିଁରେ ନୁହେଁ ସେ ଗଣା।

ବଗିଚାରେ ଫୁଟେ ମଲ୍ଲି।
ଭାଇ ଯାଇଛନ୍ତି ବମ୍ବେଇ ଦିଲ୍ଲୀ।
ବମ୍ବେଇ ଦିଲ୍ଲୀ ଲୋ
ଚାକିରି କରିବେ ବୋଲି।

ମଧୁର ନଡ଼ିଆ ରସ।
ନୂଆବୋଉ ମନ ବଡ଼ ବିରସ।
ବଡ଼ ବିରସ ଲୋ
ଭାଇ ତ ଗଲେ ବିଦେଶ।

ଚଇତିଆ ଜହ୍ନ ରାତି।
ନାନୀଟା ମୋହର ମଉନାବତୀ।
ମଉନାବତୀ ଲୋ
ଭିଣୋଇ ହାରନ୍ତି ମତି।

ଗାତରେ ପିମ୍ପୁଡ଼ି କାଇ।
ଆମକଥା ଆଜି ଲେଖିବି ନାଇଁ।
ଲେଖିବି ନାଇଁ ଲୋ
ନିଜ ମୁଖେ ଗାଇ ଗାଇ।

One thought on “ରଜ ମଉଜ

  1. ଆରତୀ ସାହୁଙ୍କ ଗୀତ
    ମାଡ଼ିଯାଏ ତାଙ୍କ କଲମ ମୂନଲୋ
    କାଗଜ ପଡେ ନିଅଣ୍ଟ ।

Leave a Reply

Your email address will not be published. Required fields are marked *