ନାଚ ଶେଷରେ ମୁଁ ତାଙ୍କୁ କହିଲି, ତୁମେ ଭୁଲ ଗାଇଲ।

ମୋ ପିଲାଦିନେ ମାଇନର ସ୍କୁଲରେ ଥିଲା ଯାଏ ଲକ୍ଷ୍ମଣ ଦାସ ଓ ଘନଶ୍ୟାମ ପଣ୍ଡା (ଘନିଆ)ଙ୍କ ସାଙ୍ଗରେ ଆମ ଉପର ଘରେ ଦାସକାଠିଆ ବଜେଇ ଗୀତ ଗାଇବା ଓ ବେଳେବେଳେ ଅଭିନୟ କରିବା ଅଭ୍ୟାସ ହୋଇଯାଇଥିଲା।
ଆମ ଦାଣ୍ଡରେ ଯାତ୍ରା ପାର୍ଟିର ଗୀତ, ନାଟ, ବାଜା ରାତି ଅନିଦ୍ରା ହୋଇ ଉପଭୋଗ କରିବା ମଧ୍ୟ ଅଭ୍ୟାସ ହୋଇଥିଲା।
ବୁଧେଇଓଷାର ବହି, ଲକ୍ଷ୍ମୀ ପୁରାଣ କିମ୍ବା ତଅପୋଇ ଗୀତ ବୋଲିବା ମୋର ଦାୟିତ୍ୱ ହୋଇଯାଇଥିଲା।
ଭଉଣୀ ପିଇସୀଙ୍କ ସାଙ୍ଗରେ ରଜଦୋଳି ଗୀତ ଗାଇବା କିମ୍ବା ବାହାଘର ଗୀତ ଗାଇବା ଭାରି ମଉଜିଆ ଥିଲା।
ଆମ ଘରକୁ କବିଚନ୍ଦ୍ର କାଳୀଚରଣ ଆସୁଥିଲେ, ମୋ ବାପାଙ୍କୁ ସିଏ ନନା ଡାକୁଥିବାରୁ ମୁଁ ତାଙ୍କୁ ଦଦା ଡାକୁଥିଲି, ମୁଁ କଲେଜକୁ ଗଲାବେଳେ ତାଙ୍କ ଘରକୁ ଯିବା ନିୟମିତ ଅଭ୍ୟାସ ହୋଇଯାଇଥିଲା। ତାଙ୍କରି ଘରେ ବାଳକୃଷ୍ଣ ଦାସ, ସଂଯୁକ୍ତା ଓ ରଘୁନାଥ ପାଣିଗ୍ରାହୀ, ହରିପ୍ରସାଦ ଚଉରାଶିଆ, କେଳୁଚରଣ ମହାପାତ୍ର ଆଦିଙ୍କ ସାଙ୍ଗରେ ପରିଚୟ। ତାଙ୍କ ଝିଆରୀ ଶ୍ୟାମାମଣି(ଟିଲା)କୁ ମଧ୍ୟ ଚିହ୍ନିଲି। ସେମାନେ ଆପଣା ଆପଣା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚିଲେ।
କାଳୀଦାଦାଙ୍କ ଭଜନ
ମୁଁ କାଳୀଦାଦାଙ୍କ ଘରକୁ ଗଲାବେଳେ ସିଏ ଯେତେ ନୂଆ ଗୀତ ଲେଖିଥାନ୍ତି, ସେସବୁ ମତେ ବୋଲି ଶୁଣାନ୍ତି। ଦିନେ ମତେ କହିଲେ, ‘ମୁଁ ଗୋଟିଏ ନୂଆ ଭଜନ ଲେଖିଚି, ଶୁଣ।’ ହାରମୋନିଅମ ଟାଣି ଆଣି ଗାଇଲେ,
ଜଗବନ୍ଧୁ ହେ ବନ୍ଧୁ ଯଦୁ ନନ୍ଦନ
ପ୍ରଭୁପଣେ ବଡ଼ ପତାକା ବାନ୍ଧିଛ ବୋଲାଉଛ ପରା ଜଗବନ୍ଦନ।
ରସେ ମଜ୍ଜାଇଲ ଗୋପଗୁଆଳିଙ୍କି ଦଳିଥିଲ ପରା କାଳୀ ବଳିକି।
ମିଠା ଚାଖିସାରି ସିଠା ଫିଙ୍ଗିଦେଲ ରାଧାମଲା ଝୁରି ବିଶ୍ୱବନ୍ଦନ।
ମତେ ପଚାରିଲେ, ‘ବୁଝିଲୁ?’ ମୁଁ କହିଲି, ‘ସିଠା କ’ଣ ମୁଁ ବୁଝିପାରିଲି ନାହିଁ।’ ସିଏ ପାଟିକରି ଡାକିଲେ, ‘କିଏ ଅଛରେ, ପିକଦାନିଟା ଆଣିଲ।’ ଜଣେ ପିକଦାନି ଆଣିବାରୁ ସିଏ ଚୋବାଉଥିବା ପାନର ଆବଶିଷ୍ଟାଂଶ ପକେଇ ଦେଇ ପଚାରିଲେ, ‘ବୁଝିଲୁ?’ ମୁଁ ମୁଣ୍ଡ ହଲେଇଲି।
କଲେଜରେ ପଢ଼ିଲାବେଳେ ଓଡ଼ିଶା ଥିଏଟର୍ସ, ଅନ୍ନପୂର୍ଣ୍ଣା ଥିଏଟର୍ସକୁ ଯାଉଥିଲି। ସେଠାରେ କଳାକାରମାନଙ୍କର ପରିଚୟ ହେଉଥିଲା। ଥରେ ମୋର ସହପାଠୀ ସାବିତ୍ରୀ ନନ୍ଦଙ୍କ ସାନଭଉଣୀ ମିନାକ୍ଷୀ ପାଇଁ ନାଚମାଷ୍ଟ୍ର ଖୋଜା ପଡ଼ିଥିଲା। ମୁଁ ଜାଣିଥିଲି, କେଳୁଚରଣ ଅନ୍ନପୂର୍ଣ୍ଣାରେ ଚାକିରି ହରେଇ ରାସ୍ତାରେ ବୁଲୁଥିଲେ। ମୁଁ ତାଙ୍କୁ ନାଚମାଷ୍ଟର ଭାବରେ ନିଯୁକ୍ତ କରେଇଦେଲି। ଉଭୟ ଛାତ୍ରୀ ଓ ଶିକ୍ଷକ ପ୍ରସିଦ୍ଧିର ସିଡ଼ି ଚଢ଼ି ଉପରକୁ ଉଠିଲେ।
କଲେଜରେ ଛାତ୍ର ରାଜନୀତିରୁ ଆସି ସମାଜବାଦୀ ରାଜନୀତିରେ ଯୋଗ ଦେଲି। ସେତିକିବେଳେ ବାବୁଲାଲ ଦୋଶୀଙ୍କ ସାଙ୍ଗରେ ପରିଚୟ। ଓଡିଶୀ ନାଚକୁ ଶାସ୍ତ୍ରୀୟ ମାନ୍ୟତାର ପରିଚୟ ଦେବାର ପ୍ରମୁଖ ବିନ୍ଧାଣି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଓ ବାବୁଲାଲ ଦୋଶୀ। ତାଙ୍କ ସାଙ୍ଗରେ କଥା ହେଉ ହେଉ କଳାବିକାଶ କେନ୍ଦ୍ର ପ୍ରତିଷ୍ଠାର କଥା ଉଠିଲା। ତାଙ୍କ ଅନୁରୋଧ କ୍ରମେ ମୁଁ ଏହାର ପ୍ରଥମ ମାନିଫେଷ୍ଟୋ ଲେଖିଲି। କଳାବିକାଶ କେନ୍ଦ୍ର ରେଜିଷ୍ଟ୍ରିକୃତ ଅନୁଷ୍ଠାନ ହେଲା।

ନୃତ୍ୟାଙ୍ଗନାଙ୍କୁ ପ୍ରଶ୍ନ
କଟକ, ଭୁବନେଶ୍ୱରରେ ଥିଲାବେଳେ କୁଙ୍କୁମ ମହାନ୍ତି, ଅରୁଣା ମହାନ୍ତି, ଇଲିଆନା ଚିଟାରିଷ୍ଟଙ୍କ ସହ ପରିଚୟ ଓ ଘନିଷ୍ଠତା। କଲେଜରେ ମୋ’ ସହପାଠୀ ଥିଲେ ମିନତୀ ଦାସ। ସିଏ ପରେ ନୃତ୍ୟଶିଳ୍ପୀ ମିନତୀ ମିଶ୍ର ଭାବରେ ଜଣାଶୁଣା। କୁଙ୍କୁମ ସହିତ ପାରିବାରିକ ସମ୍ପର୍କ। ଦିନେ ମୁଁ ତାଙ୍କ ଘରକୁ ଯାଇଥିଲି। ତାକୁ ଏକୁଟିଆ ଦେଖି ପଚାରିଲି, ‘କୁଙ୍କୁମ, ତୁମେ ଯେଉଁ ଗୀତଗାଇ ନାଚ, ତାର ଅର୍ଥ ବୁଝି ନାଚ?’ ସିଏ କହିଲା, ‘ଅର୍ଥ ନ ବୁଝି ନାଚିବ କେମିତି?’ ମୁଁ ପଚାରିଲି, ‘ତୋ ଲାଗି ଗୋପଦାଣ୍ଡ ମନାରେ କାଳିଆ ସୁନା। ତୋ ଲାଗି ନ ଯିବି ଯମୁନା।’ ଏଥିରେ କାଳିଆ ସୁନାର ଅର୍ଥ କଅଣ?’ ସିଏ କହିଲା, ‘ବଜାରୀ।’ ମୁଁ କହିଲି, ‘କୃଷ୍ଣଙ୍କର ଉଜ୍ୱଳ ଶ୍ୟାମବର୍ଣ୍ଣ ହେତୁ ଇଂରାଜୀ ବ୍ଲାକ୍ ଗୋଲ୍ଡ ଅର୍ଥରେ ତାଙ୍କୁ କାଳିଆ ସୁନା କୁହାଯାଇଛି। ଏଥର କହ ବଜାରୀ କିଏ- ମୁଁ ନାଁ ତୁ?’ ସେପଟେ ତା’ ବୋଉ ଥିଲେ ବୋଲି ମୁଁ ଜାଣିନଥିଲି। ସିଏ କହିଲେ, ‘ଆଜି ପର୍ଯ୍ୟନ୍ତ କୁଙ୍କୁମକୁ କେହି ପାରିନଥିଲେ। ଦେବୀ ଭଲ ଚାପୁଡ଼ାଏ ଦେଲା।’ ମୁଁ ଚୁପ୍କରି ଖସି ପଳେଇ ଆସିଲି। ଏ ପ୍ରସଙ୍ଗରେ ଆଉ ଗୋଟିଏ କଥା ମନେପଡୁଛି। ବୁଦ୍ଧମନ୍ଦିରର ଗୋଟିଏ କାର୍ଯ୍ୟକ୍ରମରେ ଜଣେ ‘ଲୀଳାନିଧି ହେ ଲାଜେ ମୁଁ ଗଲିଟି ସଢ଼ି। ଲୁଚାଇଛ କାହିଁ ଶ୍ୟାମ ହେ ଦିଅ ମୋ’ ଲାଗି ଶାଢ଼ି’ ଗାଇ ନାଚୁଥିଲେ। ସିଏ ‘ମୋ’ ଲାଗି ଶାଢ଼ି’, ‘ମୋ’ ପାଇଁ ଶାଢ଼ି’ ବୋଲି ଗାଇ ନାଚିଲେ। ନାଚ ଶେଷରେ ମୁଁ ତାଙ୍କୁ କହିଲି, ‘ତମେ ଭୁଲ ଗାଇଲ।’ ସିଏ କହିଲେ, ‘ମୁଁ କବିସୂର୍ଯ୍ୟଙ୍କର ଚତୁର୍ଥ ପିଢ଼ିର ଲୋକ। ମୋ’ ଗୀତ ଭୁଲ ବୋଲି ଆଜିଯାଏଁ କେହି କହିନାହାନ୍ତି।” ମୁଁ କହିଲି ‘ମୋ ଲାଗି ଶାଢ଼ି’, ‘ମୋ ପାଇଁ ଶାଢ଼ି’ ଭୁଲ୍। ଏହା ହେଉଛି ‘ମୋ ଲାଗିଶାଢ଼ି’। ତମେ ଯଦି ‘ମୋ ଲାଗିଶାଢ଼ି’, ‘ପିନ୍ଧା ଶାଢ଼ି’ ଗାଇଥାନ୍ତ ଠିକ୍ ହୋଇଥାନ୍ତା। ‘ମୋ ପାଇଁ ଶାଢ଼ି’ କହିବା ଠିକ ନୁହେଁ।’ ସିଏ ମାନିଲେ।
୧୯୫୩ରେ ମୁଁ ଭକ୍ତମଧୁ ସ୍ୱର୍ଣ୍ଣପଦକ ଲାଭକରି ଓଡ଼ିଆ ଏମ୍ଏ ପାସ୍କଲି। ସେଇବର୍ଷ ମୋ’ ବାହାଘର। ସେଇବର୍ଷ ଶାନ୍ତିନିକେତନ ଚାକିରି। ମୋ’ ସ୍ତ୍ରୀ ସୁଲକ୍ଷଣା ମହାନ୍ତି କଟକ ଅଲଇଣ୍ଡିଆ ରେଡିଓର ପ୍ରଥମ ଦିନର କଳାକାର। ତାଙ୍କ ସାନ ଭାଇ ଓଡ଼ିଆ ସଙ୍ଗୀତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତି। ମୋ’ ସ୍ତ୍ରୀ ଭେଙ୍କଟ ନାରାୟଣ ଏବଂ ବାଳକୃଷ୍ଣ ଦାସଙ୍କ ଛାତ୍ରୀ।
ଶାନ୍ତିନିକେତନର ସଙ୍ଗୀତ ଭବନରେ ସେ ରବୀନ୍ଦ୍ର ସଙ୍ଗୀତ ଏବଂ ଶାସ୍ତ୍ରୀୟ ସଙ୍ଗୀତରେ ଡିଗ୍ରୀ କଲେ। ରବୀନ୍ଦ୍ର ସଙ୍ଗୀତରେ ତାଙ୍କର ଗୁରୁଥିଲେ ଶାନ୍ତିଦେବ ଘୋଷ, କନିକା ବନ୍ଦୋପାଧ୍ୟାୟ ଓ ବିରେନ ପାଲିତ। ଶାସ୍ତ୍ରୀୟ ସଙ୍ଗୀତରେ ଉସ୍ତାଦ ଜୀ।
ଶାନ୍ତିନିକେତନରେ ଥିଲାବେଳେ ଲଣ୍ଡନର ଆନ୍ତର୍ଜାତିକ ଲୋକସଙ୍ଗୀତ ସଂସଦ (ଇଣ୍ଟରନ୍ୟାସନାଲ ଫୋକ୍ ମ୍ୟୁଜିକ୍ ଆସୋସିଏସନ)ର ଜଣେ କର୍ମକର୍ତ୍ତା ଅନ୍ନଦାଶଙ୍କର ରାୟଙ୍କଠାରୁ ଚିଠି ନେଇ ମୋ’ ପାଖକୁ ଆସିଲେ। ତାଙ୍କ ଅନୁରୋଧରେ ମୁଁ ଛ’ଟି ଗୀତ ବାଛିଦେଲି ଓ ମୋ’ ସ୍ତ୍ରୀ ସେଗୁଡ଼ିକ ଗାଇଲେ। ସେଗୁଡ଼ିକ ସେ ତାଙ୍କ ସଂଗ୍ରହାଳୟ (ଆର୍ଚିଭ୍)ରେ ରଖିବା ପାଇଁ ନେଇ ଯାଇଥିଲେ। ତାହାର କିଛିବର୍ଷ ପରେ ମୁଁ ଆମେରିକାରେ ପିଏଚ୍ଡି ସାରି ଫେରୁଥିବା ବେଳେ ଲଣ୍ଡନରେ ସେଗୁଡ଼ିକ ମତେ ଶୁଣେଇଥିଲେ।
ଇନ୍ଦ୍ରାଣୀ ରହମାନ
ମୁଁ ଆମେରିକାରେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରେ ପିଏଚ୍ଡି କରୁଥିଲି। ସେତେବେଳେ କର୍ଣ୍ଣେଲ ଇଣ୍ଡିଆ ଆସୋସିଏସନର ସଭାପତି ଓ ରାଜ୍ୟସ୍ତରୀୟ ରବୀନ୍ଦ୍ର ଶତବାର୍ଷିକୀ କମିଟିର ସଭ୍ୟ ଥିଲି। ସେହି ସମୟରେ ଇନ୍ଦ୍ରାଣୀ ରହମାନଙ୍କୁ ନେଇ ଗୁରୁ ଦେବପ୍ରସାଦ ଦାସ ଆମେରିକା ଯାଇଥିଲେ। ତାଙ୍କ ପାଇଁ କର୍ଣ୍ଣେଲ ପ୍ରେକ୍ଷାଳୟରେ ଗୋଟିଏ କାର୍ଯ୍ୟକ୍ରମର ବ୍ୟବସ୍ଥା କରିଥିଲି। କାର୍ଯ୍ୟକ୍ରମ ଶେଷରେ ଇନ୍ଦ୍ରାଣୀ ପଚାରିଲେ, ‘ନାଟ କେମିତି ଲାଗିଲା?’ ମୁଁ କହିଲି, ‘ତମପରି କଳାକାରଙ୍କର କାର୍ଯ୍ୟକ୍ରମ ଖାଲି ଭଲ ଲାଗିଲା ବୋଲି କହିଲେ ଯଥେଷ୍ଟ ହେବ ନାହିଁ।’ ସିଏ ପଚାରିଲେ, ‘ତେବେ ବି ଆପଣ କିଛି କୁହନ୍ତୁ।’ ମୁଁ କହିଲି, ‘ମୁଁ ନୃତ୍ୟବିତ୍ ନୁହେ। ତେବେ ଏତିକି କହିବି ଯେ, ତମର ଚଉକ ଠିକ୍ ଲାଗିଲାନାହିଁ।’ ସିଏ ଭୂଇଁରେ ସାଷ୍ଟାଙ୍ଗ ପ୍ରଣାମକରି କହିଲେ, ‘ମୋ’ ଗୁରୁଙ୍କ ପରେ ଆପଣ ହେଉଛନ୍ତି ପ୍ରଥମ ଲୋକ ଯିଏ ମତେ ଏକଥା କହିଲେ।’
ଶାନ୍ତିନିକେତନରେ ୧୧ ବର୍ଷ ରହିଲା ପରେ ପୁନାରେ ଛ’ବର୍ଷ। ସେଠାରେ ଭୀମସେନ ଯୋଷୀ, ବିନାୟକ ରାଓ ପଟବର୍ଦ୍ଧନଙ୍କ ସାଙ୍ଗରେ ପରିଚୟ। ବିନାୟକ ରାଓଙ୍କ ଛାତ୍ରୀ କାଳିଦାଦାଙ୍କ ଝିଆରୀ ଶ୍ୟାମାମଣି କିଛି ଦିନ ଆମ ଘରେ ରହୁଥିଲା। ମୁଁ ଡେକାନ କଲେଜରେ ରହୁଥିଲି। ସେଠାରେ ଗୋଟିଏ କାର୍ଯ୍ୟକ୍ରମ କରିବା ପାଇଁ ମୁଁ ବିନାୟକ ରାଓଙ୍କୁ କହିଲି। ସିଏ କହିଲେ, ମତେ ଓଡ଼ିଆ ଖାନାଦେଲେ ମୁଁ ଯିବି। ସିଏ ଗୀତ ଗାଇବା ଆଗରୁ ତରାନା ବିଷୟରେ କହିଲେ। ସିଏ କହିଲେ, ‘ଥରେ ମୁଁ ରୁଷିଆ ଯାଇଥିଲି। ଗୋଟିଏ କାର୍ଯ୍ୟକ୍ରମରେ କିଛି ସମୟ ତରାନା ଗାଇଲା ପରେ ଜଣେ ଲୋକ ଆସି କହିଲା, ପାଟି ଆଁ କରନ୍ତୁ। ମୁଁ ଆଁ କଲି। ସିଏ ପଚାରିଲେ, ଯନ୍ତ୍ର କାହିଁ? ମୁଁ ପଚାରିଲି କୋଉ ଯନ୍ତ୍ର? ଖାଲି ପାଟିରେ ତରାନା ସୃଷ୍ଟି ହେଉଥିବା ଦେଖି ସିଏ ଆଶ୍ଚର୍ଯ୍ୟ ହୋଇଗଲା।’
ପୁନା ପରେ ମହୀଶୂର। ମହୀଶୂର ଦଶହରା ଭାରତ ପ୍ରସିଦ୍ଧ। ମହୀଶୂର ବିଶ୍ୱବିଦ୍ୟାଳୟ କୁଳସଚିବ ଡିଭି ଅର୍ସଙ୍କ ବନ୍ଧୁତା ହେତୁ ରାଜବାଟିକୁ ଆମର ସ୍ୱତନ୍ତ୍ର ନିମନ୍ତ୍ରଣ। ଦଶହରାରେ ସଙ୍ଗୀତ ନୃତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗଲାବେଳେ ଉସ୍ତାଦ ରବିଶଙ୍କରଙ୍କ ସହ ଭେଟ। କାର୍ଯ୍ୟକ୍ରମ ଶେଷରେ ମୁଁ ତାଙ୍କୁ ଘରକୁ ଆସିବାକୁ କହିଲି। ସିଏ ଆସିଲେ।
ମହୀଶୂରରେ ରାଜନର୍ତ୍ତକୀ ଭେଙ୍କଟ ଲକ୍ଷ୍ମାମ୍ମାଙ୍କ ପାଖରୁ ମୋ’ ବଡଝିଅ ସଂଘମିତ୍ରା(ପେପି)ର ଭରତନାଟ୍ୟମ ଶିକ୍ଷା। ଅଭିନୟ ପାରଙ୍ଗମ ଭେଙ୍କଟ ଲକ୍ଷ୍ମାମ୍ମାଙ୍କର ଅଭିନୟ ଶିକ୍ଷା ଏକ ବିରଳ ଅଭିଜ୍ଞତା।
ମହୀଶୂର ବିଶ୍ୱବିଦ୍ୟାଳୟକୁ ଆସାମରୁ ଧୀରେନ ବେଜବରୁଆ ଆସି ଇଂରାଜୀ ଅଧ୍ୟାପକ ରୂପେ ଯୋଗ ଦେଲେ। ତାଙ୍କ ସ୍ତ୍ରୀ କଳ୍ପନା ମୋ’ ସ୍ତ୍ରୀଙ୍କ ସାଙ୍ଗରେ ମିଶି ରବୀନ୍ଦ୍ରନାଟକ ଚିତ୍ରାଙ୍ଗଦା ମଞ୍ଚସ୍ଥ କଲେ। କନ୍ନଡ ଛାତ୍ରଛାତ୍ରୀଙ୍କୁ ବଙ୍ଗଳା ଗୀତ ନାଟ ଶିଖାଇ ବଙ୍ଗଳା ନାଟକ ଉତାରିବା ସହଜ ନଥିଲା। ମୋ’ ଝିଅ ସଂଘମିତ୍ରା ଏଥିରେ ନାଚିଥିଲା।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )