ମାତୃଭାଷା ହିଁ ଗୋଟିଏ ଜନଗୋଷ୍ଠୀର ମାଟି-ପରିଚୟ, ଭାବ-ଫଲ୍ଗୁ।

ମାତୃଭାଷା ଗୋଟିଏ ମାଆ। ଜନ୍ମକଲା ମାଆ ଭଳି, ପୁଣି ଜନ୍ମପରେ ଧରିଥିବା ମାଟି ଭଳି। ପୃଥିବୀ ସାରା କେତେ କେତେ ମାତୃଭାଷା। କାହାର ଲିପି ଅଛି, କାହାର ନାହିଁ। କିଏ ବ୍ୟାପ୍ତ, କିଏ ସଙ୍କୁଚିତ। କିଏ ଦୀର୍ଘ ସ୍ରୋତସ୍ୱିନୀ, କିଏ କ୍ଷୁଦ୍ର ଗଜଗାମିନୀ। ସଭିଏଁ କିନ୍ତୁ ସୁନ୍ଦର। ଭାଷା ଅନେକ, ମାତ୍ର ମାତୃଭାଷାର ସ୍ଥାନ ସ୍ୱତନ୍ତ୍ର। ସେ ମାଆ। ଚିରକାଳ ଦୁଗ୍ଧ ପ୍ରସବିନୀ। ଚିର ସନ୍ତାନ କଲ୍ୟାଣକାରିଣୀ।
‘ମାଆ’ ଶବ୍ଦର ହୁଏତ ଅନେକ ପରିଭାଷା ଅଛି, ମାତ୍ର ଜନ୍ମକଲା ମାଆ ଗୋଟିଏ । ଜନ୍ମ ଦେଇଥିବା ମାଆ ପ୍ରତି ଯେଉଁ କୃତଜ୍ଞତା ଓ ସମର୍ପଣଭାବ ତା’ରି ଆଧାରରେ ମଣିଷ ଅନେକ ସ୍ଥାନରେ ଏ ଭାବନାଟିକୁ ଖଞ୍ଜିଦିଏ। ଯେମିତି ପାଳିଥିବା ମାଆ ଜ୍ଞାନଦାତ୍ରୀ ମାଆ, ଜଳପ୍ରଦାୟିନୀ ନଦୀ, ଧାରଣ କରିଥିବା ମାଟି ଏପରିକି କାଳ୍ପନିକ ଭାବେ ସାରା ଜନପଦକୁ ସୁରକ୍ଷା ତଥା ଅଭୟ ପ୍ରଦାନ କରୁଥିବା ଗ୍ରାମ୍ୟ ଠାକୁରାଣୀ।
ସବୁଠାରେ ମାଆ। ପୁଣି କଥାରେ ଅଛି, ଈଶ୍ୱର ସବୁଠାରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ଏ ‘ମାଆ’ ଜାତିଟିକୁ ତିଆରିଛନ୍ତି। ଈଶ୍ୱରଙ୍କୁ ନ ଦେଖନ୍ତୁ, ମାଆମାନଙ୍କୁ ଦେଖୁଥିବେ ସମସ୍ତେ ଓ ସେଇ ମାଧ୍ୟମରେ ଈଶ୍ୱର କେତେ ପ୍ରେମମୟ, କରୁଣାମୟ, ସୁରକ୍ଷା ପ୍ରଦାନକାରୀ ଓ ସହନଶୀଳ ସେ ଭାବନା ସଭିଏଁ ଆଣିପାରୁଥିବେ ମନରେ।
ଅସହାୟ ଶିଶୁ
ଆମେ ପରିବାର, ଗୋଷ୍ଠୀ, ଦେଶ ଓ ବୃହତ୍ତର ମଣିଷ ସମାଜ କଥା କହୁ। ହେଲେ ସେ ସବୁର ଆରମ୍ଭ କେଉଁଠାରୁ? କେମିତି ପ୍ରଥମ ମଣିଷ-ପିଲାଟି ଜନ୍ମ ନେଇ ବଞ୍ଚିଥିବ? ପଶୁ ଓ ପକ୍ଷୀ ଶାବକମାନଙ୍କ ତୁଳନାରେ ମଣିଷ ଶିଶୁଟି ସବୁଠାରୁ ଅଧିକ ଅସହାୟ। କେମିତି ବଞ୍ଚିଥିବ ସେ ପ୍ରଥମ ଶିଶୁ ଘୋର ଅରଣ୍ୟରେ? ମଞ୍ଜି ତ ସବୁଆଡ଼େ, ଆଧାର ନଥିଲେ ସୃଷ୍ଟି କାଇଁ? ଯେଉଁ ନାରୀଟି ପ୍ରଥମେ ଗର୍ଭବତୀ ହୋଇ ଶିଶୁଟିକୁ ଜନ୍ମ ଦେଇଛି ସେ ହିଁ ପ୍ରଥମ ମାଆ, ଆଦିମାତା। ବାପ ବା ପିତା ବୋଲି ଭାବନା ହିଁ ନ ଥିଲା। କିଏ ଜାଣେ କିଏ ବାପ?
ଶିଶୁଟିକୁ ‘ମାଆ’ ଜନ୍ମ ଦିଏ, ଅନ୍ତରରେ ଜଡ଼େଇ ଧରେ, କେତେ ବିପଦରୁ ରକ୍ଷାକରେ, ଦେହର ରକ୍ତକୁ କ୍ଷୀର କରି ଜିଆଁଇ ରଖେ ଶାବକଟିକୁ। କେବଳ ସେତିକି ନୁହେଁ, ରୋଗରେ, କ୍ଷୁଧାରେ, ଆଳରେ ଅଝଟ ଅମାନିଆ ପିଲାଟିକୁ ନାନା ଶବ୍ଦ ଓ ସ୍ୱର କରି ନାନାବାୟା ତୋଳେ, ଶାନ୍ତକରେ। ଢାଳିଦିଏ ମାଆପଣର ଅମୃତ ଧାରା, ବାତ୍ସଲ୍ୟ ରସ।

‘ମାଆ’ ହିଁ ଆଦିମାତାର ସ୍ୱରୂପ, ଜଗତର ପ୍ରଥମ ଠାକୁରାଣୀ । ବମ୍ବେ ସହରର ‘ମୁମ୍ବାଦେବୀ’, ଚଣ୍ଡୀଗଡ଼ର ‘ଚଣ୍ଡୀମାତା’, ମାଙ୍ଗାଲୋରର ମାଆ ‘ମଙ୍ଗଳା’, ନୈନିତାଲର ‘ନୈନୀଦେବୀ’, କୋଲକାତାର ‘କାଳୀମାତା’, ସିମ୍ଳାର ‘ଶ୍ୟାମଳା ମାତା’ ଏମିତି କେତେ କେତେ ମାଆଙ୍କୁ ମୂଳକରି ଗଢ଼ି ଉଠିଛି ଜନପଦ। ଆମର ଏଠାରେ ଯେମିତି କଟକରେ ‘ଚଣ୍ଡୀ’, ଭୁବନେଶ୍ୱରରେ ‘ଭୁବନେଶ୍ୱରୀ’ / ‘ଗୌରୀ’, ପୁରୀରେ ମାଆ ‘ବିମଳା’ । ସବୁଆଡ଼େ ମାଆମାନେ ଅଧିଷ୍ଠାତ୍ରୀ। ବାପାମାନେ ଆସିଛନ୍ତି ପଛରେ। ବିବାହ ନାମକ ଅନୁଷ୍ଠାନ ଗଢ଼ି ଉଠିଛି ଅନେକ ପରେ। ବୈଜ୍ଞାନିକ କାରଣ ଦେଖାଇ ଗୋତ୍ର ଅନୁସାରେ ପୁରୁଷକୁ ପରିବାରର କର୍ତ୍ତୃତ୍ୱ ଦିଆଯାଇଛି। ହେଲେ ‘ମାଆ’ ହିଁ ମୂଳ।
ମାଆ ନ ଥିଲେ ସୃଷ୍ଟି କାହିଁ?
ଏଇ ‘ମାଆପଣ’ ହିଁ ମାଟି-ବିଚାରରେ ସମାହିତ। ଜଠରରେ ଜୀବନଟିଏ ଗଢ଼ି ମାଆ ଶିଶୁକୁ ବଢ଼ାଏ। ବାହାରକୁ ଆସିବା ପର୍ଯ୍ୟନ୍ତ ନାହିନାଡ଼ ବାଟେ ଖାଦ୍ୟ ଯୋଗାଇ ଚାଲିଥାଏ। ପୁଣି ବାହାରକୁ ଆସିବା ପରେ ଥନ ଭାଙ୍ଗି ଶିଶୁଟି ଅନ୍ୟ ପୋଷଣ ମାଧ୍ୟମରେ ବଞ୍ôଚବା ଯାଏ ନିଜକୁ ନିଗାଡୁଥାଏ।
ମାଟି ହିଁ ଜୀବନ
ମାଟି ବି ସେମିତି। ମାଟି ନଥିଲେ ଜୀବନ ନଥାନ୍ତା। ଏ ଜଳ, ଏ ବୃକ୍ଷଲତା, ପାହାଡ଼ ନଦୀ ହ୍ରଦ ପୁଷ୍କରିଣୀ ଘାଟ ସବୁକୁ ଧରି ରଖିଛି ମାଟି। ସେ ସବୁ ଅମ୍ଲଜାନର ଉତ୍ସ। ମାଟି ଯୋଗୁଁ ସବୁଜିମା, ସେଇଠୁ ଅମ୍ଲଜାନ। ଅମ୍ଳଜାନ ହିଁ ଜୀବନ। ପ୍ରତ୍ୟେକ ପ୍ରାଣୀର ଅମ୍ଲଜାନ ଜୀବନ-ସୂତ୍ର, ମୌଳିକ ଖାଦ୍ୟ। ତେଣିକି ଉଦର ପାଇଁ, ଶରୀର ପାଇଁ ଯେତେ ଯେତେ ଆବଶ୍ୟକତା ସବୁ ପୂରଣ କରେ ମାଟି। ଅରଣ୍ୟ ଜୀବନରେ ଫୁଲ, ଫଳ ବା ଜୀବଜନ୍ତୁ ଆଦି କିଏ ଆହାର ଆକାରରେ ଯୋଗାଇଥିଲା ବା ଆଜି ବି ଯୋଗାଉଛି? ସବୁ ପଛରେ ସେଇ ମାଟି। ମାଟି ନଥିଲେ ମାଆ ଥାଆନ୍ତା କେଉଁଠି? ମାଟି ଭିତରେ ମାଆ। ପୁଣି ମାଆ ମାଟି ନ ହେଲେ ସର୍ବଂସହା ପରି ଜୀବନ ତିଆରିବ କିଏ? ଧରି ରଖିବ କିଏ?
ମାଟି ନଥିଲେ ପ୍ରାଣୀ ସମାଜ ନଥାନ୍ତା କି ନଥାନ୍ତା ଏ ପୃଥ୍ୱୀ। ‘ମାଟି’ କଥାଟି କେବଳ ଭାବପ୍ରବଣତାର କଥା ନୁହେଁ। ତା’ ସହିତ ଯୋଡ଼ା ହୋଇଛି ବାସ୍ତବ ଜୀବନ। କେଉଁଠାରୁ ଚାରାଟିଏ ଆଣି ଅନ୍ୟ ସ୍ଥାନରେ ପୋତିଲା ବେଳେ କୁହାଯାଏ ଚାରାଟିର ଚେର ସହ ଜନ୍ମମାଟି ଲଗାଇ ଆଣିବ। ଜନ୍ମମାଟି ଲାଗି ରହିଥିଲେ ପୋଷକତା ଅବାରିତ ଥାଏ।
ମାଟି ଅନୁସାରେ ସୃଷ୍ଟି। ସେଇଥିପାଇଁ ପରିବର୍ତ୍ତିତ ଜଳବାୟୁର ମାଟିରେ ପଶୁପକ୍ଷୀ, ଗଛଲତା ବା ମଣିଷ ଭିତରେ ଭିନ୍ନତା ଆସେ। କହନ୍ତି, ‘ମାଟି ଗୁଣେ ମଣିଷ’। ମାତ୍ର ଅସଲରେ ସବୁକଥା ମାଟି ଆଧାରରେ ନିୟନ୍ତ୍ରିତ। ସେଇଥିପାଇଁ ମାଟିର ମାଲିକ ହେବା ଲାଗି ଲୋଭୀ ମଣିଷ କନ୍ଦଳରେ ଲାଗିଥାଏ। ସବୁ ଯୁଦ୍ଧ, ବିଗ୍ରହ, ସାମ୍ରାଜ୍ୟବାଦରୁ ଔପନିବେଶବାଦ ପଛରେ ଏ ମାଟିଲୋଇ।
ସବୁ ସହେ ମାଟି। ଅତି ହେଲେ ମାଆର ହୃଦୟ ମଧ୍ୟ ଫାଟିଯାଏ। ସେଇ କାରଣରୁ ବୋଧେ ଉଦ୍ଧତ ମଣିଷକୁ ଶିକ୍ଷା ଦେବା ପାଇଁ ଓ ମାଟିର ଚିରନ୍ତନ ମହତ୍ତ୍ୱ ପ୍ରତିପାଦିତ ହେବା ପାଇଁ କାଳ୍ପନିକ ଆଦିମାତାଙ୍କର ଆବିର୍ଭାବ ହୁଏ। ‘ଭୂମିକମ୍ପ ହେବ, ଧରଣୀ ଫାଟିବ, ଉଠିବେ ସହସ୍ରଭୁଜା।’
ମାଆ ମାଟି ଏକାକାର।
ସେଇଭଳି ମାଟିରେ ଉଦ୍ଭୁତ ହୋଇଥିବା ଭାଷା। ଯାହା ମନର ଭାବନାକୁ ଶବ୍ଦରେ ପ୍ରକାଶ କରିବା ଲାଗି ସୁଯୋଗ ଦିଏ। ତାହା ଭାଷା ଅକ୍ଷରରେ ଲେଖିବା ଲାଗି ମାଧ୍ୟମ ଦିଏ। ମାତୃଭାଷା ହିଁ ଗୋଟିଏ ଜନଗୋଷ୍ଠୀର ମାଟି-ପରିଚୟ, ଭାବ-ଫଲ୍ଗୁ। ଭାଷା ନ ଥିଲେ ଭାବ ପ୍ରକାଶ ସମ୍ଭବ ହୁଏ ନାହିଁ। ସେଇଥିପାଇଁ ତ ‘ଠାରଭାଷା’ ପୃଥିବୀର ସର୍ବପ୍ରାଚୀନ ଭାଷା ଏବଂ ଯାବତ୍ ଚନ୍ଦ୍ରାର୍କେ ଏ ଭାଷା ମଣିଷ ଜାତି ସହ ରହିବ ହିଁ ରହିବ। ପ୍ରାଣୀ ଜଗତରେ ଠାରଭାଷାର ଯେ ଉପଯୋଗିତା ନାହିଁ ସେ କଥା ଅସ୍ୱୀକାର କରାଯାଇ ପାରିବ ନାହିଁ। ଆଖିଠାରୁ ଲାଞ୍ଜ, ଚାଲିଠାରୁ ବସିବାର ଠାଣି ବି କଥା କହେ। ପ୍ରତ୍ୟେକ ସଂପ୍ରଦାୟ ଲାଗି ମୌଳିକ ଭାଷାଟି ‘ମାତୃଭାଷା’। ଯେଉଁ ଭାଷା ଆଧାରରେ ସେ ପ୍ରଥମେ ସଂସାରକୁ ଜାଣିଲା, ମାଟିକୁ ଚିହ୍ନିଲା ଓ ତା’ ଚେତନାର ଉନ୍ମେଷ ହେଲା, ତାହା ତା’ର ମାତୃଭାଷା।

ମାଆର ଭାଷା
ସାଂପ୍ରତିକ କାଳରେ ମାଆର ଭାଷାକୁ ଯେଉଁ ମାତୃଭାଷା ବୋଲି ବିବେଚନା କରାଯାଉଥିଲା ସେ ଧାରଣା ଆଉ ନାହିଁ। ମାଟିର ଭାଷା ମଧ୍ୟ ଆଉ ମାତୃଭାଷା ହୋଇ ରହିନାହିଁ। ଗମନାଗମନର ସୁବିଧା ଏବଂ ପ୍ରବାସୀ ଜୀବନର ବ୍ୟାପକତା ସହ ମଣିଷ ଶିଶୁଟି ଗୋଟିଏ ଘରେ ବି ଦୁଇଟି ଭାଷା ଶିଖିବା ଆରମ୍ଭ କରୁଛି। ମାଆ ଗୋଟିଏ ଭାଷାର ତ ବାପା ଆଉ ଗୋଟିଏ ଭାଷାର। ସେମାନେ ପୁଣି ଅନ୍ୟ ଗୋଟିଏ ଭାଷା-ଅଞ୍ଚଳରେ ଜୀବନ ଆରମ୍ଭ କରୁଛନ୍ତି। ପିଲାଟି ହୁଏ ତ ଏକାଦିକ୍ରମେ ତିନିଗୋଟି ଭାଷାରେ ଛନ୍ଦି ହେଉଛି। ହୋଇପାରେ ସେ ଯେଉଁ ବିଦ୍ୟାଳୟକୁ ବା ଖେଳଘରକୁ ସାମୟିକ ଭାବେ ଯାଉଥିବ ସେଠାକାର ଭାଷା ଆଉ ପ୍ରକାରେ ହୋଇଥିବ। ଜୀବନଯାପନର ଆବଶ୍ୟକତା କାରଣରୁ ସାରା ପୃଥିବୀରେ ଏକାଥରେ ଦୁଇ ତିନୋଟି ଭାଷା କବଳରେ ପିଲାଟି ପଡ଼ିବାକୁ ବାଧ୍ୟ।
ଆଉ ସେ ମୌଳିକ କୃଷି-ଭିତ୍ତିକ ଜୀବନ ନାହିଁ କି ନିର୍ଦ୍ଦିଷ୍ଟ ଭୂଗୋଳ ବା ଚଉହଦିର ସ୍ଥାୟୀ ଜୀବନ ନାହିଁ। ଜୀବିକା ପ୍ରଭାବିତ କରୁଛି ଜୀବନକୁ।
‘ମାତୃଭାଷା’ ଶବ୍ଦ ବଦଳରେ ଭାଷାଶାସ୍ତ୍ରୀମାନେ ଏବେ ପ୍ରଥମ ଭାଷା, ଦ୍ୱିତୀୟ ଭାଷା ଓ ତୃତୀୟ ଭାଷା ଆଦି ବର୍ଗୀକରଣ କରୁଛନ୍ତି। ପ୍ରଥମ ଭାଷାକୁ ମାତୃଭାଷାର ମାନ୍ୟତା ଦିଆଯାଉଛି। ଯେଉଁ ଭାଷାରେ ପ୍ରାଥମିକ ଭାବେ ଶିଶୁଟି ଉନ୍ମେଷିତ ହେଉଛି ତାହା ପାଲଟି ଯାଉଛି ତାର ମାତୃଭାଷା।
ଯେଝା ମାତୃଭାଷା ଯେଝାକୁ ପ୍ରିୟ।
ଏବେ ଆମ ଓଡ଼ିଆମାନଙ୍କର ମୌଳିକ ଓ ପ୍ରଥମ ଭାଷା, ଓଡିଆ ଭାଷାର କଥା କହିବା। ତାହାର ଗଠନ ସୂତ୍ର ଯେଉଁ ସ୍ରୋତରୁ ଆସିଥାଉ ପଛେ ଆଜି ସମଗ୍ର ଉତ୍ତର ଭାରତରେ ପ୍ରଥମ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ପାଇଛି ଓଡ଼ିଆ ଭାଷା। ପ୍ରାକୃତିକ ଅବବୋଧରୁ ଆରମ୍ଭ ହୋଇଛି ତାର ଭାଷା ଓ ସାହିତ୍ୟ ଯାତ୍ରା। ପ୍ରାକୃତ, ଯାବନିକ, ତତ୍ସମ, ତଦଭବ, ଏବଂ ଅନେକ ଉପଭାଷାକୁ ଆଧାରକରି ଏହା ପୃଥିବୀ ସ୍ତରରେ ସୁଦ୍ଧା ନିଜର ଗୁରୁତ୍ୱ ପ୍ରତିପାଦନ କରିଛି। ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀର ସାହିତ୍ୟ ପୃଥିବୀକୁ ଅନୁଶୀଳନ କଲେ ବୁଝିହେବ, ଓଡ଼ିଆ ଭାଷା ଓ ସାହିତ୍ୟ କେତେ ସମୃଦ୍ଧ ଓ ସମ୍ଭ୍ରାନ୍ତ! ସାରଳା, ବଳରାମ, ଜଗନ୍ନାଥ, ଓଡିଆ ଭାଷାକୁ ସର୍ବଭାରତୀୟ ସାହିତ୍ୟ ଯୁଗରେ ଯୋଡ଼ିବାକୁ ସକ୍ଷମ ହୋଇଥିଲେ ଓଡ଼ିଆ ମହାଭାରତ, ରାମାୟଣ ଓ ଭାଗବତ ମାଧ୍ୟମରେ। ପରେ ଶୂନ୍ୟବାଦ, ରହସ୍ୟବାଦ, ଭକ୍ତିଯୁଗ, ରୀତିଯୁଗ, ସବୁଜଯୁଗକୁ ନେଇ ଆଧୁନିକ ଓଡ଼ିଆ ସାହିତ୍ୟ ଆଜି ଯେଉଁଠି ପହଞ୍ଚିଛି, ସେଠାରେ ସେଠାରେ ଅନେକ ସମୃଦ୍ଧ ଭାଷାର ପଦପାତ ସୁଦ୍ଧା ନାହିଁ।
ମାତୃଭାଷା ପ୍ରତି ନିବିଡ଼ବୋଧ ଓ ତହିଁରେ ଯୋଡ଼ା ଭାଷା ରସାଳତା ହିଁ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟିକରେ। ଭାଷା ନଥିଲେ ଭାବକୁ ଧରନ୍ତା କିଏ? ଭାଷା ତଡ଼ାଗ ହେଲେ ଭାବ ଜଳ। ତହିଁରେ ସାହିତ୍ୟ କମଳିନୀ ପ୍ରସ୍ଫୁଟିତ ହୁଏ।
ବ୍ୟବହାର ଓ ମାନ୍ୟତା କମି ଆସିଲେ ପୁଷ୍କରିଣୀ ଦୂଷିତ ହେବା ପରି ଭାଷା ତାର ଗୁରୁତ୍ୱ ହରାଇବସେ। ସଂପ୍ରତି ସାରା ଓଡ଼ିଶାବାସୀଙ୍କ ଆଗରେ ଆମ ମାତୃଭାଷା ଏକ ଆହ୍ୱାନ ହୋଇ ଦଣ୍ଡାୟମାନ।
ପରିବର୍ତ୍ତନର ସମୟ
ଆଜିର ଆଧୁନିକ ସମୟ ଏକ ଘୋର-ପରିବର୍ତ୍ତନର ସମୟ। ମାତୃଭାଷା ଓ ମାଟି ସହ ‘ମାଆ’ ଶବ୍ଦଟି ମଧ୍ୟ ଏବେ ସଂକଟରେ। ଯାନ୍ତ୍ରିକ ଭାବେ ନିୟନ୍ତ୍ରିତ ଅପ୍ରାକୃତିକ ଜଠର ଗଢ଼ି ଶିଶୁଜନ୍ମ ଲାଗି ପ୍ରଚେଷ୍ଟା ଚାଲିଛି। ଯାହାଫଳରେ ଜନ୍ମ ହେଉଥିବା ଶିଶୁ ଦେହରେ ଉନ୍ନତ ଗୁଣସୂତ୍ର ସେମାନେ ସଂଯୋଜିତ କରିବେ। ଅନ୍ୟପକ୍ଷରେ ନାରୀ ଭାବନାରେ ପରିବର୍ତ୍ତନ ଆସୁଛି। ଅନେକ ତରୁଣୀ ମାଆ ହେବା ଲାଗି ଅନିଚ୍ଛୁକ। ବିକଳ୍ପ ବ୍ୟବସ୍ଥା କରି ଗୋଟିଏ ନାରୀକୁ ପ୍ରୟୋଗ କ୍ଷେତ୍ର ବନାଇ ଶିଶୁଟିଏ ତା’ ଭିତରେ ସୃଷ୍ଟି କରାଯାଉଛି। ଜନ୍ମ ପରେ ଯିଏ ଜଠର ଦେଇ ନାହିଁ ସିଏ ହେଉଛି ମାଆ ଏବଂ ଜନ୍ମଦାତ୍ରୀଟି ନିଜକୁ କିଛି ମାସ ପାଇଁ ଭଡ଼ାଦେଇ କେଉଁଆଡ଼େ ଅପସାରିତ ହେଇଯାଉଛି।
ସେମିତି ମାଟି। ମାଟିର ଅବକ୍ଷୟ ଏବେ ସବୁଆଡ଼େ। ମାଟି ନ ଥାଇ କେବଳ ପାଣିରେ କେମିତି ସୃଷ୍ଟି ସମ୍ଭବ ହେବ, ଗଛଲତା ବଞ୍ଚିବେ ସେ ନେଇ ଗବେଷଣା ଚାଲିଛି। ମାଟି ବିଦାରଣ, ମାଟି ପ୍ରଦୂଷଣ ସାଙ୍ଗକୁ ଅନେକ ସହର ଏବେ ମାଟି-ରହିତ ସ୍ଥିତି ଆଡ଼କୁ ପ୍ରଧାବିତ। ସବୁଆଡ଼େ ସିମେଣ୍ଟ ଓ କଂକ୍ରିଟ୍।
ମାଆ, ମାଟି ଓ ମାତୃଭାଷାକୁ ନେଇ ଏବେ ପୃଥିବୀବ୍ୟାପୀ ଝଞ୍ଜା ବୋହୁଛି। ଦିନକୁ ଦିନ ମଣିଷ ପ୍ରକୃତିଠାରୁ ଦୂରେଇ ଯିବାରେ ଲାଗିଛି। ଅପ୍ରାକୃତିକ ଜୀବନକୁ ଉନ୍ନତ ଜୀବନର ନାମ ଦେଇ ଯେଉଁ ସଂଘାତପୂର୍ଣ୍ଣ ଭବିଷ୍ୟତ ଗଢ଼ା ଚାଲିଛି ତା’ର ଶେଷ ପରିଣତି କ’ଣ ହେବ ସେ କଥା କେହି ଜାଣି ନାହାନ୍ତି। ଗୋଟାଏ ଭୀଷଣ ଅନିଶ୍ଚିତତା ହିଁ ପାଲଟିଛି ଚରମ ଆକର୍ଷଣ।
କିଏ ଜାଣେ ଶେଷ କେଉଁଠି?
ଉନ୍ନତ ସୁନ୍ଦର ଜୀବନ ନା ଆଉ ଫେରିବାକୁ ବାଟ ନଥିବା ଗୋଟାଏ ଭୀଷଣ ଅନ୍ଧାରର ଜୀବନ? ‘ମାଆ’, ‘ମାଟି’ ଓ ‘ମାତୃଭାଷା’ ସେତେବେଳକୁ ଆଉ ଆମ ବିଚାର ପରିସରରେ ହିଁ ନ ଥିବ ବୋଧହୁଏ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ମାଆ,ମାଟି ଓ ମାତୃଭାଷା, ସହିତ ଆଉ ଗୋଟିଏ ଶବ୍ଦ ଯାହା ଅମୃତ ସେଇ ମମତା ପରସ୍ପର ପରସ୍ପର ପରିପୂରକ।ଗୋଟିଏ ନାହିଁ ତ ଅନ୍ୟଟି ନାହିଁ।ଏବେ ସବୁ ବଦଳିବା ଭିତରେ ଏ ଚାରୋଟି ପ୍ରଭାବିତ ହେଉଛନ୍ତି ସତ କିନ୍ତୁ ସମ୍ପୂର୍ଣ ବଦଳୁ ନାହାନ୍ତି।ସେମାନେ ଅପରିବର୍ତ୍ତନୀୟ।ଲେଖକ ମହାଶୟ ଏ ସବୁ ବିଷୟର ବର୍ଣ୍ଣନା ଜରିଆରେ ଅନେକ କିଛି ଲେଖିଛନ୍ତି ଯାହା ପ୍ରଣିଧାନ ଯୋଗ୍ୟ।