କବିତାଟିର କାଳ ନିର୍ଣ୍ଣୟ ନେଇ ସନ୍ଦେହ ନ ରହୁ।

ଭକ୍ତ କବି ସାଲବେଗଙ୍କ ଅନେକ ଭଜନ ଓ ଜଣାଣ ମଧ୍ୟରୁ ଏକ କ୍ଷୁଦ୍ର, ମର୍ମସ୍ପର୍ଶୀ ଜଣାଣ ହେଲା :
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଆମ୍ଭେ ଦର୍ଶନ କରିବୁ କାହାକୁ?
ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ ହେଲେ
ବିଜୟ କର ପ୍ରଭୁ ଚାପକୁ।
XXXX
ମାତ୍ର ଚାରିଗୋଟି ପଂକ୍ତି ଥିବା ଏହି ରଚନାରୁ ତତ୍କାଳୀନ ଏକ ଐତିହାସିକ ଘଟଣା, ଅର୍ଥାତ ଶ୍ରୀମନ୍ଦିର ଉପରେ ବିର୍ଧମୀଙ୍କ ଆସନ୍ନ ଆକ୍ରମଣ ଆଶଙ୍କାରେ ଶ୍ରୀଜୀଉମାନଙ୍କୁ ଶ୍ରୀକ୍ଷେତ୍ରରୁ ଗୋପନରେ ସ୍ଥାନାନ୍ତରର ସୂଚନା ମିଳେ। ଏହି ସାର୍ଥକ ଗୀତି କବିତାରେ ଦେଖିବାକୁ ମିଳେ ଭକ୍ତ ପ୍ରାଣର ଆବେଗରୁ ସୃଷ୍ଟି ହୋଇଥିବା ଏକ ଝଲକ, ଏକ ବୃତ୍ତଚିତ୍ର।
ବର୍ତ୍ତମାନ ଆଲୋଚନା କରାଯାଉ ଏହି ଦିଅଁ ସ୍ଥାନାନ୍ତର ଘଟଣା ଓ ତତ୍ଜନିତ ଏହି ଜଣାଣ ରଚନା କେବେ ହୋଇଥିବ। ସାଲବେଗଙ୍କ ସମ୍ପର୍କରେ ବିଶେଷ ଗବେଷଣା କରିଥିବା ଡକ୍ଟର ଅମୂଲକୃଷ୍ଣ ମିଶ୍ର ଲେଖିଛନ୍ତି “ଗଜପତି ନରସିଂହ ଦେବଙ୍କ ଶାସନ କାଳରେ ଅର୍ଥାତ୍ ୧୬୨୧ ରୁ ୧୬୪୭ ମଧ୍ୟରେ ଭକ୍ତ ସାଲବେଗ ପୁରୀରେ ଅବସ୍ଥାନ କରିଥିଲେ। ନରସିଂହ ଦେବଙ୍କ ରାଜତ୍ୱ ପୂର୍ବରୁ ପୁରୁଷୋତ୍ତମଙ୍କ ରାଜତ୍ୱ ସମୟରେ ସାଲବେଗ ପ୍ରଥମ କରି ପୁରୀକୁ ସମ୍ଭବତଃ ୧୬୧୩-୧୫ ଆଡେ ଆସିଥିଲେ। ମିର୍ଜ୍ଜା ଅହମଦ୍ ବେଗ୍ଙ୍କ ୧୬୨୨-୨୩ ମସିହାରେ ଲୋମହର୍ଷଣକାରୀ ଆକ୍ରମଣ ପୂର୍ବରୁ ଗଜପତି ନରସିଂହ ଦେବ ସମ୍ଭବତଃ ସାଲବେଗଙ୍କୁ ଜାଣିନଥିଲେ। ଏହି ଆକ୍ରମଣ ସମୟରେ ସାଲବେଗଙ୍କ କରୁଣ ରସାପ୍ଲୁତ ଭଜନ ‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ’, ଗଜପତିଙ୍କ ଜ୍ଞାତସାରକୁ ଆସିଥିବା ବିଚିତ୍ର ନୁହେଁଁ।” ଗବେଷକ ମିଶ୍ରଙ୍କ ବକ୍ତବ୍ୟରୁୁ ସୂଚନା ମିଳେ ଯେ ମିର୍ଜା ଅହମ୍ମଦ ବେଗ୍ଙ୍କ ଆକ୍ରମଣ ସମୟରେ ଅର୍ଥାତ୍ ୧୬୨୨-୨୩ ମସିହାରେ ସାଲବେଗଙ୍କ ‘କେଣେ ଘେନି ଯାଉଛ ଜଗନ୍ନାଥ‘ଙ୍କୁ ଜଣାଣ ରଚିତ ହୋଇଥିବ।

କେଦାରନାଥ ମହାପାତ୍ରଙ୍କ ‘ଖୁରୁଧା ଇତିହାସ’ରୁ ଜଣାଯାଏ ଯେ ସାଲବେଗଙ୍କ ପିତା ଲାଲବେଗଙ୍କ ମୁତ୍ୟୁ ୨୭.୦୪.୧୬୦୮ ତାରିଖରେ ଘଟିଥିଲା। ସାଲବେଗଙ୍କ ଜନ୍ମ ୧୬୦୮ ମସିହାର ଶେଷ ଭାଗରେ ହୋଇଥିଲା। ତା’ମାନେ ପିତାଙ୍କ ମୃତ୍ୟୁବେଳେ ସାଲବେଗ ମାତୃଗର୍ଭରେ ଥିଲେ। ଯଦି ଏହି ତଥ୍ୟ ଠିକ୍, ତେବେ ୧୬୨୨ -୨୩ ମସିହା ବେଳକୁ ସାଲବେଗଙ୍କ ବୟସ ମାତ୍ର ୧୪/୧୫ ବର୍ଷ ହୋଇଥିବ। କିନ୍ତୁ ସେ ଏହି ଗୀତ, ‘କେଣେ ଘେନି ଯାଉଛ’, ଲେଖିଥିବା ବେଳକୁ ତାଙ୍କର ବୟସ ଏତେ କମ ହୋଇଥିବ ବୋଲି ବିଶ୍ୱାସଯୋଗ୍ୟ ହେଉନାହିଁ। ଅପର ପକ୍ଷରେ ବିପ୍ର ରାମ ଦାସଙ୍କ ଦାର୍ଢ୍ୟତାଭକ୍ତି ରସାମୃତରୁ ଜଣାଯାଏ ଯେ ଲାଲବେଗ, ପୁତ୍ର ସାଲବେଗକୁ ଉପଯୁକ୍ତ ଲାଳନ ପାଳନ କରି ତାର ଯୁବାବସ୍ଥା ହେବାପରେ ତାକୁ ଯୁଦ୍ଧବିଦ୍ୟା ଶିକ୍ଷା ଦେଇଥିଲେ। ଏପରିକି ପିତାଙ୍କ ସହିତ ସାଲବେଗ ଯୁଦ୍ଧକ୍ଷେତ୍ରକୁ ଯାଇ ଯୁଦ୍ଧରେ ଭାଗ ନେଇଥିଲେ। ଅନ୍ତତଃ ଯଦି ୧୮-୨୦ ବର୍ଷ ବୟସରେ ସାଲବେଗ ଯୁଦ୍ଧରେ ଯୋଗଦେଇଥିବେ ତେବେ ତାଙ୍କର ଜନ୍ମ ୧୫୮୮-୧୫୯୦ ମସିହାରେ କିମ୍ବା ପୂର୍ବରୁ ହୋଇଥିବ।
ଡକ୍ଟର ସୁରେନ୍ଦ୍ର କୁମାର ମହାରଣାଙ୍କ ‘ଓଡିଆ ସାହିତ୍ୟର ଇତିହାସ’ରେ ଲେଖା ଅଛି ଯେ ସାଲବେଗ ଖ୍ରୀଷ୍ଟ୍ରୀୟ ଷୋଡଶ ଶତାବ୍ଦୀର ଶେଷ ଦଶକରେ ବା ସପ୍ତଦଶ ଶତାବ୍ଦୀର ପ୍ରଥମ ଦଶକରେ ଜନ୍ମ ଗ୍ରହଣ କରିଥିଲେ । ଆମ୍ଭର ଅନୁମାନ, ସାଲବେଗ ଖ୍ରୀଷ୍ଟ ଷୋଡଶ ଶତାବ୍ଦୀର ଶେଷ ଦଶକର କିଛି ପୂର୍ବରୁ ଜନ୍ମ ହୋଇଥିବେ ।
ମିର୍ଜ୍ଜା ଅହମ୍ମଦ ବେଗଙ୍କ ଆକ୍ରମଣ ସମୟରେ ସାଲବେଗ ଉକ୍ତ ଗୀତି କବିତା ଲେଖିନଥିବେ। ସୁବାଦାର ଅହମ୍ମଦ ବେଗ୍ ଖୋର୍ଦ୍ଧାଗଡକୁ ଆକ୍ରମଣ କରିଥିଲେ। କିନ୍ତୁ ସେ ପୁରୀ ଶ୍ରୀମନ୍ଦିରକୁ ଆକ୍ରମଣ କରିଥିବାର ସୂଚନା ଖୁରୁଧା ଇତିହାସ, ଡଃ ଦଣ୍ଡପାଣି ବେହେରାଙ୍କ ‘ଓଡିଶା ଇତିହାସ’, ଡ. ନବୀନ କୁମାର ସାହୁ ଓଗେରଙ୍କ ‘ଓଡିଶା ଇତିହାସ’ ରୁ ମିଳୁନାହିଁ। ଅହମ୍ମଦ ବେଗ୍ଙ୍କ ପୂର୍ବରୁ ଅନ୍ୟ କେହି ଆକ୍ରମଣକାରୀଙ୍କ କବଳରୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ରକ୍ଷା କରିବା ପାଇଁ ଶ୍ରୀମନ୍ଦିରରୁ ସ୍ଥାନାନ୍ତର କରାଯାଇଥିଲା। ମାଦଳା ପାଞ୍ଜିରୁ ମଧ୍ୟ ଏହାର ସୂଚନା ମିଳେ ।
ଗଜପତି ନରସିଂହ ଦେବଙ୍କ ପିତା ପୁରୁଷୋତ୍ତମ ଦେବଙ୍କ ଅମଳରେ ସମ୍ରାଟ ଜାହାଙ୍ଗୀର ଖ୍ରୀ ୧୬୧୭ ରେ ମକରମ ଖାଁଙ୍କୁ ଓଡିଶାର ସୁବାଦାର ନିଯୁକ୍ତି କଲେ। ସେ ଅତ୍ୟନ୍ତ ହିନ୍ଦୁ ବିରୋଧୀ ଥିଲେ। ତାଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ଶ୍ରୀଜୀଉମାନଙ୍କୁ ଶ୍ରୀମନ୍ଦିରର ପୂଜକମାନେ ଗୋପନରେ ଅନ୍ୟ ଏକ ସ୍ଥାନକୁ ନେଇ ଯାଇଥିଲେ। ଶ୍ରୀମନ୍ଦିରରୁ ଦିଅଁମାନଙ୍କୁ ସ୍ଥଳ ପଥରେ ଶଗଡ଼ିରେ ଓ ଜଳପଥରେ ଚାପରେ ନିଆଯାଇଥିଲା। ଏହି ସ୍ଥାନାନ୍ତର ଦୃଶ୍ୟ ସାଲବେଗ ନିଜେ ଦେଖିଥିଲେ। ଐତିହାସିକ କେଦାରନାଥ ଲେଖିଛନ୍ତି ଯେ ପୁରୁଷୋତ୍ତମ ଦେବଙ୍କ ୨୫ ଅଙ୍କ ବା ୧୬୧୯-୨୦ ସାଲରୁ ଶ୍ରୀଜୀଉମାନଙ୍କୁ ବଡ ଦେଉଳରୁ ନିଆଯାଇ ବାଣପୁର ଅଞ୍ଚଳର ଅନ୍ଧାରି ମହିମଠାରେ ରଖାଯାଇଥିଲା। ପରେ ଅହମ୍ମଦ ବେଗ୍ଙ୍କ ଆକ୍ରମଣ ଆଶଙ୍କାରେ ଶ୍ରୀଜୀଉମାନଙ୍କୁ ସେଠାରୁ ଗଡମାଣତ୍ରିକୁ ନିଆଯାଇଥିଲା।
ସୂତରାଂ ୧୬୧୯-୨୦ ମସିହାରେ ଭକ୍ତକବି ସାଲବେଗ ଏହି କାଳଜୟୀ କବିତା ‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ’ ରଚନା କରିଥିବେ ବୋଲି ଅନୁମାନ କରାଯିବା ଯଥାର୍ଥ ହେବ।
ଭକ୍ତ ସାଲବେଗଙ୍କ ଦ୍ଵାରା ରଚିତ “କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ” କବିତାକୁ ଅତି ସୁନ୍ଦର ଭାବରେ ବିଶ୍ଳେଷଣ କରିଛନ୍ତି। ପ୍ରବନ୍ଧଟି ଭଲ ଲାଗିଲା।
ବିଷୟଟିଭଲ ଲାଗିଲା କିନ୍ତୁ ଆହୁରି ଅନେକ କଥା ୟା ପଛରେ ଥାଇପାରେ । ତାହା ଆହୁରି ଗବେଷଣା ସାପେକ୍ଷ ।